Unknown

 

 

 

 

 

 

 

 

 

ସାହିତ୍ୟିକ ଚିତ୍ତରଂଜନ ଦାସ

ଡକ୍ଟର ଶ୍ରୀଚରଣ ଦାସ

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର

 

ପ୍ରାଗ୍‌ଭାଷ

 

ଜୀବନକୁ ବିଦ୍ୟାଳୟଭାବେ ଅନୁଭବ କରୁଥିବା ବିଶିଷ୍ଟ ସମାଲୋଚକ, ପ୍ରାବନ୍ଧିକ, ଶିକ୍ଷାବିତ୍ ଚିତ୍ତରଂଜନ ଦାସ ନିଜ ଜୀବନକାଳ ମଧ୍ୟରେ ସେଇ ଜୀବନକୁ ବିଶ୍ୱବିଦ୍ୟାଳୟ ସ୍ତରକୁ ଉତ୍ତୀର୍ଣ୍ଣ କରେଇବାରେ କେଉଁଭଳି ଅଗ୍ରଣୀ ଭୂମିକା ନେଇଥିଲେ, ତାହା ତାଙ୍କ ସୃଷ୍ଟ ସାହିତ୍ୟ, ଦର୍ଶନ, ଧର୍ମ ତଥା ମନସ୍ତତ୍ତ୍ୱ ସମ୍ବଧିତ ପୁସ୍ତକ ପଢ଼ିଲେ ବଳେ ଜଣାପଡ଼ିଯାଏ । ସେ ଜାତୀୟବାଦୀ ଥିଲେ ସତ, କିନ୍ତୁ ଅର୍ନ୍ତଜାତୀୟ ଚେତନାରେ ଉଦ୍‌ବୁଦ୍ଧ ହେବା ଥିଲା ତାଙ୍କ ବ୍ୟକ୍ତିତ୍ୱର ଏକ ମହନୀୟ ଦିଗ । ସେ ଥିଲେ ଓଡ଼ିଆ ଭାଷା ସାହିତ୍ୟର ଜଣେ ପରମ ଉପାସକ । ତେବେ ଫରାସୀ, କନ୍ନଡ଼, ତାମିଲ, ଜର୍ମାନୀ, ସଂସ୍କୃତ, ସୁଇଡିଶ୍ ତଥା ଫିନିଶ୍ ଭାଷା ସାଙ୍ଗକୁ ହିନ୍ଦୀ ଭାଷାରେ ଜ୍ଞାନ ଆହରଣ ତାଙ୍କ ବହୁ ଭାଷାପ୍ରୀତିର ପରିଚୟ ଦିଏ । ଏକାଧାରରେ ଗାନ୍ଧୀ, ମାର୍କସ, ଅରବିନ୍ଦ ଓ କବିଗୁରୁ ରବୀନ୍ଦ୍ରନାଥ ପ୍ରମୁଖଙ୍କୁ ସିଏ ପାଛୋଟି ଆଣିଥିଲେ ନିଜ ହୃଦୟର ଅଭ୍ୟନ୍ତରକୁ, ମାନସିକ ଅର୍ନ୍ତବଳୟକୁ । ଯୁବାବସ୍ଥାରେ ଶାନ୍ତିନିକେତନରେ ପାଠପଢ଼ା ସାଙ୍ଗକୁ ଗବେଷଣା ତାଙ୍କ ମାନସିକ ଦିଗ୍‌ବଳୟକୁ କେଉଁଭଳି ସମ୍ପ୍ରସାରିତ କରିଥିଲା, ତାଙ୍କ ବ୍ୟକ୍ତିତ୍ୱ ସମ୍ପର୍କିତ ଏଇ ପୁସ୍ତକଟି ତା’ରି ଜ୍ୱଳନ୍ତ ପ୍ରମାଣ । ‘‘ବିଶ୍ୱନୀଡ଼’’ର ସନ୍ଧାନରେ ବର୍ହିଗତ ଏଇ ସାରସ୍ୱତ ବ୍ୟକ୍ତିତ୍ୱ ପୁସ୍ତକଙ୍କୁ ଯେଉଁଭଳି ଭଲ ପାଉଥିଲେ, ମଣିଷଙ୍କୁ ତା’ଠୁ କମ୍ ଭଲ ପାଉନଥିଲେ । ତାଙ୍କ ଗଚ୍ଛିତ ପୁସ୍ତକାବଳୀ, ତାଙ୍କ ବାସଗୃହକୁ ଚିହ୍ନିତ କରେ ଏକ ସଂଗ୍ରହାଳୟ ଭାବରେ । ଜୀବନରେ ସାରସ୍ୱତ ଅଧ୍ୟବସାୟ ଛଡ଼ା ଆଉ କେଉଁ କଥାକୁ ସେ ପ୍ରାଥମିକତା ଦେଇଥିଲେ, ତାହା ଆମ ପରି ବହୁ ବିଦ୍‌ଗଧ ପାଠକ ପାଠିକାଙ୍କ ସକାଶେ ଏବେବି ଏକ ବିରାଟ ପ୍ରଶ୍ନବାଚୀ ।

 

ସୁଖର କଥା, ଅଶେଷ ପରିଶ୍ରମ ସ୍ୱୀକାରପୂର୍ବକ ବିଶିଷ୍ଟ ଗବେଷକ ଶ୍ରୀଚରଣ ଦାସ ତାଙ୍କ ସାହିତ୍ୟ କୃତିକୁ ଆଧାର କରି ଏହି ପୁସ୍ତକଟି ରଚନା କରିଛନ୍ତି । ଆଶା ଏହା ପାଠକୀୟ ପରିତୃପ୍ତି ଲାଭ ଦିଗରେ ବିଶେଷ ସହାୟକ ହେବ । ଓଡ଼ିଶା ସାହିତ୍ୟ ଏକାଡେମୀ ଏଇ ପୁସ୍ତକର ପ୍ରକାଶନ ଭାର ହାତକୁ ନେଇ ଆନୁଷ୍ଠାନିକ ଲକ୍ଷ୍ୟ ଓ ଆଦର୍ଶ ହାସଲ ଦିଗରେ ଆଉ ଏକ ପାଦ ଆଗେଇ ପାରିଥିବାରୁ ମୁଁ ଲେଖକଙ୍କୁ ସେଥିପାଇଁ ଧନ୍ୟବାଦ ଜଣାଉଛି ।

 

ଅଶ୍ୱିନୀ କୁମାର ମିଶ୍ର

ସଚିବ

ଓଡ଼ିଶା ସାହିତ୍ୟ ଏକାଡେମୀ

Image

 

ମୁଖବନ୍ଧ

 

ଚିତ୍ତରଂଜନ ଦାସ ଥିଲେ ଓଡ଼ିଶାର ଜଣେ ପ୍ରଜ୍ଞା ପୁରୁଷ ଓ ଅନନ୍ୟ ପ୍ରତିଭାର ଅଧିକାରୀ, ଯେଉଁଥିପାଇଁ ଧନୀ, ନିର୍ଦ୍ଧନ, ଗ୍ରାମ, ସହର, ଉପକୂଳ, ମାଳାଞ୍ଚଳ ଏବଂ ତରୁଣ ପ୍ରବୀଣ ସବୁଶ୍ରେଣୀର ଲୋକ ତାଙ୍କ ନୀଡ଼କୁ ଛୁଟି ଆସୁଥିଲେ ଓ ତାହାକୁ ବିଶ୍ୱନୀଡ଼ରେ ପରିଣତ କରିଦେଉଥିଲେ । ଅନେକ ତାଙ୍କୁ ଓଡ଼ିଶାର ସକ୍ରେଟିସ୍ ବୋଲି ମନେକରୁଥିଲେ । କାରଣ ତାଙ୍କ ପରି ସତ୍ୟନିଷ୍ଠ, ନୀତିନିଷ୍ଠ ମଣିଷ ଓଡ଼ିଶାରେ ବିରଳ । ସେ ଅବିଭକ୍ତ କଟକ ଜିଲ୍ଳା ଓ ଅଧୁନା ଜଗତସିଂହପୁର ଜିଲ୍ଲାର ଏକ ନିପଟ ମଫସଲଗାଆଁ ବାଗଲପୁରରେ ୧୯୨୩ ମସିହାରେ ଜନ୍ମ ହୋଇଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା ୨୦୧୧ ମସିହା ଜାନୁଆରୀ ମାସ ୧୬ ତାରିଖରେ ଭୁବନେଶ୍ୱରରେ । ଜୀବନକାଳ ମଧ୍ୟରେ ସେ ଜେଲ ଜୀବନଠାରୁ ବିଦେଶରେ ଶିକ୍ଷାଲାଭ ପର୍ଯ୍ୟନ୍ତ ବହୁ ଅଭିଜ୍ଞତା ଓ ଅନୁଭୂତି ହାସଲ କରିଥିଲେ । ନିରଳସ ଭାବରେ ସେ ସମାଜ ପାଇଁ କାମ କରୁଥିଲେ । ତାଙ୍କର ଦୃଷ୍ଟିକୋଣ ଖୁବ୍ ପ୍ରଶସ୍ତ ଥିଲା । ତେଣୁ ସେ କହୁଥିଲେ, ମୁଁ ପ୍ରଥମେ ଏ ବିଶ୍ୱର ପ୍ରତିନିଧି, ତା’ପରେ ଭାରତର ଏବଂ ଶେଷରେ ଓଡ଼ିଆ । କିନ୍ତୁ ଓଡ଼ିଆର ଅସ୍ମିତା ନେଇ ତାଙ୍କ ଭିତରେ ପ୍ରବଳ ଜାତ୍ୟାଭିମାନ ଥିଲା । ତାଙ୍କଦ୍ୱାରା ରଚିତ ‘ଓଡ଼ିଶା ଓ ଓଡ଼ିଆ’ ଗ୍ରନ୍ଥ ଏହାର ପ୍ରକୃଷ୍ଟ ପ୍ରମାଣ ଦିଏ । ଛାତ୍ରଜୀବନରୁ ଆରମ୍ଭକରି ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ତାଙ୍କ ହାତରୁ ଲେଖନୀ ବାଦ୍ ପଡ଼ିନଥିଲା ।

 

ଚିତ୍ତରଂଜନ ଦାସ ଏକାଧାରରେ ଥିଲେ ଜଣେ ବିଶିଷ୍ଟ ଶିକ୍ଷାବିତ୍‌, ଶ୍ରେଷ୍ଠ ଚିନ୍ତାନାୟକ, ଅନବିଦ୍ୟ ସାହିତ୍ୟଶିଳ୍ପୀ, ସମୟୋପଯୋଗୀ ସ୍ତମ୍ଭକାର, ନିଛକ ଅନୁବାଦକ, ସମାଜତତ୍ତ୍ୱବିତ୍‌, ମାନବବିଜ୍ଞାନୀ, ଭ୍ରମଣକାହାଣୀର ରଚିୟିତା ଏବଂ ମହାନୁଭବ ମଣିଷ । ତାଙ୍କର ଜୀବନ ଥିଲା ବିଦ୍ୟାଳୟଟିଏ ଏବଂ ସେହି ବିଦ୍ୟାଳୟର ଏକମାତ୍ର ଶିକ୍ଷକ ଥିଲେ ଚିତ୍ତରଂଜନ । ସେ ବହୁପାଠୀ ଓ ବହୁଭାଷୀ ଥିଲେ । ଛାତ୍ରଜୀବନରୁ ଶିକ୍ଷକଟିଏ ହେବାର ସ୍ପପ୍ନ ଦେଖିଥିଲେ । ଦେଶ ବିଦେଶରୁ ଶିକ୍ଷାଲାଭକରି ତାକୁ ଶିକ୍ଷକ ହେବାପରେ କାର୍ଯ୍ୟରେ ଲଗାଇଲେ । ତାଙ୍କ ସାହିତ୍ୟ ସୃଷ୍ଟିର ମୂଳଥିଲା ମଣିଷ । ସେ ଦେଶର ହେଉ, ବିଦେଶର ହେଉ ଅଥବା ଯେଉଁ ବର୍ଗର ହେଉ ପଛେ କିଛି ଆପତ୍ତି ନ ଥିଲା । ବରଂ ଅନୁନ୍ନତ ଓ ନୀଚଜାତିର ମଣିଷକୁ ସେ ଅଧିକ ପସନ୍ଦ କରୁଥିଲେ । ସେଥିପାଇଁ ଭୀମଭୋଇ ଓ ପଞ୍ଚସଖାଙ୍କ ସାହିତ୍ୟକୁ ସେ ଅଧିକ ଗୁରୁତ୍ୱ ଦେଉଥିଲେ ଆଲୋଚନା ମଧ୍ୟ କରିଥିଲେ । ତାଙ୍କ ରଚନା ମଧ୍ୟରେ ନ ଥିଲା କାବ୍ୟ, ଗଳ୍ପ, ନାଟକ, ଉପନ୍ୟାସ ବା କଳ୍ପନାଧର୍ମୀ ରସରଙ୍ଗର କବିତାର ଧାରା । ପ୍ରବନ୍ଧ ଓ ସମାଲୋଚନା ଲେଖିବାରେ ତାଙ୍କର ପ୍ରବଳ ଆଗ୍ରହ ଥିଲା-। ସେ କେତେ ଯେ ପ୍ରବନ୍ଧ ଲେଖିଯାଇଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ଥିର କରାଯାଇ ପାରିନାହିଁ । ସମାଜ, ଧର୍ମ, ରାଜନୀତି, କଳା, ଇତିହାସ, ସଂସ୍କୃତି, ଦର୍ଶନ, ମନସ୍ତତ୍ତ୍ୱ, ନୃତତ୍ତ୍ୱ, ଶିକ୍ଷା, ସଭ୍ୟତା, ଯୋଗ, ନାରୀ ଆଦି ବହୁବିଧ ପ୍ରସଙ୍ଗ ତାଙ୍କ ପ୍ରବନ୍ଧ ମାଧ୍ୟମରେ ସ୍ଥାନପାଇଛି । ସେ ଏପରି କୌଣସି ଗୋଟିଏ ବିଷୟ ପ୍ରବନ୍ଧରେ ଛାଡ଼ିଯାଇ ନାହାନ୍ତି, ଯେଉଁଥିପାଇଁ ଆମେ ତାଙ୍କୁ ଦୋଷାରୋପ କରିପାରିବା ।

 

ଚିତ୍ତରଂଜନ ଦୀର୍ଘଦିନର ସାହିତ୍ୟ ସାଧନାଭିତରେ କେବେ କ୍ଳାନ୍ତି ଅନୁଭବ କରିନାହାନ୍ତି-। ଥକି ବି ପଡ଼ିନାହାନ୍ତି । ସାହିତ୍ୟକୁ ଜୀବନରେ କାମରେ ଲଗାଇବା ପାଇଁ ସେ ସର୍ବଦା ପରାମର୍ଶ ଦେଇ ଆସିଛନ୍ତି । ସେ ଥିଲେ ଅଜସ୍ରଶ୍ରାବୀ ଓ ଅନ୍ତର୍ଗଳ ବକ୍ତା । ଜୀବନରେ ଗାନ୍ଧିଜୀ, ରବୀନ୍ଦ୍ରନାଥ ଓ ଶ୍ରୀଅରବିନ୍ଦ ଏହି ତିନି ଜଣଙ୍କୁ ଆଦର୍ଶ ମନେକରୁଥିଲେ । ସେମାନଙ୍କ ଚିନ୍ତାଚେତନାଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିବା କଥା ସେ ତାଙ୍କ ଆତ୍ମଜୀବନୀ ‘ମିତ୍ରସ୍ୟ ଚକ୍ଷୁସା’ରେ ବହୁବାର କହିଛନ୍ତି । ଅବଶ୍ୟ ବିଦେଶରେ ଅଧ୍ୟୟନ ଏବଂ ଅଧ୍ୟାପନା ସମୟର ତାଙ୍କର ବହୁ ବ୍ୟକ୍ତି ଏବଂ ପରିବାର ସହିତ ଆତ୍ମୀୟତା ବଢ଼ିଯାଇଥିଲା । ତେଣୁ ସମଗ୍ର ପୃଥିବୀର ମଣିଷକୁ ସେ ଏକ ମନେକଲେ ଏବଂ ମଣିଷ ପାଇଁ ହିଁ ତାଙ୍କ ସାହିତ୍ୟର ସୌଧ ଗଢ଼ିଉଠିଲା । ତାଙ୍କ ଲେଖା ମଣିଷ ଭିତରେ ଶକ୍ତିରୂପେ କାର୍ଯ୍ୟକଲା ।

 

ଆଶା ଓ ବିଶ୍ୱାସ ପ୍ରସ୍ତୁତ ଚିତ୍ତରଂଜନ ଦାସ ପୁସ୍ତକଟି ପାଠ୍ୟକୀୟ ସ୍ୱୀକୃତି ଲାଭ କରିବ-

 

ଶ୍ରୀଚରଣ ଦାସ

Image

 

ସୂଚୀପତ୍ର

 

୧.

ଚିତ୍ତରଂଜନ ଜନ୍ମ କାହାଣୀ, ପରିବାର ଓ ଶିକ୍ଷାଲାଭ

୨.

ଉଚ୍ଚଶିକ୍ଷା ପାଇଁ ଚିତ୍ତରଂଜନଙ୍କ ଡେନ୍‍ମାର୍କ ଯାତ୍ରା

୩.

ଜୀବନ ବିଦ୍ୟାଳୟର ଇତିବୃତ୍ତ

୪.

ଆଗ୍ରାର ବିଚ୍‌ପୁରୀ ଗ୍ରାମୀଣ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା

୫.

ପାରିବାରିକ ଜୀବନ

୬.

ଡକ୍ଟର ଚିତ୍ତରଂଜନ ଦାସଙ୍କ ସାରସ୍ୱତ ସୃଷ୍ଟିସମ୍ଭାର

୭.

ଚିତ୍ତରଂଜନଙ୍କ ସୃଷ୍ଟିର ସମ୍ୟକ୍ ଅନୁଶୀଳନ

୮.

ପ୍ରବନ୍ଧ ସାହିତ୍ୟ

୯.

ସମାଲୋଚନା ସାହିତ୍ୟ

୧୦.

ଅନୁଭୂତି ସିଦ୍ଧ ଭ୍ରମଣ କାହାଣୀ

୧୧.

ଚରିତ ସାହିତ୍ୟର ସ୍ରଷ୍ଟା ଚିତ୍ତରଂଜନ

୧୨.

କାଳଜୟୀ ଅନୁବାଦ ସାହିତ୍ୟ

୧୩.

ଚିତ୍ତରଂଜନଙ୍କ ଅନ୍ୟାନ୍ୟ ରଚନାବଳୀ ସମ୍ପର୍କରେ

୧୪.

ଉପସଂହାର

Image

 

ଚିତ୍ତରଂଜନଙ୍କ ଜନ୍ମ କାହାଣୀ, ପରିବାର ଓ ଶିକ୍ଷାଲାଭ

 

ଚିତ୍ତରଂଜନ ଦାସ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକମାନଙ୍କ ମଧ୍ୟରେ ଅନ୍ୟତମ । ସାହିତ୍ୟର ଜଣେ ନିରୋଳା ଗଦ୍ୟଶିଳ୍ପୀ ତଥା ନିଛକ ପ୍ରଜ୍ଞାପୁରୁଷ ଭାବରେ ତାଙ୍କର ଅସାଧାରଣ ପ୍ରତିଭାର ପରିଚୟ ମିଳେ । ସାରାଜୀବନ ଦେଶ ବିଦେଶରେ ଶିକ୍ଷାଲାଭ ଓ ଶିକ୍ଷାଦାନ କରିବା ସହିତ ସାହିତ୍ୟସେବାକୁ ସେ ଜୀବନର ବ୍ରତଭାବରେ ଆପଣେଇ ନେଇଥିଲେ । ତାଙ୍କ ପରି ନିରଳସ ସାଧକ ଓ ନିଷ୍ଠାପର କର୍ମଯୋଗୀ ଓଡ଼ିଶାରେ କମ୍ ଦେଖିବାକୁ ମିଳନ୍ତି । ସେ ଥିଲେ ଏକ ଚଳନ୍ତି ଜ୍ଞାନକୋଷ । ଶିକ୍ଷାର ବହୁ ଉଚ୍ଚ ଶିଖରକୁ ଯାଇଥିଲେ । ଗବେଷଣାରେ ସାରାଜୀବନ ବିତାଇ ଦେଇଥିଲେ । ଶିକ୍ଷାଦାନରେ ଛାତ୍ରମାନଙ୍କ ମନୋରାଜ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ସମସ୍ତଙ୍କ ନିକଟରେ ସେ ଥିଲେ ଅତି ଆପଣାର ଚିତ୍ତଭାଇ । ପଦ, ପଦବୀ, କ୍ଷମତା, ପ୍ରତିଷ୍ଠା ଆଦିକୁ ଉପେକ୍ଷାକରି କେବଳ ବିଶ୍ୱକୁ ପରିବାର ବୋଲି ସେ ଗ୍ରହଣ କରିଥିଲେ ଯାହା ବସୁଧୈବ କୁଟୁମ୍ବକମ୍ ଚିନ୍ତାଧାରାର ଶ୍ରେଷ୍ଠ ପରିଚୟ । ସାମ୍ପ୍ରତିକ ସମୟର ସମସ୍ତ ନୀତି, ନିୟମ, ରୀତି, ସଂସ୍କାର ଓ ସମାଜକୁ ବଦଳାଇ ଆଉ ଏକ ନୂତନ ସମାଜ ଗଠନରେ ସେ ସଦା ପ୍ରୟାସୀ ଥିଲେ । ଭାରତର ମୁକ୍ତି ସଂଗ୍ରାମରେ ଯୋଗଦେଇ କାରାବରଣ କରିଥିଲେ ମଧ୍ୟ ସେ ନ୍ୟାଯ୍ୟଦାବିଠାରୁ ଦୂରେଇ ଯାଇନଥିଲେ । ତାଙ୍କ ଜୀବନ ଥିଲା ତ୍ୟାଗନିଷ୍ଠ ଓ ସାଲିସବିହୀନ ଏବଂ ସେ ଥିଲେ ନିର୍ଭୀକ ଓ ସତ୍ୟବାଦୀ । ଏପରି ଏକ ସମର୍ପିତ ଜୀବନ ଓଡ଼ିଶାର ସାହିତ୍ୟିକ, ଜନସାଧାରଣ ଏବଂ ଶିକ୍ଷିତ ଶ୍ରେଣୀ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି ଓ ରହିବେ ମଧ୍ୟ ।

 

ଚିତ୍ତରଂଜନଙ୍କ ଜନ୍ମ ଓ ଜନ୍ମସ୍ଥାନର ଭୌଗୋଳିକ ପରିଚୟ

 

ଚିତ୍ତରଂଜନ ୧୯୨୩ ମସିହା ଅକ୍ଟୋବର ୩ ତାରିଖରେ ବାଗଲପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶାରେ ବାଗଲପୁର ନାମରେ ଅନେକ ଗାଆଁ ଅଛି । କିନ୍ତୁ ଚିତ୍ତରଂଜନ ଯେଉଁ ବାଗଲପୁରରେ ଜନ୍ମ ହୋଇଥିଲେ ତାହା ଏକ ଇତିହାସ ପ୍ରସିଦ୍ଧ ଗାଆଁ । ଭାରତର ମୁକ୍ତିସଂଗ୍ରାମରେ ଚିତ୍ତରଂଜନଙ୍କ ସମେତ ଏହି ଗ୍ରାମର ପନ୍ଦର ଜଣ ଯୁବକ ଓ ଜଣେ ମହିଳା ଝାସ ଦେଇ କାରାବରଣ କରିଥିଲେ । ଅବିଭକ୍ତ କଟକ ଜିଲ୍ଲା ଏବଂ ସମ୍ପ୍ରତି ଜଗତସିଂହପୁର ଜିଲ୍ଲାର ବିରିଡ଼ି ବ୍ଳକ ଅନ୍ତର୍ଗତ ବାଇଶିମୌଜାର ବାଗଲପୁରକୁ ପ୍ରାୟ ଅନେକ ଲୋକ ଜାଣନ୍ତି । ଦେବୀ ଓ ବିଲୁଆଖାଇ ନଦୀ ପରିବେଷ୍ଟିତ ଏହି ଦ୍ୱୀପାଞ୍ଚଳଟିର ଅତୀତ ଅତି ଭୟଙ୍କର । ଦେବୀ ନଦୀର ଶାଖାନଦୀଭାବେ ବିଲୁଆଖାଇ ଶଙ୍ଖାରିସାହିଠାରୁ ବାହାରି ଉତ୍ତର ପୂର୍ବକୁ ଯାଇ ଘଡ଼ିମୂଳଠାରେ ପୁଣି ଦେବୀନଦୀରେ ମିଶିଛି । ଉଭୟ ନଦୀର ସଂଯୋଗ ଦୀପଟି ହେଲା ବାଇଶିମୌଜା । ଏହି ଦ୍ୱୀପାଞ୍ଚଳରେ ଥିବା ବାଇଶିଟି ଗ୍ରାମ ମଧ୍ୟରୁ ପ୍ରମୁଖ ଗ୍ରାମଗୁଡ଼ିକ ହେଲା, ବାଗଲପୁର, ମଇଁନ୍ଦିପୁର, କମଳପୁର, ଡିହସାଇବୀର, ବାରଡ଼ିଆ, ବାସନ୍ଦରା, ବମ୍ବିଲୋ, ଚାଷୀଖଣ୍ଡ, ମଙ୍ଗୁଲି, ପାର୍ବତୀପୁର, ପୁରଣ ଓ ଉକୁନ୍ଦରା । ଅତୀତରେ ଏହି ଅଞ୍ଚଳକୁ ଗମନାଗମନର ସୁବିଧା ଆଦୌ ନ ଥିଲା । ଖରାଦିନେ ନଦୀ ଭିତରେ କଷ୍ଟେମଷ୍ଟେ ପାର ହୋଇ ବାଇଶିମୌଜାର ବିଭିନ୍ନ ଗ୍ରାମର ଲୋକମାନେ ବାହରକୁ ଯାଇପାରୁଥିଲେ । ଲୋକମୁଖରୁ ଶୁଣାଯାଏ, ବର୍ଷାଦିନେ ନଦୀର ବନ୍ୟା ଓ ପାଣି କାଦୁଅକୁ ଡରି ଯମ ଏ ଅଞ୍ଚଳକୁ ଆସିବାକୁ ଭୟ କରୁଥିଲା । ବର୍ଷେ ବର୍ଷେ ନଦୀରେ ବନ୍ୟା ଏତେ ଅଧିକ ହେଉଥିଲା ଯେ, ଏହା ଫସଲ ନଷ୍ଟ କରିବା ସହିତ ଘରଦ୍ୱାର ଓ ଗାଈଗୋରୁ ସବୁ ଭସାଇ ନେଉଥିଲା । କିଏ ଯଦି ରୋଗରେ ପଡ଼ୁଥିଲା ଔଷଧ ବିନା ତାଙ୍କୁ ଯମ ନେବା ସହଜ ହୋଇଯାଉଥିଲା । ସେତେବେଳେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାଇଶିମୌଜା ଲୋକମାନଙ୍କ ପାଇଁଥିଲା ସ୍ୱପ୍ନ ପରି । କୌଣସି ଗାଆଁକୁ ଖଣ୍ଡେ ଭଲ କଚ୍ଚା ରାସ୍ତା ବି ନ ଥିଲା । ଅନ୍ୟ ଗ୍ରାମମାନଙ୍କୁ ବର୍ଷାଦିନେ ଗଲାବେଳକୁ କେଉଁଠି ଆଣ୍ଠୁଏ କାଦୁଅ ତ ଅନ୍ୟ କେଉଁଠି ଆଣ୍ଠୁଏ ପାଣି । କେତୋଟି ଗ୍ରାମ ସହିତ ଯୋଗାଯୋଗ ହୋଇପାରୁନଥିଲା । ପ୍ରାଥମିକ ଶିକ୍ଷାକୁ ବାଦଦେଲେ ମାଧ୍ୟମିକ ଓ ଉଚ୍ଚଶିକ୍ଷାପାଇଁ ବାହାରକୁ ଆସିବାକୁ ପଡ଼ୁଥିଲା । ତାହା ପୁଣି ସବୁ ପିଲାଙ୍କ ଭାଗ୍ୟରେ ସମ୍ଭବ ନ ଥିଲା । ଜନସାଧାରଣଙ୍କର ଆର୍ଥିକ ପରିସ୍ଥିତି କଥା ନ କହିବା ଭଲ । ଏ ଅଞ୍ଚଳର ଶତକଡ଼ା ନବେଭାଗ ଲୋକ ହେଉଛନ୍ତି କୃଷିଜୀବୀ । ଏଠାରେ କେଉଁ ବର୍ଷ ବଢ଼ିପାଣି ଫସଲ ସଫାକରି ଧୋଇ ନେଲାଣି ତ ଅନ୍ୟ କେଉଁ ବର୍ଷ ମରୁଡ଼ି ଯୋଗୁ ଫସଲ ନଷ୍ଟ । ଚାଷୀକୁଳ ହତାଶ୍‍ । ଏହା ହେଉଛି ଦ୍ୱୀପାଞ୍ଚଳର ଅତୀତର ଚିତ୍ର ।

 

ଚିତ୍ତରଂଜନ ଜନ୍ମ ହୋଇଥିବା ବାଗଲପୁର ଗାଆଁଟି ବିଲୁଆଖାଇ ନଦୀକୂଳରେ ଅବସ୍ଥିତ-। ଗ୍ରାମର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ । ବର୍ତ୍ତମାନ ଶିକ୍ଷା ଦୃଷ୍ଟିରୁ ଏହି ଗ୍ରାମ କେବଳ ବାଇଶିମୌଜାରେ ନୁହେଁ ସମଗ୍ର ଜଗତ୍‌ସିଂହପୁର ଜିଲ୍ଲାରେ ପ୍ରଥମସ୍ଥାନ ଅଧିକାର କରିଛି କହିଲେ ଭୁଲ ହେବ ନାହିଁ । ଚିତ୍ତରଂଜନ ଦାସଙ୍କର ଜନ୍ମ ହୁଏ ଗୋଟିଏ ଏକାନ୍ନବର୍ତ୍ତୀ ପରିବାରରେ-। ତାଙ୍କ ପିତାଙ୍କ ନାମ ଖୁସାଲି ଚରଣ ଦାସ ଓ ମାଆ ଥିଲେ ହାରାମଣି ଦେବୀ । ମା’ ହାରାମଣୀ ଶାନ୍ତ, ସରଳ ଓ ପ୍ରଗାଢ଼ ଈଶ୍ୱରବିଶ୍ୱାସୀ । ବାପା ଖୁସାଲି ଚରଣ ତିନିଭାଇ ମଧ୍ୟରେ ସବା ସାନ ଥିଲେ । ଖୁବ୍‍ ଡେଙ୍ଗା ଏବଂ ଭଲ ଚାଷୀ ଥିଲେ । ସେ ଗାଆଁରେ ମଧ୍ୟ ମାମଲତକାର ଥିଲେ । ଗାଆଁ ନିଶାପରେ ବସୁଥିଲେ । ଗାଆଁ ଠାକୁର ଦଧିବାମନଙ୍କ ଦେଉଳ ଅଗଣାରେ ଯେତେବେଳେ ଗାଆଁର ହାନିଲାଭ କଥା ପଡ଼ୁଥିଲା ଚିତ୍ତରଂଜନଙ୍କ ବାପା ସେଠାରେ ଉପସ୍ଥିତ ରହୁଥିଲେ । ଅନ୍ୟ ଆଖପାଖ ଗାଆଁମାନଙ୍କରେ କଳହ ଓ ମନାନ୍ତରମାନ ମେଣ୍ଟାଇବାଲଗି ଖୁସାଲି ଚରଣଙ୍କ ପାଖକୁ ଡକରା ଆସୁଥିଲା । ଖୁସାଲିବାବୁଙ୍କୁ ଅନ୍ୟମାନଙ୍କର ଏତେ ଭୟ ଯେ ସେ ଗୋଟିଏ ପାଟି କଲେ ସବୁ ଅଡ଼ୁଆ ତୁଟିଯାଉଥିଲା, କଳହର ବି ମୀମାଂସା ହୋଇ ଯାଉଥିଲା । ତାଙ୍କର ଅନ୍ୟ ଦୁଇ ବଡ଼ ଭାଇ ବନ୍ଦୋବସ୍ତରେ ଚାକିରୀ କରୁଥିଲେ । ଯାହା ପଇସା ପଠାଉଥିଲେ ଖୁସାଲି ବାବୁ ସେହି ଅର୍ଥରେ ଜମି କିଣୁଥିଲେ । ଖୁସାଲିଙ୍କର ପୈତୃକ ସମ୍ପତ୍ତି ଖୁବ କମ୍ ଥିଲା । କିନ୍ତୁ ସେ ଚାଷ ପାଇଁ ଏତେ ଆଗ୍ରହୀ ଥିଲେ ଯେ ପ୍ରାୟ ବାଟିଏ ପାଖାପାଖି ଜମି କିଣିଥିଲେ । ପୂର୍ବର ଆର୍ଥିକ ଅନଟନ ଦୂର ହୋଇଯାଇଥିଲା । ଫଳରେ ସବୁ ଭାଇଙ୍କର ପିଲାମାନେ ଶିକ୍ଷାଲାଭ କରି ଉଚ୍ଚ ଶିକ୍ଷିତ ହେବାର ସୁଯୋଗ ପାଇଲେ । ସେତେବେଳେ ଗ୍ରାମମାନଙ୍କରେ ରହିବାପାଇଁ ଲୋକମାନେ ଭଲ ପାଉଥିଲେ-। ଗ୍ରାମରେ ଅଧିକ ଜମି କିଣି ଭଲଚାଷ କରିବାରେ ସେମାଙ୍କର ଭିତରେ ପ୍ରତିଦ୍ୱନ୍ଦ୍ୱିତା ଚାଲୁଥିଲା ।

 

ଚିତ୍ତରଂଜନଙ୍କର ନାମ କରଣ ଥିଲା ଅତି ରହସ୍ୟମୟ । ଗାଆଁକୁ ସେଦିନ ନାଟଦଳ ଆସିଥାନ୍ତି ଯାତ୍ରା କରିବାପାଇଁ । ଯାତ୍ରା ଦେଖିବାକୁ ପରିବାରର ଅଧିକାଂଶ ଲୋକ ଚାଲିଯାଇଥିଲେ-। ଦୋଳମଣ୍ଡପ ପାଖରେ ଗାଆଁଗୋଟାକର ଲୋକ ରୁଣ୍ଡୀଭୂତ । ଏଣେ ଚିତ୍ତରଂଜନଙ୍କ ଘରେ ଥାନ୍ତି ମାତ୍ର ଦୁଇଜଣ ପ୍ରସବ ବେଦନା ଭୋଗୁଥିବା ମାଆ । ହାରାମଣୀ ଦେବୀ ଏବଂ ତାଙ୍କ ପାଖରେ ଉପସ୍ଥିତ ଥାଆନ୍ତି ବଡ଼ ମାଆ ଅର୍ଦ୍ଧରାତ୍ର ପରେ ଚିତ୍ତରଂଜନ ଜନ୍ମ ହୁଅନ୍ତି । ପୁଅ ହେବାମାତ୍ରେ ବଡ଼ମାଆ ଖୁସି ହୋଇ ଦାଣ୍ଡକୁ ଦୌଡ଼ିଆସି ପୁଅ ହେବାର ଶୁଭ ଖବର ଦିଅନ୍ତି । ଗାଆଁ ଗୋଟାକର ଲୋକେ ଯାତ୍ରାର ଆନନ୍ଦ ଭିତରେ ବୁଡ଼ି ରହିଥିବାବେଳେ ଅର୍ଦ୍ଧରାତ୍ର ଅନ୍ତେ ତାଙ୍କର ଜନ୍ମ ହୋଇଥିବାରୁ ବଡ଼ବାପାଙ୍କର କଥା ଅନୁସାରେ ତାଙ୍କର ନାଆଁ ଦିଆଯାଇଥିଲା ଚିତ୍ତରଂଜନ । ସେ ମାଆଙ୍କ ରାଶିନେଇ ଜନ୍ମ ଗ୍ରହଣ କରିଥିଲେ । ଆମମାନଙ୍କର ଭିତରେ ଗୋଟିଏ ବିଶ୍ୱାସ ରହିଛି ଯେ, ପୁଅ ମାଆ ରାଶିରେ ଏବଂ ଝିଅ ବାପା ରାଶିରେ ଜନ୍ମହେଲେ ବଡ଼ମଣିଷ ହୁଅନ୍ତି । ତାହାହିଁ ଚିତ୍ତରଂଜନଙ୍କ ଜୀବନରେ ପ୍ରମାଣିତ ହୋଇଛି ।

 

ବଡ଼ବାପାଙ୍କ ଦିଆ ନାମର ସାର୍ଥକତା ପ୍ରତିପାଦନ କରିବାରେ ଚିତ୍ତରଂଜନ ଜୀବନ ବ୍ୟାପୀ କେବେ କାର୍ପଣ୍ୟ କରିନାହାନ୍ତି । ପିତା ଖୁସାଲି ଚରଣଙ୍କର ପାଞ୍ଚପୁଅ ଓ ତିନି ଝିଅ ଥିଲେ । ଏମାନଙ୍କ ମଧ୍ୟରେ ଚିତ୍ତରଂଜନ ବାଲ୍ୟବସ୍ଥାରୁ ଥିଲେ ନିଆରା ସ୍ୱଭାବର । ସମ୍ପୂର୍ଣ୍ଣ ସ୍ୱାଧିନଚେତା । ତାଙ୍କର କାର୍ଯ୍ୟଶୈଳୀ ଓ ଜୀବନଧାରା ଅନ୍ୟମାନଙ୍କ ପାଇଁ ଶିକ୍ଷଣୀୟ ଥିଲା । ଶ୍ରୀଚରଣ ଦାସ ତାଙ୍କ ବଡ଼ଭାଇ ଥିଲେ; କିନ୍ତୁ ବଡ଼ବାପାଙ୍କର ଏକମାତ୍ର ପୁତ୍ର କାହ୍ନୁଚରଣ ଦାସ ସମସ୍ତଙ୍କଠାରୁ ବର୍ଷୀୟାନ ଥିବାରୁ ପରିବାରର ସବୁ ପୁଅ ଝିଅ ତାଙ୍କୁ ବଡ଼ଭାଇର ସମ୍ମାନ ଦେଉଥିଲେ । ତାଙ୍କ ପ୍ରତି ସମସ୍ତଙ୍କ ମନରେ ଭୟ ଓ ଭକ୍ତି ଭରି ରହୁଥିଲା । କେହି କେବେ ତାଙ୍କ କଥାକୁ ଅମାନ୍ୟ କରୁନଥିଲେ । ବାପାଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ, ଭାଇଭାଉଜଙ୍କ ସ୍ନେହ. ସାଇପଡ଼ିଶାଙ୍କ ଆଦର ଏବଂ ସର୍ବୋପରି ବାଗଲପୁରର ସୌହାର୍ଦ୍ଦପୂର୍ଣ୍ଣ, ଶାନ୍ତ ଓ ସୌନ୍ଦଯ୍ୟମୟୀ ପ୍ରକୃତି ତାଙ୍କ ଶୈଶବକୁ ଯଥେଷ୍ଟ ପ୍ରଭାବିତ କରିଥିଲା । ଚିତ୍ତରଂଜନ ନିଜଗ୍ରାମ ପ୍ରାଇମେରୀ ସ୍କୁଲରୁ ପାଠପଢ଼ା ଶେଷକରି ପୁନଙ୍ଗ ସ୍କୁଲରେ ଉଚ୍ଚ ପ୍ରାଥମିକ ଶିକ୍ଷାଲାଭ କଲେ । ସେତେବେଳେ ତାଙ୍କ ପରିବାରର ବଡ଼ଭାଇ କାହ୍ନୁଚରଣ ଦାସ କଟକରେ ସରକାରୀ ଚାକିରୀ କରୁଥାଆନ୍ତି । ଘରର ଅନେକ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତଥାଏ । ପୁନଙ୍ଗରେ ଉଚ୍ଚପ୍ରାଥମିକ ଶିକ୍ଷା ଶେଷ ହୁଅନ୍ତେ ବାପା ଖୁସାଲି ଚରଣ ଚିତ୍ତରଂଜନଙ୍କୁ ଗାଆଁ ସ୍କୁଲକୁ ନେଇଆସିଲେ ଏବଂ ବାଗଲପୁର ମାଇନର ସ୍କୁଲରେ ଷଷ୍ଠ ଶ୍ରେଣୀରେ ତାଙ୍କ ନାମଲେଖାଗଲା । ବଡ଼ଭାଇ କାହ୍ନୁଚରଣଙ୍କ କଡ଼ା ନିର୍ଦ୍ଦେଶ; ଚିତ୍ତ ଘରେ ରହିପାରିବନି । ସେ କଟକରେ ହଷ୍ଟେଲରେ ରହି ପାଠପଢ଼ିବ ତାହାହିଁ ହେଲା । ଗ୍ରାମସ୍କୁଲରୁ ଷଷ୍ଠ ଶ୍ରେଣୀ ପାଶ୍ କରିବାପରେ ଚିତ୍ତରଂଜନଙ୍କର ରାଣୀହାଟ ସ୍କୁଲକୁ ସ୍ଥାନାନ୍ତର ହେଲା । ଏଠାରେ ପ୍ରଥମେ ସ୍କୁଲର ସୁଯୋଗ୍ୟ ଶିକ୍ଷକ ବାଞ୍ଚାନିଧି ଶତପଥିଙ୍କ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ଗଢ଼ିଉଠିଥିଲା । ଖୁବ୍ କମ୍ ବୟସରୁ ଜୀବନ ଜଗତ୍ ଓ ଶିକ୍ଷା ସମ୍ପର୍କରେ ସେ ଯଥେଷ୍ଟ ଧାରଣା ବାଞ୍ଚାନିଧିଙ୍କଠାରୁ ଲାଭ କରିଥିଲେ ଯାହା ତାଙ୍କ ଭବିଷ୍ୟତ ଜୀବନର ସର୍ବାଙ୍ଗୀନ ଉନ୍ନତି ପାଇଁ ଥିଲା ପ୍ରଚ୍ଛନ୍ନ ଆଶୀର୍ବାଦ । ଚିତ୍ତରଂଜନଙ୍କ ଶୈଶବକୁ ସରସ ସୁନ୍ଦର କରି ଗଢ଼ିବାରେ ଗୌରାଙ୍ଗ ଦାସଙ୍କର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ ତାଙ୍କୁ ଆଙ୍ଗୁଠି ଧରି ନୂଆ ନୂଆ ବାଟରେ ଚାଲିବା ଶିଖାଇ ଥିଲେ । ଗୌରାଙ୍ଗ ଚରଣ ଦାସ ଗୌରୀ ଭାଇ ଭାବରେ ପରିଚିତ ଥିଲେ । ବାଗଲପୁର ଗ୍ରାମର ଅନ୍ୟତମ ସୁଯୋଗ୍ୟ ସନ୍ତାନ ଗୌରାଙ୍ଗ ଚରଣ ଏକାଧାରରେ ଥିଲେ ସମାଜସେବୀ, ସ୍ୱାଧୀନତା ସଂଗ୍ରାମୀ, ସ୍ୱାଧୀନଚେତା ଓ ଗାନ୍ଧିବାଦୀ ନେତା । ୧୯୪୬ ମସିହାରେ ବାଗଲପୁର ଗାଆଁର ଆରାଧ୍ୟ ଦଧିବାମନ ମନ୍ଦିରରେ ହରିଜନ ପ୍ରବେଶରେ ସେ ଯେଉଁ ପ୍ରୟାସ କରିଥିଲେ, ସେଥିପାଇଁ ଶୋଭାଯାତ୍ରା ଓ ପ୍ରଚାର ପତ୍ରର ଦାୟିତ୍ୱ ବହନ କରିଥିଲେ ଚିତ୍ତରଂଜନ । ତେଣୁ ଖୁବ୍ କମ୍ ବୟସରୁ ତାଙ୍କ ମନଭିତରୁ ଜାତିଭେଦର ସଂକୀର୍ଣ୍ଣଭାବନା ଏବଂ ଧର୍ମବର୍ଣ୍ଣର ପାଚେରୀର ମୂଳ ଭାଙ୍ଗି ପଡ଼ିଥିଲା । ଚିତ୍ତରଂଜନ ଖୁବ୍ ଶାନ୍ତ, ସରଳ, ସାଦାସିଧା କିନ୍ତୁ ପ୍ରଶସ୍ତମନା ଓ ବାସ୍ତବବାଦୀ । ଚିତ୍ତରଂଜନ ଦାସ ମାଇନର ପାଶ୍‍ କରିବାପରେ ମାଟ୍ରିକ ପଢ଼ିବାପାଇଁ ରେଭେନ୍‍ସା କଲିଜିଏଟ୍ ସ୍କୁଲରେ ନାମ ଲେଖାଇଥିଲେ । ଏହି ସମୟରୁ ସାହିତ୍ୟପ୍ରତି ତାଙ୍କର ଅହେତୁକ ଆକର୍ଷଣ ସୃଷ୍ଟି ହୋଇଥିଲା । ସେତେବେଳେ ଶିକ୍ଷକମାନେ ଥିଲେ ଆଦର୍ଶସ୍ଥାନୀୟ । ସେମାନେ କେବଳ ଛାତ୍ରର ଅଭିଭାବକ ନ ଥିଲେ, ଥିଲେ ଅତ୍ୟନ୍ତ ଆପାଣାର ମିତ୍ର ଓ ସୁହୃଦ୍‍ । ପିଲାମାନଙ୍କୁ କେବଳ ପୁସ୍ତକଭିତ୍ତିକ ପାଠ ନ ପଢ଼ାଇ ମୂଲ୍ୟବୋଧଭିତ୍ତିକ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରୁଥିଲେ । ଫଳରେ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଗୋଟିଏ ଗୋଟିଏ ଭଲ ମଣିଷ ହେବାର ପ୍ରୟାସ ଜାରି ରଖୁଥିଲେ । ଚିତ୍ତରଂଜନ ଥିଲେ ଖୁବ୍ ପାଠମନସ୍କ । ହାଇସ୍କୁଲରେ ଅଧ୍ୟୟନ ସମୟରେ ସେ ଶିକ୍ଷକମାନଙ୍କ ପାଠପଢ଼ାକୁ ଆଗ୍ରହର ସହିତ ଶୁଣୁଥିଲେ । ସେତେବେଳେ ରେଭେନ୍‍ସା କଲିଜିଏଟ୍ ସ୍କୁଲର ଇଂରାଜୀ ଶିକ୍ଷକ ଥାଆନ୍ତି ଅଧିରାଜ ମୋହନ ସେନାପତି । ସେ ଜଣେ ଦକ୍ଷ, ଆଦର୍ଶ ଏବଂ ନୀତିନିଷ୍ଠ ଶିକ୍ଷକ ଥିଲେ । ସେ ପାଠ ପଢ଼ାଇଲାବେଳେ ପିଲାମାନେ ଶ୍ରେଣୀରେ ଅନ୍ୟ ସବୁକଥା ଭୁଲି ଯାଉଥିଲେ । ଶେଣୀରେ ପଢ଼ାଯାଇଥିବା ଦୁଇଟି ବିଷୟ ସକ୍ରେଟିସ୍ ଏବଂ ସେକ୍‍ସପିଅରଙ୍କର “ଦି ମର୍ଚ୍ଚାଣ୍ଟ ଅଫ୍‍ ଭେନିସ” ନାଟକରୁ କଥାବସ୍ତୁ ନେଇ ଲେଖାଯାଇଥିବା ଅନ୍ୟ ଗୋଟିଏ ବିଷୟ ଚିତ୍ତବାବୁଙ୍କ ମନରେ ଗଭୀର ରେଖାପାତ କରିଥିଲା । ବିଷୟ ଦୁଇଟିକୁ ପଢ଼ାଇସାରିବାପରେ ସେହି ଶ୍ରେଣୀରେ ଶ୍ରୀ ସେନାପତି ପିଲାମାନଙ୍କଦ୍ୱାରା ତାକୁ ଇଂରେଜୀରେ ଅଭିନୀତ କରାଇଥିଲେ । ଚିତ୍ତବାବୁ ମଧ୍ୟ ସେଥିରେ ଅଂଶ ଗ୍ରହଣ କରିଥିଲେ । ସକ୍ରେଟିସ୍ ସମ୍ପର୍କିତ ନାଟ୍ୟାଭିନୟଟି ଚିତ୍ତବାବୁଙ୍କ ଚିତ୍ତସ୍ପର୍ଶ କଲା । ବନ୍ଦୀଶାଳାରେ ସକ୍ରେଟିସ୍‌ଙ୍କ ବିଚାର ହୋଇ ତାଙ୍କୁ ମୃତ୍ୟୁଦଣ୍ଡର ହୁକୁମ ହୋଇଥିଲା ଏବଂ ସେ ବିଷପାନକରି ସୁସ୍ଥ ଚିତ୍ତରେ ମୃତ୍ୟୁବରଣ କରିଥିଲେ । ଅଭିନୟ କରିବା ସମୟରେ ଏହି ପ୍ରସଙ୍ଗଟି ତାଙ୍କୁ ଏତେ ଅଭିଭୂତ କରିଦେଇଥିଲା ଯେ, ସେ ପରେ ଘରକୁ ଯାଇ ଓଡ଼ିଆରେ ସକ୍ରେଟିସ୍‍ ବୋଲି ଲେଖାଟିଏ ଲେଖିଲେ ଏବଂ ଲେଖାଟି ଆଣି ସାର୍‌ଙ୍କୁ ଦେଲେ । ତାହା କଲିଜିଏଟ୍ ସ୍କୁଲ ପତ୍ରିକା ‘ଛାତ୍ରବନ୍ଧୁ’ରେ ପ୍ରକାଶ ପାଇଥିଲା । ଛାପା ଅକ୍ଷରରେ ପ୍ରକାଶ ପାଇଥିବା ଲେଖାଟି ତ ଥିଲା ତାଙ୍କର ସର୍ବପ୍ରଥମ ଲେଖା । ରେଭେନ୍‍ସା କଲିଜିଏଟ୍‍ ସ୍କୁଲର ସବୁ ଶିକ୍ଷକ ଯେପରି ତାଙ୍କ ପାଇଁ ଥିଲେ ଗୋଟିଏ ଗୋଟିଏ ଆଦର୍ଶ ପାଠ୍ୟପୁସ୍ତକ ପରି । ସେତେବେଳେ ଓଡ଼ିଶାର ହାଇସ୍କୁଲଗୁଡ଼ିକ ପାଟଣା ବିଶ୍ୱବିଦ୍ୟାଳୟ ଅଧୀନରେ ଥିଲା । ଓଡ଼ିଶା ଯଦିଓ ସେତେବେଳକୁ ସ୍ୱତନ୍ତ୍ର ପ୍ରଦେଶ ହୋଇସାରିଥିଲା; ମାତ୍ର ଶିକ୍ଷାରେ ସ୍ୱତନ୍ତ୍ର ହୋଇନଥିଲା । ତେଣୁ ପାଠ୍ୟପୁସ୍ତକ ଓ ପ୍ରଶ୍ନମାନ ପାଟଣାରୁ ଆସୁଥିଲା । ସେତେବେଳେ ପ୍ରାୟ ଟିଉସନ ନ ଥିଲା । କୋଚିଙ୍ଗ୍‍ ସେଣ୍ଟର ତ ଦୂରର କଥା, ପାଠ୍ୟପୁସ୍ତକର ସାଥି ଅଥବା ସହଚର ବି ଲେଖାଯାଉନଥିଲା । ତେଣୁ ପିଲାମାନେ ମୁଖ୍ୟତଃ ଶ୍ରେଣୀର ପାଠ୍ୟପୁସ୍ତକ ଏବଂ ଶିକ୍ଷକମାନଙ୍କର ଶ୍ରେଣୀର ପାଠ ଉପରେ ଅଧିକ ପରିମାଣରେ ନିର୍ଭର କରୁଥିଲେ । ବାଲ୍ୟାବସ୍ଥାରୁ ଚିତ୍ତରଂଜନ ଦାସ ଥିଲେ ମେଧାବୀ । ସେତେ ଯେପରି ସରସ୍ୱତୀଙ୍କ ବରପୁତ୍ର ଓ ଗଣେଶଙ୍କ ମାନସ ସନ୍ତାନ । ପାଠ ତାଙ୍କର ପୋଷା ମାନିଯାଇଥିଲା । ଶିକ୍ଷାଲାଭର ପ୍ରତିଟି ସୋପାନରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବୃତ୍ତି ପାଉଥିଲେ ।

 

ଶିକ୍ଷାଲାଭ ସମୟରେ ସଂଗ୍ରାମରେ ଅଂଶ ଗ୍ରହଣ ବନ୍ଦୀ ଓ ଜେଲ ଜୀବନ

 

ଚିତ୍ତରଂଜନ ଦାସଙ୍କର ସଂଗ୍ରାମୀ ଜୀବନର ମୂଳଦୁଆ ଛାତ୍ରାବସ୍ଥାରୁ ହିଁ ପଡ଼ିଥିଲା । ସେ ନବମ ଶ୍ରେଣୀରେ ପାଠପଢ଼ୁଥିବା ସମୟରେ ପୁରୀ ଜିଲ୍ଲା ଡେଲାଙ୍ଗଠାରେ ଗାନ୍ଧୀସେବାସଂଘର ଅଖିଳ ଭାରତୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଚିତ୍ତରଂଜନ ଜଣେ ଛାତ୍ରବନ୍ଧୁଙ୍କ ସାଇକେଲରେ ବସି ସେଠାକୁ ଯାଇଥିଲେ । ସେଠାକୁ ମହାତ୍ମାଗାନ୍ଧୀଙ୍କ ସମେତ ଭାରତୀୟ ଜାତି ମୁକ୍ତି ଆନ୍ଦୋଳନରେ ଅନେକ ନେତା ଆସି ଯୋଗଦେଇଥିଲେ । ସେମାନେ ଦେଉଥିବା ହିନ୍ଦୀ ଭାଷାର ଭାଷଣକୁ ଯଦିଓ ଚିତ୍ତଭାଇ ବୁଝି ପାରୁନଥିଲେ କିନ୍ତୁ ବକ୍ତୃତାର ଶବ୍ଦଲହରୀ ତାଙ୍କ କାନରେ ବାଜି ବେଶ୍ ପୁଲକିତ କରି ଦେଉଥିଲା । ବିଭିନ୍ନ ସମୟରେ ଛାତ୍ରନେତାମାନେ ସ୍କୁଲକୁ ଆସି ଯେଉଁ ଆବେଗପୂର୍ଣ୍ଣ ଭାଷଣ ଦେଉଥିଲେ ତାହା ଚିତ୍ତରଂଜନଙ୍କ ଦେହର ମଞ୍ଜକୁ ପ୍ରକମ୍ପିତ କରୁଥିଲା । ୧୯୩୯ ମସିହାରେ ସେ ଯେତେବେଳେ ଦଶମ ଶ୍ରେଣୀରେ ପଢ଼ୁଥିଲେ ସେତିକିବେଳେ କଟକ ମେଡ଼ିକାଲ ସ୍କୁଲର ଧର୍ମଘଟକୁ କଟକରେ ଛାତ୍ର ଆନ୍ଦୋଳନ ହୋଇଥିଲା । ତାଙ୍କର ବଡ଼ଭାଇ ସେତେବେଳେ ମେଡ଼ିକାଲ ସ୍କୁଲରେ ପଢ଼ୁଥିଲେ ଏବଂ ସତ୍ୟାଗ୍ରହ କରି ଜେଲଗଲେ । ଚିତ୍ତରଂଜନ ରହୁଥାନ୍ତି ରାମକୃଷ୍ଣ କଟେଜରେ । ଏ କଥା ଶୁଣିବାପରେ ତାଙ୍କର ରକ୍ତଚାପ ବଢ଼ିଗଲା । ସେ ଆଉ ବରଦାସ୍ତ କରିପାରିଲେ ନାହିଁ । ଛାତ୍ର ଆନ୍ଦୋଳନରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରି ଗିରଫ ହେଲେ । କୌଣସି ଏକ ଆନ୍ଦୋଳନରେ ଯୋଗଦେବାରେ ଏହା ଥିଲା ତାଙ୍କର ଜୀବନରେ ସର୍ବପ୍ରଥମ । ସେ ଛାତ୍ରଧର୍ମଘଟରେ ଯୋଗଦେଇଥିବାରୁ ତାଙ୍କ ଶ୍ରେଣୀ ଶିକ୍ଷକ ଷାଣ୍ମାସିକ ପରୀକ୍ଷାରେ ରାଗ ରଖି ତାଙ୍କୁ କମ୍ ନମ୍ବର ଦେଇଥିଲେ । ମାଟ୍ରିକ ଶେଷ ପରୀକ୍ଷାରେ ଚିତ୍ତରଂଜନ ନିଶ୍ଚିତ ଭାବରେ ଇଂରେଜୀରେ ଫେଲ ହେବ ବୋଲି ସେ ଶ୍ରେଣୀରେ କେତେଥର ଭବିଷ୍ୟବାଣୀ ଶୁଣାଇଥିଲେ । କିନ୍ତୁ ତାଙ୍କର ସେହି ବର୍ଷ ଓଡ଼ିଶାର ଆଉ ଏକ ସରକାରୀ ସ୍କୁଲକୁ ବଦଳି ହୋଇଗଲା । ଚିତ୍ତରଂଜନଙ୍କ ନବମ ଶ୍ରେଣୀବେଳକୁ ଗୋଟିଏ ବର୍ଷମାତ୍ର ରାମକୃଷ୍ଣ କଟେଜରେ ରହିଥିଲେ । କଲିଜିଏଟ୍ ପିଲାଙ୍କ ବ୍ୟତୀତ କଟକର ଆଉ ତିନୋଟି ସ୍କୁଲର ପିଲାମଧ୍ୟ ଏଠାରେ ରହୁଥିଲେ । ସେଠାରେ ରହୁଥିବା ଉପର ଶ୍ରେଣୀର ଛାତ୍ରମାନଙ୍କ ମଧ୍ୟରେ ବାଗଲପୁରର ଶ୍ରୀ ଗଙ୍ଗାଧର ରଥ ଓ ତିର୍ତ୍ତୋଲର ନିଶାମଣି ଖୁଣ୍ଟିଆଙ୍କ ନାମ ଉଲ୍ଲେଖଯୋଗ୍ୟ । ଚିତ୍ତରଂଜନଙ୍କ ଇଚ୍ଛା ନ ଥିଲେ ମଧ୍ୟ ସେ ରାମକୃଷ୍ଣ କଟେଜର ପ୍ରତିଟି ନିୟମକୁ ମାନୁଥିଲେ । ଏଠାରେ ସଂକୀର୍ଣ୍ଣ ଜାତିଭେଦର ବ୍ୟବସ୍ଥା ପ୍ରତି ସେ ସର୍ବଦା ଭ୍ରୁକୁଞ୍ଚନ କରୁଥିଲେ । ପରିବାରର ବଡ଼ପୁଅ କାହ୍ନୁଚରଣ ଦାସ ଉଚ୍ଚଶିକ୍ଷା ଲାଭ କରିବାପରେ କଟକରେ ଶିକ୍ଷାବିଭାଗର ଇନ୍‍ସପେକ୍ଟରଭାବେ ଅବସ୍ଥାପିତ ହେଲେ । ଚିତ୍ତରଂଜନଙ୍କ ସମେତ ଅନ୍ୟ ସାନଭାଇମାନେ ତାଙ୍କ ପାଖରେ କଟକରେ ରହି ପାଠ ପଢ଼ୁଥାନ୍ତି । ଶ୍ରୀଯୁକ୍ତ ଶରତ ମହାରଣା ଆସି ତାଙ୍କ ପାଖରେ ରହିଲେ । କାହ୍ନୁଚରଣ ଦାସ ଓ ଶରତ ମହାରଣା ଉଭୟଙ୍କ ଚାକିରି ଥିଲା ଶିକ୍ଷା ବିଭାଗରେ । ଭାଉଜ ଘରର ସବୁକଥା ବୁଝୁଥାନ୍ତି । କଟକରେ ଗୋଟିଏ ବଡ଼କୁଟୁମ୍ବକୁ ସମ୍ଭାଳି ନେବାରେ ଭାଉଜଙ୍କର ତ୍ୟାଗ କମ୍ ନ ଥିଲା । ସେ ଜଣେ ଆଦର୍ଶ ନାରୀ ଥିଲେ । ଶରତଚନ୍ଦ୍ର ମହାରଣା ପରେ ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀ ଓ ଶ୍ରୀମତୀ ରମା ଦେବୀଙ୍କର ଜାମାତା ଭାବରେ ପରିଚିତ ହେଲେ । ସେ ଓଡ଼ିଶାରେ ସର୍ବୋଦୟ କୁଟୁମ୍ବର ଥିଲେ ଜଣେ ନେତୃସ୍ଥାନୀୟ ମାନ୍ୟବ୍ୟକ୍ତି । ଚିତ୍ତରଂଜନ ଶରତବାବୁଙ୍କ ପ୍ରତି ବେଶ୍‍ ଆକୃଷ୍ଟ ଥିଲେ । କାରଣ ତାଙ୍କୁ କେତେଆଡ଼ର ବହୁ କଥା କହି ସେ ତାଙ୍କର ଅନୁରାଗକୁ କେତେକୁଆଡ଼େ ନେଇ ଲଗାଇ ଦିଅନ୍ତି । ସେ ଯୁଆଡ଼େ ଗଲେ ଚିତ୍ତରଂଜନଙ୍କ ପାଇଁ ନୂଆ ନୂଆ ବହି କିଣି ଆଣିଥାନ୍ତି-। ସେଥିପାଇଁ ସାରାଜୀବନ ସେ କୃତଜ୍ଞତାର ସହ ଶରତବାବୁଙ୍କୁ ସ୍ମରଣ ରଖିଥିଲେ । ପ୍ରାଥମିକ ସ୍ତରରୁ ଚିତ୍ତରଂଜନ ବିଭିନ୍ନ ପୁସ୍ତକପାଠ ପ୍ରତି ଆକର୍ଷିତ ଥିଲେ ।

 

ଚିତ୍ତରଂଜନ ଦାସ ୧୯୪୧ମସିହାରେ ମାଟ୍ରିକ୍ ପାଶ୍ କଲେ । ତାଙ୍କର ଇଚ୍ଛାଥିଲା ରେଭେନ୍‍ସା କଲେଜରେ ଦୁଇବର୍ଷ ବିଜ୍ଞାନ ପଢ଼ିସାରିବା ପରେ ମେଡ଼ିକାଲ ପଢ଼ି ଡାକ୍ତରଟିଏ ହେବେ । ବଡ଼ଭାଇଙ୍କର ଇଚ୍ଛାଥିଲା ଭିନ୍ନ ପ୍ରକାରର । ସେ ଚାହୁଁଥିଲେ ଚିତ୍ତ ଦୁଇବର୍ଷ ବିଜ୍ଞାନ ପଢ଼ାସାରି ଇଞ୍ଜିନୟରିଂ ପଢ଼ିବାପାଇଁ ପାଟନା ନଚେତ କଲିକତା ଯିବେ; କିନ୍ତୁ ଚିତ୍ତରଂଜନ ଏଥିରେ ଅରାଜି ହେଲେ । ତେଣୁ ଶେଷରେ ନିଷ୍ପତ୍ତି ହେଲା ସେ କଳା ବିଭାଗରେ ପାଠପଢ଼ିବେ । ଚିତ୍ତରଂଜନଙ୍କ ଇଚ୍ଛାପୂରଣ ହେଲା ଏବଂ ସେ ରେଭେନ୍‍ସା କଲେଜରେ କଳା ବିଭାଗରେ ନାମ ଲେଖାଇଲେ । ଅବଶ୍ୟ ଗଣିତ ତାଙ୍କ ବିଷୟମାନଙ୍କ ଭିତରେ ରହିଲା । ସେ ରେଭେନ୍‍ସା କଲେଜର ପଶ୍ଚିମ ଛାତ୍ରାବାସରେ ରହୁଥାନ୍ତି । ସେତେବେଳେ ଖୁବ୍ କମ୍ ଝିଅ କଲେଜ ପଢ଼ୁଥିଲେ । କଲେଜ ପ୍ରଥମ ବର୍ଷ ପରୀକ୍ଷାରେ ସେ କଳା ବିଭାଗରେ ପ୍ରଥମ ହୋଇ ଦ୍ୱିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହୋଇଥିଲେ । ପରିବାରରେ ଅନ୍ୟଭାଇମାନଙ୍କ ଅପେକ୍ଷା ବଡ଼ଭାଇ ସ୍ୱତନ୍ତ୍ରଭାବେ ଚିତ୍ତବାବୁଙ୍କଠାରୁ ଅଧିକ ଆଶା କରୁଥିଲେ । ଏହା ପ୍ରକାଶ୍ୟ ଭାବରେ ଚିତ୍ତବାବୁ ଅନେକ ଥର ଶୁଣିଛନ୍ତି । ବଡ଼ଭାଇଙ୍କ ପ୍ରତି ଚିତ୍ତବାବୁଙ୍କର ପିଲାଦିନରୁ ପ୍ରଗାଢ଼ ଅନୁରାଗ ଥିଲା, ଯାହା ତାଙ୍କୁ ପାଠ ଭଲ ଲାଗିବାରେ ଏକ ଉତ୍ସାହପ୍ରଦ ଉତ୍‌ପ୍ରେରକରୂପେ କାର୍ଯ୍ୟ କଲା । ତାଙ୍କର ପରୀକ୍ଷା ଫଳମାନ ଶୁଣି ସେ ସବୁବେଳେ ବହୁତ ଖୁସି ହୋଇଯାଉଥିଲେ ଏବଂ ଚିତ୍ତରଂଜନକୁ ଅନ୍ୟଭାଇମାନଙ୍କ ଆଗରେ ଉଦାହରଣ ଦେଉଥିବାବେଳେ ନିଜେ ଅତ୍ୟନ୍ତ ଉଲ୍ଲାସିତ ଅନୁଭବ କରୁଥିଲେ । ତେଣୁ ଚିତ୍ତରଂଜନଙ୍କର ପାଠପଢ଼ିବା ପ୍ରତି ଆଗ୍ରହ ଦିନକୁ ଦିନ ବଢ଼ି ଚାଲିଲା । ତାଙ୍କ ଗ୍ରାମର ଶ୍ରୀଯୁକ୍ତ ଗଙ୍ଗାଧର ରଥ ଯିଏ ପରେ ବୃତ୍ତିରେ ଆଇନଜୀବୀ ଏବଂ କେତଥର ଆଡ଼ଭୋକେଟ ଜେନେରାଲ ହେଲେ ସେ ଚିତ୍ତଭାଇଙ୍କର ଗୋଟିଏ କ୍ଲାସ ଉପରେ ପଢ଼ୁଥିଲେ । ଚିତ୍ତବାବୁ ଯେତେବେଳେ ରେଭେନ୍‍ସା କଲିଜିଏଟ୍‍ ସ୍କୁଲର ହାଇସ୍କୁଲରେ ପଢ଼ୁଥିଲେ ଗଙ୍ଗାଧର ରଥ ମଧ୍ୟ ସେହି କଲିଜିଏଟ୍‍ ସ୍କୁଲରେ ପଢ଼ୁଥାନ୍ତି । ସେ ବି ରାମକୃଷ୍ଣ କଟେଜରେ ରହିଲେ । ୧୯୩୮ ମସିହାରେ ଯେତେବେଳେ ଚିତ୍ତରଂଜନ ସେଠାରେ ଆସି ରହିଲେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବସାବାନ୍ଧିଗଲା । ପୂର୍ବରୁ ସେ ଗ୍ରାମର ମାଇନର ସ୍କୁଲରେ ପଢ଼ିଲାବେଳେ ଗଙ୍ଗାଧର ରଥଙ୍କ ବାପା ଲକ୍ଷ୍ମୀଧର ଶତପଥୀ ସେହି ସ୍କୁଲରେ ଶିକ୍ଷକତା କରୁଥିଲେ । ଚିତ୍ତରଂଜନ ଶ୍ରେଣୀରେ ପ୍ରଥମ ହେଉଥାନ୍ତି । ତେଣୁ ସବୁ ଶିକ୍ଷକଙ୍କର ସେ ଅତି ପ୍ରିୟ ଥିଲେ । ଶତପଥୀ ସାର୍ ତାଙ୍କ ବଡ଼ଭାଇଙ୍କର ବନ୍ଧୁ ଥିବାରୁ ଚିତ୍ତବାବୁ ସ୍କୁଲ ପାଠଗାରରୁ ପଢ଼ିବାକୁ ଚାହୁଁଥିବା ବହିସବୁ ସେ ଆଗ୍ରହର ସହ ଯୋଗାଇ ଦେଉଥିଲେ । ପୁସ୍ତକ ପଠନର ନିଶା ଏଇଠାରୁ ବିଶେଷଭାବେ ତାଙ୍କୁ ଧରିଥିଲା ।

 

ଗଙ୍ଗାଧର ରଥ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟମାନଙ୍କର ସହିତ ସମ୍ପର୍କ ରଖିଥିଲେ ଏବଂ ଚିତ୍ତରଂଜନ ସେଥିପ୍ରତି ପ୍ରଭାବିତ ହେବାର ବାଟ ବତାଇ ଦେଲେ । ସେହିଦିନରୁ ତାଙ୍କର ମନରେ କମ୍ୟୁନିଷ୍ଟବାଦ, ସୋଭିଏତ୍‍ ରୁଷିଆ ଏବଂ କମୁନିଷ୍ଟ ଦର୍ଶନ ବିଷୟରେ ଜାଣିବାକୁ ଉତ୍ସାହ ବଢ଼ିଚାଲିଲା । ଗଙ୍ଗାଧର ରଥଙ୍କଠାରୁ ସେ ଅନେକ କଥା ଶୁଣି ତାଙ୍କ ମନର ଶଙ୍କାମୋଚନ କରୁଥିଲେ । କମୁନିଷ୍ଟପାର୍ଟିର ବରିଷ୍ଠ ନେତା ଶ୍ରୀବିଜୟ ଚନ୍ଦ୍ର ଦାସ ରହୁଥିବା ସ୍ଥାନକୁ ଉଭୟ ଯିବା ଆସିବା କରନ୍ତି । ବିଜୟବାବୁ ତାଙ୍କୁ ମାର୍କ୍‍ସବାଦ ବିଷୟରେ ଖୁବ୍ ଚମତ୍କାର ଭାବରେ କୁହନ୍ତି । ରୁଷିଆ ଓ ଭାରତର କମୁନିଷ୍ଟ ପାର୍ଟିଙ୍କୁ ଚିନ୍ତାଧାରା ବ୍ୟାଖ୍ୟା କରନ୍ତି । ଗଙ୍ଗାଧର ବାବୁ କମୁନିଷ୍ଟ ପାର୍ଟିର ପ୍ରଚାର ପୁସ୍ତିକାମାନ ଆଣି ଚିତ୍ତଭାଇଙ୍କୁ ଦେଉଥିଲେ ଏବଂ ସେ ମଧ୍ୟ ତାଙ୍କୁ ଉତ୍ସାହର ସହ ପଢ଼ୁଥିଲେ । ତାଙ୍କର ଓଡ଼ିଶା କମୁନିଷ୍ଟପାର୍ଟିର ଅନ୍ୟମାନଙ୍କ ସହିତ ଭଲ ପରିଚୟ ଥିଲା । କ୍ରମେ ସଚ୍ଚିରାଉତ ରାୟଙ୍କ ସହିତ ତାଙ୍କର ପରିଚୟ ହେଲା । ପୂର୍ବରୁ ହାଇସ୍କୁଲରେ ସେ ତାଙ୍କର ଅଭିଯାନ, ପଲ୍ଲିଶ୍ରୀ ଓ ବାଜି ରାଉତ ପ୍ରଭୃତି କବିତା ପୁସ୍ତକ ପଢ଼ିଥିଲେ । ତାଙ୍କ ସହିତ ଚିତ୍ତବାବୁଙ୍କୁ ରଥ ମହାଶୟ ସମ୍ପର୍କିତ କରିଦେବା ପରେ ସେ ନିଜକୁ ଭାଗ୍ୟବାନ ମନେକଲେ । କମୁନିଷ୍ଟ ପାର୍ଟିରେ ତାଙ୍କୁ ସାମିଲ କରି ଦିଆଗଲା ଏବଂ ସେ ଛଦ୍ମନାମରେ ପରମାନନ୍ଦରେ ପରିଚିତ ହେଲେ-। ଶ୍ରୀଯୁକ୍ତ ସଚ୍ଚି ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ କିଛି କାର୍ଯ୍ୟ ଦିଆଗଲା ଏବଂ ସେ ଯଥାସମ୍ଭବ ସମ୍ପାଦନ କଲେ । ସେମାନଙ୍କ ସହିତ କାର୍ଯ୍ୟ କରିବା ସମୟରେ ଗାନ୍ଧୀଙ୍କ ବିଷୟରେ ବହୁପୁସ୍ତକ ପଠନର ସୁଯୋଗ ପାଇଲେ । ଗାନ୍ଧୀଙ୍କ ନିଜ ଲେଖାରୁ କିଛି ପଢ଼ିବାପରେ ତାଙ୍କର ଅନୁଭୂତି ପ୍ରଜ୍ଞାଦୀପ୍ତ ହେଲା ।

 

୧୯୪୨ ମସିହାରେ ଭାରତବର୍ଷର ରାଜନୀତିକ ମଣ୍ଡଳ ଖୁବ୍ ଚଳଚଞ୍ଚଳ ହୋଇ ଆସୁଥାଏ । ଭାରତକୁ ପରାଧୀନ କରିଥିବା ବ୍ରିଟିଶ୍‍ ସରକାର ଜାପାନଠାରୁ ଯୁଦ୍ଧରେ ପରାଜୟ ସ୍ୱୀକାର କରିବାରେ ଲାଗିଥାନ୍ତି । ଜାପାନୀ ଜାହାଜ ବେଳେ ବେଳେ ଭାରତର ପୂର୍ବାଞ୍ଚଳରେ ବୋମାବୃଷ୍ଟି କରିବା ଆରମ୍ଭ କରିଦେଇଥାଏ । ବ୍ରିଟିଶ ଶାସନ କ୍ରମଶଃ ହୀନବୀର୍ଯ୍ୟ ହେବାରେ ଲାଗିଲା । ଏଣେ ଭାରତବର୍ଷର ଶେଷ ସ୍ୱାଧୀନତା ଆନ୍ଦୋଳନ ଖୁବ୍ ପାଖେଇ ଆସୁଥାଏ । ଗ୍ରୀଷ୍ମଛୁଟିରେ ଚିତ୍ତରଂଜନ ଗାଆଁକୁ ଆସିଥିଲେ । ଛୁଟି ପରେ ଯେତେବେଳେ ସେ ହଷ୍ଟେଲକୁ ଫେରିଲେ, ସେତେବେଳେ ପ୍ରଥମ ବର୍ଷର ପରୀକ୍ଷାରେ ଭଲ କରିଥିବାରୁ ତାଙ୍କୁ କେବଳ ଜଣେ ରହିପାରିବା କୋଠରୀଟିଏ ଉପର ମହଲାରେ ମିଳିଲା । ଚିତ୍ତରଂଜନଙ୍କ ମନରେ ପରାଧୀନ ଭାରତ କିପରି ସ୍ୱାଧୀନ ହେବ- ଏଇ ଚିନ୍ତା ଭର୍ତ୍ତି ହୋଇ ରହିଥାଏ । ଅଗଷ୍ଟ ନଅ ତାରିଖରେ ମହାତ୍ମାଗାନ୍ଧୀ ଇଂରେଜ ସରକାରଙ୍କୁ ଭାରତ ଛାଡ଼ର ଡାକରା ଦେଲେ । ଇଂରେଜ ସରକାର ସାରାଦେଶର ସବୁନେତାଙ୍କୁ ଗିରଫ କରିନେଲା । ଚିତ୍ତରଂଜନଙ୍କ ମନ ଅସ୍ଥିର ହୋଇପଡ଼ିଲା । ସେ ଦୁଇ ତିନି ଦିନ କ୍ଲାସକୁ ଗଲେ ନାହିଁ । କିପରି ଏହି ଭାରତଛାଡ଼ ଆନ୍ଦୋଳନରେ ଯୋଗଦେବେ ଏହାର ଉପାୟ ପାଞ୍ଚିଲେ । ବାମ୍ଫିସାହି ବସାରେ ରହୁଥିବା ତାଙ୍କ ବଡ଼ଭାଇଙ୍କ ନିକଟକୁ ଯାଇ ସେ ମନକଥା ଖୋଲି କହିଲେ । ବଡ଼ଭାଇ ଏଥିରେ ରାଜି ହେଲେ ସତ, କିନ୍ତୁ ପରବର୍ତ୍ତୀ ସମୟର ଅବସ୍ଥା ବିଷୟରେ ଚିନ୍ତାକରି ସେ କଲେଜରୁ ଗାଆଁକୁ ଚାଲିଯିବାକୁ ଚିତ୍ତରଂଜନଙ୍କୁ ପରାମର୍ଶ ଦେଲେ । ବଡ଼ଭାଇଙ୍କ କଥାମାନି ସେ କଲେଜ ଛାତ୍ରାବାସରୁ ଗାଆଁକୁ ଚାଲିଆସିଲେ । ଘରେ ପହଞ୍ଚିଲାବେଳକୁ ସନ୍ଧ୍ୟା । ସଂଗ୍ରାମୀ ଗୌରୀଭାଇ ସେତେବେଳେ ଗାଆଁରେ ନ ଥିଲେ । ଦୁଇଦିନ ପରେ ଗୌରାଙ୍ଗଚରଣ ଦାସ ଏବଂ ସାତପୁରାର ଅନ୍ୟତମ ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମହାନ୍ତି ବାଗଲପୁରରେ ଆସି ପହଞ୍ଚିଲେ । ଗିରଫ ହେବା ଭୟରେ ସେମାନେ ଦିନରେ କାହାଘରେ ଆତ୍ମଗୋପନ କରୁଥିଲେ ଏବଂ ରାତ୍ରି ସମୟରେ ବାହାରୁ ଥିଲେ । ସେମାନେ ପହଞ୍ଚିବାପରେ ଅନ୍ୟମାନେ ଆନ୍ଦୋଳନର ହାଲ୍ ଜାଣିବାପାଇଁ ତାଙ୍କ ପାଖରେ ଉପସ୍ଥିତ ହେଲେ । ଚିତ୍ତରଂଜନ ମଧ୍ୟ ଥାନ୍ତି । ସବୁକଥା ଶୁଣିବା ପରେ ତାଙ୍କ ହୃଦୟ ବିଦୀର୍ଣ୍ଣ ହୋଇଉଠୁଥାଏ । ଭାରତବର୍ଷର ଏବଂ ଓଡ଼ିଶାର ବହୁ ନେତା ଗିରିଫ ହୋଇ ଜେଲରେ । ମହାତ୍ମାଗାନ୍ଧୀଙ୍କ ଶେଷ ଡାକରା କର ବା ମର । କେବଳ ସୁରନ୍ଦ୍ରନାଥ ଦ୍ୱିବେଦୀ କଟକରେ ରହୁଥିଲେ । ତାଙ୍କ ସହିତ ନେତାମାନେ ଯୋଗସୂତ୍ର ରକ୍ଷାକରି କାର୍ଯ୍ୟ କରିବେ । ଆଖପାଖ ଅଞ୍ଚଳମାନଙ୍କ ପାଇଁ ବାଗଲପୁର କେନ୍ଦ୍ର ହୋଇ ରହିବ । କଟକରୁ ସବୁଦିନ ଖବର ଓ ନିର୍ଦ୍ଦେଶନାମା ବାଗଲପୁରକୁ ଆସିବ ଏବଂ ସେହି ଅନୁସାରେ ଏହି ଅଞ୍ଚଳ ପାଇଁ ବାଗଲପୁରରେ ପ୍ରଚାରପତ୍ର ଛାପା ହେବ । ଏହା ଅତ୍ୟନ୍ତ ଗୋପନୀୟ । କଥା ଯେପରି ଇଂରେଜ ସରକାରର ପୁଲିସ୍ ବା କର୍ମଚାରୀ ନ ଜାଣିପାରିବେ ସେଥିପାଇଁ ସମସ୍ତଙ୍କୁ ସତର୍କ କରି ଦିଆଯାଇଥିଲା ।

 

ପ୍ରଚାରପତ୍ର ଛପାଇବା କାର୍ଯ୍ୟ ଚିତ୍ତରଂଜନଙ୍କୁ ଦିଆଗଲା । ଗାଆଁ ମାଇନର ସ୍କୁଲରେ ଲିଥୋ ମେସିନ୍‌ଟିଏ ଥାଏ । ସ୍କୁଲର ପ୍ରଧାନଶିକ୍ଷକଙ୍କ ସହ ପରାମର୍ଶ କରି ସ୍ଥିର ହେଲା ଯେ, ଆନ୍ଦୋଳନର ପ୍ରଚାରପତ୍ର ଛପାଇବା ପାଇଁ ଏହି ମେସିନ୍‌ଟି ବ୍ୟବହାର କରାଯିବ । କଟକରୁ ଶ୍ରୀ ସୁରେନ୍ଦ୍ରନାଥ ଦ୍ୱିବେଦୀ ବ୍ୟବସ୍ଥା କରି ଷ୍ଟେନ୍‌ସିଲ କାଗଜ, ଧଳା କାଗଜ ଓ ଛାପାକାଳି ପଠାଇଲେ । ବହୁକଷ୍ଟରେ ରାତିରେ ଲୁଚିଛପି ଗାଆଁ ସ୍କୁଲକୁ ଆସି ଚିତ୍ତରଂଜନ ପ୍ରଚାରପତ୍ର ଛାପନ୍ତି । ସକାଳୁ ଗୌରାଙ୍ଗ ଚରଣ ଦାସ ଓ ଗୋବିନ୍ଦ ମହାନ୍ତିଙ୍କ ମାଧ୍ୟମରେ ତାହା ବାର୍ତ୍ତାବହଙ୍କ ହାତରେ ବିଭିନ୍ନ ସ୍ଥାନକୁ ପଠାଇ ଦିଆଯାଏ । ଚିତ୍ତରଂଜନଙ୍କ ଉପରେ ଅନ୍ୟମାନଙ୍କର ନଜର ଥିବାରୁ ସେ ଯୁଆଡ଼େ ଯାଉଥିଲେ ଛଦ୍ମବେଶ ଧାରଣ କରୁଥିଲେ । ଗୌରାଙ୍ଗ ଦାସଙ୍କ ମାଧ୍ୟମରେ ଇଂରେଜ ସରକାର ବିରୋଧରେ ସେ ଅଞ୍ଚଳରେ ହେଉଥିବା ଆନ୍ଦୋଳନ ବିଷୟ ପୁଲିସ୍‍ ଜାଣିବାପରେ ଗୋବିନ୍ଦପୁର ଥାନାକୁ ଖବର ଗଲା । ସେତେବେଳେ ଜଗତସିଂହପୁର ଥାନା ହୋଇନଥାଏ । ଏ ଅଞ୍ଚଳରେ ଗୋବିନ୍ଦପୁର ଥାନା କାର୍ଯ୍ୟ କରୁଥାଏ । ଖବର ପାଇ ଗୌରାଙ୍ଗ ଦାସଙ୍କୁ ଗିରଫ କରିବାପାଇଁ କଟକରୁ ସଦଳବଳ ପୁଲିସ୍‍ ଆସିଲେ । ଗୌରାଙ୍ଗବାବୁ ଗିରଫ ହେଲେ । ଏହାର ଅଳ୍ପଦିନ ପରେ କଟକରେ ଆତ୍ମଗୋପନ କରିଥିବା ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କୁ ଗିରଫ କରି ନିଆଗଲା । ଓଡ଼ିଶାର ବହୁ ସକ୍ରିୟ ନେତାଙ୍କୁ ଇଂରେଜ ସରକାର ପୁଲିସ୍‍ ଗିରଫ କରି ଚାଲିଥାଏ । ବାଲଗପୁରରୁ ମଧ୍ୟ ଆଠ ଦଶ ଜଣ ଥାନାର ବିଭିନ୍ନ ସ୍ଥାନରେ ସଭାକରି ଗିରଫ ହୋଇସାରିଥିଲେ । ଚିତ୍ତରଂଜନଙ୍କ ଚିତ୍ତ କି ଆଉ ଥୟ ଧରିପାରେ ? ତାଙ୍କ ଗ୍ରାମରେ କାର୍ଯ୍ୟ କରୁଥିବା ଶ୍ରୀମତୀ କ୍ଷେତ୍ରମଣି ଦେବୀଙ୍କ ସମେତ ଆଉ ତିନି ଚାରିଜଣକୁ ସାଙ୍ଗରେ ନେଇ ଚିତ୍ତରଂଜନ ବିଲୁଆଖାଇ ଓ ଦେବୀନଦୀକୁ ପାର ହୋଇ ଗୋବିନ୍ଦପୁର ଗଲେ । ଜୟଧ୍ୱନି ଦେଇ ଥାନାରେ ବଳପୂର୍ବକ ପଶିଲେ । ଥାନାଭିତରେ ଅନଧିକାର ପ୍ରବେଶ କରିବାର ଅପରାଧରେ ସେମାନଙ୍କୁ ଗିରଫ କରି ହାଜତରେ ରଖାଗଲା । ତା’ପରଦିନ ସେମାନଙ୍କୁ ବସରେ ବସାଇ କଟକ ଅଣାଗଲା । ପ୍ରଥମେ ହାଜତରେ ରଖି ପରେ ମାଜିଷ୍ଟ୍ରେଟ୍‍ଙ୍କ ଆଗରେ ହାଜର କରାଗଲା । ସେଠାରୁ ସେମାନଙ୍କୁ ପଠାଇ ଦିଆଗଲା କଟକ ଜେଲ୍‌କୁ । ୧୯୩୯ ମସିହାରେ ଛାତ୍ରଧର୍ମଘଟ ସମୟରେ ସେ ଯେଉଁ ଆଠ ନମ୍ବର ୱାର୍ଡ଼ରେ ବନ୍ଦୀ ହୋଇଥିଲେ ଏଥର ମଧ୍ୟ କଟକ ଜେଲ୍‌ର ସେହି ୱାର୍ଡ଼ରେ ତାଙ୍କୁ ରହିବାକୁ ପଡ଼ିଲା । ଏହି ୱାର୍ଡ଼ରେ ସର୍ବମୋଟ ୫୦ ଜଣ ବନ୍ଦୀ ରହୁଥିଲେ । ସେମାନଙ୍କ ମଧ୍ୟରେ ବାଙ୍କ ବିହାରୀ ଦାସ, ସଚ୍ଚିଦାନନ୍ଦ ମିଶ୍ର, ବହୁଗ୍ରାମର ଅନିଲ କୁମାର ଘୋଷ ଏବଂ ବାଗଲପୁର ଗ୍ରାମରୁ ତାଙ୍କ ସହିତ ଯାଇଥିବା କ୍ଷେତ୍ରମଣି ଦେଈଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ । ଅନ୍ୟ ସ୍ଥାନର ମଧ୍ୟ କେତେଜଣ ନେତୃସ୍ଥାନୀୟ ବ୍ୟକ୍ତି ଏହି ୱାର୍ଡ଼ରେ ରହୁଥାନ୍ତି । ଏହି ଜେଲ୍‌ର ବିଭିନ୍ନ ୱାର୍ଡ଼ରେ ରହୁଥିବା ସଂଗ୍ରାମୀମାନଙ୍କ ମଧ୍ୟରେ ଶ୍ରୀ ସୁରେନ୍ଦ୍ର ନାଥ ଦ୍ୱିବେଦୀ, ଗୌରାଙ୍ଗ ଚରଣ ଦାସ, ନିଶାମଣି ଖୁଣ୍ଟିଆ, ବାଞ୍ଛାନିଧି ଦାସ, ଗୌରୀଶ୍ୟାମ ନାୟକ, ଲିଙ୍ଗରାଜ ମିଶ୍ର, ରାମକୃଷ୍ଣ ପତି, ଘନଶ୍ୟାମ ପଟ୍ଟନାୟକ, ଲୋକନାଥ ମିଶ୍ର, ଭୈରବ ଚନ୍ଦ୍ର ମହାନ୍ତି ଏବଂ ଆହୁରି ଅନେକ ଅନ୍ତର୍ଭୁକ୍ତ ଥିଲେ । ଏତଦ୍‌ଭିନ୍ନ କଟକ ଜେଲରେ ଏରସମା, ତିର୍ତ୍ତୋଲ, ଯାଜପୁର ଓ ବଡ଼ଚଣା ଅଞ୍ଚଳର ଅନେକ ଗ୍ରାମବାସୀ ରାଜନୀତିକ ବନ୍ଦୀଭାବରେ ମଧ୍ୟ ରହୁଥାନ୍ତି । ଚିତ୍ତରଂଜନ ସବୁବନ୍ଦୀଙ୍କଠାରୁ ବୟସରେ ସାନ ଥିଲେ । ତାଙ୍କ ଦୃଷ୍ଟିରେ ଜେଲ ଥିଲା ଏକ ବିଦ୍ୟାଳୟ ପରି, ଏଠାରେ ସେ ନିଜପାଇଁ ସ୍ୱାଧୀନ ଭାବରେ ନିଷ୍ପତ୍ତି ନେବାର ସୁଯୋଗ ପାଇଲେ । ଫଳରେ ଜେଲ ଜୀବନ ପୂର୍ଣ୍ଣମାତ୍ରାରେ ତାଙ୍କ ଜୀବନର ମୋଡ଼ ବଦଳାଇ ଦେଲା । ଜେଲଭିତରେ ବନ୍ଦୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ମିଳୁଥିଲା । ତଥାପି ବନ୍ଦୀମାନଙ୍କର ମଧ୍ୟରେ ଦେଶମୁକ୍ତିର ଚିନ୍ତା ଗାଢ଼ରୁ ଗାଢ଼ତର ହେଉଥାଏ । ଫଳସ୍ୱରୂପ ୧୯୪୩ ମସିହା ଜାନୁଆରୀ ମାସ ୨୬ ତାରିଖରେ ସଂଗ୍ରାମୀମାନେ ଜେଲ ଭିତରେ ଜାତୀୟ ପତାକା ଉତ୍ତୋଳନ କରି ଉତ୍ସାହର ସହିତ ‘ବନ୍ଦେ ମାତରଂ’ ବୋଲୁଥିବାବେଳେ ଜେଲ ପୁଲିସ୍‍ ତାଙ୍କୁ ଲାଠିରେ ମାଡ଼ମାରି ପତାକା ଛଡ଼ାଇ ନେଇଥିଲା । ଏଣିକି ବନ୍ଦୀମାନଙ୍କ ଉପରେ ପୋଲିସ୍‌ର କଡ଼ା ନଜର ରହିଲା । ଚିତ୍ତରଂଜନ ମଧ୍ୟ ସେଥିରୁ ମୁକ୍ତ ନ ଥିଲେ ।

 

କଟକ ଜେଲ ତାଙ୍କୁ ଏକ ନୂଆ ପ୍ରକାରର ଛାତ୍ର ହେବା ଲାଗି ଉଦବୋଧିତ କଲା । ତାଙ୍କ ଜ୍ଞାନପିପାସୁ ମନପାଇଁ ଅନେକ ଖୋରାକ ମିଳିଲା । ଏଠାରେ ବୟସ୍କ ରାଜନୀତିକ ବନ୍ଦୀମାନଙ୍କ ପାଖରେ ରାଜନୀତି, ଜୀବନୀ, ଇତିହାସ ଏବଂ ଆହୁରି ଅନେକ ବିଷୟରେ ବହୁତ ବହି ଗଛିତ ଥିଲା । ଚିତ୍ତରଂଜନ ସେମାନଙ୍କ ସହିତ ପରିଚିତ ହୋଇ ବହିଗୁଡ଼ିକ ପଢ଼ିବା ଆରମ୍ଭ କଲେ । ଜେଲଭିତରେ ପୁସ୍ତକପାଠର ଅଭିଜ୍ଞତା ଓ ଅନୁଭୂତି ତାଙ୍କୁ ଗୋଟିଏ ସୁନ୍ଦର ଚାଟ ହେବାର ସୁଯୋଗ ଦେଲା । ସେଦିନକୁ ପାଞ୍ଚ ଛଅ ଘଣ୍ଟା ପଢ଼ୁଥିଲେ । କେବଳ ପଢ଼ିବା ନୁହେଁ, ପଢ଼ୁଥିବା ପୁସ୍ତକରୁ ସେ ଆବଶ୍ୟକ ମନେକରୁଥିବା ଧାଡ଼ିଗୁଡ଼ିକ ଖାତାରେ ମଧ୍ୟ ଟିପି ରଖୁଥିଲେ । ବଡ଼ଭାଇ କାହ୍ନୁଚରଣ ଦାସ ଯେତେଥର ଚିତ୍ତବାବୁଙ୍କୁ ଭେଟିବାକୁ ଜେଲପାଖକୁ ଆସନ୍ତି ସବୁଥର ତାଙ୍କୁ କିଛି ପଇସା ଦେଇଯାଆନ୍ତି । ସେ ତାକୁ ସଞ୍ଚୟ କରି ସେହି ପଇସାରେ ବହି କିଣୁଥିଲେ । ସେ ପୂର୍ବରୁ ଇଂରାଜୀ ଭାଷା ଓ ସଂସ୍କୃତର ଦେବନାଗରୀ ଲିପି ସହିତ ପରିଚିତ ଥିଲେ । ରାଷ୍ଟ୍ରଭାଷା ପ୍ରଚାର ସମିତି ପକ୍ଷରୁ ତାଙ୍କୁ ମଧ୍ୟ ଆଗରୁ ହିନ୍ଦୀ ଶିକ୍ଷା ଦିଆଯାଇଥିଲା । ତଥାପି ସେ ହିନ୍ଦୀରେ ପୂର୍ବରୁ ଏତେ ଦକ୍ଷ ନ ଥିଲେ । ଜେଲ ଭିତରେ ସେ ହିନ୍ଦୀ ଶିକ୍ଷାକରି ହିନ୍ଦୀ ବହିଗୁଡ଼ିକ ପଢ଼ି ବୁଝିବାକୁ ଚେଷ୍ଟା କଲେ ଏବଂ ସଫଳ ହେଲେ ମଧ୍ୟ । ଅଗଷ୍ଟ ଆନ୍ଦୋଳନ ସମୟରେ ରାତିରେ ପ୍ରଚାରପତ୍ର ଛପାଇବା କାମ ସହିତ ଦିନବେଳା ତାଙ୍କ ସାନଭାଇର ସାଙ୍ଗ ମୌଲା ବକ୍‌ସଠାରୁ ଉର୍ଦ୍ଦୁ ଶିଖୁଥିଲେ, ଯେଉଁ ବିଦ୍ୟା ପରେ ତାଙ୍କ ହିନ୍ଦୀ ଜ୍ଞାନ ବୃଦ୍ଧି କରିବାରେ ସହାୟକ ହୋଇଥିଲା । ଜଣେ ବରିଷ୍ଠ ବନ୍ଦୀ ଶ୍ରୀଯୁକ୍ତ ପ୍ରାଣନାଥ ମିଶ୍ର ଯିଏ ଥିଲେ ସଚ୍ଚିଦାନନ୍ଦ ମିଶ୍ରଙ୍କର କକେଇ, ତାଙ୍କ ସହିତ ମିଶି ସେ ମହାତ୍ମାଗାନ୍ଧୀଙ୍କର ତିନୋଟି ବହି ଓଡ଼ିଆରେ ଅନୁବାଦ କରିଦେଇଥିଲେ । ଜେଲରୁ ବାହାରିବା ପରେ ପ୍ରାଣନାଥ ମିଶ୍ର ବହି ତିନୋଟି ପ୍ରକାଶିତ କଲେ । ଚିତ୍ତରଂଜନଙ୍କ ମନ ମଧ୍ୟରେ ସେଦିନ ବିପୁଳ ଉତ୍ସାହ ଓ ଉଦ୍ଦୀପନା ଭରି ଯାଇଥିଲା । ଜେଲ ଭିତରେ ସେ ଯେପରି ପ୍ରଚୁର ପଢ଼ିବାର ସୁଯୋଗ ପାଇଥିଲେ; ଲେଖିବାପାଇଁ ମଧ୍ୟ ତାଙ୍କ ମନ ମଧ୍ୟରେ ଉଙ୍କିମାରୁଥିବା ଇଚ୍ଛାଶକ୍ତିକୁ ସେ ଚାପି ରଖିପାରୁନଥିଲେ । ଏଠାରେ ତାଙ୍କର କବିତା ଲେଖିବା ପ୍ରତି ଏପରି ଇଚ୍ଛା ହେଲା ଯେ ସେ ପ୍ରତ୍ୟହ ଚାରି ପାଞ୍ଚୋଟି କବିତା ଲେଖୁଥିଲେ । କବିତାର ବିଷୟବସ୍ତୁ ଥାଏ ଦୁଇ ପ୍ରକାରର । ସେତେବେଳେ କଲିକତା ଓ ତା’ର ଚତୁର୍ଦ୍ଦିଗରେ ଦାରୁଣ ଦୁର୍ଭିକ୍ଷ ପଡ଼ିଥାଏ । ଇଂରାଜୀ ଖବର କାଗଜ ଷ୍ଟେଟସ୍‌ମ୍ୟାନରେ ଦୁର୍ଭିକ୍ଷ ପ୍ରପୀଡ଼ିତ ମନୁଷ୍ୟ ଜୀବନର କରାଳ ଦୃଶ୍ୟ ବିବରଣୀ ସହ ନମୁନାମାନ ଛବି ଆକାରରେ ବାହାରୁଥାଏ ।

 

ପ୍ରତିଦିନ ଖବରକାଗଜରୁ ଏପରି ସମ୍ବାଦ ପଢ଼ିବାପରେ ତାଙ୍କ ମନରେ ବିଭିନ୍ନ ପ୍ରତିକ୍ରିୟା ଆସିଲା । ଅସହାୟତାର, ସହାନୁଭବର, କ୍ରୋଧର, ବିଦ୍ରୋହର- ଏହି ପରି ନାନା ପ୍ରକାରର ପ୍ରତିକ୍ରିୟା, ଯାହାକୁ ସେ କବିତାରେ ରୂପ ନ ଦେଇ ରହିପାରିଲେ ନାହିଁ । ଦ୍ୱିତୀୟତଃ ସେତେବେଳେ ସାମ୍ୟବାଦୀ ରୁଷିଆରେ ହିଟ୍‌ଲରଙ୍କର ବର୍ବରୋଚିତ ଆକ୍ରମଣ ଚାଲିଥାଏ । ସମଗ୍ର ଇଉରୋପକୁ ନିଜ ଅକ୍ତିଆରକୁ ଆଣି ସାରିବାପରେ ଜର୍ମାନ ସୈନ୍ୟମାନେ ରୁଷିଆକୁ ଆକ୍ରମଣ କରି ନିଜ ଅଧୀନକୁ ଆଣିବା ଲକ୍ଷ୍ୟ ନେଇ ଦମ୍ଭର ସହିତ ଆଗେଇ ଚାଲିଥାନ୍ତି । ରୁଷିଆର ସୈନ୍ୟମାନେ ଏବଂ ଜନସାଧାରଣ ଯେପରି ପ୍ରାଣମୂର୍ଚ୍ଛା ଲଢ଼େଇକରି ସେମାନଙ୍କୁ ପ୍ରତିରୋଧ କରୁଥିଲେ ତାହା ବିଶ୍ୱବାସୀଙ୍କୁ ବିସ୍ମୟାଭିଭୂତ କରିଦେଇଥିଲା । ଶେଷରେ ଷ୍ଟାଲିନ୍‌ଗ୍ରାଡ଼ଠାରେ ବିଶ୍ୱଯୁଦ୍ଧର ମୋଡ଼ ବଦଳିଗଲା । ଜର୍ମାନୀବାହିନୀ ପଛକୁ ଘୁଞ୍ଚିଲା । ରୁଷ୍ ରଣକ୍ଷେତ୍ରରେ ସୋଭିଏଟ୍ ସେନାମାନଙ୍କର ବୀରତ୍ୱ ଓ ସାହସକୁ ଚିତ୍ତରଂଜନ ତାରିଫ୍‍ କଲେ ଏବଂ ଏଥିପାଇଁସେ ବହୁ କବିତା ଲେଖି ଖାତା ଭର୍ତ୍ତିକରି ଦେଇଥିଲେ । ଜେଲରୁ ମୁକ୍ତି ପାଇବାପରେ ସେହି କବିତାଗୁଡ଼ିକ ମଧ୍ୟରୁ କେତୋଟିକୁ ବାଛି କ୍ଷୁଦ୍ର ସଂକଳନଟିଏ ପ୍ରସ୍ତୁତ କଲେ, ଯାହାର ନାମ ଦିଆଯାଇଥିଲା ଦୁଇ ଅଧ୍ୟାୟ । ସେହି ସଂକଳଟିକୁ ଶ୍ରୀଯୁକ୍ତ ପ୍ରାଣନାଥ ମିଶ୍ର ଛପାଇଥିଲେ । ଚିତ୍ତରଂଜନଙ୍କ ଲେଖାବହିଗୁଡ଼ିକ ମଧ୍ୟରେ ଏହା ଥିଲା ତାଙ୍କର ପ୍ରକାଶିତ ସର୍ବପ୍ରଥମ ରଚନା (୧୯୪୮) ।

 

ଚିତ୍ତରଂଜନଙ୍କ ପାଇଁ ଜେଲ ଜୀବନ ଥିଲା ବହୁମୁଖୀ ପ୍ରତିଭାର ଉନ୍ମେଷ ପର୍ବ । ବିକାଶ ବି ଏଇଠୁ ଆରମ୍ଭ ହୋଇଥିଲା । ସେ ଜେଲରେ ଥିବାବେଳେ ଗୀତ ଗାଇବା ଏବଂ ଗୀତ ଲେଖିବାରେ ଅଭ୍ୟସ୍ତ ହେଲେ । ଏଥିପାଇଁ ସେ ଶ୍ରୀଯୁକ୍ତ ଅନିଲ କୁମାର ଘୋଷଙ୍କୁ ଗୁରୁ ଭାବରେ ଗ୍ରହଣ କରିଛନ୍ତି । ଅନିଲ ଦା’ ଓଡ଼ିଆ, ବଙ୍ଗଳାଭାଷାରେ ବହୁ ସଙ୍ଗୀତ ଗାଇ ପାରୁଥିଲେ । ହିନ୍ଦୀ ମୀରାଭଜନ ଏବଂ ବଙ୍ଗଳାର ରବୀନ୍ଦ୍ର ସଙ୍ଗୀତ ମଧ୍ୟ ତାଙ୍କର ମୁଖସ୍ଥ ଥିଲା । ବେଳେବେଳେ ସେ ଫିଲିମ ଗୀତ ବି ଗାଉଥାନ୍ତି । ଚିତ୍ତରଂଜନ ଏହି ଗୀତସବୁ ଶୁଣି ଓଡ଼ିଆରେ ସେହି ସ୍ୱରରେ ଗୀତ ଲେଖି ଅନିଲ ଦା’ଙ୍କୁ ଦିଅନ୍ତି । ସମସ୍ତଙ୍କ ଉପସ୍ଥିତିରେ ଅନିଲ ଦା’ ଓ ସେ ଉଭୟ ସେହି ଗୀତଟିକୁ ବୋଲନ୍ତି । ଉପସ୍ଥିତ ଥିବା ବନ୍ଦୀଙ୍କର ଆନନ୍ଦବର୍ଦ୍ଧନ ହୋଇଥାଏ । ୧୯୪୩ ମସିହାର ଶହୀଦ ସ୍ମୃତି ସପ୍ତାହର ଆଲୋଚନା ସଭାର ପ୍ରତ୍ୟେକ ଦିନ ଆରମ୍ଭରେ ଗୋଟିଏ ଗୀତ ବୋଲାହୁଏ । ସଭା ଶେଷରେ ଆଉ ଗୋଟିଏ । ପ୍ରତ୍ୟେକ ଦିନ ସେଥିପାଇଁ ଶ୍ରୀଯୁକ୍ତ ବାଞ୍ଛାନିଧି ଦାଶ ଗୋଟିଏ ଗୀତ ଲେଖି ଆଣିଥାଆନ୍ତି । ନିଜେ ବୋଲନ୍ତି, ଆଉ ଗୋଟିଏ ଚିତ୍ତରଂଜନ ଲେଖିଆଣି ଥାଆନ୍ତି । ସେ ଗୀତଟି ସେ ଏବଂ ଅନିଲ ଦା’ ଏକାଠି ସ୍ୱରରେ ଗାଆନ୍ତି । କଟକ ଜେଲରେ ଯେତେବେଳେ କୌଣସି ନା କୌଣସି କାରଣରୁ ରାଜନୀତିକ ବନ୍ଦୀମାନେ ଅନଶନ କରନ୍ତି, ସେତେବେଳେ ସେ ଏବଂ ଅନିଲ ଦା’ ଘଣ୍ଟା ଘଣ୍ଟା ଧରି ବିଭିନ୍ନ ଗୀତ ଗାନକରି ଅପେକ୍ଷାରତ ପ୍ରହରଗୁଡ଼ିକୁ ମୁଖରିତ କରି ରଖିଥାନ୍ତି । କଟକରେ ପ୍ରାୟ କଟାଇଥିବା ପନ୍ଦରମାସର ଜେଲଜୀବନ ବାସ୍ତବରେ ତାଙ୍କ ଜୀବନରେ ଏକ ବିଦ୍ୟାଳୟ ପରି କାର୍ଯ୍ୟ କରିଛି । ଅନେକ ବାଟ ମଧ୍ୟରୁ ତାଙ୍କ ପାଇଁ ପ୍ରକୃତ ମାର୍ଗର ସନ୍ଧାନ ଦେଇଛି । ପନ୍ଦରଟି ମାସ ତାଙ୍କ ପାଇଁ ହୋଇଯାଇଛି ସତେ ଯେପରି ଜଣେ ଘନିଷ୍ଠ ବନ୍ଧୁ । କଟକ ଜେଲରୁ ମୁକ୍ତ ହେବା ପରେ ସେ ଅନ୍ତତଃ ପକ୍ଷେ ଆହୁରି ବର୍ଷେ କାଳ ସ୍ୱାଧୀନତା ସଂଗ୍ରାମ ଭିତରେ ସଂଶ୍ଳିଷ୍ଟ ହୋଇ ରହିଛନ୍ତି, ପୁନର୍ବାର କାରାବରଣ କରିଛନ୍ତି, କିନ୍ତୁ ତାଙ୍କୁ ପରେ ପନ୍ଦର ପ୍ରକାରର ପନ୍ଦରଟା ବାଟ କୌଣସି ପ୍ରକାରରେ ଚଗଲା କରିପାରି ନାହାନ୍ତି । ବରଂ ତାଙ୍କର ପିଲାଳିଆ ବୁଦ୍ଧିକିୁ ପରିପକ୍ୱ କରି ଦେଇଛନ୍ତି ।

 

୧୯୪୪ ମସିହା ମାର୍ଚ୍ଚ ମାସରେ ତାଙ୍କୁ କଟକ ଜେଲରୁ ମୁକ୍ତ କରାଗଲା । ସେ କିଛିଦିନ ଜ୍ୱରରେ ପୀଡ଼ିତ ରହିଲେ । ତାଙ୍କ ଉପର ଭାଇ ବିଷମକଟକ ଡାକ୍ତରଖାନାରେ ଡାକ୍ତର ଥାଆନ୍ତି । ତାଙ୍କ ପାଖରେ ରହି ସେ ଚିକିତ୍ସିତ ହେଲେ ଏବଂ ମେଲେରିଆ ଜ୍ୱରରୁ ମୁକ୍ତ ପାଇଲେ । ହଠାତ୍ ଓଡ଼ିଶା ବାହାରକୁ ଯିବାର ସୁଯୋଗ ମିଳିଲା ତାଙ୍କୁ । ବାଙ୍ଗାଲୋରଠାରେ ହେଉଥିବା ଗୋଟିଏ ତିନିମାସିଆ ଶିକ୍ଷା ଶିବିରରେ ଯୋଗଦେବା ପାଇଁ ଓଡ଼ିଶାରୁ ଚିତ୍ତରଂଜନ ଏବଂ ବଙ୍ଗ ପ୍ରଦେଶରୁ ଶ୍ରୀ ସୁବୋଧ ଭୌମିକଙ୍କ ନାମ ସୁପାରିଶ କରାଯାଇଥିଲା । ନିର୍ଦ୍ଦେଶ ଅନୁସାରେ ଚିତ୍ତବାବୁ କଲିକତା ଯାଇ ଅନ୍ନଦା ଚୌଧୁରୀଙ୍କୁ ଭେଟିଲେ । ଦୁଇ ଜଣ ଯୁବକଙ୍କୁ ଆବଶ୍ୟକ ସରଞ୍ଜାମ ସହ ବାଙ୍ଗାଲୋର ପଠାଗଲା । ମାନ୍ଦ୍ରାଜ ଷ୍ଟେସନରେ ପହଞ୍ଚିବା ପରେ ଜଣେ ଭଦ୍ରଲୋକ ତାଙ୍କୁ ପାଛୋଟି ନେବାକୁ ଆସିଲେ । ଏ ସବୁ କାର୍ଯ୍ୟ ପୋଲିସ ଗିରିଫ ଭୟରେ ଖୁବ୍ ଗୋପନରେ ଚାଲୁଥିଲା । ଦିନରେ ସେ ସେହି ଭଦ୍ରଲୋକଙ୍କ ଘରେ ଖାଇ ପିଇ ରହିଲେ ଏବଂ ସନ୍ଧ୍ୟାବେଳେ ସେହି ଭଦ୍ରଲୋକ ସେମାନଙ୍କୁ ଆଣି ଷ୍ଟେସନରେ ବାଙ୍ଗାଲୋର ଯାଉଥିବା ଗାଡ଼ିରେ ବସାଇ ଦେଲେ । ତହିଁଆରଦିନ ସକାଳେ ସେ ଦୁହେଁ ବାଙ୍ଗାଲୋରରେ ଗାଡ଼ିରୁ ଓହ୍ଲାଇ ଷ୍ଟେସନଠାରୁ ବହୁଦୂରରେ ଥିବା ଆନନ୍ଦ ଆଶ୍ରମକୁ ଆସିଲେ । ସେମାନେ ଯେଉଁ ବିଶେଷ ପ୍ରଶିକ୍ଷଣ ଲାଗି ସେଠାକୁ ଯାଇଥିଲେ, ତାର ନାମ ଥିଲା- An Orientation Course for National Builders ଦେଶଗଠନକୁ ଜୀବନର ଲକ୍ଷ୍ୟରୂପେ ଗ୍ରହଣ କରିଥିଲା ତରୁଣମାନଙ୍କର ନିମନ୍ତେ ଏକ ଦିଗ୍‍ଦର୍ଶନ ଶିବିର । ଏହି ଶିବିରରେ ଯୋଗଦେବାପାଇଁ କେରଳ, ତାମିଲନାଡ଼ୁ, ଗୁଜୁରାଟ ଓ ଦିଲ୍ଲୀରୁ ଅନେକ ଯୁବକ ଆସିଥାନ୍ତି । ରାଲଫ ରିଚାର୍ଡ଼ କଇଥାନ ଜଣେ ଖ୍ରୀଷ୍ଟିଆନ୍ ପାଦ୍ରୀ ହେଲେ ବି ଗାନ୍ଧୀଙ୍କ ମାର୍ଗକୁ ବେଶ୍ ଭଲ ପାଉଥିଲେ । ତେଣୁ ଆଶ୍ରମ ପରିଚାଳନା ଏବଂ ପ୍ରଶିକ୍ଷଣ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତଥାଏ । ସବୁ ଠିକ୍ ଠାକ୍‍ ଚାଲିଥିଲାବେଳେ ହଠାତ୍ ଚିତ୍ତରଂଜଙ୍କୁ ଗିରଫ କରିବାପାଇଁ ଓଡ଼ିଶା ପୁଲିସ୍‍ ମହୀଶୂର କରଦ ରାଜ୍ୟର ପୁଲିସ୍‍ ପାଖକୁ ତାରବାର୍ତ୍ତା ପଠାଇଥିବା ଖବର ପହଞ୍ଚିଲା । ଓଡ଼ିଶାରୁ ଆସିଥିବା ଏହି ତାରବାର୍ତ୍ତା ଅନୁସାରେ ପୁଲିସ୍‍ ଚିତ୍ତରଂଜନଙ୍କୁ ଗିରଫ କଲା ଏବଂ ସେ ପନ୍ଦର ଦିନ ପାଇଁ ବାଙ୍ଗାଲୋରର କେନ୍ଦ୍ର ଜେଲରେ ରହିଲେ । ତାଙ୍କ ବିଶ୍ୱାସ ଥିଲା ଓଡ଼ିଶା ପୁଲିସ୍‍ ପନ୍ଦର ଦିନ ପରେ ବାଙ୍ଗାଲୋର ଆସି ତାଙ୍କୁ ଓଡ଼ିଶାକୁ ନେଇଯିବେ । ଜେଲ କର୍ତ୍ତୃପକ୍ଷଙ୍କର ମଧ୍ୟ ସେଇ ବିଶ୍ୱାସ ଥିଲା । ପନ୍ଦର ଦିନ ଶେଷହେଲା । ଓଡ଼ିଶାରୁ କେହି ଗଲେ ନାହିଁକି କିଛି ସମ୍ବାଦ ମଧ୍ୟ ଦେଲେ ନାହିଁ । ଆଇନ ଅନୁସାରେ ତାଙ୍କ ମିଆଦ ପରେ କଚେରିରେ ନେଇ ହାଜର କରାଗଲା । ଅନେକ ସମୟ ଅପେକ୍ଷା କରିବାପରେ ରାତିବେଳକୁ କଚେରିରୁ ତାଙ୍କୁ ଡାକରା ଆସିଲା । ଚିତ୍ତରଂଜନ ହାଜର ହେଲେ । ସେ ଦେଖିଲେ ହଠାତ୍ ଜଣେ ଆଡ଼ଭୋକେଟ୍ ଛିଡ଼ାହୋଇ ତାଙ୍କ (ଚିତ୍ତରଂଜନ) ତରଫରୁ ବିଚାରପତିଙ୍କ ସହିତ ସୁଆଲ ଜବାବ କଲେ ଚିତ୍ତରଂଜନକୁ ଛାଡ଼ି ଦିଆଗଲା । ସେତେବେଳେକୁ ଆନନ୍ଦ ଆଶ୍ରମ ଭାଙ୍ଗି ଯାଇଥିଲା । ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଯୁବକମାନେ ନିଜ ନିଜ ପ୍ରାନ୍ତକୁ ଚାଲିଯାଇଥିଲେ । ଶ୍ରୀଯୁକ୍ତ କଇଥାନ ସପରିବାର ସରକାରୀ ନିର୍ଦ୍ଦେଶ ଅନୁସାରେ ବାଙ୍ଗାଲୋରର କୌଣସି ଏକ ସ୍ଥାନରେ ରହୁଥାନ୍ତି । ସେ ଆଡ଼ଭୋକେଟଙ୍କୁ ଚିତ୍ତରଂଜନଙ୍କ ବିଷୟରେ କହିଥିବାରୁ ଓକିଲ ମୋକଦ୍ଦମାର ଶୁଣାଣିପାଇଁ ପ୍ରସ୍ତୁତ ହୋଇ ଆସିଥିଲେ । ଓକିଲ ମହାଶୟ ତାଙ୍କୁ ସାଥିରେ ନେଇ କଇଥାନ ରହୁଥିବା ସ୍ଥାନରେ ଛାଡ଼ି ଦେଇ ଆସିଲେ । ତଥାପି ଚିତ୍ତରଂଜନ ବିପଦମୁକ୍ତ ନ ଥିଲେ । ପରଦିନ ରାତି ପାହାନ୍ତାରୁ ପ୍ରାର୍ଥନା ଶେଷ ହେବା ପରେ କଇଥାନ ଚିତ୍ତରଂଜନଙ୍କୁ ବାଙ୍ଗାଲୋର କାଣ୍ଟନମେଣ୍ଟ ଷ୍ଟେସନ ଯାଏ ବିଦାୟ ଦେବାକୁ ଆସିଲେ । ଦୁହେଁ ଷ୍ଟେସନ ଅଭିମୁଖେ ଚାଲିଚାଲି ଯାଉଥିବା ବାଟରେ ପୋଲିସ ଚିତ୍ତରଂଜନଙ୍କୁ ଗିରଫ କଲା । ଚିତ୍ତବାବୁ ଯେଉଁଠାରୁ ଯାଇଥିଲେ ସେହି ଜେଲକୁ ଚବିଶ ଘଣ୍ଟାପରେ ଫେରି ଆସିଲେ । ଓଡ଼ିଶାରୁ ପୋଲିସ ଜଗୁଆଳି ଆସି ତାଙ୍କୁ ନେବା ପର୍ଯ୍ୟନ୍ତ ସେ ଜେଲରେ ରହିବେ ।

 

ଚିତ୍ତରଂଜନ ଜେଲରେ ଥିବାବେଳେ ସେଇ ମହାନ୍‍ ହୃଦୟବାନ ଖ୍ରୀଷ୍ଟିୟାନ ପାଦ୍ରୀ କଇଥାନ ମଝିରେ ମଝିରେ ତାଙ୍କୁ ଦେଖା କରିବାକୁ ସେଠାକୁ ଯାଆନ୍ତି । ସେ ଜେଲରେ ଅରଟରେ ସୂତାକାଟନ୍ତି; କିନ୍ତୁ ଆଶ୍ରମରେ ଥିବାବେଳେ ଅନେକ ବହି ପଢ଼ିବାର ସୁଯୋଗ ପାଆନ୍ତି । ଏହି ଜେଲର ସୁପରିଣ୍ଟେଣ୍ଡେଣ୍ଟ ତାଙ୍କୁ ଦୟା ପ୍ରଦର୍ଶନପୂର୍ବକ କାଗଜ ଓ କାଳି ଯୋଗାଇ ଦେଇଥିଲେ । କଇଥାନ ସାହେବ ମଧ୍ୟ ମଝିରେ ମଝିରେ ଆସି ଚିତ୍ତରଂଜନଙ୍କ ପଢ଼ିବାଲାଗି କେତେକ ନୂଆ ନୂଆ ପୁସ୍ତକ ଯୋଗାଇ ଦେଇଯାଇଥାନ୍ତି । ସେହି ପୁସ୍ତକଗୁଡ଼ିକ ମଧ୍ୟରେ ଫରାସୀ ଲେଖକଙ୍କ Antoine de Saint Exuperga Wind Sand And Stars ପୁସ୍ତକଟି ଚିତ୍ତବାବୁଙ୍କ ମନଙ୍କୁ ଗୋଟାପଣେ କିଣି ନେଇଥିଲା । ଫଳରେ ଜେଲରେ ସେହି ବହିରେ ଥିବା ଶେଷଲେଖା The Night Trainକୁ ସେ ଓଡ଼ିଆରେ ଉତ୍ସାହର ସହ ଅନୁବାଦ କରିଥିଲେ । କଇଥାନ ସାହେବଙ୍କୁ ଭାରତଛାଡ଼ି ଆମେରିକା ଚାଲିଯିବାପାଇଁ ଇଂରେଜ ସାହେବ ବହୁ ପୂର୍ବରୁ ଆଦେଶ ଦେଇଥିଲେ । ସେ ସମୟ ଆସି ପହଞ୍ଚିଲା । ଚିତ୍ତରଂଜନଙ୍କ ସମତେ ଜେଲରେ ଥିବା ଅନ୍ୟବନ୍ଦୀମାନେ ଜେଲରଙ୍କଠାରୁ ଅନୁମତି ନେଇ କଇଥାନଙ୍କୁ ଜେଲ ପରିବେଶକୁ ନେଇଆସିଲେ ଏବଂ ବିପୁଳ ସମ୍ବର୍ଦ୍ଧନା ସହକାରେ ତାଙ୍କୁ ବିଦାୟ ଦେଲେ । ଶେଷରେ ସେ ତାଙ୍କୁ ଉଦବୋଧନ ଦେଇ କହିଥିଲେ ଭାରତବର୍ଷ ନିଶ୍ଚୟ ଦିନେ ସ୍ୱାଧୀନ ହେବ ଏବଂ ସେ ଭାରତକୁ ପୁନର୍ବାର ଫେରିଆସିବେ । ତାଙ୍କ କଥା ସତ୍ୟ ହୋଇଥିଲା ଏବଂ ଭାରତ ସ୍ୱାଧୀନ ହେବା ପରେ ସେ ଏ ଦେଶକୁ ଫେରିଆସିଥିଲେ । ଯିବା ପୂର୍ବରୁ ସେ ଚିତ୍ତରଂଜନଙ୍କ ଖାତାରେ ଯେଉଁ ପଦଟିଏ ଲେଖିଦେଇଥିଲେ ତାହା ହେଲା- The way to love is the way to the Cross..

 

ଚିତ୍ତରଂଜନ ଜେଲରେ ଫରାସୀ ଭାଷା ଶିକ୍ଷା କରିବାର ପ୍ରୟାସ କଲେ । ଅନେକ ଚେଷ୍ଟା କରି ଫରାସୀ ଭାଷାର କେତେକ ପୁସ୍ତକ ମଧ୍ୟ ପଢ଼ିଲେ ଯାହା ତାଙ୍କର ଭାଷାଶିକ୍ଷା ଜ୍ଞାନକୁ ଗୋଟାପଣେ ଟାଣ କରି ଦେଇଥିଲା । ମଝିରେ ମଝିରେ କନ୍ନଡ଼ ଓ ତାମିଲ ଭାଷା ଶିଖିଗଲେ । ଏକଦା ଜେଲ ପ୍ରକୋଷ୍ଠରେ ଥିବାବେଳେ ଚିତ୍ତରଂଜନଙ୍କୁ ସୁପରିଟେଣ୍ଡଣ୍ଟ ଡକାଇ ସବୁକଥା ବୁଝାଇଦେଲେ । ଯେ ପ୍ରକୃତରେ ମହୀଶୂର ସରକାରଙ୍କ ପାଖରେ ତାଙ୍କ ବିରୋଧରେ କିଛି ଅଭିଯୋଗ ନାହିଁ । କିନ୍ତୁ ଓଡ଼ିଶା ପୁଲିସ୍‍ ଆସି ତାଙ୍କୁ ନେବେ ନେବେ ବୋଲି କହି ଆସୁ ନାହାନ୍ତି । ତେଣୁ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ତାଙ୍କୁ ମୁକ୍ତି କରିଦେବାପାଇଁ । ସତକୁ ସତ ତାହିହିଁ ହେଲା । ସେ ଜେଲରୁ ଖଲାସ ହୋଇ ଗାଆଁକୁ ଆସିବାପାଇଁ ବ୍ୟସ୍ତ ହେଲେ । ତଥାପି ପୁଲିସ୍‍ ତାଙ୍କ ପିଛା ଛାଡୁ ନ ଥାଏ । ସେ ଗାଆଁକୁ ଫେରିଲେ । ଦିନେ ସେ ବାଗଲପୁରରେ ବସି ଗ୍ରାମଫୋନରୁ ଗୀତ ଶୁଣୁଥିବାବେଳେ ଗୋବିନ୍ଦପୁର ପୁଲିସ୍‍ ତାଙ୍କୁ ଗିରଫ କରିବା ପାଇଁ ଘରେ ପହଞ୍ଚିଲେ । ଚିତ୍ତରଂଜନ ପୁଲିସ୍‍ ସହିତ କଟକ ଗଲେ । ସେଦିନ ସନ୍ଧ୍ୟା ହୋଇଯାଇଥାଏ । ରାତ୍ରିରେ ତ ମାଜିଷ୍ଟ୍ରେଟଙ୍କ ପାଖରେ ହାଜିର କରାଯାଇ ପାରିବ ନାହିଁ । ତେଣୁ ଦୁହେଁ ରାତିରେ ଚିତ୍ତବାବୁଙ୍କ ବଡ଼ଭାଇଙ୍କ ବସାରେ ରହିଲେ । ପରଦିନ କଚେରୀରେ ହାଜର ହେବାପରେ ତାଙ୍କୁ ଜେଲ ପଠାଇ ଦିଆଗଲା । ସେତେବେଳେ କଟକ ଜେଲରେ ଥାନ୍ତି ନବକୃଷ୍ଣ ଚୌଧୁରୀ । ଏଥର ଚିତ୍ତରଂଜନଙ୍କ ଉପରେ ଯେଉଁ ଦଫା ଲାଗିଥିଲା ତା’ର ମିଆଦ ମାତ୍ର ପନ୍ଦର ଦିନ । ପନ୍ଦରଦିନ ଜେଲରେ ରହିବା ପରେ ସେ ଜେଲରୁ ଖଲାସ ହୋଇ ଗାଆଁକୁ ଆସିଲେ । ଗୋଟିଏ ଆଧ୍ୟାୟର ଅନ୍ତ ଘଟିଲା । ତାହା ଥିଲା ତାଙ୍କ ଜୀବନର ଏକ ସମୁଜ୍ଜ୍ୱଳ ଅଧ୍ୟାୟ- ଆତ୍ମ ସନ୍ଧାନ ପରିଚୟର ଏକ ଅଧ୍ୟାୟ ଯାହା ପାଖରେ ସେ ଚିରଦିନ କୃତଜ୍ଞ ।

 

ଚିତ୍ତରଂଜନ ଦାସ ଜେଲରୁ ଆସିବା ପରେ ଆଉ ଶିକ୍ଷାଲାଭ ପାଇଁ ରେଭେନ୍‍ସା କଲେଜ ଯାଇ ନାହାନ୍ତିଁ । ୧୯୪୫ ମସିହାରେ ଗାଆଁ ହାଇସ୍କୁଲରେ କିଛିଦିନ ଶିକ୍ଷକତା କରିଛନ୍ତି । ମାତ୍ର କେଇମାସ ପରେ ଚିତ୍ତରଂଜନଙ୍କ ଭାଇ ଏବଂ ପରିବାରର ଲୋକ ତାଙ୍କ ପାଠପଢ଼ାପାଇଁ ବ୍ୟସ୍ତ ହେଲେ । ସମସ୍ତଙ୍କର ଗୋଟିଏ ସ୍ୱର ଚିତ୍ତରଂଜନ ରେଭେନ୍‍ସା ଫେରିଯାଇ ପାଠ ପଢ଼ୁ । ସେ ନିଶ୍ଚୟ ଆଇସିଏସ ଅଫିସର ହେବ । ଚିତ୍ତବାବୁଙ୍କ ପାଠପଢ଼ା ପ୍ରତି ପ୍ରବଳ ଉତ୍ସାହ । ସେ ସାରାଜୀବନ ପାଠପଢ଼ିବେ; କିନ୍ତୁ ପୁରୁଣା ଢଙ୍ଗରେ ପାଠପଢ଼ିବାକୁ ରେଭେନ୍‍ସା କଲେଜ ଆଦୌ ଯିବେ ନାହିଁ । ଠିକ୍ ଏତିକିବେଳେ କଲିକତାରୁ ତାଙ୍କ ପାଖକୁ ଡାକଯୋଗେ ଆସିଥିବା ଖଣ୍ଡେ ଚିଠି ହସ୍ତଗତ ହେଲା । କଲିକତାରେ ଅଗଷ୍ଟ ଆନ୍ଦୋଳନରେ ସମସ୍ତ କଂଗ୍ରେସକର୍ମୀ ଜେଲ ଭିତରେ ଥିବାବେଳେ ଅନ୍ୟ ରାଜନୀତିକ ଦଳମାନେ ଶ୍ରମିକମାନଙ୍କର ଇଉନିୟନଗୁଡ଼ିକୁ ଦଖଲ କରି ନେଇଥାନ୍ତି । ତେଣୁ ଜାତୀୟ କଂଗ୍ରେସକୁ ସଂଗଠିତ କରି ନିଜ ପକ୍ଷକୁ ଆଣିବାପାଇଁ ନୂଆ ଇଉନିଅନ୍ ଗଢ଼ା ହେଉଥାଏ । କଲିକତା ସହରରେ ଥିବା ସମସ୍ତ ଓଡ଼ିଆଙ୍କୁ ଏକତ୍ର କରି ନୂତନ ସଙ୍ଗଠନର ଧାରା ଭିତରକୁ ଆଣିବାପାଇଁ ଚିତ୍ତରଂଜନଙ୍କ ସହାୟତା ସେମାନେ ପନ୍ଦର ଦିନ ପାଇଁ ଚାହିଁଥିଲେ । ଚିତ୍ତରଂଜନ କଲିକତା ଯାଇ କାନ୍ତି ମେହେଟାଙ୍କ ଘରେ ରହିଲେ । ଉଭୟ କଲିକତାର ମାଟିଆବୁରୁଜ, କାଶୀପୁର ଆଦି ବିଭିନ୍ନ ସ୍ଥାନକୁ ଯାଇ ଘର ଘର ବୁଲି ଶ୍ରମିକ ସଙ୍ଗଠନ ବିଷୟରେ ବୁଝାଇବା ସହିତ ଅନେକ ସାଧାରଣ ସଭାରେ ମଧ୍ୟ ଭାଷଣ ଦେଇଛନ୍ତି । ଇତି ମଧ୍ୟରେ ପନ୍ଦରଦିନ ଅତିକ୍ରାନ୍ତ ହୋଇଛି । ଓଡ଼ିଶା ଫେରିବାପୂର୍ବରୁ କାନ୍ତିଭାଇ ଚିତ୍ତବାବୁଙ୍କୁ ଶାନ୍ତିନିକେତନ ବୁଲିବାକୁ ପଠାଇଲେ । ତାଙ୍କର ପରିଚିତ କୃପାଳ ସିଂହ ନାମକ ଜଣେ ଛାତ୍ରଙ୍କ ପାଖକୁ ଚିଠିନେଇ ଚିତ୍ତରଂଜନ ଶାନ୍ତିନିକେତନ ଗଲେ ଏବଂ କଳାଭବନ ଯାଇ କୃପାଳୁ ସିଂହକୁ ଭେଟିଲେ । ସେହି କଳାଭବନରେ ଓଡ଼ିଆଛାତ୍ର ଶ୍ରୀଯୁକ୍ତ ଗୌରଙ୍ଗ ଚରଣ ଦାସଙ୍କ ସହିତ ପରିଚୟ ହୋଇଗଲା ଚିତ୍ତଭାଇଙ୍କର । ସେମାନେ ତାଙ୍କୁ ବିଶ୍ୱଭାରତୀର ବିଭିନ୍ନ ବିଭାଗ ଓ ଗ୍ରନ୍ଥାଗାର ଆଦି ବୁଲାଇ ଦେଖାଇଲେ । ସେଠାରେ ସେ ଯାହା ଦେଖିଲେ ତାହା ତାଙ୍କୁ ଖୁବ୍ ଭଲ ଲାଗିଲା । ସବୁଠାରୁ ବେଶୀ ଭଲ ଲାଗିଥିଲା ଶାନ୍ତିନେକେତନର ଗ୍ରନ୍ଥାଗାର । ଶାନ୍ତିନିକେତନରେ ଶିକ୍ଷାଲାଭ କରିବା ପାଇଁ ତାଙ୍କ ମନରେ ପ୍ରବଳ ଆଗ୍ରହ ସୃଷ୍ଟି ହେଲା । ତେଣୁ ଏହାକୁ ସଫଳ କରିବାପାଇଁ ସେ ସବୁଦିଗରୁ ଉଦ୍ୟମ ଜାରି ରଖିଲେ ।

 

ଚିତ୍ତରଂଜନଙ୍କ ଶାନ୍ତିନିକେତନରେ ଶିକ୍ଷାଲାଭ ଏକ ସ୍ମରଣୀୟ ଅଧ୍ୟାୟ

 

ଚିତ୍ତରଂଜନ ଦାସ କଲିକତାରୁ ଘରକୁ ଫେରିବା ପରେ ଶାନ୍ତିନିକେତନରେ ପଢ଼ିବା ପାଇଁ ଜିଦ ଧରିଲେ । ତାଙ୍କ ବଡ଼ଭାଇ ସେତେବେଳେ ସୈନ୍ୟବାହିନୀରେ ଡାକ୍ତର ଥା’ନ୍ତି । ବେଶି ଦରମା ତାଙ୍କର । ସେ ଶାନ୍ତିନିକେତନରେ ଚିତ୍ତରଂଜନ ପଢ଼ିଲେ ସମସ୍ତ ଖର୍ଚ୍ଚ ତୁଲାଇବେ ବୋଲି ସମ୍ମତ ଦେଲେ । ସମସ୍ୟାର ସମାଧାନ ହୋଇଗଲା । ଚିତ୍ତରଂଜନ ଶାନ୍ତନିକେତନ ଯିବାପାଇଁ ପ୍ରସ୍ତୁତି ଆରମ୍ଭ କଲେ । ପୂର୍ବରୁ ଶୁଣିଥିଲେ ଶ୍ରୀମତୀ ମାଳତୀ ଚୌଧୁରୀ ଓ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ଏକଦା ଶାନ୍ତିନିକେତନରେ ଅଧ୍ୟୟନ କରୁଥିଲେ । ସେମାନଙ୍କର ପାଖକୁ ଯାଇ ଚିତ୍ତବାବୁ ଆଲୋଚନା କଲେ । ଶାନ୍ତିନିକେତନରେ ଶିକ୍ଷା ଭବନରେ ଅର୍ଥାତ୍ କଲେଜ ସ୍ତରରେ ଯିଏ ସେତେବେଳେ ଅଧ୍ୟକ୍ଷ ସିଏ ମାଳତୀ ଦେବୀଙ୍କର ସହପାଠୀ ଥିଲେ । ତେଣୁ ଚିତ୍ତବାବୁଙ୍କ ନାମଲେଖା ସେଠାରେ ସହଜରେ ହୋଇପାରିବ; କୌଣସି ଅନ୍ତରାୟ ସୃଷ୍ଟି ହେବନାହିଁ ବୋଲି ମାଳତୀ ଦେବୀ ତାଙ୍କୁ ଭରସା ଦେଲେ । କିନ୍ତୁ ସେତେବେଳେ ଗୌରାଙ୍ଗ ଚରଣ ଦାସ ବ୍ରହ୍ମପୁର ଜେଲରେ ଥାନ୍ତି । ତାଙ୍କର ଇଚ୍ଛା ଚିତ୍ତ ଶାନ୍ତିନିକେତନ ନ ଯାଇ ଦେଶର ହିତପାଇଁ ବାଙ୍କବିହାରୀ ଦାସଙ୍କ ସହିତ ମିଶି କଂଗ୍ରେସର କାମ କରୁ । ଚିତ୍ତରଂଜନ କିନ୍ତୁ ତାଙ୍କ ଜିଦରେ ଅଟଳ । ଯେତେ ନେତା ତାଙ୍କ ପାଇଁ ଯେତେ ଚିନ୍ତାକଲେ ମଧ୍ୟ ସବୁ କାଟ ଖାଇଗଲା । ସ୍ଥିତପ୍ରଜ୍ଞର ମନ ଓ ବୋହିଯାଉଥିବା ପାଣିକୁ ଅଟକାଇ ରଖିବା ମଣିଷର ସାଧ୍ୟାତୀତ । ମାଳତୀ ଚୌଧୁରୀଙ୍କଠାରୁ ନାମଲେଖା ସମ୍ପର୍କରେ କୌଣସି ସମ୍ବାଦ ନ ପାଇ ସେ ବିବ୍ରତ ହୋଇପଡ଼ିଲେ । ଶ୍ରୀଯୁକ୍ତ ନିତ୍ୟାନନ୍ଦ କାନୁନଗୋଙ୍କ ଘରକୁ ଯାଇ ଦେଖାକରିବାରୁ ସେ ଖୁବ୍‍ଶୀଘ୍ର କଲିକତା ଯାଇ ମାଳତୀ ଦେବୀଙ୍କୁ ଭେଟିବାକୁ ପରାମର୍ଶ ଦେଲେ । ଜୁଲାଇ ମାସ ହେଲାଣି । ସମୟ ଗଡ଼ିଗଡ଼ି ଚାଲିଛି । ନାମଲେଖା ସମୟ ସରିଯିବ । ତେଣୁ ଚିତ୍ତରଂଜନ କାଳବିଳମ୍ବ ନ କରି କଲିକତା ଯାଇ ଶ୍ରୀମତୀ ଚୌଧୁରୀଙ୍କୁ ଭେଟିଲେ । କେତେଜଣ ରାଜନୀତିକ ଅଭିଭାବଙ୍କ ଯୋଗୁଁ ମାଳତୀ ଚୌଧୁରୀ ଚିତ୍ତବାବୁଙ୍କୁ ଖବର ଦେବାରେ ଡେରି ହେଲା । ମଞ୍ଜ କଥା ବୁଝିଗଲେ ସେ, ଚିତ୍ତରଂଜନ କିଛି କଥା ମୁଣ୍ଡରେ ପୂରାଉ ନ ଥାନ୍ତି । ସେ ଶ୍ରୀମତୀ ଚୌଧୁରୀଙ୍କ ସହିତ ଯାଇ ଶିକ୍ଷା ଭବନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନିଲ କୁମାର ଚନ୍ଦଙ୍କୁ ସାକ୍ଷାତ୍‍ କଲେ । ସେ ଥିଲେ ଜଣେ ଅସାଧାରଣ ପ୍ରତିଭାର ଅଧିକାରୀ । ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ; ପୂର୍ବରୁ ଥିଲେ କବିଗୁରୁ ରବୀନ୍ଦ୍ରନାଥଙ୍କ ବ୍ୟକ୍ତିଗତ ସଚିବ ଏବଂ ପରେ ସ୍ୱାଧୀନ ଭାରତର ପଣ୍ଡିତ ଜବାହରଲାଲ ନେହେରୁଙ୍କ ମନ୍ତ୍ରିମଣ୍ଡଳରେ ବୈଦେଶିକ ବିଭାଗରେ ଉପମନ୍ତ୍ରୀ ହେଲେ । ଚିତ୍ତରଂଜନଙ୍କ ନାମଲେଖାରେ କିଛି ଅସୁବିଧା ହେଲା ନାହିଁ । ଶ୍ରୀମତୀ ଚୌଧୁରୀ ଅଧ୍ୟକ୍ଷଙ୍କ ସହିତ କଥା ହେଲେ । ଚିତ୍ତରଂଜନଙ୍କୁ ଶିକ୍ଷାଭବନର ଦ୍ୱିତୀୟ ବର୍ଷର ଛାତ୍ରରୂପେ ଗ୍ରହଣ କରି ନିଆଗଲା । ସେ ଶିକ୍ଷା ଭବନର ଛାତ୍ରାବାସରେ ସ୍ଥାନ ପାଇଲେ ଏବଂ ଏଇଠୁ ଆରମ୍ଭ ହେଲା ତାଙ୍କର ଦ୍ୱିତୀୟ ବିଦ୍ୟାର୍ଥୀ ଜୀବନ ।

ଶାନ୍ତିନିକେତନର ଶିକ୍ଷାଭବନରେ ସେତେବେଳେ ଏକାବେଳକେ ଦୁଇ ପ୍ରକାରର ଅଧ୍ୟୟନ କ୍ରମ ଚାଲୁଥିଲା । ଗୋଟିଏ ବିଶ୍ୱଭାରତୀର ଆଉ ଗୋଟିଏ କଲିକତା ବିଶ୍ୱବିଦ୍ୟାଳୟର । ବିଶ୍ୱଭାରତୀର ପିଲାଙ୍କଠାରୁ ସଂଖ୍ୟାରେ କଲିକତା ବିଶ୍ୱବିଦ୍ୟାଳୟର ପିଲା ଅଧିକ ଥିଲେ । ସେମାନଙ୍କ ଅଧ୍ୟୟନର ମୁଖ୍ୟ ପ୍ରବୃତ୍ତିଟି ଥିଲା ବି.ଏ. ଡିଗ୍ରୀ ହାସଲ କରିବା । ତେଣୁ କଲିକତା ବିଶ୍ୱବିଦ୍ୟାଳୟ ତରଫରୁ ସେମାନଙ୍କର ପରୀକ୍ଷା ହେଉଥିଲା । ବିଶ୍ୱଭାରତୀ ପାଠ୍ୟକ୍ରମ ପଢ଼ିବାକୁ ଆସୁଥିବା ଛାତ୍ରଛାତ୍ରୀମାନେ ଆପେ ଆପେ ବାରି ହୋଇ ପଢ଼ୁଥିଲେ । ଏଠାରେ ପାଠପଢ଼ୁଥିବା ପିଲାମାନେ ଡିଗ୍ରୀ ପାଇଁ ଉତ୍କଣ୍ଠିତ ନ ଥିଲେ । ତେଣୁ ଚାକିରି ମିଳିବା ପାଇଁ ଏହାକୁ ପଢ଼ିବାର କୌଣସି ପ୍ରୟୋଜନ ନ ଥିଲା । ଯେଉଁମାନେ ଏହାକୁ ପଢ଼ୁଥିଲେ ବା ଏଠାକୁ ପଢ଼ିବାକୁ ଆସୁଥିଲେ ସେମାନଙ୍କର ବାସ୍ତବରେ ପ୍ରକୃତ ବିଦ୍ୟାଲାଭ ପ୍ରତି ରୁଚି ଓ ଶ୍ରଦ୍ଧା ଥିଲା । ବିଶ୍ୱଭାରତୀ ପାଠ୍ୟକ୍ରମକୁ ଅଧ୍ୟୟନ କରିବାପାଇଁ ଭାରତର ଚାରିଆଡ଼ୁ ଛାତ୍ରଛାତ୍ରୀମାନେ ଏଠାକୁ ଧାଇଁ ଆସୁଥିଲେ । କିନ୍ତୁ ବଡ଼ ଆଶ୍ଚର୍ଯ୍ୟ କଥା, ସେତେବେଳେ ଖୋଦ୍‍ ବଙ୍ଗଦେଶର ଏଥିରେ କୌଣସି ପିଲା ନ ଥିଲେ । ବିଶ୍ୱଭାରତୀର ପିଲାମାନେ ଥିଲେ ଆଦର୍ଶ, ନୀତିବାନ ଓ କର୍ମଠ । ଯାବତୀୟ କାର୍ଯ୍ୟକ୍ରମ ତଥା ଅନୁଷ୍ଠାନିକ କାର୍ଯ୍ୟରେ ସେମାନଙ୍କୁ ସର୍ବପ୍ରଥମେ ଖୋଜା ହେଉଥିଲା । ମହାତ୍ମାଗାନ୍ଧୀ ଜେଲରୁ ଖଲାସ ହେବାପରେ ଅନେକ ଥର ଶାନ୍ତିନିକେତନ ଆସିଥିଲେ । କହିବା ନିଷ୍ପ୍ରୟୋଜନ ଯେ ମୃତ୍ୟୁପୂର୍ବରୁ ରବୀନ୍ଦ୍ରନାଥ ଠାକୁର ମହାତ୍ମାଗାନ୍ଧୀଙ୍କୁ ଶାନ୍ତିନିକେତନର ମୁଖ୍ୟ ତତ୍ତ୍ୱାବଧାରକ ହେବାଲାଗି ଅନୁରୋଧ କରିଥିଲେ ।

ଶାନ୍ତିନିକେତନ ପ୍ରକୃତ ପକ୍ଷରେ ଚିତ୍ତରଂଜନଙ୍କ ଜୀବନରେ ଥିଲା ଶାନ୍ତିର ନୀଡ଼ଟିଏ । ଏହାର ପ୍ରକୃତି ଯେପରି ଚିତ୍ତାକର୍ଷକ ଥିଲା ଏଠାର ବ୍ୟକ୍ତିମାନେ ସେହିପରି ଅଧିକ ହୃଦୟବାନ ଥିଲେ । ସେତେବେଳେ ଶାନ୍ତିନିକେତନରେ ବହୁ ବିଦ୍ୱାନ ଅଧ୍ୟାପକ ଥିଲେ । ସେମାନଙ୍କ ମଧ୍ୟରେ ଥିଲେ– କଳାଭବନର ଅଧ୍ୟକ୍ଷ ନନ୍ଦଲାଲ ବୋଷ, ହିନ୍ଦୀଭବନର ଅଧ୍ୟକ୍ଷ ପଣ୍ଡିତ ହଜାରିପ୍ରସାଦ ଦ୍ୱିବେଦୀ, ରବୀନ୍ଦ୍ର ସାହିତ୍ୟର ଅଧ୍ୟାପକ ଗୁରୁଦୟାଲ ମଲ୍ଲିକ, ଗ୍ରନ୍ଥାଗାରର ସର୍ବୋଚ୍ଚ ଅବଧାରକ ପ୍ରଭାତ କୁମାର ମୁଖୋପାଧ୍ୟାୟ ଏବଂ ବିଦ୍ୟାଭବନର ଆଚାର୍ଯ୍ୟ କ୍ଷିତିମୋହନ ସେନ୍ ସେମାନେ କେହି କାହାଠାରୁ କମ୍ ନ ଥିଲେ- ଥିଲେ ଏକୁଆରେକ ବଳିୟାର । କ୍ରମେ ସେମାନଙ୍କ ସହିତ ଚିତ୍ତରଂଜନଙ୍କ ପରିଚିତ ହେଲା ଏବଂ ସେମାନେ ଚିତ୍ତରଂଜନଙ୍କ ପାଇଁ ପ୍ରେରଣାର ଉତ୍ସହୋଇ ରହିଲେ । ଶାନ୍ତିନିକେତନରେ ରବିବାର ପରିବର୍ତ୍ତେ ବୁଧବାର ଦିନ ଛୁଟି ହୁଏ । ଏହିଦିନ ସକାଳୁ ମନ୍ଦିରରେ ପ୍ରାର୍ଥନା ହୁଏ । କବିଗୁରୁଙ୍କଦ୍ୱାରା ରଚିତ ପ୍ରାର୍ଥନା ସହିତ କେତୋଟି ସଙ୍ଗୀତ ବୋଲାଯାଏ । ପରବର୍ତ୍ତୀ କାର୍ଯ୍ୟକ୍ରମ ହେଲା ପ୍ରବଚନ । ପୂର୍ବରୁ ନିଜେ ରବୀନ୍ଦ୍ରନାଥ ପ୍ରବଚନ ଦେଉଥିଲେ । ତାଙ୍କ ପରେ ମୁଖ୍ୟତଃ ଚିତ୍ତବାବୁଙ୍କ ପାଠପଢ଼ା ସମୟରେ ଆଚାର୍ଯ୍ୟ କ୍ଷୀତିଶ ମୋହନ ସେହି କାର୍ଯ୍ୟ ସମ୍ପାଦନ କରୁଥିଲେ । ସେତେବେଳେ କ୍ଲାସଗୁଡ଼ିକ ଗଛମୂଳେ ହେଉଥିଲା । ଆଦର୍ଶ ଅଧ୍ୟାପକମାନଙ୍କ ପାଠପଢ଼ା ଏବଂ ଛାତ୍ରମାନଙ୍କ ମେଳରେ ଚିତ୍ତରଂଜନ ତଲ୍ଲୀନ ହୋଇଯାଉଥିଲେ । ଶାନ୍ତିନେକେତନର ଶିକ୍ଷକମାନେ ଛାତ୍ରମାନଙ୍କ ପାଇଁ ଯେତିକି ଅନ୍ତରଙ୍ଗ ତଦନୁରୂପ ନିକଟତର ଥିଲେ । ପିଲାମାନଙ୍କର ଯେତେବେଳେ ଇଚ୍ଛା ହେଉଥିଲା ସେମାନଙ୍କର ସନ୍ଦେହ ମୋଚନ ପାଇଁ ଯେକୌଣସି ଶିକ୍ଷକଙ୍କ ଘରକୁ ଯାଇପାରୁଥିଲେ । ଏପରିକି ସେମାନଙ୍କୁ ରାତିରେ ନିଦରୁ ଉଠାଇ ପାଠ ଆଲୋଚନା କରିପାରୁଥିଲେ । ଏଇଠୁ ଚିତ୍ତବାବୁ ଅନୁଭବ କଲେ, ଜଣେ ଶିକ୍ଷକ ହେବାହିଁ ଯେକୌଣସି ବ୍ୟକ୍ତି ପାଇଁ ମହାଭାଗ୍ୟ । ତେଣୁ ନିଜ ପାଇଁ ବାଟଟିଏ ବାଛି ନେବାରେ ତାଙ୍କର ଅନୁଭବ ତାଙ୍କୁ ସର୍ବଦା ସାହସ ଓ ପ୍ରତ୍ୟୟ ଯୋଗାଇଲା ।

ଚିତ୍ତରଂଜନ ଥିଲେ ପାଠମନସ୍କ ଏବଂ ଅଧ୍ୟୟନାନୁରାଗୀ ଛାତ୍ର । ନିୟମିତ ପାଠ ଏବଂ ପାଠ୍ୟକ୍ରମ ସହିତ ସେ ଜଡ଼ିତ ଥିଲେ । କୌଣସି କ୍ଲାସରେ ଅନୁପସ୍ଥିତ ରହିବାକୁ ସେ ପସନ୍ଦ କରୁନଥିଲେ । ତାଙ୍କର ହିନ୍ଦୀ ଓ ବଙ୍ଗଳା ସାହିତ୍ୟ ପ୍ରତି ବିଶେଷ ଅନୁରାଗ ଥିଲା । ତଥାପି ଇଂରେଜ ସାହିତ୍ୟକୁ ସେ କମ୍ ଗୁରୁତ୍ୱ ଦେଉନଥିଲେ । ତାଙ୍କ ଇଂରାଜୀ ପଢ଼ାଉଥିବା ଅଧ୍ୟାପକମାନଙ୍କ ମଧ୍ୟରେ ସେ ସୁନୀଲ ଚନ୍ଦ୍ର ସରକାରଙ୍କୁ ବେଶି ଭଲପାଉଥିଲେ । ଏହାର ଗୋଟିଏ ବିଶେଷ କାରଣ ଥିଲା । ଚିତ୍ତରଂଜନ ପିଲାଦିନରୁ ବଙ୍ଗଳାଭାଷା ପଢ଼ିପାରୁଥିଲେ, ବୁଝିପାରୁଥିଲେ ଓ କହିପାରୁଥିଲେ, ମାତ୍ର ଲେଖିପାରୁନଥିଲେ । ଲେଖିବାର ଅଭ୍ୟାସ ତାଙ୍କୁ ଶିଖାଇଲେ ଇଂରେଜୀ ଅଧ୍ୟାପକ ସୁନୀଲ ଚନ୍ଦ୍ର ସରକାର । ସେ ମଧ୍ୟ ତାଙ୍କୁ ବଙ୍ଗଳାରେ କବିତା ଲେଖିବାପାଇଁ ଉତ୍ସାହିତ କରିଥିଲେ । ଶାନ୍ତିନିକେତନରେ ଅଧ୍ୟାପକ ଓ ଛାତ୍ରଛାତ୍ରୀ ମିଶି ସୁବିଧା ଅନୁସାରେ ବିଶେଷ କ୍ଲାସଗୁଡ଼ିକର ସମୟ ନିର୍ଘଣ୍ଟ କରି ଦେଉଥିଲେ । ପାଠପଢ଼ାରେ ଚିତ୍ତରଂଜନଙ୍କର ଗୋଟିଏ ବର୍ଷ ସରିଗଲା । ଯୁଦ୍ଧ ସରିଯିବାରୁ ତାଙ୍କ ଡାକ୍ତର ଭାଇ ସାମରିକ ବାହିନୀ ଛାଡ଼ି ପୁନର୍ବାର ଓଡ଼ିଶା ସରକାରଙ୍କ ଅଧୀନକୁ ଫେରି ଆସିଲେ । ଏଣିକି ତାଙ୍କର ବେତନ ଖୁବ୍ କମ୍ ମିଳିବ । ତେଣୁ ଚିତ୍ତରଂଜନଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବା ସମ୍ଭବ ହେବନାହିଁ । ମନରେ ଅସରନ୍ତି ଦୁଃଖର ଜୁଆର । ସତରେ କଣ ସେ ଶାନ୍ତିନିକେତନ ଯାଇ ଆଉ ପାଠପଢ଼ି ପାରିବେ ନାହିଁ ? ଏକଦା ସେ ତାଙ୍କର ଅଧ୍ୟକ୍ଷ ଅନିଲ ଘୋଷଙ୍କ ପାଖକୁ ତାଙ୍କର ଆର୍ଥିକ ପରିସ୍ଥିତିର ଜଟିଳତା ସମ୍ପର୍କରେ ସମ୍ପୂର୍ଣ୍ଣ ବର୍ଣ୍ଣନାକରି ଗାଆଁରୁ ଚିଠି ଖଣ୍ଡିଏ ଡାକରେ ପଠାଇଲେ । ଅର୍ଥାଭାବ ଯୋଗୁ ସେ ପାଠପଢ଼ା ବନ୍ଦ କରିଦେବେ । ଆଉ ଶିକ୍ଷାଭବନରେ ଯୋଗ ଦେଇପାରିବେନାହିଁ । ଅଧ୍ୟକ୍ଷ ମହୋଦୟ ଚିଠି ପାଇଲେ । ତା’ର ସପ୍ତାହକ ପରେ ସେ ଅନିଲ ଘୋଷଙ୍କଠାରୁ ଟେଲିଗ୍ରାମଟିଏ ଚିତ୍ତରଂଜନଙ୍କୁ ମିଳିଲା । ସେଥିରେ ନିର୍ଦ୍ଦେଶ ଥିଲା ଗ୍ରୀଷ୍ମଛୁଟି ସରିବାମାତ୍ରକେ ସେ ଯେପରି ଶାନ୍ତିନିକେତନରେ ପହଞ୍ଚିବେ । ଅଧ୍ୟକ୍ଷ ତାଙ୍କପାଇଁ ସମସ୍ତ ଖର୍ଚ୍ଚର ବ୍ୟବସ୍ଥା କରିଦେଇଥିଲେ । ଚିତ୍ତରଂଜନ ସେଠାରେ ଦୁଇବର୍ଷ ଖୁସିରେ ଶିକ୍ଷା ଲାଭକଲେ । ପ୍ରତ୍ୟେକ ବିଷୟରେ ପ୍ରାୟ ତାଙ୍କର ସର୍ବୋଚ୍ଚ ନମ୍ବର ରହୁଥିଲା ।

ବିଶ୍ୱଭାରତୀ ଶାନ୍ତିନିକେତନର ଗ୍ରନ୍ଥାଗାର ତାଙ୍କ ପାଇଁ ଥିଲା ସ୍ନେହଶୀଳା, ଆଦରଣୀୟା ଜନନୀଟିଏ । ସେ ତାଙ୍କର ଅସଲ ଜିଜ୍ଞାସାଗୁଡ଼ିକୁ ପୂରଣ କରିଥିଲା । ଗ୍ରନ୍ଥାଗାରର ମୁଖ୍ୟ ଅଧୀକ୍ଷକ ଶ୍ରୀଯୁକ୍ତ ପ୍ରଭାତ କୁମାର ବାନାର୍ଜୀ ତାଙ୍କ ପାଇଁ ଥିଲେ ଅନ୍ୟତମ ପ୍ରେରଣାର ଉତ୍ସ । କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟରେ ଅଧିକ ପରିଚିତ ହେବାପାଇଁ କ’ଣ ସବୁ ବହି ପଢ଼ିବା ଆବଶ୍ୟକ ପଚାରିବାମାତ୍ରକେ ସେ ମୁହେଁ ମୁହେଁ କହି ଦେଉଥିଲେ । ଏହା ଚିତ୍ତରଂଜନକୁ ବିସ୍ମିତ କରୁଥିଲା । ତାଙ୍କର ଜ୍ଞାନ ପିପାସୁ ମନରେ ଅସରନ୍ତି ଉଲ୍ଲାସ ଭରିଯାଇଥିଲା । ଶାନ୍ତିନିକେତନର ଗ୍ରନ୍ଥାଗାରରେ ବିଶ୍ୱର ସବୁଭାଷାର ଏବଂ ସବୁଶ୍ରେଣୀର ବହି ଭରିରହିଥିଲା । ଭାରତ ବର୍ଷର ଏକ ବିରଳ ଗ୍ରନ୍ଥାଗାର ଇଏ । ବହିର ପାହାଡ଼ । ବିଶ୍ୱଭାରତୀ ଗ୍ରନ୍ଥାଗାରରେ ସେତେବେଳେ ଛାତ୍ରଛାତ୍ରୀମାନଙ୍କର ଅବାଧ ପ୍ରବେଶ ଥିଲା । ପିଲାମାନେ ନିଜେ ଗ୍ରନ୍ଥାଗାରର ଭିତରକୁ ପଶି ଥାକମାନଙ୍କରୁ ନିଜ ପସନ୍ଦର ବହି ଖୋଜି ଆଣିପାରୁଥିଲେ । ବହିର ମହାସମୁଦ୍ର ଭିତରେ ପଶିଗଲେ ଚିତ୍ତରଂଜନ । ତାଙ୍କ ପଠନେଚ୍ଛା ବହୁଗୁଣିତ ହୋଇଗଲା । ନିଜ ପସନ୍ଦର ବହି ଏବଂ ପୁରାତନ ପତ୍ରପତ୍ରିକା ଏଠାରେ ବସି ସବୁଦିନ ଘଣ୍ଟା ଘଣ୍ଟା ଧରି ପଢ଼ିବାକୁ ଲାଗିଲେ । ଦୁଇବର୍ଷ ସେ ଦର୍ଶନଶାସ୍ତ୍ର ପଢ଼ିଲେ । ଇଉରୋପୀୟ ଦର୍ଶନ ଓ ଭାରତୀୟ ଦର୍ଶନ । ଏହାକୁ ସବୁ ଇଂରେଜରେ ପଢ଼ିବାକୁ ହେଉଥିଲା । ଏତଦ୍‌ଭିନ୍ନ ଇଂରେଜୀ ସାହିତ୍ୟ ଓ ରବୀନ୍ଦ୍ର ସାହିତ୍ୟ ମଧ୍ୟ ତାଙ୍କ ପାଠ୍ୟକ୍ରମ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା । ଭାରତୀୟ ଦର୍ଶନକୁ ଇଂରେଜୀ ମାଧ୍ୟମରେ ପଢ଼ିବାଠାରୁ ସଂସ୍କୃତ ମାଧ୍ୟମରେ ପଢ଼ିବା ଅଧିକ ସହଜ ଓ ସରଳ । ହେଲେ ସଂସ୍କୃତରେ ତାଙ୍କର ଏତେ ପାଣ୍ଡିତ୍ୟ ନ ଥିଲା । ସୌଭାଗ୍ୟକୁ ଅଧ୍ୟକ୍ଷ ଅନିଲଦା ତାଙ୍କ ଅଫିସକୁ ଡକାଇ ବିଶିଷ୍ଟ ପଣ୍ଡିତ ସୁଖମୟ ଭଟ୍ଟାଚାର୍ଯ୍ୟଙ୍କ କଥା କହିଲେ । ସେ ସଂସ୍କୃତରେ ସାତୋଟି ବିଭାଗରେ ବିଶେଷ ଅଧ୍ୟୟନ କରିଥିବାରୁ ଅନିଲଦା ତାଙ୍କୁ ରାଜିକରାଇ ବିଦ୍ୟାଭବନରେ ଗବେଷଣା କରାଉଛନ୍ତି । ଯଦି ଚିତ୍ତରଂଜନ କୌଣସି ଉପାୟରେ ତାଙ୍କୁ ରାଜିକରାଇ ତାଙ୍କ ପାଖରେ ଭାରତୀୟ ଦର୍ଶନ ପଢ଼ନ୍ତି ତେବେ ଦର୍ଶନ ଅଧ୍ୟୟନରେ ତାଙ୍କର ପ୍ରଭୂତ ଉପକାର ହେବ । ସେ ଶାନ୍ତିନିକେତନ ଆସିବା ଦିନଠାରୁ ଗବେଷଣା ରତସତ ହେଲେ କାହାକୁ ପାଠ ପଢ଼ାଇ ନାହାନ୍ତି । ଚିତ୍ତରଂଜନ ଭଟ୍ଟାଚାର୍ଯ୍ୟ ପଣ୍ଡିତ ମହାଶୟଙ୍କ ନିକଟକୁ ଯାଇ ବିନୟର ସହ ନିଜ ଅଭିପ୍ରାୟ ପ୍ରକାଶ କଲେ । ଶ୍ରୀଯୁକ୍ତ ସୁଖମୟ ଭଟ୍ଟାଚାର୍ଯ୍ୟ ପୂର୍ବରୁ କାହାକୁ ଛାତ୍ରଭାବେ ଗ୍ରହଣ କରିନଥିବାରୁ ପ୍ରଥମେ ଅରାଜି ହେଲେ । ଦ୍ୱିତୀୟ ଥର ଚିତ୍ତରଂଜନଙ୍କ ବାକ୍‌ଭଙ୍ଗୀ ଏବଂ ତାଙ୍କ ପାଖରେ ପଢ଼ିବାର ବଳବତୀ ଇଚ୍ଛାକୁ ଭଟ୍ଟାଚାର୍ଯ୍ୟ ଏଡ଼ାଇ ଦେଇପାରିନଥିଲେ । ଚିତ୍ତରଂଜନ ତାଙ୍କ ପାଖରେ ସଂସ୍କୃତଭାଷା ମାଧ୍ୟମରେ ବେଦାନ୍ତ ଓ ନବ୍ୟନ୍ୟାୟ ଅଧ୍ୟୟନ କଲେ । ସଂସ୍କୃତ ଭାଷାପ୍ରତି ତାଙ୍କର ଆଗ୍ରହ ବଢ଼ିଲା । ଦକ୍ଷତା ବି ଆସିଲା । ଆପେ ଆପେ ଏହି ଭାଷାରେ ଥିବା ଯୋଗ ଓ ତନ୍ତ୍ରର ବହୁ ଗ୍ରନ୍ଥ ଅଧ୍ୟୟନ କଲେ । ସଂସ୍କୃତ ମାଧ୍ୟମରେ ପାଲି ଏବଂ ଅନ୍ୟ କେତେକ ଭାରତୀୟ ଭାଷା ଜାଣିବା ପାଇଁ ତାଙ୍କୁ ସୁଗମ ହେଲା । ଏହି ଦୁଇବର୍ଷ ତାଙ୍କ ଜୀବନରେ ଅତ୍ୟନ୍ତ ସ୍ମରଣୀୟ ଥିଲା । ସେ ଏହି ସମୟରେ ନିଜ ଜୀବନର ବାଟ ପାଇଲେ ଏବଂ ଶିକ୍ଷାତୀର୍ଥର ମହାରଥୀମାନେ ତାଙ୍କ ଉପରେ ଯେଉଁ ସୌଭାଗ୍ୟରାଶି ଅଜାଡ଼ି ଦେଇଥିଲେ ତଦ୍ୱାରା ସେ ବିଶ୍ୱବ୍ରହ୍ମାଣ୍ଡକୁ ଖୋଜିବାର ପଥକୁ ସୁଗମ କରିନେଲେ ।

ବିଶ୍ୱଭାରତୀ ପାଠ୍ୟକ୍ରମର ଶେଷବର୍ଷ କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟରେ ଗୋଟିଏ ନିବନ୍ଧ ପ୍ରସ୍ତୁତ କରିବାକୁ ପଢ଼ୁଥିଲା । ଏହା ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଥିଲା ବାଧ୍ୟତାମୂଳକ । ଯେହେତୁ ଚିତ୍ତରଂଜନ ଦର୍ଶନଶାସ୍ତ୍ରର ଛାତ୍ରଥିଲେ ତେଣୁ ତାଙ୍କୁ ଇଉରୋପୀୟ ଅଥବା ଭାରତୀୟ ଦର୍ଶନର ଯେକୌଣସି ଗୋଟିଏ ବିଷୟକୁ ବାଛି ନିବନ୍ଧ ଲେଖିବାକୁ ହେବ । ଦର୍ଶନ ପଢ଼ାଉଥିବା ତାଙ୍କର ଦୁଇଜଣ ଅଧ୍ୟାପକ ବିନୟ ଦା’ ଓ ପ୍ରବାସ ଦା’ ତାଙ୍କୁ ପାଖରେ ବସାଇ ବିଶିଷ୍ଟ ଦାର୍ଶନିକ ଦୁଇଜଣଙ୍କ ବିଷୟରେ ସୂଚନା ଦେଲେ । ଦୁଇଜଣଙ୍କ ମତ ଥିଲା ଭିନ୍ନ । ସେ ଜର୍ମାନୀ ଦାର୍ଶନିକ କାଣ୍ଟ ଅଥବା ଫରାସୀ ଦାର୍ଶନିକ ବର୍ଗସଁଙ୍କ ଦର୍ଶନ ବିଷୟରେ ନିବନ୍ଧ ଲେଖିବାକୁ ଆଦୌ ରାଜି ନ ଥିଲେ । ଦୁହେଁ ବିଶେଷ କ୍ଳାସମାନ ନେଇ ତାଙ୍କୁ ଯେତେ ମଙ୍ଗାଇବାକୁ ଚେଷ୍ଟାକଲେ ଚିତ୍ତବାବୁ ଆଦୌ ମଙ୍ଗିଲେ ନାହିଁ । ସେ ପୂର୍ବରୁ ସୂଚନା ଦେଇଥିବା ବେନେଡି କଟ୍‌ସ୍ପିନୋଜାଙ୍କ ଦର୍ଶନ ବିଷୟରେ ନିବନ୍ଧ ପ୍ରସ୍ତୁତ କରିବେ ବୋଲି ନିଜ ମତ ସ୍ପଷ୍ଟ କଲେ । ସେ ଦୁହେଁ ସ୍ପିନୋଜାଙ୍କ ଦର୍ଶନ ବିଷୟରେ ଅଧିକ କିଛି ପଢ଼ି ନ ଥିବାରୁ ଚିତ୍ତରଂଜନକୁ କିଛି ଦିଗ୍‌ଦର୍ଶନ ଦେଇପାରିବେ ନାହିଁ । ଏକା ଏକା ଚିତ୍ତରଂଜନ ନିବନ୍ଧ ପ୍ରସ୍ତୁତ କରିବେ । ତେଣୁ ସେମାନେ କାର୍ଯ୍ୟରେ ଆଗେଇବାପାଇଁ ତାଙ୍କୁ ଆଶୀର୍ବାଦ ଦେଇ ଶୁଭ ମନାସିଲେ । ବେନେଡି କଟ୍‍ସ୍ପିନୋଜାଙ୍କ ଦର୍ଶନ ଉପରେ ନିବନ୍ଧ ଲେଖିବାରେ ଚିତ୍ତରଂଜନଙ୍କର ପ୍ରଗାଢ଼ ଇଚ୍ଛାଥିଲା । ସ୍ପିନୋଜାଙ୍କୁ ସେ ତାଙ୍କର ଆର୍ଦଶ ଭାବରେ ଗ୍ରହଣ କରି ନେଇଥିଲେ । ଏହାର କାରଣ ହେଲା ସ୍ପିନୋଜାଙ୍କ ଦର୍ଶନପରି ତାଙ୍କର ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ପ୍ରେରଣାମୟ ଓ ଆକର୍ଷକ ଥିଲା । ସ୍ପିନୋଜା ଭିନ୍ନ କିସମର ଦାର୍ଶନିକ ଏବଂ ଅନ୍ୟ କିସମର ମଣିଷ ଥିଲେ । ସେ ନିଜ ବିଶ୍ୱାସ ଓ ସତ୍ୟ ପ୍ରତ୍ୟୟଗୁଡ଼ିକ ଅନୁସାରେ ପରିଚାଳିତ ହେଉଥିଲେ । ତେଣୁ ଜୀବନରେ ତାଙ୍କୁ ଦୁଃଖ କଷ୍ଟର ସାମ୍ନା କରିବାକୁ ପଡ଼ିଥିଲା । ଚବିଶ ବର୍ଷ ବୟସରେ ଗୋଟିଏ ଆପତ୍ତିଜନକ ପୁସ୍ତକ ଲେଖି ନିଜ ସମାଜରୁ ବହିଷ୍କୃତ ହୋଇଥିଲେ । ହଲାଣ୍ଡର ଗୋଟିଏ ଛୋଟ ଗାଆଁରେ ଚଷମାର ଲେନ୍‌ସ ତିଆରି କରି ନିଜର ଜୀବିକା ନିର୍ବାହ କରୁଥିଲେ । ସମୟ ପାଇଲେ ଦର୍ଶନ ପୁସ୍ତକ ଲେଖୁଥିଲେ । ଜର୍ମାନୀର ହାଇଡେଲ୍ ବେଆର୍ଗ ବିଶ୍ୱବିଦ୍ୟାଳୟରୁ ତାଙ୍କୁ ଏକଦା ପ୍ରଫେସର ପଦ ଯଚା ଯାଇଥିଲା । ମାତ୍ର ସେ ତାକୁ ଗ୍ରହଣ କରିନଥିଲେ । ଅନେକ ଆର୍ଥିକ ପ୍ରଲୋଭନ ତାଙ୍କୁ ଦେଖାଯାଇଥିଲା । ମାତ୍ର କୌଣସିଥିରେ ଭଳି ଯିବାଭଳି ବ୍ୟକ୍ତି ସେ ନ ଥିଲେ । ଇଉରୋପୀୟ ଦର୍ଶନ ଇତିହାସରେ ତାଙ୍କ ପରି ବ୍ୟକ୍ତି ଥିଲେ ବିରଳ, ଯାହାଙ୍କ ଦର୍ଶନକୁ ଚିତ୍ତରଂଜନ ଆଗ୍ରହର ସହ ନିବନ୍ଧର ବିଷୟବସ୍ତୁ ଭାବରେ ନିର୍ବାଚନ କରିଥିଲେ ।

ଚିତ୍ତରଂଜନ ସ୍ପିନୋଜାଙ୍କ ଦର୍ଶନ ଉପରେ ଅଧ୍ୟୟନ ଆରମ୍ଭ କଲେ । ତାଙ୍କର ସମସ୍ତ ଗ୍ରନ୍ଥ ଲାଟିନ୍ ଭାଷାରେ ଲେଖା ଯାଇଥିଲା । ତାଙ୍କର ସମସ୍ତ ଗ୍ରନ୍ଥ ପାଇବା ପାଇଁ ମୁଖ୍ୟ ଗ୍ରନ୍ଥାଗାରିକ ଶ୍ରୀ ପ୍ରଭାତ ମୁଖୋପାଧ୍ୟାୟ ସହାୟତା କଲେ । କେବଳ କଲିକତାର ବିରାଟ ଇମ୍ପିରିଆଲ ଲାଇବ୍ରେରୀ ନୁହେଁ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରୁ ମଧ୍ୟ ପ୍ରଭାତ ଦା’ଙ୍କ ସହାୟତାରେ ସେ ଆବଶ୍ୟକ ଗ୍ରନ୍ଥଗୁଡ଼ିକ ପାଇପାରିଥିଲେ । ଚିତ୍ତରଂଜନ ଗ୍ରନ୍ଥ ଅଧ୍ୟୟନ କରି ନିବନ୍ଧଟିଏ ଲେଖିଦେଲେ । ଏହାକୁ ନେଇ ସେ ତାଙ୍କର ଦୁଇଜଣ ଦର୍ଶନ ଅଧ୍ୟାପକ ବିନୟ ଦା’ ଓ ପ୍ରବାସ ଦା’ଙ୍କୁ ପଢ଼ି ଣୁଣାଇଲେ । କେତେକ ସ୍ଥାନରେ ମଧ୍ୟ ସେମାନଙ୍କର ନିର୍ଦ୍ଦେଶମତେ ସଂଶୋଧନ ହେଲା । ନିବନ୍ଧଟି ଶେଷରେ ଟାଇପ୍ କରାଇ ବିଧିବଦ୍ଧଭାବରେ ତାକୁ ବିଶ୍ୱଭାରତୀ ଶିକ୍ଷାଭବନରେ ଅଧ୍ୟକ୍ଷଙ୍କ ପାଖରେ ଦାଖଲ କଲେ । ଶିକ୍ଷାଭବନ ତରଫରୁ ସେଇଟିକୁ ପରୀକ୍ଷା ପାଇଁ ପଠାଗଲା । ଗୋଟିଏ ନୂଆ କଥା ତାଙ୍କ ପାଇଁ କରାଗଲା । ପୂର୍ବରୁ ବିଶ୍ୱଭାରତୀରେ କାହାରି ନିବନ୍ଧ ପରୀକ୍ଷଣ ଓ ମୂଲ୍ୟାୟନ ପାଇଁ ବାହାରକୁ ପଠାଯାଇନଥିଲା, କିନ୍ତୁ ତାଙ୍କ ନିବନ୍ଧଟିକୁ ବାହାରକୁ ପଠାଗଲା । ଲିଖିତ ପରୀକ୍ଷାରେ ଚିତ୍ତରଂଜନ କୃତକାର୍ଯ୍ୟ ହେବାପରେ ପରୀକ୍ଷକମାନେ ତାଙ୍କର ମୌଖିକ ପରୀକ୍ଷା ନିମନ୍ତେ ଶାନ୍ତିନିକେତନ ଆସିଲେ ଏବଂ ନିବନ୍ଧଟି ବିଷୟରେ ସେମାନଙ୍କ ଲିଖିତ ମନ୍ତବ୍ୟ ଦେଇଯାଇଥିଲେ । ଏତେ ଅଳ୍ପ ବୟସରେ ଚିତ୍ତରଂଜନ ସ୍ପିନୋଜାଙ୍କ ଦର୍ଶନଭିତରକୁ ପ୍ରବେଶ କରି ଭାରତୀୟ ପ୍ରାଚୀନ ଦର୍ଶନର ଅନେକ ଉପାଦାନ ସହିତ ତା’ର ଏକ ତୁଳନାତ୍ମକ ମୂଲ୍ୟାୟନ କରିପାରିଥିବାରୁ ପରୀକ୍ଷକମାନେ ତାକୁ ବହୁତ ପ୍ରଶଂସା କରିଥିଲେ । ବିଶ୍ୱଭାରତୀ ଶେଷ ପରୀକ୍ଷାରେ ମଧ୍ୟ ସେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୪୮ ଡିସେମ୍ବର ମାସର ସମାବର୍ତ୍ତନ ଉତ୍ସବରେ ତାଙ୍କୁ ପ୍ରମାଣ ପତ୍ର ମିଳିଲା । ସେତେବେଳେ ବିଶ୍ୱଭାରତୀର ଅଧ୍ୟକ୍ଷା ଥିଲେ ଶ୍ରୀମତୀ ସରୋଜିନୀ ନାଇଡ଼ୁ ।

୧୯୪୮ ମସିହାରେ ବିଶ୍ୱଭାରତୀ ବିଦ୍ୟାଭବନର ଏକ ଅଂଶରୂପେ ଓଡ଼ିଆ ଗବେଷଣା ବିଭାଗ ପ୍ରଥମେ ଖୋଲାଗଲା । ଏଥିରେ ପ୍ରଥମ କର୍ମୀରୂପେ ପ୍ରହ୍ଲାଦ ପ୍ରଧାନ ଯୋଗ ଦେଲେ । ସେ ପୂର୍ବରୁ କିଛିବର୍ଷ ଧରି ଓଡ଼ିଶା ସରକାରୀ ଶିକ୍ଷା ବିଭାଗ ତରଫରୁ ଶାନ୍ତିନିକେତନରେ ଆସି ଚୀନାଭବନରେ ଗବେଷଣା କରୁଥାନ୍ତି । ତାଙ୍କର ସହଯୋଗୀ ଗବେଷକ ରୂପେ ଚିତ୍ତରଂଜନ ଦାସ ମନୋନୀତ ହେଲେ । ସେମାନଙ୍କର ପାଇଁ ଏକ ସ୍ୱତନ୍ତ୍ର କୋଠରୀ ଖୋଲି ଦିଆଗଲା । ଏଥିରେ ଆରମ୍ଭ ହେଲା ଓଡ଼ିଶା ବିଭାଗର ଗ୍ରନ୍ଥାଗାର । ସେହି ଲାଇବ୍ରେରି ପାଇଁ ଓଡ଼ିଆ ବହି କିଣି ନେବାଲାଗି ଶ୍ରୀଯୁକ୍ତ ପ୍ରଧାନ ଚିତ୍ତରଂଜନକୁ କଟକ ପଠାଇଥିଲେ । ଓଡ଼ିଆ ସାହିତ୍ୟରେ ଗବେଷଣା କ୍ଷେତ୍ରରେ ସେଇ ହିଁ ତାଙ୍କୁ ପ୍ରଥମେ ବାଟ ଦେଖାଇଲେ । ତେଣୁ ସେଭଳି ଏକ ଋଷିପ୍ରତିମ ବ୍ୟକ୍ତିଙ୍କ ନିକଟରେ ଚିତ୍ତରଂଜନ ନିଜକୁ ଚିରଋଣୀ କରିଦେଲେ । ଓଡ଼ିଶାରୁ ଛାତ୍ରଛାତ୍ରୀମାନେ ଯାଇ ଶାନ୍ତିନିକେତନର ଏକାଧିକ ବିଭାଗରେ ଅଧ୍ୟୟନ କରୁଥାନ୍ତି । ଓଡ଼ିଶାର ପିଲାମାନେ ନିଜନିଜ ଭିତରେ ଘନିଷ୍ଠ ସମ୍ପର୍କ ରଖିଥିଲେ । ୧୯୪୯ ମସିହାରେ ଶ୍ରୀଯୁକ୍ତ ପ୍ରହ୍ଲାଦ ପ୍ରଧାନ ଚୀନ୍‍ ଗଲେ । ତାଙ୍କ ସ୍ଥାନରେ ଆସିଲେ ଅଧ୍ୟାପକ କୁଞ୍ଜବିହାରୀ ଦାଶ । ଉଭୟଙ୍କ ପ୍ରଚେଷ୍ଟାରେ ଶାନ୍ତିନିକେତନରେ ଓଡ଼ିଆ ବିଭାଗରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଲା । ଚିତ୍ତରଂଜନଙ୍କ ସହମତି ନ ଥିଲେ ବି ସେଠାରେ ଓଡ଼ିଆ ପରିଷଦ ଗଠିତ ହେଲା । ପିଲାମାନେ ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ଏମ.ଏ. ପଢ଼ିଲେ, ଡିଗ୍ରୀ ହାସଲ କଲେ । କିନ୍ତୁ ଶାନ୍ତିନିକେତନର ମୂଳ କେନ୍ଦ୍ରଟି ସହିତ କୌଣସି ଖିଅ ଲଗାଇ ରଖିବାର ବିଶେଷ ଦରକାର ପଡ଼ିଲା ନାହିଁ । ସେଥିପାଇଁ ଚିତ୍ତରଂଜନ ମନରେ ଗୋଟିଏ ଅକୁହା ଦୁଃଖ ରହିଗଲା ।

ଓଡ଼ିଆ ଗବେଷଣା ବିଭାଗରେ ଚିତ୍ତରଂଜନ ଦାସ ସନ୍ଥସାହିତ୍ୟ ଯୁଗଟି ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । ବଳରାମ ଦାସଙ୍କର ଗୀତାନୁବାଦଟି ତାଙ୍କ ଦୃଷ୍ଟିକୁ ଆସିଲା । ପ୍ରଥମେ ସେ ଏହାକୁ ସମ୍ପାଦନା କରି ବିଭାଗରେ ଦାଖଲ କଲେ । ବିଦ୍ୟାଭବନ ତରଫରୁ ତାହା ପ୍ରକାଶିତ ହେଲା-। ୧୯୪୯ ଓ ୧୯୫୦ ମସିହାରେ ‘ଅଚ୍ୟୁତାନନ୍ଦ ଓ ପଞ୍ଚସଖା ଧର୍ମ’ ଏବଂ ‘ଓଡ଼ିଶାର ମହିମାଧର୍ମ’, ନାମରେ ଦୁଇଟି ଗବେଷଣାଧର୍ମୀ ପାଣ୍ଡୁଲିପି ପ୍ରସ୍ତୁତ କଲେ । ସେତେବେଳକୁ ଆଚାର୍ଯ୍ୟ କ୍ଷିତିମୋହନ ସେନଙ୍କ ସ୍ଥାନରେ ଡକ୍ଟର ପ୍ରବୋଧ ଚନ୍ଦ୍ର ବାଗ୍‌ଚୀ ଗବେଷଣା ବିଭାଗର ଅଧ୍ୟକ୍ଷ ହୋଇ ଆସିଥାନ୍ତି । ସେ ଚିତ୍ତରଂଜନଙ୍କୁ ଗବେଷଣା କାର୍ଯ୍ୟରେ ସାହଯ୍ୟ କଲେ । ତାଙ୍କ ବ୍ୟକ୍ତିଗତ ସଂଗ୍ରହରୁ ଚିତ୍ତବାବୁ ବହୁ ବିରଳଗ୍ରନ୍ଥ ଅଧ୍ୟୟନ କରିବାର ସୁଯୋଗ ଲାଭକଲେ । ସେ ଗବେଷଣା ଭିତରକୁ ନିଜକୁ ନିଃଶଙ୍କଭାବେ ସମ୍ପ୍ରସାରିତ କରିଦେଲେ ଏବଂ ଓଡ଼ିଶାର ପଞ୍ଚସଖାଙ୍କ ମଧ୍ୟରେ ଭାରତୀୟ ସନ୍ଥଧାରାଟିକୁ ଆବିଷ୍କାର କରିବାକୁ ଉଦ୍ୟମ ଜାରି ରଖିଲେ । ସେଠାରେ ରଚିତ ତାଙ୍କ ପଞ୍ଚସଖା ଓ ମହିମାଧର୍ମ ସମ୍ପର୍କୀୟ ପାଣ୍ଡୁଲିପି ବିଶ୍ୱଭାରତୀ ଗ୍ରନ୍ଥବିଭାଗ ତରଫରୁ ପୁସ୍ତକ ଆକାରରେ ପ୍ରକାଶିତ ହୋଇଥିଲା । ଡକ୍ଟର ବାଗ୍‌ଚୀ ତାଙ୍କୁ ତିବ୍‌ବତୀ ଭାଷା ଶିଖାଇଲେ । ସେ ଯେଉଁ ଚିନ୍ତାଧାରା ନେଇ ଚିତ୍ତରଂଜନଙ୍କୁ ତିବ୍‌ବତୀ ଭାଷା ପଢ଼ାଇଲେ ସେ କାର୍ଯ୍ୟଗୁଡ଼ିକ କରିବା ପାଇଁ ସେ ଅନାଗ୍ରହୀ ଥିଲେ । ୧୯୪୯ ମସିହାର ଶେଷଭାଗକୁ ଶାନ୍ତିନିକେତନରେ ଅନୁଷ୍ଠିତ ହେଲା ବିଶ୍ୱଶାନ୍ତି ସମ୍ମିଳନୀ । ପୃଥିବୀର ବହୁ ଦେଶର ପ୍ରତିନିଧି ସେଠାକୁ ଆସିଲେ । ସେହି ସମୟରେ ଛାତ୍ରମାନେ ସେମାନଙ୍କ ଦାୟିତ୍ୱ ନେଉଥିଲେ । ସେହି ଅବସରରେ ପ୍ରତିନିଧିମାନଙ୍କ ମଧ୍ୟରୁ ଅନ୍ତତଃ କେତେଜଣଙ୍କ ବ୍ୟକ୍ତିଗତ ସମ୍ପର୍କରେ ଆସିବାର ସୁଯୋଗ ଛାତ୍ରମାନଙ୍କୁ ମିଳିଥିଲା । ଚିତ୍ତରଂଜନଙ୍କ ବିଶେଷ ପରିଚୟ ହେଲା ଡେନ୍‍ମାର୍କର ପ୍ରତିନିଧି ଶ୍ରୀଯୁକ୍ତ ୟର୍ଗନସନ୍‌ଙ୍କ ସହିତ । ପୂର୍ବରୁ ସେ ଅନେକ ବହି ପଢ଼ି ଡେନ୍‍ମାର୍କ ବିଷୟରେ ଜାଣିଥିଲେ । ଡେନ୍‍ମାର୍କର ଜୀବନ କିପରି ପ୍ରଧାନତଃ ସମବାୟ ପଦ୍ଧତି ଅନୁସାରେ ଚାଲିଛି ଏବଂ ସେହି ଦେଶକୁ କିପରି ବାସ୍ତବରେ ଏକ ସମବାୟୀ ସମାଜ କୁହାଯାଇପାରିବ ଏସବୁକଥା ସେ ଆଗରୁ ଜାଣିସାରିଥିଲେ । କିନ୍ତୁ ପ୍ରତ୍ୟକ୍ଷଭାବେ ସେ କାହାଣୀ ସବୁ ଜାଣିବାର ସୁଯୋଗ ମିଳିଲା ଶ୍ରୀ ୟର୍ଗନ୍‌ସନ୍‌ଙ୍କଠାରୁ । ମନ ତାଙ୍କର ଉତ୍କଣ୍ଠାରେ ଭରିଗଲା । କିପରି ସେ ଡେନ୍‍ମାର୍କର ଅଭିଜ୍ଞତାରୁ ଅନେକ ତଥ୍ୟ ଭାରତବର୍ଷକୁ ଆଣି ଆମଦେଶରେ ବହୁତ କିଛି କରିବେ । ସେ ଦେଶକୁ ନିଜ ଆଖିରେ ଦେଖିବା ଏବଂ ସେହି ଦେଶକୁ ଯାଇ ଶିକ୍ଷାଲାଭ କରିବା ପାଇଁ ତାଙ୍କ ମନରେ ମାତ୍ରାଧିକ ପରିମାଣରେ ଆଗ୍ରହ ସୃଷ୍ଟି ହେଲା ।

ଚିତ୍ତରଂଜନ ଦାସ ଜୀବନରେ ଶିକ୍ଷକଟିଏ ହେବାର ଲକ୍ଷ୍ୟ ରଖିଥିଲେ । ହେଲେ ଭାରତବର୍ଷରେ ତଥା କଥିତ ଶିକ୍ଷାପ୍ରତି ତାଙ୍କର ଆଦୌ ଆଗ୍ରହ ନ ଥିଲା । କାରଣ ସେ ଶିକ୍ଷାଥିଲା ଚାକିରୀ ଉଦ୍ଦେଶ୍ୟରେ ଅଭିପ୍ରେତ । କିନ୍ତୁ ସେ ଶ୍ରୀ ୟର୍ଗନସନ୍‌ଙ୍କଠାରୁ ଡେନ୍‍ମାର୍କ ବିଷୟରେ ଯେତେକଥା ଶୁଣୁଥାନ୍ତି, ତାଙ୍କ ମନର ଆଗ୍ରହର ମାତ୍ର ସେତିକି ପରିମାଣରେ ବଢ଼ିବଢ଼ି ଚାଲିଥାଏ । ଏକଦା ଓଡ଼ିଶାକୁ ଆସିଥିବା ସମୟରେ ସେ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କୁ ତାଙ୍କ ମନକଥା କହିଲେ । ସେତେବେଳେ ବାଜି ରାଉତ ଛାତ୍ରାବାସରେ ଶିକ୍ଷାଳୟର ଅଭିନବ ପରିବେଶଟିଏ ଗଢ଼ିବାର ଯୋଜନା କରୁଥାନ୍ତି ଶ୍ରୀମତୀ ମାଳତୀ ଚୌଧୁରୀ । ସହକର୍ମୀମାନଙ୍କ ସହିତ ଆଲୋଚନା ଚାଲିଥାଏ । ପୁରୁଣା ଢାଞ୍ଚାର ହାଇସ୍କୁଲ ତ ଓଡ଼ିଶାରେ ଅନେକ ଅଛି । ତେଣୁ ତାହାର ପୁନରାବୃତ୍ତି ନ କରି ନୂଆ ଢାଞ୍ଚାରେ ସ୍କୁଲ ଗଢ଼ିବାର କଳ୍ପନା ଚାଲିଥାଏ । ଚିତ୍ତରଂଜନ ଯଦି ଡେନ୍‍ମାର୍କକୁ ପଢ଼ିବାକୁ ଯାଆନ୍ତି ତେବେ ସେହି ଦେଶର ଶିକ୍ଷା ବ୍ୟବସ୍ଥା ତଥା ସମବାୟ ସଂସ୍ଥାଗୁଡ଼ିକରୁ ଅଧିକ ଶିକ୍ଷାଲାଭ କରି ଓଡ଼ିଶାକୁ ଫେରି ଆସିଲେ ନୂଆକରି ଶିକ୍ଷାବ୍ୟବସ୍ଥା ଅନୁଗୁଳ ଛାତ୍ରାବାସର ଶିକ୍ଷାଳୟରେ ପ୍ରୟୋଗ କରିବେ । ତେଣୁ ଶ୍ରୀମତୀ ଚୌଧୁରୀ ଏହି କଥାକୁ ଆଖିଆଗରେ ରଖି ଚିତ୍ତରଂଜନଙ୍କୁ ଡେନ୍‍ମାର୍କ ପଠାଇବାର ପ୍ରତିଶ୍ରୁତି ଦେଲେ । ଅଳ୍ପ ଦିନପରେ ଶ୍ରୀମତୀ ମାଳତୀ ଚୌଧୁରୀଙ୍କଠାରୁ ସମ୍ବାଦ ପାଇଲେ ଯେ ଓଡ଼ିଶାର ଜଣେ ଶିଳ୍ପପତି ବିଜୟାନନ୍ଦ ପଟ୍ଟନାୟକ ଡେନ୍‍ମାର୍କରେ ତାଙ୍କର ରହିବା ଓ ପାଠପଢ଼ିବାରେ ସମସ୍ତ ଖର୍ଚ୍ଚ ବହନ କରିବାକୁ ରାଜି ଅଛନ୍ତି । ଯିବା ପାଇଁ ବାଟ ଖର୍ଚ୍ଚ ମଧ୍ୟ ସେ ଯୋଗାଇ ଦେବେ । ଯେତେଦିନ ଚିତ୍ତରଂଜନ ସେଠାରେ ପଢ଼ିବେ ସବୁ ଅର୍ଥ ସେଇ ହିଁ ଭରଣା କରିବେ । ସେ ଦିନ ଏକଥା ଶୁଣିବାମାତ୍ରେ ଚିତ୍ତରଂଜନଙ୍କ ମନରେ ଅଫୁରନ୍ତ ଆନନ୍ଦ ଭରିଗଲା । ଏଥିପାଇଁ ତାଙ୍କୁ ଅନ୍ୟସମସ୍ତ ବ୍ୟବସ୍ଥା କରିବାକୁ ପଡ଼ିବ । ନିୟମ ଅନୁସାରେ ସେ ଡେନ୍‍ମାର୍କର ରାଜଧାନୀ କୋପେନହେଗେନ ବିଶ୍ୱବିଦ୍ୟାଳୟକୁ ଦରଖାସ୍ତ କଲେ ଏବଂ କିଛିଦିନ ପରେ ତାଙ୍କୁ ଉତ୍ତର ବି ମିଳିଗଲା । ନାମଲେଖା ପୂର୍ବରୁ ତାଙ୍କୁ ସେଠାରେ ଗୋଟିଏ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ । ବିଶ୍ୱବିଦ୍ୟାଳୟରେ ସେହି ଦେଶର ଭାଷା ଡେନିଶ୍ ହେଉଛି ଶିକ୍ଷାର ମାଧ୍ୟମ । ତେଣୁ ସେ ଉତ୍ସାହର ସହିତ ବହି କିଣି ଡେନିଶ୍ ଭାଷା ଶିଖିଲେ । ତେଣେ ଶ୍ରୀଯୁକ୍ତ ୟର୍ଗନସନ୍‍ଙ୍କ ସହିତ ପତ୍ରାଳାପ ମଧ୍ୟ କରୁଥାନ୍ତି । ଶ୍ରୀଯୁକ୍ତ ୟର୍ଗନସନ୍ ବିଶ୍ୱବିଦ୍ୟାଳୟକୁ ଯାଇ ତାଙ୍କ ପାଇଁ ସବୁକାମ କରିଦେଇଥିଲେ । ବିଦେଶ ଯିବାପାଇଁ ପାସପୋର୍ଟ ନିମନ୍ତେ ଦରଖାସ୍ତ କରିସାରିବା ପରେ ସେ ଘରକୁ ସବୁକଥା ଜଣାଇଲେ । ଏଥିରେ ବାପା, ବୋଉ, ଭାଇ, ଭାଉଜ ସମସ୍ତେ ଖୁସି ହେଲେ । ଶାନ୍ତିନିକେତନରୁ ଏଣିକି ବିଦାୟ ନେବାକୁ ପଡ଼ିବ ଏକଥା ଭାବିଲାବେଳକୁ ତାଙ୍କ ମନରେ ଅକୁହା ବେଦନା ଭରିଯାଉଥିଲା । ୧୯୪୫ ମସିହାରୁ ୧୯୫୦ ମସିହା ଦୀର୍ଘ ପାଞ୍ଚବର୍ଷ ପର୍ଯ୍ୟନ୍ତ ସ୍ନେହମୟୀ ଜନନୀ ପରି ଶାନ୍ତନିକେତନ ତାଙ୍କର ଅସଲ ଜିଜ୍ଞାସାଗୁଡ଼ିକୁ ପୂରଣ କରିଥିଲା ଏବଂ ଏକ ନୂତନ ଜୀବନଦୀକ୍ଷାରେ ତାଙ୍କ ଦୀକ୍ଷିତ କରିଥିଲା । ଶାନ୍ତିନିକେତନର ନିର୍ଭୟ ନୀଡ଼ ତାଙ୍କ ଡେଣାରେ ଯେଉଁ ଆତ୍ମପ୍ରତ୍ୟୟ ଓ ବଳ ଭରି ଦେଇଥିଲା ତାହାହିଁ ତାଙ୍କୁ ଉଡ଼ାଇ ନେଇଥିଲା ବିଶ୍ୱନୀଡ଼ର ସନ୍ଧାନରେ । ଶାନ୍ତିନିକେତନର ଜ୍ଞାନର ବଳୟଭିତରେ ସେ ନିଜକୁ ହଜାଇ ଦେଉଥିଲେ । ଏପରି ପ୍ରିୟସ୍ଥାନ ଆଉ କେବେ ସେ ପାଇବେ ନାହିଁ । ଏଠାରେ ଭାରତବର୍ଷର ସବୁ ଭାଷା ଓ ସାହିତ୍ୟର ଜିଜ୍ଞାସୁମାନେ ଥିଲେ । ତାଙ୍କ ଦୃଷ୍ଟିରେ ଶାନ୍ତିନିକେତନରେ ଇଂରେଜ ସାହିତ୍ୟ, ଭାରତୀୟ ଷଡ଼ ଦର୍ଶନ, ଇଉରୋପୀୟ ମେଧା, ଚୀନଦେଶର ସାଂସ୍କୃତିକ ସମ୍ପଦ ଏବଂ ଖ୍ରୀଷ୍ଟ୍ରୀୟାନ ଧର୍ମ ସମ୍ବନ୍ଧୀୟ ଆଗ୍ରହୋଦ୍ଦୀପକ ଧାରା ବେଶ୍ ଖୁନ୍ଦି ହୋଇ ରହିଥିଲା । ଏହା ତାଙ୍କୁ ସବୁପ୍ରକାର ସ୍ୱାଧୀନତା ଦେଇ ଆତ୍ମପ୍ରତ୍ୟୟ ସୃଷ୍ଟି କରିଥିଲା । ଶାନ୍ତିନିକେତନର ରବୀନ୍ଦ୍ର ସଙ୍ଗୀତଗୁଡ଼ିକ ତାଙ୍କ ମନକୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ସୋପାନଟିଏ ପରେ ଆଉ ଗୋଟିଏ ସୋପାନ ଉଠିବାର ବଳ ଭରି ଦେଉଥିଲା । ତାଙ୍କୁ ଯେଉଁ ସଙ୍ଗୀତ ଭଲ ଲାଗୁଥିଲା ତାହା ସ୍ୱତଃ ତାଙ୍କର ମନେ ରହିଯାଉଥିଲା । ସେ ଜୀବନରେ କେବେ ରବୀନ୍ଦ୍ରନାଥଙ୍କୁ ସଶରୀର ଦେଖି ନ ଥିଲେ କିନ୍ତୁ ତାଙ୍କ ସଙ୍ଗୀତ ଗାନରୁ ସେ ଚିହ୍ନି ପାରୁଥିଲେ ରବୀନ୍ଦ୍ରଙ୍କର ବିଶାଳ ବ୍ୟକ୍ତିତ୍ୱକୁ ଏବଂ ଛୁଇଁ ପାରୁଥିଲେ ତାଙ୍କ ପ୍ରଶସ୍ତ ହୃଦୟର ସୀମା ସରହଦକୁ । ଚିତ୍ତବାବୁଙ୍କୁ ରବୀନ୍ଦ୍ର ସଙ୍ଗୀତ ଏତେମାତ୍ରାରେ ପ୍ରଭାବିତ କରିଥିଲା ଯେ, ସେ ସଙ୍ଗୀତ କହିଲେ କେବଳ ରବୀନ୍ଦ୍ର ସଙ୍ଗୀତକୁ ହିଁ ବୁଝୁଥିଲେ । ସେଠାକାର ଗ୍ରନ୍ଥାଗାରକୁ ସେ ଜୀବନସାରା ଭୁଲି ନ ଥିଲେ ।

୧୯୫୦ ମସିହା ଦଶହରା ସମୟକୁ ସେ ଶାନ୍ତିନିକେତନରୁ ବିଦାୟ ନେଇ ଆସିଲେ । ଚିତ୍ତରଂଜନଙ୍କୁ ବିଦେଶ ଯିବାପାଇଁ ପାସପୋର୍ଟ ମିଳିବାରେ ବିଳମ୍ବ ହେଉଥାଏ । ତେଣୁ ସେ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ପରାମର୍ଶକ୍ରମେ ସେବାଗ୍ରାମରେ ରହିଲେ । ସେଠାରେ ସେତେବେଳେ ମହାତ୍ମାଗାନ୍ଧୀଙ୍କ ପ୍ରବର୍ତ୍ତିତ ମୌଳିକ ଶିକ୍ଷାର ଉଚ୍ଚତର ସ୍ତରଗୁଡ଼ିକ ବିଷୟରେ ଉତ୍ସାହର ସହିତ ପ୍ରୟୋଗ ହେଉଥାଏ । ଭାରତର ବିଭିନ୍ନ ପ୍ରଦେଶରୁ ଛାତ୍ରମାନେ ସେଠାରେ ତାଲିମ ନେଉଥାନ୍ତି । ଚିତ୍ତରଂଜନ ସେହିମାନଙ୍କର ଦୈନନ୍ଦିନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାର ମାଧ୍ୟମରେ ମୌଳିକ ଅଭିନବ ପ୍ରୟୋଗଟିକୁ ଆନ୍ତରିକ ଭାବରେ ଜାଣିବାକୁ ଚେଷ୍ଟା କରୁଥାନ୍ତି । ଏହି ସେବାଗ୍ରାମରେ ମହାତ୍ମାଗାନ୍ଧୀ ବାସ କରୁଥିବା କୁଟୀରଟି ଅବସ୍ଥିତ ଥିଲା । ଚିତ୍ତବାବୁ ସେଠାରେ ପାଞ୍ଚଛଅ ସପ୍ତାହ ରହିଲେ । ଓଡ଼ିଶାରୁ ତାଲିମ ପାଉଥିବା କେତେଜଣ ବନ୍ଧୁଙ୍କ ସହିତ ଥରେ ପାଦରେ ଚାଲିଚାଲି ଯାଇ ଶ୍ରୀ ବିନୋବା ଭାବେଙ୍କର ପୌନାର ଆଶ୍ରମ ଦେଖିଆସିଲେ । ରବୀନ୍ଦ୍ରନାଥ ଓ ମହାତ୍ମାଗାନ୍ଧୀଙ୍କ ଜୀବନାଦର୍ଶ ଚିତ୍ତରଂଜନଙ୍କ ଜୀବନକୁ ବହୁଳ ଭାବରେ ପ୍ରଭାବିତ କରିଥିବାରୁ ସେ ଜୀବନର ଗତିପଥରେ ଏହାକୁ ଅନେକାଂଶରେ ପ୍ରୟୋଗ କରିଥିବା ଲକ୍ଷ୍ୟ କରିହୁଏ । ଚିତ୍ତରଂଜନଙ୍କ ସମ୍ପର୍କରେ ପୁଲିସ୍‍ ପାଖରେ ଅନେକ ଆପତ୍ତିଜନକ କାଗଜପତ୍ର ଥିବାରୁ ତାଙ୍କୁ ପାସପୋର୍ଟ ମିଳିବାରେ ବିଳମ୍ବ ହେଉଛି । ଏକଥା ତତ୍‌କାଳୀନ ରାଜସ୍ୱମନ୍ତ୍ରୀ ଶ୍ରୀନବକୃଷ୍ଣ ଚୌଧୁରୀ ଜାଣିଲାପରେ ପୋଲିସ କର୍ତ୍ତୃପକ୍ଷଙ୍କୁ ସବୁ ବୁଝାଇ ଦେଲେ । ଦେଶ ସ୍ୱାଧୀନ ହେବାପରେ ପରାଧୀନ ଭାରତ ବର୍ଷ କଥାକୁ ଗୁରୁତ୍ୱଦେବା ଅନୁଚିତ । ପୋଲିସ ଅଫିସର ସବୁକଥା ବୁଝିଗଲେ ଏବଂ ଚିତ୍ତରଂଜନଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ପାସପୋର୍ଟ ମିଳିଗଲା । ପରେ ପରେ ଡେନ୍‍ମାର୍କର ଭିସା ବି ଯୋଗାଡ଼ ହୋଇଗଲା । ଚିତ୍ତରଂଜନ ଡେନ୍‍ମାର୍କ ଯିବାର ସମସ୍ତ ଉଦ୍ୟମ ବାସ୍ତବ ରୂପ ନେଲା ।

Image

 

ଉଚ୍ଚଶିକ୍ଷାପାଇଁ ଚିତ୍ତରଂଜନଙ୍କ ଡେନ୍‍ମାର୍କ ଯାତ୍ରା

 

ଚିତ୍ତରଂଜନ ୧୯୫୦ ମସିହା ଡିସେମ୍ବର ମାସରେ ଡେନ୍‍ମାର୍କ ଯାତ୍ରା କଲେ । ଇଉରୋପରେ ନଭେମ୍ବର ଓ ଡିସେମ୍ବର ମାସରେ ପ୍ରବଳ ଶୀତ ହୁଏ । ଏହା ଜାଣି ଶ୍ରୀ ବିଜୟାନନ୍ଦ ପଟ୍ଟନାୟକ ପୂର୍ବରୁ ଚିତ୍ତରଂଜନଙ୍କୁ ସାଙ୍ଗରେ ନେଇ କଲିକତାରେ ହଲ୍‌ ଆଣ୍ଡ ଆଣ୍ଡରସନ୍ କମ୍ପାନୀକୁ ଯାଇ ଶୀତ ଓ ଗ୍ରୀଷ୍ମ ଉଭୟ ଋତୁପାଇଁ ଡେନ୍‍ମାର୍କରେ ଆବଶ୍ୟକ ହେଲାଭଳି ପୋଷାକ ତିଆରି କରାଇଲେ ଏବଂ ଚିତ୍ତରଂଜନଙ୍କ ଠିକଣାରେ ପଠାଇ ଦେଇଥିଲେ । ଚିତ୍ତରଂଜନଙ୍କ ମନରେ ଅସୁମାରି ଭାବନା ଓ ଅସୀମ ସ୍ୱପ୍ନ ଭରିଯାଇଥିଲା । ସେ ଜାଣିଥିଲେ ଭାରତ ବର୍ଷରୁ ଅନେକ ଉଚ୍ଚଶିକ୍ଷିତ ବ୍ୟକ୍ତି ସରକାରଙ୍କଦ୍ୱାରା ବୃତ୍ତି ପାଇ ଇଉରୋପ ବା ଆମେରିକା ଯାଅନ୍ତି । ସେଠାରେ ଶିକ୍ଷାପାଇ ଦେଶକୁ ଫେରିଲାପରେ ଦେଶରେ ତାଙ୍କୁ ଅଧିକ ଦରମା ଦିଆଯାଏ । ଏହାଦ୍ୱାର ଦେଶ କିଛି ଲାଭବାନ ହୋଇନଥାଏ । ଚିତ୍ତରଂଜନଙ୍କ ଦୃଷ୍ଟିଭଙ୍ଗୀ ଓ ଚିନ୍ତାଧାରା ସମ୍ପୂର୍ଣ୍ଣ ନିଆରା ଥିଲା । ଇଉରୋପୀୟ ଜ୍ଞାନ ଲାଭ ଓ ଇଉରୋପୀୟ ବନ୍ଧୁ ସମ୍ପର୍କଦ୍ୱାରା ସେହି ଆଖିକୁ ଅଧିକ ଶକ୍ତିମାନ ଓ କର୍ମସମର୍ଥ କରିବାକୁ ସେ ଡେନ୍‍ମାର୍କ ଯାଇଥିଲେ । ସେ ସେଠାରୁ ଯେଉଁ ବିଦ୍ୟା ଅର୍ଜନ କରି ଘରକୁ ଫେରିବେ ଜଣେ ଶିକ୍ଷକ ହୋଇ । ସେହି ବିଦ୍ୟାକୁ ଏ ଦେଶରେ ପରୀକ୍ଷା କରିବେ– ଏହାହିଁ ତାଙ୍କର ବିଦେଶ ଯାତ୍ରାର ଅସଲ ଉଦ୍ଦେଶ୍ୟ ଥିଲା । ପୂର୍ବରୁ ସେ ଶାନ୍ତିନିକେତନରେ ଦର୍ଶନ, ସାହିତ୍ୟରେ ଅଧ୍ୟୟନ ଓ ଗବେଷଣା କରିଥିଲେ । ତାହାର ପ୍ରମାଣପତ୍ର ସେ ସାଥିରେ ନେଇଥିଲେ-। ଡେନ୍‍ମାର୍କରେ ପହଞ୍ଚିବାପରେ ସେ କୋପେନହେଗେନସ୍ଥିତ ବିଶ୍ୱବିଦ୍ୟାଳୟରେ ଦର୍ଶନ ଅଧ୍ୟୟନ କରିବା ପାଇଁ ଇଚ୍ଛା ପ୍ରକଟ କରି ପ୍ରଫେସରଙ୍କୁ ଜଣାଇଲେ । ପ୍ରଫେସର ହେନେରିକସନ୍ କିନ୍ତୁ ଏଥିରେ ଅରାଜି ହେଲେ ଓ କହିଲେ ଯେ ଦର୍ଶନ ଅଧ୍ୟୟନର ପ୍ରକୃତ କ୍ଷେତ୍ର ଭାରତବର୍ଷ କିନ୍ତୁ ଇଉରୋପ ନୁହେଁ । ତେଣୁ ସେ ଚିତ୍ତରଂଜନଙ୍କୁ ଦର୍ଶନ ନ ପଢ଼ି ମନୋବିଜ୍ଞାନ ପଢ଼ିବାପାଇଁ ପରାମର୍ଶ ଦେଲେ ଓ ଦୃଢ଼ଯୁକ୍ତି ମଧ୍ୟ କଲେ । ଚିତ୍ତରଂଜନ ପ୍ରଫେସର ହେନେରିକସନ୍‌ଙ୍କ କଥାରେ ମନୋବିଜ୍ଞାନ ବିଭାଗରେ ନାମ ଲେଖାଇଲେ ଏବଂ ବିନୀତ ଛାତ୍ରଟିଏ ଭଳି ଦୃଢ଼ ମନୋବଳ ନେଇ ମନୋବିଜ୍ଞାନ ଅଧ୍ୟୟନ କଲେ । ସେତେବେଳେ ୟର୍ଗନସନ୍‍ଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ସେ ସେହି ବିଶ୍ୱବିଦ୍ୟାଳୟରେ ରସାୟନ ବିଭାଗ ଛାତ୍ର ଥିଲେ ।

 

ମନୋବିଜ୍ଞାନ ଅଧ୍ୟୟନ ପାଇଁ ଶ୍ରେଣୀଗୃହଠାରୁ ଗ୍ରନ୍ଥାଗାରକୁ ସେ ଅଧିକ ଗୁରୁତ୍ୱ ଦେଉଥିଲେ । ପୂର୍ବରୁ ଡେନିଶ୍ ଭାଷା ସେ କମ୍ ଶିଖିଥିଲେ । ଡେନିଶ୍ ଭାଷା ଶିଖିବା ପାଇଁ ୟର୍ଗନସନ୍‍ ଏଠାରେ ତାଙ୍କୁ ବହୁ ସହଯୋଗ କଲେ । କଠୋର ଅଧ୍ୟବସାୟ ବଳରେ ସେ ଡେନିଶ୍ ଭାଷା ପଢ଼ିଲେ, ବୁଝିଲେ ଓ କହିଲେ । ଏହି ଭାଷାରେ କଥାବାର୍ତ୍ତା କରିବାଦ୍ୱାରା ସେଠାରେ ତାଙ୍କର ପରିଚୟ ବୃଦ୍ଧି ପାଇଲା । ଡେନ୍‍ମାର୍କରେ ତାଙ୍କର ସଂସାର କ୍ରମଶଃ ବଢ଼ି ବଢ଼ି ଚାଲିଲା । ବହୁ ପରିବାର ତରଫରୁ ଚିତ୍ତରଂଜନଙ୍କୁ ସାନ୍ଧ୍ୟ ଭୋଜନ ପାଇଁ ନିମନ୍ତ୍ରଣ ଆସିଲା । ସେ ଏଠାରେ ବହିଠାରୁ ମଣିଷକୁ ଅଧିକ ଭଲ ପାଇ ବସିଲେ । ଇଉରୋପର ତିନୋଟି ଦେଶ ଡେନ୍‍ମାର୍କ, ଫିନ୍‌ଲାଣ୍ଡ ଓ ଜର୍ମାନୀ ତାଙ୍କ ପାଇଁ ଥିଲା ଅତ୍ୟନ୍ତ ଆପଣାର, ଅତି ନିଜର । ଅଧ୍ୟାପକମାନଙ୍କର ସ୍ନେହ ଓ ଆତ୍ମୀୟତା, ସତୀର୍ଥମାନଙ୍କ ସହିତ ଜ୍ଞାନଚର୍ଚ୍ଚା ଏବଂ ସେମାନଙ୍କ ପରିବାର ସହିତ ଘନିଷ୍ଠ ସମ୍ପର୍କ ଚିତ୍ତରଂଜନଙ୍କ ଜୀବନରେ ଯେପରି ଥିଲା ଗୋଟିଏ ଗୋଟିଏ ସ୍ମରଣୀୟ ଅଧ୍ୟାୟ । ମନୋବିଜ୍ଞାନ ବିଭାଗର ପାଠାଗାର ତାଙ୍କ ପାଇଁ ପ୍ରକୃତ ବନ୍ଧୁଥିଲା । ଲାଇବ୍ରେରୀ ସହିତ ସେ କ୍ରମେ ଅଧିକରୁ ଅଧିକ ବାନ୍ଧି ହୋଇଗଲେ । ଏହିଠାରୁ ହିଁ ସେ ମଣିଷକୁ, ଜୀବନକୁ ଓ ବିଶ୍ୱକୁ ଏକକ ଭାବରେ ଗ୍ରହଣ କରିପାରିଲେ । ମଝିରେ ମଝିରେ ବଡ଼ଭାଇଙ୍କର ଉଚ୍ଚ ଚିନ୍ତା କଥା ମନେପଡ଼ୁଥାଏ ତାଙ୍କର । ଡେନ୍‍ମାର୍କରୁ ଉଚ୍ଚତର ଶିକ୍ଷାଲାଭ କରି ଫେରିବାପରେ ଚିତ୍ତ ଦେଶରେ ଗୋଟିଏ ବଡ଼ ଚାକିରି କରିବ । ବହୁ ଅର୍ଥ ରୋଜଗାର କରି କେତେ ନାଁ କମେଇବ । କିନ୍ତୁ ବଡ଼ଭାଇଙ୍କ ଇଚ୍ଛାକୁ ଚିତ୍ତରଂଜନ ସମ୍ମାନ ଦେଇପାରିଲେନି । ତାଙ୍କ ଚିନ୍ତାଧାରାଠାରୁ ଚିତ୍ତରଂଜନ କେତେଦିନରୁ ଅଲଗା ହେଇ ଯାଇ ସାରିଥିଲେ । ଶାନ୍ତିନିକେତନରେ ତାଙ୍କର ଅଧ୍ୟୟନ ଓ ଅନ୍ତର୍ଯାତ୍ରା ତାଙ୍କୁ ଏକ ଅନ୍ୟମନ୍ତ୍ରରେ ଅଭିମନ୍ତ୍ରିତ କରିଥିଲା । ଫଳରେ ସେ ଅଧିକରୁ ଅଧିକ ଜାଣିବାର ଆଗ୍ରହକୁ ବୃଦ୍ଧି କରିଚାଲିଲେ । କେବଳ ବିଦ୍ୟାପାଇଁ ବହି ଭିତରେ ବନ୍ଧା ପଡ଼ିବାକୁ ସେ ଉଚିତ ମଣୁନଥିଲେ । ବହିକୁ ଅତିକ୍ରମ କରି ପୃଥିବୀକୁ ଜାଣିବା ଓ ପୃଥିବୀଯାକର ମଣିଷକୁ ଜାଣିବାପାଇଁ ସେ ଅତ୍ୟାଗ୍ରହୀ ହେଲେ । ମନୋବିଜ୍ଞାନ ଭିତରେ ସେ ନୃତତ୍ତ୍ୱ ବିଜ୍ଞାନର ଇତିହାସ ଅନୁସନ୍ଧାନ କଲେ । ପାଖାପାଖି ଅଞ୍ଚଳର ବହୁ ଲାଇବ୍ରେରୀ ସହିତ ତାଙ୍କର ପରିଚୟ ହେଲା । ସେଠାକୁ ଯାଇ ସେ ଅଧ୍ୟୟନ ପିପାସାକୁ ମେଣ୍ଟାଉଥାନ୍ତି । ସମାଜବିଜ୍ଞାନ ବିଷୟରେ ମଧ୍ୟ ସେ ଅଧ୍ୟୟନ କରିବାର ସୁଯୋଗ ପାଇଲେ ।

 

ଆମ ଦେଶର ବିଦ୍ୟାର୍ଥୀମାନେ ଶିକ୍ଷାଲାଭ ପାଇଁ ପରିବାର ଉପରେ ନିର୍ଭର କରନ୍ତି । କିନ୍ତୁ କୋପେନହେଗେନ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀ ନିଜ ପାଠ ନିମନ୍ତେ ସେ ନିଜେ କାମକରି ଆବଶ୍ୟକ ଅର୍ଥ ଯୋଗାଡ଼ କରେ । ଚିତ୍ତରଂଜନ କୋପେନହେଗେନର ଗୋଟିଏ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସ୍ୱେଚ୍ଛାସେବୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ଫିନ୍‌ଲାଣ୍ଡ ଯାତ୍ରା କଲେ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦୁଇମାସ ଚାଲିଲା । ଏଠାରେ ତାଙ୍କର ଜୀବନଶୈଳୀ ଆହୁରି ମଜଭୁତ ହୋଇଥିଲା । ଫିନ୍‌ଲାଣ୍ଡ ଜଳବାୟୁରେ ଦିନ ଏକୋଇଶ ଘଣ୍ଟା ଓ ରାତ୍ରି ମାତ୍ର ତିନି ଘଣ୍ଟା । ଫିନ୍‌ଲାଣ୍ଡର ଫିନିଶ୍ ଭାଷା ସେ ଖୁବ୍ କମ ପରିଶ୍ରମରେ ଶିଖିଯାଇଥିଲେ । ତେଣୁ ସେ ସ୍ଥାନ ସହିତ ସେ ଅନେକ ସମ୍ପର୍କରେ ଯୋଡ଼ି ହୋଇଗଲେ । ଏକଦା ଶୀତଦିନେ ଫିନ୍‍ଲାଣ୍ଡରୁ ଏକ ନିମନ୍ତ୍ରଣ ପାଇ ସେ ଯେତେବେଳେ ସେଠା ଲୋକ ବିଦ୍ୟାଳୟଗୁଡ଼ିକୁ ଯାଇଥିଲେ ସେତେବେଳେ ଉତ୍ତରତୁନ୍ଦ୍ରା ପ୍ରଦେଶ ଯାଏ ଯିବାର ତାଙ୍କୁ ସୁଯୋଗ ମିଳିଥିଲା । ସାହୋପୁର କର୍ମ ଶିବିରରେ ଥିବା ସମୟରେ ତାଙ୍କୁ ଚାଷକାମ ସହିତ ଘାସ କାଟିବାକୁ ମଧ୍ୟ ପଡ଼ିଥିଲା । ତେଣୁ ଫିନ୍‌ଲାଣ୍ଡର ସାହୋପୁର ତାଙ୍କ ପାଇଁ ଥିଲା ଅତ୍ୟନ୍ତ ପ୍ରିୟଗ୍ରାମ । ଏଠାରେ ଟିମୋ ପରିବାର ସହିତ ତାଙ୍କର ଘନିଷ୍ଠତା ଥିଲା । ଫିନ୍‍ଲାଣ୍ଡରୁ ଫେରି ଚିତ୍ତରଂଜନ ବସା ବଦଳାଇ ୟର୍ଗନ ପରିବାରରେ ରହିଲେ । ଡେନ୍‍ମାର୍କର ୟର୍ଗନ ପରିବାରକୁ ସେ ନିଜ ପରିବାର ପରି ମନେ କରୁଥିଲେ । ଚିତ୍ତରଂଜନଙ୍କ ପ୍ରତି ତାଙ୍କର ଅଶେଷ ସ୍ନେହ ଓ ଶ୍ରଦ୍ଧା ଥିଲା । ଏପରିକି ୧୯୫୧ ମସିହାରେ ଚିତ୍ତରଂଜନଙ୍କ ଭଉଣୀ ବିଭାଘର କଥା ୟର୍ଗନ ପରିବାର ଜାଣିବା ପରେ ୟର୍ଗନର ବାପା ମା ବହୁମୂଲ୍ୟବାନ ପଦାର୍ଥ ଡାକଯୋଗେ ବାଗଲପୁର ପଠାଇଥିଲେ । ସେଠାରେ ସମସ୍ତେ ନିଜ ନିଜ କାର୍ଯ୍ୟ କରିଥାନ୍ତି । ଅବସର ପାଇଁ କାହାକୁ ସମୟ ନ ଥାଏ । କୋପେନହେଗେନରେ କେତେବର୍ଷର ରହଣି ମଧ୍ୟରେ ସେ ଡେନିଶ୍ ଭାଷାର ଜଣେ ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ପିଟର ପି. ରୋଡ୍ ପରିବାର ସହିତ ପରିଚିତ ହୋଇଥିଲେ-। ଲେଖକଙ୍କର ପତ୍ନୀ ଶ୍ରୀମତୀ ଇନା ହାକ୍‌ସନ୍ ରୋଡ୍‍ ଜଣେ ସ୍ନେହଶୀଳା ମହିଳା ଥିଲେ ଏବଂ ତାଙ୍କ ପରିବାର ସହିତ ସମ୍ପର୍କ ରଖିବାକୁ ସେ ଚିତ୍ତରଂଜନଙ୍କୁ କହିଲେ ।

 

୧୯୫୨ ମସିହା ଗ୍ରୀଷ୍ମଛୁଟିରେ ସେ ଇଉରୋପର ଜର୍ମାନୀ, ଫ୍ରାନ୍‌ସ ଓ ହଲାଣ୍ଡ ଏହି ତିନୋଟି ଦେଶର କିଛି ଜାଗା ବୁଲିବାପାଇଁ ସ୍ଥିର କଲେ । ଡେନିସ୍ ଭାଷା ତାଙ୍କର ଆୟତ୍ତାଧୀନ ଥିଲା । ଦୃଢ଼ମନୋବଳ ଯୋଗୁଁ ସେ ସହଜରେ ଜର୍ମାନୀଭାଷା ଶିକ୍ଷା କରିପାରିଥିଲେ । ପାରିସରେ ସେ ବହୁ ସଂଗ୍ରାହଳୟ ଦେଖିଲେ । ପାରିସୀ ବିପ୍ଳବ ସହିତ ସମ୍ପୃକ୍ତ ରାଜପ୍ରାସାଦ ଏବଂ ନେପୋଲିଅନଙ୍କ ସମାଧିସ୍ଥଳକୁ ଗଲେ । ପାରିସର ବହୁ ସଂଗ୍ରହାଳୟ ଦେଖିସାରି ସାତ ଦିନ ପରେ ହଲାଣ୍ଡ ଆସି ଲାଇଡେନ ସହରରେ ପହଞ୍ଚିଲେ । ଲାଇଡେନରେ ରହିବା ସମୟ ଭିତରେ ଲାଇଡେନ ବିଶ୍ୱବିଦ୍ୟାଳୟ ତାଙ୍କର ଆବଶ୍ୟକତାକୁ ଯଥେଷ୍ଟ ପରିମାଣରେ ପୂର୍ଣ୍ଣ କରିପାରିଥିଲା । ହଲାଣ୍ଡ ହେଉଛି ଦାର୍ଶନିକ ସ୍ପିନୋଜାଙ୍କ ଦେଶ ଏବଂ ଲାଇଡେନ ଅଞ୍ଚଳଟି ତାଙ୍କ ଜୀବନ ସହିତ ଓତଃପ୍ରୋତ ଜଡ଼ିତ ଥିଲା । ଇହୁଦୀ ସମାଜରୁ ନିର୍ବାସିତ ହେବାପରେ ସ୍ପିନୋଜା ରାଇନ ସବୁର୍ଗ ଗାଆଁରେ ବାସ କରୁଥିଲେ । ଏପରି ଏକ ବ୍ୟକ୍ତିତ୍ୱକୁ ଦେଶ ଚିହ୍ନିପାରିଲା ନାହିଁ । ସାରାଜୀବନ ସେ ଅବହେଳିତ ଅବସ୍ଥାରେ ରହିଲେ । ସେଠାରୁ ସେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଶେଷକରି ଦିନକ ପାଇଁ ଅନ୍ତର୍ଜାତୀୟ ନ୍ୟାୟାଳୟ ଦେଖିବାକୁ ଗଲେ ଓ ତା’ପରେ ଆମଷ୍ଟରଡାମ ହୋଇ ଡେନ୍‍ମାର୍କକୁ ଫେରି ଆସିଲେ ।

 

ଚିତ୍ତରଂଜନ ଜୀବନରେ କେବେ ସମୟର ଅପଚୟ କରିନାହାନ୍ତି । ତାଙ୍କ ଜିଜ୍ଞାସୁ ମନ ସବୁବେଳେ ନୂଆକଥା ଜାଣିବା ପାଇଁ ବ୍ୟଗ୍ର ହୋଇଉଠିଛି । ଫ୍ଲରେନସରେ ଥିବାବେଳେ ସେ ବହୁମୂର୍ତ୍ତି, ଗୀର୍ଜା ଓ ସଂଗ୍ରହାଳୟ ମଧ୍ୟରେ ବୁଡ଼ି ରହିଥିଲେ । ସେଠାରୁ ଆସିସି ଆସିଲେ । ଏଠାରେ ମୁଖ୍ୟ ଆକର୍ଷଣ ଥିଲେ ସନ୍ଥ ଫ୍ରାନ୍‌ସିସଙ୍କ ନାମରେ ଥିବା ଗୀର୍ଜା । ସେଠାରୁ ରୋମ ବୁଲିବାକୁ ଗଲେ । ଶେଲୀ ଓ କୀଟସ୍ ଯେଉଁ ଘରେ ଏକ ସମୟରେ ବାସ କରୁଥିଲେ ତାକୁ ଦେଖିଲେ । ତାହା ଏବେ ଏକ ସଂଗ୍ରହାଳୟରେ ପରିଣତ ହୋଇଛି । ଉଭୟଙ୍କ ସମାଧି ସ୍ଥଳକୁ ଦର୍ଶନ କଲେ । ରୋମର ଦକ୍ଷିଣରେ ନେଲପସ୍ ଯାହାକୁ ଇଟାଲୀ ଭାଷାରେ କୁହାଯାଏ ନାପୋଲି । ନାପୋଲିର ସହରତଳିରେ ଥିବା ଏକ ଅନାଥାଶ୍ରମରେ ରହୁଥାନ୍ତି ଚିତ୍ତରଂଜନ । ସେ ଇଉରୋପରେ ଥିବା ସମୟରେ ବହୁ ସାନ ବଡ଼ ଘଟଣାର ସାମ୍ନା କରିଥିଲେ । ଇସ୍ରାଏଲ ସ୍କୁଲ କଥା ତାଙ୍କ ମନରେ ଥାଏ-। ସେଠାରେ ତିନିମାସ ରହି ପିଲାମାନଙ୍କର ସ୍କୁଲ ଦେଖିବାରେ ସେ ଅଧିକ ସମୟ ଦେଉଥିଲେ-। ଜେରୁଜେଲମ୍‌ଠାରେ ଦାର୍ଶନିକ ମାର୍ଟିନ ବୁବୁରଙ୍କ ସହିତ ତାଙ୍କର ସାକ୍ଷାତ୍‍ ହେଲା । ତାଙ୍କ ଘରର ଚାରିଆଡ଼େ ଯେପରି ବହିର ଅରଣ୍ୟ । ଖୁବ୍ ଜ୍ଞାନୀ ଲୋକ । ଗାନ୍ଧିଜୀଙ୍କ ବିଷୟରେ ସେ ତାଙ୍କୁ ବହୁକଥା କହିଲେ । ଏହିପରି ସେଠାରେ ଜ୍ଞାନ ଓ ଜୀବନଧାରା ବିଷୟରେ ଅନେକ ଅଭିଜ୍ଞତା ସାଉଁଟି ଚାଲିଥିଲେ ସେ ।

 

୧୯୫୧ ଓ ୧୯୫୨ ମସିହା ଏହି ଦୁଇ ବର୍ଷର ଶୀତଋତୁକୁ ସେ ଡେନ୍‌ମାର୍କ ଓ ଫିନ୍‌ଲାଣ୍ଡର ଲୋକବିଦ୍ୟାଳୟରେ କଟାଇଲେ । ସେଠାରେ ବହୁ ଲୋକବିଦ୍ୟାଳୟ ସଂସ୍ପର୍ଶରେ ଆସିବା ଫଳରେ ସେ ବିପୁଳ ଅଭିଜ୍ଞତା ଅର୍ଜନ କଲେ । ତାଙ୍କୁ ଉଭୟ ଫିନିଶ୍ ଭାଷୀ ଓ ସୁଇଡିଶ ଭାଷୀ ଲୋକ ବିଦ୍ୟାଳୟକୁ ଯିବାର ସୁଯୋଗ ମିଳିଲା । ଯେତେ ଦେଶ ସେ ବୁଲୁଥାନ୍ତି ଆଖି ତାଙ୍କର ସେତିକି ପ୍ରଶସ୍ତ ହେଉଥାଏ । ଫିନ୍‌ଲାଣ୍ଡ ସାହିତ୍ୟ ଓ ଦେଶବାସୀ ତାଙ୍କ ହୃଦୟକୁ କିଣିନେଇ ପାରିଲେ । ଡେନ୍‍ମାର୍କ ଓ ଜର୍ମାନୀର ବହୁପରିବାର ତାଙ୍କୁ ପୁଅପରି ସ୍ନେହ କରୁଥିଲେ । ଫିନ୍‌ଲାଣ୍ଡର ହୋସିଆ ପରିବାର ଏବଂ ଅଷ୍ଟ୍ରିଆର ପ୍ରଫେସର ହାନସ୍ ତାଙ୍କ ପାଇଁ ଥିଲେ ଯେପରି ପ୍ରେରଣାର ଉତ୍ସ । ଇଉରୋପର ବିଭିନ୍ନ ସ୍ଥାନ ସେ ବୁଲିଲେ, ବହୁ ଲୋକ ବିଦ୍ୟାଳୟକୁ ଗଲେ । ନିଜେ ପଢ଼ିଲେ, ପିଲାମାନଙ୍କୁ ମଧ୍ୟ ପଢ଼ାଇଲେ । ଏଠାର ପ୍ରାକୃତିକ ପରିବେଶ ଯେପରି ମନୋରମ ଅନୁରୂପ ହୃଦୟସ୍ପର୍ଶୀ । ଗ୍ରୀଷ୍ମଋତୁର ଆରମ୍ଭରେ ସେ ଡେନ୍‌ମାର୍କ କୋପେନହେଗେନ ବିଶ୍ୱବିଦ୍ୟାଳୟକୁ ଫେରି ଆସିଲେ । ମନୋବିଜ୍ଞାନରେ ଗବେଷଣା ବାସ୍ତବରେ ତାଙ୍କୁ ବହୁମାର୍ଗ ଦେଖାଇଲା ଓ ଜୀବନର ଗତିପଥକୁ ସମୁଜ୍ଜ୍ୱଳ କଲା । ମନୋବିଜ୍ଞାନ ହିଁ ତାଙ୍କୁ ସମଗ୍ର ଇଉରୋପକୁ ଚିହ୍ନାଇ ଦେଲା । ଇଉରୋପରେ ବହିମାନଙ୍କ ଅପେକ୍ଷା ମଣିଷମାନଙ୍କ ସହିତ ତାଙ୍କ ଆତ୍ମୀୟତା ଅଧିକ ଥିଲା । ଡେନ୍‍ମାର୍କ ଓ ଫିନ୍‌ଲାଣ୍ଡ ଯେପରି ତାଙ୍କ ନିଜ ଗାଆଁ । କେହି ଅପରିଚିତ ନ ଥିଲେ । ସେ ମନୋବିଜ୍ଞାନରେ ଉତ୍ତମ ଫଳ ପ୍ରଦର୍ଶନ କଲେ । ୧୯୫୪ ମସିହାରେ ଡେନ୍‍ମାର୍କରୁ ପଢ଼ାଶେଷ କରି ସେ ଓଡ଼ିଶା ଫେରିଆସିଲେ । ଶିକ୍ଷକଟିଏ ହେବାର ଅନୁଭୂତିସିଦ୍ଧି ହୋଇଗଲେ ଚିତ୍ତରଂଜନ ।

 

ବିଦେଶରୁ ଫେରିବା ପରେ

 

ଚିତ୍ତରଂଜନ ୧୯୫୪ ମସିହା ପ୍ରଥମ ଭାଗରେ ଡେନ୍‍ମାର୍କରୁ ଫେରିବାପରେ କିଛିଦିନ ତାଙ୍କର ପ୍ରିୟସ୍ଥାନ ଶାନ୍ତିନିକେତନରେ ରହି ଓଡ଼ିଶା ଆସିଲେ । ଗାଆଁକୁ ନ ଯାଇ କଟକରୁ ସିଧା ଅନୁଗୁଳ ଗଲେ । ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥାଆନ୍ତି ନବକୃଷ୍ଣ ଚୌଧୁରୀ । ସେ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ଉତ୍ସାହ ଓ ଉଦ୍ୟମରେ ଇଉରୋପ ପାଠପଢ଼ି ଯାଇଥିଲେ । ସେମାନେ ଚିତ୍ତବାବୁଙ୍କ ପାଇଁ କାର୍ଯ୍ୟପନ୍ଥା ସ୍ଥିରକଲେ । ପ୍ରଥମେ ସେ ବାଜି ରାଉତ ଛାତ୍ରବାସରେ ନାମ ଲେଖାଇଲେ । କିଛିଦିନପରେ ଗାଆଁକୁ ଆସିଲେ । ସେତେବେଳକୁ ଗୌରଙ୍ଗ ଚରଣ ଦାସ ଥାଆନ୍ତି ବିଧାନ ସଭାର ସଦସ୍ୟ ଓ ରାଜ୍ୟସ୍ତରୀୟ କଂଗ୍ରେସର ଜଣେ ନେତା । ଚିତ୍ତରଂଜନ ବିଦେଶରୁ ଉଚ୍ଚଶିକ୍ଷାଲାଭ କରି ଫେରିଛି ବୋଲି ବାଗଲପୁରରେ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଗୌରାଙ୍ଗଚରଣ ଦାସ ପ୍ରଥମେ ଖୁସିରେ ବକ୍ତୃତା ଦେଲେ । ତାଙ୍କର ଲକ୍ଷ୍ୟ ଥିଲା ଚିତ୍ତବାବୁ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବେ । ଭାଷଣ ମାଧ୍ୟମରେ ମଧ୍ୟ ସେ ତାହା ବ୍ୟକ୍ତ କଲେ । ଚିତ୍ତରଂଜନ ରାଜନୀତି ନ କରି ଶିକ୍ଷକଟିଏ ହେବେ ବୋଲି ପ୍ରକାଶ କରିଥିଲେ । ଦୀର୍ଘ ତିନିବର୍ଷପରେ ସେ ଗାଆଁକୁ ଫେରିଛନ୍ତି । ସମସ୍ତଙ୍କ ସହିତ ସାକ୍ଷାତ୍‍ କରି କିଛି ଦିନପରେ ଅନୁଗୁଳ ଫେରିଗଲେ । ଅନୁଗୁଳରେ ଚମ୍ପତିମୁଣ୍ଡାରେ ତାଙ୍କ ପାଇଁ ସ୍କୁଲଟିଏ ସ୍ଥାପନ କରାଗଲା । ସେ ଓଡ଼ିଶା ସରକାରଙ୍କର ସମବାୟ ବିଭାଗରେ ଯୋଗଦେବା ପାଇଁ ବହୁ ଅଫିସର, ନେତା ଓ ମନ୍ତ୍ରୀ ଭୁବନେଶ୍ୱରରୁ ଆସି ତାଙ୍କ ମତ ଲୋଡ଼ିଲେ । କିଛି ସୁଫଳ ମିଳିଲାନି ସେମାନଙ୍କୁ । ଶିକ୍ଷକ ହେବାର ଦୃଢ଼ସଂକଳ୍ପରୁ ତାଙ୍କୁ କେହି ହଟାଇ ପାରିଲେ ନାହିଁ । ଏପରିକି ତାଙ୍କ ନିଷ୍ପତ୍ତି ପାଇଁ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀ କିଛି ବି କହି ନ ଥିଲେ । ସେମାନେ ସାରାଜୀବନ ଚିତ୍ତବାବୁଙ୍କୁ ତାଙ୍କ ପୁଅ ଭଳି ଦେଖୁଥିଲେ । ଘର ଲୋକ ମଧ୍ୟ ତାଙ୍କ ତାଙ୍କ ବାଟରେ ଯିବାପାଇଁ କେବେ କଣ୍ଟା ହୋଇନଥିଲେ ।

 

୧୯୫୪ ମସିହା ଜୁଲାଇ ମାସରେ ଚମ୍ପତ୍ତିମୁଣ୍ଡାର ନୂତନ ସ୍କୁଲ ପାଇଁ ପିଲା ସଂଗ୍ରହକାର୍ଯ୍ୟ ହୋଇଗଲା । ଏଥିପାଇଁ ଚିତ୍ତରଂଜନଙ୍କୁ ଭଞ୍ଜନଗର ଓ ରାଜସୁନାଖଳା ଯିବାକୁ ପଡ଼ିଥିଲା । ସେହି ବର୍ଷ ଅଗଷ୍ଟ୨୬ ତାରିଖରେ ବାଜି ରାଉତ ଛାତ୍ରବାସରେ ସ୍କୁଲର ପ୍ରତିଷ୍ଠା ଦିବସ ପାଳନ କରାଗଲା । ସର୍ବଭାରତୀୟ ସ୍ତରର ଜଣେ ସର୍ବମାନ୍ୟ ସର୍ବୋଦୟନେତା ଧୀରେନ୍ଦ୍ର ମଜୁମ୍‍ଦାର ଏଥିରେ ମୁଖ୍ୟଅତିଥି ହୋଇ ଆସିଲେ । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ୪ ଓ ୫ ଜଣ ମନ୍ତ୍ରୀ ସଭାରେ ଯୋଗଦେଲେ । ବିଶିଷ୍ଟ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ଡକ୍ଟର ମାୟାଧର ମାନସିଂହ ଏହି ସଭାରେ ଉପସ୍ଥିତ ରହି ଭାଷଣ ଦେଇଥିଲେ । ଅନୁଷ୍ଠାନଟିର ନାମ ଥିଲା ଜୀବନ ବିଦ୍ୟାଳୟ । ଏଠାରେ ଗୁରୁଛାତ୍ର ଏକାଠି ରହିବେ, ଏକାଠି ଶିକ୍ଷା କରିବେ, ପାଠ୍ୟପୁସ୍ତକରୁ କେବଳ ନୁହେଁ ଜୀବନରୁ ଓ ଅଭିଜ୍ଞତାରୁ ନୂତନ ସମାଜ ପରିବର୍ତ୍ତନକାରୀ ଶିକ୍ଷାର ସନ୍ଧାନ କରିବେ ବୋଲି ବ୍ୟକ୍ତ କରି ଅତିଥିମାନେ ଅନେକ କଥା କହିଲେ ।

Image

 

ଜୀବନ ବିଦ୍ୟାଳୟର ଇତିବୃତ୍ତ

 

ଜୀବନ ବିଦ୍ୟାଳୟର ଶୁଭାରାମ୍ଭ ହେଲା ବାଜି ରାଉତ ଛାତ୍ରବାସରେ । ସେହି ବର୍ଷ ଶେଷବେଳକୁ କୋଡ଼ିଏ ଜଣଛାତ୍ର ବାଜି ରାଉତ ଛାତ୍ରବାସରୁ ଚମ୍ପତିମୁଣ୍ଡା ଗଲେ । ଜଙ୍ଗଲକାଟି ଏଗାର ବଖରା ମାଟିଘର ତିଆରି କରାଗଲା । ସେଠାରେ ପିଲାମାନେ ରହି ଶିକ୍ଷାଲାଭ କଲେ । ଚିତ୍ତରଂଜନଙ୍କୁ ଚମ୍ପତିମୁଣ୍ଡାରେ ଯେଉଁମାନେ ପାଠପଢ଼ାରେ ସହଯୋଗ କରିଥିଲେ ସେମାନେ ହେଲେ ଶ୍ରୀଯୁକ୍ତ ବିନୋଦ ରାଉତରାୟ, ଶ୍ରୀ ଅନ୍ତର୍ଯ୍ୟାମୀ ଶତପଥୀ ଏବଂ କଟକର ଶ୍ରୀମତୀ ଲବଙ୍ଗଲତା ଦେବୀ । ଶିକ୍ଷାୟତନଟିର କଳେବର ଦିନକୁଦିନ ବଢ଼ିବାକୁ ଲାଗିଲା । ଯଥାସମ୍ଭବ ପିଲାମାନେ ହିଁ ବିଦ୍ୟାଳୟର ସବୁକଥା ବୁଝିଥାନ୍ତି । ୧୯୫୫ ମସିହା ବର୍ଷାଋତୁରେ ଦଳେଇ ଘାଇ ଭାଙ୍ଗିଲା, ପିଲାମାନଙ୍କ ସହିତ ଡଙ୍ଗାରେ ଆସି ଚିତ୍ତରଂଜନ ଦୀର୍ଘ ଦୁଇମାସକାଳ ସେବାକାର୍ଯ୍ୟରେ ବ୍ୟସ୍ତ ରହିଲେ । ସରକାରଙ୍କ ସହାୟତାରେ ଅନୁଷ୍ଠାନଟି ବଢ଼ି ବଢ଼ି ଚାଲିଲା । କ୍ରମେ କ୍ରମେ ବିଜ୍ଞାନ ସମ୍ବନ୍ଧୀୟ ଯନ୍ତ୍ରପାତି ଓ ଗ୍ରନ୍ଥାଗାର ଗଢ଼ିଉଠିଲା । ପିଲାମାନେ ନିଜର ରୁଚି ଓ ଖୁସି ଅନୁସାରେ ନିଜର ଜ୍ଞାନର ବୃଦ୍ଧିପାଇଁ ସଚେଷ୍ଟ ହେଲେ । ଓଡ଼ିଆ, ବଙ୍ଗଳା, ହିନ୍ଦୀ, ସଂସ୍କୃତ ଓ ଇଂରାଜୀ ପ୍ରଭୃତି ବିଭିନ୍ନ ଭାଷାର ବହିମାନ କଟକ, କଲିକତା, ଦିଲ୍ଲୀ, ବନାରସ ଓ ଚୌଖମ୍ବାରୁ ମଗା ହେଲା । ପୂର୍ବରୁ ଓଡ଼ିଶାର ପିଲାମାନେ ପାଟନା ବିଶ୍ୱବିଦ୍ୟାଳୟ ଅଧୀନରେ ମାଟ୍ରିକ ପରୀକ୍ଷା ଦେଉଥିଲେ । ଓଡ଼ିଶାରେ ମାଧ୍ୟମିକ ଶିକ୍ଷା ବୋର୍ଡ ଗଠନ ହେଲା । ସେଥିରେ ଚିତ୍ତରଂଜନ ଦାସଙ୍କୁ ଜଣେ ସଭ୍ୟ ରଖାଗଲା । ପଣ୍ଡିତ ଗୋଦାବରୀଶ ମିଶ୍ର ଓ ପବିତ୍ର ମୋହନ ପ୍ରଧାନ ଦୁଇଜଣ ବିଧାନସଭା ସଭ୍ୟ ମଧ୍ୟ ବୋର୍ଡର ସଦସ୍ୟ ହେଲେ । ସେତେବେଳେ ଅନୁଗୁଳରେ ବେସିକ ଟ୍ରେନିଂ ନାମରେ ସ୍ନାତକ ସ୍ତରୀୟ ଗୋଟିଏ ପ୍ରଶିକ୍ଷଣ ମହାବିଦ୍ୟାଳୟ ଖୋଲିଥାଏ । ଶ୍ରୀଯୁକ୍ତ ଶତ୍ରୁଘ୍ନ ନାଥ ସେହି ଅନୁଷ୍ଠାନର ପ୍ରଥମ ଅଧ୍ୟକ୍ଷ ହୋଇଆସିଥାନ୍ତି । ଚମ୍ପତିମୁଣ୍ଡାର ଜୀବନ ବିଦ୍ୟାଳୟକୁ ସେହି ଅନୁଷ୍ଠାନ ସହିତ ଯୋଡ଼ିଦିଆଗଲା । ଶତ୍ରୁଘ୍ନ ନାଥ ଚିତ୍ତରଂଜନଙ୍କ ଅନ୍ୟତମ ମାର୍ଗଦର୍ଶକ ଥିଲେ । ଚମ୍ପତିମୁଣ୍ଡାର ଜୀବନ ବିଦ୍ୟାଳୟରୁ ସଦ୍ୟଭାବେ ପ୍ରକାଶିତ ‘ବିକାଶ’ ପତ୍ରିକାକୁ ଶ୍ରୀଯୁକ୍ତ ନାଥ ଉଦ୍‌ଘାଟନ କରିଥିଲେ ।

 

ଜୀବନ ବିଦ୍ୟାଳୟରେ ଜ୍ୟେଷ୍ଠ କନିଷ୍ଠର କିଛି ବାଛ ବିଚାର ନ ଥିଲା । ତେଣୁ ଶ୍ରୀଯୁକ୍ତ ନାଥ ସେହି ବିଦ୍ୟାଳୟର ଛାତ୍ର ଓ ଶିକ୍ଷକମାନଙ୍କ ସହିତ ଓତଃପ୍ରୋତ ଭାବରେ ମିଶିଯାଉଥିଲେ । ଜୀବନ ବିଦ୍ୟାଳୟର ପ୍ରକୃତରେ ଜୀବନର ମୂଲ୍ୟବୋଧ ଭିତ୍ତିକ ଶିକ୍ଷାଦିଆ ଯାଉଥିଲା । ସମସ୍ତଙ୍କ ଭିତରେ ଆଦର୍ଶର ମୂଲ୍ୟବୋଧ ଭରି ରହିଥିଲା । ସେଠାରେ ନବମ ଓ ଦଶମ ଶ୍ରେଣୀର ପିଲାମାନଙ୍କ ପାଠ ପଦ୍ଧତି ତୁଳନାରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଠପଦ୍ଧତି ସମ୍ପୂର୍ଣ୍ଣ ନିଆରା ଥିଲା । ଛାତ୍ରମାନଙ୍କୁ ନୋଟ୍ ଡକାଯାଉ ନ ଥିଲା । ପିଲାମାନେ ଶ୍ରେଣୀରେ ଯାହା ଶୁଣୁଥିଲେ ତାକୁ ଟିପି ପକାଉଥିଲେ । ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି ଏକଦା ଜଙ୍ଗଲ ପାର ହୋଇ ସେ ବିଦ୍ୟାଳୟକୁ ଆସି ପିଲାମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ । ସର୍ବଭାରତୀୟ ସ୍ତରରେ ଭୂଦାନ ଆନ୍ଦୋଳନ ଚାଲିଲା । ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀଙ୍କ ଶୁଭଦୃଷ୍ଟି ଏ ଅନୁଷ୍ଠାନ ପ୍ରତି ଯଥେଷ୍ଟ ଥିଲା । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟନ୍ତ ବାଜି ରାଉତ ଛାତ୍ରବାସ ଓ ଜୀବନ ବିଦ୍ୟାଳୟ ସହିତ ଓତଃପ୍ରୋତ ଜଡ଼ିତ ଥିଲେ । ତେଣୁ କୌଣସି ସରକାରୀ କାର୍ଯ୍ୟ କରିବାକୁ ଅସହଜ ହେଉନଥିଲା । ବନକୃଷ୍ଣ ଚୌଧୁରୀ ଓଡ଼ିଶାର ମୁଖମନ୍ତ୍ରୀ ପଦଛାଡ଼ି ସେତେବେଳେ ସର୍ବଭାରତୀୟ ସର୍ବୋଦୟ ଦଳର ନେତା ହେଲେ । ଜୀବନ ବିଦ୍ୟାଳୟର ଜୀବନ କ୍ରମଶଃ ସମସ୍ୟା ବିଜଡ଼ିତ ହେଲା । ସେତେବେଳେ ଡି.ପି. ଆଇ. ଥିଲେ ବାମାଚରଣ ଦାସ । ସେ ଯେତେବେଳେ ଏହାର ପରିଦର୍ଶନରେ ଆସୁଥିଲେ ତାଙ୍କୁ ଜୀବନ ବିଦ୍ୟାଳୟର ଜୀବନଧାରା ଏବଂ ପାଠପଢ଼ାର କାର୍ଯ୍ୟକ୍ରମ ଆଦୌ ସନ୍ତୁଷ୍ଟ କରିପାରୁନଥିଲା । ତେଣୁ ସରକାର ଓ ଶିକ୍ଷା ନିର୍ଦ୍ଦେଶକଙ୍କ ଜୀବନବିଦ୍ୟାଳୟ ପ୍ରତି ନକାରାତ୍ମକ ମନୋବୃତ୍ତି ପୋଷଣ କଲେ । ସରକାରୀ ଆର୍ଥିକ ସାହାଯ୍ୟରେ ଅନିୟମିତତା ଦେଖାଗଲା । ବିଶିଷ୍ଟ ବ୍ୟବସାୟୀ ସୀତାରାମ ଅଗ୍ରଓାଲ ବହୁ ଦୁଃସମୟରେ ଚମ୍ପତିମୁଣ୍ଡାର ଜୀବନ ବିଦ୍ୟାଳୟକୁ ଆସି ସାହାଯ୍ୟ କରୁଥିଲେ । ଶିକ୍ଷା ନିର୍ଦ୍ଦେଶକ ଆଇନକୁ ସ୍କୁଲ ଉପରେ ନଦି ଦିଆଗଲା । ଜୀବନ ବିଦ୍ୟାଳୟର ପିଲାମାନେ କଲେଜ ପଢ଼ିବାକୁ ହେଲେ ସେମାନଙ୍କୁ ମାଧ୍ୟମିକ ଶିକ୍ଷା ବୋର୍ଡର ହାଇସ୍କୁଲ ପରୀକ୍ଷାରେ ବସିବାକୁ ପଡ଼ିବ । ବାମାଚରଣ ଦାସ ରେଭେନ୍‍ସାରେ ପୂର୍ବରୁ ଚିତ୍ତରଂଜନଙ୍କ ଗଣିତ ଅଧ୍ୟାପକ ଥିଲେ । ବିନୀତ ଛାତ୍ରଟିର ମନକଥା ସେ ବୁଝିପାରିଲେ ନାହିଁ । ସେହିଦିନଠାରୁ ମୌଳିକ ଶିକ୍ଷା ମରିଗଲା । ଜଣେ ସମର୍ପିତ ମଣିଷର କ୍ଷେତଟି ଉଜୁଡି ଯିବ- ଏହା ଚିତ୍ତରଂଜନ କେବେ ବିଶ୍ୱାସ ରଖିନଥିଲେ । ଦୀର୍ଘ ଚାରିବର୍ଷ ପରେ ସରକାରଙ୍କ ଅସହଯୋଗ ହେତୁ ଚମ୍ପତ୍ତିମୁଣ୍ଡା ଜୀବନ ବିଦ୍ୟାଳୟ ଅସଜଡ଼ା ହୋଇଗଲା । ଚିତ୍ତରଂଜଙ୍କ ମନରେ ଦୁଃଖର ପାହାଡ଼ ଲଦି ହେଲା ପରି ଲାଗିଲା । ସେ ଚମ୍ପତିମୁଣ୍ଡା ଛାଡ଼ି ଗାଆଁକୁ ଫେରିଆସିଲେ । ଶାନ୍ତିନିକେତନର ମୌଳିକ ଶିକ୍ଷା ପ୍ରୟୋଗ ଚମ୍ପତ୍ତିମୁଣ୍ଡାରେ କରିବାପାଇଁ ନିଶାଗ୍ରସ୍ତ ହୋଇପଡ଼ିଥିଲେ, କିନ୍ତୁ ସରକାର ତାହା କରାଇ ଦେଲେ ନାହିଁ । ଏବେ ଚମ୍ପତ୍ତିମୁଣ୍ଡା ସ୍କୁଲ ଅଛି, କିନ୍ତୁ ଜୀବନ ବିଦ୍ୟାଳୟ ନାହିଁ । ଚମ୍ପତିମୁଣ୍ଡା ଛାଡ଼ିଲାପରେ ଚିତ୍ତବାବୁ ଅନେକ ଥର ଚମ୍ପତ୍ତିମୁଣ୍ଡା ଯାଇଛନ୍ତି । ଶିକ୍ଷକମାନେ ତାଙ୍କୁ ଆଦର ଅଭ୍ୟର୍ଥନା ଜଣାଇଛନ୍ତି । କିନ୍ତୁ ମନକୁ ଯେତେ ବୁଝାଇଲେ ବି ସେମିତି ଅବୁଝା ଲାଗୁଥାଏ ଚିତ୍ତଭାଇଙ୍କୁ । ଜୀବନବିଦ୍ୟାଳୟ ପାଇଁ ତାଙ୍କର ସବୁସ୍ୱପ୍ନ ମାଟିରେ ମିଶିଯାଇଥିଲା ।

 

ଚମ୍ପତିମୁଣ୍ଡା ଛାଡ଼ିବା ପରେ

 

ଚିତ୍ତରଂଜନ ଚମ୍ପତ୍ତିମୁଣ୍ଡା ଛାଡ଼ି ଗାଆଁରେ ଥିବା ଜାଣି ଏକଦା ଆନ୍ନା ସାହେବ ଓଡ଼ିଶାର ଦୁଇତିନି ଜଣ ବନ୍ଧୁଙ୍କୁ ଧରି ନଦୀନାଳ ପାଣି କାଦୁଅ ପାରହୋଇ ବାଗଲପୁରରେ ପହଞ୍ଚିଲେ । ଆନ୍ନା ସାହେବଙ୍କୁ ଚିତ୍ତରଂଜନ ଅନେକ ଥର ଦେଖିଥିଲେ ଅନୁଗୁଳର ବାଜି ରାଉତ ଛାତ୍ରାବାସରେ ଏବଂ ନିଖିଳ ଭାରତ ସର୍ବୋଦୟ ସମ୍ମିଳନୀରେ । ସେ ଥିଲେ ମହାରାଷ୍ଟ୍ରର ଜଣେ ସର୍ବୋଦୟ ନେତା-। କିନ୍ତୁ ଉଭୟଙ୍କ ମଧ୍ୟରେ ପରିଚୟ ନ ଥିଲା । ସେତେବେଳେ କୋରାପୁଟରେ ଭୂଦାନ ଓ ସର୍ବୋଦୟକୁ ଏକ ଭାବରେ ଗ୍ରହଣ ନ କରି ଓଡ଼ିଶାର ସର୍ବୋଦୟୀମାନେ ଦୁଇଟି ଶିବିରରେ ବିଭକ୍ତ ହୋଇଯାଇଥାନ୍ତି । ଆନ୍ନା ସାହେବ କୋରାପୁଟରେ ଏହାକୁ ପରିଚାଳନା କରୁଥିଲେ । ଏଣେ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ୱରେ ଓଡ଼ିଶାର ଭୂଦାନ ଆନ୍ଦୋଳନ ଚାଲିଥାଏ । ଆନ୍ନାସାହେବଙ୍କ ଇଚ୍ଛା ଥିଲା ଚିତ୍ତରଂଜନ କୋରାପୁଟ ଯାଇ ନିର୍ମାଣ କାର୍ଯ୍ୟରେ ଭାଗ ନେବେ । ତାଙ୍କ ଯୋଜନା ଅନୁସାରେ କୋରାପୁଟରେ ଶିକ୍ଷା ପ୍ରସାର ଘଟିବ । ଧୋକା ଖାଇଥିବା ଲୋକ ଚିତ୍ତରଂଜନ ତାଙ୍କୁ କୌଣସି କଥାରେ ମୁଣ୍ଡ ପୂରାଇବା ପାଇଁ ମନା କରିଦେଲେ । ତାଙ୍କର ଆଉ କାହା ଉପରେ ବିଶ୍ୱାସ ନ ଥିଲା । ବିଚରା ଆନ୍ନା ସାହେବ ନିରାଶ ହୋଇ ଫେରିଗଲେ । ତଥାକଥିତ ଆଦର୍ଶବାଦୀଙ୍କୁ ସେ ସନ୍ତ୍ରାସବାଦୀ ପରି ମନେକରୁଥିଲେ ।

 

ଗାଆଁରେ ବସିଥିବାବେଳେ ହଠାତ୍ ସେ ଦିଲ୍ଲୀ ସରକାରଙ୍କର ଗୋଷ୍ଠୀ ଉନ୍ନୟନ ବିଭାଗର ଗୋଟିଏ ଚିଠି ପାଇଲେ । ବିଭାଗୀୟ ସଚିବ ବିଭାଗର ଦୁଇଟି ପ୍ରଶିକ୍ଷଣ କେନ୍ଦ୍ରରେ ଦୁଇଟି ବକ୍ତୃତା ଦେବାପାଇଁ ତାଙ୍କୁ ଆମନ୍ତ୍ରଣ କରିଥାନ୍ତି । ସେତେବେଳେ ସମଗ୍ର ଦେଶରେ ଗୋଷ୍ଠୀଉନ୍ନୟନ କାର୍ଯ୍ୟକ୍ରମ ଜୋରସୋରରେ ଆଗେଇ ଚାଲିଥାଏ । ଗୋଷ୍ଠୀଉନ୍ନୟନ ବିଭାଗର ସଚିବ ଶ୍ରୀଯୁକ୍ତ ବ୍ରହ୍ମ ମୁଖାର୍ଜୀ ଦିଲ୍ଲୀ ଆସିବା ପୂର୍ବରୁ ଓଡ଼ିଶାରେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ମୁଖ୍ୟଶାସନ ସଚିବ ଥିଲେ । ସେ ଚିତ୍ତରଂଜନଙ୍କ ସମ୍ପର୍କରେ ନବବାବୁଙ୍କଠାରୁ ଆଗରୁ ସବୁକଥା ଶୁଣିଥିଲେ । ଦୁଇଟି ଯାକ ଶିବିର ଏକ ସ୍ଥାନରେ ନ ଥିଲା । ଗୋଟିଏ ଥିଲା ହରିଆନା ରାଜ୍ୟର ନୀଳଖେଡ଼ିରେ ଏବଂ ଅନ୍ୟଟି ରାଜସ୍ଥାନର ଉଦୟପୁର ବିଦ୍ୟାଭବନରେ । ଚିତ୍ତରଂଜନ ଅବା ଥୟ ହୋଇ କିପରି ଗୋଟିଏ ଜାଗାରେ ବସିରହିବେ । ସେ ସେଠାକୁ ଯିବାକୁ ସମ୍ମତି ଦେଲେ-। ପ୍ରଥମେ ହରିଆନା ରାଜ୍ୟର ନୀଳଖେଡ଼ିରେ ପହଞ୍ଚିଲେ । ପ୍ରଶିକ୍ଷଣ କେନ୍ଦ୍ରର କର୍ମକର୍ତ୍ତାମାନେ ତାଙ୍କୁ ଷ୍ଟେସନରୁ ଅନୁଷ୍ଠାନକୁ ପାଛୋଟି ନେଲେ । ପରଦିନ ତାଙ୍କୁ ପ୍ରଶିକ୍ଷଣ ଶିବିରରେ ଦୀର୍ଘ ସମୟଧରି ବକ୍ତୃତା ଦେବାକୁ ପଡ଼ିଥିଲା । ସେଠାରେ ସେମାନେ ତାଙ୍କୁ କୁରୁକ୍ଷେତ୍ର ବୁଲାଇ ନେଲେ । ପରେ ସେ ଦିଲ୍ଲୀ ଫେରି ଟ୍ରେନଯୋଗେ ରାଜସ୍ଥାନର ଉଦୟପୁର ଯାତ୍ରା କଲେ । ଉଦୟପୁର ବିଦ୍ୟାଭବନର ପ୍ରଶିକ୍ଷଣ କେନ୍ଦ୍ରରେ ତାଙ୍କୁ ଭାଷଣ ଦେବାକୁ ପଡ଼ିଥିଲା । ଭାଷଣ ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଚାଲିଲା । ଉଭୟ ପ୍ରଶିକ୍ଷଣ ଶିବିରକୁ ଯେଉଁମାନେ ତାଲିମ ପାଇଁ ଆସିଥିଲେ ସେମାନେ ସମସ୍ତ ଗୋଷ୍ଠୀଉନ୍ନୟନ ବିଭାଗରେ ଚାକିରୀ ପାଇସାରିଥିଲେ ।

 

କାର୍ଯ୍ୟକ୍ରମ ସରିବା ପରେ ସେ ଆଗ୍ରା ବୁଲିବାପାଇଁ ଗଲେ । ସେଠାରେ ସେ ଡକ୍ଟର ରାମକରଣ ସିଂହଙ୍କ ଘରେ ଅତିଥି ହୋଇ ରହିଲେ । ସେ ଆଗ୍ରାରେ ତାଜମହଲ ଦେଖିଲେ, ଫତେପୁର ସିକ୍ରି ଦେଖିଲେ । ବିଭିନ୍ନ ସ୍ଥାନ ବୁଲି ଦେଖିବାପରେ ସେ ସେଠାରୁ ଡକ୍ଟର ସିଂହଙ୍କଠାରୁ ବିଦାୟ ନେଇ ଦିଲ୍ଲୀ ଫେରିଗଲେ । ସେଠାରେ ସଚିବ ଶ୍ରୀଯୁକ୍ତ ବ୍ରହ୍ମ ମୁଖାର୍ଜୀଙ୍କୁ ଚିତ୍ତବାବୁ ସାକ୍ଷତ୍ କଲେ । ଶ୍ରୀଯୁକ୍ତ ବ୍ରହ୍ମ ମଖାର୍ଜୀଙ୍କ ସହିତ ସାକ୍ଷାତ୍‍ ସମୟରେ ସେ କହିଲେ ଚିତ୍ତବାବୁ ଆଗ୍ରା ଛାଡ଼ିବାପରେ ଡକ୍ଟର ସିଂହ ତାଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ଏବଂ ଚିତ୍ତରଂଜନ ବିଚ୍‌ପୁରୀ ଉଚ୍ଚଶିକ୍ଷାନୁଷ୍ଠାନରେ ସମାଜ ବିଜ୍ଞାନର ଅଧ୍ୟାପକ ହୋଇ ରୁହନ୍ତୁ ବୋଲି ତାଙ୍କ ଇଚ୍ଛା । ଚିତ୍ତରଂଜନ ଏ ବାବଦରେ ତାଙ୍କ ସମୟରେ ଶାନ୍ତିନିକେତନର ଶିକ୍ଷାଭବନର ଅଧ୍ୟକ୍ଷ ଅନିଲ କୁମାର ଘୋଷଙ୍କ ସହିତ ପରାମର୍ଶ କଲେ । ସେତେବେଳେକୁ ଅନିଲବାବୁ ନେହେରୁଙ୍କ ମନ୍ତ୍ରିମଣ୍ଡଳରେ ଉପମନ୍ତ୍ରୀ ଥାଆନ୍ତି । ସେ ଚିତ୍ତବାବୁଙ୍କ ଏ ପ୍ରସ୍ତାବରେ ଖୁସି ହୋଇ ସମର୍ଥନ ଜଣାଇଲେ । ଚିତ୍ତବାବୁ ସେଠାରେ ଅଧ୍ୟାପନା କରିବାପାଇଁ ରାଜି ହେଲେ ।

Image

 

ଆଗ୍ରାର ବିଚ୍‌ପୁରୀ ଗ୍ରାମୀଣ ଉଚ୍ଚଶିକ୍ଷାନୁଷ୍ଠାନରେ ଅଧ୍ୟାପନା

 

୧୯୫୮ମସିହା ଡିସେମ୍ବର ମାସ ପହିଲାରେ ଚିତ୍ତରଂଜନ ଦାସ ଆଗ୍ରା ନିକଟସ୍ଥ ବିଚ୍‌ପୁରୀଠାରେ ଥିବା ଗ୍ରାମୀଣ ଉଚ୍ଚ ଶିକ୍ଷାନୁଷ୍ଠାନ ବଳବନ୍ତ ବିଦ୍ୟାପୀଠରେ ସମାଜ ବିଜ୍ଞାନ ଅଧ୍ୟାପକଭାବେ ଯୋଗଦେଲେ । ଏହି ଅନୁଷ୍ଠାନ ଏକ ଆଦର୍ଶ ଅନୁଷ୍ଠାନଥିବାରୁ ଦେଶବିଦେଶରୁ ବହୁଛାତ୍ର ଏଠାକୁ ଅଧ୍ୟୟନ ପାଇଁ ଆସୁଥିଲେ । କ୍ରମେ କ୍ରମେ ସେ ଛାତ୍ରମାନଙ୍କ ସହିତ ମିଶିବାକୁ ଚେଷ୍ଟାକଲେ । ସମାଜ ବିଜ୍ଞାନ ଓ ମନୋବିଜ୍ଞାନ ଏପରି ଗୋଟିଏ ଗୋଟିଏ କ୍ଷେତ୍ର ଯେଉଁଥିରେ କି ପଢ଼ାଉଥିବା ବ୍ୟକ୍ତିର ସମସ୍ତ ଅବସରରେ ଏକ ବ୍ୟକ୍ତିଗତ ସମ୍ପ୍ରତ୍ୟୟ ତଥା ଅଙ୍ଗୀକାରବଦ୍ଧତା ନିଶ୍ଚୟ ରହିବା ଦରକାର । ସେ ଅଧ୍ୟାପନାକୁ ଏକ କଠୋର କାର୍ଯ୍ୟଭାବରେ ଗ୍ରହଣ ନ କରି ପାରଷ୍ପରିକ ଆଲୋଚନା ବୋଲି ବୁଝନ୍ତି । ସେତେବେଳେ ବିଚ୍‌ପୁରୀର ଗ୍ରାମୀଣ ଉଚ୍ଚ ଶିକ୍ଷାନୁଷ୍ଠାନରେ ହିମାଳୟର କୁମାୟରୁ ଅଞ୍ଚଳର କେତେକ ଛାତ୍ର ଅଧ୍ୟୟନ କରୁଥାନ୍ତି । ପିଲାମାନଙ୍କୁ ଚିତ୍ତରଂଜନ ଖୁବ୍ ଆଦର କରନ୍ତି । ଜୀବନର ସବୁଠାରୁ ବଡ଼ ସମ୍ପତ୍ତି ବୋଲି ଭାବନ୍ତି । ସେ ୧୯୫୯ ମସିହା ଗ୍ରୀଷ୍ମଛୁଟିରେ ହିମାଳୟ ଅଞ୍ଚଳର ପିଲା ଓ ଅଭିଭାବକମାନଙ୍କ ସହିତ ଯାଇ ବଦ୍ରିନାଥ, କେଦାରନାଥ, ତୁଙ୍ଗନାଥ, ହାଟକଲ୍ୟାଣୀ ସହିତ ହିମାଳୟ ବି ଦେଖିଲେ । ହିମାଳୟ ତାଙ୍କ ମନରେ ଭାବାନ୍ତର ଜାତ କଲା । ସେ ସମୟର ମୂଲ୍ୟ ଠିକ୍ ବୁଝିଥିଲେ । ଶିକ୍ଷାଦାନରୁ ଅବସର ପାଉଥିଲେ ବିଭିନ୍ନ ସ୍ଥାନ ବୁଲିବାକୁ ଯାଉଥିଲେ । ହିମାଳୟ ପ୍ରତି ତାଙ୍କ ମନରେ କେମିତି ଏକ ଅହେତୁକ ଆକର୍ଷଣ ବଢ଼ିଗଲା । ୧୯୬୦ ମସିହା ଗ୍ରୀଷ୍ମଛୁଟିରେ ସେ ତାଙ୍କ ପ୍ରିୟଛାତ୍ର ସଦନକୁ ଧରି ହିମାଳୟ ଗଲେ । ଏଥର ସେ ଗଙ୍ଗୋତ୍ରୀ, ଯମୁନେତ୍ରୀ ଓ ଗୋମୁଖୀ ଯିବାର କାର୍ଯ୍ୟକ୍ରମ ରଖିଲେ । ଏଠାରେ ସୁନ୍ଦରାନନ୍ଦଜୀଙ୍କ ସହିତ ତାଙ୍କର ସାକ୍ଷତ୍‍ ହେଲା ଏବଂ ଗଙ୍ଗୋତ୍ରୀରେ ସେ ଏକ ସପ୍ତାହ ରହିଲେ । ପୂର୍ବରୁ ଦଶହରା ଛୁଟିରେ ଚିତ୍ତବାବୁ ରାଜସ୍ଥାନର ମାଉଣ୍ଟଆବୁ, ଆଜମିର ଓ ରଣକପୁର ଜୈନ ମନ୍ଦିର ଦେଖିସାରିଥିଲେ ।

 

ଚିତ୍ତରଂଜନଙ୍କୁ ଆଗ୍ରା ନିକଟସ୍ଥ ବିଚ୍‌ପୁରୀ ଗ୍ରାମୀଣ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ଥାୟୀ କରିବାଲାଗି ସାର୍ଟିଫିକେଟ ଓ କାଗଜପତ୍ର ଦରକାର ହେଲା । ଡକ୍ଟର ରାମକରଣ ସିଂହ ଚିତ୍ତବାବୁଙ୍କୁ କିଛି ନ କହି କେନ୍ଦ୍ର ସରକାରଙ୍କ ସହ ପତ୍ରର ଆଦାନ ପ୍ରଦାନ ମାଧ୍ୟମରେ ବିନା ପ୍ରମାଣପତ୍ରରେ ସ୍ଥାୟୀ କରି ଦେଲେ ଏବଂ ତାଙ୍କର ବର୍ଷକର ବନ୍ଦ ହୋଇଥିବା ଦରମା ସେ ପାଇଲେ । ତାଙ୍କ ଦୃଷ୍ଟିରେ ଛାତ୍ର ହିଁ ତାଙ୍କ ପାଇଁ ପ୍ରମାଣ ପତ୍ର । ଅଧ୍ୟୟନ ଓ ଅଧ୍ୟାପନା ବାସ୍ତବିକତାର ପ୍ରମାଣ ପତ୍ରର ମାପକାଠି, କାଗଜ ତିଆରି ସାର୍ଟିଫିକେଟ ନୁହେଁ । ତେଣୁ ସେ କୌଣସିଠାରେ ସାର୍ଟିଫିକେଟ ପାଇବାର ମୋହରେ ପଡ଼ିନଥିଲେ । ଆଗ୍ରାରେ ଥିଲାବେଳେ ସେ ୧୯୬୨ ମସିହାରେ ପଶ୍ଟିମ ଜର୍ମାନୀର ଗୋଟିଏ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ନିମନ୍ତ୍ରିତ ହୋଇ ଗୋଟିଏ ବର୍ଷ ଅଧ୍ୟାପନା କାର୍ଯ୍ୟରେ ଯାଇଥିଲେ । ସେ ବିଦେଶରୁ ଫେରିବାପରେ ୧୯୬୪ରେ ଡକ୍ଟର ରାମକରଣ ସିଂହ ବର୍ଷକ ପାଇଁ ଆମେରିକା ଗଲେ । ସେଠାରୁ ଆସିବା ପରେ ସେ ମିରଟ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ଯୋଗଦେଲେ । ସେତେବେଳେକୁ ଆଗ୍ରା ନିକଟସ୍ଥ ବିଚ୍‌ପୁରୀ ଗ୍ରାମୀଣ ବିଦ୍ୟାପୀଠକୁ ବିଶ୍ୱବିଦ୍ୟାଳୟ ପାହିଆ ଦେବାକୁ ସରକାର ବିଚାର କରୁଥାନ୍ତି । ଚିତ୍ତରଂଜନଙ୍କ ଶିକ୍ଷାଦାନ ପଦ୍ଧତି ଛାତ୍ରମାନଙ୍କୁ ବେଶ୍‍ ପ୍ରଭାବିତ କରିଥିଲା । ସେଠାରେ ସେ ଅନେକ ଦିନ ଶିକ୍ଷାଦାନ କଲେ । ଡକ୍ଟର ରାମକରଣ ସିଂହଙ୍କ ପରେ ଅନୁଷ୍ଠାନଟି ଉଜୁଡ଼ିଗଲା । ଶିକ୍ଷାଦାନ ଅନ୍ତଃସାରଶ୍ୱନ୍ୟ ହୋଇପଡ଼ିଲା । ଉତ୍ତରପ୍ରଦେଶରେ ଛାତ୍ର ଓ ଶିକ୍ଷକଙ୍କ ଧର୍ମଘଟ ବ୍ୟାପିବାକୁ ଲାଗିଲା । କ୍ରମଶଃ ବିଚ୍‍ପୁରୀକୁ ଆସିଲା-। ଶିକ୍ଷକମାନେ ତାଙ୍କ ନ୍ୟାୟଦାବି ପାଇଁ ଧର୍ମଘଟ କଲେ । ଚିତ୍ତବାବୁଙ୍କୁ ଏହାଭାରି ଅଡ଼ୁଆ ଲାଗିଲା-। ସେ ଆଗ୍ରାଛାଡ଼ି ଦେବାପାଇଁ ସଂକଳ୍ପ କଲେ । ଏହି ସମୟରେ ତାଙ୍କପାଇଁ ଆଉ ଗୋଟିଏ ସୁଯୋଗ ଆସିଲା । ଶ୍ରୀଅରବିନ୍ଦଙ୍କ ଜନ୍ମଶତବାର୍ଷିକ ପାଳନ ନିମନ୍ତେ ତାଙ୍କର କେତୋଟି ରଚନାକୁ ଓଡ଼ିଆରେ ଅନୁବାଦ କରିବା ପାଇଁ ପଣ୍ଡିଚେରୀ ଆଶ୍ରମ ତରଫରୁ ଗୋଟିଏ ଯୋଜନା ହୋଇଥିଲା । ତାଙ୍କର ଅନ୍ତରଙ୍ଗତମ ରଚନା ଦିବ୍ୟ ଜୀବନ (The Life Divine) ଓଡ଼ିଆ ଅନୁବାଦ କରିବାର ଦାୟିତ୍ୱ ଚିତ୍ତରଂଜନଙ୍କୁ ଦିଆଗଲା । ୧୯୭୦ ମସିହାରେ ସେ ଏହି ଗ୍ରନ୍ଥଟିକୁ ଓଡ଼ିଆରେ ଅନୁବାଦ ଆରମ୍ଭ କଲେ । ସମସ୍ତେ ଭାବୁଥିଲେ ହଜାର ପୃଷ୍ଠାର ଏହି ବହିଟିକୁ ଶେଷକରିବାକୁ ଅନ୍ତତଃ ଦଶବର୍ଷ ଲାଗିବ । କିନ୍ତୁ ସେ ସମସ୍ତଙ୍କ ଆକଳନକୁ ଭୁଲ ପ୍ରମାଣିତ କରିଦେଲେ । ବହିଟିକୁ ସେ ଦୁଇବର୍ଷ ତିନିମାସରେ ଅନୁବାଦ କରିଦେଲେ । ଏହି କାର୍ଯ୍ୟଟି କରିବା ପାଇଁ ପ୍ରଥମେ ତାଙ୍କୁ ଖୁବ୍ କଷ୍ଟ ଲାଗିଥିଲା ।

 

ଓଡ଼ିଶାରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାର ଦାୟିତ୍ୱ ଓ କାର୍ଯ୍ୟକ୍ରମ

 

ଶ୍ରୀ ଅରବିନ୍ଦଙ୍କ ଯୋଗ ଓ ଦର୍ଶନ ଚିତ୍ତରଂଜନଙ୍କ ମନକୁ ଆପେ ଆପେ କିଣି ନେଇଗଲା-। ସେ ଜୀବନରେ ଯେଉଁଠି ଯେତେ ଯାହା ଅର୍ଜନ କରିଥିଲେ ତାହ ସହିତ ଶ୍ରୀ ଅରବିନ୍ଦ ଆପେ ଆପେ ଯୋଡ଼ି ହୋଇଗଲେ । ସେ ମହାତ୍ମାଗାନ୍ଧୀଙ୍କଠାରୁ ଆରମ୍ଭ କରି ରବୀନ୍ଦ୍ରନାଥଙ୍କ ବାଟଦେଇ ଶ୍ରୀଅରବିନ୍ଦଙ୍କ ଯାଏ ଆସିଲେ । ତାଙ୍କୁ କେବେ ନିରାଶ ଲାଗିଲା ନାହିଁ; ସେ ନିର୍ଭୟ ହୋଇଗଲେ । ସେ ବାସ୍ତବରେ ଅନୁଭବ କଲେ ଭାରତୀୟ ବିଦ୍ୟାର ଜଙ୍ଗଲଟା ଭିତରେ ରବୀନ୍ଦ୍ରନାଥ, ମହାତ୍ମାଗାନ୍ଧୀ ଓ ଶ୍ରୀ ଅରବିନ୍ଦଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଗାନ୍ଧିଜୀ ଜୀବନରେ ସତ୍ୟକୁ ପ୍ରୟୋଗ କରୁଥିଲେ, ଶାନ୍ତିନିକେତନରେ ସେ ଜୀବନର ସତକୁ ପୂର୍ଣ୍ଣରୁ ପୂର୍ଣ୍ଣତର ଭାବରେ ଅନୁଭବ କଲେ । ରବୀନ୍ଦ୍ର ସଙ୍ଗୀତ ତାଙ୍କୁ ବନ୍ଧୁପରି ସାହାଯ୍ୟ କରିଥିଲା । ଗୀତଗାଇବା କହିଲେ ସେ ସବୁବେଳେ ରବୀନ୍ଦ୍ର ସଙ୍ଗୀତକୁ ହିଁ ବୁଝିଥିଲେ । ଶାନ୍ତିନିକେତନରେ ପାଠ ପଢ଼ୁଥିବାବେଳେ ସେ ରବୀନ୍ଦ୍ରନାଥଙ୍କ ତିନୋଟି ବହିର ଓଡ଼ିଆ ଅନୁବାଦ କରିଥିଲେ । ତାହା ପ୍ରକାଶିତ ହୋଇଥିଲା । ସେହିପରି ରବୀନ୍ଦ୍ର ଜନ୍ମ-ଶତ-ବାର୍ଷିକୀ ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ତାଙ୍କଦ୍ୱାରା ରବୀନ୍ଦ୍ରନାଥଙ୍କର ଗୋଟିଏ ବଡ଼ ଉପନ୍ୟାସ ଓଡ଼ିଆ ଅନୁବାଦ କରାଇଥିଲେ । ଏବେ ଶ୍ରୀଅରବିନ୍ଦଙ୍କ ଚିନ୍ତା ଓ ଚେତନା ଚିତ୍ତରଂଜନଙ୍କ ଗୋଟାପଣେ କିଣିନେଲା । ସେ ଭରସା ପାଇ ଶ୍ରୀଅରବିନ୍ଦଙ୍କ ନୂଆ ଚେତନା ଭିତରେ ପଶିଗଲେ; ଆଉ ବାହାରି ପାରିଲେ ନାହିଁ । ଯେପରି ଏତେବଡ଼ ପୃଥିବୀରେ ନୂଆ ଗୁରୁଟିଏ ତାଙ୍କୁ ମିଳିଗଲା । The Life Divine ଅନୁବାଦପରେ ଚିତ୍ତରଂଜନ ଶ୍ରୀ ଅରବିନ୍ଦଙ୍କର The Synthesis of Yoga, The Human Cycle ଏବଂ The Ideal of Human Unity ଗ୍ରନ୍ଥଗୁଡ଼ିକର ଓଡ଼ିଆ ଅନୁବାଦ କଲେ । ଶ୍ରୀଅରବିନ୍ଦ କହିଥିଲେ “ବର୍ତ୍ତମାନ ଯେଉଁ ଚେତନାଟି ପୃଥିବୀକୁ ଚଳାଉଛି, ସେଇଟି ବିବର୍ତ୍ତତ ହୋଇ ଏକ ନୂତନ ଚେତନାର ସତ୍ୟ ଭିତରକୁ ଆରୋହଣ କରିଯିବ ଏବଂ ତା’ପରେ ଅବତରଣ କରି ବର୍ତ୍ତମାନଟାକୁ ଯନ୍ତ୍ରରୂପେ ବ୍ୟବହାର କରି ଏକ ନୂତନ ବିଶ୍ୱ ନିର୍ମାଣ ନିମନ୍ତେ ଆମ ସମସ୍ତଙ୍କୁ ପ୍ରସ୍ତୁତ କରିନେବ । ଏପରି ଏକ ଅନ୍ୟ ଭବିଷ୍ୟ ଆମର ପରବର୍ତ୍ତୀ ଭବିଷ୍ୟରୂପେ ଆମଲାଗି ଅପେକ୍ଷା କରି ରହିଛି । ଆମେ ସମ୍ମତ ହୋଇପାରିଲେ ଆମେ ଯାହାକୁ ଏହି ପୃଥିବୀ ଉପରକୁ ଅଧିକ ତ୍ୱରାର ସହିତ ଅବତୀର୍ଣ୍ଣ କରି ଆଣିପାରିବ । ଆମ ପୃଥିବୀ ସଭ୍ୟତାରେ ମଣିଷକୁ ନିମିତ୍ତ କରି ଯାହା କିଛି ଘଟିଛି ତାହା ସତେ ଅବା ସେହି ପରିପୂର୍ଣ୍ଣ ଶିଖରଟି ନିମନ୍ତେ ସମ୍ପୃକ୍ତ ସବୁ କିଛିକୁ ପ୍ରସ୍ତୁତ କରି ଆଣିଛି ।” ଦୀର୍ଘ ଶହେ ବର୍ଷ ପୂର୍ବେ ଶ୍ରୀ ଅରବିନ୍ଦ ଲେଖିଥିବା ଏହି କଥା ବର୍ତ୍ତମାନ ବାସ୍ତବରେ ରୂପାୟିତ ହେବାରେ ଲାଗିଛି । ସେ ଅହଂମୁକ୍ତ ଜୀବନ, ସାହସମୟ ଜୀବନ ଏବଂ ବିଶ୍ୱାସପ୍ରେରିତ ଜୀବନକୁ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ତାଙ୍କ ପ୍ରଶସ୍ତ ଦୃଷ୍ଟିରେ ମଣିଷ ନିଶ୍ଚୟ ଅହଂସ୍ତରରୁ ଅଧ୍ୟାତ୍ମ ସ୍ତରକୁ ଆସିବ ଏବଂ ସେହି ଅନୁସାରେ ସମାଜ ବଦଳିବ, ତାହା ଅନ୍ନକୁ ମଧ୍ୟ ବାଦଦେବ ନାହିଁ । ନିଜର ଚେତନାରେ ସମ୍ପ୍ରସାରଣ ଘଟାଇବା କଥା ସେ କହିଛନ୍ତି, ମାତ୍ର ସ୍ୱାର୍ଥପର ପରି ପଳାଇଯିବାକୁ ପସନ୍ଦ କରିନାହାନ୍ତି । ଏହି ଦର୍ଶନରୁ ଚିତ୍ତରଂଜନଙ୍କର ଆତ୍ମପ୍ରତ୍ୟୟ ସୃଷ୍ଟି ହେଲା । ସେ ଅରବିନ୍ଦଙ୍କୁ ଆଉ ଛାଡ଼ି ପାରିଲେ ନାହିଁ ।

 

ସେତେବେଳେକୁ ଭୁବନେଶ୍ୱରରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାର ଏକ ପ୍ରୟୋଗ ଆରମ୍ଭ ହୋଇସାରିଥାଏ । ତାଙ୍କୁ ଏହି ଶିକ୍ଷାକେନ୍ଦ୍ରର ନିର୍ଦ୍ଦେଶକରୂପେ କାର୍ଯ୍ୟ କରିବାକୁ ପଡ଼ିଲା । ବନ୍ଧୁ ଶ୍ରୀ ପ୍ରପତ୍ତିଙ୍କ ପ୍ରେରଣା ଓ ଅନୁରୋଧରେ ଶ୍ରୀଅରବିନ୍ଦ ପାଠଚକ୍ର ଓ ପୂର୍ଣ୍ଣାଙ୍ଗ ଶିକ୍ଷାର ଆନ୍ଦୋଳନରେ ନିଜକୁ ପୂର୍ଣ୍ଣରୂପରେ ନିୟୋଜିତ କରି ରଖିଲେ । ବିଭିନ୍ନ ସ୍ଥାନରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ଯାଇ ମଝିରେ ମଝିରେ ଶିକ୍ଷାଦାନ କଲେ । ସମୟକ୍ରମେ ୧୭ଖଣ୍ଡ ବିଶିଷ୍ଟ ମାତୃରଚନାବଳୀର ସମଗ୍ର ଅନୁବାଦ କାର୍ଯ୍ୟ ହାତକୁ ନେଲେ ଏବଂ ଯଥା ସମୟରେ ସେଗୁଡ଼ିକର ଓଡ଼ିଆ ଅନୁବାଦ କାର୍ଯ୍ୟ ଶେଷ କଲେ । ଅନୂଦିତ ହୋଇଥିବା ମାତୃରଚନାବଳୀ ପ୍ରକାଶିତ ହେଲା ।

 

ଚିତ୍ତରଂଜନ ଥିଲେ ଜଣେ ନିଷ୍ଠାପର କର୍ମଯୋଗୀ, ସେ ସ୍ପଷ୍ଟବାଦୀ ଓ ନିର୍ଭୀକ । କୌଣସି କଥାକୁ ସହଜରେ ମାନିନେବା ପରି ବ୍ୟକ୍ତି ସେ ନ ଥିଲେ । ପ୍ରକୃତ ସତ୍ୟକୁ ଅଙ୍ଗେ ନ ନିଭାଇବାଯାଏ ତାହା ତାଙ୍କ ପାଇଁ ଗ୍ରହଣଯୋଗ୍ୟ ହେଉନଥିଲା । ଶ୍ରୀଅରବିନ୍ଦ ତାଙ୍କ ଦୃଷ୍ଟିରେ ଜଣେ ଆଦର୍ଶ ସାଧକ ଏବଂ ସିଦ୍ଧଯୋଗୀ । ତେଣୁ ସେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଶ୍ରୀଅରବିନ୍ଦଙ୍କୁ ଭୁଲି ପାରିନାହାନ୍ତି ଏବଂ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସହିତ ଯୋଡ଼ିହୋଇ ରହିଛନ୍ତି । ଶ୍ରୀଅରବିନ୍ଦଙ୍କ ପୂର୍ଣ୍ଣଙ୍ଗ ଯୋଗ ଏବଂ ପୂର୍ଣ୍ଣାଙ୍ଗ ଶିକ୍ଷାର ଆଦର୍ଶ ଓ ବିଚାରଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ତାଙ୍କର ନିଷ୍ଠାପର ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ । ଓଡ଼ିଶାର ବିଭିନ୍ନ କେନ୍ଦ୍ରକୁ ଯାଇ ଶ୍ରମଶିବିର ଆୟୋଜନ କରିଛନ୍ତି । ପୂର୍ଣ୍ଣାଙ୍ଗ ଶିକ୍ଷାରେ ଶ୍ରମ-ଉପଯୋଗିତା ଉପରେ ବକ୍ତୃତା ଦେଇଛନ୍ତି । ପିଲାମାନକଙ୍କ ମନକୁ ଛୁଇଁଲାଭଳି ଉପାଖ୍ୟାନ ମାଧ୍ୟମରେ ଅନେକ କଥା କହିଛନ୍ତି । ଗାଁ ଗହଳିଠାରୁ ଆରମ୍ଭକରି ଶିକ୍ଷାକେନ୍ଦ୍ର, ସହରର ପେଣ୍ଠସ୍ଥଳୀ ଏବଂ ଏପରିକି ନିଜ ବସାଘର ଭୂବନେଶ୍ୱରର ବାପୁଜୀନଗରରେ ମଧ୍ୟ ଅଧିକାଂଶ ସମୟରେ ପାଠଚକ୍ରମାନ ଆୟୋଜନ କରି ଶ୍ରୀଅରବିନ୍ଦଙ୍କ ଯୋଗ ଓ ଦର୍ଶନ ଉପରେ ବହୁମୂଲ୍ୟବାନ ତଥ୍ୟ ଉପସ୍ଥାପନପୂର୍ବକ ଅନ୍ୟମାନଙ୍କର ମାର୍ଗଦର୍ଶକରୂପେ କାର୍ଯ୍ୟ କରିଛନ୍ତି । ତାଙ୍କ ପାଠଚକ୍ରରେ ଜ୍ଞାନୀ, ଗୁଣୀ, ବୈଜ୍ଞାନିକ, ଇଞ୍ଜିନିୟର, ଡାକ୍ତର, ଶିକ୍ଷାବିତ୍ ପ୍ରଭୃତି ଅନେକ ଉଚ୍ଚବର୍ଗର ଲୋକ ଯୋଗ ଦେଇ ଜୀବନକୁ ଧନ୍ୟ ମନେକରନ୍ତି । ଯିଏ ଥରେ ପାଠଚକ୍ରରେ ଯୋଗଦେଇ ତାଙ୍କ କଥା ଶୁଣିଛି ସେ ତାଙ୍କ ଭୁବନେଶ୍ୱରସ୍ଥ ବାସଭବନ ବିଶ୍ୱନୀଡ଼ମକୁ ଯେତେ ଦୂରରେ ଥିଲେ ବି ବାରମ୍ବାର ଆସିଛି । ଫଳରେ ଚିତ୍ତରଂଜନଙ୍କୁ ଆଶ୍ୱସ୍ତି ମିଳିଛି ଏବଂ ସେମାନେ ମଧ୍ୟ ଜୀବନ ଜୀଇବାର ପ୍ରକୃତ ମାର୍ଗ ନିକଟରେ ସହଜରେ ପହଞ୍ଚି ପାରିଛନ୍ତି । ଏଥିପାଇଁ ସେମାନେ ଚିତ୍ତଭାଇଙ୍କ ନିକଟରେ କୃତଜ୍ଞତା ଜଣାନ୍ତି ଏବଂ ଚିତ୍ତରଂଜନ ସେମାନକୁ ଆତ୍ମୀୟ ଭାବରେ ଗ୍ରହଣ କରିନିଅନ୍ତି । ସାରା ଓଡ଼ିଶାର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକୁ ଯାଇ ସେ ବିଭିନ୍ନ କାର୍ଯ୍ୟକ୍ରମ ଓ ପାଠଚକ୍ରରେ ଯୋଗାଦାନପୂର୍ବକ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାରେ କେବେ ତ୍ରୁଟି କରି ନାହାନ୍ତି । ଏହାଦ୍ୱାରା ତାଙ୍କ କର୍ତ୍ତବ୍ୟନିଷ୍ଠତାର ପରିଚୟ ଆପେ ଆପେ ବାରିହୋଇ ପଡ଼େ । ଯୁବଗୋଷ୍ଠୀଙ୍କୁ ଶ୍ରୀଅରବିନ୍ଦଙ୍କ ଦର୍ଶନ ସମ୍ପର୍କରେ ସଚେତନ କରାଇବା ପାଇଁ ତାଙ୍କର ବହୁବିଧ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ । ଡକ୍ଟର ଚିତ୍ତରଂଜନ ଦାସ ୧୯୭୨ ମସିହାରୁ ମୃତ୍ୟୁ ପର୍ଯ୍ୟନ୍ତ ଅର୍ଥାତ୍ ୨୦୧୧ ମସିହା ପର୍ଯ୍ୟନ୍ତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକ ସହ ନିବିଡ଼ଭାବେ ସମ୍ପୃକ୍ତ ଥିଲେ । ଅନେକ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ମଧ୍ୟ ଅଧ୍ୟାପନା କରିଥିଲେ । ପୂର୍ଣ୍ଣାଙ୍ଗ ଶିକ୍ଷା ଏକ ପରିପୂର୍ଣ୍ଣ ସତ୍ୟ ଦୃଷ୍ଟି ଉପରେ ପ୍ରତିଷ୍ଠିତ ହୋଇ ରହିଥିବା ଏକ ଶିକ୍ଷା ଯାହା ଚିତ୍ତରଂଜନଙ୍କ ଚିତ୍ତକୁ ସ୍ୱତଃ ଆକର୍ଷତ କରିନେଇଥିଲା ।

 

ଚିତ୍ତରଂଜନଙ୍କର ବିଭିନ୍ନ ସମୟରେ ବିଦେଶ ଯାତ୍ରା

 

ପୂର୍ବରୁ ସଂକ୍ଷିପ୍ତ ଭାବରେ ସୂଚାଇ ଦିଆଯାଇଛି ଯେ ଆଗ୍ରାନିକଟସ୍ଥ ବିଚ୍‌ପୁରୀ ଗ୍ରାମୀଣ ଉଚ୍ଚଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରୁଥିବା ସମୟରେ ୧୯୬୨ ମସିହାରେ ପଶ୍ଚିମ ଜର୍ମାନୀର ଗୋଟିଏ ସ୍ୱେଚ୍ଛାସେବୀ ଶିକ୍ଷାନୁଷ୍ଠାନ ସୋନେନ୍‍ବର୍ଗ ଆନ୍ତର୍ଜାତିକ ସଦନ ତାଙ୍କୁ ସେଠାରେ ଗୋଟିଏ ବର୍ଷ ଅଧ୍ୟାପକ ରୂପରେ କାର୍ଯ୍ୟକରିବା ପାଇଁ ନିମନ୍ତ୍ରଣ କଲା । ସେ ଡକ୍ଟର ରାମକରଣ ସିଂହଙ୍କଠାରୁ ଅନୁମତି ନେଇ ଏକ ବର୍ଷ ତିନିମାସପାଇଁ ସେଠାକୁ ଗଲେ । ସୋନେନ୍‍ବର୍ଗଠାରେ ଗୋଟିଏ ବର୍ଷ ଅଧ୍ୟାପନା ମଧ୍ୟରେ ଅନେକ ଦେଶର ତରୁଣ ଓ ବୟସ୍କମାନଙ୍କୁ ଭେଟିଲେ । ତାଙ୍କୁ ସେଠାରେ କେବଳ ଭାରତବର୍ଷ ବିଷୟରେ ନୁହେଁ ଆହୁରି ଅନେକ ବିଷୟରେ ମଧ୍ୟ କହିବାକୁ ପଡ଼ିଥିଲା । ଗୋଟିଏ ଘଣ୍ଟା କହିସାରିବା ପରେ ପ୍ରଶ୍ନ ଆଲୋଚନାର ପର୍ବ ଆରମ୍ଭ ହେଉଥିଲା । ସେଠାରେ ଅବସ୍ଥାନ କାଳରେ ‘ଇଉନେସ୍କୋ’ଦ୍ୱାରା ନିମନ୍ତିତ ହୋଇ ସ୍ୱଳ୍ପ ସମୟ ପାଇଁ ଡେନ୍‍ମାର୍କ ଓ ଫିନ୍‌ଲ୍ୟାଣ୍ଡର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସ୍ୱିଜରଲ୍ୟାଣ୍ଡର ଟ୍ରାଗେନଠାରେ ଥିବା ପେଷ୍ଟାଲାଜାପଲ୍‌ଙ୍କ ଗାଁରେ ଏବଂ ଇସ୍ରାଏଲର କେତୋଟି ସମୂହ ଗାଆଁରେ ମଧ୍ୟତାଙ୍କୁ କିଛିଦିନ ପାଇଁ ଅଧ୍ୟାପନା କରିବାକୁ ପଡ଼ିଥିଲା । ଏହି ସମୟରେ ଅଷ୍ଟ୍ରିଆର ରାଜଧାନୀ ଭିଏନା ଯାଇଥିଲେ । ସେଠାରେ ସେ ଅଧିକାଂଶ ସମୟ ଭିଏନା ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନ ବିଭାଗରେ କଟାଇଲେ ଏବଂ ଅଧ୍ୟାପକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରି ବହୁବିଷୟରେ ଶିକ୍ଷାଲାଭ ମଧ୍ୟ କଲେ । ୧୯୬୪ ମସିହାରେ ଅଧ୍ୟାପନା କାର୍ଯ୍ୟ ସାରି ସେ ଭାରତକୁ ଫେରି ଆସିଥିଲେ ।

 

ଚିତ୍ତରଂଜଦାସ ୧୯୮୫ ମସିହାରେ ଶିକ୍ଷାଲାଭ କରିବା ଉଦ୍ଦେଶ୍ୟରେ ମାତ୍ର ତିନି ସପ୍ତାହ ପାଇଁ ଚୀନ ଯାଇଥିଲେ । ତାଙ୍କୁ ଚୀନଭାଷା ଜଣାନଥିଲା । ତେଣୁ କେବଳ ଦୋଭାଷିଆମାନଙ୍କର ସାହଯ୍ୟରେ ସେ ସେଠାରେ ଅନେକ କଥା ଦେଖିଲେ, ଜାଣିଲେ ଓ ଶିଖିଲେ-। ତାଙ୍କୁ ଏଦେଶ ଏତେ ଭଲ ଲାଗିଲା ଯେ ସେ ଭାରତକୁ ଫେରିବା ପରେ ତାଙ୍କ ଅନୁଭବକୁ ଏକତ୍ର କରି ଭାରତରୁ ଚୀନ ନାମକ ଖଣ୍ଡେ ବହିଲେଖି ଦେଇଥିଲେ । ଚୀନ ଭାରତବର୍ଷ ପରି ଏକ ପୁରୁଣା ସଭ୍ୟତା । ଲୋକସଂଖ୍ୟା ଦୃଷ୍ଟିରୁ ଭାରତଠାରୁ ଅଧିକ, କିନ୍ତୁ ପ୍ରାୟ ସବୁକ୍ଷେତ୍ରରେ ମଣିଷମାନଙ୍କୁ ସେମାଙ୍କର ସମ୍ମାନଜନକ ଭାଗଦେବାଲାଗି ସେ ଦେଶର ଉଦ୍ୟମକୁ ଚିତ୍ତରଂଜନ ବହୁତ ପସନ୍ଦ କଲେ । ସେ ଦେଶର ବହୁସ୍ଥାନ ବୁଲି ଦେଖିଲେ ଏବଂ କେତେକ ଅନୁଷ୍ଠାନ ବିଷୟରେ ଜାଣିଲେ । ସେସବୁ ଭିତରେ କିନ୍ତୁ ତାଙ୍କର ଭାବନାର ବଳୟକୁ ଆଚ୍ଛାଦିତ କରି ରଖିଥାଏ ଭାରତ ବର୍ଷ । କାହିଁକି ଭାରତରେ ମଣିଷ ମଣିଷ ସମ୍ପର୍କ ଭିତରେ ଏତେ ପାର୍ଥକ୍ୟ । କାହିଁକି ଏଠାରେ ବଡ଼ସାନ ଭିତରେ ଏତେ ତାରତମ୍ୟ । ଚୀନ ଦେଶରେ କେହି ନିକିମା ହୋଇ ବସିରୁହନ୍ତି ନାହିଁ । ସବୁବେଳେ କାର୍ଯ୍ୟବ୍ୟସ୍ତତା ଯେପରି ସେମାଙ୍କର ଚତୁଃପାର୍ଶ୍ୱ ଘେରି ରହିଛି । ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଗୋଟିଏ ନିୟମ, ତଥାପି ଜନସଂଖ୍ୟା ଦୃଷ୍ଟିରେ ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ର ଭାରତ ସେମାନଙ୍କଠାରୁ କିଛି ଶିଖିପାରୁନି ।

 

୧୯୮୮ ମସିହାରେ କାର୍ଯ୍ୟୋପଲକ୍ଷେ ତାଙ୍କୁ ସୋଭିଏତ୍ ରୁଷିଆ ଯିବାକୁ ପଡ଼ିଥିଲା । ରୁଷିଆର ଲିଥୁଆନିଆ ନାମକ ରାଜ୍ୟରେ ତାଙ୍କୁ ପ୍ରାୟ ଗୋଟିଏ ସପ୍ତାହ ରହିବାର ସୁଯୋଗ ମିଳିଲା-। ପୂର୍ବରୁ ଚିତ୍ତରଂଜନ ଶୁଣିଥିଲେ ଲିଥୁଆନିଆର ଭାଷା ସଂସ୍କୃତଭାଷାର ଖୁବ୍ ନିକଟବର୍ତ୍ତୀ । ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ସେହି ଦେଶର ଜନୈକ ଭାଷାବିତ୍ ଓଡ଼ିଆ ଭାଷାରେ ଗୋଟିଏ ବ୍ୟାକରଣ ଲେଖିଥିଲେ । ଚିତ୍ତରଂଜନ ସେହି ବହିଟିକୁ ରାଜଧାନୀ ଭିଲନିଉସ୍‌ର କେନ୍ଦ୍ରପାଠାଗାରରେ ଦେଖିବାକୁ ପାଇଲେ । ଦିନେ ‘କାଉନାସ’କୁ ସେ ଯାଇଥିଲେ । ତାହା ଏକ ସୁନ୍ଦର ସହର । ସେଠାରେ ନାତ୍‌ସୀମାନେ ଏକ ବନ୍ଦୀଶାଳାରେ କରିଥିବା ଅତ୍ୟାଚାରର ନମୁନାଗୁଡ଼ିକୁ ଦେଖିଲେ । ଚିତ୍ତରଂଜନ ସହରଠାରୁ ଗାଆଁକୁ ବେଶି ଭଲ ପାଅନ୍ତି । ସେ ବନ୍ଧୁମାନଙ୍କ ସହିତ ଗୋଟିଏ ଗାଆଁ ଦେଇ ଆସିଲେ । ସେହି ଗାଆଁର ଗରିଲାମାନେ ଶାସକ ନାତିସୀ ବାହିନୀର ଜଣେ ଦୁଇଜଣଙ୍କୁ ମାରି ଦେଇଥିଲେ ବୋଲି ତାହାର ଜବାବରେ ନାତସୀମାନେ ଗାଆଁର ଲୋକମାନଙ୍କ ହାତରେ ବିଲରେ ପୋଖରୀଟିଏ ଗାତଭଳି ଖୋଳାଇଲେ ଏବଂ ସେଥିରେ ସମସ୍ତଙ୍କୁ ଜୀଅନ୍ତା ପୋତି ପକାଇଲେ । ସେତେବେଳେକୁ ମସ୍କୋରେ କମ୍ୟୁନିଷ୍ଟ ଶାସନ ଶେଷ ହେବା ଉପରେ । ରୁଷିଆର କମ୍ୟୁନିଷ୍ଟ ପତାକା ବଦଳରେ ଲିଥୁଆନିଆରେ ପୂର୍ବରୁ ଚଳିଆସିଥିବା ପତାକାକୁ ବ୍ୟବହାର କରିବାପାଇଁ ଲୋକମାନେ ପ୍ରବଳ ଦାବି କରୁଥାନ୍ତି । ‘ଭିଲନିଉସ୍‌’ର ରାସ୍ତାଗୁଡ଼ିକର ନାମକରଣ ମଧ୍ୟ ରୁଷିଆର ବଡ଼ ବଡ଼ ମଣିଷଙ୍କର ନାମ ଅନୁସାରେ କରାଯାଇଥିଲା-। ତାହା ମଧ୍ୟ ସେମାନଙ୍କର ଅସନ୍ତୋଷର ଅନ୍ୟ ଏକ କାରଣ ଥିଲା । ହେଲେ କମୁନିଷ୍ଟ ଶାସନ ପରିବର୍ତ୍ତେ ଆଉ ଗୋଟିଏ ନୂତନ ଶାସନ ଆସିବ ବୋଲି ସବୁ ବୁଦ୍ଧିଜୀବୀ ଅନୁମାନ କରୁଥିଲେ ଯାହା ପରବର୍ତ୍ତୀ ସମୟରେ ସତ୍ୟରେ ପରିଣତ ହୋଇଥିଲା ।

 

୧୯୮୯ ମସିହାରେ ପୁନର୍ବାର ତାଙ୍କୁ ଇଉରୋପ ମହାଦେଶ ଯିବାକୁ ପଡ଼ିଲା । ଫିନ୍‌ଲାଣ୍ଡର ଏକ ବିଶ୍ୱବିଦ୍ୟାଳୟରେ ଗୋଟିଏ ସେମିନାରରେ ଯୋଗଦେବା ପାଇଁ ସେ ନିମନ୍ତ୍ରିତ ହୋଇଥିଲେ । ସେମିନାର ମାତ୍ର ସାତଦିନରେ ସରିଗଲା । କିନ୍ତୁ ସେ ଦେଶଥିଲା ତାଙ୍କର ଅତି ଆପଣାର । ପୁରୁଣା ବନ୍ଧୁମାନଙ୍କୁ ଆଉଥରେ ସଙ୍ଖୋଳି ଆସିବାକୁ ସେ ସେଠାରେ ମାସଟିଏ ରହିଗଲେ । ଯାହାପାଖକୁ ଟେଲିଫୋନ ଲଗାଉଥାନ୍ତି ସେମାନେ ସମସ୍ତେ ତାଙ୍କୁ ଯିବାପାଇଁ ବାଧ୍ୟ କରୁଥାନ୍ତି । ବାସ୍ତବରେ ଫିନ୍‌ଲାଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟ ଖୁବ୍ ମନୋରମ, ବଲ୍‌ଗାହରିଣମାନେ ପଲପଲ ହୋଇ ବୁଲୁଥାଆନ୍ତି । ଗୋଧୂଳିର ରହସ୍ୟ ସୃଷ୍ଟିକାରୀ ହ୍ରଦମାନେ ଚକ୍ ଚକ୍ କରୁଥିବା ଦୃଶ୍ୟ ଖୁବ୍ ଲୋଭନୀୟ । ସେ ଦେଶର ଭାଷା ଓ ଲୋକସଙ୍ଗୀତ ଚିତ୍ତରଂଜନଙ୍କ ମନକୁ ବାରମ୍ବାର ଉସୁକାଉଥାଏ । ମାତ୍ର ମାସଟିଏ ପରେ ସେ ଫିନ୍‌ଲାଣ୍ଡରୁ ଫେରିଆସିଲେ ସତ କିନ୍ତୁ ସେ ଦେଶର ସ୍ମୃତି ତାଙ୍କ ମନରୁ କେବେ ଲିଭୁ ନ ଥାଏ ।

 

ଏତିକିରେ ତାଙ୍କ ବିଦେଶ ଯାତ୍ରା ସରିଲା ନାହିଁ । ୧୯୯୦-୯୧ ମସିହାରେ ମାତ୍ର ତିନିମାସପାଇଁ ଅଧ୍ୟାପନା କାର୍ଯ୍ୟରେ ସେ ଇସ୍ରାଏଲ ଗଲେ । ସଇଁତିରିଶ ବର୍ଷପରେ ସେ ଇସ୍ରାଏଲରେ ଯାହା ଦେଖିଲେ ସବୁ ପ୍ରାୟ ନୂଆ ଥିଲା । ସେ ଆଗରୁ ଦେଖିଥିବା ପୁରୁଣା ଚିତ୍ରଗୁଡ଼ିକ ଆଦୌ କେଉଁଠି ହେଲେ ନ ଥିଲା । ଇତି ମଧ୍ୟରେ ଇସ୍ରାଏଲର ଆର୍ଥିକ ଅବସ୍ଥା ଯେ ବଦଳି ଯାଇଥିଲା କେବଳ ସେତିକି ନୁହେଁ, ଇସ୍ରାଏଲର ସାମୂହିକ ଜୀବନ ବହୁଗୁଣରେ ସମୃଦ୍ଧ ହୋଇଥିଲା । ସେ ଅନୁଭବକରି ଆଶ୍ଚର୍ଯ୍ୟ ହେଲେ ଯେ ମାତ୍ର ଚାଳିଶଟା ବର୍ଷଭିତରେ ସେମାନଙ୍କ ଦେଶର ଚେହେରା କେମିତି ଏତେ ବଦଳି ପାରିଲା । ଇହୁଦୀମାନେ ପୃଥିବୀର ବହୁପ୍ରକାର ସମାଜରୁ ଏହି ନୂଆ ଦେଶଟିକୁ ଆସିଥିଲେ । ସେମାନଙ୍କର ରଙ୍ଗ ପରସ୍ପରଠାରୁ ଅଲଗା ଥିଲା । ଭାଷା ଓ ସଂସ୍କାରଗୁଡ଼ିକ ମଧ୍ୟ ଭିନ୍ନ ଭିନ୍ନ ହୋଇ ରହିଥିଲା । ତେଣୁ ସେମାନେ ଗୋଟିଏ ଯୋଜନା ଭିତରେ ରହିପାରିବେ କି ନାହିଁ ତାହ ୧୯୫୩ ମସିହାଠାରୁ ଚିତ୍ତରଂଜନଙ୍କ ମନରେ ଏକ ଦୀର୍ଘ ପ୍ରଶ୍ନବାଚୀ ହୋଇ ଠିଆ ହୋଇଥିଲା । କିନ୍ତୁ ୧୯୯୦ ମସିହାରେ ସେ ପରିବର୍ତ୍ତନକୁ ନିଜ ଆଖିରେ ଦେଖି ବିସ୍ମିତ ହେଲେ । ଏହା ଦେଖି ତାଙ୍କ ମନରେ ସ୍ୱତଃ ପ୍ରଶ୍ନ ଉଠିଲା ଇସ୍ରାଏଲରେ ମଣିଷ କହିଲେ କାହିଁକି ସବୁ ମଣିଷଙ୍କୁ ବୁଝାଉଛି । ମାତ୍ର ଭାରତବର୍ଷରେ କାହିଁକି ତାହା ସମ୍ଭବ ହେଉ ନାହିଁ-? ଚିତ୍ତରଂଜନ ଯେତେଥର ବିଦେଶ ଯାଇଛନ୍ତି ଓ ଯେଉଁ ଦେଶକୁ ଯାଇଛନ୍ତି ସେ ଦେଶର ମଣିଷମାନଙ୍କ ସହିତ ମିଶିଛନ୍ତି, ସେମାନଙ୍କ ପରିବାରକୁ ନିଜ ପରିବାର ବୋଲି ମଣିଛନ୍ତି । ସେମାନଙ୍କର ଆତ୍ମୀୟତା ଭିତରେ ନିଜକୁ ହଜାଇ ଦେଇଛନ୍ତି । ଏସବୁସତ୍ତ୍ୱେ ସେ ସବୁସ୍ଥାନରେ ଭାରତବର୍ଷ କଥା ଚିନ୍ତା କରିଛନ୍ତି । କାହିଁକି ଭାରତବର୍ଷରେ ଏତେ ଭେଦାଭେଦ । ପରସ୍ପର ମଧ୍ୟରେ ଏପରି ଅସହିଷ୍ଣୁତା । ଧର୍ମକୁ ନେଇ ଏତେ ଟଣାଓଟରା, ଶିକ୍ଷା ପଦ୍ଧତି ଏତେ କଳୁଷିତ । ସବୁ ମଣିଷ ନିଜକୁ ଏକ ବୋଲି ବିଚାର କରୁନାହାନ୍ତି କାହିଁକି ? ଜଣେ ସଚ୍ଚା ଶିକ୍ଷକର ଦୃଷ୍ଟିକୋଣ ଥିଲା ଚିତ୍ତରଂଜନଙ୍କର । ତେଣୁ ସେ ଯେଉଁଠିକୁ ଯାଉଥିଲେ ସେଠାରୁ ଶିଖିବା ଥିଲା ତାଙ୍କର ଅସଲ ଉଦ୍ଦେଶ୍ୟ । ସେ ପିଲାମାନଙ୍କୁ ବେଶ୍‍ ଭଲପାଉଥିଲେ । ସେମାନେ କିପରି ମଣିଷ ହୋଇପାରିବେ ସେଥିପାଇଁ ସେ ଶିଶୁମନସ୍ତତ୍ତ୍ୱ ଉପରେ ବେଶି ଗୁରୁତ୍ୱ ଦେଉଥିଲେ । ଜୀବନରେ କେବେ ଟଙ୍କା, ପଇସା, କ୍ଷମତା, ପଦବୀକୁ ସେ ପସନ୍ଦ କରୁ ନଥିଲେ । କେବଳ ସାଦାସିଧା ମଣିଷଟିଏ ପରି ବଞ୍ଚି କିଛି ପଢ଼ିବା ଓ ପଢ଼ାଇବାରେ ତାଙ୍କର ଆତ୍ମସନ୍ତୋଷ ଭରି ରହିଥିଲା । ସେ ଯଦି ଚାହିଥାନ୍ତେ ଜୀବନରେ କେତେ ବଡ଼ ପଦବୀ ପାଇପାରିଥାନ୍ତେ; କିନ୍ତୁ ସବୁକୁ ସେ ପ୍ରତାଖ୍ୟାନ କରିଛନ୍ତି ।

Image

 

ପାରିବାରିକ ଜୀବନ

 

ଚିତ୍ତରଂଜନଙ୍କ ଜୀବନରେ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ଓ ଶ୍ରୀମତୀ ମାଳତୀ ଚୌଧୁରୀଙ୍କ ଭୂମିକା ଥିଲା ଅବିସ୍ମରଣୀୟ । ଶ୍ରୀମତୀ ମାଳତୀ ଚୌଧୁରୀଙ୍କୁ ସମସ୍ତେ ‘ନୁମା’ ବୋଲି ଡାକନ୍ତି । କିନ୍ତୁ ଚିତ୍ତବାବୁ ତାଙ୍କୁ ମା’ ବୋଲି ମନେକରନ୍ତି । ୧୯୫୪ ରେ ଚିତ୍ତରଂଜନ ଡେନ୍‍ମାର୍କରୁ ଫେରି ଚମ୍ପତ୍ତିମୁଣ୍ଡାର ଜୀବନ ବିଦ୍ୟାଳୟରେ ଅଧ୍ୟାପନା କରୁଥାନ୍ତି । ତାଙ୍କର ବିବାହ ବୟସ ହୋଇଯିବା ଜାଣି ଘର ଲୋକମାନେ ଚିତ୍ତରଂଜନଙ୍କ ବିବାହ ପ୍ରସ୍ତାବ ଆଣିଲେ । ଚିତ୍ତବାବୁଙ୍କର ଗୋଟିଏ କଥା, ଘରଲୋକେ ଯେଉଁଠି ସ୍ଥିର କରିବେ ସେ ସେଇଠି ବାହାହେବେ । କିନ୍ତୁ ଗୋଟିଏ ସର୍ତ୍ତ, ଶ୍ରୀମତୀ ମାଳତୀ ଚୌଧୁରୀ କନିଆ ଦେଖି ଅନୁମୋଦନ କଲେ ସେ ସେହି ଝିଅକୁ ବିବାହ କରିବେ । ଘର ଲୋକମାନେ ଝିଅ ଦେଖିଆସି ମାଳତୀ ଦେବୀଙ୍କୁ କହିଲେ । ମାଳତୀ ଦେବୀ ଝିଅ ଦେଖି ଅନୁମୋଦନ ଜଣାଇଲେ । ଚିତ୍ତବାବୁ ଆଉକିଛି ଆପତ୍ତି କରିବାର ନଥିଲା । ତେଣୁ ପ୍ରମିଳା ନାମ୍ନୀ ଝିଅଟିକୁ ସେ ବିବାହ କଲେ । ପ୍ରମିଳା ଥିଲେ ଖୁବ୍ ଚୁପ୍‍ଚାପ୍ । ତାଙ୍କର କୌଣସି କଥାରେ ପ୍ରତିକ୍ରିୟା ନ ଥିଲା । ପ୍ରଥମେ ଚିତ୍ତବାବୁ ତାଙ୍କୁ ଚମ୍ପତ୍ତିମୁଣ୍ଡାକୁ ନେଇ ଝାଟିମାଟି ଘରେ ରଖିଲେ । ସ୍ୱାମୀଙ୍କ ସେବାରେ ସେ କେବେ ଖିଲାପ କରୁନଥିଲେ । ଚମ୍ପତ୍ତିମୁଣ୍ଡାର ପର୍ଯ୍ୟାୟ ସରିବାପରେ ସେ ସସ୍ତ୍ରୀକ ଆଗ୍ରା ଆସିଲେ । ଆଗ୍ରାର ନିକଟସ୍ଥ ବିଚିପୁର ଗ୍ରାମୀଣ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ାଇ ଚିତ୍ତବାବୁ ବସାକୁ ଫେରନ୍ତି । ଯାହା କହିଲେ ପ୍ରମିଳାଙ୍କର ମୌନ ଭାଙ୍ଗୁ ନ ଥିଲା । ରାନ୍ଧିବାଢ଼ି ଜଣେ ମଣିଷକୁ ଖାଇବାକୁ ଦେବା ଓ ବହି ପଢ଼ିବା ଏହି ଦୁଇଟି ବ୍ୟତୀତ ପ୍ରମିଳାର ଅନ୍ୟକୌଣସି କାମ ଯେପରି ନ ଥିଲା । ଚିତ୍ତବାବୁ ଗୋଟିଏ ନାରୀ ମନକୁ ଯେତେ ଚାହିଁଲେ ବି ବୁଝିପାରିଲେ ନାହିଁ । ଏଇଠି ତାଙ୍କର ଦେଶବିଦେଶର ପାଠ ସମସ୍ତ ଯେପରି ହାରମାନିଗଲା । ମନୋବିଜ୍ଞାନରେ ଏତେ ଗବେଷଣା କଲେବି ସ୍ତ୍ରୀ ପ୍ରମିଳାଙ୍କର ମନୋରାଜ୍ୟରେ ପ୍ରବେଶ କରିପାରିନଥିଲେ । ଆଗ୍ରାରେ ପ୍ରମିଳା ଆତ୍ମହତ୍ୟା କଲେ । ଚିତ୍ତବାବୁ ପଥର ପାଲଟି ଗଲେ । ଏକ ପ୍ରକାର ଅସହାୟତା ତାଙ୍କୁ ଗୋଟାପଣ ଅଣଅକ୍ତିଆର କରିପକାଉଥିଲା । ଜୀବନର ଚଲାପଥରେ ଏଇଠି ସେ ପ୍ରଥମକରି ଝୁଣ୍ଟିଲେ । ମନରେ ଅସୀମ ଯନ୍ତ୍ରଣା । ଆଉ ବିବାହ କରିବା କଥା ଚିନ୍ତା ନ କରି ସେ ଅଧ୍ୟାପନା ପାଇଁ ଜର୍ମାନୀ ଗଲେ । ମଝିରେ ତାଙ୍କର ସବା ସାନଭାଇ ଓ ମଝିଆ ଭଉଣୀର ବିଭାଘର ହୋଇଗଲା । ସମସ୍ତେ ଚିତ୍ତରଂଜନଙ୍କ ଦ୍ୱିତୀୟ ବିବାହ ବିଷୟରେ ବ୍ୟସ୍ତ । ୧୯୬୭ ମସିହା ଆରମ୍ଭରେ ତାଙ୍କର ଦୁଇ ପୁତୁରାଙ୍କର ବିଭାଘର ସ୍ଥିର ହୋଇଥାଏ । ସେ ଏଥିପାଇଁ ଓଡ଼ିଶା ଆସିବାକୁ ସଜବାଜ ହେଉଥିବାବେଳେ ତାଙ୍କ ବଡ଼ଭାଇଙ୍କଠାରୁ ଚିଠି ଖଣ୍ଡେ ପାଇଲେ । ସେମାନେ ଚିତ୍ତବାବୁଙ୍କ ପାଇଁ କନିଆଁ ଦେଖିଛନ୍ତି । ସେ ଆସି ଦେଖିଲେ ବିଭାଘର ହେବ । ଚିତ୍ତରଂଜନ ଓଡ଼ିଶା ଆସି କନିଆ ଦେଖିଲେ । କଟକ ମେଡ଼ିକାଲ କଲେଜରେ ଅଧ୍ୟାପନା କରୁଥିବା ଉଷାଙ୍କ ସହିତ ତାଙ୍କର ଦ୍ୱିତୀୟ ବିବାହ ସମ୍ପନ୍ନ ହେଲା । ଭୁବନେଶ୍ୱରରେ ବିଭାଘର ହେଲା ଓ ସେଠାରୁ ସେମାନେ ବାଗଲପୁର ଆସିଲେ । ଘରେ ଓ ଗାଆଁରେ ଆନନ୍ଦର ଜୁଆର ଗ୍ରାମରେ କିଛିଦିନ ରହିବାପରେ ସେମାନେ ଆଗ୍ରା ଗଲେ । ଉଷା ଦେବୀ ଆଗ୍ରାରେ କିଛିମାସ ରହି ପୁଣି କଟକ ଆସି ନିଜ କାର୍ଯ୍ୟରେ ଯୋଗ ଦେଲେ । ଚିତ୍ତରଂଜନ କଟକରୁ ଆଗ୍ରା ଓ ଆଗ୍ରାରୁ କଟକ ହେଉଥାନ୍ତି । ୧୯୬୮ ମସିହା ମାର୍ଚ୍ଚ ମାସରେ ପୁଅ ମାନବେନ୍ଦ୍ର ଜନ୍ମଗ୍ରହଣ କଲା । ସେତେବେଳେ ଉଷାଦେବୀ ମେଡ଼ିକାଲ ହତାଭିତରେ ଥିବା ବସାରେ ହିଁ ରହୁଥିଲେ । ଏଠାରେ ପୁଅର ଏକୋଇଶିଆ ପୂଜା ହୋଇଥିଲା । ବସାରେ ଚିତ୍ତରଂଜନଙ୍କ ଘରଲୋକେ ଏବଂ ପୁଅର ମାମୁଘର ଲୋକେ ଭର୍ତ୍ତି ହୋଇଯାଇଥିଲେ । ଏଣିକି ଦୁହିଁଙ୍କ ମୁଣ୍ଡରେ ଏକମାତ୍ର ପୁଅଚିନ୍ତା । ସ୍ତ୍ରୀ ଉଷାଦେବୀଙ୍କ ଚାକିରୀର ଗୁରୁତ୍ୱ ବୁଝିଥାନ୍ତି ଚିତ୍ତରଂଜନ । ବାପା ଆଗ୍ରାରେ ଅଧ୍ୟାପନା କରିବ, ମାଆ କଟକରେ ମେଡ଼ିକାଲ ପିଲାଙ୍କୁ ପାଠ ପଢ଼ାଇବ, ରୋଗୀମାନଙ୍କୁ ଦେଖିବ, ସନ୍ତାନପ୍ରସବ କ୍ରିୟାର ତତ୍ତ୍ୱାବଧାନ କରିବ । ଆବଶ୍ୟକ ହେଲେ ଅପରେସନ କରିବ । ଡାକରା ପଡ଼ିଲେ ରାତି ଅଧରେ ମଧ୍ୟ ଉଷାଦେବୀଙ୍କୁ ଡାକ୍ତରଖାନା ଯିବାକୁ ହେବ । ହେଲେ ପୁଅଟା କ’ଣ କେବଳ ପରିଚାରିକା ହାତରେ ବଢ଼ିବ; ଏକଥା ଚିତ୍ତରଂଜନଙ୍କୁ ଆଦୌ ଭଲ ଲାଗିଲା ନାହିଁ । ତାଙ୍କ ମନକୁ ଏହା ଆଘାତ କଲା । ତେଣୁ ପରିସ୍ଥିତିକୁ ଆଖିଆଗରେ ରଖି ଆଗ୍ରାର ମୋହଛାଡ଼ି ସେ କଟକ ଚାଲିଆସିଲେ । ୧୯୪୫ ମସିହାରେ ସେ ଓଡ଼ିଶା ଛାଡ଼ିଥିଲେ; ମାତ୍ର ତାହାର ପଚିଶବର୍ଷ ପରେ ଅର୍ଥାତ୍ ୧୯୭୦ ମସିହାରେ ସେ ଓଡ଼ିଶାକୁ ଫେରିଆସିଲେ । ସେ ପୁଅକୁ ଖୁବ୍ ଭଲ ପାଉଥିଲେ । ମାନବେନ୍ଦ୍ରର ସବୁ ଦାୟିତ୍ୱ ତାଙ୍କୁ ତୁଲାଇବାକୁ ପଡ଼ୁଥିଲା । ସେ ଯେତେବେଳେ The Life Divineର ଅନୁବାଦ କାମ ଆରମ୍ଭ କଲେ ସେତେବେଳେ ପୁଅକୁ ଦୁଇବର୍ଷ ପୂରିବାକୁ ଯାଉଥିଲା । ସନ୍ତାନର ଆକର୍ଷଣରେ ସେ ଏକାବେଳେ ବାନ୍ଧି ହୋଇ ପଡ଼ିଲେ । ସେ ଯୁଆଡ଼େ ଯାଉଥିଲେ ପୁଅ ମାନବେନ୍ଦ୍ରକୁ ସାଇକେଲରେ ବସାଇ ନେଉଥିଲେ । ପୁଅ ଚାରି ପାଞ୍ଚବର୍ଷ ହେବାଦିନୁ ସେମାନେ ତାକୁ ସିନେମା ଦେଖାଇ ନେଉଥିଲେ । କୌଣସି ହିନ୍ଦୀ, ଇଂରାଜୀ ଅଥବା ବଙ୍ଗଳା ସିନେମା ଆସିଲେ ଚିତ୍ତବାବୁ ପୁଅ ମାନୁକୁ ଦେଖାଇ ନିଅନ୍ତି । ଓଡ଼ିଆ ସିନେମା ତା’ ମା’ ଉଷାଦେବୀ ଦେଖାଇ ନେବାର ପାଳିଥାଏ । ପୁଅ ମାନବେନ୍ଦ୍ରକୁ ଚଉଦ ବର୍ଷ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଖରାଦିନେ ଚିତ୍ତରଂଜନ ସ୍ତ୍ରୀ ଓ ପୁଅକୁ ନେଇ ଭାରତର ବିଭିନ୍ନ ସ୍ଥାନ ପରିଭ୍ରମଣରେ ଯାଉଥିଲେ । ସେ ଯାତ୍ରା କରିଥିବା ସ୍ଥାନମାନଙ୍କ ମଧ୍ୟରେ ପଣ୍ଡିଚେରୀ, ଜବଲପୁର, ନାଗପୁର, ସେବାଗ୍ରାମ, ଶାନ୍ତିନିକେତନ, ବନାରସ, କେରଳ, କେନାଲ, ମଦୁରାଇ, ବାଙ୍ଗାଲୋର, ହାଇଦ୍ରାବାଦ, ଧରୱାଡ଼, କଲିକତା, ହାଟକଲ୍ୟଣୀ, ବଦ୍ରିନାଥ ଓ ନୈନିତାଲ ଆଦି ଅନ୍ତର୍ଭୁକ୍ତ । କେରଳକୁ ଯାଇଥିବା ବର୍ଷ କନ୍ୟାକୁମାରୀ ଓ ରାମେଶ୍ୱର ମଧ୍ୟ ସେହି ଯାତ୍ରାର ଅନ୍ତର୍ଗତ ଥିଲା । ବାଙ୍ଗାଲୋର ଯାଇଥିବାବେଳେ ସେମାନେ ମହୀଶୁର, ଶ୍ରବଣବେଲଗୋଲା, ବେଲୁଡ଼ ଓ ହାଲେବିଡ଼ ମଧ୍ୟ ଦେଖିପାରିଥିଲେ । ପୁଅ ପାଠପଢ଼ିଲା । ପାଠ ତା’ର ଭଲ ହେଉଥିଲା । ଆଇ.ଏସ.ସି. ପାଶ୍‍ କରିବାପରେ ସେ ଇଞ୍ଜିନିୟରିଂ ପଢ଼ିବା ପାଇଁ ବାଙ୍ଗାଲୋର ଗଲା । ସେତେବେଳେ ଓଡ଼ିଶାରେ ବର୍ତ୍ତମାନ ପରି ଇଞ୍ଜିନିୟରିଂ କଲେଜ ଛତୁ ଫୁଟିଲାପରି ନ ଥିଲା । ଅଥବା ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟ ହୋଇନଥିଲା । ମାନବେନ୍ଦ୍ର ବାଙ୍ଗାଲୋରରେ ପଢ଼ିବା ସମୟରେ ତା’ର ଜଣେ ସହାଧ୍ୟାୟୀ କର୍ଣ୍ଣାଟକୀ ବ୍ରାହ୍ମଣ ପରିବାରର ଝିଅକୁ ବିବାହ ପାଇଁ ସ୍ଥିର କଲା । ପୁଅର ଇଚ୍ଛାକ୍ରମେ ତା’ର ବିବାହ ସେଠାରେ ହେଲା । ପୁଅ ଓ ବୋହୂ ଉଭୟେ ଆମେରିକାରେ ଇଞ୍ଜିନିୟର ଅଛନ୍ତି । ତାଙ୍କର ଗୋଟିଏ ମାତ୍ର ଝିଅ । ସମୟେ ସମୟେ ସେମାନେ ଭୁବନେଶ୍ୱର ଆସନ୍ତି । ଚିତ୍ତବାବୁ ତାଙ୍କର ବାପୁଜୀ ନଗରସ୍ଥିତି ୮୩ /ଏ ବିଶ୍ୱନୀଡ଼ମ ନାମକ ନିଜର ଘରେ ଅବସ୍ଥାନ କରୁଥିଲେ । ମଝିରେ ମଝିରେ ପର୍ବପର୍ବାଣି, ବିବାହ ଉତ୍ସବ ତଥା ବିଭିନ୍ନ ଆନୁଷ୍ଠାନିକ କାଯ୍ୟକ୍ରମରେ ଯୋଗଦେବା ପାଇଁ ଗାଆଁକୁ ଯାଉଥିଲେ । ଭୁବନେଶ୍ୱରସ୍ଥିତ ବିଶ୍ୱନୀଡ଼ମ କେବଳ ତାଙ୍କର ସୀମିତ ପରିବାର ପାଇଁ ଉଦ୍ଦିଷ୍ଟ ନ ଥିଲା । ତାହା ଥିଲା ବିଶ୍ୱର ପ୍ରତ୍ୟେକ ଜନତାଙ୍କ ପାଇଁ ଉତ୍ସର୍ଗୀକୃତ । ସବୁବେଳେ ଆନନ୍ଦ କୋଳାହଳ । ଜ୍ଞାନଚର୍ଚ୍ଚା ପାଇଁ କେତେ ଜ୍ଞାନୀ, ଗୁଣୀ ତାଙ୍କ ପାଖକୁ ଟାଣି ହୋଇ ଆସୁଥିଲେ । ଯେଉଁମାନେ ଆସୁଥିଲେ ସେମାନେ କିଛିଦିନ ପରେ ତାଙ୍କର ପରିବାର ସହିତ ଓତଃପ୍ରୋତ ମିଶି ଯାଉଥିଲେ । କେତେ ମୂଲ୍ୟବାନ, କେତେ ଦାର୍ଶନିକ ତତ୍ତ୍ୱ, ଅରବିନ୍ଦଙ୍କ ଶିକ୍ଷାପ୍ରଣାଳୀ, ମନସ୍ତତ୍ତ୍ୱ ସମ୍ପର୍କୀୟ ଚର୍ଚ୍ଚା ଏବଂ ସାହିତ୍ୟର ବିଭିନ୍ନ ଦିଗଉପରେ ଆଲୋଚନାରେ ତାଙ୍କର ପ୍ରଗାଢ଼ ଦକ୍ଷତା ଥିଲା । ଯେତେ ମହାନ୍‍ ଲୋକ ଆସିଲେ ବି ଚିତ୍ତରଂଜନଙ୍କ ଜ୍ଞାନର ପରିଧିକୁ ଅତିକ୍ରମ କରିବା ସମ୍ଭବ ହେଉନଥିଲା । ସେ ଥିଲେ ପ୍ରଜ୍ଞାପୁରୁଷ, ପ୍ରକୃତ ମାର୍ଗଦର୍ଶକ ଓ ଅସରନ୍ତି ପ୍ରେରଣାର ଉତ୍ସ ।

 

ଚିତ୍ତରଂଜନ ଯେଉଁଠି ଥିଲେ ବି ପ୍ରାୟ ସବୁବେଳେ ଗାଆଁ କଥା ଓ ପରିବାର କଥା ଭାବୁଥିଲେ । ଭୁବନେଶ୍ୱରସ୍ଥିତ ବସାକୁ ଅଧିକାଂଶ ସମୟ ତାଙ୍କ ପରିବାରର ଭାଇ, ଭାଉଜ, ପୁତୁରା, ଝିଆରୀ, ଭଉଣୀ, ଭିଣୋଇ, ଭଣଜା, ଭାଣେଜୀ ଓ ଆତ୍ମୀୟ ସ୍ୱଜନମାନେ ଆସୁଥିଲେ । ଏହା ସେମାନଙ୍କ ପାଇଁ ନିଜଘରଠାରୁ ଅଧିକ ଥିଲା । ଗାଆଁର ଅନେକ ଲୋକଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଭଲଥିଲା । ସେମାନେ ଯେକୌଣସି କାର୍ଯ୍ୟପାଇଁ ଭୁବନେଶ୍ୱର ଯାଉଥିଲେ । ଚିତ୍ତବାବୁଙ୍କୁ ଦେଖା ନ କରି ଫେରୁ ନ ଥିଲେ । ସତରେ ଚିତ୍ତବାବୁ ସମସ୍ତଙ୍କ ପାଇଁ ଯେପରି ଥିଲେ ସୁଖଦୁଃଖର ସାଥୀ, ଅତିଆପଣାର, ଏକାନ୍ତ ନିଜର । ଏହି ଏକ ମହାନ୍‍ ବ୍ୟକ୍ତିଙ୍କର ଜୀବନର ଅବସାନ ଘଟିଲା ୨୦୧୧ ମସିହା ଜାନୁଆରୀ ମାସ ୧୬ ତାରିଖରେ । ସେତେବେଳେକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ଏହା ପୂର୍ବରୁ ୨୦୧୦ ମସିହା ଡିସେମ୍ବର ମାସ ୨୦ ତାରିଖରେ ସେ ପଡ଼ିଯାଇଥିଲେ । ଗୋଡ଼ଟି ଭାଙ୍ଗିଯାଇଥିବାରୁ ସେ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ସମସ୍ତଙ୍କର ଦୃଢ଼ ବିଶ୍ୱାସ ଥିଲା ସେ ସୁସ୍ଥ ହୋଇଯିବେ । ହେଲେ ସମସ୍ତଙ୍କ କଳ୍ପନା ଜଳ୍ପନାକୁ ମହାକାଳ ମିଥ୍ୟାବୋଲି ପ୍ରମାଣିତ କରିଦେଲା । ଓଡ଼ିଶା ଗୋଟିଏ ବରପୁତ୍ରଙ୍କୁ ହରାଇଲା । ଶିକ୍ଷା ଓ ସାହିତ୍ୟ ଜଗତରେ ସୃଷ୍ଟି ହେଲା ଏକ ବିରାଟ ଶୂନ୍ୟସ୍ଥାନ ।

Image

 

Unknown

ଚିତ୍ତରଂଜନ ଦାସଙ୍କର ସାରସ୍ୱତ ସୃଷ୍ଟିସମ୍ଭାର

 

ଡକ୍ଟର ଚିତ୍ତରଂଜନ ଦାସ ଥିଲେ ଓଡ଼ିଆ ସାହିତ୍ୟରେ ବହୁମୁଖୀ ପ୍ରତିଭାର ଅଧିକାରୀ । ଗଦ୍ୟ ରଚନାରେ ସିଦ୍ଧହସ୍ତ ଚିତ୍ତରଂଜନ ଏକାଧାରରେ ଥିଲେ ଜଣେ ପ୍ରାବନ୍ଧିକ, ରମ୍ୟରଚନାକାର, ସମାଲୋଚକ, ଅନୁବାଦକ, ଶିଶୁ ସାହିତ୍ୟିକ, ଭ୍ରମଣ କାହାଣୀର ସ୍ରଷ୍ଠା, ଚରିତ ସାହିତ୍ୟର ଲେଖକ ଏବଂ ଦିନଲିପି (Diary)ର ରଚନାକାର । ଏତଦ୍‌ବ୍ୟତୀତ ଓଡ଼ିଆ ସାହିତ୍ୟର ଇତିହାସ-(ସାମାଜିକ-ସାଂସ୍କୃତିକ ଭିତ୍ତିଭୂମି) ମଧ୍ୟ ସେ ଲେଖିଛନ୍ତି । କିଶୋର ବୟସରୁ ସିଏ ଲେଖକ । ତାଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ ‘ଦୁଇ ଅଧ୍ୟାୟ’ ଏକ କବିତା ସଂକଳନ ଯାହାର ସୃଷ୍ଟି ହୋଇଥିଲା କଟକ ଜେଲ ଭିତରେ । ଇଂରେଜୀ ଭାଷାରେ ମଧ୍ୟ କେତୋଟି ଗବେଷଣାଧର୍ମୀ ପୁସ୍ତକ ରଚନା କରିଛନ୍ତି । ଶିକ୍ଷା ଓ ଶିକ୍ଷାୟତନକୁ ପ୍ରାଣଭରି ଭଲପାଉଥିବା ଚିତ୍ତରଂଜନ ଅନେକ ଦେଶ ଯାଇ ସେଠାକାର କ୍ରାନ୍ତିକାରୀ ଶିକ୍ଷାବ୍ୟବସ୍ଥା ସମ୍ବନ୍ଧରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣପୂର୍ବକ ଅନୁଭୂତି ଓ କେତେକ ଅମୂଲ୍ୟ ଶିକ୍ଷାସମ୍ପର୍କିତ ପୁସ୍ତକର ଅନୁବାଦ କରି ଓଡ଼ିଆ ଭାଷାରେ ନୂତନ ଯୁଗର ସୂତ୍ରପାତ କରିଛନ୍ତି । ସେ ଥିଲେ ଜଣେ ବିଶିଷ୍ଟ ସ୍ତମ୍ଭକାର ଏବଂ ସମ୍ପାଦକୀୟ ଲେଖିବାରେ ସିଦ୍ଧହସ୍ତ-। ପ୍ରଗତିବାଦୀ, ସମ୍ବାଦ ପ୍ରଭୃତି ଦୈନିକ ପତ୍ରିକାରେ ସେ ରୀତିମତ ଲେଖୁଥିଲେ । ଦୈନିକ ଧରିତ୍ରୀରେ ମଧ୍ୟ ତାଙ୍କର ଅନେକ ସମ୍ପାଦକୀୟ ପ୍ରକାଶ ପାଇଥିଲା ଯାହା ପରବର୍ତ୍ତୀ ସମୟରେ ସମ୍ପାଦକର ସ୍ତମ୍ଭ ନାମରେ ଚାରିଖଣ୍ଡ ପୁସ୍ତକରେ ପରିଣତ ହୋଇଛି । ଓଡ଼ିଶାର ଏହି ମାନବବାଦୀ ଚିନ୍ତାନାୟକ ବିଶ୍ୱକୁ ଗବାକ୍ଷ ଦେଇ ଆସିଛନ୍ତି ଜୀବନସାରା । ତାଙ୍କ ପାଇଁ ଭାଷା, ସଂସ୍କୃତି, ଧର୍ମ, ଦର୍ଶନ ଓ ଭୂଗୋଳ କିଛି ବି ବାଧା ସୃଷ୍ଟି କରିପାରିନାହିଁ । ସେ ଦେଶ ବିଦେଶର ବହୁ ଭାଷାର ଜଣେ ପଣ୍ଡିତ ସତ; କିନ୍ତୁ ମାତୃଭାଷା ଓଡ଼ିଆକୁ ସେ ପ୍ରାଣଭରି ଭଲ ପାଉଥିଲେ । ସେ ଓଡ଼ିଆ ସାହିତ୍ୟର ପ୍ରାୟ ପ୍ରତ୍ୟେକ ବିଭାବରେ ଲେଖନୀ ଚାଳନା କରିଥିଲେ । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଲେଖନୀ ତାଙ୍କ ହାତରୁ ଛାଡ଼ି ନ ଥିଲା । ଲେଖନୀ ଯେପରି ତାଙ୍କର ପୋଷାମାନି ଯାଇଥିଲା । ସେ ଜଣେ ବାଗ୍ମୀ ଓ ଅନର୍ଗଳ ବକ୍ତା ଥିଲେ । ସେ ଯାହାସବୁ ଭଲ ପାଉଥିଲେ, ତାହା ନିର୍ଭୀକଭାବେ ଓଡ଼ିଆ ଭାଷାରେ ଲେଖି ଚାଲିଥିଲେ । କାହାର ନିନ୍ଦା ପ୍ରଶଂସାକୁ ତାଙ୍କର ଖାତିର ନ ଥିଲା । କାରଣ ସେ ଥିଲେ ସ୍ୱାଧୀନଚେତା । ପ୍ରତ୍ୟେକଟି ଦେଶରୁ ସେ କିଛି ନା କିଛି ଶିଖୁଥିଲେ, ବିପୁଳ ଅଭିଜ୍ଞତା ଅର୍ଜନ କରୁଥିଲେ ଏବଂ ନିଜ ଦେଶର ଲୋକମାନଙ୍କୁ ଶିଖାଇବା ଲକ୍ଷ୍ୟ ନେଇ ତାହାକୁ ଓଡ଼ିଆ ଭାଷାରେ ରୂପ ଦେଉଥିଲେ । କିଶୋର, ଯୁବକ, ପ୍ରୌଢ, ଜ୍ଞାନୀ, ଗୁଣୀ ସମସ୍ତଙ୍କର ଶିକ୍ଷାଲାଭ ପାଇଁ ତାଙ୍କ ରଚନାବଳୀ ଉପାଦାନରେ ଭରା । ତାଙ୍କର ସମସ୍ତ ରଚନାର ସଂଖ୍ୟା ଦୁଇଶହରୁ ଅଧିକ ହେବ । କେତେକ ରଚନା ମଧ୍ୟ ଏପର୍ଯ୍ୟନ୍ତ ଅପ୍ରକାଶିତ । ତଥାପି ଯଥାସମ୍ଭବ ବିଭାଗ କ୍ରମରେ ତାଙ୍କ ରଚନାବଳୀର ନାମୋଲ୍ଲେଖ କରାଯାଇପାରେ ।

 

କବିତା

 

ଚିତ୍ତରଂଜନ ଦାସଙ୍କର ଏକମାତ୍ର କବିତା ସଂକଳନ ‘ଦୁଇ ଅଧ୍ୟାୟ’ ୧୯୪୮ ମସିହାରେ ପ୍ରକାଶିତ ।

 

ପ୍ରବନ୍ଧ ଓ ରମ୍ୟରଚନା

 

ଚିତ୍ତରଂଜନ ଅନେକ ମୌଳିକ ପ୍ରବନ୍ଧର ସ୍ରଷ୍ଟା । ସମୟକ୍ରମେ ଓଡ଼ିଶାର ଦୈନିକ ପତ୍ରିକା ପ୍ରଗତିବାଦୀ ଓ ସମ୍ବାଦରେ କ୍ରମାନ୍ୱୟରେ ନିରବଚ୍ଛିନ୍ନ ଭାବରେ ଅନେକ ପ୍ରବନ୍ଧ ସ୍ତମ୍ଭାକାରରେ ସ୍ଥାନ ପାଇ ପରେ ସଂକଳିତ ହୋଇଛି ପୁସ୍ତକ ଭାବରେ । ସେହିପରି ଓଡ଼ିଶାର ପ୍ରତିଷ୍ଠିତ ମାସିକ ପତ୍ରିକା ‘ଝଙ୍କାର’ ଓ ‘ଦିଗନ୍ତ’ରେ ସେ ଲେଖୁଥିବା ପ୍ରବନ୍ଧଗୁଡ଼ିକ ପରବର୍ତ୍ତୀ କାଳରେ ପ୍ରବନ୍ଧ ପୁସ୍ତକ ଭାବରେ ଆତ୍ମପ୍ରକାଶ କରିଛି । ଲେଖକଙ୍କର ପ୍ରବନ୍ଧ ଓ ରମ୍ୟରଚନାଗୁଡ଼ିକ ହେଲା– ଏକଲବ୍ୟ କଥା ଓ ଅନ୍ୟାନ୍ୟ ପ୍ରବନ୍ଧ, ଜାତିରେ ମୁଁ ଯବନ, ଜୀବନ ବିଦ୍ୟାଳୟ, ଶିଳା ଓ ଶାଳଗ୍ରାମ, ସଂସ୍କୃତି ଓ ଓଡ଼ିଶା, ଗାନ୍ଧି ଓ ଗୋପବନ୍ଧୁ, ନଖ ଦର୍ପଣେନ, ରଜୁ ରଜୁ, ଭୁଜଙ୍ଗ-ଭୁଜଙ୍ଗ, ପଶ୍ୟତି ଦିଶିଦିଶି, ଅରମ୍ୟ ରଚନା, ଓଡ଼ିଶା ଓ ଓଡ଼ିଆ, ସାହିତ୍ୟ ଓ ନେତା ଓ ନାରାୟଣ, ବିଶ୍ୱକୁ ଗବାକ୍ଷ, କାଳକୁ କଜ୍ଜ୍ୱଳ, ଅନାବନା ରଚନା, ପ୍ରବନ୍ଧର ପୃଥିବୀ, ଆଉ ଏକ ଦୃଷ୍ଟିରେ, ଚେତନା ବଡ଼ ଅଡ଼ୁଆ, ମା’ ନିଷାଦ, ଶୂକର ଓ ସକ୍ରେଟିସ୍‌, ଶିକ୍ଷାରୁ ସଂକ୍ରମଣ, ଶିକ୍ଷାର ବିବେକ, ତରଙ୍ଗ ଓ ତଡ଼ିତ, ବ୍ରହ୍ମ ତାତିଲାଣି ପରା, କପି ତୁ କାହୁଁ ଅଇଲୁ, ପ୍ରୀତିରୁ ହୁଡ଼ିଲେ ଭୀତି, ଝାଉଁଳି ନ ପଡ଼ କେହି, ଭଲା ମାନୁଛି ଦେଖ ପ୍ରଭୃତି ।

 

ସମାଲୋଚନା

 

ଓଡ଼ିଆ ସମାଲୋଚନା ସାହିତ୍ୟକୁ ଡକ୍ଟର ଚିତ୍ତରଂଜନ ଦାସଙ୍କର ଦାନ ଅତୁଳନୀୟ । ତାଙ୍କଦ୍ୱାରା ରଚିତ ସମାଲୋଚନା ପୁସ୍ତକ ମଧ୍ୟରେ ଅଚ୍ୟୁତାନନ୍ଦ ଓ ପଞ୍ଚସଖାଧର୍ମ, ଓଡ଼ିଶାର ମହିମାଧର୍ମ, ସନ୍ଥ(ଭକ୍ତି) ସାହିତ୍ୟ ଏବଂ ଓଡ଼ିଆ ସାହିତ୍ୟର ସାଂସ୍କୃତିକ ଇତିହାସ, ବେନେଡିକଟ ସ୍ପିନୋଜା (ଜୀବନୀ ଓ ମୂଲ୍ୟାୟନ) ପ୍ରଧାନ ।

 

ଭ୍ରମଣ ସାହିତ୍ୟ

 

ଚିତ୍ତରଂଜନ ଦାସଙ୍କର ପ୍ରଥମ ଗଦ୍ୟ ରଚନା ଭାବରେ ଭ୍ରମଣ କାହାଣୀକୁ ଗ୍ରହଣ କରାଯାଏ । ଭ୍ରମଣ କାହାଣୀଗୁଡ଼ିକ ହେଲା- ନେପାଳ ପଥେ, ଗଞ୍ଜାମ ମାଳରେ ସାତଦିନ, ସାଗର ଯାତ୍ରୀ, ଡେନ୍‍ମାର୍କ ଚିଠି, ଶିଳାତୀର୍ଥ, ସାଗର ପଥ, ଭାରତରୁ ଚୀନ, ଆମେରିକାରୁ ଆସିଲି ଏବଂ ଏରୋତେଜ ଇସ୍ରାଏଲ ।

 

ଅନୁବାଦ ସାହିତ୍ୟ

 

ଚିତ୍ତରଂଜନ ଦାସ ଦେଶ ବିଦେଶ ବହୁଭାଷାର ଜଣେ ବିଦ୍ୱାନ ଥିଲେ । ତାଙ୍କର ଯାହା ହୃଦୟକୁ ଛୁଏ, ମନକୁ ଆସେ ତାହା ଭାରତୀୟ ଭାଷା ହେଉ ଅଥବା ଅଣଭାରତୀୟ ଭାଷା ହେଉ ସେ ଉତ୍ସାହର ସହ ଅନୁବାଦ କାର୍ଯ୍ୟରେ ଲାଗିପଡ଼ନ୍ତି । ସମାଜ ଗବେଷଣା ବିଧି, ଦାସୀ ସିଲିଆ, ରାଜକୁମାର, ମହାମାନବ ଖଲିଲ୍ ଜିବ୍ରାନ୍‌, ମୋ ଜୀବନ ଓ ସାଧନା, ସମ୍ମୋହିନୀ, ଚାଷୀ, ଡକ୍ଟର ଜିଭାଗୋ, ମୋ ହୃଦୟ ପିଲାଙ୍କ ପାଇଁ, ଜଣେ ଶିକ୍ଷକଙ୍କୁ ଚିଠି, ୟସନାୟା ପୋଲାନା, ଯାତ୍ରୀ କାମନୀତ, ରୁଡ଼ିନ, ସମାଜ ପରିବର୍ତ୍ତନ ଓ ବିକାଶ ସୌଧସନ୍ଦେଶ, ଚାହାର କାହାଣୀ, ବିଦ୍ରୋହୀ ଆତ୍ମା, ଆନରସନଙ୍କ ଗପ, ଯେବେ ସିଂହ ଉଡ଼ିପାରୁଥଲା ଏବଂ ଆଫ୍ରିକାର ଅନ୍ୟ କେତେଟି କାହାଣୀ, ମୋ ଜୀବନ ଓ ସାଧନା କେହି ଶୁଣି ନାହାନ୍ତି, ମୋ ଜାତିକୁ ଯିବାକୁ ଦିଅ, ମିଥ୍ୟା ବିରୋଧରେ ମଣିଷ, ଆଜ୍ଞା ପାଳନର ରାଜନୀତି, ଖଲିଲଜୀବ୍ରାନ୍‌ଙ୍କ ବିଦ୍ରୋହୀ ଆତ୍ମା ପ୍ରଭୃତି ଅଣଭାରତୀୟ ଭାଷାରେ ଅନୁବାଦ ଗ୍ରନ୍ଥ ଭାବରେ ବିବେଚିତ । ସେହିପରି ତାଙ୍କର ଭାରତୀୟ ଭାଷାର ଅନୁବାଦ ଗ୍ରନ୍ଥଗୁଡ଼ିକ ହେଲା- ରବୀନ୍ଦ୍ରନାଥ ଠାକୁରଙ୍କର ରବୀନ୍ଦ୍ର ଗଳ୍ପଚୟନ, ରବୀନ୍ଦ୍ର କତିପୟ, ରୁଷିଆ ଚିଠି, ବିନୋଦିନୀ, ଦି ଭଉଣୀ, ଶିକ୍ଷା, ମନୁଷ୍ୟର ଧର୍ମ, ଗାନ୍ଧିଜୀଙ୍କର ସ୍ୱାଧୀନତା ଓ ତା’ପରେ, ଶିକ୍ଷା, ସତ୍ୟାଗ୍ରହ, ଛାତ୍ରଙ୍କ ପ୍ରତି, ନାରୀସମାଜ ପ୍ରତି, ରାମନାମ, ସ୍ୱାସ୍ଥ୍ୟର ଚାବି, ଆଶାପୂର୍ଣ୍ଣ ଦେବୀଙ୍କ ପ୍ରଥମ ପ୍ରତିଶ୍ରୁତି, ଶ୍ରୀ ଅରବିନ୍ଦଙ୍କର ଦିବ୍ୟଜୀବନ (ପ୍ରଥମ ଖଣ୍ଡ), ପୂର୍ବାର୍ଦ୍ଧ ଓ ଉତ୍ତରାର୍ଦ୍ଧ, ଯୋଗ ସମନ୍ୱୟ (ପୂର୍ବାର୍ଦ୍ଧ) ମାନବ ଯୁଗଚକ୍ର ମାନବ ଏକତାର ଆଦର୍ଶ, ଶ୍ରୀ ଅରବିନ୍ଦ ଆଶ୍ରମ (ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କ ଲେଖାରୁ ସଂକଳିତ ), ମାତୃ ରଚନାବଳୀ (୧୭ ଖଣ୍ଡ), ପ୍ରେମାନନ୍ଦ କୁମାରଙ୍କର ମାଆ, ନୀଳ ପଦ୍ମନାଭଙ୍କର ଯାତ୍ରାର ଶେଷ, ଜବାହରଲାଲ ନେହେରୁଙ୍କର ପୁରାତନ ପତ୍ରାବଳୀ, ଆର୍‌.କେ. ପ୍ରଭୁ ଏବଂ ଇଉ.ଆର. ରାଓଙ୍କର ଗାନ୍ଧୀମାନସ, ଶଚୀନ ଦତ୍ତଙ୍କର ଯତୀନ୍ଦ୍ରମୋହନ ସେନଗୁପ୍ତ ଏବଂ ଶ୍ରୀମଦ୍ ତିରୁବଲ୍ଲଙ୍କରଙ୍କ ବିରଚିତ କୁରାଳ ।

 

ଚରିତ ସାହିତ୍ୟ

 

ଚରିତ ସାହିତ୍ୟ କହିଲେ ଆମେ ଦୁଇଟି ଚରିତକୁ ବୁଝିଥାଉ । ଯଥା- ଜୀବନୀ ଓ ଆତ୍ମଜୀବନୀ । ଚିତ୍ତରଂଜନ ଦାସ ଶ୍ରୀନବକୃଷ୍ଣ ଚୌଧୁରୀ, ଭିନ୍ନ ଜଣେ ବିବେକାନନ୍ଦ, ଦୃଷ୍ଟାନ୍ତ ପୁରୁଷ ଇଶ୍ୱରଚନ୍ଦ୍ର ପ୍ରଭୃତି ଜୀବନୀ ଲେଖିବା ସହିତ ଆତ୍ମଜୀବନୀ ‘ମିତ୍ରସ୍ୟ ଚକ୍ଷୁଷା’ (୩ ଖଣ୍ଡ) ରଚନା କରିଛନ୍ତି ।

 

ଡାଏରୀ

 

ଚିତ୍ତରଂଜନ ଦାସ ଛାତ୍ର ଅବସ୍ଥାରୁ ଡାଏରୀ ବା ଦିନଲିପି ଲେଖିବାରେ ଅଭ୍ୟସ୍ତ ଥିଲେ । ତାଙ୍କ ଦୃଷ୍ଟିରେ ଡାଏରୀ ହେଉଛି ଅନୁଭୂତି, ଅନ୍ତର୍ଯାତ୍ରାର ଅନୁଭୂତି । ଏହା ପରବର୍ତ୍ତୀ ସମୟରେ ରୋହିତର ଡାଏରୀ ଆଖ୍ୟା ଅର୍ଜନ କରିଛି । ଏହା ତ୍ରୟୋବିଂଶ ଖଣ୍ଡ ବା ତ୍ରୟୋବିଂଶ ପର୍ବ ବିଶିଷ୍ଟ । ଏତଦ୍‌ଭିନ୍ନ ଜଙ୍ଗଲ ଚିଠି ମଧ୍ୟ ତାଙ୍କର ଏକ ପ୍ରକାର ଡାଏରୀ କହିଲେ ଭ୍ରମ ହେବ ନାହିଁ ।

 

ଶିଶୁ ସାହିତ୍ୟ

 

ଶିଶୁମାନଙ୍କୁ ଭଲ ପାଉଥିବା ଚିତ୍ତରଂଜନ ଶିଶୁସାହିତ୍ୟ ରଚନାରେ ଥିଲେ ସିଦ୍ଧହସ୍ତ । ଛୋଟପିଲାମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ସେ ଦେଶବିଦେଶର ବହୁ ଗପକୁ ନିଜ ଭାଷାରେ ଲେଖିଥିଲେ । ତନ୍ମଧ୍ୟରେ ମାର୍କପୋଲୋ, ଗପ ଅଗପ, ଏସପ୍ କଥା, ସତ୍ୟବ୍ରତର ସଂଶୟ, ମଣିଷଙ୍କ ମଧ୍ୟରେ ମଣି, କେତେ ଦେଶର କଥା, ସୁନ୍ଦର ଦେଶ ଫିନ୍‌ଲାଣ୍ଡ, ପିଲାଙ୍କ ଗପ (ସମ୍ପାଦିତ) ଆଦି ପ୍ରଧାନ ।

 

ଅନ୍ୟାନ୍ୟ ରଚନା

 

ଚିତ୍ତରଂଜନ ଦାସଙ୍କ ସୃଷ୍ଟିର ବଳୟ ବିସ୍ତୃତ । ସେ ବିଭିନ୍ନ ଢଙ୍ଗରେ, ଭିନ୍ନ ଭିନ୍ନ ବିଷୟରେ ଗଦ୍ୟ ରଚନା କରିବାରେ ଜଣେ ବିଶିଷ୍ଟ ଯାଦୁକର । ସେ ଓଡ଼ିଶାକୁ ଭଲପାଆନ୍ତି । ଭଲପାଆନ୍ତି ଓଡ଼ିଆ ଭାଷାକୁ ଓ ତା’ର ସାହିତ୍ୟକୁ । ତେଣୁ ଓଡ଼ିଆ ସାହିତ୍ୟର ଇତିହାସ (ସାମାଜିକ ଓ ସାଂସ୍କୃତିକ) ତାଙ୍କର ଏକ ଉତ୍କୃଷ୍ଟ ରଚନା । ଅରକ୍ଷିତ ଦାସଙ୍କ ମହୀମଣ୍ଡଳଗୀତା, ବଳରାମ ଦାସଙ୍କ ଶ୍ରୀମଦ୍‍ଭଗବତଗୀତାକୁ ସେ ତାଙ୍କ ଶୈଳୀରେ ରୂପ ଦେଇଛନ୍ତି । ତାଙ୍କର ଅନ୍ୟ ରଚନାମାନଙ୍କ ମଧ୍ୟରେ ତୋଉଳି ଜନନୀ ଥାଉଁ, ମିଛ ମଣିଷମାନଙ୍କ ମାହାତ୍ମ୍ୟ, ଅଧର୍ମର ଧର୍ମଘଟ, ପେଟପୂରିଗଲେ ତା’ ପରେ, ଏବଂ ଶ୍ରୀନିବାସ ଉଦ୍‌ଗାତାଙ୍କ ସହିତ ସତକୁ ସତ ମାଆ, ପୂର୍ଣ୍ଣ ଏକତାର ଯୋଗ, ରାଜନୀତିର ଭାରତ (ସମ୍ପାଦନା), ବିଶ୍ୱ ପରିକ୍ରମା, ପୃଥିବୀର ପିଲାଦିନ, ନିକଟଦୂର, ବିଦ୍ୟାବନ୍ତେ ଶ୍ୱନ, ଅଭୟଂ ଅତ୍ମିତ୍ରାତ୍‌, କେତେ କ’ଣ ଛାଡ଼ିବାକୁ ହୁଏ, ପଥୀ..... ବନ୍ଧୁପ, ଶବ୍ଦ ଶତକ, ଗ୍ରନ୍ଥ ମନ୍ଥନ, କ୍ଷରୁ ଅ (ଏକ ବ୍ୟକ୍ତିଗତ ଅଭିଧାନ), ସୁହୃତ୍‍, ପରମ ସୁହୃତ୍‍ ଓ ଏବଂ ଇତ୍ୟାଦି ଆମଗାଁ କାଶୀପୁର, ସେ ପ୍ରସ୍ଥରୁ ଏ ପ୍ରସ୍ଥକୁ (ମାଆ ବହିର ସାନ୍ନିଧ୍ୟରେ), ବୀର ଯୋଦ୍ଧାକରି ଆଦି ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଆଉ କେତେକ ବହି ମଧ୍ୟ ତାଙ୍କର ଅନ୍ୟ ପ୍ରକାଶକଙ୍କଦ୍ୱାରା ପ୍ରକାଶିତ ଯାହା ଆଉ ପ୍ରକାଶିତ ହୋଇପାରୁନାହିଁ । ପଥିକ ପ୍ରକାଶନୀ, ଭୁବନେଶ୍ୱର-୨୫. ଡକ୍ଟର ଚିତ୍ତରଂଜନ ଦାସଙ୍କ ଅନେକ ଅପ୍ରକାଶିତ ପୁସ୍ତକକୁ ପ୍ରକାଶ କରିବା ସହିତ ଅନ୍ୟ ପ୍ରକାଶକଙ୍କଦ୍ୱାରା ପ୍ରକାଶ ପାଇ ଶେଷ ହୋଇଥିବା ଗ୍ରନ୍ଥକୁ ପୁନଃମୁଦ୍ରଣ କରି ଏକ ମହତକାର୍ଯ୍ୟ ସମ୍ପାଦନ କରୁଛି ।

 

ଇଂରେଜୀ ରଚନାବଳୀ

 

ଓଡ଼ିଆ ଭାଷାରେ ରଚନା କରିଥିବା ବହୁ ପୁସ୍ତକକୁ ବାଦ୍‍ ଦେଲେ ସେ ଇଂରେଜୀ ଭାଷାରେ Bhakta Charan Das, Balaram Das, A Glimpse into oriya literature, Studies in Medieval Religion and Literature of Orissa, On the Side of Life Inspite ପ୍ରଭୃତି ପୁସ୍ତକ ରଚନା କରି ଭାରତ ବର୍ଷରେ ଓଡ଼ିଆ ଭାଷାର ଅଭିବୃଦ୍ଧି ସାଧନ କରିଛନ୍ତି ।

Image

 

ଚିତ୍ତରଂଜନଙ୍କ ସୃଷ୍ଟିର ସମ୍ୟକ୍‌ ଅନୁଶୀଳନ

 

ଡକ୍ଟର ଚିତ୍ତରଂଜନ ଦାସଙ୍କ ସୃଷ୍ଟିର ପରିସର ଅତ୍ୟନ୍ତ ବ୍ୟାପକ । ଏହାର ଅନୁଶୀଳନ କେବଳ କଷ୍ଟକର ନୁହେଁ ଅସମ୍ଭବ ମଧ୍ୟ । ତେଣୁ ଯେତିକି ସମ୍ଭବ ସେତିକି ପାରିବାକୁ ଚେଷ୍ଟା ରଖିଛି-

କବିତା-ସଂକଳନ ‘ଦୁଇ ଅଧ୍ୟାୟ’ ସମ୍ପର୍କରେ

ପୂର୍ବରୁ ଚିତ୍ତରଂଜନଙ୍କ କବିତାର ରଚନାର ପୃଷ୍ଠଭୂମି ଉପରେ ଆଲୋକପାତ କରାଯାଇଛି । ଗୋପବନ୍ଧୁ ଲେଖିଥିଲେ–

“ମିଳେ ଯଦି କାହା ଭାଗ୍ୟେ କାରବାସ,

କାରା ନୁହଁଇ ସେ ପବିତ୍ର ପ୍ରଭାସ ।”

ଏହା ଚିତ୍ତରଂଜନଙ୍କ ଜେଲ ଜୀବନରେ ସତ୍ୟ ବୋଲି ପ୍ରମାଣିତ ହୋଇଛି । ଜେଲକୁ ସେ ଏକ ବିଦ୍ୟାଳୟ ବୋଲି ମନେକରିଛନ୍ତି । କଟକ ଜେଲରେ ଥିବାବେଳେ ଲଗାତର କେତେମାସ ସେ କବିତା ଲେଖିବାରେ ବ୍ୟସ୍ତ ରହିଲେ । ଉତ୍ସାହର ସହିତ ସେ ଅନେକ କବିତା ଲେଖି ଚାଲିଥାନ୍ତି । ସେ ସମୟରେ ପଡ଼ିଥିବା କଲିକତାର ଦାରୁଣ ଦୁର୍ଭିକ୍ଷ ଏବଂ ଜର୍ମାନ ସେନାବାହିନୀକୁ ରୁଷିଆ ସେନାର ପ୍ରତିରୋଧ, ଏହି ଦୁଇଟିର ବିଷୟବସ୍ତୁ ତାଙ୍କ ପାଇଁ ଥିଲା ରାଶିରାଶି କବିତା ରଚନା କରିବାର ମୁଖ୍ୟ ପ୍ରେରଣା । କବିତ୍ୱ ତାଙ୍କ ମନକୁ ସ୍ୱତଃ ଆଚ୍ଛନ୍ନ କରି ଦେଉଥିଲା । ନଚେତ ଏତେ କମ୍ ସମୟ ମଧ୍ୟରେ ସେ ସଂଖ୍ୟାଧିକ କବିତା ରଚନା କରିବା ସମ୍ଭବ ହୋଇପାରିନଥାନ୍ତା । ଜେଲରୁ ମୁକ୍ତ ହେବାପରେ ସେହି କବିତାଗୁଡ଼ିକ ମଧ୍ୟରୁ କେତୋଟିକୁ ବାଛି କ୍ଷୁଦ୍ର ସଂକଳନଟିଏ ପ୍ରସ୍ତୁତ କଲେ । ଏହାର ନାମ ରଖିଲେ ‘ଦୁଇ ଅଧ୍ୟାୟ’ । ପ୍ରଥମ ଅଧ୍ୟାୟର ନାମ ରହିଲା ‘ଯୁଗହତ୍ୟା’ ଏବଂ ଏଥିରେ ରହିଲା ୧୫ଟି କବିତା ଏବଂ ଦ୍ୱିତୀୟ ଅଧ୍ୟାୟର ନାମ ରହିଲା ‘ଯୁଗସୃଷ୍ଟି’ । ଏଥିରେ କବିତା ସଂଖ୍ୟା ହେଲା ୧୯ । ଯୁଗହତ୍ୟା କବିତା ଅଧ୍ୟାୟରେ ସେ ଭୋକ ଶୀର୍ଷକରେ ୧୦ଟି, ଚୋର ବିଷୟରେ ଦୁଇଟି ଏବଂ ଶିଶୁ ସମ୍ପର୍କରେ ତିନୋଟି କବିତା ସ୍ଥାନିତ କରିଛନ୍ତି । ମାନବବାଦୀ ଲେଖକ ଥିଲେ ଚିତ୍ତରଂଜନ । ମଣିଷର ଦୁଃଖ ତାଙ୍କ ପାଇଁ ଥିଲା ଅସହ୍ୟ । ଖାଇବାକୁ ନ ପାଇ କିପରି ମଣିଷ ଡହଳ ବିକଳ ହେଉଛି ତାହା ତାଙ୍କ ପ୍ରାଣକୁ ବ୍ୟଥିତ କରିଛି । ଲକ୍ଷ୍ମୀପୂଜା କେଉଁଥିପାଇଁ ହେବ? ଉପାସିଆ ପେଟରେ ଭାତ ମୁଠାଏ ନାହିଁ, ଶିଶୁ ପାଇଁ ଦୁର୍ଲଭ ହୋଇଛି କ୍ଷୀର ଟିକିଏ । ତେଣୁ ସେ ଲେଖିଛନ୍ତି–

“ଅନ୍ନପୂର୍ଣ୍ଣା ଆସେ ଅଭାବ ଦୁଆରେ

ହାତେ ଧରି ଖଣ୍ଡେ ଖାଲି ଟୋକେଇ

ଅନ୍ଧାର ଦେଶକୁ ଆସୁଛି ପରା ସେ

ସୁଖ ଆଲୁଅର ଦୀପ ଲିଭାଇ ।

ଏବଂ ଅନ୍ନପୂର୍ଣ୍ଣାଙ୍କୁ ମାଗିଛନ୍ତି–

“ଭାତ ମୁଠା ଯେବେ ଆଣିଚୁ ଦେ ମୁଁ

ପକାଇ ଦିଏ ମୋ ଖାଲି ପେଟରେ

ଦୁଧକଳେ ଯେବେ ଆଣିଚୁ କହ ମୁଁ

ପିଆଇ ଦିଏ ମୋ ଭୋକୀ ଶିଶୁରେ ।”

 

ଦୁର୍ଭିକ୍ଷର ଭୀମଭୟଙ୍କର ଦୃଶ୍ୟରେ ଭୀତତ୍ରସ୍ତ ମଣିଷ । ଘରେ ଘରେ କୁଢ଼ କୁଢ଼ ମୁର୍ଦ୍ଦାର, ଖାଦ୍ୟବିନା ଆଖି କୋରଡ଼ଗତ । ହାଡ଼ ଉପରେ କେବଳ ଚମର ଢାଙ୍କୁଣି । ସଭିଙ୍କ ମୁହଁରେ ହସ ବିଲୁପ୍ତ, ଲୋତକର ବାରିଧାରା ଏଥିରେ ମାଆକୁ ପଚାରିବ କିଏ କେଉଁଥିପାଇଁ ତାଙ୍କର ଆବାହନ ଓ ପୂଜାର୍ଚ୍ଚନା ହେବ ? ଚାଷୀ ଭୋକିଲା ପେଟରେ ପତ୍ରତାଟି ଦେଇ ଶୋଇପଡ଼ୁଛି । ମନରେ ଭାବନା ଅସୁମାରୀ । କେତେଦିନ ଏମିତି ଉପାସ ଭୋକରେ କଟାଇବ ? ଏତେ ପେଟର ଯନ୍ତ୍ରଣା, ମାଆ ଭୋକ ଜ୍ୱାଳା ସହି ନ ପାରି ପିଲାର ମାଂସ ଖାଇ କ୍ଷୁଧା ମେଣ୍ଟାଉଛି । ଚାରିଆଡ଼େ ଖାଲି ଭୋକ....ଭୋକ ଆଉ ଭୋକ । ଉପାସର ଅଭିଯାନ ।

 

ମଣିଷର ଖାଦ୍ୟପାଇଁ ଆର୍ତ୍ତଚିତ୍କାର । କାହିଁକି ସେ ଆଉ ଭଗବାନଙ୍କୁ ମାନିବ ? ପୂଜାର୍ଚ୍ଚନା କରିବ ? ତେଣୁ କବିଙ୍କ ବିଦ୍ରୋହୀ ଆତ୍ମା ଗାଇଉଠିଛି–

 

“ଆଖି ଆଗେ ମୋର ମରିଯାଏ ଶିଶୁ

କିପରି କହିବି ରକ୍ଷକ ବୋଲି ।

ଭୋକ ଉପାସେ ଯେ ଦେଉଚି ଯାତନା

କିପରି ଡାକିବି ପାଳକ ବୋଲି

ମୃତ୍ୟୁ ନାଚୁଛି କିପରି କହିବି ଜୀବନ ଦାତା

ଧ୍ୱଂସ ଭିତରେ କିପରି କହିବି ଭଗବାନ ତୁମେ ‘ସକଳକର୍ତ୍ତା’ ।

ତୁମ ଲାଗି ନିତି ମନ୍ଦିର ଦୁଆରେ

ଢାଳୁଛି କେ କେତେ ଦୁଃଖର ଲୁହ

ପେଟ ପୂରୁ ନାହିଁପିଚାଲୁଚୁ ନାହିଁ

କାହିଁ କି ତୁମକୁ ଡାକିବି କହ

ଡାକିଲେ ତୁମକୁ ଗରଜିବ ଯେବେ ପ୍ରଳୟ ଝଡ଼

ପୂଜା ତରପଣେ କି ଫଳ ପାଇବି- କାହିଁକି ତୁମକୁ କହିବି ବଡ଼ ?”

 

ସାରା ଜୀବନ ଭଗବାନଙ୍କୁ ଡାକି ଡାକି କ’ଣ ଫଳ ଏଇଆ ମିଳିଲା । ଯଦି ଉପାସ ଭୋକର ସାଥୀ ସେ ନ ହୋଇପାରିଲେ ସିଏ କି ଭାଗବାନ ? ଧ୍ୟାନ, ଧାରଣା, ପୂଜା, ଉପାସନା ସବୁମିଛ । ତାଙ୍କ ଆଶ୍ରୟସ୍ଥଳ ଦେଉଳ ନୁହେଁ ଶ୍ମଶାନ । କବିଙ୍କ ଭାଷାରେ–

 

“କାହିଁକି ଭଜିବି, କାହିଁକି ପୂଜିବି, କରି ବିଧାନ,

ମିଛ ଉପାସନା, ମିଛ ସେ ଦେଉଳ

-ଆଶ୍ରୟ ନୁହେଁ ସେ ଖାଲି ଶ୍ମଶାନ ।”

 

କବିଙ୍କର ‘ଭାତ’ କବିତା ମଣିଷର ପ୍ରାଣତନ୍ତ୍ରୀରେ କମ୍ପନ ସୃଷ୍ଟି କରେ । ଏ ସରକାରଙ୍କୁ ଭାତ ମାଗିଛି ମଣିଷ । ଜୀବନଟା କେବଳ ଇଂରେଜ ସରକାରର ଗୋଲାମ ହେବାକୁ ପଡ଼ିଲା । ତାଙ୍କର ଖାଦ୍ୟପାଇଁ କେତେ ମୂଲ୍ୟବାନ ସରଞ୍ଜାମ ଖଞ୍ଜା ହୋଇଛି । କୁକୁର ପାଇଁ ରହିଛନ୍ତି ଦୁଇ ଦୁଇଟା ଚାକର । ଏଠି ମଣିଷ ଖାଲିପେଟରେ ବୁଲୁଛି । ଧନ୍ୟ ସରକାର ଧନ୍ୟ ତୁମର ଶାସନ, ତଥାପି ସେ ଆଶାବାଦୀ ହୋଇ ସରକାରଙ୍କୁ ହାରି ଗୁହାରି କରିଛି, ଭାତ ମାଗିଛି । ଯେପରି–

 

“ମୋ ଅଣ୍ଟାରେ ନାହିଁ, ଫଟା ପାହୁଲାଟେ ପେଟରେ ଜଳୁଚି ନିଆଁ

ମଣିଷ ଫୁଲଟି ଝାଉଁଳି ପଡ଼ୁଛି କରି ନ ପାରୁଚି ଠିଆ

ପିଲାଟା କାନ୍ଦୁଚି ମା’ର କୋଳରେ ତା’ର

ଭୋକ ଜାଳା ସେ କି ସମ୍ଭାଳି ପାରିବ, ସେ ଯେ ଅତି ସୁକୁମାର

ସେଥି ଲାଗି ଆଜି ଦାଣ୍ଡେ ମୁଁ ଆସିଛି

ଭାତ ଦିଅ ସରକାର ।

 

କବି ଖୁବ୍ ବାସ୍ତବବାଦୀ । ମଣିଷର ପ୍ରକୃତ ସମସ୍ୟା ଉପସ୍ଥାପନାରେ ତାଙ୍କ କବିତାର ପ୍ରତିଟି ପଂକ୍ତି ସ୍ପଷ୍ଟ ଓ ସତେଜ । ଭୋକକୁ ଅଧିକାଂଶ ମଣିଷ ଅଳ୍ପେ ବହୁତ ସାମ୍ନା କରିଥିବେ ନିଶ୍ଚୟ-। କିନ୍ତୁ ଦୁର୍ଭିକ୍ଷ ସମୟର ଦୀର୍ଘଦିନର ଭୋକ କେତେ ଅସହ୍ୟ ତାହା ଏକ ଅଙ୍ଗନିଭା ଅନୁଭୂତି । ଏହି ଅନୁଭବ-ଭାବଧାରାଟି କବିଙ୍କର ସମୁଜ୍ଜ୍ୱଳ । ଛୋଟଶିଶୁଟି କ୍ଷୀର ପାଇଁ ରାହାଧରି କାନ୍ଦୁଛି । ମାଆ ଦୀର୍ଘ ଦିନ ଧରି ଉପାସ । ସ୍ତନରେ କ୍ଷୀର ଆସିବ କେଉଁଠୁ ବାପା ଯାଇଛି କ୍ଷୀର ଟୋପେ କେଉଁଠୁ ସଂଗ୍ରହ କରି ଆଣିବାକୁ । ନଚେତ ଭାତ ମୁଠାଏ ତ କେଉଁଠି ? ନା କେଉଁଠି ମିଳିବ । ସବୁ ଉଦ୍ୟମ ବିଫଳ ହୋଇଛି । ଗୋରୁ, କୁକୁରଙ୍କର ଛିଣ୍ଡାପତ୍ରର ଖାଦ୍ୟ ଉପରେ ଅଧିକାର । ମଣିଷ ବି ସେତିକି ପାଇବାକୁ ଅକ୍ଷମ । ଶିଶୁଟିର ବାପା ଫେରିଆସି ମା’କୁ ନିରାଶବାଣୀ ଶୁଣାଇବା ପରେ ମାଆ କହିଛି–

 

“ନ ହେଲେ, ନ ପାରିଲେ ବଞ୍ଚାଇ ଶିଶୁକୁ

ଆଖିବୁଜି ଦେବ ତଣ୍ଟିଚିପି-ପଥରଠୁ ଟାଣ କରି ବୁକୁ

ମିଛେ ମିଛେ ବାନ୍ଧିବ କାହିଁକି କାନ୍ଧ ପରେ

ଅକାମୀ ବୋଝକୁ?

 

ଏହି ଦୁର୍ଭିକ୍ଷ ଦୃଶ୍ୟ ସତରେ କେତେ ଭୟଙ୍କର ଥିଲା ତାହା ତାଙ୍କ କବିତା ଗ୍ରନ୍ଥ ‘ଦୁଇ ଅଧ୍ୟାୟ’ ନ ପଢ଼ିବା ପର୍ଯ୍ୟନ୍ତ କେହି ସତ୍ୟ ନିକଟରେ ପହଞ୍ଚି ପାରିବେନାହିଁ । ଯୁଗହତ୍ୟା ଅଧ୍ୟାୟର ‘ଚୋର’ ଓ ‘ଶିଶୁ’ ଶୀର୍ଷକରେ ମଧ୍ୟ ସେହି ଦୁର୍ଭିକ୍ଷର ନଗ୍ନଚିତ୍ର ପ୍ରତିଫଳିତ । ‘ଶିଶୁ’ କବିତାରେ କବି ଯେପରି ଦୁର୍ଭିକ୍ଷର କରାଳ ଦୃଶ୍ୟ ଉପସ୍ଥାପନ କରିଛନ୍ତି ତାହା ଚିନ୍ତାକଲେ ଜୀବନର ସବୁ ମୋହ ଆଶା ଭରସା ଭାଙ୍ଗିରୁଜି ଚୁର୍‍ମାର୍‍ ହୋଇଯାଏ । ଦେଶସାରା ହାହାକାର । କେହି ଆଉ କାହାକୁ ଚିହ୍ନିପାରୁନାହାନ୍ତି । ଜଠରର ଅଗ୍ନି ଅସମ୍ଭାଳ । ଶିଶୁ ମରଣ ମୁଖକୁ ଆପେ ଆପେ ପେଲି ହୋଇଯାଏ । କୁକୁର ଶିଶୁକୁ ଖାଇଯାଏ । ତଥାପି ମା’ ଆଖିରେ ଲୁହ ଟୋପେ ନ ଥାଏ । ତେଣୁ ଚିତ୍ତରଂଜନ ଲେଖିଛନ୍ତି–

 

“ସେଥିପାଇଁ ପରିବାରଛାଡ଼ି ବାପା କାହିଁ ପଳାଏ ଏକାକୀ

ପୁଅ ପାଇଁ କାନ୍ଦେ ନାହିଁ ପ୍ରାଣ, ପୁଅର ସେ କଙ୍କାଳଟା ଦେଖି

ମାଆ ଚିହ୍ନି ପାରେନା ଶିଶୁକୁ, ଛାଡ଼ିଯାଏ ରାସ୍ତା ମଝିଟାରେ

ଶିଶୁକୁ କୁକୁର ଖାଏ, ମା ଆଖିରୁ ଲୋତକ ନ ଝରେ ।

ଏଇ ଦେଶେ ଏ ଘୋରଦୁର୍ଦ୍ଦିନେ ସ୍ନେହ ମରେ, ମରେ ସୁଖ ଶାନ୍ତି,

ଗରଜୁଚି ଭୋକର ରାକ୍ଷସ- କେ କାହାକୁ ଚିହ୍ନି ନ ପାରନ୍ତି

ରନ୍ ଆପଣାର ପୁଅ ମରିଯାଏ । ମାଆ ତାକୁ ନିଏ ନାହିଁ ତୋଳି

ଶିଶୁଟାର ତଣ୍ଟି ଚିପି ଦେଇ ବାପା ତା’ର ଦୂରେ ଯାଏ ଚାଲି ।”

 

ପେଟର ଆର୍ତ୍ତଚିତ୍କାରରେ ସମସ୍ତେ ପର ହୋଇଯାଆନ୍ତି । ଦୁନିଆର ପ୍ରକୃତ ଚିତ୍ରର ସାମ୍ନା କରେ କ୍ଷୁଧାର୍ତ୍ତ ମଣିଷ । ସେ ସମ୍ପୂର୍ଣ୍ଣ ଅସହାୟ ଓ ନିରୁପାୟ ।

 

କବିତା ସଂକଳନର ଦ୍ୱିତୀୟ ଅଧ୍ୟାୟ ‘ଯୁଗସୃଷ୍ଟି’ରେ ଲେଖକ ରୁଷ୍ ରଣକ୍ଷେତ୍ରରେ ସୋଭିଏତ୍ ଲାଲ ସେନାର ସାହସ ଓ ବୀରତ୍ୱ ବିଷୟରେ କବିତାଗୁଡ଼ିକ ଲେଖିଛନ୍ତି । ହିଟ୍‌ଲର ସମଗ୍ର ଇଉରୋପକୁ ଦଖଲକୁ ଆଣିସାରିବା ପରେ ତା’ର ସାମ୍ୟବାଦର ଦେଶ ରୁଷିଆ ଉପରେ କିନ୍ତୁ ମାତୃଭୂମିକୁ ବଞ୍ଚାଇବା ପାଇଁ ଜର୍ମାନ ସେନା ବିରୋଧରେ ରୁଷ୍ ସେନାବାହିନୀର ହୋଇଛି ବିଜୟ । ଆରମ୍ଭ ହୋଇଛି ଏକ ନୂଆ ଯୁଗ । ତେଣୁ କବି ଚିତ୍ତରଂଜନ ଜର୍ମାନର ବର୍ବରୋଚିତ ଆକ୍ରମଣକୁ ଜଘନ୍ୟ ଭାବରେ ନିନ୍ଦା କରିଛନ୍ତି । କବିର ସ୍ଥାନ ଏ ହଣାମରା ଦୁନିଆଁ ଭିତରେ କେଉଁଠି ରହିଛି ତାହା ସେ ଜାଣିପାରୁନି । ତେଣୁ ସ୍ୱତଃ ସେ ଗାଇ ଉଠିଛନ୍ତି–

 

“କବି ହଣାମରା, ଦୁନିଆଁ ଭିତରେ

କିପରି ରହିବୁ ବଞ୍ଚି ସ୍ନେହ-ପ୍ରେମ-ଶିଶୁ ହତ୍ୟାବେଳେ

ପ୍ରେମ ତୁ କରିବୁ ଆଜି ଲହୁ ପାଇଁ ହୁଏ ଯେ ପାଗଳ

କା ଉପରେ ମେଲିବୁରେ ନାଆ ରକତରେ ପୂର୍ଣ୍ଣ ଏ ସାଗର ?

ଏ ସମାଜ ଏ ମଣିଷ ଗାଏ ଖାଲି ହତ୍ୟା ବିଭୀଷିକା

ମଣିଷ ପିନ୍ଧୁଚି ଏଥିଜାତି ନାମେ ହତ୍ୟା-ଦୋଷ ଟୀକା ।”

 

କାନ୍ଦୁଥିବା ମଣିଷକୁ କେଉଁ ଭାଷାରେ ଅବା ବୁଝାଇ ହେବ ? ହିଂସାର ରାଜତ୍ୱରେ ଅହିଂସାର ସ୍ଥାନ ଲୁପ୍ତ । ଏଠି ଯିଏ ଅଧିକ ମଣିଷ ରକ୍ତ ପିଇପାରିବ ସେ ଏ ଦେଶର ରାଜା ହୋଇ ରାଜତ୍ୱ କରିବ । କବିଙ୍କ ଭାଷାରେ–

 

“ମଣିଷର ଲହୁ ଶୋଷି ମଶା ଟିଙ୍କ ପରି ଯେ ବଢ଼ିବ

ସେଇ ରାଜା ଏ ଜଗତେ ମଣିଷକୁ ଶାସନ କରିବ ।”

 

ଏପରି ସମାଜ ଜଳିପୋଡ଼ି ଭସ୍ମ ହୋଇଗଲା ପରେ ଗୋଟିଏ ନୂତନ ଯୁଗର ସୃଷ୍ଟି ହେବ । ସେଥିପାଇଁ କବି ପ୍ରଗାଢ଼ ବିଶ୍ୱାସ ରଖିଛନ୍ତି । ନିରବରେ ବସିରହିବାକୁ ସେ ନାପସନ୍ଦ କରନ୍ତି । ଶୋଷଣ ହତ୍ୟା ବିରୁଦ୍ଧରେ ସଂଗ୍ରାମ ନ କଲେ ମୁକ୍ତି ମିଳିପାରିବନି । ଏଠି ପ୍ରେମର ଛଳନା, ମଣିଷ ଭିତରେ ପଶୁତ୍ୱର ପ୍ରବଞ୍ଚନା । ତେଣୁ ବିପ୍ଳବ ନ କଲେ ଅନ୍ୟ ବାଟ ନାହିଁ ।

 

“ନିଜେ ଆଜି ନ କଲେ ବିପ୍ଳବ

ନୂତନର ଅଭିଷେକ ପାଇଁ ନିଜେ ଆଜି ନ କରିଲେ ଯୁଦ୍ଧ

ଭାଙ୍ଗିଯିବ କବିତା ସପନ ସରଗର ରୂପ ଅଭିନବ

କବି ଆଜି ନ କଲେ ଉଦ୍ୟମ

ଶୁଣିବନି ପଥର ଜଗତ-ସବୁ କାଲ ନିଷ୍ଠୁର ନିର୍ମମ ।”

 

କବିକୁ ସଂଗ୍ରାମ ଜାରିରଖିବାକୁ ପଡ଼ିବ । ଲେଖନୀ ମାଧ୍ୟମରେ ସମସ୍ତଙ୍କ ନିକଟରେ ବିପ୍ଳବର ବାର୍ତ୍ତା ପହଞ୍ଚାଇବାକୁ ହେବ । ନିଶ୍ଚୟ ଧ୍ୱଂସ ତଳେ ରହିଛି ନୀରବ ଭବିଷ୍ୟ । ସମୁଦ୍ରରେ ଝଡ଼ପରେ ଶାନ୍ତି ଆସେ । ଅଭିଯାନ ସାର୍ଥକ ହୁଏ । ସେଦିନ କବିତାର ଲକ୍ଷ୍ୟ ପୂରଣ କରିବ । ଦୁନିଆ ହସିବ । ପ୍ରଳୟ ଭିତରେ ଶାନ୍ତି ଫେରିବ । କବିର ଲକ୍ଷ୍ୟ କେତେ ମହତ୍ତ୍ୱପୂର୍ଣ୍ଣ ସେ ସମ୍ପର୍କରେ ଚିତ୍ତରଂଜନ କହନ୍ତି–

 

“କବି ଲକ୍ଷ୍ୟ ତୋ’ର ମହତ ମହାନ୍‍

ପୃଥିବୀଠୁ ବୃହତ୍ତର ଆକାଶଠୁଁ ବଳି ଗରୀୟାନ ।”

 

କବି ସମାଜର, ଦେଶର ଜାତିର ଏବଂ ସମଗ୍ର ବିଶ୍ୱର ଜାଗ୍ରତ ପ୍ରହରୀଟିଏ । ସେ ଶାନ୍ତ, ସରଳ, ନମ୍ର ଓ କମ୍ର; କିନ୍ତୁ ଅସତ୍ୟ ଅନ୍ୟାୟର ଘୋର ବିରୋଧୀ । ତାଙ୍କ ଦୃଷ୍ଟିରେ ବିଶ୍ୱର ପ୍ରତ୍ୟେକଟି ମଣିଷ ଶାନ୍ତିରେ ରହୁ, ଦୁର୍ବଳ ଉପରେ ସବଳ ଅତ୍ୟାଚାର ନ କରୁ । ଦେଶ ଦେଶ ଭିତରେ ସାମ୍ୟ, ମୈତ୍ରୀର ବାର୍ତ୍ତା ପ୍ରସରି ଯାଉ । କବି କେବେ ଯୁଦ୍ଧ ଓ ରକ୍ତପାତକୁ ପ୍ରଶୟ ଦିଏ ନାହିଁ । ଶାନ୍ତି ରାଜ୍ୟରେ ଝଡ଼ ଉଠିଲେ ଥମିବ ନିଶ୍ଚୟ, କିନ୍ତୁ ସେ ଝଡ଼ ବିଶ୍ୱକୁ ଏକ ନକାରାତ୍ମକ ବାର୍ତ୍ତା ଦେବ । ରୁଷ୍ ବିରୋଧରେ ଜର୍ମାନର ଆକ୍ରମଣକୁ କବି ଚିତ୍ତରଂଜନ ଆଦୌ ଉଚିତ ମନେକରି ନାହାନ୍ତି । ସେ ଏହାକୁ ଅମାନବିକ ଓ ଘୃଣା ଚକ୍ଷୁରେ ଦେଖିଛନ୍ତି । ତେଣୁ ସେ ତାଙ୍କ କବିତାରେ ଉତ୍ସାହର ବାର୍ତ୍ତା ଶୁଣାଇଛନ୍ତି । ଉଦବୋଧନୀ ଦେଇଛନ୍ତି । ଧନୀ-ଗରୀବର ପ୍ରାଚୀର ଭାଙ୍ଗି ସଭିଏ ଏକ ମନ ପ୍ରାଣ ହେବାପାଇଁ ଆହ୍ୱାନ କରିଛନ୍ତି । ରୁଷ୍‌ ସେନାର ମନୋବଳକୁ କବିତା ଧାରା ମାଧ୍ୟମରେ ବଢ଼ାଇ ଦେଇଛନ୍ତି । ଓଡ଼ିଶାବାସୀଙ୍କୁ ମଧ୍ୟ ସାହସର ପରିଚୟ ଦେବା ପାଇଁ ବାର୍ତ୍ତା ପ୍ରଚ୍ଛନ୍ନଭାବେ ରହିଛି ତାଙ୍କର ଆହ୍ୱାନ । ଉପନିଷଦୀୟ ଚିନ୍ତାଧାରାରେ ବିଶ୍ୱାସ ରଖିଥିବା କବି ଚିତ୍ତରଂଜନ ମୁକ୍ତ କଣ୍ଠରେ ଗାଇଛନ୍ତି–

 

“ନାଚିବ ଦେଶ ମୋ ଦେଶ ସାଥେ ନାଚିବ ବିଶ୍ୱସାରା

ନାଚିବ ଶ୍ରମୀ ଜଗତ ସାରା-ନାଚିବ ଚନ୍ଦ୍ର ତାରା

ସେଇ ଦୂରର ଭବିଷ୍ୟ ପାଇଁ ଲେଖନୀ ମୋ ରଥରେ

ଗାଉଚି ଯାହା ହେବି ମୁଁ ଧନ୍ୟ ଫୁଟାଇ ବାସ୍ତବରେ ।”

 

କିନ୍ତୁ ଆଖି ଆଗରେ ସେ ଯାହା ଦେଖୁଛନ୍ତି ତାଙ୍କ ଅସୁମାରୀ ଆଶାରେ ବିଦ୍ରୋହ ସୃଷ୍ଟି ହୋଇଛି । ତାଙ୍କ ମନର ଟାଣ ଦମ୍ଭ ଯେପରି ଭାଙ୍ଗି ଯିବାକୁ ବସିଚି । ଦୁନିଆର ବିଚିତ୍ର ନିୟମ ତାଙ୍କୁ ବିବ୍ରତ କରି ପକାଇଛି । ତେଣୁ ସେ ଲେଖିଛନ୍ତି–

 

“ଦେଖିଚି ଆଖି ଥରୁଚି ଖାଲି ଦୁନିଆ ସର୍ବନାଶ

ମଣିଷ ଚିହ୍ନି ଦେଖିଲି ଖାଲି ଶୋଷଣ ଦୁଃଖ ଦାସ

ପ୍ରେମର ଗୀତ ଗାଇବି ବୋଲି ଦମ୍ଭ ମୁଁ ବାନ୍ଧିଥିଲି

ପ୍ରେମର ନୀତି ହେଉଚି ହତ୍ୟା ସବୁ ଯେ ହତଶିରୀ

ଗରିବପାଇଁ କବିତା ରଚେ ଭିକାରି ଦେଖି ଭୁଲେ

ଉପାସୀ ପିଲା ଦେଖିଲେ ଖେଦ-ଚିତ୍କାର କେତେ କରେ ।

ଦରିଦ୍ର ଆଉ ଧନୀ ସମାଜ ମିଶାଇ ପାରେ ନାହିଁ

ଗୋଟିଏ ହାତେ ଶାସନ କଳ ଆନର ଆଶ୍ରା ନାହିଁ ।

କାନ୍ଦିଚି ଯେତେ ଭାବିଚି, ସେତେ କରିଚି ସମାଧାନ

ପାଚେରୀ ଭାଙ୍ଗି ଗରିବ ଧନୀ କରିବି ଏକ ପ୍ରାଣ ।

ନଇଁବ ଶିର ସମାଜେ ଆଜି କରେ ଯେ ଆସ୍ଫାଳନ

ଉଠିବ ସିଏ କାତରେ ଯିଏ ଡାକୁଚି ‘ଭଗବାନ’ ।

ଦେଶ ଦେଶରେ ଗାଇବି ଗୀତ ଶ୍ରମର ପୂଜା ପାଇଁ

ଯେ ପୂଜା ଦେଲେ ପଥର ମୂର୍ତ୍ତି ଦେଉଳ ଯିବ ନଇଁ ।

 

ସବୁଦେଶର ସଂକୀର୍ଣ୍ଣ ଜୀବନ ପ୍ରଶସ୍ତ ହେବ, ଅନ୍ଧକାର ଦୂର ହୋଇ ଆଲୋକର ସୂର୍ଯ୍ୟ ଉଇଁବ । ମରୁର ନିର୍ମମ ପ୍ରାଣରେ ଭରିଯିବ ଶେଫାଳି ଫୁଲର ସୁରଭି । କବି ନୂତନ ସ୍ୱପ୍ନରେ ବିଭୋର ହୋଇ କହିଛନ୍ତି–

 

“ଦେଖିଛି ମୁଁ ନୂତନର ସ୍ପପ୍ନ

ବତାସର ଉଚ୍ଛନ୍ନ ବେଳାରେ ପାଇଚି ମୁଁ ପ୍ରଶାନ୍ତର ରତ୍ନ ।”

 

ଆଉ ସମାଜରେ ଛକାପଞ୍ଝାର ଲଢ଼ାଇ ଚାଲିବ ନାହିଁ । ଛେଳିର ପ୍ରାଣ ନେଇ ବାଘ କେବେ ସମ୍ମାନ ପାଇବନି । ଅତ୍ୟାଚାରର ପ୍ରତିବାଦ ହେବ । ଶୋଷଣର ହାତକୁ ଛିଣ୍ଡାଇ ଦେବାକୁ ପଡ଼ିବ । ଯିଏ ମଣିଷମାରି ହିଂସାରେ ଗର୍ଜନ କରେ ତାକୁ କେହି ବରଦାସ୍ତ କରିବେ ନାହିଁ । ରୁଷ୍‍ ଆଉ ଜର୍ମାନ ମଧ୍ୟରେ ଲଢ଼େଇ ଏବଂ ହିଟ୍‍ଲରର ଦେଶ ବିଜୟର ନିଶା ଏବଂ ରକ୍ତପିପାସୁ ମନକୁ ଏହି କବିତାଗୁଡ଼ିକ ମାଧ୍ୟମରେ ଚିତ୍ତରଂଜନ ପ୍ରତିରୋଧ କରିବାର ଚେଷ୍ଟା ଅବ୍ୟାହତ ରଖିଛନ୍ତି । କବି ତେଣୁ ଆପଣାର ମନର ଭାବନାକୁ ବ୍ୟକ୍ତ କରିଛନ୍ତି–

 

“ଯେଦିନ ଧରଣୀ ଶସ୍ୟଶ୍ୟାମଳା ଶାନ୍ତ ସଲିଳା ହୋଇବରେ

ଯେଦିନ ବିଶ୍ୱେ ମୁକ୍ତ ପବନ ଗନ୍ଧ ଗହନ ଭରିବାରେ

ଯେଦିନ ନଦୀ ଧାଇଁବ ପାଗଳ ପରି

ବିଶ୍ୱ ଦୁଆରେ ଶେଷର ଗୀତ ଗାଇ ମୁଁ ଯିବି ମରି ।”

 

ଚିତ୍ତରଂଜନ ଦାସ ନୂତନ ସୃଷ୍ଟିପାଇଁ ଉଦ୍ୟମ ଜାରି ରଖିଛନ୍ତି । ତାହା ଅସି ମାଧ୍ୟମରେ ନୁହେଁ ମସୀର ଚାଳନାରେ । ସେ ଆଗାମୀ ଯୁଗର ଆହ୍ୱାନ ଦେଇଛନ୍ତି । ତାହାକୁ ସେ ଏବେର ଅଥବା ଏଇ କେଇଦିନର କଥା ବୋଲି ଗ୍ରହଣ କରିନାହାନ୍ତି । ପୁରାତନ ଯାଇ ନୂତନ ଆସିବା ଚିରନ୍ତନ ନିୟମ । ପ୍ରତିଯୁଗର ଘଟଣା ଇଏ । ସମୟର ଧ୍ୱଂସସ୍ତୂପତଳେ କବର ନେଇଚି ପୁରାତନ-। କବି ମାତ୍ର ଅଜ୍ଞାତ ଅତିଥି ଜଣେ ଏବଂ ତାଙ୍କର ଜନ୍ମ କେବଳ ନୂତନ ଯୁଗ ସୃଷ୍ଟିପାଇଁ ।

 

“ଚିରଦିନ ଗାଇବି ମୁଁ ଖାଲି କେହି ପଛେ ନ କରୁ ବିଶ୍ୱାସ

ବିଶ୍ୱ ଦାଣ୍ଡେ କହି ମୁଁ ବୁଲିବି- ଆସିଥିଲି ଆଗାମୀ ମଣିଷ ।

ଦ୍ୱାରେ ଦ୍ୱାରେ ମାଗୁଥିବି ଭିକ୍ଷା ଆଗାମୀର ପାଥେୟ ପାଇଁକି

ନୂତନର ପଥ ସଜାଇବି ନୂଆ ନୂଆ କେତେ ଚିତ୍ର ଆଙ୍କି ।

ଅନାଗତ କଥାକହେ ବୋଲି ଏ ମଣିଷ ବୁଝେ ନାହିଁ ମୋତେ,

କରେ ବୋଲି ଅଶ୍ରୁତ ଘୋଷଣା ପାଏ ନାହିଁ ସ୍ଥାନ ଏ ଜଗତେ,

ଯାର ପାଇଁ ଧରେ ଭିକ୍ଷା ଝୁଲି ସେ ଯେ ମୋତେ ଚିହ୍ନି ନ ପାରିଲା,

କହେ ଯାର ଅନ୍ତରର କଥା-ସେ ମଣିଷ ବୁଝି ନ ପାରିଲା ।

ଯୁଗେ ଯୁଗେ ନୂତନ ଆସିଚି, ଏଇ ପରି ଅନାଗତ ରୂପେ

ଶୁଣାଇଚି ଅଶ୍ରୁତ କାହାଣୀ, ମଜାଇଚି ଅନଭ୍ୟସ୍ତ ଧୂପେ

ତଥାପି ସେ ନୂତନ ରହିଚି, ପ୍ରାଚୀନର ମୃତ୍ୟୁ ଗୀତ ଗାଇ

ଅଜ୍ଞାତ ମୁଁ ଅତିଥି ଆସିଚି, ସେ ନୂତନ ଯୁଗ ସୃଷ୍ଟି ପାଇଁ ।”

 

ଏଥିରେ ଥିବା ଚିତ୍ତରଂଜନଙ୍କ ପ୍ରତିଟି କବିତା ଭାବପୂର୍ଣ୍ଣ ଚିତ୍ତାକର୍ଷକ ଓ ରସୋତ୍ତୀର୍ଣ୍ଣ । ଏତଦ୍‌ଭିନ୍ନ ୧୯୪୭ ମସିହାରେ ସେ ରଚନା କରିଥିଲେ ଏକ ଦୀର୍ଘ କବିତା ‘ଶସ୍ତା ଭବିଷ୍ୟତ’ । ୧୯୪୮ରେ ତାଙ୍କଦ୍ୱାରା ବିରଚିତ ବାଜି ରାଉତ ସମ୍ପର୍କିତ କବିତା ସାପ୍ତାହିକ ପତ୍ରିକା ‘କୃଷକ’ରେ ପ୍ରକାଶିତ ହୋଇଥିଲା । ସେହିପରି ମହାତ୍ମାଗାନ୍ଧିଙ୍କ ମୃତ୍ୟୁରେ ମଧ୍ୟ ମର୍ମାହତ ହୋଇ ସେ କବିତା ଲେଖିଥିବା ଦୃଷ୍ଟିକୁ ଆସେ । କବିତା ଲେଖିବାରେ ତାଙ୍କର ବିଶେଷ ରୁଚି ନ ଥିଲେ ସୁଦ୍ଧା କେତେକ ଘଟଣା ତାଙ୍କୁ ପଦ୍ୟ ରଚନା ପ୍ରତି ଆଗ୍ରହୀ କରିଥିଲା । ସ୍ୱତଃସ୍ଫୂର୍ତ୍ତ କରିଦେଇଥିଲ ।

Image

 

Unknown

ଚିତ୍ତରଂଜନଙ୍କ ପ୍ରବନ୍ଧ ରଚନାର ଆଭିମୁଖ୍ୟ ଏବଂ
ରଚିତ ପ୍ରବନ୍ଧଗୁଡ଼ିକର ବିଭିନ୍ନ ଦିଗ

 

ଚିତ୍ତରଂଜନ ଦାସ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଅସାମାନ୍ୟ ଆସନର ଅଧିକାରୀ । ଛାତ୍ରବସ୍ଥାରୁ ତାଙ୍କୁ ସାହିତ୍ୟ ଖୁବ୍ ଭଲ ଲାଗୁଥିଲା । କାରଣ ଜୀବନ ତାଙ୍କୁ ଭଲ ଲାଗୁଥିଲା ଏବଂ ସେହି ଜୀବନ ସହିତ ସେ ନିବିଡ଼ଭାବେ ଯୁକ୍ତ ହୋଇ ରହିବାକୁ ଚାହୁଁଥିଲେ । ଅତୀତରେ ସାହିତ୍ୟ କହିଲେ ଲୋକେ କାବ୍ୟକବିତାକୁ ବୁଝୁଥିଲେ । ସମୟ କ୍ରମେ ଏଥିରେ ଗଳ୍ପ, ଉପନ୍ୟାସ, ନାଟକ ଯୋଡ଼ି ହୋଇଗଲା । ତାହା ସର୍ଜନାତ୍ମକ କଳାଭାବରେ ଗ୍ରହଣୀୟ ହେଲା; କିନ୍ତୁ ପ୍ରବନ୍ଧ ପ୍ରତି ବିଶେଷ କେହି ମୁଣ୍ଡ ଖେଲାଇଲେ ନାହିଁ । ପ୍ରବନ୍ଧ ଏକ କ୍ଳିଷ୍ଟ କଳା । ଏଥିରେ କସରତ କରିବାକୁ ପଡ଼େ । ଅତି ନିବିଡ଼ ଭାବରେ ମଜ୍ଜି ନ ରହିଲେ ଜଞ୍ଜାଳରେ ନ ପଡ଼ିଲେ, କ୍ଷତବିକ୍ଷତ ନ ହେଲେ ଭଲ ପ୍ରବନ୍ଧଟିଏ ଲେଖିହୁଏ ନାହିଁ । ସେଥିପାଇଁ ସମ୍ଭବତଃ ଅନେକ ପ୍ରବନ୍ଧ ଲେଖିବାକୁ ମନ କରନ୍ତି ନାହିଁ । କିନ୍ତୁ ଚିତ୍ତରଂଜନଙ୍କ ପ୍ରବୃତ୍ତି ଥିଲା ଭିନ୍ନ କିସମର । ସେ ପ୍ରବନ୍ଧ ରଚନା ପ୍ରତି ବିଶେଷ ଆଗ୍ରହୀ ଥିଲେ । ଏଥିପାଇଁ ପ୍ରଥମେ ସେ ପ୍ରେରଣା ପାଇଥିଲେ ଶାନ୍ତିନିକେତନରୁ । ତେଣୁ ସେ ‘ମିତ୍ରସ୍ୟ ଚକ୍ଷୁସା’ରେ ଲେଖିଛନ୍ତି–“ଶାନ୍ତିନିକେତନର ମୁକ୍ତି ମୋତେ ପ୍ରବନ୍ଧ ଭିତରକୁ ଆଣିବାରେ ପ୍ରକୃତରେ ଭାରି ସାହାଯ୍ୟ କରିଥିଲା । ସେଠାରେ ଗଛ ବୃକ୍ଷର ତୋଟାମାନ ମୋତେ ଆଦୌ ଅଟକାଇ ଦେଉନଥିଲେ ବରଂ ବାଟବତାଇ ଦେଉଥିଲେ । ସେଠା ଜୀବନରେ ଅନ୍ତତଃ ମୋ ସମ୍ପର୍କଗୁଡ଼ିକର ବ୍ୟାସଟି ଭିତରେ ଏପରି ମୋଟେ କିଛି ନ ଥିଲା । ଯାହାକି ମୋତେ କୁତ୍ରିମ ହେବାକୁ ଆଦୌ କୌଣସି ପ୍ରରୋଚନା ଦେଇଥାନ୍ତା । ସେଠାରେ ମୁଁ ଯେଉଁ ବିଶେଷ କେତେଜଣ ଶିକ୍ଷକଙ୍କ ସଂସ୍ରବ ଭିତରକୁ ଆସିଥିଲି ସେମାନେ କେତେ ସହଜରେ ମୋ ଭିତରର କେତେକେତେ ଗଣ୍ଠିକୁ ଛିଣ୍ଡାଇ ମୋତେ ସହଜ କରିଦେଇଥିଲେ । ମଣିଷ ସମ୍ଭବତଃ ଯେତିକି ଯେତିକି ସହଜ ହୋଇଯାଏ, ତା’ର ସଂଗ୍ରହ ଓ ଚୟନଗୁଡ଼ିକ ମଧ୍ୟ ସେତିକି ପୂର୍ଣ୍ଣତାଯୁକ୍ତ ହେବାରେ ଲାଗୁଥାଏ । ନିଜକୁ ଲୁଚାଇ ରଖିବାକୁ ତୁଚ୍ଛାବଡ଼ ଏବଂ ଅବରୋଧଗୁଡ଼ାକ ଭିତରେ ମୋଟେ ଅଣଆୟତ୍ତ ହୋଇରହିବାକୁ ପଡ଼େ ନାହିଁ । ଭିତର ବାହାର କେତେ ଉଶ୍ୱାସ ଲାଗେ, ତେଣୁ ଲୁଚି ରହିବାର ଯାବତୀୟ ଅପକଳାର କୌଣସି ପ୍ରୟୋଜନ ନ ଥାଏ । ନିଜର ଲେଖା ମଧ୍ୟ ଦେଇ ନିଜକୁ ଲୁଚାଇ ରଖିବାକୁ ନୁହେଁ, ଆପଣାକୁ ଦେଇ ଦେବାକୁ ହିଁ ଅଧିକ ମନହୁଏ । ମୁଁ ଲେଖିଥିବା ପ୍ରବନ୍ଧଗୁଡ଼ିକର ମାଧ୍ୟମରେ ହିଁ ମୁଁ ମୋର ଯାବତୀୟ ଜଗତକୁ ନିବିଡ଼ କରି ପାରିଛି ।”

 

ଚିତ୍ତରଂଜନଙ୍କ ପ୍ରବନ୍ଧସୃଷ୍ଟି ମାନସ ପ୍ରଜ୍ଞାଦୀପ୍ତ ଓ ସୁଦୂରପ୍ରସାରୀ । ତାଙ୍କ ପ୍ରବନ୍ଧଗୁଡ଼ିକ ସୋପାନ ପରେ ସୋପାନ ଅତିକ୍ରମ କରି ପ୍ରକୃତ ସତ୍ୟ ଦେଖିବାର ପ୍ରୟାସ କରିଛି । ଭାବଦେଇ ସେ ସମସ୍ତ ସତ୍ୟାସତ୍ୟକୁ ପରୀକ୍ଷା କରି ଚାଲିଛନ୍ତି । ଜୀବନରେ ସେ ସକଳ କ୍ଷେତ୍ରର ମଣିଷର ଆଧିପତ୍ୟ ସ୍ୱୀକାର କରିଛନ୍ତି । ପ୍ରବନ୍ଧ ଲେଖିବାରେ ତାଙ୍କର ଅପାର ଆନନ୍ଦ ଓ ଅସୀମ ତୃପ୍ତି । ତେଣୁ ସେ କୁହନ୍ତି- “ମୋ ପ୍ରବନ୍ଧଗୁଡ଼ିକ ମୋତେ ପାଦ ପାଦ ଦେଇ ଆଗକୁ ଯିବାରେ ସାହାଯ୍ୟ ମଧ୍ୟ କରିଛି । ମୋତେ ପରିଚୟ ପରେ ପରିଚୟର ସ୍ତରଗୁଡ଼ିକୁ ପରିଚାଳିତ କରିନେଇଛି । ଗୋଟିଏ ବା କେତୋଟି ପ୍ରବନ୍ଧ ଲେଖିବା ପୂର୍ବରୁ ମୁଁ ଯାହାଥିଲି, ସେଇଟିକୁ ବା ସେଗୁଡ଼ିକୁ ଲେଖିସାରିବା ପରେ ମୁଁ ଆଦୌ ସେତିକି ହୋଇରହିନାହିଁ । ସାହିତ୍ୟ ଯେ ଆମର ଆରୋହଣ ଅର୍ଥାତ୍ ଆମର ଯାବତୀୟ ଅତିକ୍ରମରେ ଠିକ୍ ବନ୍ଧୁପରି ସାହାଯ୍ୟ କରିପାରେ । ନିଜ ପ୍ରବନ୍ଧଗୁଡ଼ିକୁ ଲେଖିବା ସମୟରେ ମୁଁ ବାରମ୍ବାର ସେଇ କଥା ହୃଦୟଙ୍ଗମ କରିଛି । ସେଥିଲାଗି ଅଧିକାଂଶ ସମୟରେ ମୋ ନିଜଭିତରେ ଯେଉଁ ପ୍ରଶ୍ନ ଅଥବା ସଂଶୟଟି ମୋତେ ଉଦବେଳିତ କରି ରଖିଛି ମୁଁ ପ୍ରାୟ ସେଇଥିରୁ ପ୍ରେରଣା ଓ ଉତ୍ସାହ ନେଇ ପ୍ରବନ୍ଧଟିଏ ଲେଖିବାକୁ ମନ କରିଛି ଅର୍ଥାତ୍ ପ୍ରବନ୍ଧଟିଏ ପାଇଁ ବିଷୟଟିଏ ପାଇଛି । ଅର୍ଥାତ୍ ଯଦି ମୁଁ ବିଭିନ୍ନ ସମୟରେ ଲେଖିଥିବା ପ୍ରବନ୍ଧଗୁଡ଼ିକୁ ସମୟାନୁକ୍ରମିକ ଭାବରେ ଗଛାଇ ରଖିପାରିବି ତେବେ ସେଥିରୁ ସେଥି ଅବଧିଟି ମଧ୍ୟରେ ମୁଁ ନିଜ ଅନୁଭବ ତଥା ଅଙ୍ଗୀକାରଗୁଡ଼ିକରେ ଅତିକ୍ରମ କରି ଆସିଥିବା ପଥଟିକୁ ମଧ୍ୟ ବେଶ୍ ବାରି ନେଇପାରିବି । ଯେଉଁମାନେ କବିତା, ନାଟକ, ଗଳ୍ପ ଓ ଉପନ୍ୟାସ ଲେଖନ୍ତି ସେମାନେ ନିଜର ସେହି ଲେଖାଗୁଡ଼ିକ ସହିତ ସତକୁ ସତ ସେତିକି ଛନ୍ଦି ହୋଇ ରହିଥାଆନ୍ତି କି ନାହିଁ କେଜାଣି ? ଯେଉଁମାନେ ରହିଥିବେ, ସେମାନଙ୍କର ବିଷୟରେ ଏତିକି କଥା ସମ୍ପୂର୍ଣ୍ଣ ନିଃସଙ୍କୋଚ ଭାବରେ କୁହାଯାଇପାରିବ ଯେ ସେମାନେ କେବେହେଲେ ନିଃସଙ୍ଗ ହେବେ ନାହିଁ । ପୃଥିବୀ ସେମାନଙ୍କ ପାଇଁ ଅଧିକ ନିକଟ ହୋଇ ଆସୁଥିବ । ସେମାନେ ପୃଥିବୀର ଅଧିକ ନିକଟ ହୋଇ ଆସୁଥିବେ । ଜଣେ ପ୍ରବନ୍ଧ ଲେଖକ କଦାପି ବାବାଜୀ ହେବ ନାହିଁ । ତାଙ୍କୁ ସଂସାର ଭଲ ଲାଗିବ, ସଂସାର ଭିତରେ ଆତଯାତ ହେଉଥିବା ମଣିଷମାନେ ଏଠି ଜୀବନର ସମଗ୍ର ନିୟତିଟିକୁ ଅଗ୍ରସର କରାଇ ନେବା ପାଇଁ ଯେଉଁ ଉଦ୍ୟମ କରୁଛନ୍ତି ସେହି ଉଦ୍ୟମଟି ମଧ୍ୟ ତାଙ୍କୁ ଭାରି ଭଲ ଲାଗିବ । ଭଗବାନ ତାକୁ ଏହି ପୃଥିବୀରେ ହିଁ ଜିଣିବେ । ନିଃସଙ୍ଗମାନେ ମନକଲେ ସାହିତ୍ୟ ଭିତରେ ସଉକ କଲା ପରି ଭଳି ଭଳି ପ୍ରବନ୍ଧ ଅଲବତ ଲେଖିପାରିବେ ସତ, ମାତ୍ର, ସେମାନଙ୍କର ସେହି ତଥାକଥିତଗୁଡ଼ିକ ଠିକ୍ ସେହିମାନଙ୍କ ଭଳି ଖାରିଆ ଲାଗିବହିଁ ଲାଗିବ ।” (ମିତ୍ରସ୍ୟ ଚକ୍ଷୁସା)

 

ଲେଖକ ପ୍ରବନ୍ଧ ଲେଖିବା ମୂଳରେ ଶାନ୍ତିନିକେତନର ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟାତନକୁ ବାରମ୍ବାର ସ୍ମରଣ କରିଛନ୍ତି । ବହୁ ପୁସ୍ତକରେ ତାଙ୍କର ଉଚ୍ଛନ୍ନ ମନ କିପରି ବାସ୍ତବ ରୂପଲାଭ କରିଛି ସେ କଥା ମଧ୍ୟ କହିବାକୁ ଭୁଲିନାହାନ୍ତି । ତାଙ୍କ ଜୀବନର ସବୁ ଗଣ୍ଠିକୁ ଖୋଲି ଦେଇଛି ବିଶ୍ୱଗୁରୁଙ୍କ ଶିକ୍ଷାନୁଷ୍ଠାନ । ସେଥିପାଇଁ ପ୍ରବନ୍ଧ ଆଡ଼କୁ ମନ ଢଳିଛି ଓ ଶ୍ରଦ୍ଧାମଧ୍ୟ ବଢ଼ିଯାଇଛି । ତେଣୁ ସେ ‘ମିତ୍ରସ୍ୟ ଚକ୍ଷୁସା’ରେ ସେହିକଥାକୁ ଦୋହରାଇଛନ୍ତି । “ମୋ ଭିତରେ ମୋର ସର୍ଜନାତ୍ମକ ଶ୍ରଦ୍ଧାଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ଆବେଦନ ଯୋଗାଇ ଦେବାପାଇଁ ମୋତେ ଶାନ୍ତିନିକେତନଠାରୁ ଅଧିକ ଉପଯୁକ୍ତ ପରିସରଟିଏ ଆଉ କେଉଁଠି ହେଲେ ମିଳିନଥାନ୍ତା । ସେଠି ହାତ ବୁଲାଇଦେଲେ ସମଗ୍ର ଭାରତବର୍ଷକୁ ସ୍ପର୍ଶ କରି ହେଉଥିଲା । ଭାରତ ବର୍ଷର ପ୍ରାୟ ସବୁ ଭାଷା ଓ ସାହିତ୍ୟର ଜିଜ୍ଞାସୁମାନେ ଶାନ୍ତିନିକେତନରେ ସେତେବେଳେ ଥିଲେ । ବିରାଟକୁ ବିସ୍ତୃତକୁ ଓ ବିଚିତ୍ରକୁ ଏଇ ହାତ ପାଆନ୍ତାରେ ପାଇବା,- ଶାନ୍ତିନିକେତନରେ ମୁଁ ସବାଆଗ ସେଇଟିକୁହିଁ ମୋ’ର ମହାଭାଗ୍ୟ ବୋଲି ମଣୁଥିଲି । ବର୍ତ୍ତମାନ ଭାବୁଛି, ସେତେବେଳର ସେହି ଶାନ୍ତିନିକେତନରେ ମୁଁ ଯେତେବେଳେ ଯେପରି ଇଚ୍ଛା କଲି ସେତେ ଆମକୁ କିପରି ପ୍ରବେଶାଧିକାର ପାଇଗଲି କେଜାଣି? ସେ ସାହସ ମୋତେ ମୋ’ ଭିତରୁ କିଏ ଦେଲା, ଅଥବା ଶାନ୍ତିନିକେତନର ତତ୍କାଳୀନ ଗୃହ ପରିସରଟି ଏକ ଉଦାର ଯଜ୍ଞୋପବୀତ ପରି ମୋ’ ଚେତନାର ଦେହରେ ଆସି ଗୁଡ଼ାଇ ହୋଇଯିବାରୁ ମୁଁ ଏତେ ସାହସ ଲାଭ କରିପାରିଲି । ଏବେ ମଧ୍ୟ ସ୍ତବ୍ଧ ହୋଇ ମୁଗ୍ଧ ହୋଇ ଏବଂ ସନ୍ଦିଗ୍‌ଧ ହୋଇ ମୁଁ ନିଜକୁ ସେଇ ପ୍ରଶ୍ନଟିକୁ ପଚାରିଥାଏ । ସେଠାରେ ଥିବା ତତ୍କାଳୀନ ବହୁ ସଂଖ୍ୟକ ବନ୍ଧୁ ଓ ସତୀର୍ଥମାନଙ୍କର ମାଧ୍ୟମରେ କେଡ଼େ ସହଜରେ ମୁଁ ଭାରତୀୟ ଏକାଧିକ ଭାଷା ଓ ତାହାର ସାହିତ୍ୟଆଡ଼କୁ ଆକୃଷ୍ଟ ହୋଇଯାଇଥିଲି । ଇଂରାଜୀ ସାହିତ୍ୟ, ଭାରତର ଷଡ଼ଦର୍ଶନ, ଇଉରୋପୀୟ ମେଧା ଓ ଜ୍ଞାନ ପ୍ରତିଭା, ଚୀନ ଦେଶର ସାଂସ୍କୃତିକ ସମ୍ପଦ, ଖ୍ରୀଷ୍ଟିଆନ ଧର୍ମର ସଂବଦ୍ଧ ଆଗ୍ରହୋଦ୍ଦୀପକ ଧାରାଟି- ତତ୍କାଳୀନ ଶାନ୍ତିନିକେତନରେ ଏଗୁଡ଼ିକ ସହିତ ଅନ୍ତରଙ୍ଗ ପରିଚୟ ଘଟାଇ ଦେବାକୁ ଗୁଣୀ ଓ ଚକ୍ଷୁଷ୍ମାନ୍‌ମାନେ ରହିଥିଲେ । ଏବେ ପଛକୁ ଅନାଇ ଦେଖୁଛି, ସେତେବେଳପରି ଆଉ ଜୀବନରେ କେବେହେଲେ ମୁଁ ଏତେ ବେଶୀ ଲୋଭରେ ପଡ଼ିନାହିଁ, ଏବଂ ସେହି ଲୋଭରେ ପଡ଼ିବାର ପର୍ଯ୍ୟାୟ ମୋତେ ମୋ’ର ତମାମ ଜୀବନ କଳାଲାଗି କେତେମନ୍ତେ ଉପକୃତ କରି ରଖିଛି । ଏବଂ ମୋ ଭିତରେ ମୋ ସାହିତ୍ୟିକ ହେତୁ ନାମକ ସେହି ବ୍ୟାପରଟି ଯେତିକି ପରିପକ୍ୱ ହୋଇଛି, ମୁଁ ସେତେ ଅଧିକ ଔଚିତ୍ୟ ସହିତ ପ୍ରବନ୍ଧଆଡ଼କୁ ଢଳି ଆସିଛି । ହଁ, ଅଧିକ ନିର୍ଭୁଲ ଭାବରେ କହିଲେ, ତାହାହିଁ ମୋହର ପରବର୍ତ୍ତୀ କାଳର ରମ୍ୟରଚନା, ଭ୍ରମଣକାହାଣୀ ପର୍ବ ଏପରିକି ବ୍ୟଙ୍ଗ ମଧ୍ୟକୁ ବି ସଂକ୍ରାମିତ ହୋଇ ଆସିଛି ।”

 

ଚିତ୍ତରଂଜନ ଦାସଙ୍କ ପ୍ରବନ୍ଧ ଓ ଗଦ୍ୟସୃଷ୍ଟିକୁ ଆହୁରି ଋଦ୍ଧିମନ୍ତ କରିଛି ପ୍ରବାସରେ ଅଧ୍ୟୟନ କରିଥିବା ସମାଜବିଜ୍ଞାନ ଓ ମନୋବିଜ୍ଞାନ । ବିଦେଶ ଭ୍ରମଣର ଅନୁଭୂତି ଏବଂ ପାଶ୍ଚାତ୍ୟ ଦେଶମାନଙ୍କର ଶିକ୍ଷା, ଅଧ୍ୟୟନ ପ୍ରବୃତ୍ତି, ସ୍ନେହ ଓ ଅନୁରାଗପୂର୍ଣ୍ଣ ଆତିଥ୍ୟ ଏବଂ କର୍ମପ୍ରବଣତା ତାଙ୍କ ସୃଷ୍ଟିମାନସକୁ ଆହୁରି ମଜଭୁତ କରିଦେଇଛି । ନିଜର ଧର୍ମ ଏବଂ ନିଜର ଦେଶପ୍ରୀତି ସହିତ ୟୁରୋପ ଭ୍ରମଣ ଓ ଜ୍ଞାନ ଆହରଣ ପ୍ରସଙ୍ଗକୁ ସେ କେବେ ଭୁଲିପାରିନାହାନ୍ତି । ପ୍ରବନ୍ଧ ରଚନା ପ୍ରତି ସେ ହୋଇ ଉଠିଛନ୍ତି ଅଧିକ ଶ୍ରଦ୍ଧାଶୀଳ । ସ୍ପିନୋଜାଙ୍କ ଜୀବନୀ ଓ ଦର୍ଶନ ସେ ଜୀବନର ବହୁ କ୍ଷେତ୍ରରେ ପ୍ରୟୋଗ କରିଛନ୍ତି । ତାଙ୍କଦ୍ୱାରା ରଚିତ ପ୍ରବନ୍ଧଗୁଡ଼ିକ ଶୁଷ୍କ ଅଥବା ନିରସ ନୁହେଁ ବରଂ ଜୀବନ ରସର ଛଳଛଳ ଅମୀୟଧାରାରେ ରସସିକ୍ତ । ସେ ମଣିଷକୁ ଭଲ ପାଉଥିବା ନିଆରା ମଣିଷ ଜଣେ । ତାଙ୍କର ପ୍ରଶସ୍ତ ଦୃଷ୍ଟିରେ ବିଶ୍ୱର ପ୍ରତ୍ୟେକଟି ମଣିଷ ତାଙ୍କର ଅତି ଆପଣାର- ଖୁବ୍‍ ନିଜର । ସେଥିପାଇଁ ତାଙ୍କ ପ୍ରବନ୍ଧ ରଚନାର ଶୈଳୀ ସାର୍ବଜନୀନ ଏବଂ ଭାଷା ଜୀବନ୍ତ । ଭାଷା ଓ ଶବ୍ଦ ପ୍ରୟୋଗରେ ସେ ସାଧୁ ଅସାଧୁର ବାଛବିଚାର କରିନାହାନ୍ତି । ଅନ୍ୟ ପ୍ରାବନ୍ଧିକମାନଙ୍କ ଭାଷା ସମ୍ପର୍କରେ ସେ ଅଭିମତ ଦେଇ କୁହନ୍ତି- “ପ୍ରବନ୍ଧର ଭାଷାକୁ ଅନେକ ଏପରି କର୍କଶ କରିଥାନ୍ତି ଯେ, ଅନେକ ପାଠକ ପ୍ରଧାନତଃ ସେହି କାରଣରୁ ହିଁ ପ୍ରବନ୍ଧ ଭିତରକୁ ଆସିବା ଲାଗି ଭୟ କରୁଥାନ୍ତି । ପ୍ରବନ୍ଧ ଭିତରେ ହୁଏତ ଏତେ ଗୋଡ଼ି ଭର୍ତ୍ତି ହୋଇ ରହିଥାଏ ଯେ, ଚୋବାଇବା ମଣିଷର ଦାନ୍ତ କାଳେ ଭାଙ୍ଗିଯିବ ବୋଲି ସର୍ବଦା ଏକ ତ୍ରାସ ବି ରହିଥାଏ । ପ୍ରବନ୍ଧର ଭାଷା କଠିନ ହେବାକୁ କ’ଣ ପାଇଁ ବାଧ୍ୟହେବ?” (ମିତ୍ରସ୍ୟ ଚକ୍ଷୁସା) ତେଣୁ ଲେଖକ ଚାହିଁଲେ ପ୍ରବନ୍ଧକୁ ଗଳ୍ପ ବା କବିତା ପରି ସରଳ, ପ୍ରାଞ୍ଜଳ ଓ ସହଜ କରିପାରିବ । ପ୍ରବନ୍ଧ ଯେତେ ମନଛୁଆଁ ହେବ ପାଠକ ତାକୁ ଆଦର କରିବ ହିଁ କରିବ । ପ୍ରାବନ୍ଧିକ ଭାବରେ ଚିତ୍ତରଂଜନଙ୍କ ଦୃଷ୍ଟିଭଙ୍ଗୀ ସୁଦୂରପ୍ରସାରୀ ଏବଂ ପ୍ରବନ୍ଧ ସମ୍ପର୍କରେ ତାଙ୍କ ମତ ଓ ମନ୍ତବ୍ୟ ବେଶ୍ ରୁଚିପୂର୍ଣ୍ଣ, ଶିକ୍ଷଣୀୟ ।

 

ଚିତ୍ତରଂଜନ ଦାସ ଓଡ଼ିଆ ଭାଷାରେ ବହୁ ପ୍ରବନ୍ଧ ରଚନା କରିଛନ୍ତି । ପ୍ରକୃତ ପକ୍ଷରେ କହିବାକୁ ଗଲେ ତାଙ୍କ ପ୍ରବନ୍ଧର ସଂଖ୍ୟା ନିର୍ଣ୍ଣୟ କରିବା ଅସମ୍ଭବ । ଆମେ କେବଳ ତାଙ୍କର ସଂକଳିତ ପୁସ୍ତକର ପ୍ରବନ୍ଧଗୁଡ଼ିକୁ ଦେଖି ଆକଳନ କରିଥାଉ । କିନ୍ତୁ ଆହୁରି କେତେକ ପ୍ରବନ୍ଧ ମଧ୍ୟ ଏବେ ସୁଦ୍ଧା ପୁସ୍ତକାକାରରେ ପ୍ରକାଶ ପାଇପାରିନାହିଁ । ସମକାଳୀନ ସମାଜର ବହୁ ବାସ୍ତବ ଉଦାହରଣପୂର୍ଣ୍ଣ ଘଟଣା ସହିତ ବହିର୍ଦେଶର ବିଭିନ୍ନ ପ୍ରସଙ୍ଗର ସମନ୍ୱୟ ତାଙ୍କ ପ୍ରବନ୍ଧକୁ ସ୍ୱତନ୍ତ୍ର ରୂପ ଦେଇଥିବା ବାରି ହୋଇପଡ଼େ । ସେ ରଚନା କରିଥିବା ପ୍ରବନ୍ଧଗୁଡ଼ିକ ମୁଖ୍ୟତଃ ବିଶ୍ଲେଷଣଧର୍ମୀ । ଏହାର ଭାଷା ଖୁବ୍ ଜୀବନ୍ତ ଓ ଭାବଗର୍ଭକ । କାହାଣୀକଥନ ଢଙ୍ଗରେ ପ୍ରକାଶିତ ତାଙ୍କ ବକ୍ତବ୍ୟ ପାଠକ ହୃଦୟକୁ ବେଶ୍ ଆଲୋଡ଼ିତ କରେ । ସାହିତ୍ୟ ତାଙ୍କ ପାଇଁ ଜୀବନ ପରି ମୂଲ୍ୟବାନ୍ । ପ୍ରବନ୍ଧଗୁଡ଼ିକ ମାଧ୍ୟମରେ ହିଁ ସେ ତାଙ୍କର ଯାବତୀୟ ଜଗତକୁ ନିବିଡ଼ କରିପାରିଥିଲେ । ସେ ସାରାଜୀବନ ଅଧ୍ୟୟନ କରିଛନ୍ତି, ବହୁ ଜ୍ଞାନର ଅଧିକାରୀ ହୋଇପାରିଛନ୍ତି । କିନ୍ତୁ ତାଙ୍କ ଲେଖା ପଠିତ ବିଷୟର ଚର୍ବିତଚର୍ବଣ ନୁହେଁ । ସେ ଯାହା ପଢ଼ିଛନ୍ତି ସେଗୁଡ଼ିକ ପରୀକ୍ଷା କରିଛନ୍ତି । ଟିକିନିକି ଭାବରେ ଦେଖିଛନ୍ତି । ଯାହା ଉଚିତ ମନେକରିଛନ୍ତି ତାହା ପ୍ରବନ୍ଧ ମାଧ୍ୟମରେ ବ୍ୟକ୍ତ କରିଛନ୍ତି । ଡକ୍ଟର ଚିତ୍ତରଂଜନ ଦାସଙ୍କ ପ୍ରବନ୍ଧଗୁଡ଼ିକ ସାହିତ୍ୟ, ସମାଜ, ଧର୍ମ ସଂସ୍କୃତି ରାଜନୀତି ଶିକ୍ଷା, ସଭ୍ୟତା, ବିଜ୍ଞାନ, ଜୀବନୀ ଆଦି ବହୁବିଧ ଦିଗ ଉପରେ ଆଧାରିତ ।

 

(କ) ସାହିତ୍ୟିକ ପ୍ରବନ୍ଧ :

 

ଚିତ୍ତରଂଜନ ଦାସଙ୍କ ସାହିତ୍ୟ ସମ୍ପର୍କିତ ପ୍ରବନ୍ଧଗୁଡ଼ିକ ଜୀବନଧର୍ମୀ, ଭାବଗର୍ଭକ ଓ ରସସିକ୍ତ । ସାହିତ୍ୟ ସମାଜର ଦର୍ପଣ । ମଣିଷ ଗୋଟିଏ ସାମାଜିକ ଜୀବ ହୋଇଥିବାରୁ ତା’ ଦୁନିଆର ପ୍ରତିଟି ଚିତ୍ର ଏହି ସମାଜରୂପୀ ଦର୍ପଣରେ ପ୍ରତିବିମ୍ବିତ ହୋଇଥାଏ । ତାଙ୍କ ପ୍ରଶସ୍ତ ଦୃଷ୍ଟିରେ ସେ ଅନୁଭବ କରିଛନ୍ତି ଯେ ସାହିତ୍ୟ କେବଳ ବିନୋଦର ବିଳାସ ନୁହେଁ; ସେ ପ୍ରଥମେ ମଣିଷର କଥା କହିବ । ମଣିଷର ସୁଖଦୁଃଖ ସହିତ ସାହିତ୍ୟ ଜଡ଼ିତ ହେବ । ସେଥିପାଇଁ ସାହିତ୍ୟକୁ ସେ ସଖା, ବନ୍ଧୁରୂପେ ଦେଖିଛନ୍ତି । ତାଙ୍କଦ୍ୱାରା ରଚିତ ସାହିତ୍ୟିକ ପ୍ରବନ୍ଧଗୁଡ଼ିକ ମୁଖ୍ୟତଃ ସର୍ଜନାତ୍ମକ ସାହିତ୍ୟ ସ୍ତରର । ‘ସେ ଲେଖିଥିବା ପ୍ରତ୍ୟେକଟି ପ୍ରବନ୍ଧ ସାହିତ୍ୟର ସୁଧୀ ପାଠକମାନଙ୍କଦ୍ୱାରା ଆଦୃତ’ । ତାଙ୍କ ମତରେ- “ସାହିତ୍ୟ ଆଶାଦିଏ, ଦମ୍ଭଦିଏ, ସାହସ ଦିଏ, ସ୍ୱପ୍ନ ଦେଖାଏ, ସାହିତ୍ୟ ଅନ୍ଧକାରକୁ ଭେଦକରେ ଅନ୍ଧାରର ମର୍ମ ଚିରେ ।” (ମିତ୍ରସ୍ୟ ଚକ୍ଷୁସା) ସାହିତ୍ୟ ତାଙ୍କର ସୀମିତ ବଳୟ ମଧ୍ୟରେ ସୀମାବଦ୍ଧ ନୁହେଁ । ସେ ସବୁକୁ ବିଶ୍ୱସ୍ତରକୁ ବିସ୍ତାରିତ କରିନେବାକୁ ଚାହିଛନ୍ତି । ପ୍ରତ୍ୟେକ ସାହିତ୍ୟିକର ସମାଜ ପ୍ରତି କିଛି ନା କିଛି ଦାୟିତ୍ୱ ଓ କର୍ତ୍ତବ୍ୟ ଅଛି । କିନ୍ତୁ ସେ ଦିଗଟିକୁ ଆମ ଦେଶର ସାହିତ୍ୟିକ ବିଶେଷ ଦୃଷ୍ଟି ଦିଅନ୍ତି ନାହିଁ । ଚିତ୍ତରଂଜନଙ୍କ ଭାଷାରେ- “ପ୍ରତ୍ୟେକ ସାହିତ୍ୟିକର ସମାଜକୁ ଉପଯୁକ୍ତ ସମ୍ମାନ ଦେବାର ଏକ କର୍ତ୍ତବ୍ୟ ରହିଛି, ଅସମ୍ମାନିତ ମଣିଷର ହୋଇ ତାକୁ ଉତ୍ତୋଳିତ କରି ଧରିବାର ଏକ ଦାୟିତ୍ୱ ରହିଛି, ଆମର ଏଠାରେ ସେ ବିଷୟରେ କିଛି ଶୁଣାଯାଏ ନାହିଁ ।” (ମା’ ନିଷାଦ)

 

ସାହିତ୍ୟରେ ପ୍ରେମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପ୍ରେମ ନ ଥିଲେ ସାହିତ୍ୟ ବଞ୍ଚିପାରିବ ନାହିଁ-। ତେଣୁ ପ୍ରଥମେ ସାହିତ୍ୟ ବହିରୁ ପ୍ରେମ ନାମକ ଶବ୍ଦଟି ସହିତ ଆମର ପରିଚୟ ଘଟିଥାଏ । ଛୋଟବେଳେ ଯେଉଁ ପ୍ରେମ ଶବ୍ଦଟି କଥା ଶିକ୍ଷକଙ୍କଠାରୁ ଶିଖିଥାଉ ବଡ଼ ହେଲାପରେ କେମିତି ତା’ର ପରିଭାଷା ବଦଳିଯାଏ । ଯୌବନ ସମୟରେ ଚଳଚଞ୍ଚଳ ମନନେଇ କେତେଖଣ୍ଡ ଉପନ୍ୟାସ ପଢ଼ିଲାପରେ ସେଥିରୁ ପ୍ରେମ ବିଷୟରେ ଆହୁରି ଅଧିକ ଜାଣିଥାଉ । ସାହିତ୍ୟ ବହିର ପ୍ରେମ ଏବଂ ଉପନ୍ୟାସରେ ବର୍ଣ୍ଣିତ ହୋଇଥିବା ପ୍ରେମ କେମିତି- ଏହି ଦୁଇଟା ଅଲଗା ମନେହୁଏ । ଆମେ ସମାଜରୁ, ସାଙ୍ଗସାଥୀମାନଙ୍କଠାରୁ ଏ ସମ୍ପର୍କରେ କେତେ କ’ଣ ଶିକ୍ଷା କରୁ । ପ୍ରେମଟା କେତେବେଳେ ଶାସ୍ତ୍ରର ଗୋଟିଏ ଶବ୍ଦ ପରି ଅନୁଭବ ହେଉଥିଲା, ମାତ୍ର ଆମେ ଅଧିକ ଚଳନ୍ତି ଭାବରେ ଭଲ ପାଇବା ଅର୍ଥରେ ସେହି ଅନ୍ୟକଥାଟିକୁ ବ୍ୟବହାର କଲୁ । କିନ୍ତୁ ‘ପ୍ରେମ’ ଯେ ଏତିକିରେ ସୀମାବଦ୍ଧ ନୁହେଁ ତାହା ଆହୁରି ଆଗେଇବା ପରେ ଜଣାପଡ଼େ । ଆମ ଜୀବନର ନିତ୍ୟ କାରବାରରେ କେତେନା କେତେ ପ୍ରେମର ସମ୍ମୁଖୀନ ହୋଇଥାଉ । ଜାତିପ୍ରେମ, ଦେଶପ୍ରେମ ସାହିତ୍ୟ ପ୍ରେମ, ବିଭୁପ୍ରେମ, ପ୍ରକୃତି ପ୍ରେମ, ପାଠ ପ୍ରେମ, ଏମିତି କେତେପ୍ରକାରର ପ୍ରେମ । ପ୍ରେମ ନ ଥିଲେ ଜୀବନ ନାହିଁ । ଭଲ ପାଇବା ଯେଉଁଠି ଅଛି, ଘୃଣା କରିବା ମଧ୍ୟ ସେଇଠି ଅଛି । ଏ ଦୁଇଟି ସମାନ୍ତର ହୋଇ ରହିଛନ୍ତି । ଆମେ ଯଦି ଗୋଟିକୁ ଭଲପାଉ, ତେବେ ଅନ୍ୟଟିକୁ ଘୃଣା କରିବାକୁ ବାଧ୍ୟ ହେଉ । ନିଜର ଦେଶକୁ ଭଲପାଇଲେ ପଡ଼ିଶା ଆଉ ପାଞ୍ଚଟା ଦେଶକୁ ଘୃଣା କରିବାରୁ ହିଁ ନିଜ ଭଲ ପାଇବାର ପ୍ରମାଣ ଦେବାକୁ ହେବ । ତେଣୁ ଡକ୍ଟର ଚିତ୍ତରଂଜନ ଦାସ କୁହନ୍ତି- “ଜୀବନ ବଞ୍ଚିବାର ଏ ଖାସ୍ ପ୍ରମାଣ ହେଉଛି ଏହି ପ୍ରେମ । ଡୋର ଯୋଡ଼ିବାର ଖାସ୍ ପ୍ରମାଣ ହେଉଛି ଏହି ପ୍ରେମ । କାହାର ହୋଇଯାଇଥିବାର ସେହି ସହଜ ପରିପ୍ରକାଶଟିଏ ହେଉଛି ପ୍ରେମ । ଭଗବତ୍‍-ସାକ୍ଷାତ୍‍କାରର ଏକ କପଟ ରହିତ ଖୁସି ହେଉଛି ପ୍ରେମ । ବନ୍ଧୁ, ତୁମର କବିତା ଓ ତୁମର ଗପରେ ସେଇଟା ସବୁବେଳେ ଅବଶ୍ୟ ଧରାପଡ଼ିଯିବ । ତୁମେ ଆପେ ମଧ୍ୟ ଖୁବ୍ ଧରାପଡ଼ି ଯାଉଥିବ । ନିଜକୁ ଯେତିକି ଲୁଚାଇ ରଖିବାର ଚେଷ୍ଟା କରିବ, ସେତିକି ଧରାପଡ଼ି ଯାଉଥିବ । ଅର୍ଥାତ୍‌, ଏହି ସଂସାରଟାରେ ହରି ମିଶ୍ର ହୋଇ ସାହିତ୍ୟରେ ବରଜୁ ପ୍ରଧାନ ହେବା ଏହି କଳିଯୁଗରେ ଆଦୌ ସମ୍ଭବ ହେବନାହିଁ । ଯାବତୀୟ ପ୍ରେମର ପରୀକ୍ଷା ସବାଆଗ ଦାଣ୍ଡରେ ହିଁ ହେବ । ସାହିତ୍ୟ ସେହିଗୁଡ଼ିକର ପ୍ରତିଫଳନ ମାତ୍ର କରୁଥିବ । ନିଜ ଜୀବନରେ ସଙ୍ଗୀତଟିଏ ସତକୁ ସତ ପାଇଥିଲେ, ଏବଂ ଆହୁରି ସିଧାକରି କହିଲେ, ନିଜେ ସଙ୍ଗୀତଟିଏ ହୋଇପାରୁଥିଲେ, ତୁମେ କଦାପି ନିଃସଙ୍ଗତାର ବର୍ଣ୍ଣାଢ଼୍ୟ ବସ୍ତ୍ରଗୁଡ଼ାକୁ ପିନ୍ଧିବା ନିମନ୍ତେ ମନ କରିବ ନାହିଁ । ନାନା ଦୁଷ୍ଟ ପ୍ରଲୋଭନରେ ପଡ଼ି ସାହିତ୍ୟରେ ଯେଉଁମାନେ ଆତ୍ମରତ ହୁଅନ୍ତି, ସେମାନେ ପ୍ରକୃତରେ ଉପରକୁ ଯେତେ ଶସିଅଳ ହୋଇ ଦିଶୁଥିଲେ ବି କେବଳ ଶୁଖି ଶୁଖି ହିଁ ଯାଉଥାନ୍ତି । ପୃଥିବୀଟାକୁ ଦରିଦ୍ର ଅର୍ଥାତ୍ ଦରଦହୀନ କରି ରଖିଥାନ୍ତି । ଏହି ବିଟମାନେ ସାହିତ୍ୟରେ ଅସାହିତ୍ୟିକ ଓ ନରଖର କରିବାରେ ଏକ ବ୍ୟାଧିଗ୍ରସ୍ତ ଆନନ୍ଦଲାଭ କରୁଥାଆନ୍ତି । ସାହିତ୍ୟର ଆଡ଼ମ୍ବର ପୂର୍ଣ୍ଣ ଅବସରମାନଙ୍କରେ ସେମାନେ ଭଳିଭଳି ପ୍ରେମାକୁଳତାର ନିଦର୍ଶନ ହୋଇ ରହିଥାନ୍ତି । ଯାହା ସତକୁ ସତ ମୋଟେ ନୁହନ୍ତି । ତାହାରି ବିଷୟରେ ଧାଡ଼ି ଧାଡ଼ି ଫାନ୍ଦି ପକାଇଥାନ୍ତି । ନିଜ ପାଖରେ ଭାରି ଅସହଜ ହୋଇ ରହିଥାଆନ୍ତି ।” (ରଜ୍ଜୁ ରଜ୍ଜୁ, ଭୁଜଙ୍ଗ ଭୁଜଙ୍ଗ)

 

ପ୍ରାବନ୍ଧିକ ଚିତ୍ତରଂଜନ ଉପରୋକ୍ତ ପ୍ରବନ୍ଧ ପୁସ୍ତକରେ ଡକ୍ଟର ମାୟାଧର ମାନସିଂହଙ୍କର ‘ମହାନ୍‍ଦୀରେ ଜ୍ୟୋତ୍ସ୍ନା ବିହାର’ କବିତାଟିକୁ ସୁନ୍ଦର ଭାବରେ ଏବଂ ତିନୋଟି ଦୃଷ୍ଟିକୋଣରୁ ବିଶ୍ଲେଷଣ କରିଛନ୍ତି । ଏହି କବିତାଟି ବହୁବର୍ଷ ପର୍ଯ୍ୟନ୍ତ ସେତେବେଳେ ସାହିତ୍ୟ ବହିରେ ସ୍ଥାନ ପାଇଥିଲା । ଏବେ ମଧ୍ୟ ଏହାର ଆଦର ଅକ୍ଷୁଣ୍ଣ ରହିଛି ଏବଂ ବହୁ ସମୟରେ ସାହିତ୍ୟର ପାଠ୍ୟପୁସ୍ତକରେ ପଢ଼ାଯାଉଅଛି । ଏହି କବିତାର ଭାବକୁ ସେ ଏହିପରି ବିଶ୍ଲେଷଣ କରିଛନ୍ତି- “କୌଣସି ନଦୀର ଜଳରାଶି ଉପରେ ଉଜ୍ଜ୍ୱଳ ଛଳଛଳ ହୋଇ ରାତିଟାକୁ ଆକୁଳ କରି ରଖିଥିବା ଏକ ଜହ୍ନରାତି ଏବଂ ତା’ ଉପରେ ନୌକା ବିହାର । କବି ପ୍ରକୃତରେ ଦୃଶ୍ୟ ପଟଟିକୁ ଜ୍ୟୋତ୍ସ୍ନାବିହାର ବୋଲି କହିଛନ୍ତି । ମଣିଷର ଆଖିମାନେ ଇଚ୍ଛାକଲେ ପ୍ରକୃତି ଯେ କେତେ ମନୋରମ ଦିଶିପାରେ ତାହାର ଏକ ଅଙ୍ଗେନିଭା ବର୍ଣ୍ଣନା- ପାଠ କରୁଥିବା ସମୟରେ ପାଠକ ନିଜେ ସେହି ଜ୍ୟୋତ୍ସ୍ନା ବିହାର ଭିତରେ ସାମିଲ ହୋଇ ରହିଥିବା ପରି ଅନୁଭବ କରିବାକୁ ଆରମ୍ଭ କରିବ । ଖାଲି ଏହି ଗୋଟିଏ ନଦୀରେ ନୁହେଁ- କେତେ ସହଜ ପ୍ରସାରିତ ଉତ୍‌ଫୁଲ୍ଲ ଚିତ୍ତରେ କେତେ କେତେ ନଦୀ ତଥା କେତେ କେତେ ଜ୍ୟୋତ୍ସ୍ନାର ବିସ୍ତାର ମଧ୍ୟରେ ଅବଗାହି ଆସିବ । କେତେ କ’ଣ ଭୁଲି ହୋଇ ଯାଇଥିବ ସିନା, ମାତ୍ର ସତେ ଅବା ତୁମକୁ ସବୁକିଛି ସ୍ପର୍ଶକରି ରହିଥିବ । କେବଳ ପ୍ରକୃତି- ପ୍ରେମ ନୁହେଁ ସତେ ଅବା ସେଇଟା ମଧ୍ୟରେ ଆହୁରି କେତେ କ’ଣ ମନ୍ତୁରା ଓ ମଙ୍ଗୁଳା ହୋଇ ରହିଥିବା ପରି ମନେ ହେଉଥିବ । ଏପରି ଏକ ପ୍ରସାର, ଯାହା କି ତୁମକୁ ଏକ ଖିଳ ପୂର୍ଣ୍ଣ ପ୍ରସାର ସହିତ ଗଅଁଠାଇ ରଖିଥିବ । କବିତାଟି ବେଶ୍ ଦୀର୍ଘ । ତେଣୁ, ଦ୍ୱିତୀୟ ପର୍ଯ୍ୟାୟଟିରେ କବି ନୌକାଟିକୁ ବାହି ବାରବାଟୀ ଦୁର୍ଗର ସମୀପବର୍ତ୍ତୀ ହୋଇ ଆସିଛନ୍ତି । ତା’ପରେ କ’ଣ କେଉଁଠାରେ ଘୋଟି ଆସିଛି ଏବଂ ଘାରିପକାଇଛି କେଜାଣି, ଚିଦ୍ ବିସ୍ତାରର ପ୍ରସ୍ଥଟି କ୍ରମେ ହ୍ରସ୍ୱ ଓ ସ୍ଥାନୀୟ ଏବଂ ସ୍ଥାନୀୟ ହୋଇ ଆସିଛି । ଭଙ୍ଗା ବାରବାଟୀ, ଅତୀତ ସମୟର ସେହି କୀର୍ତ୍ତିଭର୍ତ୍ତି ବହୁ ଗାଥାର ଯୁଗଟି, ଯାହାଜଣେ ଭୂମିପୁତ୍ର ହିସାବରେ କବିଙ୍କୁ ବ୍ୟାକୁଳ କରିପକାଉଛି, ଆଉ ଜହ୍ନରାତିଟା ନ ଦିଶି କବିଙ୍କୁ ଓଡ଼ିଶାର ଏକ ଅତୀତର ସେହି ନିର୍ଦ୍ଦିଷ୍ଟ ସ୍ମୃତି- ପ୍ରକୋଷ୍ଠଟି ମଧ୍ୟକୁ ହାତଧରି ଡାକି ନେଉଛି, ଯେଉଁଠାରେ ସିଏ ମାଳ ମାଳ ନୌକା ବଣିଜ ଗାଁରୁ ରାଜଧାନୀକୁ ଲେଉଟି ଆସୁଥିବାର ସଂଦର୍ଶନ କରୁଛନ୍ତି ।

 

ପଟୁଆ ମାଳମାଳ । ଏକ ସାମନ୍ତ ଯୁଗର ସମସ୍ତ ବିଧିକୁ ରକ୍ଷା କରି ଆଗ ରଜା, ତା’ପରେ ମନ୍ତ୍ରୀ ଏବଂ ତା’ପରେ ମର୍ଯ୍ୟାଦା ମୁତାବକ ଅନ୍ୟମାନେ, ଏଣେ ତଟରେ ବରାଙ୍ଗନାମାନେ ବନ୍ଦାପନା ନିମନ୍ତେ ସକଳ ଉପଚାର ସହିତ ଅପେକ୍ଷା କରି ରହିଛନ୍ତି । କବି ଥକାହୋଇ ଚାହିଁଛନ୍ତି ଏବଂ ପିଛୁଳାକ ପରେ କେଡ଼େ ବିମର୍ଷ ହୋଇ ଯାଉଛନ୍ତି । କାରଣ, ସେହି ଅତୀତ ଆଉ ନାହିଁ । କୁଆଡ଼େ ଗଲା ସେହି ମହିମାମୟ ସମୟଟା । କବି ଝୁରି ହେଉଛନ୍ତି । କଳାଟାକୁ ଝିଙ୍ଗାସି ହେଉଛନ୍ତି-। ଦୁଃଖ ପାଉଛନ୍ତି, କେଉଠି କ’ଣ ଖଣ୍ଡିଆ ରହିଗଲେ ଅର୍ଥାତ୍ କାହାକୁ ଘୃଣା କଲେ ମଣିଷମାନେ ଏପରି ଦୁଃଖ ପାଆନ୍ତି କେଜାଣି ? ଏଣେ କବିତାଟି ବି ସରିବା ନିମନ୍ତେ ତରତର ହେଉଛି । ତେଣୁ, ବର୍ତ୍ତମାନ ଏହି ରାତ୍ରିକାଳୀନ ଜ୍ୟୋତ୍ସ୍ନା ବିହାର, ଅତୀତ ଉତ୍କଳର ବୃହତ ଚିତ୍ରଟି- ଏହି ସବୁକିଛିକୁ ଏତିକିରେ ଏଇଠି ରଖି ସଂସାରକୁ ଫେରିବାକୁ ହେବ । ଫେରିବାକୁ ହେବ ସତେ-? ବୋଲି କହି କବିଚିତ୍ତ ହାହାକାର କରି ଉଠିଛି । କବି ସବା ଶେଷରେ ‘ଭୂମା’ ନାମକ ଏକ ଶବ୍ଦରେ ସାନ୍ତ୍ୱନା ପାଇବାକୁ ଚେଷ୍ଟା କରିଛନ୍ତି । ଉପସଂହାର କରି କହିଲେ, ଗୋଟିଏ ଦୀର୍ଘ କବିତାରେ ତିନି ଭଳି ପ୍ରେମର ତିନୋଟି ଜଗତର କଥା କୁହାଯାଇଛି, ଯାହାକି ସମ୍ପୃକ୍ତ ଆମ ସମସ୍ତଙ୍କୁ ତିନିଟା ଜାଗାରେ ଆଣି କ୍ଷଣେ ବାନ୍ଧି ଓ ଭୁଲାଇ ରଖୁଚି, ଓ ତା’ପରେ ଗଞ୍ଜଣା ଦେଇ ତିନି ତିନିଥର କଚାଡ଼ି ବି ଦେଉଛି ।”

 

ପ୍ରାବନ୍ଧିକ କେବେ ନୈରାଶ୍ୟବାଦୀ ନୁହନ୍ତି । ସେ ସର୍ବଦା ଆଶା ଓ ବିଶ୍ୱାସକୁ ନେଇ ଆଶ୍ୱସ୍ତ । ତଥାପି ଏହି କବିତାର ଅନ୍ତଃସ୍ୱର ପାଖରେ ପହଞ୍ଚି ସାରିବାପରେ ତାଙ୍କ ମନରେ ସ୍ୱତଃ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକୃତରେ ଏତେ ଭାବମୟ, ପ୍ରେମର ପରିଚିତ ଆଣି ଦେଉଥିବା ଆମର ଏହି ପୃଥିବୀଟା କ’ଣ ସତରେ ଆମକୁ କଚାଡ଼ି ଦେବାପାଇଁ ଓ ଜଖମ କରିଦେବା ପାଇଁ ? ଏବଂ ଭୂମା କ’ଣ ଏପରି ଗୋଟିଏ ସ୍ଥାନ ଯେଉଁଠାରେ ପହଞ୍ଚିଲେ ପ୍ରଥମେ ଏହି ଜଖମଟା ପାଇଁ ପ୍ରାଥମିକ ଚିକିତ୍ସା ବିଧାନର ବ୍ୟବସ୍ଥା କରିହେବ ?

 

ସାହିତ୍ୟ ମୁଖ୍ୟତଃ ସବୁଭାଷାର, ସମଗ୍ର ବିଶ୍ୱର ସାହିତ୍ୟକୁ ହିଁ ବୁଝାଇଥାଏ । କିନ୍ତୁ ନିଜ ଭାଷାର ସାହିତ୍ୟକୁ ଆଗରେ ରଖି ଅନ୍ୟ ଦେଶର ସାହିତ୍ୟକୁ ପଛ କରି ଦେବାରେ ଅନେକଙ୍କ ଖୁସିକୁ ଚିତ୍ତରଂଜନ ସହଜରେ ହଜମ କରିପାରି ନାହାନ୍ତି । ଆମ ଜିନିଷକୁ ବଡ଼ ମନେକରିବାରେ କିଛି ଆପତ୍ତି ନାହିଁ କିନ୍ତୁ ଅନ୍ୟ ଦେଶର ସାହିତ୍ୟକୁ ହେୟ ମନେକରିବା ଏକ ଅପରାଧ ନିଶ୍ଚୟ । ଏ ବିଷୟରେ ଲେଖକ କହିଛନ୍ତି- “ଆମେ ସାହିତ୍ୟକୁ ଓଡ଼ିଆ ସାହିତ୍ୟରେ ପରିଣତ କରିଦେଇ ନିଜ ଘରେ କେଡ଼େ ନିବୁଜ ହୋଇ ବସିଛୁ । କେତେ ମିଛ ହରଷ ଅନୁଭବ କରୁଛୁ ଓ କେତେ ଫୁଲେଇ ହେଉଛୁ । ଆମର ଆକାଶଟି ସେହି ନିଶାରେ ପଡ଼ି କ୍ରମେ ଏତେ ଛୋଟ ହୋଇ ଆସିଲାଣି ଯେ, ଆମର ଅହଙ୍କାରଗୁଡ଼ାକୁ ତା’ର ସତେ ଅବା ଆଉ ମୋଟେ କୁଣ୍ଢ ପାଉଥିବା ପରି ମନେ ହେଉନାହିଁ-। ଆମ ସାନ ଘରଟିରେ ଆମେ ଅନେକେ କେଡ଼େ ବଡ଼ ବଡ଼ ଦିଶୁଛୁ । କେତେ ଅବର୍ଜିଆ ଭାବରେ ସ୍ୱପ୍ନ ଦେଖୁଛୁ । ଓଡ଼ିଶା ବାହାରେ ଥିବା ସାହିତ୍ୟକୁ ଆମେ ଆମ ଆଖି ଭିତରେ ବହୁ ବିକୃତି ଭର୍ତ୍ତି କରିଦେଇ ପ୍ରତିବେଶୀ ସାହିତ୍ୟ ବୋଲି କହୁଛୁ ଅଥବା ଭାରତ ବାହାରେ ଲେଖା ହୋଇଥିବା ସାହିତ୍ୟକୁ ତାଙ୍କ ସାହିତ୍ୟ କିମ୍ବା ଆଉ କାହାର ସାହିତ୍ୟ ବୋଲି କହିବାରେ ଲାଗିଛୁ । ଏସବୁ କରି ଆମେ ଅନେକେ କେତେବେଳେ ଆନନ୍ଦ ଲାଭ କରୁଛୁ । ଏକୁଟିଆ ଅଳ୍ପ ମଣିଷଟିଏ ଆପଣାର ଅଳ୍ପ ଘରଟିରେ ବସି ନିଜ ଘରେ ତୋରାଣି ପିଉଥିବାବେଳେ ଯେମିତି କେତେନା କେତେ ଆନନ୍ଦ ଅନୁଭବ କରେ, ଇଏ ପ୍ରାୟ ସେହିପରି ଏକ ଆନନ୍ଦ । ବଡ଼ ଦୁନିଆରେ ଅନେକ ମଣିଷ, ଏତିକିକୁ ହିଁ ସ୍ୱର୍ଗସୁଖ ବଡ଼ ଅନୁଭବ କରି କେତେ ଉଷତ୍ ହୋଇ ରହିଥାନ୍ତି । ସେତେବେଳେ ତୋରାଣି ଆଉ ଭାତ ଅପେକ୍ଷା ବେଲାଟା ହିଁ ଅଧିକ ମୂଲ୍ୟବାନ ବୋଲି ମନେହୋଇଥାଏ । ବୃହତ୍ ଆକାଶଟା ଭିତରେ ସେମାନେ କୋଉଠି କାଳେ କେଉଁ ବୃହତ୍ତା ଭିତରେ ବିଲୀନ ହୋଇଯିବେ ଓ କାଳେ ଆଦୌ ନିଜସ୍ୱ ସ୍ୱତନ୍ତ୍ରତାରେ ଅଲଗା ହୋଇ ଦିଶିବେ ନାହିଁ ବୋଲି ଭୟ କରି ଅନେକ ମଣିଷ ଆକାଶରୁ ଚେନାଏ କାଟି ଆଣି ତାହା ଉପରେ ଆପଣାର ଚିହ୍ନା କାଠିକୁଟାଗୁଡ଼ିକୁ ଦେଇ ଚାଳଟିଏ ତିଆରି କରନ୍ତି ଏବଂ କେଡ଼େ ମମତାରେ ତାହାକୁ ସମଗ୍ର ଆକାଶ ବୋଲି ଘୋଷଣା କରନ୍ତି” । (ବିଶ୍ୱକୁ ଗବାକ୍ଷ)

 

ଅନେକ ଲେଖକ ଅଳ୍ପକିଛି ଲେଖି ତାକୁ ପୁସ୍ତକାକାରରେ ଛପାଇ ବାହାବାଃ ନିଅନ୍ତି । ନିଜକୁ ଜଣେ କ୍ଷମତାଶାଳୀ ସାହିତ୍ୟିକ ବୋଲି ପ୍ରମାଣ ଦିଅନ୍ତି । କିଛି ଯଶ ପାଇବା ଲାଳସାରେ ବଡ଼ ବଡ଼ିଆମାନଙ୍କ ଦ୍ୱାରସ୍ଥ ହୁଅନ୍ତି । ହେଲେ ସେମାନେ ଯେ ସମାଜ ପାଇଁ, ଦେଶପାଇଁ, ସାହିତ୍ୟ ପାଇଁ କେତେ କ୍ଷତିକାରକ ଏହା ସେମାନଙ୍କୁ ଜଣାନଥାଏ । ଏଥିରେ ସାହିତ୍ୟର ଶକ୍ତି ବଢ଼ିପାରେନାହିଁ, ହିତ ପରିବର୍ତ୍ତେ ଅହିତର ପରିମାଣ ମାତ୍ରାଧିକ ହୁଏ । ତେଣୁ ଡକ୍ଟର ଚିତ୍ତରଂଜନ ଦାସ କୁହନ୍ତି- “ସାହିତ୍ୟର ଶକ୍ତି ବଢ଼ାଇବା ଲାଗି ନୁହେଁ, ସାହିତ୍ୟକୁ ଅସରଣିଆ କରି ତାହାରି ମାଧ୍ୟମରେ ନିଜର କ୍ଷମତା ଓ ଯଶର ଲିପ୍‌ସାକୁ ଚିରତାର୍ଥ କରିବା ନିମନ୍ତେ ଅନେକ ଅନ୍ୟ-ଅନୁରକ୍ତ ମଣିଷ ସାହିତ୍ୟ ଭିତରେ ଆସି ପଶିଯାନ୍ତି । ସେମାନେ କାନରେ ଫୁଲ ଖୋସିଥା’ନ୍ତି, କାନ୍ଧରେ ପଇତା ପକାଇଥାନ୍ତି” । (ସାହିତ୍ୟ ଓ.........)

 

ସାହିତ୍ୟିକମାନଙ୍କ ପାଇଁ ସାହିତ୍ୟ ଗୋଟିଏ ନିଶା । ଯିଏ ସାହିତ୍ୟ ତିଆରି କରେ ସେ ସାହିତ୍ୟିକ । ପ୍ରଥମେ ତାକୁ ପାଠକଟିଏ ହେବାକୁ ପଡ଼େ । ଜୀବନର କେତେ ପ୍ରଚ୍ଛନ୍ନ ଓ ପ୍ରକାଶ୍ୟ କ୍ଷେତ୍ରକୁ ଯାଇ ଘାଣ୍ଟିବାକୁ ହୋଇଥାଏ । ପାଠକମାନେ ସାହିତ୍ୟକୁ ଆଦର ନ କଲେ ତାକୁ ସାହିତ୍ୟର ସ୍ୱୀକୃତି ମିଳେ ନାହିଁ । ସାହିତ୍ୟ ସହିତ ରସର ସୃଷ୍ଟି, ରସର ବିତରଣ ଏବଂ ରସର ଆସ୍ୱାଦନଟି ମଧ୍ୟ ନିବିଡ଼ ଭାବରେ ଜଡ଼ିତ ହୋଇ ରହିଥାଏ । ବର୍ତ୍ତମାନ କିନ୍ତୁ ଅନେକ ସ୍ଥଳରେ ସାହିତ୍ୟ ଗୋଟିଏ ତାମସାରେ ପରିଣତ ହେବାରେ ଲାଗିଛି । ସାହିତ୍ୟ ନାମରେ ଯାହା ଚାଲୁଛି ତାହା ସାହିତ୍ୟ ପ୍ରତି ବିପଦ ତିଆରି କରୁଛି । ସିଆଣିଆମାନେ ସାହିତ୍ୟକର ‘ମୁଖାପିନ୍ଧି ବାହାରକୁ ବାହାରିବାରେ ତତ୍ପର । ଲେଖକ ତେଣୁ ଏକଲବ୍ୟ କଥା ଓ ଅନ୍ୟାନ୍ୟ ପ୍ରବନ୍ଧରେ ଲେଖିଛନ୍ତି- “ଆମ ଓଡ଼ିଶାରେ ଏବେ ସତେ ଅବା ସିଆଣିଆମାନଙ୍କର ପାଳି ପଡ଼ିଥିବା ପରି ମନେହେଉଛି । ଆମ ସାହିତ୍ୟ ସଭାମାନଙ୍କରେ ପ୍ରଧାନତଃ ସିଆଣିଆମାନେ ହିଁ ରାଜା, ମନ୍ତ୍ରୀ, ସୁଧୀ ଓ ସାଧବ ହୋଇ ବସିବାର ଏକାଧିକାର ପାଇଥିବା ପରି ଲାଗୁଛି । ଯଦି ସିଆଣିଆ ହେବାଦ୍ୱାରା ସବୁ ହୋଇପାରୁଛି, ତେବେ ଯୁଗ ଅନୁସାରେ ଆମେ ବା ଆମକୁ ନ ବଦଳାଇବା କାହିଁକି- ଏହି ପ୍ରକାରେ ଭାବି ଏବେ ସାହିତ୍ୟିକମାନେ ମଧ୍ୟ ଅନେକ କ୍ଷେତ୍ରରେ ନିଜର ସାହିତ୍ୟିକ ବେଶଟାକୁ ଲୁଚାଇ ରଖି କ୍ରମେ ସିଆଣିଆଙ୍କ ପରି ଦିଶିବାର ଓ ଆଚରିବାର ପ୍ରୟାସ କଲେଣି । ସାହିତ୍ୟିକଙ୍କ ପରି କଥା ନ କହି ସେମାନେ ଏବେ ସିଆଣିଆଙ୍କ ପରି କଥା କହି ଶିଖିଲେଣି । ସାହିତ୍ୟିକଙ୍କ ପରି ନ ଭାବି ସିଆଣିଆଙ୍କ ପରି ଭାବିଲେଣି । ସାହିତ୍ୟିକ ବିବେକଗୁଡ଼ାକୁ କ୍ରମେ ଲୁଚାଇ ରଖିବାକୁ ଚେଷ୍ଟାକରି ସେମାନେ ଗୋଟାସୁଦ୍ଧା ତାମସା ଭିତରେ ମିଶିବ ଯିବାକୁ ଚେଷ୍ଟା କଲେଣି । ଆମ ସାହିତ୍ୟରେ ଆଧୁନିକ ଆଉ ପୁରାତନଙ୍କ ଭିତରେ ସିନା ଭେଦ ରହିଚି, ନବୀନ ଓ ପ୍ରବୀଣମାନଙ୍କ ମଧ୍ୟରେ ବ୍ୟବସାୟଗତ ମତାନ୍ତର କିମ୍ବା ମନାନ୍ତର ରହିଛି, ମାତ୍ର ସିଆଣିଆ ହେବା ବେଳକୁ ସେମାନଙ୍କ ଭିତରେ ଆଉ କୌଣସି ଭେଦ ରହୁନାହିଁ, ଉଭୟ ଉଭୟଙ୍କର ପୂର୍ଣ୍ଣ ସମକକ୍ଷ ହୋଇପାରୁଛନ୍ତି ।”

 

ଚିତ୍ତରଂଜନଙ୍କର ‘ନଖଦର୍ପଣେନ’ ପୁସ୍ତକଟି ରମ୍ୟରଚନା ଓ ପ୍ରବନ୍ଧ ଉଭୟ ଭାବରେ ଗ୍ରହଣୀୟ । ଏହାର ଲେଖାଗୁଡ଼ିକ ଦୈନିକ ପ୍ରଗତିବାଦୀରେ ପ୍ରକାଶିତ ହୋଇଥିଲା । ଏଥିରେ କବି ସାହିତ୍ୟ ସମ୍ପର୍କରେ କିଛି ଲେଖିଛନ୍ତି ଓ ନିଜସ୍ୱ ମତ ମଧ୍ୟ ରଖିଛନ୍ତି । ତାଙ୍କର ପ୍ରତ୍ୟେକ ପ୍ରବନ୍ଧ ସଂକଳନ ନାମକରଣ ଦୃଷ୍ଟିରୁ ଯୁକ୍ତିଯୁକ୍ତ ଏବଂ ସେ କାହିଁକି ସଂକଳନର ନାମ ଏମିତି ରଖିଲେ ତାହାର କୈଫିୟତ୍ ମଧ୍ୟ କେତେକ ପୁସ୍ତକରେ ବ୍ୟକ୍ତ କରିଥିବା ପରିଲକ୍ଷିତ ହୁଏ । ସେହିପରି ‘ନଖଦର୍ପଣେନ’ ପୁସ୍ତକଟିର ମୁଖବନ୍ଧରେ ସେ ଲେଖିଛନ୍ତି- “ଆମର ସାମୂହିକ ଜୀବନରେ ଯାହାସବୁ ଘଟୁଛି, ତାହାସବୁ କିଛି ଗୋଟିଏ ଦର୍ପଣ ଉପରେ ଘଟୁଛି- ଶୂନ୍ୟରେ ଘଟୁନାହିଁ କିମ୍ବା ଭଗବାନଙ୍କ ଇଚ୍ଛାରେବି ଘଟୁନାହିଁ । ଆମ ଭିତରୁ ଯେଉଁମାନେ ଭୀରୁ, ଯେଉଁମାନେ ଅସମ୍ମତ, ଘରେଥାଇ ମଧ୍ୟ ଯେଉଁମାନେ ପରବାସୀ ହୋଇ ରହିଛନ୍ତି, ସେମାନେ ଘଟଣାଗୁଡ଼ିକୁ ଆଦୌ କୌଣସି ଦର୍ପଣ ଭିତରେ ଦେଖନ୍ତି ନାହିଁ । ଦର୍ପଣ ଭିତରେ କାଳେ ସେହିମାନଙ୍କ ମୁହଁଟି ହିଁ ସବାଆଗ ଦିଶିଯିବ, ସେମାନେ ସେଥିଲାଗି ଦର୍ପଣକୁ ଡରୁଥାନ୍ତି, ସାହସୀ ମଣିଷ ଦର୍ପଣକୁ ଲୋଡ଼େ, ସେହି ଦର୍ପଣ ଉପରେ ଘଟଣାଗୁଡ଼ିକୁ ବୁଝିବାକୁ ଚେଷ୍ଟା କରେ, ଆପଣାକୁ ବି ବୁଝିବାକୁ ଚେଷ୍ଟା କରେ ।”

 

ଲେଖକଙ୍କର ପ୍ରତ୍ୟେକ ପ୍ରବନ୍ଧ ସଂକଳନ ସଂକଳନସ୍ଥ କୌଣସି ଗୋଟିଏ ପ୍ରବନ୍ଧର ନାମରେ ନାମିତ । ଏହି ଗ୍ରନ୍ଥଟିର ଶେଷ ପ୍ରବନ୍ଧର ନାମ ଅନୁସାରେ ଏହାର ନାମ ‘ନଖ ଦର୍ପଣେନ’-। ଚିତ୍ତରଂଜନ ଏଥିରେ ସ୍ପଷ୍ଟ ଭାବରେ କହିଛନ୍ତି, ମଣିଷ ମାତ୍ରକେ ସମସ୍ତଙ୍କର ନଖ ଅଛି-। ମଣିଷ ଜନ୍ମ ହେଲା- ବେଳେ ନିଜ ଭିତରେ ଗୋଟିଏ ଦର୍ପଣ ନେଇ ଜନ୍ମ ହୋଇଥାଏ । କିନ୍ତୁ ଏକଥା ସେ ମନେ ରଖିପାରେନାହିଁ । ପାସୋରି ପକାଏ । ଏହାର ଗୋଟିଏ କାରଣ ହେଲା ସେମାନେ ଦର୍ପଣକୁ ଅଧିକ ପରିମାଣରେ ଭୟ କରନ୍ତି । ସେମାନେ ନିଜକୁ ଦେଖିପାରନ୍ତି ନାହିଁ; ଏବଂ ନିଜକୁ ଦେଖିପାରନ୍ତି ନାହିଁ ବୋଲି ସେମାନେ ଆଉ କାହାକୁ ବି ଦେଖିପାରନ୍ତି ନାହିଁ । ସେମାନଙ୍କ ପ୍ରକୃତି ଏତେ ଖରାପ, ଯେଉଁଠାରେ ନୂଆଗଢ଼ା- ଯିବାର ଆୟୋଜନ ଚାଲିଥାଏ, ସେମାନେ ଏଡ଼େ ଏଡ଼େ ନଖ ବାହାର କରି ଦର୍ପଣଗୁଡ଼ାକୁ ଗୋଟି ଗୋଟି କରି ଭାଙ୍ଗି ଦେବାରେ ଲାଗିଥାନ୍ତି । ଏଥିରେ ଦାନ୍ତକୁ ବି ପ୍ରୟୋଗ କରନ୍ତି । ଦର୍ପଣ ଭଙ୍ଗା ମଣିଷଗୁଡ଼ାକ ଆମ ଭାଗ୍ୟର ସବୁଯାକ କୋଠାକୁ ମାଡ଼ି ବସିଛନ୍ତି । ସାହିତ୍ୟ, ସଂସ୍କୃତି, ସଭ୍ୟତା, ଧର୍ମ, ଆଚାର ଓ ବିବେକ- ଏଗୁଡ଼ାକୁ ସମ୍ପତ୍ତି ମନେକରି ସେମାନେ କେବଳ ନିଜେ ଭୋଗ କରିବେ ବୋଲି ଫାଶ ମେଲାଇ ବସିଛନ୍ତି । ଗୋଟାସୁଦ୍ଧା ଲଙ୍ଗଳା ହୋଇଥିଲେ ମଧ୍ୟ ଲୁଗା ପିନ୍ଧିଥିବା ପରି ଦିଶୁଛନ୍ତି । ଅଭିନୟଗୁଡ଼ାକ ମୋଟେ କୃତ୍ରିମତା ପରି ଲାଗୁନାହିଁ । ସମସ୍ତେ ଚାକିରିଆ ବନି ସେମାନଙ୍କ ପାଦତଳେ ଖଟୁଛନ୍ତି । ତୁଚ୍ଛା ମେସିନ୍‌ଗୁଡ଼ାକୁ ପରମ ପ୍ରେମର ସହିତ କାମୁଡ଼ି ଧରିଛନ୍ତି । ଦର୍ପଣର ଅଭାବଟାକୁ ମୋଟେ ଅନୁଭବ କରୁନଥିବା ପରି ମନେ ହେଉଛନ୍ତି; ଲେଖକ ନଖଠାରୁ ଦର୍ପଣକୁ ଅଧିକ ଗୁରୁତ୍ୱ ଦେଇ ସବୁକ୍ଷେତ୍ରରେ ଦର୍ପଣର ଆବଶ୍ୟକତାକୁ ଅନୁଭବ କରିଛନ୍ତି ।

 

ଓଡ଼ିଆ ସାହିତ୍ୟର ଆଦିକବି ସାରଳା ଦାସଙ୍କୁ ଲେଖକ ଉପନ୍ୟାସକାର ଭାବରେ ମଣିଛନ୍ତି । ସେ ଥିଲେ ଓଡ଼ିଶାର ସୂର୍ଯ୍ୟବଂଶୀ ରାଜା, ମହାପ୍ରତାପୀ କିପିଳେନ୍ଦ୍ର ଦେବଙ୍କ ରାଜତ୍ୱ ସମୟର କବି । ଅନେକ ସାହିତ୍ୟିକ ମତ ଦିଅନ୍ତି ଶୂଦ୍ରମୁନି ସାରଳା ଦାସ, ରାଜା କପିଳେନ୍ଦ୍ର ଦେବଙ୍କ ପୃଷ୍ଠପୋଷାକତା ଲାଭ କରିଥିଲେ । କିନ୍ତୁ ଚିତ୍ତରଂଜନ ଏହାକୁ କୌଣସି ଐତିହାସିକ ସତ୍ୟ ନ ଥିବା କହିଛନ୍ତି । କପିଳେନ୍ଦ୍ର ଦେବ କେବେ ସାରଳା ଦାସଙ୍କୁ ସଙ୍ଖୋଳିବା ପାଇଁ ଅଭିନବ- ବାରାଣସୀ-କଟକରୁ ସଗହଣ ତାଙ୍କ ଯାଏ ଅର୍ଥାତ୍ କନକପୁର ଯାଏ ଯିବା କଥା ସେ ସହଜ ମନେକରିନାହାନ୍ତି । ତାଙ୍କ ଦୃଷ୍ଟିରେ ସାରଳା ଦାସ କବି ଥିଲେ, ଯଥାର୍ଥରେ ମୁନି ଥିଲେ; ସିଏ ଜାତିଗତ ଭାବରେ ମୋଟେ ଶୂଦ୍ର ନ ଥିଲେ । ଶୂଦ୍ରଘରେ ଜନ୍ମ ହୋଇଥିବା ଲୋକ ନିଜକୁ କେବେ ଶୂଦ୍ର ବୋଲି ଘୋଷଣା କରିପାରିବନାହିଁ । ବରଂ ବ୍ରାହ୍ମଣ ବୋଲି କହିବ । ସାରଳା ଦାସ ଥିଲେ ଅସଲ ବ୍ରାହ୍ମଣ । ତେଣୁ ଆପଣାକୁ ଶୂଦ୍ରବୋଲି ଘୋଷଣା କରିବାର ସାହସ ତାଙ୍କ ପାଖରେ ଥିଲା । ସିଏ ଅନେକ ଅନାଚରଣକୁ ଅବଜ୍ଞା କରିଥିବା ଜଣେ ସାଧକ । ସିଏ କୌଣସି ରାଜାର ନୁହନ୍ତି । କୌଣସି କଟକର ନୁହନ୍ତି । ତାଙ୍କ ସହିତ ହୃଦୟର ଭୂମିରେ ଯେଉଁମାନଙ୍କର ନାଡ଼ ଲାଗିରହିଛି, ସିଏ କେବଳ ସେହିମାନଙ୍କର । ଏହାରି ମାଧ୍ୟମରେ ସେ କହିଦେବାକୁ ଚାହିଁଛନ୍ତି, କବିଟିଏ ହେଉ ବା ଲେଖକଟିଏ ହେଉ ଅଥବା ସାହିତ୍ୟିକଟିଏ ହେଉ ସେ କେବେ ରାଜସ୍ୱୀକୃତି ପଛରେ ନ ଗୋଡ଼ାଇ, ଦେଶର ହିତ ପାଇଁ, ସମାଜର ମଙ୍ଗଳ ଦୃଷ୍ଟିକୁ ଆଖି ଆଗରେ ରଖି ଲେଖନୀଚାଳନା କରୁ ।

 

ସାହିତ୍ୟ ବିଷୟରେ ଚିତ୍ତରଂଜନ ଅନେକ କିଛି କହିଛନ୍ତି, ସାହିତ୍ୟ ଏକ ସାମାନ୍ୟ ଜିନିଷ ନୁହେଁ । ଏହାର ଦେଶପାଇଁ କର୍ତ୍ତବ୍ୟ ସବୁଠାରୁ ଅଧିକ । କୌଣସି ଭାଷା କାହାର ନିଜର ନୁହେଁ । ଯେଉଁଠାରେ ଯିଏ ଜନ୍ମ ହୁଏ, ସେଠାକାର ଭାଷା ତାହାରି ହୁଏ । ତେଣୁ ଭାଷା ଏକ ସମ୍ପତ୍ତି ନୁହେଁ, ଏହା ଏକ ଜଳବାୟୁ । ସାହିତ୍ୟିକ ସବୁ ଜଳବାୟୁକୁ ଆପଣେଇ ନ ପାରିଲେ ସେ ଉଧାଇ ପାରିବା କାଠିକର ପାଠ ହୁଏ ।

 

ସାହିତ୍ୟ ସମୂହ ହିତପାଇଁ ଉଦ୍ଦିଷ୍ଟ । ଏହା କୌଣସି ଏକ ନିର୍ଦ୍ଦିଷ୍ଟ ବିନ୍ଦୁରେ ସ୍ଥିର ନୁହେଁ । ସାହିତ୍ୟିକଙ୍କର ରୁଚିକୁ ନେଇ ଏହା ଗତିଶୀଳ ହୁଏ । ସେ ତା’ ସାହିତ୍ୟ ସଂସାରର ସ୍ରଷ୍ଟା, ବ୍ରହ୍ମା ପ୍ରଜାପତି । ସବୁବେଳେ ତା’ ମନକୁ ନୂତନ ଚିନ୍ତା ଆଚ୍ଛନ୍ନ କରିରଖେ । ମୋଟେ ସେ ଜାତି ବାରେ ନାହିଁ କି ସମାଜକୁ ଡରେ ନାହିଁ । ତେଣୁ ଚିତ୍ତରଂଜନଙ୍କ ଭାଷାରେ, “ସାହିତ୍ୟର ରୀତି ସମ୍ପୂର୍ଣ୍ଣ ଅଲଗା-। ସାହିତ୍ୟ ଭୟ ଭାଙ୍ଗେ, ସମ୍ବନ୍ଧ ବଢ଼ାଏ, ନିଜର ନିକିତିଗୁଡ଼ାକ ଲାଗି ନୂଆ ନୂଆ କେତେ ନକ୍ଷତ୍ରକୁ ଡାକିଆଣେ । ଦୁଇଟା ଆଖି ଦୁଇ ସହସ୍ର ଆଖିରେ ପରିଣତ ହୋଇଯାଏ । ବାଟ ଭୁଲିଯିବାକୁ ଭଲ ଲାଗେ । ସ୍ୱକୀୟ ଆଉ ପରକୀୟ ମଧ୍ୟରେ, ନିଜର ଆଉ ଅନ୍ୟର ଭିତରେ ଆଦୌ କୌଣସି ପ୍ରଭେଦ ରହେନାହିଁ । ସେଇଥି ଲାଗି ଯେକୌଣସି ଲେଖକ ବା ସାହିତ୍ୟିକ ଗୋଟିଏ ଭାଷାରେ ଲେଖୁଥିଲେ ମଧ୍ୟ ସିଏ ଧର୍ମତଃ ଅନ୍ୟ ଯେକୌଣସି ଭାଷାରେ ବି ଆଦରର ଧନ ହୋଇ ରହିଥାଏ-। ତା’ ମୂଳ ଭୂଗୋଳ ବହିଟି କେତେବେଳେ ଯେ ହଜିଯାଏ, ସେ କଥା ସିଏ ନିଜ ବି ମନେ ରଖିପାରେନାହିଁ? ଓଡ଼ିଶାରେ ବି ଲେଖକମାନଙ୍କର ଠିକ୍ ସେଇଆ ହୋଇପାରୁଥାନ୍ତା-। ନିଜର ଭାଷା, ନିଜର ଭୂମି ଏବଂ ନିଜର ଅନୁରାଗଗୁଡ଼ାକୁ ଯଥାର୍ଥ ଭାବରେ ସମଗ୍ର କରି ଦେଖୁଥିଲେ ତାହା ହେଉଥାନ୍ତା ।” (ନଖ ଦର୍ପଣେନ)

 

ବାସ୍ତବରେ ପଡ଼ୋଶୀମାନଙ୍କୁ ନ ଚିହ୍ନିଲେ ନିଜକୁ ଠିକ୍ ଭାବରେ ଚିହ୍ନିହୁଏ ନାହିଁ । ସମଗ୍ର ଆକାଶକୁ ଚିହ୍ନିଥିବା ଲୋକ ନିଜର ଆତ୍ମାକୁ ଚିହ୍ନିଛି ବୋଲି ମନେକରିବାକୁ ପଡ଼ିବ । ତେଣୁ ସାହିତ୍ୟକୁ ‘ବସୁଧୈବ କୁଟୁମ୍ବକଂ’ କରିପାରିଲେ ନିଶ୍ଚୟ ଭବିଷ୍ୟତ ଉଜ୍ଜ୍ୱଳମୟ ହେବ । କବିତା ସମ୍ପର୍କରେ ଚିତ୍ତରଂଜନ ସ୍ପଷ୍ଟ ମତଦେଇ ‘ନଖ ଦର୍ପଣେନ’ରେ କୁହନ୍ତି- “କବିତା ସାହିତ୍ୟଠାରୁ ଅଲଗା ନୁହେଁ, ସାହିତ୍ୟ ଜୀବନରୁ ବି ଅଲଗା ନୁହେଁ । ଭବିଷ୍ୟତ ବର୍ତ୍ତମାନଠାରୁ ଅଲଗା ନୁହେଁ । ବର୍ତ୍ତମାନ ପ୍ରତି ଆମର ଭୂମିକାଟି ଯେତିକି ପୁରୁଷୋଚିତ ହୋଇଥିବ, ତାହାହିଁ ଆଶା ଭବିଷ୍ୟତକୁ ଏକ ନିର୍ଦ୍ଦିଷ୍ଟ ରୂପ ଦେବାରେ ସବୁଠାରୁ ଅଧିକ ସାହାଯ୍ୟ କରିବ । ଏହି ବର୍ତ୍ତମାନର ସମଗ୍ର ପଟଟି ଉପରେ ଜଣେ ଜଣେ ମଣିଷ ହିସାବରେ ଆମ ଭୂମିକା ଯାହା, ଆମର କବିତାର ଅସଲ ମୂଲ୍ୟାଙ୍କନ ମୁଖ୍ୟତଃ ତାହାରି ଉପରେ ହେବ । ବର୍ତ୍ତମାନଟାକୁ ଡରି ତାହାର ସମ୍ମୁଖୀନ ହେବାଟାକୁ ପ୍ରମାଦ ବୋଲି ଗଣି ଯଦି ଆମେ ଆହୁରି କେତେ କ’ଣ ଅନୁରକ୍ତିଦ୍ୱାରା ବାଧ୍ୟ ହୋଇ ଜୀବନ ଭିତରକୁ ପଳାଇ ଯାଉଥିବା, ତେବେ ଆମର କବିତାଗୁଡ଼ାକ ମଧ୍ୟ ପ୍ରଧାନତଃ ଏକ ପଳାୟନର ସନ୍ତକ ହୋଇ ରହିବ, ଏବଂ କୌଣସି ପ୍ରକାର ପଳାୟନର ଭବିଷ୍ୟତ କେବେ ଉଜ୍ଜ୍ୱଳ ହୋଇନପାରେ । ଆମେ ତାହାକୁ ଯେତେ ନୂଆ କମ ଦେଇ ରଞ୍ଜାଇ ରଖିବାକୁ ଚେଷ୍ଟାକଲେ ମଧ୍ୟ ତଥାପି ତାଳିଗୁଡ଼ାକ ଭିତରୁ ଅସଲ ଦେହଟି ପଦାରେ ପଡ଼ିଯିବାକୁ ଅବଶ୍ୟ ବାଧ୍ୟ ହେବ ।”

 

ଚିତ୍ତରଂଜନ ଦାସଙ୍କର ସାହିତ୍ୟର ସବୁ ବିଭାଗ ଭିତରେ କେବଳ ଗଭୀର ପ୍ରବେଶ ନ ଥିଲା, ଅଗାଧ ପାଣ୍ଡିତ୍ୟ ମଧ୍ୟ ଥିଲା । ତେଣୁ କୌଣସି କବି, ଲେଖକ ନାଟ୍ୟକାର, ଗାଳ୍ପିକ, ଔପନ୍ୟାସିକ, ଗବେଷକ, ସମାଲୋଚକ କାହାକୁ ନିରତ୍ସାହିତ କରିବାକୁ ସେ ଚାହୁଁନଥିଲେ । ସମସ୍ତଙ୍କ ପ୍ରତି ତାଙ୍କର ସମ୍ମାନବୋଧ ଥିଲା । କିନ୍ତୁ ସବୁ ଶ୍ରେଣୀର ଲେଖକମାନଙ୍କ ସାହିତ୍ୟ କିପରି ସଂକୀର୍ଣ୍ଣତାରୁ ମୁକ୍ତ ହୋଇ ଉଚ୍ଚ କୋଟିର ହୋଇପାରିବ ସେଥିପାଇଁ ତାଙ୍କର ସମୁଚିତ ପରାମର୍ଶ ଥିଲା, ତାହାପୁଣି, ଲେଖାରେ, ବକ୍ତବ୍ୟରେ, ଆଲୋଚନାରେ ଚିତ୍ତରଂଜନଙ୍କଠାରେ ଜଣେ ବଡ଼ଲେଖକର ଗୁଣଥିଲା । ତାଙ୍କ ଲେଖାକୁ ଆନ୍ତର୍ଜାତିକ ମାନର କହିଲେ ଭୁଲ ହେବନାହିଁ । ଜଣେ କବି ବା ଲେଖକର ଦୁଇଟି ବିଶିଷ୍ଟ ଗୁଣ ରହିବା ଦରକାର । ପ୍ରଥମଟି ହେଲା ସବୁକିଛି ଦେଖିପାରୁଥିବା ଭଳି ଦୃଷ୍ଟି, ଦ୍ୱିତୀୟଟି ହେଲା ତାକୁ ପରିଷ୍କାର ଭାବରେ ବର୍ଣ୍ଣନା କରିବାର ଆକାଂକ୍ଷା-। ଚିତ୍ତରଂଜନଙ୍କଠାରେ ଏହି ଦୁଇଟି ଗୁଣ ପୂର୍ଣ୍ଣରୂପେ ଥିଲା ।

 

ଜୀବନର ସପକ୍ଷରେ, ଜୀବନକୁ ପ୍ରାଣଭରି ଭଲପାଇବା ସପକ୍ଷରେ ‘ହଁ’ ମାରିବା ପାଇଁ ସେ ଅନେକ ‘ନା’ ନିକଟକୁ ଯାଇଛନ୍ତି । ସାଧାରଣ ପାଠକମାନେ ତାଙ୍କୁ କେମିତି ଗୋଟିଏ ନେତିବାଦୀ ବୋଲି ମନେ କରନ୍ତି । ଆମ ସଂଘ, ଆମ ସମାଜ ଆମ ବ୍ୟବସ୍ଥାକୁ ନାନାମତେ ତ୍ରୁଟି ରହିତ କରିବା ପାଇଁ ତାଙ୍କ ମନରେ ଭରି ରହିଥିଲା ଅଶେଷ ବ୍ୟାକୁଳତା । ତାଙ୍କର ସେ ବ୍ୟାକୁଳତାରେ ଯେତିକି ପ୍ରେମ ରହିଛି ତା’ଠାରୁ ଅଧିକ କ୍ରୋଧ ରହିଛି । ସାହିତ୍ୟକୁ ନେଇ ବିଭୋର ହେବାର ସମୁନ୍ନତ ବୁନିଆଦ ତାଙ୍କର ଥିଲା । ପ୍ରବନ୍ଧ ଲେଖିବା ପାଇଁ ହେଉକି ଅନୁବାଦ କରିବା ପାଇଁ ହେଉ ତାଙ୍କ ବିଷୟଚୟନ ହିଁ ତାଙ୍କ ବୁନିଆଦର ପ୍ରମାଣ । ତାଙ୍କ ସୃଷ୍ଟିଧର୍ମୀ କ୍ରିୟାଶୀଳତାକୁ ଅନୁଭବି ନ ହେଲେ ସହଜରେ ଗ୍ରହଣ କରି ହେବନାହିଁ । ସେ ବାସ୍ତବରେ ଥିଲେ ଜଣେ ଊର୍ଦ୍ଧ୍ୱଚେତନାର ମଣିଷ ଯିଏ ମହାବିବର୍ତ୍ତନ ଓ ତହିଁରେ ମନୁଷ୍ୟର ଅସରନ୍ତି ଜୀବନଧାରାକୁ ପ୍ରଦର୍ଶନ କରିବା ପାଇଁ ନିଷ୍ଠା ଓ ଅନୁରାଗ ଦେଖାଇଛନ୍ତି । ତାଙ୍କ ଲେଖାରେ ଗୋଟେ ବଡ଼ ପ୍ରସ୍ତାବନା ହେଉଛି ମଣିଷକୁ ସୁସୁପ୍ତିରୁ ଜାଗରଣ ଆଡ଼କୁ ଆଣିବା । ତାଙ୍କୁ କଳାନୁରାଗୀ, ବିଦ୍ୟାର୍ଥୀ ଓ ଜ୍ଞାନମାର୍ଗୀ କରିବା । ମଣିଷକୁ ଜଡ଼ତା ଆଡ଼ୁ ସୃଜନ ଆଡ଼କୁ ଆଣିବା ପାଇଁ ତାଙ୍କ ସୃଜନଶୀଳ ମନ ଭାରି ଉଦବେଳିତ ହୋଇଉଠିଛି । ତାଙ୍କ ରଚନା ପ୍ରକ୍ରିୟାରେ ନିମଜ୍ଜମାନତାକୁ ନିବିଡ଼ ଭାବରେ ଉପଲବ୍ଧି କରିହୁଏ । ଏକଥା ସତ ଯେ ତାଙ୍କ ଲେଖାରେ ଗୋଟିଏ ବଡ଼ ଶକ୍ତି ଥିଲା, ଶବ୍ଦସଂଯୋଜନା, ଶବ୍ଦଯୁଗ୍ମ ନିର୍ମାଣର ଚମତ୍କାରିତା, ଶୈଳୀର ଅସଲ ସୌନ୍ଦର୍ଯ୍ୟ ପ୍ରତ୍ୟେକକୁ ଲକ୍ଷ୍ୟ କଲେ ପାଠକକୁ ବିସ୍ମୟବୋଧ ହୁଏ ।

 

ଚିତ୍ତରଂଜନଙ୍କର ବହୁ ଭାଷାର ଜ୍ଞାନ ଥିଲେ ବି ଓଡ଼ିଆ ଭାଷା ଏବଂ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ପ୍ରଗାଢ଼ ଅନୁରକ୍ତିକୁ କେବେ ଅସ୍ୱୀକାର କରି ହେବ ନାହିଁ । ଓଡ଼ିଆ ମାଟିର ପୁଅ ସେ । ଆଗ ଓଡ଼ିଆରେ କହି ଶିଖିଥିଲେ । ତେଣୁ ମାଆ ଓ ମାତୃଭାଷାକୁ ସେ କେବେ ପଛକରି ନାହାନ୍ତି । ଭାଷା ବଞ୍ଚିଲେ ସିନା ସାହିତ୍ୟ ତିଆରି ହେବ । ଓଡ଼ିଆ ଭାଷାର ଏବଂ ସାହିତ୍ୟର ମାନ ବଢ଼ିବ । କିନ୍ତୁ ଶିକ୍ଷିତ ଓଡ଼ିଆମାନେ ଯେ ଓଡ଼ିଆ ଭାଷାର କାଳ, ଏକଥା ସେ ଭଲଭାବରେ ଜାଣିଥିଲେ ଓ ପ୍ରକାଶ କରିବାକୁ କୁଣ୍ଠା ପ୍ରକାଶ କରୁନଥିଲେ । ନଚେତ୍ ଓଡ଼ିଆ ଭାଷା ଓଡ଼ିଶାରେ ସରକାରୀ ଭାଷାରୂପେ ସ୍ୱୀକୃତି ଲାଭ ହେଲାପରେ ଉଧାଇ ପାରୁନାହିଁ କାହିଁକି ? ଭାଷା, ସିନା ସରକାର ସ୍ୱୀକୃତି ଦେଲେ କିନ୍ତୁ ଘରେ, ପରିବାରରେ ଏବଂ ଉଚ୍ଚଶିକ୍ଷିତ ସାହେବମାନଙ୍କ ପାଖରେ ଏହା ସ୍ୱୀକୃତି ପାଇବା ମୁସ୍କିଲ୍ ହୋଇପଡ଼ିଛି । ସେମାନେ ଯେଉଁଦିନ ଏଥିରେ ମୂଳଦୁଆ ଜବର କରିବେ, ସେତେବେଳେ ଓଡ଼ିଆ ଭାଷା ଦୃଢ଼ହେବ ଏବଂ ଓଡ଼ିଆ ସାହିତ୍ୟ ବିଶ୍ୱସାହିତ୍ୟ ସହିତ ପାଦ ମିଳାଇ ଚାଲିବ ।

 

ଚିତ୍ତରଂଜନଙ୍କ ସାହିତ୍ୟିକ ପ୍ରବନ୍ଧଗୁଡ଼ିକ ପଢ଼ିଲେ ମନରେ ଆତ୍ମବିଶ୍ୱାସ, ପ୍ରତିବାଦର ଶକ୍ତି ଓ ସାହସ, ସତ୍ୟକୁ ସମ୍ନା କରିପାରିବାର ସାମର୍ଥ୍ୟ ବଢ଼ିଯାଏ । ସେ ନିଜର ବିଚାର ଓ ଦୃଷ୍ଟିକୁ ବାଣ୍ଟିବା ପାଇଁ ଗଦ୍ୟର ଆଶ୍ରୟ ନେଇଛନ୍ତି, ପ୍ରବନ୍ଧର ମାଧ୍ୟମଟିକୁ ବାଛିଛନ୍ତି । ସେଥିରେ ସାହିତ୍ୟ ହୋଇଛି ତାଙ୍କର ପ୍ରାଣ । ସେ ପ୍ରବନ୍ଧର ସପକ୍ଷରେ କହନ୍ତି- “ଜୀବନ ହେଉଛି ଯାବତୀୟ ସଖ୍ୟ ଭାବନାର ଅନ୍ୟ ନାମ” ସାହିତ୍ୟ ଭିତରେ ସେହି ଶାଶ୍ୱତ କଥାଟିକୁ ଉଚ୍ଚାରଣ କରି ଅଭ୍ୟସ୍ତ ପବନଗୁଡ଼ାକର ଗଉଁ ଭାଙ୍ଗିଦେବାକୁ ପ୍ରବନ୍ଧର ଆଗମନ ହୁଏ । ଏବଂ ଯେଉଁ ସମାଜ ପ୍ରବନ୍ଧକୁ ପୁରସ୍କୃତ କରେ, ସେହି ସମାଜ ପ୍ରତି ତା’ର ଅନେକ କର୍ତ୍ତବ୍ୟ ରହିଛି ବୋଲି ପ୍ରବନ୍ଧର ହୃଦବୋଧ ହୋଇଯାଏ ।” (ବ୍ରହ୍ମ ତାତିଲାଣି ପରା) ସାହିତ୍ୟ ସମ୍ପର୍କରେ ତାଙ୍କର ଗୋଟିଏ ବଳିଷ୍ଠ ମତ ହେଲା, ‘ମଣିଷ ଭିତରେ ଥିବା ବ୍ୟବଧାନ ଯେତେ କମିଯିବ, ସାହିତ୍ୟପାଇଁ ସେତିକି ଅପୂର୍ବ ସୁଯୋଗ ସୃଷ୍ଟି ହେବ ।

 

ଚିତ୍ତରଂଜନ ଅନେକ ସାହିତ୍ୟିକ ପ୍ରବନ୍ଧର ସ୍ରଷ୍ଟା । ସବୁ ପ୍ରବନ୍ଧର ସାରମର୍ମରେ ରହିଛି ମଣିଷର କଥା, ମଣିଷ ପଣିଆର କଥା ଏବଂ ମଣିଷକୁ ଭଲ ପାଇବାର କଥା । ଏହାହିଁ ତାଙ୍କର ସାହିତ୍ୟିକ ମାନଙ୍କୁ ଏକ ଚେତାବନୀ ।

 

(ଖ) ସାମାଜିକ ପ୍ରବନ୍ଧ :

 

ଚିତ୍ତରଂଜନ ଦାସ ଅନେକ ସାମାଜିକ ପ୍ରବନ୍ଧର ରଚୟିତା । ବ୍ୟକ୍ତି ଓ ସମାଜ ପରସ୍ପର ପରିପୂରକ । ସମାଜକୁ ଛାଡ଼ି ବ୍ୟକ୍ତି ବଞ୍ଚିପାରିବ ନାହିଁ । ବ୍ୟକ୍ତି ବ୍ୟତିରେକେ ସମାଜ ଦିଗହରା । ତେଣୁ ଲେଖକ ସମାଜ କହିଲେ ସେଇ କଥାକୁହିଁ ବୁଝନ୍ତି, ଏହା ମୁଖ୍ୟତଃ ମଣିଷମାନଙ୍କର ଏକ ସଙ୍ଗଠନ । ମଣିଷର ଭଲ, ମନ୍ଦ, ଆବେଗ ଓ ଉଚ୍ଛ୍ୱାସ ଏହି ସମାଜରେ ପ୍ରତିଫଳିତ ହୁଏ । ତାଙ୍କ ପ୍ରଶସ୍ତ ଦୃଷ୍ଟିରେ ସମାଜ ହେଉଛି ମାଆ ସହିତ ତୁଳନୀୟ । ଚିତ୍ତରଂଜନ ଏକାଧାରରେ ଥିଲେ ସମାଜ-ବିଜ୍ଞାନ, ଦର୍ଶନ, ଏବଂ ମନୋବିଜ୍ଞାନର ଉଚ୍ଚ ଶିକ୍ଷିତ ତଥା ପ୍ରତିଭାଶାଳୀ ବ୍ୟକ୍ତିତ୍ୱ । ସମାଜ କିପରି ହେବା ଉଚିତ, ସମାଜରେ ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ କ’ଣ, ଭାରତୀୟ ସମାଜ ବ୍ୟବସ୍ଥାରେ ଦ୍ରୁତ ପରିବର୍ତ୍ତନ ଓ ଏହାର କାରଣ ଓ ୟୁରୋପୀୟ ସମାଜ ବ୍ୟବସ୍ଥା ଆଦି ସମ୍ପର୍କରେ ସେ ଅନେକ ଶିକ୍ଷା ଲାଭ କରିଛନ୍ତି, ତାଙ୍କର ଅନୁଭବ ଶକ୍ତି ପ୍ରଚୁର ଥିଲା । ବିନା ଯୁକ୍ତିରେ ସେ କୌଣସି କଥାକୁ ସହଜରେ ଗ୍ରହଣ କରୁନଥିଲେ । ସଦାସର୍ବଦା ସେ ଏକ ସୁସ୍ଥସମାଜ ଗଠନର ସ୍ୱପ୍ନ ଦେଖୁଥିଲେ । ସମାଜ ପାଇଁ ଶିକ୍ଷା, ସଂସ୍କୃତି, ସଭ୍ୟତା, ଓ ସାହିତ୍ୟ ସବୁ କିଛି । ଆଗ ମଣିଷ, ପରେ ସମାଜ ।

 

ସମ୍ପ୍ରତି ଗାଆଁମାନଙ୍କର ଅବସ୍ଥା ଖୁବ୍ ଶୋଚନୀୟ ହୋଇପଡ଼ିଲାଣି । ସମାଜ ବ୍ୟବସ୍ଥାରେ ଘୂଣ ଲାଗିଛି । ମଣିଷ, ମଣିଷ ସହିତ ଆଉ ବସୁନାହିଁ, ଖୁସି ଗପ କରୁନାହିଁ । ପରସ୍ପରର ଚିନ୍ତା କରୁନାହିଁ, ତା’ର ମନ ଭିତରୁ ସକଳ ପ୍ରକାର ପ୍ରତିବେଶୀ ସହୃଦୟତା କ୍ରମେ କୁଆଡ଼େ ଅନ୍ତର୍ହିତ ହୋଇଯାଇଛି । “ଜୀବନ ପ୍ରତି ତା’ର ସରାଗ କ୍ରମେ ମରି ମରି ଯାଉଛି । ଏହାର କାରଣ ଅନେକ ଥାଇପାରେ କିନ୍ତୁ ଚିତ୍ତରଂଜନ କୁହନ୍ତି-” ଗାଆଁ ସହରମୁହାଁ ହୋଇଯିବାରୁ ଗାଆଁ ନୀରସ ହୋଇପଡ଼ିଛି । ଆଗେ ସମସ୍ତେ ଗାଆଁ ଉପରେ ନହକା ଚେରକୁ ପୋତି ସହର ବା ଚାକିରି ଆଡ଼କୁ ଶାଖା ପ୍ରସାର କରୁଥିଲେ । ସେମାନେ ‘ଗାଆଁକୁ ଭଲ ପାଉଥିଲେ, ଗାଆଁରେ ହିଁ ପଡ଼ିଥିବା ସେମାନଙ୍କ ମୂଳଦୁଆକୁ ମଜଭୁତ୍ କରିବା ଲାଗି ସେମାନେ ବିଦେଶ ଯାଉଥିଲେ, ପଇସା କମାଉଥିଲେ । ଗାଆଁର ସଂହତି ସମସ୍ତଙ୍କର ମୁଖ୍ୟ ଉଦ୍ଦେଶ୍ୟ ହୋଇ ରହିଥିଲା । କିନ୍ତୁ କ୍ରମେ ଗାଆଁରୁ ଅଧିକରୁ ଅଧିକ ଲୋକ ସହରରେ ଚାକିରି କଲେ । ଆଧୁନିକ ମଣିଷର ନାନା ଆବଶ୍ୟକତା ସେମାନଙ୍କ ଜୀବନକୁ ମଧ୍ୟ ସଂକ୍ରମିତ ହୋଇଆସିଲା । ସେମାନେ ଯେତେବେଳେ ଛୁଟିରେ ଗାଆଁକୁ ଆସିଲେ, ସହରର ଦୃଷ୍ଟିନେଇ ଆସିଲେ । ଗାଆଁରେ ରହିଲାବେଳେ ସେମାନେ ସହରୀପରି ପିନ୍ଧିଲେ, ସହରୀ ପରି ଆଚରଣ କଲେ । ସହରର କଥାଗୁଡ଼ାକୁ ହଜାରେ ଗୁଣରେ ବଡ଼ କରି ଗାଆଁରେ ମୂର୍ଖମାନଙ୍କ ଆଗରେ କହିଲେ । ଗାଆଁର ମଣିଷ ଭାବିଲା ପ୍ରକୃତରେ ସେ ମୂର୍ଖ । ସବୁ ସୁଖ ଓ ସନ୍ତୋଷ ସହରରେ ଖଣି ପଡ଼ିଥିବାବେଳେ ସେ ମିଛଟାରେ ଗାଆଁରେ ବସିଛି, ଗାଆଁରେ ଏତେ କାମ ଖଟୁଚି । ଏହିପରି ନବଦୀକ୍ଷିତ ହୋଇ ଗାଆଁର ବେଶ ଓ ପରିବେଶ ତାକୁ ଭଲ ଲାଗିଲା ନାହିଁ । ଗାଆଁର ମଉଜ ଓ ଉତ୍ସବ ତାକୁ ପୁରୁଣାକାଳିଆ ମନେହେଲା । ସେ ଭାବିଲା ସଂସ୍କାର ଆଗେଇ ଗଲାଣି, ଖାଲି ସେଇ ଦୁର୍ଭାଗା ଗାଆଁ ମାଟିକୁ କାମୁଡ଼ି ପଡ଼ିଛି । ତା’ର ଏକମାତ୍ର ଅଭିଳାଷ ହେଲା, କିପରି ଆପଣାକୁ ସେ ସହରୀ ପରି ସଜାଇବ, ସହରୀପରି ଅଭିନୟ କରିବ । ପ୍ରତିଶୋଧ ନେଲାପରି ସେ ଆପଣାର ପୁଅକୁ ମଧ୍ୟ ଗାଆଁରୁ ସମ୍ପୂର୍ଣ୍ଣରୂପେ ଛଡ଼ାଇ ନେବାକୁ ପ୍ରସ୍ତୁତ କଲା । ସେ ପୁଅକୁ ଅଲଗା ପାଠ ପଢ଼ାଇଲା । ଆପଣାଠାରୁ ଭିନ୍ନ ଏକ ଜୀବନାଦର୍ଶରେ ତାକୁ ଜୁଆଇଲା । × × × × × ଏହି ପ୍ରକାର ମନୋଗତ ସଂକ୍ରମଣ ଗାଆଁରେ ତାକୁ ଲକ୍ଷ୍ମୀଛଡ଼ା କରି ପକାଇଲା ।” (ଜୀବନ ବିଦ୍ୟାଳୟ)

 

ଗ୍ରାମ୍ୟ ସମାଜର ଶୋଚନୀୟ ଚିତ୍ର ଇଏ । ଛୋଟ ସମାଜ କ୍ରମେ ବର୍ଦ୍ଧିତ ହୁଏ । ଆମ ସମାଜରେ ପରସ୍ପର ଭିତରେ ଯେତିକି ସଦ୍‌ଭାବ ରହିବାର କଥା ସେତେ ସଦ୍‌ଭାବ ନାହିଁ । ନାନା ପ୍ରକାର ବାଦବିବାଦକୁ ଗଣ୍ଠିକରି କେତେକ ସମସ୍ତଙ୍କ ସହିତ ଠିକ୍ ଭାବରେ ସାମାଜିକ ସମ୍ପର୍କ ରଖିପାରୁ ନାହାନ୍ତି । ସମାଜରେ ଯେଉଁ ନିଷ୍ପତ୍ତି ନିଆଯାଏ ତାକୁ ପ୍ରଥମେ ସମସ୍ତେ ଆଗ୍ରହର ସହିତ ପାଳନ କରନ୍ତି । କିଛି ମାସ, ବର୍ଷ ପରେ ତାହା ପୁରୁଣା ହୋଇଗଲେ ସେଥିପ୍ରତି ଉତ୍ସାହ ନ ଥାଏ । ତେଣୁ ଆମକୁ ସେ ନିୟମ ଭାଙ୍ଗିବାକୁ ପଡ଼େ । ଥରେ ଗାଁର କିଛି ଲୋକ ନିଷ୍ପତ୍ତି ନେଲେ ପ୍ରତ୍ୟହ ସକାଳୁ ଉଠିବାପରେ ଆମେ ଭାଇଭଉଣୀ ପରସ୍ପରକୁ ନମସ୍କାର କରିବା । ପ୍ରଥମେ କେତେମାସ ନିଷ୍ପତ୍ତିକୁ ସମ୍ମାନ ଜଣାଇ ପ୍ରତ୍ୟେକ ଦିନ ସକାଳୁ ନମସ୍କାର ଶବ୍ଦ ଶୁଣାଗଲା । କିନ୍ତୁ କାଳକ୍ରମେ ଅନେକ ସେସବୁ ପାସୋରି ଦେଲେ । ଏଇଟାତ ଆମ ସମାଜର ଗୋଟିଏ ନିୟମ, ଧାରା ପାଲଟିଗଲାଣି, କିନ୍ତୁ ୟୁରୋପୀୟମାନଙ୍କ ସାମାଜିକ ଜୀବନର ନିୟମ ବିଷୟରେ ଲେଖକ କୁହନ୍ତି- “ୟୁରୋପର ପାରିବାରିକ ଓ ସାମାଜିକ ଜୀବନରେ ଏହିପରି ଏକ ନିୟମ ରହିଛି । ସେହି ପରିବାରରେ ବିଛଣାରୁ ଉଠିଲେ ସମସ୍ତେ ପରସ୍ପରକୁ ନମସ୍କାର କରନ୍ତି । ପରିବାରର ଆନନ୍ଦ ଓ ଆତ୍ମୀୟତା ବଢ଼ାଇବାରେ ଏହା ଯଥେଷ୍ଟ ସାହାଯ୍ୟ କରେ । ୟୁରୋପର ମଣିଷକୁ ମୁଁ ଦେବତା ବୋଲି କହୁନାହିଁ; ସେମାନଙ୍କ ଭିତରେ ଏପରି ବହୁସଂଖ୍ୟକ ଲୋକ ଅଛନ୍ତି, ଯେଉଁମାନେ ଏକ ସାମାଜିକ ସଂସ୍କାରର ଅଭ୍ୟାସରେ ପଡ଼ି ପରସ୍ପରକୁ ନମସ୍କାର କରନ୍ତି । ତଥାପି, ମୁଁ କହିବି ଯେତେ ଯନ୍ତ୍ରପରି ହୋଇ ଏହି ପ୍ରଥାଟି ଚଳାଇ ଆସୁଥିଲେ ମଧ୍ୟ ଏହାଦ୍ୱାରା ପରିବାରର ଖୁସି ବଢ଼େ । ପରସ୍ପର ମୁହଁରେ ଅନ୍ତତଃ କ୍ଷଣକ ଲାଗି ହସଫୁଟି ଉଠେ, ଅନ୍ତତଃ କିଛି ସମୟ ଲାଗି ମଣିଷ ମଣିଷର ଆପଣାର ହୋଇଯାଏ । କିନ୍ତୁ ଆମର ଏଠି କ’ଣ ହୁଏ? ସକାଳୁ ଉଠି ଆମେ ମୁହଁ ଫଣଫଣ, ଆଖି ବଲବଲ କରି ବାହାରକୁ ଆସୁ । ରାତ୍ରିର ଦୁଃସ୍ୱପ୍ନ ସେ ପର୍ଯ୍ୟନ୍ତ ଆମର ମିଜାଜଟାକୁ ପିତା କରି ରଖିଥାଏ । ଆମେ ଏହିପରି ଭାବରେ ଆମର ଦିନ ଆରମ୍ଭ କରୁ । ସକାଳୁ ହସଖୁସିରେ ପରସ୍ପରକୁ ସ୍ନେହ ସମ୍ଭାଷଣ କରୁକରୁ ଦିନଟି ଆରମ୍ଭ କରିଥିଲେ ଆମର ଜୀବନ ଓ ଦିନମାନର କାର୍ଯ୍ୟ କଳାପ ଉପରେ କ’ଣ ତା’ର କୌଣସି ପ୍ରଭାବ ପଡ଼ୁନଥାନ୍ତା ।” (ଜୀବନ ବିଦ୍ୟାଳୟ)

 

ଆମ ସମାଜରେ ସ୍ନେହ ଓ ସହୃଦୟତା ରଖିବା ଲାଗି ଆମକୁ କିଛି ନୀତିନିୟମର ଅଧୀନ ହେବାକୁ ପଡ଼ିବ । ଘର ମଧ୍ୟ ଗୋଟିଏ ଛୋଟିଆ ସମାଜ, ଏଠି ପରସ୍ପର ମଧ୍ୟରେ ସୁସମ୍ପର୍କ ରକ୍ଷାକରି ନ ଶିଖିଲେ ବୃହତ ସମାଜ ଭିତରେ ଚଳିବା ସମ୍ଭବ ହେବନାହିଁ, ସମାଜର ଶୃଙ୍ଖଳା ରଖିବା ଦାୟିତ୍ୱ ଆମର । ସମାଜର ଧାରା ଥରେ ବିଗିଡ଼ିଗଲେ ତାକୁ ସଜାଡ଼ିବା ମୁସ୍କିଲ । ସାହିତ୍ୟ ଓ ସମାଜ ପରସ୍ପର ନିର୍ଭରଶୀଳ । ସାହିତ୍ୟକୁ ଦିଗ୍‌ଦର୍ଶନ ଦେବା ସମାଜର କର୍ତ୍ତବ୍ୟ । ଅନୁରୂପ ଭାବରେ ବିଚାର କଲେ ସମାଜଙ୍କୁ ଦିଗ୍‌ଦର୍ଶନ ଦେବାହିଁ ସାହିତ୍ୟର କର୍ତ୍ତବ୍ୟ । ଅନୁରୂପ ଭାବରେ ବିଚାର କଲେ ସମାଜକୁ ଦିଗ୍‌ଦର୍ଶନ ଦେବାହିଁ ସାହିତ୍ୟର ଭୂମିକା ରହିବା ନିହାତି ଦରକାର । କାରଣ ସମାଜ ସୁସ୍ଥ, ସମୃଦ୍ଧ ଓ ପରିପୁଷ୍ଟ ହୋଇ ରହିଲେ ସିନା ସାହିତ୍ୟଟା ସୁସ୍ଥ ହୋଇପାରିବ । କେତେକ ଅପକାରଣରୁ ଆମର ଏହି ଭାରତବର୍ଷରେ ଏବଂ ଓଡ଼ିଶାରେ ଖାଲି ସାହିତ୍ୟରେ ନୁହେଁ ସାମୂହିକ ଜନଜୀବନର ପ୍ରତ୍ୟେକଟି କ୍ଷେତ୍ର ବ୍ୟାଧିଗ୍ରସ୍ତ ହୋଇପଡ଼ିଛି । ସ୍ୱାଧୀନତା ପରବର୍ତ୍ତୀ ଭାରତ ବର୍ଷ ଜଖମ ହୋଇଗଲାଣି । ମଣିଷମାନେ ଆଗେ ନିଜର ସ୍ୱାର୍ଥ ଦେଖୁଛନ୍ତି । ଅନ୍ୟକୁ ସାହାଯ୍ୟ କରିବା ଭାତୃତ୍ୱ ବନ୍ଧନରେ ବାନ୍ଧି ରଖିବା ଏ କଥାଟା ତା ମନରୁ ମୂଳପୋଛ ହୋଇଗଲାଣି-। ସବୁକୁ ଏକୁଟିଆ ଭୋଗ କରିବାକୁ ସେ ସକଳ ଚେଷ୍ଟା କରୁଛି । ଆମ ସମାଜ ଗୋଟିଏ ନୂଆ ନିୟମ କଲେ ଆମକୁ ଅଡ଼ୁଆ ଅଡ଼ୁଆ ଲାଗୁଛି । ଆମର ସ୍ୱାଧୀନତାକୁ ଅପହରଣ କରି ନେଇଯିବାଲାଗି ଆମ ଲାଗି ନାନା ଷଡ଼ଯନ୍ତ୍ର ଚାଲିଛି ବୋଲି ଏକଥା ଅନେକ ବିଚାର କରୁଛନ୍ତି, କିନ୍ତୁ ସମାଜ ଯେ ଆଦର୍ଶ ପାଇଁ ଓ ନୀତି ପାଇଁ ଗଢ଼ା ହୋଇଛି ଏକଥା ଭୁଲିଯିବା ଅନୁଚିତ-

 

ପ୍ରକୃତ ସମାଜଗଠନ ପାଇଁ ଲେଖକଙ୍କର ଲେଖନୀର ଧାରା ବହୁମୁଖୀ । ତାଙ୍କ ଭାଷାରେ- “ଆମ ସ୍ୱଭାବରେ ଅନେକ ପ୍ରକାର ରୋଗ ରହିଛି । ଆମର ଆଗ୍ରହରେ ଅନେକ ବିକାର ରହିଛି । ଆମର ପ୍ରେମ ଓ ଭଲ ପାଇବାରେ ଅନେକ ମଳିନତା ରହିଛି । ଆମର ଭକ୍ତିରେ ଅନେକ ଦୁର୍ବଳତା ରହିଛି । ଏଥିଲାଗି ଆମେ ପ୍ରତ୍ୟେକ ନିଶ୍ଚୟ ଦାୟୀ । କିନ୍ତୁ ଆମ ଅପେକ୍ଷା ଆମ ରୁଗ୍‌ଣ ସମାଜ ଅଧିକ ଦାୟୀ । ସମାଜର କୁଶିକ୍ଷା ଆମ ଭିତରେ ନାନା ପ୍ରକାର ବିକାରର ଜୀବାଣୁ ଭର୍ତ୍ତି କରି ଦେଇଛି । ଭିତରେ ନାନା ପ୍ରକାର ମୂଢ଼ ଓ ମଳିନ ହେବାର ପ୍ରଶ୍ରୟ ଦେଇ ବାହାରେ ଆମ ସମାଜ ଆମ ଭିତରେ ନାନା ନୈତିକତାର କଟୁ ଭରିଦେଇଛି । ବାହାରେ ଆମେ ସମସ୍ତେ ଭଦ୍ରଲୋକ ହୋଇ ସଂସ୍କୃତିର ମଧୁର ଟାକରା ମାରି ମାରି ବୁଲୁଛୁ; କିନ୍ତୁ ସମସ୍ତ ସଂସ୍କୃତିକୁ ହଜମ କରି ସ୍ୱାଭାବିକ ଜୀବନରୂପେ ତାକୁ ଫୁଟାଇ ପାରିବାର ଆମର ନୈତିକ ପାକସ୍ଥଳୀକୁ ତେଣେ କେତେପ୍ରକାର କୃତ୍ରିମତାର ତାପ ପୋଡ଼ି ପାଉଁଶ କରିଦେଇ ସାରିଲାଣି । ସେଥିଲାଗି ଆମର ନୈତିକତା ଆମକୁ ନମ୍ର କରିବା ପରିବର୍ତ୍ତରେ ଆମକୁ ଉଗ୍ରକରି ପକାଉଛି । ଆପଣାକୁ ବୁଝିପାରିବାର ଶକ୍ତି ଆମେ ହରାଇ ବସିଛୁ । ନିତି ସାହସର ସହିତ ଆପଣା ଉପରେ ଦୃଷ୍ଟିପାତ କରିବାର ସ୍ୱାଭାବିକତା ଆମର ଚାଲିଯାଇଛି । ସମାଜର ଏ ମିଥ୍ୟା ବିବେକ ଆମକୁ ବଦଳାଇବାକୁ ହେବ ।” (ପଥୀ.....ବନ୍ଧୁପ) ଏଥିଲାଗି ସେ ନିର୍ମଳ ଆଧ୍ୟାତ୍ମିକ ଦୃଷ୍ଟି ଅର୍ଜନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

 

ପ୍ରାଚୀନ କାଳର ମଣିଷମାନଙ୍କ ସମାଜରେ ଭୟର ଭାଗ କମ ଥିଲା । ସେମାନେ ବେଶୀ ଶ୍ରଦ୍ଧାଶୀଳ ଥିଲେ । ହିଂସ୍ର ହେବାଲାଗି ବେଶୀ ପସନ୍ଦ କରୁନଥିଲେ । ଯିଏ ଭଲ ପାଇବ, ସମସ୍ତଙ୍କୁ ଆପଣାର ବୋଲି ମନେକରିବ; ସେ ମଣିଷ ଅପରର ଛିଦ୍ର ଖୋଜିବ ନାହିଁ । ବିଭିନ୍ନ କାରଣରୁ ଶ୍ରଦ୍ଧାର ଭାଗ କମି ଆସିଲେ ଭୟ ସେତିକି ନିକଟତର ହୁଏ । ଭୟ ମଣିଷକୁ ସଙ୍କୁଚିତ କରିଦିଏ କିନ୍ତୁ ଶ୍ରଦ୍ଧା ପ୍ରଶସ୍ଥତା ଆଣିଦିଏ । ସମାଜରେ ଯେତେ ଶ୍ରଦ୍ଧା ବଢ଼େ ଅବିଶ୍ୱାସର ମାତ୍ରା ସେତିକି କମି ଆସେ । ଲେଖକ ସାମାଜିକ ଇତିହାସ ସମ୍ପର୍କରେ ଲେଖିଛନ୍ତି- “ସାମାଜିକ ଇତିହାସର ସମୀକ୍ଷା ଓ ବିଶ୍ଲେଷଣର କ୍ଷେତ୍ରରେ ଏପରି ଏକ ଅପବାଦ ରହିଛି ଯେ, ଯେତେବେଳେ ବର୍ତ୍ତମାନ ସମ୍ମୁଖୀନ ହେବାଲାଗି ଆମର ବଳ ନ ଥାଏ ଏବଂ ଯେତେବେଳେ ଆମ ଭବିଷ୍ୟତ ମଧ୍ୟ ଆମଲାଗି ଭାରି ଅନିଶ୍ଚିତ ହୋଇ ରହିଥାଏ, ଖାସ୍ ସେତିକିବେଳେ ଆମକୁ ଆମ ଅତୀତର ଘରେ ସତେଅବା ଖାଲି ପଲଙ୍କ ପଡ଼ିଥିବା ପରି ଦେଖାଯାଏ ଏବଂ ସେଇଠି କାହାର ପାଟକାନିଧରି ଲୁଚିରହିବାକୁ ସତକୁ ସତ ଭାରି ମନହୁଏ । ଭାରତ ବର୍ଷରେ ପ୍ରାୟ ଯାବତୀୟ ସମୀକ୍ଷା ତଥା ଅବଲମ୍ବନ କ୍ଷେତ୍ରରେ ଏହି ପ୍ରବୃତ୍ତିଟି ଆମକୁ ଭାରି ଅଣଆୟତ୍ତ ଭାବରେ କାମୁଡ଼ି ଧରିଥାଏ ବୋଲି କେବଳ ଯେ ବିଦେଶୀ ବିଶ୍ଲେଷଣକାରୀମାନେ କହିଛନ୍ତି ତାହାନୁହେଁ, ଭାରତୀୟ କେତେଜଣ ବିଦ୍ୱାନ ମଧ୍ୟ ସେଇକଥା କହିବାକୁ ସାହସ କରିଛନ୍ତି । ଯିଏ ନିଜର ଦେଶକୁ ବା ଭୂମିକୁ ପ୍ରକୃତରେ ଭଲ ପାଉଥିବ, ନିଜର ଦେଶ ବା ଭୂମି ବିଷୟରେ ଯାହାର ସତକୁ ସତ ଏକ ଦାୟିତ୍ୱବୋଧ ରହିଥିବ, ସିଏ ଦେଶର ବର୍ତ୍ତମାନଟାକୁ ସବା ଆଗ ଦେଖିବ, ବର୍ତ୍ତମାନ ଭିତରୁ ଯେଉଁ ଭବିଷ୍ୟତ ଏକ ସମ୍ଭାବ୍ୟ ଆକାର ଗ୍ରହଣ କରିବାକୁ ଯାଉଛି, ବ୍ୟତୀତ ଅତୀତର ପରିପ୍ରେକ୍ଷୀରେ ସିଏ ଭବିଷ୍ୟତର ମଧ୍ୟ ସମୀକ୍ଷା କରିପାରିବ । ଆପଣା ଭୂମିର ଭବିଷ୍ୟତ ଲାଗି ତା’ର ଏକ ଅଙ୍ଗୀକାରବଦ୍ଧତା ରହିଥିବ, ଏବଂ ସେହି ଅଙ୍ଗୀକାରବଦ୍ଧତାର କ୍ଷେତ୍ରଟିକୁ ତା’ ନିଜ ଶ୍ରେଣୀଗତ ତତ୍କାଳିକ କୌଣସି ସ୍ୱାର୍ଥ ବା ସଂକୀର୍ଣ୍ଣତା କୌଣସି ପ୍ରକାରେ ଆଚ୍ଛନ୍ନ କରି ରଖିବା ଲାଗି କୌଣସି ଚକ୍ରାନ୍ତ ମଧ୍ୟ କରୁନଥିବ । ପ୍ରକୃତରେ ଭଲ ପାଉଥିବା ମଣିଷ କଦାପି ପଳାଇ ଯାଏ ନାହିଁ, ନିଜର ଭୂମିକୁ ଭଲ ପାଉଥିବା ମଣିଷ ବର୍ତ୍ତମାନଟାକୁ ଏଡ଼ିଦେଇ କଦାପି କୌଣସି କଳ୍ପିତ ଅତୀତ ଭିତରେ ମଧୁଯାମିନୀ ଅତିବାହିତ କରିବାକୁ ଆଦୌ ଇଚ୍ଛା କରେ ନାହିଁ ।” (ବିଶ୍ୱକୁ ଗବାକ୍ଷ)

 

ଲେଖକଙ୍କର ଲେଖାଗୁଡ଼ିକ ସର୍ଜନାତ୍ମକ ହୋଇଥିବାରୁ ଖୁବ୍ ତଥ୍ୟଭିତ୍ତିକ ଓ ତାତ୍ତ୍ୱିକ ପରି ମନେହୁଏ । ଆମ ସମାଜ ଓ ସାମାଜିକ ଜୀବନ ସମ୍ପର୍କରେ ପ୍ରାବନ୍ଧିକ ଚିତ୍ତରଂଜନଙ୍କ ପ୍ରବନ୍ଧଗୁଡ଼ିକ ଖୁବ୍ ଶାଣିତ ହେଲେହେଁ ଶିକ୍ଷଣୀୟ । ସେ ସମାଜ କହିଲେ ମୂଳତଃ ମଣିଷକୁ ବୁଝନ୍ତି, ସେ ମଣିଷ ମଣିଷ ଭିତରେ ବାଛ ବିଚାର କରନ୍ତି ନାହିଁ । ତାଙ୍କର ସାମାଜିକ ଚିନ୍ତାଧାରାରେ ମଣିଷର ମୂଲ୍ୟବୋଧ ସୁରକ୍ଷା ହେଉଛି ଗୁରୁତ୍ୱପୂର୍ଣ୍ଣ । ତାଙ୍କ ଦୃଷ୍ଟିରେ ସମାଜ ହେଉଛି ପ୍ରେମ, ମୈତ୍ରୀ ଓ ସହଯୋଗିତାର ଚୂଡ଼ାନ୍ତ ପରିପ୍ରକାଶ । ମଣିଷର ସ୍ୱାଧୀନ ବିକାଶ ପାଇଁ ସମାଜ ହେଉଛି ଯଥାର୍ଥ କ୍ଷେତ୍ର । ସମାଜ ମାଧ୍ୟମରେ ଗୋଟିଏ ମଣିଷ ଆଉ ଜଣେ ମଣିଷ ସହିତ ସେତୁ ସ୍ଥାପନ କରି ବଞ୍ଚେ । ଗୋଟିଏ ନିର୍ଦ୍ଧିଷ୍ଟ ସମାଜରେ ବଞ୍ଚିବାପାଇଁ ମଣିଷ ସେହି ସମାଜ ବ୍ୟବସ୍ଥା ସହିତ ନିଜକୁ ଖାପଖୁଆଇବା ଦରକାର- ଏଭଳି ଧାରଣାକୁ ସେ ବିଶ୍ୱାସ କରନ୍ତି ନାହିଁ । କାରଣ ସେ ମଣିଷକୁ ଇତରପ୍ରାଣୀମାନଙ୍କଠାରୁ ବୃହତ୍ତର ଦୃଷ୍ଟିରେ ଦେଖନ୍ତି । ପରିସ୍ଥିତି ସହିତ ଖାପଖୁଆଇ ବଞ୍ଚିବା ଚାର୍ଲସ୍ ଡାରଉଇନଙ୍କ ବିବର୍ତ୍ତନବାଦର ମୂଳନୀତି ହେଲେ ସୁଦ୍ଧା ଏହା ମଣିଷ ପାଇଁ ଅନେକାଂଶରେ ଭୁଲ ପ୍ରମାଣିତ ହୁଏ । ସେଥିପାଇଁ ମଣିଷ ତା’ର ପ୍ରଥାସିଦ୍ଧ ସମାଜ ବ୍ୟବସ୍ଥାକୁ ଭାଙ୍ଗେ ଓ ଗୋଟିଏ ଯୁଗ ପରେ ଆଉ ଗୋଟିଏ ଯୁଗର ସୂତ୍ରପାତ ହୁଏ । ପ୍ରକୃତ ସମାଜ ମଣିଷକୁ ନ୍ୟାୟ ଅନ୍ୟାୟ ବାଛ ବିଚାର କରିବାର ଶକ୍ତି ଦେଇଥାଏ ଓ ସାମାଜିକ ବ୍ୟବସ୍ଥାକୁ ବଦଳାଇ ନୂତନ ଯୁଗ ଗଢ଼ିବାକୁ ମନୋବଳ ଦିଏ । ତାଙ୍କ ମତରେ ମଣିଷ ଯେଉଁ ସମାଜରେ ବଞ୍ଚୁଛି ସେ ସମାଜ ସହିତ ଖାପଖୁଆଇ ଚଳିଯିବାରେ ମଣିଷର ପ୍ରକୃତସ୍ୱରୂପ ପ୍ରକାଶ ପାଏନାହିଁ, ମଣିଷ ତା’ର ବିବେକ ଅନୁସାରେ ଯୁଗକୁ ବଦଳାଇ ପାରିଲେ ସଂସାରର ମଙ୍ଗଳ ହେବ ବୋଲି ତାଙ୍କ ପ୍ରବନ୍ଧରେ ସେ ଅନେକତ୍ର କହିଛନ୍ତି । ତାଙ୍କର ବିଶ୍ୱାସ ଯେଉଁମାନେ ସମକାଳୀନ ସମାଜ ଓ ଯୁଗକୁ ଅସ୍ୱୀକାର କରିଛନ୍ତି ସେମାନେ ଆମ ସମାଜରେ ପରିବର୍ତ୍ତନ ଆଣିଛନ୍ତି । ନିର୍ଭୀକ ଭାବରେ ନିଜର ସ୍ୱାଧୀନ ଚିନ୍ତାଧାରାକୁ ପ୍ରକାଶ କରି ପ୍ରବନ୍ଧ ରଚନା କରିବାରେ ତାଙ୍କର କୃତିତ୍ୱ ଅସାଧାରଣ ।

 

(ଗ) ଧର୍ମଭିତ୍ତିକ ପ୍ରବନ୍ଧ :

 

ଡକ୍ଟର ଚିତ୍ତରଂଜନ ଦାସ ବିଭିନ୍ନ ବିଷୟରେ ଲେଖିଥିବା ପ୍ରବନ୍ଧମାନଙ୍କ ମଧ୍ୟରେ ଧର୍ମଭିତ୍ତିକ ପ୍ରବନ୍ଧ ଏକ ବିଶିଷ୍ଟ ଶ୍ରେଣୀର ଅନ୍ତର୍ଭୁକ୍ତ । ଧର୍ମ ବିଷୟରେ ପୁରାଣଶାସ୍ତ୍ର ଭିନ୍ନ ଭିନ୍ନ କଥା କହିଛନ୍ତି । ତଥାକଥିତ ବୋଲାଉଥିବା ଧର୍ମଗୁରୁମାନେ ମଧ୍ୟ ବହୁଦୃଷ୍ଟିରୁ ଏହାକୁ ଆଲୋଚନା କରିଛନ୍ତି । କିନ୍ତୁ ସେମାନେ କିଆରି ଭିତରେ ନ ପଶି ହିଡ଼ରେ ଠିଆ ହୋଇ କିଆରି ଯାକର ଫସଲକୁ କଳନା କରି ନେଇଛନ୍ତି, ଧର୍ମକୁ କେବେ ଉପର ଠାଉରିଆ ଭାବରେ କଳନା କରାଯାଏ ନାହିଁ । ମଣିଷ ପାଇଁ ଧର୍ମ । ତାକୁ ବୁଝାଇ ଦେବା ପାଇଁ ନୀତିନିୟମର ବ୍ୟବସ୍ଥା । ଚିତ୍ତରଂଜନଙ୍କ ମତରେ- “ମଣିଷ ପ୍ରକୃତରେ ନିଜେ ଯାହା, ସେଇଥିରୁହିଁ ତା’ର ଧର୍ମର ବିଚାର କରାଯିବ । ବହୁ ଧର୍ମଶାସ୍ତ୍ରରେ ବ୍ୟୁତ୍ପତ୍ତି ଲାଭ କରିଥିବା ପଣ୍ଡିତ ହୁଏତ ଧର୍ମର ପ୍ରଥମ ଦ୍ୱାରହିଁ ମାଡ଼ି ନ ଥାଇ ପାରେ-।” (ଶିଳା ଶାଳଗ୍ରାମ)

 

ଧର୍ମ ବିଷୟରେ ଚିତ୍ତରଂଜନଙ୍କର ପ୍ରଚୁର ଜ୍ଞାନଥିଲା । ଶ୍ରୀ ଅରବିନ୍ଦ ଭାବ ଆଧାରିତ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସହିତ ସେ ବହୁକାଳ ଧରି ସମ୍ପୃକ୍ତ ଥିଲେ । ଦ୍ୱିତୀୟରେ ଗାନ୍ଧୀ, ବିବେକାନନ୍ଦ, ଶ୍ରୀଅରବିନ୍ଦ, ଖଲିଲ୍ ଜିବ୍ରନ ମାଟିନ୍ ବୁବର, ବଟ୍ରାଣ୍ଡ ରସେଲ୍‌, ବୋରିସ୍‌, ପାସ୍ତରନାକ, ଓର୍ଟେଗା ଗାସେଟ୍‌, ୱାଇଟ୍ ହେଡ଼୍‍ ପ୍ରମୁଖ ବିଶ୍ୱପ୍ରସିଦ୍ଧ ଚିନ୍ତାନାୟକଙ୍କ ଭାବଧାରା ସହିତ ତାଙ୍କର ଘନିଷ୍ଠ ଭାବରେ ପରିଚିତ ଥିଲା । ତେଣୁ ସବୁକୁ ତର୍ଜମା କରି ତାଙ୍କ ସ୍ୱତନ୍ତ୍ର ଚିନ୍ତାଧାରା ସହିତ ମିଳାଇଲେ । ଯାହା ନିର୍ଯ୍ୟାସ ମିଳିଲା ତାହାକୁ ନିର୍ଭୀକ ଭାବରେ ଉପସ୍ଥାପନ କଲେ । ସେ ପ୍ରତିମାପୂଜା, ବାହ୍ୟାଡ଼ମ୍ବର କିମ୍ବା ଗୁରୁବାଦକୁ ଧର୍ମ ଭାବରେ ଗ୍ରହଣ କରିବା ସପକ୍ଷରେ ନ ଥିଲେ, ତାଙ୍କ ଦୃଷ୍ଟିରେ ଧର୍ମ ହେଉଛି ଏକ ଉଚ୍ଚତର ସୋପାନ । ଉଚ୍ଚତର ସତ୍ୟର ନିକଟବର୍ତ୍ତୀ କରାଉଥିବା ମାର୍ଗ । ଧର୍ମ କୌଣସି ମୁଖା, ଗୁହା କି ବ୍ରତ ଉପବାସ ଭିତର ସୀମିତ ନୁହେଁ । ଏହା ଏକ ବିଶାଳ ଶାଶ୍ୱତ ଚିନ୍ତାଧାରା । ଧର୍ମ ଏକ ଉପଲବ୍ଧିର ସମ୍ପଦ । ଅନୁଭୂତି ହେଲା ଏହାର ବିଚରଣ ଭୂମି । ଗୀର୍ଜା, ଦେଉଳ, ଗୁରୁଗୃହରେ ଧର୍ମ ନ ଥାଏ । ସେ ଜ୍ଞାନ, ଭକ୍ତି ଓ କର୍ମ ଭିତରେ ପ୍ରଭେଦ ଦେଖି ନ ଥିଲେ-। ଧର୍ମରେ ସମନ୍ୱୟ କଥା ଚିନ୍ତା କରୁଥିଲେ । ବାସ୍ତବରେ ଆପଣା ଭିତରେ ଥିବା ସଂସ୍କାରଗୁଡ଼ିକୁ ଡେଇଁ ପାରିଲେ, ନିଜ ଭିତରେ ଏକ ଉନ୍ମୋଚନ ଘଟି ପାରିଲେ, ଯାବତୀୟ ମୂର୍ତ୍ତି ଓ ଭେକର ବାଡ଼କୁ ଡେଇଁ ପାରିଲେ ହିଁ ଧର୍ମରେ ସମନ୍ୱୟକୁ ଆମେ ହୃଦୟଙ୍ଗମ କରିପାରିବା ।

 

ଆଧ୍ୟାତ୍ମିକତା ଭିତରେ ହିଁ ପ୍ରକୃତ ଧର୍ମର ସତ୍ତା ନିହିତ । ଧର୍ମମାନେ ମନୁଷ୍ୟ ହୃଦୟର ଶ୍ରେଷ୍ଠ କଥାକୁହିଁ କହିଛନ୍ତି । ମନୁଷ୍ୟ ଆସ୍ପୃହାର ଶିଖରଗୁଡ଼ିକ ନିମନ୍ତେ, ବସ୍ତୁତଃ ଧର୍ମମାନେହିଁ ମନୁଷ୍ୟକୁ ଆକର୍ଷଣ ଯୋଗାଇ ଦେଇଛନ୍ତି । ଚିତ୍ତରଂଜନ ଶ୍ରୀଅରବିନ୍ଦଙ୍କର ଧର୍ମୀୟ ଚେତନାଦ୍ୱାରା ବହୁଳ ଭାବରେ ପ୍ରଭାବିତ ଥିଲେ । ତେଣୁ ସେ ଲେଖିଛନ୍ତି- “ଶ୍ରୀଅରବିନ୍ଦ ଧର୍ମଭିତରେ ଦୁଇଟି ପ୍ରକାର ସୂଚନା ଦେଇଛନ୍ତି । ଗୋଟିଏ ପ୍ରକୃତ ଧର୍ମ, ଆରଟି ଧର୍ମୀୟତା । ପ୍ରକୃତ ଧର୍ମ ହେଉଛି ଆଧ୍ୟାତ୍ମିକତା, ଆରଟି ପ୍ରାୟ ନିୟମସିଦ୍ଧ ଭାବରେ ବହୁ ସୂତ୍ର, ବିଧି ଓ ଉତ୍ସବାଡ଼ମ୍ବର ଭିତରେ ସତେ ଅବା କେତେ କ’ଣ ହୋଇ ରହିଥାଏ । ଏହି ଧର୍ମୀୟତା ମଣିଷକୁ ବଣାକରେ, କେନ୍ଦ୍ରଚ୍ୟୁତ କରେ ।” (ଶବ୍ଦ ଶତକ)

 

ଆହାର, ନିଦ୍ରା, ଭୟ, ମୈଥୁନ- ଏହା ପଶୁ ମଣିଷ ନିର୍ବିଶେଷରେ ସମସ୍ତଙ୍କ ପାଇଁ ପ୍ରାୟ ଏକ ପ୍ରକାରର । କିନ୍ତୁ ଧର୍ମାଚରଣ କରିବା ମଣିଷର ଗୋଟିଏ ବିଶେଷ ଗୁଣ, ବିଶେଷତ୍ୱ । ସେଥିପାଇଁ ସେ ପଶୁମାନଙ୍କଠାରୁ ଊର୍ଦ୍ଧ୍ୱରେ । ଜଗତର ଦୁଃଖକୁ ଠିକ୍ ନିଜ ଦୁଃଖ ପରି ଅନୁଭବ କରି ଜଗତର କେତେକେତେ ଧର୍ମପରାୟଣ ମହାତ୍ମା ସବୁ ସୁଖ, ସବୁ ଭୋଗ ବିଳାସକୁ ତ୍ୟାଗକରି ଜଗତର ନିସ୍ତାର ଲାଗି ବାଟ ଖୋଜି ଚାଲିଛନ୍ତି । ଧର୍ମଠାରୁ ଅଧିକ ମହତ ଜିନିଷ ଦୁନିଆରେ ଆଉ କିଛି ନାହିଁ । ମାଳାତିଳକ ଧାରଣ କରି ବିଭିନ୍ନ ବେଶଭୂଷାରେ ସଜେଇ ହୋଇ ଠାକୁରଙ୍କୁ ଡାକିବାରେ ଧର୍ମ ନ ଥାଏ ବା ତାକୁ ଧାର୍ମିକ ବୋଲି କୁହାଯାଏ ନାହିଁ । ତେଣୁ ଲେଖକ କୁହନ୍ତି- “ଧାର୍ମିକ ଲୋକ ବାହାରେ ଯେମିତି, ଭିତରେ ମଧ୍ୟ ସେମିତି । ମଧ୍ୟଯୁଗର ୟୁରୋପୀୟ ଧର୍ମସାଧକ କେମ୍ପିସ୍‍ ଏକଥା କହିଛନ୍ତି । ଧର୍ମ-ଜୀବନରେ କେବଳ ଗୋଟିଏ ସିଂହାସନ ରହିଛି, ତାହା ଭଗବାନଙ୍କ ପାଇଁ, ସତ୍ୟପାଇଁ । ସେଠି ଗୋଟିଏ ଅନୁରକ୍ତି, ସେଠି କେବଳ ଜଣକର ଭୟ । ତାହା ଭଗବାନଙ୍କର, ସତ୍ୟର । ନାନା ପ୍ରକାର ଲାଜ ଓ ଅପମାନର ଆତଙ୍କିତ ଯୁକ୍ତିରେ ଆମେ ଜୀବନକୁ ଦୁଇଖଣ୍ଡ କରି ପକାଇଛୁ । ଆମର ଧର୍ମ, ଆମର ଦୃଷ୍ଟିକୁ ଏହିପରି ଆମେ କଳୁଷିତ କରି ରଖିଛୁ । ଏଇ ଦୁଇଖଣ୍ଡକୁ ସାହସର ସହିତ ଯିଏ ଯୋଡ଼ି, ଜୀବନ ପଥରେ ନିର୍ମଳ ହୋଇ ଠିଆହେବାର ଉଦ୍ୟମ କରୁଛି, ସେ ଆମ ସମସ୍ତଙ୍କର ଅଭିନନ୍ଦନର ଯୋଗ୍ୟ । ତାହାର ଜୟ ହେଉଛି, ତାହାର ମଧ୍ୟ ଦେଇ ସତ୍ୟର ଜୟ ହେଉ ।” (ଜୀବନ ବିଦ୍ୟାଳୟ)

 

ଧର୍ମ ସମସ୍ତଙ୍କ ପାଇଁ ସମାନ । ତେଣୁ ଆମ ସାଂସ୍କୃତିକ ପରମ୍ପରାରେ ଅନ୍ତର୍ନିହିତ ଯେକୌଣସି ବିଶିଷ୍ଟତା ହେତୁରୁ ହେଉ, ଅନ୍ୟ କୌଣସି ଧର୍ମକୁ ଘୃଣା କରିବା ଆମଦ୍ୱାରା ସମ୍ଭବ ହୁଏନାହିଁ । ବିଧର୍ମୀମାନଙ୍କୁ ଲୋପ କରିବା ପାଇଁ ଧର୍ମଯୁଦ୍ଧ ଏ ଦେଶର ଇତିହାସରେ କମ ଦେଖାଯାଏ । ଆମ ଧର୍ମ ବିଷୟରେ ଅନେକ ସମୟରେ ଆମେ ନିଷ୍କ୍ରିୟ ଓ ଉଦାସୀନ ରହୁ । ଏପରି ଉଦାସୀନତା ଆଦୌ ରହିବା ଉଚିତ ନୁହେଁ । ଏଇଥି ପାଇଁ ହିଁ କେବଳ ଆମ ଧର୍ମରେ ଥିବା ସାର ସୂକ୍ତିମାନ, କେବଳ ଶାସ୍ତ୍ରର କବିତା ହୋଇ ରହିଚି, ପାଣ୍ଡିତ୍ୟର ପାଚନ ହୋଇ ରହିଚି । ଓଡ଼ିଶାର ଅଧିବାସୀମାନେ ବାରମାସରେ ତେରପର୍ବ ପାଳନ କରନ୍ତି । ଅନେକ ପର୍ବରେ ଖିଆପିଆ ଓ ମଉଜ ମଜଲିସ୍ ଧୂମଧାମରେ ଚାଲେ । ଏହା ଏକ ବାହ୍ୟାଚାର । ହେଲେ ଆମ ଅନୁଭୂତିର ଗଣ୍ଡି ଧର୍ମ ବିଷୟରେ ଶକ୍ତ ହୋଇପାରେନାହିଁ । ସେଥିପାଇଁ ଡକ୍ଟର ଚିତ୍ତରଂଜନ ଦାସ ସାମ୍ପ୍ରତିକ ଶିକ୍ଷା ପଦ୍ଧତିକୁ ଦୋଷାରୋପ କରିଛନ୍ତି ।

 

ଆଧୁନିକ ଶିକ୍ଷାଲାଭ କରୁଥିବା ଯୁବକଯୁବତୀମାନେ ଧର୍ମ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତିଁ । ଧର୍ମ ଯେମିତି ବାସନ୍ଦ ହୋଇଗଲାଣି । ତଥାପି ସେ ନୈରାଶ୍ୟବାଦୀ ନୁହନ୍ତି । ଧର୍ମ ଓ ଭକ୍ତିର ଧାରଣା ଭିତରେ କିପରି ମଣିଷ ସବା ଆଗରେ ରହିଛି ତାହା ଚିତ୍ତରଂଜନ ତାଙ୍କର ବହୁ ପ୍ରବନ୍ଧରେ ଦର୍ଶାଇ ଦେଇଛନ୍ତି, ସ୍ପଷ୍ଟ କରିଛନ୍ତି । ଧର୍ମ ବିଷୟରେ ସେ ‘ଜାତିରେ ମୁଁ ଯବନ’ ପୁସ୍ତକରେ ଲେଖିଛନ୍ତି- “ପ୍ରତ୍ୟେକ ଧର୍ମ ହେଉଛି ଜୀବନ ଧର୍ମ । ପ୍ରତ୍ୟେକ ଦର୍ଶନ ହେଉଛି ମୂଳତଃ ଜୀବନ ଦର୍ଶନ । ପ୍ରତ୍ୟେକ ଧର୍ମ ଓ ପ୍ରତ୍ୟେକ ଦର୍ଶନର ଜୀବନ ମଧ୍ୟରୁ ନୂତନ ପ୍ରେରଣା ଦେଇ ନୂତନ ଭାବରେ କିଛି ଉପଲବ୍ଧି କରିବାର ଯେଉଁ ଆକୃତିଟି ରହିଛି, ତାହାକୁହିଁ ଆମେ ଯାବତୀୟ ଧର୍ମ ଓ ଦର୍ଶନର ଅସଲ ଯଥାର୍ଥତା ବୋଲି କହିପାରିବା । ମାତ୍ର ଯେତେବେଳେ କୌଣସି ଧର୍ମ ଜୀବନଠାରୁ ବିଚ୍ଛିନ୍ନ ହୋଇଯାଏ, ଯେତେବେଳେ କୌଣସି ଦର୍ଶନ ଜୀବନଠାରୁ ବିଚ୍ଛିନ୍ନ ହୋଇଯାଏ, ସମ୍ଭବତଃ ସେତିକି ବେଳେହିଁ ସେହି ଧର୍ମ ଓ ସେହି ଦର୍ଶନ ମଧ୍ୟରେ ବୁଦ୍ଧିବାଦର ପ୍ରକୋପଟା ଅତିରିକ୍ତ ଭାବରେ ବଢ଼ିବାକୁ ଆରମ୍ଭ କରେ ଓ ତା’ପରେ ମନୁଷ୍ୟ ଅପରଠାରୁ ଆପଣାର ପାର୍ଥକ୍ୟଗୁଡ଼ାକୁ ହିଁ ଆଗ ଓ ଅଧିକତର ପରିମାଣରେ ପ୍ରତ୍ୟକ୍ଷ କରିବାକୁ ଆରମ୍ଭ କରେ । ଧର୍ମ ଯୋଡ଼ି ଆଣେ । ଦର୍ଶନ ଖିଅ ଯୋଗାଇ ଦିଏ । ସଂଯୁକ୍ତ କରେ, ଏକକ ଦୃଷ୍ଟିରେ ପରିଣତ କରେ, ଗୋଟିଏ ଭଣିତା ଭିତରେ ସତେ ଅବା ଯୁଗଯୁଗର କଥା କହିବା ପାଇଁ ସାହସ କରେ ।”

 

ସ୍ୱାମୀ ବିବେକାନନ୍ଦ ବିଶ୍ୱର ଜଣେ ମହାମାନବ ଥିଲେ । ତାଙ୍କ ଦୃଷ୍ଟିରେ ଧର୍ମ କେବେ ପର ଆପଣା ଭେଦାଭେଦ ରଖେ ନାହିଁ । ପ୍ରାଚ୍ୟ ପଶ୍ଚାତ୍ୟ ଭିତରେ କିଛି ତଫାତ୍ ନାହିଁ । ଭାରତର ସନାତନ ହିନ୍ଦୁଧର୍ମ ବିଷୟରେ ଏବଂ ଭାରତୀୟ ଦର୍ଶନ ଭିତରେ ତାଙ୍କର ଅଗାଧ ପ୍ରବେଶ ଥିଲା । ଚିକାଗୋ ଧର୍ମସମ୍ମିଳନୀରେ ହିନ୍ଦୁଧର୍ମର ପ୍ରବକ୍ତାଭାବେ ବିବେକାନନ୍ଦ ଭାରତବର୍ଷରୁ ଯାତ୍ରା କରିଥିଲେ ସତ, ମାତ୍ର କେବଳ ଏକ ବିଜେତା ହୋଇନୁହେଁ, ଏକ ଅଭିନବ ମାନବଧର୍ମର ଦୀକ୍ଷା ନେଇ ସେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଭାରତର ଆଧ୍ୟାତ୍ମିକତା ସହିତ ପାଶ୍ଚାତ୍ୟ ମାନବ ସମତାର ଯେ ଆଦୌ କୌଣସି ଅନ୍ତର୍ବିରୋଧ ନାହିଁ, ଏହା ଏକ ବଳିଷ୍ଠ ଆନ୍ତରିକତା ପୂର୍ଣ୍ଣ ସମନ୍ୱୟ ଦୃଷ୍ଟିଦ୍ୱାରା ସିଏ ତାହା ପ୍ରମାଣ କରି ଦେଖାଇ ଦେଇଥିଲେ । ବିଶ୍ୱକୁ ଏକ ନୂତନ ଆଲୋକର ଆଭାରେ ଔଜ୍ଜ୍ୱଲ୍ୟମୟ କରିପାରିଲେ । ତାଙ୍କ ପରିସାଧକ, ଜ୍ଞାନୀ ଓ ଯୋଗୀ ଏ ଦେଶରେ ଖୁବ୍ କମ ଅଛନ୍ତି ।

 

ଧର୍ମ ହେଉଛି ଏକ ପଥ । ଏହା କୌଣସି ମତ ବା ମତବାଦ ନୁହେଁ । ଯଦି ସବୁ ମଣିଷ ଗୋଟିଏ ପଥ ଖୋଜି, ସେହି ପଥରେ ଚାଲିବାର ଆଗ୍ରହ ପ୍ରକାଶ କରିବେ, ତେବେ ଧର୍ମ ନାମରେ ଯେଉଁ ରାଜସିକ ଓ ତାମସିକ ବାହ୍ୟିକତା ଆମ ଜୀବନକୁ କଳୁଷିତ କରି ରଖିଛି ତାହା ଦୂର ହୋଇପାରନ୍ତା । ସତକୁ ସତ ଧର୍ମରେ ଚାଲିବାକୁ ସମସ୍ତେ ସାହସୀ ହୁଅନ୍ତୁ । ଧର୍ମ ଅସ୍ପଶ୍ୟତାକୁ ପ୍ରଶ୍ରୟ ଦିଏ ନାହିଁ । ଜାତିଆଣ ବିଚାର କରେ ନାହିଁ, ସମନ୍ୱୟ ଭାବକୁ ଅଗ୍ରାଧିକାର ଦିଏ । ଧର୍ମ ନାମରେ ପ୍ରତିଷ୍ଠିତ ହୋଇଥିବା ଅସାମ୍ରାଜ୍ୟତାକୁ ସେ ଘୃଣାକରେ । ଏହା ଏକ ପ୍ରଶସ୍ତ ମାର୍ଗ । ପୂର୍ବର ଧର୍ମ କିପରି ମଣିଷକୁ ବାଟବଣା କରୁଥିଲା ତାହାର ସୂଚନା ଦେଇ ପ୍ରାବନ୍ଧିକ ଲେଖିଛନ୍ତି- “.... ଆଗେ ଗୋଟିଏ ଧର୍ମଠାରୁ ଆଉ ଗୋଟିଏ ଧର୍ମ ବହୁଦୂର ହୋଇ ରହିଥିଲା । ଧର୍ମର ମତ ଓ ସମ୍ପ୍ରଦାୟମାନେ ପରମ୍ପରାକ୍ରମେ ରାଜାମାନଙ୍କର ଲାଙ୍ଗୁଳ ଧରି ରହିଥିବାରୁ ପ୍ରାୟ ପ୍ରତ୍ୟେକ ଧର୍ମ ଭିତରକୁ ବହୁ ବର୍ବରତା ଓ ବୃଥାଦମ୍ଭ ପଶିଆସିବାର ବହୁ ଆଶଙ୍କା ରହୁଥିଲା । ରାଜ୍ୟର ସାମ୍ରାଜ୍ୟ ଅନୁସାରେ ଧର୍ମର ସାମ୍ରାଜ୍ୟ ମଧ୍ୟ ବଢ଼ୁଥିଲା ଏବଂ ଛିଣ୍ଡୁଥିଲା । ଧର୍ମ ଭିତରେ ବହୁ ନିକୃଷ୍ଟ ପ୍ରକାରର ନ୍ୟସ୍ତସ୍ୱାର୍ଥ ଆସି ପଶିଯିବାରୁ ବହୁ ସମ୍ଭାବନା ଉନ୍ମୁକ୍ତ ହୋଇ ରହିଥିଲା । ଧର୍ମକୁ ନେଇ ଯୁଦ୍ଧ ଲଗାଇ ଦିଆଯାଉଥିଲା, ହତ୍ୟା କରିବାକୁ ଯଥାର୍ଥ ଧର୍ମସ୍ଥର କର୍ତ୍ତବ୍ୟ ବୋଲି କୁହାଯାଉଥିଲା । ଧର୍ମ ଯୁଦ୍ଧ ବୋଲି ଅସନା କଥାଟା ହୁଏତ ସେହିପରି ଏକ ଅଧର୍ମର ମୁଣ୍ଡରୁ ଭିଆ ହେଉଥିଲା । ନିତାନ୍ତ ବ୍ୟକ୍ତିଗତ ଯୁଦ୍ଧଗୁଡ଼ାକରେ ରାଜାମାନେ ଠାକୁରମାନଙ୍କୁ ପାଇକ କରି ଲଗାଉ ଥିଲେ ଓ ସେଥିରୁ ଅପବିତ୍ର କିମ୍ବଦନ୍ତୀମାନେ ଫନ୍ଦାଯାଇ ମଣିଷର ଅସଲ ଧର୍ମ ଚେତନାର ମୁହଁରେ ପଥର ଲଦି ଦିଆଯାଉଥିଲା । ଧର୍ମମାନେ ଯଦି ଖାଲି ବହିରେ ଧର୍ମ ହୋଇ ରହିଥିବେ, ତଥାକଥିତ ପବିତ୍ର ତୀର୍ଥ ବା ଶାସ୍ତ୍ରଗୁଡ଼ାକରେ ସେମାନଙ୍କୁ କିଳି ରଖିଦିଆ ଯାଇଥିବ ଏବଂ ସର୍ବୋପରି କ୍ଷମତାସ୍ଥିତ ନ୍ୟସ୍ତସ୍ୱାର୍ଥମାନେ ଧର୍ମକୁ ସତେ ଅବା ଆପଣାର ଅଭିପ୍ରାୟ ଗୁଣକୁ ଚରିତାର୍ଥ କରିବା ପାଇଁ ଗାଭୀ ପରି ବ୍ୟବହାର କରୁଥିବେ, ତେବେ ସେହି ଧର୍ମଦ୍ୱାରା ପୃଥିବୀର ଆଦୌ କୌଣସି ମଙ୍ଗଳ ହୋଇପାରିବନାହିଁ । (ବିଶ୍ୱକୁ ଗବୀକ୍ଷ)

 

ତେଣୁ ଧର୍ମ ନାମରେ ଅଧର୍ମ ପଣିଆର ସେ ଘୋର ବିରୋଧ କରୁଥିଲେ । ସେ ଚାହୁଁଥିଲେ ଧର୍ମ ନାମରେ ଧାର୍ମିକ ଗୁରୁମାନେ ମନୁଷ୍ୟର ପ୍ରକୃତ ଧାର୍ମିକ ଉନ୍ନତିରେ ବାଧା ଦେବା ଉଚିତ ନୁହେଁ । ନିଜ ଧର୍ମ ଭିତରେ ରହି ମଧ୍ୟ ଜଣେ ବ୍ୟକ୍ତି ବିଭିନ୍ନ ଧର୍ମର ମୌଳିକତାକୁ ଆପଣା ଜୀବନରେ ପ୍ରତିଫଳିତ କରିପାରିବ । ଏହାଦ୍ୱାରା ସେ ଅଧିକ ଶକ୍ତିଶାଳୀ ହେବ । ମହାତ୍ମାଗାନ୍ଧୀ ପୃଥିବୀରେ ସବୁ ଧର୍ମର ଅନୁଗାମୀମାନଙ୍କ ଲାଗି ଗୋଟିଏ ମାର୍ଗର ଆବିଷ୍କାର କରିଥିଲେ । ସେଥିପାଇଁ ସେ ଚିରକାଳ ଅମର ହୋଇ ରହିଛନ୍ତି ଓ ରହିବେ । “ଈଶ୍ୱର ଓ ଆଲ୍ଲା ସମସ୍ତେ ସମାନ-। କୃଷ୍ଣ, ରାମ, ଖ୍ରୀଷ୍ଟଙ୍କ ଭିତରେ କିଛି ପ୍ରଭେଦ ନାହିଁ । ଜଗନ୍ନାଥ ଓ ବିଶ୍ୱନାଥ ଏକ ଓ ଅଭିନ୍ନ-

 

ଚିତ୍ତରଂଜନ ଦାସ ଧର୍ମ ବିଷୟରେ ନିଜର ଯେଉଁ ବଳିଷ୍ଠ ମତ ଦେଇଛନ୍ତି ତାହା ବାସ୍ତବିକ ପ୍ରଣିଧାନଯୋଗ୍ୟ । ସେ ଓଡ଼ିଶାର ଧର୍ମର ପ୍ରତୀକ ଭାବରେ ଶ୍ରୀଜଗନ୍ନାଥଙ୍କୁ ଗ୍ରହଣ କରିଛନ୍ତି । ଉତ୍କଳମଣି ଗୋପବନ୍ଧୁ ଦାସ ଯଥାର୍ଥରେ ଲେଖିଥିଲେ- “ଉତ୍କଳେ ବିଶେଷେ ନାହିଁ ପ୍ରୟୋଜନ । ଉତ୍କଳର ନେତା ସ୍ୱୟଂ ନାରାୟଣ ।” ନୀଳାଚଳନାଥ ଶ୍ରୀ ଜଗନ୍ନାଥ ଓଡ଼ିଶାର ପ୍ରକୃତ ନେତା । ସେ ଉତ୍କଳୀୟମାନଙ୍କର କେବଳ ନୁହନ୍ତି, ଜଗତର ଗତିମୁକ୍ତି ଦାତା ଓ ଭାଗ୍ୟ ବିଧାତା । ସେ ସବୁ ଧର୍ମଧାରାକୁ ଛୁଇଁପାରିଛନ୍ତି । ବୁଦ୍ଧଙ୍କଠାରୁ ଆରମ୍ଭକରି ରାମାନୁଜ, ବଲ୍ଲଭାଚାର୍ଯ୍ୟ ନିମ୍ବାର୍କ, ବିଷ୍ଣୁସ୍ୱାମୀ, ମଧ୍ୱାଚାର୍ଯ୍ୟ, ଶଙ୍କର ପର୍ଯ୍ୟନ୍ତ ସମସ୍ତଙ୍କୁ ଆତିଥ୍ୟ ପ୍ରଦାନ କରିଛନ୍ତି । ସେ ସମସ୍ତଙ୍କୁ କେବଳ ଆପଣେଇ ନାହାନ୍ତି, ସମସ୍ତେ ମଧ୍ୟ ତାଙ୍କୁ ଆପଣାର କରିବାର ପ୍ରୟାସ କରିଛନ୍ତି । ଏପରି ଧର୍ମ ସମ୍ଭବତଃ ପୃଥିବୀରେ ବିରଳ ଯେଉଁ ଧର୍ମରେ ଛୁଆଁ ଅଛୁଆଁର ଭେଦଭାବ ନାହିଁ, ଜାତି ଅଜାତିର ବାଡ଼ ପଡ଼ିନାହିଁ, ତାହାହିଁ ଆମର ଜଗନ୍ନାଥ ଧର୍ମ । ଏଠି ହାଡ଼ି, ହାତରୁ ବ୍ରାହ୍ମଣ ମହାପ୍ରସାଦ ମାଗି ଖାଇବାର ପରମ୍ପରା ବି ଅଛି । ତେଣୁ ଏପରି ଦେବତାଙ୍କୁ ପ୍ରାବନ୍ଧିକ ଚିତ୍ତରଂଜନ ତାଙ୍କ ପ୍ରବନ୍ଧରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଥିବା ଲକ୍ଷ୍ୟ କରାଯାଏ । ଧର୍ମର ମହତ୍ତ୍ୱ ଉପଲବ୍ଧି କରି ସେ ଯବନ ପରି ହେବାକୁ ଇଚ୍ଛା କରିଛନ୍ତି । ସାଲବେଗଙ୍କର ଦୃଢ଼ଭକ୍ତି ତାଙ୍କୁ ପାଖକୁ ଟାଣି ନେଇଛି । ସେ ଧର୍ମର ବିଭାଜନ ଶକ୍ତିକୁ ଘୋର ବିରୋଧ କରିଛନ୍ତି । ସେ ଏକତ୍ରୀକରଣକୁ ଯେତିକି ସ୍ୱାଗତ ଜଣାଇଛନ୍ତି ବିଭାଜନକୁ ସେତିକି ଘୃଣା କରିଛନ୍ତି । ଉଦାହରଣସ୍ୱରୂପ କବୀର ହିନ୍ଦୁ ଓ ମୁସଲମାନ ଧର୍ମକୁ ସମନ୍ୱିତ କରିବାକୁ ଚେଷ୍ଟାକରି ଦୁଇ ଧର୍ମରେ ସଂସ୍କାର ଆଣିଥିଲେ । ଅପର ପକ୍ଷରେ ମାର୍ଟିନ ଲୁଥର ଗୋଟିଏ ଧର୍ମକୁ ଦୁଇଭାଗ କରିବାର ଜିଦ ନେଇ ଧର୍ମ ପ୍ରଚାର କରିଥିଲେ-। କବୀର କୌଣସି ସମ୍ପ୍ରଦାୟ ଗଢ଼ିବାକୁ ଚାହିଁ ନ ଥିଲେ । ବରଂ ଧର୍ମତତ୍ତ୍ୱ ଓ ଧର୍ମନୀତିର ଭୂମି ଉପରେ ସେ ବିଭିନ୍ନ ପନ୍ଥା ଓ ସମ୍ପ୍ରଦାୟଙ୍କୁ ପରସ୍ପରର ନିକଟବର୍ତ୍ତୀ କରିବାର ଚେଷ୍ଟା କରିଥିଲେ-। ମାର୍ଟିନ ଲୁଥର ଥିଲେ ଜଣେ ବିଭାଜକ । ଧର୍ମରେ ଆଚାରଗତ ବିଭିନ୍ନତାକୁ ସେ ମୁଖ୍ୟଭାବରେ ଦେଖୁଥିଲେ । ତେଣୁ ଲୁଥର ଶ୍ରଦ୍ଧା ଅପେକ୍ଷା ଘୃଣାର ଅଧିକ ପ୍ରଚାର କରିଥିଲେ । ଧର୍ମ ନାମରେ ଉଗ୍ରତାର ପ୍ରଚାର ହୋଇଥିଲା । ଏପରି ବ୍ୟକ୍ତିଙ୍କର ଧର୍ମ ବିଷୟରେ ଯେ ଜ୍ଞାନ ଅଧିକ ରହିଛି ଏହା ଭାବିବା ଅନୁଚିତ ।

 

ଚିତ୍ତରଂଜନଙ୍କ ଧର୍ମଭିତ୍ତିକ ପ୍ରବନ୍ଧଗୁଡ଼ିକରେ ସେ ଧର୍ମକୁ ବିଶ୍ଲେଷଣ କରିଛନ୍ତି । ସମାଜକୁ ଧର୍ମ କିପରି ମହାନ୍‍ ମାର୍ଗରେ ଗତି କରାଇବ ସେଥିପାଇଁ ଉଚିତ ପରମର୍ଶ ଦେଇଛନ୍ତି ।

 

(ଘ) ସାଂସ୍କୃତିକ ପ୍ରବନ୍ଧ :

 

ଚିତ୍ତରଂଜନ ଦାସ ତାଙ୍କ ରଚିତ ପ୍ରବନ୍ଧମାନଙ୍କର ବିଭିନ୍ନ ଦୃଷ୍ଟିରେ ସଂସ୍କୃତିକୁ ବିଚାର କରିଛନ୍ତି । ସଂସ୍କୃତିକୁ ବିଭିନ୍ନ ଆଲୋଚକ, ସମାଜଶାସ୍ତ୍ରୀ ଓ ଦାର୍ଶନିକମାନେ କେତେ ପ୍ରକାରରେ ଗ୍ରହଣ କରନ୍ତି । ଆମେ ସଂସ୍କୃତି କହିଲେ ଜୀବନ ଧାରଣର ଉତ୍ତମ ମାର୍ଗଟିକୁ ହିଁ ବିଚାର କରୁ । ସଂସ୍କୃତିକୁ ଇଂରେଜରେ ‘Culture’ କୁହାଯାଏ । ସେହି ଶବ୍ଦଟି ଆମ ଭିତରେ ଅସ୍ଥି ମଜ୍ଜାଗତ ହୋଇପଡ଼ିଛି । କିନ୍ତୁ ଆମ ଭାରତୀୟ ପ୍ରାଚୀନ ବିଦ୍ୟାରେ ‘ସଂସ୍କୃତି’ ଶବ୍ଦଟି ଯେ ନିଶ୍ଚିତ ଥିଲା ଏକଥାକୁ କେହି ତର୍ଜମା କରନ୍ତି ନାହିଁ, ‘ଐତରେୟ ବ୍ରାହ୍ମଣ’ରେ ଯାବତୀୟ ଶିଳ୍ପକୁ ଆତ୍ମସଂସ୍କୃତି ବୋଲି କୁହାଯାଇଛି । ସୌନ୍ଦର୍ଯ୍ୟଶାସ୍ତ୍ରର ତାର୍କିକ ଇତିହାସରେ ଏହି ସଂଜ୍ଞାଟିର ଏକ ସ୍ୱତନ୍ତ୍ର ତାତ୍ପର୍ଯ୍ୟ ରହିଛି । ତେଣୁ ଚିତ୍ତରଂଜନ କୁହନ୍ତି- “ବେଳେବେଳେ ‘Culture’ ଶବ୍ଦଟିକୁ କୃଷ୍ଟି ବୋଲି ମଧ୍ୟ ତର୍ଜମା କରି ଦିଆଯାଇଥାଏ । ‘କୃଷ୍ଟି’ର କୃଷି ଓ କର୍ଷଣ ସହିତ ଅର୍ଥୋପଗତ ସମ୍ପର୍କ ରହିଛି । ତଥାପି ଇଂରାଜୀରେ ‘Culture’ କହିଲେ ଯେଉଁସବୁ ଅର୍ଥ ପରିଧିକୁ ଏବେ ବୁଝାଉଛି ବା ଯୁଗାନୁକ୍ରମେ ବୁଝାଇ ଆସିଛି ‘ସଂସ୍କୃତି’ ଶବ୍ଦଟି ମଧ୍ୟରେ ଆମେ ସାଧାରଣତଃ ସେପରି କୌଣସି ଭାବଗତ ବିବର୍ତ୍ତନର ଧାରା ମୋଟେ ଦେଖିବାକୁ ପାଇବା ନାହିଁ । ନୃତତ୍ତ୍ୱ ବିଜ୍ଞାନ ବିକାଶ ଅନୁସାରେ ଇଉରୋପରେ ‘Culture’ ଶବ୍ଦ ସମଗ୍ରଟିକୁ ନେଇ ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଛି ଏବଂ ସାମୂହିକ ଅର୍ଥକଳନାର କ୍ଷେତ୍ରରେ ମଧ୍ୟ ତଦନୁସାରେ ଆବଶ୍ୟକ ପ୍ରସାରଣମାନ ଅବଶ୍ୟ ଘଟିଛି । ଆମ ‘ସଂସ୍କୃତି’ ଶବ୍ଦଟିର ପର୍ଯ୍ୟାଲୋଚନାରେ ଆମ-ବିଶ୍ୱବିଦ୍ୟାଳୟମାନଙ୍କର ଅଧ୍ୟାପକମାନେ ପ୍ରଧାନତଃ ଇଉରୋପୀୟ ଧାରାଟିର ଅନୁସରଣ କରିଛନ୍ତି । ସେମାନେ ସିଆଡ଼ୁ ଛାଞ୍ଚଗୁଡ଼ିକୁ ଆଣି ଆମର ଏଠିକା ଭୂମିରେ ସଂସ୍କୃତିର ବାଗ ଓ ବୃତ୍ତଗୁଡ଼ିକର ନିରୂପଣ କରିବାକୁ ଚେଷ୍ଟା କରିଛନ୍ତି । ବିଶ୍ୱବିଦ୍ୟାଳୟର ଏବଂ ଏପରିକି, ସେହି ବିଶ୍ୱବିଦ୍ୟାଳୟର ପରିସର ମଧ୍ୟରେ ବି ନୃତତ୍ତ୍ୱବିଜ୍ଞାନ, ଏବଂ ସମ୍ଭବତଃ ସମାଜବିଜ୍ଞାନର ବାହାରେ ଯେଉଁମାନେ ରହିଲେ, ସେମାନେ ସଂସ୍କୃତି ନାମକ ଏକ ନୂଆ ଶବ୍ଦଟିରେ ପୁରୁଣାଭାବ ପ୍ରବଣତାର ଗଞ୍ଜେଇ ମିଶାଇ ବିଚିତ୍ର ବହୁବିଧ ଅବଧାରଣା ସୃଷ୍ଟି କରିଛନ୍ତି ।” (ବିଶ୍ୱକୁ ଗବାନ୍ଧ)

 

ଚିତ୍ତରଂଜନ ଥିଲେ ଅଭିଜ୍ଞ ମଣିଷ । ଜୀବନ ସହିତ ସଂସ୍କୃତିର ସମ୍ପର୍କକୁ ସେ ଗଭୀରଭାବେ ବିଶ୍ଳେଷଣ କରିଛନ୍ତି । ବିଭିନ୍ନ ଦେଶର ସାଂସ୍କୃତିକ ବ୍ୟବସ୍ଥା କଥା କହିଛନ୍ତି । ସେମାନଙ୍କ ସଂସ୍କୃତି ସହିତ ଆମ ସଂସ୍କୃତିକୁ ତଉଲିଛନ୍ତି । ଇଂରାଜୀ ତଥା ଜର୍ମାନ ଚଳଣିରେ ସଂସ୍କୃତିକୁ ଜୀବନ ବଞ୍ଚିବାର ଏକ ସମଗ୍ର ଶୈଳୀରୂପେ ସ୍ୱୀକାର କରାଯାଏ । ଚିତ୍ତରଂଜନଙ୍କ ବିଚାରରେ କୌଣସି ଜନସମୂହର ସାଧାରଣ ଜୀବନଠାରୁ ତାହାର ତଥାକଥିତ ସାଂସ୍କୃତିକ ଜୀବନ ଆଦୌ ଏକ ଅଲଗା ବସ୍ତୁ ନୁହେଁ । ସଂସ୍କୃତି ଆମ ଜୀବନକୁ ସମଗ୍ର ଭାବରେ ପରିମଳ ଆଣିଦେବାର ସହାୟକ ହୋଇଥାଏ । ବ୍ୟକ୍ତିଗତ ଜୀବନରେ ମଧ୍ୟ ସେଇ ଏକା କଥା । ଆମର ସାମାଜିକ ସମ୍ବନ୍ଧ ତଥା ବନ୍ଧନଗୁଡ଼ିକରେ ଅସଲ ପରିମଳଟି ନ ଥିଲେ ଆମ ବ୍ୟକ୍ତିଗତ ଜୀବନଟି ଦିଗଭ୍ରଷ୍ଟ ହୋଇଯିବା ସହଜ ହୁଏ । ଚିତ୍ତରଂଜନଙ୍କ ଭାଷାରେ– “ତେଣୁ ସାମୂହିକ ଜୀବନରେ, ରାଜନୀତିରେ, ଅର୍ଥନୀତିରେ, ସାମାଜିକ ବିବେକର ଯାବତୀୟ କ୍ଷେତ୍ରରେ ଯେଉଁ ସୁସ୍ଥ ପରିମଳଟି ଅବଶ୍ୟ ରହିଥିବା ଆବଶ୍ୟକ, ତାହାମଧ୍ୟ ଆମ ସଂସ୍କୃତି ବ୍ୟତୀତ ଅନ୍ୟକିଛି ନୁହେଁ ।” (ବିଶକୁ ଗବାକ୍ଷ) ଅନେକ ସାହିତ୍ୟ, କଳା, ସଙ୍ଗୀତ ଆଦିକୁ ସଂସ୍କୃତି ଭାବରେ ଗ୍ରହଣ କରୁଥିଲେ ହେଁ ଚିତ୍ତରଂଜନ ଏଥିପ୍ରତି ଭ୍ରୁକୁଞ୍ଚ କରିଛନ୍ତି । ଏପରି ତାମସା ତାଙ୍କ ଦୃଷ୍ଟିରେ ଅପସଂସ୍କୃତି ବ୍ୟତୀତ ଅନ୍ୟ କିଛି ହୋଇନପାରେ । ଲେଖକଙ୍କର ଦୃଷ୍ଟିକୋଣ ପ୍ରଶସ୍ତ, ଚିନ୍ତାଧାରା ସୁଦୂର ପ୍ରସାରୀ, ତାଙ୍କ ରୁଚି ଓ ବିଚାରକୁ କେତେକ ସହଜରେ ହଜମ କରିପାରୁନଥିଲେ ହେଁ ସେ ଅସଲ କଥା କହିବାରେ କେବେ କୁଣ୍ଠା ପ୍ରକାଶ କରନ୍ତି ନାହିଁ । ସେ କେବଳ ନିଜ ଗାଁ ସଂସ୍କୃତି, ନିଜ ଦେଶ ସଂସ୍କୃତି କଥା କହିନାହାନ୍ତି, ସମଗ୍ର ବିଶ୍ୱ ସଂସ୍କୃତି ପ୍ରତି ମଧ୍ୟ ତାଙ୍କ ଦୃଷ୍ଟିକୋଣ ପ୍ରସରି ଯାଇଛି । ଆମେ ଆମ ସଂସ୍କୃତିକୁ ଭଲପାଉ, ପୃଥିବୀଯାକର ସବୁ ସଂସ୍କୃତିଠାରୁ ଆମ ସଂସ୍କୃତି ଅଧିକ ଭଲ ବୋଲି ଦାବି କରୁ । ଏହା ଏକ ଅବିବେକୀ ପଣିଆ ବିନା ଅନ୍ୟକିଛି ହୋଇନପାରେ ।

 

ସଂସ୍କୃତ ଅଛି ଆମ ଘରେ, ପରିବାରରେ ଏବଂ ଆମର ପ୍ରତିଟି ଶିରା ପ୍ରଶିରାରେ । ଆମକୁ ଯିଏ ଏହି ବିରାଟ ପୃଥିବୀକୁ ଆଣିଛନ୍ତି ସେମାନଙ୍କ ପ୍ରତି ଆମର ସମ୍ମାନବୋଧ ରହିବା ପ୍ରଥମ କଥା । ସେମାନଙ୍କୁ କୌଣସି ମୁହୂର୍ତ୍ତରେ ଭୁଲିଯିବା ଉଚିତ ନୁହେଁ । ବାପା ମାଆ ଆମର ଜୀବନ୍ତ ଦେବତା । ତେଣୁ ଆମର ଧର୍ମଶାସ୍ତ୍ର କୁହେ- ପିତୃ ଦେବୋ ଭବ, ମାତୃ ଦେବୋ ଭବ ।” ଆମେ ଯାହାକିଛି ହେବା ଏବଂ ହୋଇଛୁ ସବୁରି ମୂଳରେ ସେମାନଙ୍କର ଅବଦାନ ସ୍ମରଣୀୟ । ତେଣୁ ଲେଖକ କହିଛନ୍ତି- “ଅସଲ ଆମର ସଂସ୍କୃତି ଆଉ କେଉଁଠି ହେଲେ ନାହିଁ- ତାହା ଆମର ରକ୍ତରେ ରହିଛି । ଆମକୁ ଯେଉଁମାନେ ଜନ୍ମ ଦେଇଛନ୍ତି ଆମକୁ ଏଡ଼େଟିରୁ ଏଡ଼ିଟିଏ କରାଇଛନ୍ତି ସେମାନେ କେବଳ ଆମର ବାପାମାଆ ନୁହନ୍ତି । ଆମର ସବୁକିଛି, ସେମାନେ ଆଗ କରିବେ, ତା’ପରେ ଆମେ ଯାହା କିଛି ହେବା । ଆମକୁ ଅଠର ପୂରି ଆହୁରି ଅଠର ପୂରିଲେ ମଧ୍ୟ ନିୟମ ଅନୁସାରେ ତାହାହିଁ ହେବ । ଆମେ ସାବାଳକ ହେଲେ ମଧ୍ୟ ତଥାପି ଏହିପରି ନାବାଳକ ହୋଇ ରହିଥିବା, ତାହା ଆମ ଦେଶର ଗୌରବ । ଆମ ଦାଣ୍ଡର ଗୌରବ, ଆମ ସଂସ୍କୃତିର ଗୌରବ ।” (ନଖ ଦର୍ପଣେନ)

 

ସାମାଜିକ ଜୀବନର ଅଭିବ୍ୟକ୍ତି ହେଉଛି ସଂସ୍କୃତି । ବ୍ୟକ୍ତି ସମାଜର ଗୋଟିଏ ଅଙ୍ଗ । ସାମାଜିକ ଜୀବନ ବ୍ୟକ୍ତିର ଜୀବନକୁ ସମ୍ଭାଳି ଧରିଥାଏ । ଅନୁରୂପ ଭାବରେ ବିଚାର କଲେ ସ୍ପଷ୍ଟ ହୁଏ ଯେ ସମାଜର ସଂସ୍କୃତି ବ୍ୟକ୍ତିର ସଂସ୍କୃତିକୁ ସମ୍ଭାଳି ଧରେ ଏବଂ ସାମାଜିକ ସଂସ୍କୃତି ଭିତରେ ବ୍ୟକ୍ତିର ସଂସ୍କୃତି ପ୍ରତିଫଳିତ ହେବାରେ ଲାଗିଥାଏ । ବିଶ୍ୱ ସଂସ୍କୃତିର କେତେକାଂଶରେ ପ୍ରତିଫଳିନ ଘଟିଛି ଭାରତୀୟ ସଂସ୍କୃତିରେ । ସେହିପରି ଉତ୍କଳୀୟ ସଂସ୍କୃତି ଭାରତୀୟ ସଂସ୍କୃତିର କେତେକ ଉପାଦାନକୁ ନେଇ ପରିପୁଷ୍ଟ । ଚିତ୍ତରଂଜନ ସଂସ୍କୃତିରେ ଜଡ଼ତାର ପ୍ରବେଶ ହୋଇଛି ବୋଲି ମତ ଦେଇଛନ୍ତି; ଯେଉଁଥି ପାଇଁ ଭାରତବର୍ଷ ପକ୍ଷରେ ବାରବାର ନୂଆ ହେବାର ଓ ନୂଆବାଟ ଚାଲିବାର ଆହ୍ୱାନକୁ ବର୍ଜନ କରିବା ସମ୍ଭବ ହୋଇପାରୁଛି । ସେ ପରିବର୍ତ୍ତନର ସପକ୍ଷରେ ସବୁବେଳେ ମତ ଦେଇଛନ୍ତି । ପୁରୁଣାକୁ ଜାବୁଡ଼ି ଧରିବା ଓ ପରମ୍ପରା ପ୍ରତି ମୋହ ରଖିବାରେ ସେ ଅନାଗ୍ରହୀ । ତେଣୁ ସାହିତ୍ୟ, ସମାଜ ଧର୍ମ, ସଂସ୍କୃତି, ଶିକ୍ଷା ରାଜନୀତି ସବୁଥିରେ ନୂତନତ୍ୱ ଆଣିବାରେ ସେ ବାରମ୍ବାର କହିଛନ୍ତି, କ୍ରାନ୍ତି ମଣିଷ ମନରେ ପ୍ରବେଶ ନ କରିପାରିଲେ ସେ ସେହିପରି ପୁରୁଣା ରୀତିକୁ ଜାବୁଡ଼ି ଧରିଥାଏ । ତେଣୁ ଆମକୁ କ୍ରାନ୍ତିକାରୀ ହେବାପାଇଁ ସେ ବାରମ୍ବାର ଆହ୍ୱାନ କରିଛନ୍ତି ।

 

ଚିତ୍ତରଂଜନ ଦାସ ସଂସ୍କୃତିର ଦୁଇଟି ଦିଗ ଦେଖିଛନ୍ତି । ଗୋଟିଏ ଉପଲବ୍ଧିର ଦିଗ ଓ ଅନ୍ୟଟି ଆଚରଣର ଦିଗ । ସେ ଉପଲବ୍ଧିର ଦିଗପ୍ରତି ବିଶେଷ ଗୁରୁତ୍ୱ ଦିଅନ୍ତି । ତାହା ହେଉଛି ଅନ୍ତଃକରଣର ଦିଗ, ପ୍ରକୃତ ସଂସ୍କୃତିର ପରିଭାଷା । କିନ୍ତୁ ଆଚାର ଦିଗଟି ହେଉଛି ବାହ୍ୟଦିଗ । ଶାସ୍ତ୍ରର ବିଧି ବିଧାନ ଭେକବୁଦ୍ଧି ଓ ସମ୍ପ୍ରଦାୟର ଦିଗ । ଏହା ବ୍ୟକ୍ତି ଓ ସମାଜକୁ ପ୍ରକୃତ ସଂସ୍କୃତି ନିକଟରେ ପହଞ୍ଚାଇ ପାରେନାହିଁ । ଓଡ଼ିଶାର ସଂସ୍କୃତି ବିଷୟରେ ସେ କହିଛନ୍ତି- “ସାଂସ୍କୃତିକ ଦୃଷ୍ଟିରୁ ଆମେ ଯେଉଁ ଭୂଇଁଟିକୁ ଓଡ଼ିଶା ବୋଲି କହିଆସୁଛୁ, ସେହି ଭୂଇଁରେ ସର୍ବପ୍ରଥମେ ଆର୍ଯ୍ୟ ନ ଥିଲେ କି ଦ୍ରାବିଡ଼ ନ ଥିଲେ । ପ୍ରଜାତି ବିଜ୍ଞାନର ଗଣ ବିଭାଜନ ଅନୁସାରେ, ଓଡ଼ିଶାରେ ସର୍ବପ୍ରଥମେ ଯେଉଁ ମଣିଷମାନେ ବାସ କରୁଥିଲେ ସେମାନଙ୍କୁ ଅଷ୍ଟ୍ରିକ ଜାତି ବୋଲି କୁହାଯାଇଛି । ଏବେ ଆମେ ସେମାନଙ୍କୁ ଆଦିବାସୀ ବୋଲି କହୁଛୁ, ରାଜା ଅଶୋକଙ୍କ ସମୟରୁ ଆରମ୍ଭ କରି ଓଡ଼ିଶାର ଗଜପତି ରାଜାମାନଙ୍କ ପର୍ଯ୍ୟନ୍ତ ଅଭିଲେଖମାନଙ୍କରେ ସେମାନଙ୍କୁ ଆଟବିକ ଅର୍ଥାତ୍ ଅରଣ୍ୟବାସୀ ବୋଲି କୁହାଯାଇଛି । ସେହି ଅଷ୍ଟ୍ରିକମାନେହିଁ ଆମ ଧର୍ମ ଓ ଆମ ସଂସ୍କୃତିର ସବାମୂଳରେ ରହିଛନ୍ତି । ଆମ ଧର୍ମ ସାଂସ୍କୃତିକ ଜୀବନରେ କେତେ କେତେ ସାମଗ୍ରୀକୁ ଆମେ ସେହିମାନଙ୍କଠାରୁ ପାଇଛୁ । ସମୁଦାୟ ଭାରତ ବର୍ଷରେ ଯାହା ହୋଇଛି, ଓଡ଼ିଶାରେ ମଧ୍ୟ ସମଗ୍ରତଃ ତାହା ହୋଇଛି । ଆର୍ଯ୍ୟ ବ୍ରାହ୍ମଣ୍ୟ ବା ବୌଦ୍ଧ, ଜୈନ ପ୍ରଭୃତି ସମ୍ପ୍ରଦାୟର ଧର୍ମ କର୍ମ, ଶ୍ରାଦ୍ଧ, ବିବାହ, ଜନ୍ମ ଓ ମୃତ୍ୟୁ ସମ୍ବନ୍ଧୀୟ ଅଧିକାଂଶ ବିଶ୍ୱାସ, ବିଧି ତଥା ଅନୁଷ୍ଠାନ ଓ ଆଚାର ନାନା ଦେବଦେବୀଙ୍କର ରୂପ ଓ କଳ୍ପନା, ଆହାର ବିହାର ସମ୍ବନ୍ଧୀୟ ପ୍ରାୟ ଯାବତୀୟ ସ୍ପୃଶ୍ୟତା ଓ ଅସ୍ପୃଶ୍ୟତାକୁ ଆମେ ଆଦିବାସୀମାନଙ୍କଠାରୁ ଆତ୍ମସାତ କରିଛୁ । ବିଶେଷତଃ ହିନ୍ଦୁ ସମାଜର ଜନ୍ମାନ୍ତର ବାଦ, ପରଲୋକ ବିଷୟରେ ଧାରଣା, ପ୍ରେତତତ୍ତ୍ୱ, ପିତୃତର୍ପଣ, ପିଣ୍ଡଦାନ ଓ ଶ୍ରାଦ୍ଧୋପଚାର ସଂକ୍ରାନ୍ତୀୟ ଅନେକ ଅନୁଷ୍ଠାନକୁ ଆମେମାନେ ଆଦିବାସୀ ଅଷ୍ଟ୍ରିକ ସଂସ୍କୃତିରୁ ପାଇଛୁ । ଆମେ ଏବେ ମଧ୍ୟ ପାଳନ କରୁଥିବା ସବୁଯାକ ବ୍ରତ ଓ ଓଷା ମୂଳତଃ ସେହି ଅଷ୍ଟ୍ରିକ ସମାଜର । ଆମ ଗାଁମାନଙ୍କରେ ଏବେ ମଧ୍ୟ ପୂଜାପାଉଥିବା ଗ୍ରାମଦେବତା ଓ ଗ୍ରାମଦେବତୀମାନେ ମଧ୍ୟ ସେହି ପ୍ରାକ୍‌-ଆର୍ଯ୍ୟ କାଳର । ଶୀତଳ ବନଦୁର୍ଗା, ଷଷ୍ଠି, ନାନାବିଧ କଳ୍ପନାର ଚଣ୍ଡୀ, ନରମୁଣ୍ଡ ମାଳିନୀ, ଶ୍ମଶାନଚାରିଣୀ କାଳୀ ଓ ଶ୍ମଶାନଚାରୀ ଶିବ ଓ ପର୍ଣ୍ଣ ଶର୍ବରୀ ପ୍ରଭୃତି ଦେବଦେବୀମାନେ ପ୍ରକୃତରେ ଆର୍ଯ୍ୟ କାଳର ଅନେକ ପୂର୍ବରୁ କଳ୍ପିତ ହୋଇଛନ୍ତି ଓ ସମାଜକୁ ଆସିଛନ୍ତି । ପରବର୍ତ୍ତୀ କାଳରେ ନାନା ଆବଶ୍ୟକତାରେ ପଡ଼ି ସେମାନେ ବ୍ରାହ୍ମଣ୍ୟ ଓ ବୌଦ୍ଧଧର୍ମ ଭିତରକୁ ଆସିଛନ୍ତି, ସ୍ୱୀକୃତି ବି ଲାଭ କରିଛନ୍ତି । ରଥଯାତ୍ରା, ସ୍ନାନଯାତ୍ରା, ଦୋଳଯାତ୍ରା ପ୍ରଭୃତି ପର୍ବ ପ୍ରଧାନତଃ ଆଦିବାସୀମାନଙ୍କର । ଭାରତବର୍ଷର ନାନାସ୍ଥାନରେ ହୋଲିପର୍ବକୁ ଶୂଦ୍ରୋତ୍ସବ ବୋଲି କୁହାଯାଏ । ଆମ ରଜ ପର୍ବର ସଂସ୍କାରଟି ଆଦିମ ସମାଜ ଗୋଷ୍ଠୀର ପ୍ରଜନନ ଶକ୍ତିର ପୂଜା ଓ ତାହାର ଧର୍ମ ଧାରଣାଟି ସହିତ ଜଡ଼ିତ ହୋଇରହିଛି ।” (ସଂସ୍କୃତି ଓ ଓଡ଼ିଶା)

 

ସଂସ୍କୃତି ସମ୍ପର୍କରେ ଚିତ୍ତରଂଜନଙ୍କର ଦୃଷ୍ଟିଭଙ୍ଗୀ ଅତ୍ୟନ୍ତ ବ୍ୟାପକ । ଅନେକ ଏହାକୁ ଜୀବନଶୈଳୀ, ରୁଚି, ବିଚାର, ଧର୍ମୀୟ ଚେତନାର ସିଦ୍ଧରୂପେ ଆଦି ଭାବରେ ବିଚାର କରିଥାଆନ୍ତି । ସଭ୍ୟତା ସହିତ ସଂସ୍କୃତିକୁ ଏକକାର କରି ଦିଅନ୍ତି । ବାହାନା ବଢ଼ିଲେ ସଂସ୍କୃତି ବଢ଼େ ବୋଲି ମତ ଦିଅନ୍ତି । କିନ୍ତୁ ଚିତ୍ତରଂଜନ ଏହାକୁ ସଂସ୍କୃତିର ମୂଳରୂପ ଭାବରେ ଗ୍ରହଣ କରିବାକୁ ଆଦୌ ପ୍ରସ୍ତୁତ ନୁହଁନ୍ତି । ତେଣୁ ସେ ଭାରତୀୟ ସଭ୍ୟତା ଓ ସଂସ୍କୃତିର ଜଣେ ବିଜ୍ଞ, ଗୁଣୀ, ପଣ୍ଡିତ ଶ୍ରୀଯୁକ୍ତ ଆନନ୍ଦ କୁମାର ସ୍ୱାମୀଙ୍କ କଥା ମନେପକାଇଛନ୍ତି । ତାଙ୍କ ମତକୁ ବିଶେଷଣ କରିଛନ୍ତି । ପୂର୍ବେ ଭାରତୀୟ ସଂସ୍କୃତିକୁ ଅଧ୍ୟୟନ କରିବା ଲାଗି ବଡ଼ ବଡ଼ ପଣ୍ଡିତମାନେ ବିଦେଶରୁ ଭାରତବର୍ଷକୁ ଆସୁଥିଲେ । ଭାରତୀୟ ସଭ୍ୟତା ଓ ସଂସ୍କୃତି ତାଙ୍କୁ ଅଶେଷ ଶାନ୍ତି ପ୍ରଦାନ କରୁଥିଲା । କୌଣସି ଦ୍ରବ୍ୟସାମଗ୍ରୀ ବହୁଗୁଣିତ ଓ ବହୁସ୍ତୂପିତ ହେଲେ ସଂସ୍କୃତି ବଢ଼ିଲା ବୋଲି କୁହାଯାଇ ପାରିବନାହିଁ ବୋଲି ଶ୍ରୀ ଆନନ୍ଦ କୁମାର ସ୍ୱାମୀଙ୍କର ଅଭିମତ । ତାଙ୍କ ବିଚାରରେ ସଂସ୍କୃତି ଏକ ସମ୍ପତ୍ତି ନୁହେଁ; ସଂସ୍କୃତି ହେଉଛି ଏକ ଯୋଗ୍ୟତା । ସଂସ୍କୃତି ଏକ ମଣ୍ଡନ ନୁହେଁ, ସଂସ୍କୃତି ହେଉଛି ଜୀବନ ବା ଜୀବନକୁ ଏକ ବିଶେଷ ସ୍ୱଭାବ ଅର୍ଥାତ୍ ସ୍ୱକୀୟତା ଆଣିଦେଇ ପାରୁଥିବା ଓ ଜୀବନକୁ ଏକ ବିଶେଷ ସ୍ୱଭାବ ପରିପ୍ରେରିତ ରଙ୍ଗରେ ଉକୁଟାଇ ପାରୁଥିବା ଏକ ଜଳବାୟୁ । ସଂସ୍କୃତିକୁ ନେଇ ବଞ୍ଚୁଥିବା ମଣିଷ ସଂସ୍କୃତିକୁ ଏକ ସମ୍ପତ୍ତି ବୋଲି ଅନୁଭବ କରେ ନାହିଁ, ଏବଂ ସଂସ୍କୃତିକୁ କେବଳ ସମ୍ପତ୍ତି ବୋଲି ଅନୁଭବ କରିପାରିଲେ ଯାଇ ସଂସ୍କୃତିର ପ୍ରଦର୍ଶନ କରିହୁଏ । ଯିଏ ସଂସ୍କୃତିକୁ ନେଇ ବଞ୍ଚିଥାଏ, ତା’ର ଜୀବନହିଁ ସେହି ସଂସ୍କୃତିର ସର୍ବଶ୍ରେଷ୍ଠ ବାହକ, ଦ୍ୟୋତିକ ଓ ଦୃଷ୍ଟାନ୍ତ ହୋଇ ରହିଥାଏ । ଚିତ୍ତରଂଜନ କୁହନ୍ତି- “ସଂସ୍କୃତି କହିଲେ ଯେ ସର୍ବପ୍ରଥମେ ଓ ସର୍ବଶେଷରେ ମଣିଷକୁ ବୁଝାଏ । ମଣିଷ ସହିତ ମଣିଷକୁ ବାନ୍ଧି ରଖିପାରୁଥିବା ଏକ ଅନୁଭୂତ ଐକ୍ୟକୁ ବୁଝାଏ, ଆମକୁ ସେହି କଥାଟାକୁ ଅଙ୍ଗେ ନିଭାଇବାକୁ ହୁଏ ସେଇଟିର ପ୍ରୟୋଜନ ଅନୁଭବ କରିବାକୁ ହୁଏ ।” (ଜାତିରେ ମୁଁ ଯବନ)

 

ସଂସ୍କୃତିର ମୂଳରେ ରହିଛି ଜୀବନ । ଆମେ ଜୀବନକୁ ବୁଝିପାରିଲେ ସଂସ୍କୃତିକୁ ଆପେ ଆପେ ବୁଝିହୋଇ ଯାଆନ୍ତା । ଆମ ସଂସ୍କୃତି ଯେତେବେଳେ ଆମ ବର୍ତ୍ତମାନର ଜିଜ୍ଞସାଟାକୁହିଁ ସବା ଆଗ ଆପଣାର ଅସଲ ଜିଜ୍ଞାସା ବୋଲି ଗ୍ରହଣ କରି ନିଅନ୍ତା ସେତେବେଳେ ଆମ ସଂସ୍କୃତି ଭିତରୁ ଅନେକ ଅନେକ ଅହମିକା ଏବଂ ସେହି ଅହମିକାତଳେ ଆତ୍ମଗୋପନ କରି ରହିଥିବା ସ୍ୱଳ୍ପତାଗୁଡ଼ାକ ଅନେକ ପରିମାଣରେ ଦୂର ହୋଇପାରନ୍ତା । ଲେଖକ ଚିତ୍ତରଂଜନ ଅନ୍ୟାନ୍ୟ ବିଷୟପରି ସଂସ୍କୃତିରେ ହିଁ ମଣିଷର ସର୍ବଶ୍ରେଷ୍ଠ ପ୍ରାଧାନ୍ୟ ଉପଲବ୍ଧି କରିଛନ୍ତି । ମଣିଷହିଁ ତାଙ୍କ ସର୍ଜନାତ୍ମକ ସାହିତ୍ୟର ଶ୍ରେଷ୍ଠ ଉପାଦାନ । ମଣିଷ ସଂସ୍କୃତିର ଉପାସକ । ସେ ସଂସ୍କୃତିକୁ ମାନେ, ସମ୍ମାନ ଦିଏ, ସାଂସ୍କୃତିକ ନୀତିନିୟମକୁ ମାନି ଚଳିବାକୁ ଚେଷ୍ଟାକରେ । ଅପସଂସ୍କୃତିଠାରୁ ଦୂରେଇ ରହିବାକୁ ଉଚିତ ମନେକରେ । ସମୟର ପରିବର୍ତ୍ତନ ଅନୁସାରେ ପ୍ରୟୋଜନକୁ ଆଖି ଆଗରେ ରଖି ସଂସ୍କୃତିର ଆଙ୍ଗିକ ଓ ଆତ୍ମିକକୁ ବଦଳାଏ । ବାସନା ବଢ଼ିଲେ ସଂସ୍କୃତି କେବେ ଆପେ ଆପେ ବଢ଼ିଯାଏ ନାହିଁ । ଦ୍ରବ୍ୟସାମଗ୍ରୀ ବହୁଗୁଣିତ ବା ବହୁସ୍ତୁପିତ ହେଲେ ମଧ୍ୟ ସଂସ୍କୃତ ବଢ଼େ ନାହିଁ କିନ୍ତୁ ଆମ ବାସନାଗୁଡ଼ାକ ସତତ ପରିମାର୍ଜିତ ହେଲେ ଏବଂ ଗୁଣାତ୍ମକତାରେ ପରିବର୍ତ୍ତନ ଘଟିଲେ ତାହାରି ଦ୍ୱାରାହିଁ ସଂସ୍କୃତି ଅସଲ ଘରଟିକୁ ଧରି ରହିପାରେ । ସବୁଥିରେ ସଂସ୍କାର ରହିଛି । ଆମେ ଏତେ ଧର୍ମଭୀରୁ ଯେ, ସଂସ୍କାରଗୁଡ଼ାକୁ ହିଁ ମହାପୁଣ୍ୟର ମାର୍ଗ ବୋଲି ଗ୍ରହଣ କରିନେଇଥାଉ ଅନ୍ୟମାନଙ୍କୁ ହିଁ ସେହିଶିକ୍ଷା ଦେବାକୁ ପ୍ରୟାସ କରୁ । କିନ୍ତୁ ଏହା ଏକ ଭୁଲ ଧାରଣା, ଧର୍ମ, ଆଧ୍ୟାତ୍ମିକତା ଓ ସଂସ୍କୃତି- ଏହା ଜୀବନ ଧାରଣାର ତିନୋଟି ମାର୍ଗ । ଏ ସମ୍ପର୍କରେ ‘ଶିକ୍ଷାର ବିବେକ’ ପ୍ରବନ୍ଧ ସଂକଳନରେ ଡକ୍ଟର ଚିତ୍ତରଂଜନ ଦାସ ଲେଖିଛନ୍ତି- “ବିଶ୍ୱ ବିବର୍ତ୍ତନର ଧାରାରେ ବ୍ୟକ୍ତି ତଥା ଗୋଷ୍ଠୀରୂପେ ସଚେତନ ଭାବରେ ସହଯୋଗ କରିପାରିବା, ସେହି ସହଯୋଗର ଯୋଗ୍ୟ ହେବାକୁ ହିଁ ଜୀବନର ସର୍ବୋତ୍ତମ ଶ୍ରଦ୍ଧା ଓ ସର୍ବୋତ୍ତମ ତପସ୍ୟା ବୋଲି ଗ୍ରହଣ କରିନେବା- ତାହାହିଁ ଆଧ୍ୟାତ୍ମିକତା” ଆଧ୍ୟାତ୍ମିକତାକୁ ଆକାଶରୂପେ ବ୍ୟବହାର କରି ପୃଥିବୀରେ ଯାବତୀୟ ଧର୍ମର ଆବିର୍ଭାବ ହୋଇଛି ସତ ମାତ୍ର ଧର୍ମମାନେ ଏକାଧିକ ଅନୁରକ୍ତିର ଫାଶ ଭିତରେ ପଡ଼ିଯାଇ କେତେଟା ସଂସ୍କାରକୁ ହିଁ ଧର୍ମର ସବାବଡ଼ ସନ୍ତକରୂପେ ମାନି ନେଇଛନ୍ତି ସେଥିଲାଗି ଗୋଟିଏ ଧର୍ମର ସଂସ୍କାର ଆଉ ଗୋଟିଏ ଧର୍ମର ସଂସ୍କାରଠାରୁ ଅଲଗା ପ୍ରକାର ହୋଇ ରହିଛି, ଏବଂ ତାହାର ପରିମାଣସ୍ୱରୂପ, ପୃଥିବୀର ବିଭିନ୍ନ ଧର୍ମ ମଣିଷ ମଣିଷ ମଧ୍ୟରେ ବହୁ ବିଭେଦର ଆରୋପଗୁଡ଼ାକୁହିଁ ଧାର୍ମିକତାର ଅସଲ ପରିମଳ ବୋଲି ଦେଖାଇବାର ଷଡ଼ଯନ୍ତ୍ର କରିଆସିଛି ।”

 

ସଂସ୍କୃତି ଆମକୁ କେତୋଟି ନୀତିନିୟମର ମାର୍ଗ ଦେଖାଇଛି । ପ୍ରତ୍ୟେକ ଧର୍ମକୁ ଏବଂ ସଂସ୍କୃତିକୁ ଏକଭାବରେ ଗ୍ରହଣ କରିବାର ପରମର୍ଶ ଦେଇଛି । ନୂତନ ଦିଗରେ ସନ୍ଧାନ ପାଇଁ ପ୍ରେରଣା ଦେଇଛି । ଡକ୍ଟର ଚିତ୍ତରଂଜନ ଦାସ ଅନେକ ସଂସ୍କୃତିମୂଳକ ପ୍ରବନ୍ଧର ରଚୟିତା । ତାଙ୍କର ଏହି ପ୍ରବନ୍ଧଗୁଡ଼ିକ ପାଠକ ତଥା ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ ଓ ଶିକ୍ଷଣୀୟ ।

 

(ଙ) ଶିକ୍ଷାସମ୍ପର୍କିତ ପ୍ରବନ୍ଧ :

 

ଚିତ୍ତରଂଜନ ଦାସ ଛାତ୍ର ଜୀବନରୁ ଶିକ୍ଷକଟିଏ ହେବାର ଲକ୍ଷ୍ୟ ରଖିଥିଲେ । ତାଙ୍କ ସମ୍ମୁଖରେ ସେତେବେଳେ ବହୁପ୍ରକାର ପ୍ରଲୋଭନ ଥିଲା । ଡାକ୍ତର, ଇଞ୍ଜନିୟର, ରାଜନେତା, ପ୍ରଶାସନିକ ଅଧିକାରୀ ହେବାପାଇଁ ତାଙ୍କ ପରିବାର ଓ ଶୁଭକାମୀମାନେ ବହୁ ସ୍ୱପ୍ନ ଦେଖିଥିଲେ । ସେ ଶିକ୍ଷା ଲାଭର ଯେତେ ସୋପାନ ପରେ ସୋପାନ ଅତିକ୍ରମ କରୁଥିଲେ ପରିବାର ତାଙ୍କଠାରୁ ବହୁତ ଲାଭ କରିବାର ଆଶାୟୀ ହୋଇଉଠିଥିଲା । ବହୁ ଧନ ରୋଜଗାର କରିବାର ପଥ ତାଙ୍କ ପାଇଁ ଖୁବ୍ ସୁଗମ ଥିଲା । ଦେଶ ବିଦେଶର ବହୁସ୍ଥାନକୁ ଯାଇ ସେ ଶିକ୍ଷା ଲାଭ କରିଛନ୍ତି, ଯାହାପୂର୍ବରୁ ଆଲୋଚନା କରାଯାଇଛି । ସେ ଧନ ରୋଜଗାର କରିବାରେ ଶିକ୍ଷାଲାଭକୁ ପ୍ରାଧାନ୍ୟ ନ ଦେଇ ମୂଲ୍ୟଭିତ୍ତିକ ତଥା ଗୁଣାତ୍ମକମାନର ଅବିବୃଦ୍ଧିର ସହାୟକ ଶିକ୍ଷାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଡିଗ୍ରୀ, ଡିପ୍ଲୋମା, ଗବେଷଣା ଆଦି ତାଙ୍କୁ ପ୍ରଲୁବ୍ଧ କରିପାରିନାହିଁ, ସେ ବହୁ ଉଚ୍ଚତର ଅଧ୍ୟୟନ କରିଛନ୍ତି, ସାରାଜୀବନ ଗବେଷଣାରେ ବିତାଇଛନ୍ତି । ଅଧ୍ୟୟନ ଓ ଅଧ୍ୟାପନାକୁ ଜୀବନର ବ୍ରତକରି ଆଗେଇଛନ୍ତି ଏବଂ ଏଥିରେ ତାଙ୍କୁ ଅନେକ ଶାନ୍ତି ମିଳିଛି । ମୌଳିକ ଶିକ୍ଷାକୁ ଗୁରୁତ୍ୱ ଦେବାପାଇଁ ସେ ଡେନ୍‍ମାର୍କରୁ ଫେରି ଚମ୍ପତ୍ତିମୁଣ୍ଡାରେ ଜୀବନ ବିଦ୍ୟାଳୟ ଗଠନ କରିଛନ୍ତି । ଆଗ୍ରାରେ ଅନେକ ବର୍ଷ ଅଧ୍ୟାପନା କରିଛନ୍ତି । ବିଭିନ୍ନ ସମୟରେ ଅଧ୍ୟାପନା ପାଇଁ ତାଙ୍କୁ ବିଦେଶରୁ ନିମନ୍ତ୍ରଣ ଆସିଛି । ଶେଷରେ ଓଡ଼ିଶାରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସର୍ବୋଚ୍ଚ ପଦବୀରେ ରହି ଓଡ଼ିଶାରେ ଏହି ଶିକ୍ଷାର ବିକାଶ ଦିଗରେ ଯଥେଷ୍ଟ ଉଦ୍ୟମ କରିଛନ୍ତି । ଏଥିପାଇଁ ତାଙ୍କୁ ବହୁ ପାଠଚକ୍ରର ଆୟୋଜନ କରିବାକୁ ପଡ଼ିଛି ଏବଂ ଆୟୋଜିତ ହୋଇଥିବା ଅନେକ ପାଠଚକ୍ରରେ ଯୋଗଦେଇ ନିଜର ଅନର୍ଗଳ ଭାଷଣ ମାଧ୍ୟମରେ ଶିକ୍ଷାର ବହୁବିଧ ଦିଗ ଉପରେ ଆଲୋକପାତ କରିଛନ୍ତି ।

 

ଚିତ୍ତରଂଜନ ଶିକ୍ଷା ଦିଗରେ ଥିଲେ ଜଣେ ଅନୁଭୂତି ସିଦ୍ଧ ମଣିଷ । ତେଣୁ ସବୁଠାରୁ ଶିକ୍ଷାକୁ ସେ ଅଧିକ ଗୁରୁତ୍ୱ ଦେଉଥିଲେ ତାଙ୍କ ଭିନ୍ନ ଦୃଷ୍ଟିରେ ଶିକ୍ଷା ମନୁଷ୍ୟକୁ ମାର୍ଜିତ, ରୁଚିଶୀଳ ଓ ଏକ ମୂଲ୍ୟବୋଧ ପ୍ରତି ଶ୍ରଦ୍ଧା ଜନ୍ମାଇ ଥାଏ । ଶିକ୍ଷା ପ୍ରତିତାଙ୍କ ଦୃଷ୍ଟିକୋଣ ଅଧିକ ପ୍ରଶସ୍ତ ଥିବାରୁ ସେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ଘୋର ବିରୋଧୀ ଥିଲେ । ଶିକ୍ଷାକୁ ସେ ଆତ୍ମ ପରିପୂର୍ଣ୍ଣତାର ମାର୍ଗ ଭାବରେ ବିବେଚନା କରୁଥିଲେ । ପ୍ରଚଳିତ ଶିକ୍ଷା ଆଡ଼ମ୍ବର ପୂର୍ଣ୍ଣ କିନ୍ତୁ ଅନୁଭୂତିହୀନ । ଏଥିରେ ଆତ୍ମୀୟତା ନାହିଁ, ଅଛି ଅଂହମିକା । ଭାରତ ବର୍ଷର ଅନେକ ଲୋକଙ୍କ ଧାରଣା ଯେ, ବେଶୀ ପଇସା ନ ହେଲେ ଭଲ ଶିକ୍ଷକ ମୋଟେ ସମ୍ଭବ ହୋଇପାରିବ ନାହିଁ ଏହା ବଡ଼ ବଡ଼ିଆଙ୍କ ମଧ୍ୟରେ ଥିବା ଏକ ଅନିଷ୍ଟକାରୀ ଅନ୍ଧବିଶ୍ୱାସ । କିନ୍ତୁ ଏହି ହାୱା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ି ବଢ଼ିଚାଲିଛି । ଏହା ଏକ ବ୍ୟାଧିରେ ପରିଣତ ହୋଇଗଲାଣି । ଏପରି ଭ୍ରମ ଧାରଣାଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରକୃତ ଶିକ୍ଷା ମଣିଷର ଭିତରେ ଥିବା ଧନଗୁଡ଼ିକର ସନ୍ଧାନ କରେ । ସେହି ଧନଗୁଡ଼ିକୁହିଁ ସବୁଠାରୁ ବଡ଼ଧନ ବୋଲି ସ୍ୱୀକୃତି ଦିଏ । ଆମ ଭିତରେ ସେହି ଧନଗୁଡ଼ିକ ପ୍ରଚ୍ଛନ୍ନ ଭାବରେ ରହିଛନ୍ତି । ତା’କୁ ପ୍ରଥମେ ଚିହ୍ନିବା ଦରକାର । ଶିକ୍ଷାରେ କୌଣସି ଜାତି ପ୍ରଥା ନାହିଁ, ଧନୀ ଗରିବର ବାଛ ବିଚାର ନାହିଁ । ଏହାର ହୃଷ୍ଟାନ୍ତଭାବେ ସେ ଏକଲବ୍ୟକୁ ଗ୍ରହଣ କରିଛନ୍ତି । ‘ଏକଲବ୍ୟ’ କଥା ପ୍ରବନ୍ଧରେ ତାଙ୍କର ଶିକ୍ଷାଲାଭ ପ୍ରତିଥିବା ପ୍ରତ୍ୟେକ ଛାତ୍ରର ମନୋଭାବ ସେ ଖୁବ୍ ସୁନ୍ଦର ଭାବରେ ବ୍ୟକ୍ତ କରିଛନ୍ତି । ସେଥିପାଇଁ ଦ୍ରୋଣଙ୍କୁ ସେ ଜଣେ ସତ୍ ଶିକ୍ଷକ କହିବାକୁ ନାକ ଟେକିଛନ୍ତି ।

 

ଚିତ୍ତରଂଜନ ସବୁବେଳେ ପରିବର୍ତ୍ତନ ଚାହିଛନ୍ତି । ପୁରାତନ ପ୍ରତି ଶ୍ରଦ୍ଧା ରହିଥିଲେ ମଧ୍ୟ ନୂତନକୁ ସ୍ୱାଗତ କରିଛନ୍ତି । ତାଙ୍କ ଭାଷାରେ- “ନୂତନ ଶିକ୍ଷା ବୋଲି ଯାହା ଏବେ ଆମ ଲାଗି ଆମ ଦୁଆରେ ଅପେକ୍ଷା କରିରହିଛି ତାହା ହେଉଛି ଆମକୁ ଏହି ଆତ୍ମୀୟତାର ବେଢ଼ିଟି ମଧ୍ୟକୁ ଫେରାଇ ଆଣିବାର ଶିକ୍ଷା । ଆମକୁ ଏକ ଶ୍ରଦ୍ଧାର ଉଦବୋଧନ ମଧ୍ୟକୁ ଫେରାଇ ନେଇ ଆସିବାର ଶିକ୍ଷା, ଯେଉଁଠି ଆତ୍ମୀୟତା ରହିଥାଏ, ସେଠାରେ ଏକ ସମଗ୍ର ଦୃଷ୍ଟି ମଧ୍ୟଥାଏ; ଜୀବନ ସହିତ ଏକ ସମଗ୍ର ସ୍ପର୍ଶଲାଭର ସାମର୍ଥ୍ୟ ମଧ୍ୟ ଥାଏ ।” (ଶିକ୍ଷାର ବିବେକ) ନୂତନ ଶିକ୍ଷା ହେଉଛି ଜୀବନଟା ଭଲ ଲାଗିବାର ଶିକ୍ଷା । ଜୀବନରେ ଯାହା ହୋଇଛି, ଯାହା ହେବାରେ ଲାଗିଛି ଯାହା ହେବାକୁ ବାକି ରହିଛି, ଏଇ ସମସ୍ତକୁ ଗଭୀର ଭାବରେ ଭଲ ଲାଗିବାର ଶିକ୍ଷା । ଏହି ଶିକ୍ଷା ନିଜ ଜୀବନକୁ ଏକ ଆଶୀର୍ବାଦରୂପେ ଗ୍ରହଣ କରିବାର ଶିକ୍ଷା, ନିଜର ଅର୍ଜ୍ଜନସବୁକୁ ଏକ ବୃହତ୍ତର ସମ୍ଭାବ୍ୟତା ସକାଶେ ବ୍ୟବହାର କରିପାରିବାର ଶିକ୍ଷା । ଶିକ୍ଷା ସବୁବେଳେ ପରିବର୍ତ୍ତନକୁ ଅପେକ୍ଷା ରଖେ । ପରିବର୍ତ୍ତିତ ଶିକ୍ଷା ପଦ୍ଧତି ସହ ନିଜକୁ ଖାପଖୁଆଇ ପାରିଲେ ପ୍ରତ୍ୟେକ ଛାତ୍ରର ଆକାଂକ୍ଷା ପୂର୍ଣ୍ଣ ହୁଏ ଏବଂ ଶିକ୍ଷକ ସମାଜ ନୂତନ ଅଭିଜ୍ଞତା ଅର୍ଜନ କରେ । ତେଣୁ ସେ ‘ନୂଆଶିକ୍ଷା’ ପ୍ରବନ୍ଧରେ ଲେଖିଛନ୍ତି- “ନୂଆ ଶିକ୍ଷା ହେଉଛି ଏକ ନୂତନ ସମ୍ଭାବନା ଅର୍ଥାତ୍ ନୂତନ ପୃଥିବୀର ଆଗ୍ରହ ରଖିଥିବା ଶିକ୍ଷା, ମଣିଷକୁ ମଣିଷ ପାଖରେ ଏକ ନୂତନ ସମ୍ବନ୍ଧ ଦେଇ ପରିଚିତ କରାଇ ଦେଉଥିବା ଶିକ୍ଷା, ମଣିଷକୁ ମଣିଷର ସହଯୋଗୀ ଏବଂ ସହଚାରୀ କରି ତିଆରି କରିବାର ଅଭିଳାଷ ରଖିଥିବା ଶିକ୍ଷା । ଏହି ଶିକ୍ଷାରେ ବଡ଼ ସାନକୁ ଅବଜ୍ଞା କରେ ନାହିଁ, ସେ ତାକୁ ସମ୍ମାନ କରେ, ଶ୍ରଦ୍ଧାକରେ । ଏଥିରେ ପ୍ରବୀଣ ନବୀନକୁ ଭୟକରେ ନାହିଁ । ସେ ନବୀନ ମଧ୍ୟରେ ଆପଣାର ପୂର୍ଣ୍ଣତାର ପରିଣତିଟିକୁ ଖୋଜି ବୁଲେ ଏବଂ ସେହି ଅନୁସାରେ ନବୀନକୁ ନବ ନବ ଦୁଃସାହସର ଓ ନବ ନବ ଅନୁରାଗର ପ୍ରେରଣା ଦେବାରେ ଲାଗିଥାଏ । ଏବଂ, ଯେଉଁ ଦେଶର ଶିକ୍ଷାଳୟମାନଙ୍କରେ ଏହି ଅନୁରାଗ ଓ ଏହି ପ୍ରେରଣାଟି ବଞ୍ଚି ରହିଥାଏ, ସେହି ଦେଶଟି ମଧ୍ୟ ସ୍ୱୟଂ ବଞ୍ଚିରହିଥାଏ । ସେହି ଦେଶ ଆପଣାର ଯଥାର୍ଥ ଆଶାଟିକୁ ଧାରଣା କରି ବଞ୍ଚି ରହିଥାଏ ।”

 

ଅନେକ ଶିକ୍ଷାକୁ ଯୁଗୋପଯୋଗୀ କରିବା ଉପରେ ଗୁରୁତ୍ୱ ଦିଅନ୍ତି । କିନ୍ତୁ ଲେଖକ ଏଥିପ୍ରତି ଉତ୍ସାହୀ ନୁହନ୍ତି । ଏପରି ଶିକ୍ଷାକୁ ଶିକ୍ଷା ବୋଲି କହିବା ଅନ୍ୟାୟ ବୋଲି ତାଙ୍କର ମତ । ସେ ସର୍ବଦା ଯୁଗସୃଷ୍ଟିକାରୀ ଶିକ୍ଷାରେ ପ୍ରଗାଢ଼ ବିଶ୍ୱାସୀ । ଶିକ୍ଷା ଲାଭ ପାଇଁ ଛାତ୍ରର ଯେପରି ଶ୍ରଦ୍ଧା ରହିବା ଦରକାର ଶିକ୍ଷକର ଅନୁରୂପ ଉତ୍ସାହ ଥିବା ଆବଶ୍ୟକ । ତେଣୁ ଲେଖକ କୁହନ୍ତି- “ଖାଲି ଉଦ୍‌ଗାର କରିଦେଲେ ପାଠପଢ଼ା ହୋଇଯାଏ ନାହିଁ । ପାଠପଢ଼ା ଲାଗି ଗୋଟିଏ ଅନୁକୂଳ ବାତାବରଣ ଦରକାର, ଉତ୍ସାହର ବାତାବରଣ ଦରକାର । ଯୋଉ ବିଦ୍ୟାଳୟରେ ଶିକ୍ଷକ ଛାତ୍ରକୁ ସ୍ୱୀକାର କରେ, ସେ ବିଦ୍ୟାଳୟରେ ଉତ୍ସାହରେ ହିଁ ସବୁକଥା ଚାଲିଥାଏ । ପ୍ରତ୍ୟେକ ପ୍ରକାର ଦେବା ନେବାର କାମକୁ ଏହି ଉତ୍ସାହହିଁ ଏକ ଉତ୍ସବରେ ପରିଣତ କରି ରଖିଥାଏ । ବିଦ୍ୟାର୍ଜନ ଲାଗି ଛାତ୍ରର ଉତ୍ସାହ ନ ଥିଲେ ଶିକ୍ଷକର ଉତ୍ସାହ ମଧ୍ୟ ସ୍ଥାୟୀ ହୋଇ ରହିପାରେନାହିଁ । ନାନା ପ୍ରକାର କୃପଣତା ତାକୁ କ୍ଷୁଦ୍ରକରି ପକାଏ । ତେଣୁ ବିଦ୍ୟାଦାନ ବା ବିଦ୍ୟା ଗ୍ରହଣକୁ ଆମେ ଏକ ତରଫା କାମ ବୋଲି କଦାପି ବିଚାର କରିବା ନାହିଁ । ତୁମ ଭିତରେ ଯେତେବେଶୀ ଉତ୍ସାହ ଥିବ, ଶିକ୍ଷକଙ୍କୁ ଉତ୍ସାହୀ କରି ରଖିବାରେ ତାହା ନିଶ୍ଚୟ ସାହାଯ୍ୟ କରିବ । ତୁମମାନଙ୍କର ଗ୍ରହଣ କରିବାର ଉତ୍ସାହ ଶିକ୍ଷକର ଦେବାର ଉତ୍ସାହକୁ ସହସ୍ର ଗୁଣରେ ବଢ଼ାଇ ଦେବ । କିନ୍ତୁ ତେଣେ ଗ୍ରହଣ କରିବାର ଉତ୍ସାହ ନ ଥିଲେ ଏଣେ ବି ଉତ୍ସାହ କମିଯିବ । ପୁଣି ଉତ୍ସାହ କମିଗଲେ ଜ୍ଞାନ, ପାଠ, ବା ପାଣ୍ଡିତ୍ୟ କୌଣସି କାମ ଦେବନାହିଁ । ପରସ୍ପରର ଏତେ ପାଖରେ ରହିଥିଲେ ମଧ୍ୟ ଆମେ ପରସ୍ପରଠାରୁ ଅନେକ ଦୂରକୁ ଚାଲିଯିବା” । (ଜୀବନ ବିଦ୍ୟାଳୟ)

 

ଚିତ୍ତରଂଜନ ଦାସ ଶିକ୍ଷା ଜଗତର ଜଣେ ବିସ୍ମୟପୁରୁଷ । ସେ ଅନୁଗୁଳଠାରେ ଯେଉଁ ନୂଆ ଶିକ୍ଷାକ୍ରାନ୍ତିଟିର ଆରମ୍ଭ କରିଥିଲେ ତାହାର ନାମ ଥିଲା ‘ଜୀବନ ବିଦ୍ୟାଳୟ’ । ଶିକ୍ଷାର୍ଥୀର ଜ୍ଞାନ ଲାଭର ପରିପୂର୍ଣ୍ଣତା ଦିଗରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଶିକ୍ଷାର ସର୍ବୋତ୍ତମ ବ୍ୟବସ୍ଥାକୁ ସାକାର କରିବା ଲକ୍ଷ୍ୟ ନେଇ ସେ ବହୁ ପ୍ରବନ୍ଧ ରଚନା କରିଛନ୍ତି । ସବୁପିଲାଙ୍କ ଲାଗି ସମୁଚିତ ଶିକ୍ଷାର ବ୍ୟବସ୍ଥା ହୋଇନପାରିବା ପର୍ଯ୍ୟନ୍ତ ଆମ ଦେଶର ମଣିଷ ମଣିଷ ହୋଇ ଠିଆ ହୋଇପାରିବନାହିଁ ବୋଲି ସେ ଦୃଢ଼ ମତ ପୋଷଣ କରନ୍ତି । ଶିକ୍ଷା ବିଷୟରେ ସେ ଅନେକ ପ୍ରବନ୍ଧ ଲେଖିଥିଲେ ହେଁ ତାଙ୍କଦ୍ୱାରା ରଚିତ ‘ଜୀବନ ବିଦ୍ୟାଳୟ’ ଏବଂ ‘ଜଙ୍ଗଲ ଚିଠି’ ଦୁଇଟି ପୁସ୍ତକ ଅତ୍ୟନ୍ତ ଉପାଦେୟ । ଗୁରୁମାନଙ୍କର କର୍ତ୍ତବ୍ୟ କେବଳ ପାଠପଢ଼ାଇବା ଓ କାମ କରାଇବା ଭିତରେ ସୀମିତ ନୁହେଁ । ସେ ଛୋଟ ପିଲାର ପ୍ରାର୍ଥନାଠାରୁ ଆରମ୍ଭ କରି ଭଲ ଖେଳ ପର୍ଯ୍ୟନ୍ତ ସେମାନଙ୍କ ସାଙ୍ଗେ ସାଙ୍ଗେ ରହିବା ଦରକାର । ତେଣୁ ସେ ଜଙ୍ଗଲ ଚିଠିରେ ଲେଖିଛନ୍ତି- “ଏକାଦଶ ସ୍କନ୍ଧରେ ଅଜଗର ଅବଧୂତ ମୁନିଙ୍କ ଗୁରୁ ହୋଇ ରହିବା ପରି ଏହି ବାକ୍ୟଟି ପ୍ରତ୍ୟେକ ଜିଜ୍ଞାସୁ ଓ ବର୍ଦ୍ଧିଷ୍ଣୁ ଶିକ୍ଷକଙ୍କର ଗୁରୁବାକ୍ୟ ହୋଇ ରହିବା ଉଚିତ । ଅନ୍ତୁଡ଼ିଶାଳରୁ ମରିବାଯାଏ ଗାନ୍ଧିଜୀ ‘ନଈ ତାଲିମ’ର କଳ୍ପନା କରିଥିଲେ । ଆମର ତାଲିମ ସେହିପରି ‘ଛ’ ଘଣ୍ଟିଆ ନ ହୋଇ ଚବିଶ ଘଣ୍ଟିଆ ହେବା ଚାହିଁ । ଆମେ ପ୍ରଧାନତଃ ଶିଖିବା, ତା’ପରେ ଶିଖାଇବାଲାଗି ଡେଣା ମେଲି ବସିବା, ଆଗ ଗ୍ରହଣ କରିବା, ତା’ପରେ ଅଜାଡ଼ି ଦେବାର ଆଡ଼ମ୍ବର ଦେଖାଇବା । ପିଲା କେବଳ ବାପ ଆଗରେ ସୁନାପୁଅ ବା ଅବଧାନ ଆଗରେ ସୁନାଚାଟ ହେଲେ ଆମ କାମ ସରିଯିବା ନାହିଁ । ପିଲାକୁ ସମାଜ ଲାଗି ଜଣେ ସୁସ୍ଥ, ସାଧୁ ଓ ସହଯୋଗୀ ନାଗରିକ ତଥା ଈଶ୍ୱରଙ୍କ ଆଖିରେ ଜଣେ ସଚ୍ଚା ମଣିଷ କରିବାକୁ ହେବ, ଏହି ଶେଷଟିରେ ହିଁ ସବୁପ୍ରକାର ଜୀବନ ବିକାଶର ପରିପୂର୍ତ୍ତି, ସବୁପ୍ରକାର ଶିକ୍ଷାର ଉତ୍କର୍ଷ ନିହିତ ।”

 

ଶିକ୍ଷା ସବୁ ଶ୍ରେଣୀ ଓ ସବୁ ବର୍ଗର ପିଲାଙ୍କ ପାଇଁ ଉଦ୍ଦିଷ୍ଟ । ଶିକ୍ଷାଲାଭରେ ଶିକ୍ଷକ ଯେପରି କୌଣସି ପକ୍ଷପାତ ନ ରଖନ୍ତି ସେଥିପ୍ରତି ସତର୍କ କରାଇ ଦେଇଛନ୍ତି । ସେ ମୌଳିକ ଶିକ୍ଷାପ୍ରତି ବିଶେଷ ଗୁରୁତ୍ୱ ଦିଅନ୍ତି । ଦୀର୍ଘ ଦିନଧରି ଚଳି ଆସୁଥିବା ଆମ ଦେଶର ଶିକ୍ଷା ପଦ୍ଧତି ତ୍ରୁଟିପୂର୍ଣ୍ଣ । ଏଥିରେ ଆମର ବ୍ୟକ୍ତିଗତ ଓ ସାମାଜିକ ଜୀବନ ବିଶେଷ କିଛି ଉପକୃତ ନ ହୋଇ ବିପନ୍ନ ହୋଇଛି । ଯେତେ କ୍ଷତିକାରକ ହେଲେ ମଧ୍ୟ ଅନେକ ପୁରୁଣାରେ ରହିବାକୁ ଭଲ ପାଆନ୍ତି କିନ୍ତୁ ଯେ କୌଣସି ନୂଆ ଜିନିଷକୁ ସଂଶୟ ଦୃଷ୍ଟିରେ ଦେଖନ୍ତି । ଅନେକ ଲୋକ ମୌଳିକ ଶିକ୍ଷା ବିଷୟରେ ଆପତ୍ତି ଉଠାନ୍ତି, ଅଭିଯୋଗ ବାଢ଼ନ୍ତି । ସେମାନଙ୍କର ଯୁକ୍ତି ହେଲା ଯଦି ମୌଳିକ ଶିକ୍ଷାରେ ଏତେ ଭଲ ଜିନିଷ ଅଛି ତେବେ ମନ୍ତ୍ରୀନେତା, ହାକିମ ଓ ବଡ଼ବଡ଼ିଆ ଲୋକ ସେମାନଙ୍କ ପିଲାଙ୍କୁ ମୌଳିକ ସ୍କୁଲକୁ ପଠାଉ ନାହାନ୍ତି କାହିଁକି? ତେଣୁ ଦେଶରେ ସଂଖ୍ୟାଗରିଷ୍ଠ ମତ ପୁରୁଣା ଶିକ୍ଷାନୀତି ସପକ୍ଷରେ ଯାଉଥିବାରୁ ସେ ଖେଦପ୍ରକାଶ କରିଛନ୍ତି ଏବଂ କହିଛନ୍ତି- “ଗଣତନ୍ତ୍ରକୁ କେବଳ ସଂଖ୍ୟାଗରିଷ୍ଠ ମତରେ ଅତ୍ୟାଚାର ବୋଲି ଧରିନେଇ ଆମେ ଇତିହାସରେ ଅନେକ ଥର ଠକିଛୁ, କେତେ ମହାପୁରୁଷଙ୍କୁ ଗୁଳି ମାରିଚୁ, କେତେ ପ୍ରବୀଣ ପଣ୍ଡିତ ଓ ବୈଜ୍ଞାନିକଙ୍କୁ ନିଆଁରେ ପୋଡ଼ିମାରିଚୁ, କେତେ କେତେ ଧାର୍ମିକ ଲୋକଙ୍କୁ ମାଡ଼ମାରିଚୁ, ଆମର ଲୋଭ, ମୋହ, ଅହଙ୍କାରକୁ କେତେ ପ୍ରଶ୍ରୟ ଆମେ ଦେଇଚୁ ।” (ଜଙ୍ଗଲ ଚିଠି)

 

ଜଣେ ଶିକ୍ଷାବିତ୍ ଭାବରେ ଚିତ୍ତରଂଜନ ଥିଲେ ବହୁ ପ୍ରଶଂସାର ଅଧିକାରୀ । ଦେଶରେ ବହୁତ ଭଲ ଶିକ୍ଷକ ଥିବା କଥା ସେ ସ୍ୱୀକାର କରିଛନ୍ତି । ଭଲ ଗୁରୁ ନ ଥିଲେ ଉତ୍ତମ ଛାତ୍ର ସୃଷ୍ଟି ହୋଇପାରିବେ ନାହିଁ । ତଥାପି ଆମ ଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ଘୁଣଖିଆ ହେବାରେ ଦିନକୁ ଦିନ ଲାଗିଛି । ତେଣୁ କୌଣସି ନୂତନ ଚିନ୍ତା ଓ ଚେତନାରେ ଛାତ୍ର ସମାଜ ଅନୁପ୍ରାଣିତ ହୋଇନପାରିବା ସ୍ୱାଭାବିକ ମନେହେଉଛି । ଦେଶରେ ଅନେକ ଭଲ ଶିକ୍ଷକ ଥିଲେ ମଧ୍ୟ ଅଣଶିକ୍ଷକମାନଙ୍କଦ୍ୱାରା ଶିକ୍ଷାର ମାନ ହ୍ରାସ ହେବାରେ ଲାଗିଛି । ତେଣୁ ଲେଖକଙ୍କ ଭାଷାରେ- “ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ସତ୍ ଶିକ୍ଷକ ରହିଛନ୍ତି ଓ ଅଣଶିକ୍ଷକମାନଙ୍କ ହାତରେ ଶିକ୍ଷାର ଅଢ଼ାକୁ ଟେକି ଦେଇଛନ୍ତି ।” (ଶିକ୍ଷାରୁ ସଂକ୍ରମଣ)

 

ଆମ ଦେଶର ଉଚ୍ଚଶିକ୍ଷା ଲାଭ କରୁଥିବା ଯୁବକ ଯୁବତୀମାନେ ଆତ୍ମନିର୍ଭରଶୀଳ ନ ହୋଇ ଘରୁ ବାପା ମାଆଙ୍କଠାରୁ ପଇସା ନେଇ ପାଠ ପଢ଼ନ୍ତି । ଏହାଦ୍ୱାରା ସେମାନେ ନିଜ ଗୋଡ଼ରେ ଠିଆ ହେବାକଥା ଶିଖିପାରନ୍ତି ନାହିଁ । ନିଜକୁ ସବୁମତେ ସ୍ୱାବଲମ୍ବୀ ହେବାର ସାହସ ସେମାନଙ୍କର ନିଅଣ୍ଟ ଥାଏ । କିନ୍ତୁ ଅନେକ ଦେଶର ବ୍ୟବସ୍ଥା ମଧ୍ୟରେ ଏପରି କଥା ଉଚ୍ଚଶିକ୍ଷା ଲାଭ କରୁଥିବା ଯୁବକମାନଙ୍କଠାରେ ସମ୍ଭବି ନ ଥାଏ । ସେମାନେ ଯେତେ ବଡ଼ ଲୋକର ପିଲା ହେଲେ ମଧ୍ୟ ଘରୁ ପଇସା ନେଇ ପାଠପଢ଼ନ୍ତି ନାହିଁ । ନିଜେ ରୋଜଗାର କରନ୍ତି ଏବଂ ନିଜ ଅର୍ଜନରୁ ପାଠ ପଢ଼ନ୍ତି । ଏହାଦ୍ୱାରା ସେମାନଙ୍କର ନିଜକୁ ଜଣେ ଜଣେ ସଫଳ ମଣିଷ ଭାବରେ ଗଢ଼ିବାର ସାହସ ବଢ଼ିଚାଲେ । ଆମ ଦେଶରେ କିନ୍ତୁ ଏହାର ବିପରୀତ ଲକ୍ଷଣମାନ ଦେଖିବାକୁ ମିଳେ । ଲେଖକ କୁହନ୍ତି- “ଉଚ୍ଚଶିକ୍ଷା ଲାଭ କରୁଥିବା ଯୁବକମାନେ ଆମେ ଦେଶରେ ଆପଣାର ଶିକ୍ଷାଲାଭ ଲାଗି ଆପଣା ଉପରେ ନିର୍ଭର କରନ୍ତି ନାହିଁ । ସେମାନେ ଘରୁ ପଇସା ଆଣି ପାଠପଢ଼ନ୍ତି । ତେଣୁ ଆପଣା ଉପରେ ନିର୍ଭର କରି ମଣିଷ ହେଲେ ମଣିଷ ଭିତରେ ଯେଉଁ ମେରୁଦଣ୍ଡଟି ଭିତରେ ଭିତରେ ଗଢ଼ି ହୋଇ ଉଠୁଥାଏ, ଯାହା ମଣିଷକୁ ବିଶ୍ୱାସ ଦିଏ ଓ ବଳିଷ୍ଠ କରେ, ଆମ ଦେଶରେ ପାଠପଢ଼ୁଥିବା ଯୁବକ ମଧ୍ୟରେ ଅନେକ ସମୟରେ ସେହି ମେରୁଦଣ୍ଡଟି ତିଆରି ହୋଇପାରେନାହିଁ-। ପୁରୋଦୃଷ୍ଟିସମ୍ପନ୍ନ ଅନେକ ଦେଶରେ ସେପରି ହୁଏ ନାହିଁ । ଘରେ ଅଜସ୍ର ପଇସା ରହିଥିଲେ ମଧ୍ୟ ସେଠି ସାଧାରଣତଃ କେହି, ଅର୍ଥାତ୍ କୌଣସି ପୁଅ ଝିଅ ଉଚ୍ଚଶିକ୍ଷାର ସ୍ତରକୁ ଆସି ଘରୁ ପଇସା, ନେଇ ପାଠପଢ଼େନାହିଁ । ସେ ନିଜେ ରୋଜଗାର କରେ ଓ ନିଜ ଅର୍ଜନରୁ ପାଠପଢ଼େ । ସେଥିପାଇଁ ସଂସାରକୁ ବାହାରିବାବେଳେ ସେ ଆପଣାକୁ ଏକ ମେରୁଦଣ୍ଡ ବିଶିଷ୍ଟ ମଣିଷପରି ଅନୁଭବ କରି ସଂସାରକୁ ବାହାରେ, ସଂସାରକୁ ଅନାଇବାବେଳେ ମେରୁଦଣ୍ଡ ସିଧାକରି ଅନାଇବାକୁ ସମର୍ଥ ହୁଏ । ସମ୍ଭବତଃ ଏହି କାରଣରୁହିଁ ଆମର ଏଠି ଯୁବକମାନଙ୍କୁ ଓ ଛାତ୍ରମାନଙ୍କୁ ଭାରି ସହଜରେ ଅଡ଼ାଇ ନେଇହୁଏ, ତଡ଼ାଇ ଦେଇ ମଣାଇ ଦେଇ ହୁଏ, ଭଳାଇ ବାଉଣ୍ଡାଇ ଦେଇହୁଏ; ବଡ଼ ଅଳପକରେ ମୁଗ୍ଧ କରିଦେଇ ହୁଏ ଓ ଗୋଡ଼ ଖସାଇ ଦେଇ ହୁଏ । ସେମାନଙ୍କ ଉଦବେଳନ ଶକ୍ତିକୁ ବଡ଼ ସହଜରେ ବିକ୍ଷିପ୍ତ ବା ଭାରଚ୍ୟୁତ କରି ଦେଇ ହୁଏ ।” (ଏକଲବ୍ୟ କଥା ଓ ଅନ୍ୟାନ୍ୟ ପ୍ରବନ୍ଧ)

 

ଚିତ୍ତରଂଜନ ପୃଥିବୀର ଅନେକ କୋଣ ଅନୁକୋଣକୁ ଭ୍ରମଣରେ ଯାଇଛନ୍ତି । ବିଦେଶରେ ରହି ପାଠପଢ଼ି ଆସିବାପରେ ଓଡ଼ିଶାରେ ଚମ୍ପତ୍ତିମୁଣ୍ଡାରେ ବିଦ୍ୟାଳୟ ଖୋଲିଛନ୍ତି । ତାଙ୍କର ଲକ୍ଷ୍ୟ ଏବଂ ସ୍ୱପ୍ନ ଥିଲା ଗୋଟିଏ । ଗାନ୍ଧିଜୀଙ୍କ ଚିନ୍ତାଧାରା ସହିତ ଡେନ୍‍ମାର୍କର ଶିକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ଆଣିଥିବା କ୍ରିଷ୍ଣେନ୍ କଲ୍‌ଲ ଡେନ୍‍ମାର୍କରେ ଶିକ୍ଷାରେ ଯେଉଁ ପ୍ରୟୋଗ କରିଥିଲେ, ତାହାକୁ କାର୍ଯ୍ୟକାରୀ କରିବା । ସେ ଅଠରଟି ଭାଷାରେ ଦକ୍ଷତା ଲାଭ କରିଥିଲେ । ଲେଖକ ଇଂରାଜୀ ସହିତ ଅନେକ ବିଦେଶୀ ଭାଷାର ମହାନ୍‍ ସୃଷ୍ଟିଗୁଡ଼ିକର ଓଡ଼ିଆରେ ଅନୁବାଦ କରି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି । ବିଶ୍ୱରେ ଶିକ୍ଷାର ପ୍ରୟୋଗ ହୋଇଥିବା ବିଭିନ୍ନ ପୁସ୍ତକଗୁଡ଼ିକୁ ଓଡ଼ିଆରେ ଅନୁବାଦ କରିଛନ୍ତି ଓ ଓଡ଼ିଶାରେ ଶିକ୍ଷକ ଓ ଶିକ୍ଷାକ୍ଷେତ୍ରରେ ଏହି ପ୍ରୟୋଗଗୁଡ଼ିକୁ ବେଶ ଆଗ୍ରହର ସହିତ ଶିକ୍ଷକ ଓ ଶିକ୍ଷାବିତମାନଙ୍କ ନିକଟରେ ପହଞ୍ଚିଛି । ଅନେକ ପସନ୍ଦ କରିଛନ୍ତି । ଅନେକ ଉଚ୍ଚପ୍ରଶଂସା ବି କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଅନୂଦିତ ପୁସ୍ତକମାନଙ୍କ ମଧ୍ୟରେ ‘ମୋ ହୃଦୟ ପିଲାଙ୍କ ପାଇଁ’ ଜଣେ ଶିକ୍ଷକଙ୍କୁ ଚିଠି ‘ଶିକ୍ଷାରେ କ୍ରାନ୍ତିକାରୀ କ୍ରିଷ୍ଣେନ୍ କଲଲ୍‌’ ଆଦି ପ୍ରଧାନ । ଓଡ଼ିଶାରେ କେବଳ ନୁହନ୍ତି ସମଗ୍ର ଭାରତବର୍ଷରେ ତାଙ୍କପରି ଜଣେ ସ୍ୱାଧୀନଚେତା ଓ ସ୍ପଷ୍ଟମତ ଦେଉଥିବା ଶିକ୍ଷାବିତ୍ ପାଇବା ଏତେ ସହଜ ନୁହେଁ ।

 

(ଚ) ରାଜନୀତିକ ପ୍ରବନ୍ଧ :

 

ରାଜନୀତି ପୃଥିବୀର ଯେତେପ୍ରକାର ନୀତି ଅଛି ତନ୍ମଧ୍ୟରେ ଶ୍ରେଷ୍ଠ । ତେଣୁ ନୀତି ପୂର୍ବରୁ ଏକ ବିଶେଷଣାତ୍ମକ ପଦ ‘ରାଜ’ର ପ୍ରୟୋଗ ହେଲା । ଅନ୍ୟ ଭାବରେ କହିଲେ ଏହା ତତ୍କାଳୀନ ରାଜା ରାଜୁଡ଼ାମାନଙ୍କ ନୀତି ଓ ଆଦର୍ଶ ସମ୍ପର୍କିତ ହୋଇଥିବାରୁ ଏହାର ଏପରି ନାମକରଣ ସମ୍ଭବତଃ କରାଯାଇଛି । ପ୍ରତିଯୁଗରେ ରାଜାମାନେ ଏ ଦେଶକୁ ଶାସନ କରୁଥିଲେ । ସେମାନେ ପ୍ରଜା ବା ଲୋକମାନଙ୍କଦ୍ୱାରା ନିର୍ବାଚିତ ନ ହୋଇ ଉତ୍ତରାଧିକାରୀ ସୂତ୍ରରେ ରାଜା ହୋଇ ରାଜ୍ୟ ଶାସନ କରୁଥିଲେ । କିନ୍ତୁ ଏହା ଯେତିକି ଶୁଭଙ୍କର ଥିଲା ତା’ଠାରୁ ଅଧିକ ଥିଲା କ୍ଷତି କାରକ । ସବୁ ରାଜବଂଶର ଉତ୍ତର ପୁରୁଷମାନେ ଯେ ଏ ଦେଶକୁ ଠିକ୍ ଚଳାଇବେ ଏବଂ ଲୋକମାନଙ୍କର ହାରିଗୁହାରି ଶୁଣି ଉଚିତ ନ୍ୟାୟ ଦେବେ ଏମିତି କିଛି ଗ୍ୟାରେଣ୍ଟି ନ ଥିଲା । ଅନେକ ରାଜାଥିଲେ, ସ୍ୱେଚ୍ଛାଚାରୀ । ସେମାନଙ୍କର ଅତ୍ୟାଚାରିତ ଶାସନରେ ଜନସମାଜ ଅଣନିଃଶ୍ୱାସୀ ହୋଇପଡ଼ୁଥିଲା, କିନ୍ତୁ ପ୍ରତିବାଦ କରିବାର ଜୁ ନ ଥିଲା । ସମୟ କ୍ରମେ ରାଜତନ୍ତ୍ରର ପତନ ଘଟିଲା ଏବଂ ଗଣତନ୍ତ୍ର ଶାସନ ପ୍ରକ୍ରିୟା ଆରମ୍ଭ ହେଲା, ଲୋକମାନେ ଭୋଟ ବ୍ୟବସ୍ଥା ମାଧ୍ୟମରେ ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ଯେତେ ପ୍ରକାରର ପ୍ରତିନିଧି ଦରକାର ସେମାନଙ୍କୁ ନିର୍ବାଚନ କଲେ । ଅସତ୍ୟ ଅନ୍ୟାୟ ହେଲେ ପ୍ରତିବାଦ ଧର୍ମଘଟ ଅନଶନ ଆଦି କରିବାକୁ ଆଗେଇ ଆସିଲେ । ପୃଥିବୀରେ ଏବେବି କେତେକ ଦେଶରେ ରାଜତନ୍ତ୍ର ରହିଥିବା ପରିଲକ୍ଷିତ ହୁଏ ।

 

ଦେଶରେ ଦୁର୍ନୀତିମୁକ୍ତ ଶାସନ ଚାଲିବ ବୋଲି ଲୋକେ ପ୍ରଧାନମନ୍ତ୍ରୀଠାରୁ ୱାର୍ଡ଼ ମେମ୍ବର ପର୍ଯ୍ୟନ୍ତ ସମସ୍ତଙ୍କୁ ବାଛିଲେ । କିନ୍ତୁ ରାଜନୀତିରେ ଦୁର୍ନୀତି ଏତେ ଚେର ମାଡ଼ିଯିବ ବୋଲି କାହାର ବିଶ୍ୱାସ ନ ଥିଲା । ଚିତ୍ତରଂଜନ ଦାସଙ୍କୁ ରାଜନୀତିରେ ଅଂଶ ଗ୍ରହଣ କରିବା ପାଇଁ ତାଙ୍କ ଛାତ୍ର ଜୀବନରୁ ଅନେକ ନେତା ଭରସା କରିଥିଲେ । କିନ୍ତୁ ସେ ସ୍ୱାଧୀନତା ପାଇଁ ସଂଗ୍ରାମ କରି ଜେଲ ଗଲେ, କିନ୍ତୁ ରାଜନୀତିର ଗୋଳିଆ ପାଣି ଭିତରକୁ ଯିବାକୁ କେବେବି ଇଚ୍ଛା ପ୍ରକଟ କରିନଥିଲେ । ଦେଶ ସ୍ୱାଧୀନ ହେବାପରେ ଗଣତନ୍ତ୍ର ପଦ୍ଧତିର ପ୍ରଚଳନ ହେଲା, ହେଲେ ଲୋକମାନେ ପ୍ରତିନିଧି ଭାବରେ ନିର୍ବାଚିତ ହୋଇ ଗାଦିକୁ ଗଲାପରେ ଶାସନ ନାମରେ ଶୋଷଣ କରି ଚାଲିଲେ । ଗାଡ଼ି, ଘୋଡ଼ା, ସହରରେ ବିଭିନ୍ନ ଜାଗାରେ ପକ୍କାଘର ଆଉ କେତେ କ’ଣ କଲେ ଆମରି ପଇସାରେ । ହେଲେ ଭୋଟ ପୂର୍ବରୁ ଜନତାଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ଏକାବେଳକେ ପାଞ୍ଚବର୍ଷ ପାଇଁ ଭୁଲିଗଲେ । ଚିତ୍ତରଂଜନ ଦେଶବିଦେଶର ରାଜନୀତି ବିଷୟରେ ବେଶ୍‍ ସଚେତନ ଥିଲେ । ଏଥିପାଇଁ ସେ ଅନେକ ପ୍ରବନ୍ଧ ମଧ୍ୟ ଲେଖିଛନ୍ତି । ତେଣୁ ସେ ଦୈନିକ ‘ଧରିତ୍ରୀ’ର ଏକ ସମ୍ପାଦକୀୟ ସ୍ତମ୍ଭରେ ଲେଖିଛନ୍ତି- “ଦେଶରେ ରାଜନୀତି ବୋଲି ଯାହା ଚାଲିଛି, ସେଥିରେ ଅସଲ ରାଜନୀତି କିଛି ହେଲେ ନାହିଁ ! ଭୋଟ ହେଉଛି, ସରକାର ଗଢ଼ା ହେଉଛି- ଲୋକପ୍ରତିନିଧିମାନେ ଏପାଖ ସେପାଖ ହୋଇ ବସୁଛନ୍ତି ଓ କେଡ଼େ ସନ୍ତର୍ପଣରେ ଦେଶକୁ ଚଳାଉଛନ୍ତି । ଦେଶକୁ ଚଳାଇବା ନାଆଁରେ ଏମାନେ ଦେଶର ଗୋଡ଼ରେ ପଥର ବାନ୍ଧି ରଖିଛନ୍ତି । ଦେଶରେ ବହୁକୋଟି ମଣିଷ ଅଛନ୍ତି ଓ ସେମାନଙ୍କ ଭିତରୁ ଅନେକଙ୍କର ଅତ୍ୟାବଶ୍ୟକ କଥାଗୁଡ଼ିକ ଏ ପର୍ଯ୍ୟନ୍ତ ପୂରଣ ହୋଇନାହିଁ ବୋଲି ପ୍ରତିନିଧିମାନଙ୍କର ମନେନାହିଁ । ରାତି ପାହିବ, ରାତି ଅଲବତ ପାହିବ ବୋଲି କେତେ ଆଡ଼ମ୍ବର ସହିତ କୁହାଯାଉଛି, ମାତ୍ର ରାତି ପାହୁନାହିଁ । ଦେଶର ସବୁ ମଣିଷଙ୍କୁ ଆଖି ଆଗରେ ରଖି କେଉଁଠି କିଛି ହେଉନାହିଁ । ବରଂ ଦଳେ ଭଡ଼ାରେ ଧୋବଲା ପିନ୍ଧିଥିବା ଲୋକ ଅଛନ୍ତି, ଯେଉଁମାନେ ହିଁ ରାତିଟାକୁ ଆହୁରି ଅଧିକ ଜବର ରଖିବାକୁ ହିଁ ଏ ଦେଶର ଗଣତନ୍ତ୍ରକୁ ପୋଇଲି ପରି ଖଟାଉଛନ୍ତି । ଯେପରି ସବୁକିଛି ଫିସାଦ ଅନୁସାରେ ଘଟୁଥିବ, ଅଥଚ କେହି ଧରାପଡ଼ିବେ ନାହିଁ ବା କେହି କାଇଲି ହୋଇ ଦଣ୍ଡ ପାଇବେ ନାହିଁ ।”

 

ଭାରତ ବର୍ଷର ରାଜନୀତି ବିଚିତ୍ର ଗଣତନ୍ତ୍ରର ଧାରାକୁ ଆପଣେଇ ଗତି କରି ଚାଲିଛି । ଏଠି ଗୋଟିଏ ଦୁଇଟି ଦଳ ମଧ୍ୟରେ ରାଜନୀତି ସୀମିତ ନୁହେଁ ବରଂ ବହୁଦଳୀୟ ବ୍ୟବସ୍ଥା ମଧ୍ୟରେ ରାଜନୀତି ଉବୁଟୁବୁ ହେଉଛି । ସମସ୍ତ ଦଳର ଗୋଟିଏ ସ୍ୱର ଏ ଦେଶପାଇଁ କିଛି କରିବାକୁ ହେବ କିନ୍ତୁ ପ୍ରକୃତରେ ସେମାନଙ୍କ ଅନ୍ତରାତ୍ମାରେ ତାହା ନାହିଁ । କେବଳ ଆସନ ଓ ସିଂହାସନ ପାଇଁ ଦଳଦଳ ଭିତରେ ପ୍ରତିଯୋଗିତା, କଳିକଜିଆ, ହୋହାଲ୍ଲା । ନଚେତ ସ୍ୱାଧୀନତାର ସତୁରୀ ବର୍ଷ ପରେ ମଧ୍ୟ ଦେଶର ଜନତାଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ ହୋଇପାରିଲା ନାହିଁ? ରାଜନେତାମାନେ ରାଜନୀତିକୁ ପ୍ରଫେସନାଲ କରି ବଢ଼ିବାକୁ ଚେଷ୍ଟା କଲେ । ରାଜନୀତିର ବାହାରେ ଏହି ପ୍ରଫେସନାଲମାନଙ୍କର କୌଣସି ପରିଚୟ ରହିଲା ନାହିଁ । ଲୋକମାନେ ଏହି ପ୍ରଫେସନାଲ ରାଜନେତାମାନଙ୍କ ଯଥାସମ୍ଭବ ଆପଣାର ହେବାଲାଗି ବାଟ ଖୋଜିଲେ । ଗୋଡ଼ ଧରିବାକୁ ବି ପଛାଇଲେ ନାହିଁ । କିନ୍ତୁ ଚିତ୍ତରଂଜନ ଏପରି ରାଜନୀତି ସାମୂହିକ ଜନତାଙ୍କ ବିଶ୍ୱାସକୁ ମାରା କରିଦେବା କହିଛନ୍ତି । ପାଶ୍ଚାତ୍ୟ ଦେଶମାନଙ୍କ ରାଜନୀତି ବିଷୟରେ ସେ କୁହନ୍ତି- “ପାଶ୍ଚାତ୍ୟ ଓ ପୋଖତ ଦେଶମାନଙ୍କରେ ରାଜନୀତି ରହିଛି ଓ ସେଠାରେ ମଧ୍ୟ ପ୍ରଫେସନାଲ ପରି ପ୍ରତୀତ ହେଉଥିବା ରାଜନୀତିକ ନେତା ଓ ଅନ୍ୟ ମଣିଷମାନେ ରହିଛନ୍ତି ସତ, ମାତ୍ର ସେଠାରେ ରାଜନୀତିକ ସମସ୍ତଙ୍କର ସ୍ୱଜୀବନରେ ସ୍ୱାଭାବିକ ପ୍ରଫେସନମାନ ରହିଛି । ଅର୍ଥାତ୍ ସେମାନେ ପ୍ରଥମେ କୃଷକ, ଶ୍ରମିକ, ଶିକ୍ଷକ କିମ୍ବା ଆଇନଜୀବୀ ଏବଂ କେବଳ ରାଜନୀତିର କ୍ଷେତ୍ରରେ ହିଁ ରାଜନୀତିକ । ରାଜନୀତିକୁ କୌଣସି ଅନ୍ୟକ୍ଷେତ୍ରରେ ନେଇ ପୂରାଇବାଟା ସେଠାରେ ପ୍ରାୟ କାହାରି ଅଭ୍ୟାସ ହୋଇ ରହିନଥାଏ । ଅଧିକନ୍ତୁ ସେସବୁ ଦେଶରେ ସବୁମଣିଷଙ୍କ ନିମନ୍ତେ ସର୍ବନିମ୍ନ ଅତ୍ୟାବଶ୍ୟକ ସଂସ୍ଥାନଗୁଡ଼ିକର ପୂରଣ ଆଗରୁ ହୋଇସାରିଛି- ସେଥିଲାଗି ଆବଶ୍ୟକ ପରିବର୍ତ୍ତନ ଓ ବିପ୍ଳବଗୁଡ଼ିକୁ ସେମାନେ ଆଗରୁ ଅଙ୍ଗେ ନିଭାଇ ସାରିଛନ୍ତି । ତେଣୁ ସେଠାରେ ରାଜନୀତି ଆମଠାରୁ ଅନ୍ୟ ପ୍ରକାରେ ହେବା ଅତ୍ୟନ୍ତ ସ୍ୱାଭାବିକ । ମାତ୍ର ଭାରତବର୍ଷ ତଥା ନବ ସ୍ୱାଧୀନ ବହୁ ଦେଶରେ ବହୁ ଅତ୍ୟାବଶ୍ୟକ ପରିବର୍ତ୍ତନ ଓ ପୁନଃ ବ୍ୟବସ୍ଥା ଏବେ ମଧ୍ୟ ବାକି ରହିଛି ଏବଂ ଯଥାର୍ଥ ନେତୃତ୍ୱର ହାତ ଲାଗି ଅପେକ୍ଷା କରି ରହିଛି । (ବିଶ୍ୱକୁ ଗବାକ୍ଷ)

 

ଭାରତବର୍ଷର ଲୋକମାନେ ଏବେସୁଦ୍ଧା ରାଜନୀତି ବିଷୟରେ ସଚେତନ ନୁହନ୍ତି । ସେମାନଙ୍କୁ ଆହୁରି ଅନେକ ବର୍ଷ ଯାଏ ରାଜନୀତିକ ଚେତନାରେ ଜାଗ୍ରତ କରାଇବାକୁ ପଡ଼ିବ । ରାଜନୀତିକମାନେ କ୍ଷମତାର ଥାଆନ୍ତୁ ଅଥବା ତା’ର ବାହାରେ ଥାଆନ୍ତୁ ଯେ କୌଣସି ମତେ କ୍ଷମତାକୁ ଅଧିକାର କରିବା ଅପେକ୍ଷା ଅଧିକରୁ ଅଧିକ ମଣିଷ ସଚେତନ କରାଇ ସେମାନଙ୍କୁ ମୂଳ ରାଜନୀତିକ ତଥା ସାମାଜିକ ପ୍ରକ୍ରିୟାଗୁଡ଼ିକ ମଧ୍ୟକୁ ସକ୍ରିୟ କରାଇ ଆଣିବାହିଁ ଏଠି ଯଥାର୍ଥ ନେତୃତ୍ୱର ସର୍ବପ୍ରଧାନ ଅଭିପ୍ରାୟ ହୋଇ ରହିବା ଉଚିତ ବୋଲି ଲେଖକଙ୍କର ଦୃଢ଼ମତ । ଚିତ୍ତରଂଜନ ଶସ୍ତା ରାଜନୀତି କରୁଥିବା ଲୋକମାନଙ୍କୁ ପସନ୍ଦ କରନ୍ତି ନାହିଁ । ସେ ସ୍ୱଚ୍ଛ, ନିର୍ମଳ ଏବଂ ଜନସାଧାରଣ କଲ୍ୟାଣ ଉପଯୋଗୀ ଶାସନର ସ୍ୱାଗତ କରିଛନ୍ତି । କିନ୍ତୁ ଏବେ ଯେଉଁ ରାଜନୀତି ଭାରତ ବର୍ଷ ଓ ଓଡ଼ିଶାରେ ଚାଲିଛି ତାହା ବ୍ୟବସାୟ ବିନା ଅନ୍ୟକିଛି ନ ହୋଇପାରେ । ଏଥିରେ ଲୋକମାନଙ୍କର ସମ୍ମତି ରହିଛି । କେବଳ ରାଜନୀତି କାହିଁକି ଆମର ଶିକ୍ଷା, ଆଦର୍ଶ, ସେବା ପ୍ରାୟ ଯାବତୀୟ ଜୀବନ କ୍ଷେତ୍ର ଏକ ବ୍ୟବସାୟରେ ପରିଣତ ହୋଇଗଲାଣି । ଏ ବ୍ୟାଧି ଦୂର ନ ହେବା ପର୍ଯ୍ୟନ୍ତ ଦେଶର ସର୍ବବିଧ ମଙ୍ଗଳ ସାଧନ ହୋଇପାରିବନାହିଁ । ଦେଶର ଉନ୍ନତିକୁ ଅଗ୍ରାଧିକାର ଦେଇ ନେତାମାନେ ଯଥାସମ୍ଭବ ତ୍ୟାଗନିଷ୍ଠ ହେବା ଉଚିତ । ଜନସାଧାରଣଙ୍କର ବିଶ୍ୱାସକୁ ନେଇ ଖେଳିଲେ ଲାଭ କିଛି ହେବ ନାହିଁ ବରଂ ସମୟ ହାତରେ ରାଜନେତାମାନେ ଅପରାଧୀ ହୋଇ ରହିବା ସୁନିଶ୍ଚିତ ।

 

ଚିତ୍ତରଂଜନ ଦେଶର ରାଜନୀତି ଓ ରାଜନେତାମାନଙ୍କୁ ନିଜର ଲେଖା ମାଧ୍ୟମରେ ବହୁ ପରାମର୍ଶ ଦେବାକୁ ଚେଷ୍ଟା କରିଛନ୍ତି । ଭୋଟ ପାଇବା ରାଜନୀତିକୁ ନେଇ ଯେଉଁ ନେତା ବ୍ୟବସାୟ କରନ୍ତି ତାଙ୍କ ଦୃଷ୍ଟିରେ ସେମାନେ ଘୃଣ୍ୟ ଜଘନ୍ୟ, ଅପରାଧୀ । ଲୋକେ ଗଣତନ୍ତ୍ରର ପ୍ରକୃତ ମୂଲ୍ୟ ଆଜି ପର୍ଯ୍ୟନ୍ତ ବୁଝିପାରି ନାହାନ୍ତି । ନଚେତ ଜାନୁଆରୀ ୨୬କୁ ନୋଟିସ ଦିଆଯାଇ ଗଣତନ୍ତ୍ର ଦିବସ ପାଳନ କରାଯାଉନଥାନ୍ତା । ଏ ଦେଶର ରାଜନେତାଙ୍କ ଆଚରଣରେ ସେ ଯେତିକି କ୍ଷୁବ୍ଧ ତା’ଠାରୁ ଅଧିକ ବିସ୍ମିତ । ତେଣୁ ସେ କୁହନ୍ତି- “ଏ ଦେଶରେ ରାଜନୀତି ଭିତରେ ରହିଥିବା ମଣିଷକୁ ଦେଖି ଆହୁରି କାବା ଲାଗୁଛି । ଏହି ମଣିଷ ସତେ ଯେପରି ଆଉ କୌଣସିଥିରେ ବିଶ୍ୱାସ କରୁନାହିଁ । ଗୋଟିଏ ଭବିଷ୍ୟ ଯେ ରହିଛି ଏବଂ ତାହା ଯେ ଅନେକ ମଣିଷଙ୍କର ଅନୁରାଗ ଏବଂ ଆତ୍ମଦାନ ଦେଇ ଗଢ଼ାହେବ । ସେ କଥା ବର୍ତ୍ତମାନର ଉପରିସ୍ଥ ମଣିଷମାନେ ସତେ ଅବା ମୋଟେ ବିଶ୍ୱାସ କରୁନାହାନ୍ତି । ତେଣୁ ଅତ୍ୟନ୍ତ ଅନୁରାଗହୀନ ଭାବରେ ସେମାନେ ନିଜର ଗାତଟିଏ କରି ତାହାକୁହିଁ ଅନେକ ସମ୍ପତ୍ତି ଏବଂ ଅନେକ କ୍ଷମତାଦ୍ୱାରା ସଜାଇ ତାକୁ ଆପଣା ଜୀବନର ସର୍ବୋଚ୍ଚ ପର୍ବତ ବୋଲି ମନେକରୁଛନ୍ତି । ଏବଂ, ଏହି ପର୍ବତଟା ଉପରେ ଏପରି ଦମ୍ଭ ସହିତ ବସି ସେମାନେ ପ୍ରକୃତରେ କେଡ଼େ ଅସୁନ୍ଦର ଦେଖାଯାଉଛନ୍ତି । ସେମାନେ ଯେତିକି ଯେତିକି ଅଧିକ ଚଲାଖ ହେଉଛନ୍ତି । ଅଧିକ ଆତ୍ମକାତର ହୋଇପଡ଼ୁଛନ୍ତି । ସେତିକି ସେତିକି ଅଧିକ ଅଧିକ ଅବର୍ଜିଆ ଦେଖାଯାଉଛନ୍ତି, ଏମାନେ କେହି ରହିବେ ନାହିଁ, ତଥାପି ଦେଶ ରହିବ, ତଥାପି ମଣିଷ ରହିବ, ଭବିଷ୍ୟର ସ୍ୱପ୍ନ ତଥାପି ରହିବ ।” (ପଥୀ-ବନ୍ଧୁପ)

 

ଆମ ଦେଶର ରାଜନୀତିରେ ସର୍ବଦା ଅସ୍ଥିରତା ଲାଗି ରହିଛି । ଶାସକ ଓ ବିରୋଧୀ ସବୁ ସମୟରେ ଗୋଟିଏ ନିର୍ଦ୍ଦିଷ୍ଟ ନୀତିରେ ସ୍ଥିର ଓ ଏକମତ ନୁହନ୍ତି । ଗାଦି ଚାଲିଯିବାର ଭୟ ଏହାର ସମ୍ଭବତଃ ମୁଖ୍ୟ କାରଣ । ତେଣୁ ରାଜନୀତିରେ ସ୍ଥିରତା ଆଣିବା ଅପେକ୍ଷା ସେମାନେ ନିଜ ସ୍ଥିରତା ବିଷୟରେ ବେଶି ମୁଣ୍ଡ ଖେଳାନ୍ତି । ଯେଉଁସବୁ ଦେଶରେ ଯେଉଁସବୁ ରାଜନୀତିକ ଦଳ ଦେଶ ଅପେକ୍ଷା ନିଜର ଭାଗ୍ୟକୁ ହିଁ ସର୍ବାଗ୍ରସ୍ଥାନରେ ନେଇ ରଖିଥାନ୍ତି, ସେମାନେ ପ୍ରତିକଥାରେ ରାଜନୀତିରେ ସ୍ଥିରତା କଥା ଉଠାନ୍ତି । ବ୍ୟକ୍ତିଗତ ବିପଦକୁ ଜାତୀୟ ବିପଦ ଏବଂ ବ୍ୟକ୍ତିଗତ ଜରୁରୀ ଅବସ୍ଥାକୁ ଜାତୀୟ ଜରୁରୀ ଅବସ୍ଥା ବୋଲି କହି ସମସ୍ତଙ୍କ ଉପରେ ଲଦି ଦିଅନ୍ତି । ଜାତିକୁ ରକ୍ଷା କରିବା ପରିବର୍ତ୍ତେ ନିଜ ସୁରକ୍ଷାକୁ ଗଣତନ୍ତ୍ରର ନିୟମ ବୋଲି ମନେକରିଥାନ୍ତି । ଭାରତବର୍ଷର ରାଜନୀତିକ ସ୍ଥିରତା ସମ୍ପର୍କରେ ସମ୍ପାଦକର ସ୍ତମ୍ଭ ତୃତୀୟ ଖଣ୍ଡରେ ଲେଖକ ଲେଖିଛନ୍ତି- “ଭାରତ ବର୍ଷର ରାଜୀନୀତିକ ସ୍ଥିରତା କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର କ୍ଷମତାରେ ତିଷ୍ଠି ରହିବାର ସ୍ଥିରତାକୁ ବୁଝାଏ ନାହିଁ । ଗୋଟିଏ ଦଳ ଆସେ, ଗୋଟିଏ ଦଳ ଯାଏ; ଏକ ଚେତନାଶୀଳ ରାଜନୀତିକ ସମୂହ ହିସାବରେ ଜାତି ଅଗ୍ରଗତି କରିବାରେ ଲାଗିଥାଏ- ଆତ୍ମ ବିଶ୍ୱାସ ବଢ଼େ ଭାଗ୍ୟ କହିଲେ ସେ ଆପଣା ହାତରେ ଆପଣାର ବାଟଟିକୁ ଗଢ଼ିବା ବୋଲି ଅଧିକରୁ ଅଧିକ ପରିମାଣରେ ବିଶ୍ୱାସ କରି ଶିଖେ । ଯେକୌଣସି ରାଜନୀତିକୁ ଦଳ ଅଥବା ନେତାର ବ୍ୟକ୍ତିଗତ ଭାଗ୍ୟଠାରୁ ଯେ ଜାତିର ଭାଗ୍ୟ ଅନେକ ବଡ଼, ଦେଶରେ ଅଧିକାଂଶ ମଣିଷ ଆପଣାର ରାଜନୀତିକ ବିଚାରକୁ ଏହି ଦିଗରେ ଅନୁପ୍ରେରିତ କରି ଶିଖନ୍ତି । ଭାରତବର୍ଷର ପରମ୍ପରା ଭାରତବର୍ଷର ରାଜନୀତିକ ଅଭିଜ୍ଞତା ଭାରତବର୍ଷକୁ ଗତ ତିରିଶ ବର୍ଷ ଭିତରେ ନିଶ୍ଚୟ ଏତିକି ଶିକ୍ଷା ଦେଇପାରିଛି ବୋଲି ଯେଉଁମାନେ ବିଶ୍ୱାସ କରୁନାହାନ୍ତି ସେଇମାନେ ହିଁ ରାଜନୀତିକ ସ୍ଥିରତା କହିଲେ ଆପଣାର ସ୍ଥିରତା ଓ ନିରାପତ୍ତା ବିଷୟରେ ଅଧିକ ଭାବୁଛନ୍ତି ।”

 

ଦେଶ ସ୍ୱାଧୀନତା ଲାଭ କରିବା ପରେ ଲୋକମାନେ ନେତାମାନଙ୍କୁ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ କରି ବହୁତ ଆନନ୍ଦ ଅନୁଭବ କରୁଥିଲେ । ମହାତ୍ମାଗାନ୍ଧୀଙ୍କ ପରିକଳ୍ପିତ ରାମରାଜ୍ୟରେ ଭାରତ ବର୍ଷ ପରିଗଣିତ ହେବ ବୋଲି ବଡ଼ ବିଶ୍ୱାସ ବି ଥିଲା । ଏ ସମସ୍ତେ ଭଲରେ ରହିବେ, ଲୋକମାନଙ୍କ ପାଖରେ ଉତ୍ତମ ଶାସନ ପହଞ୍ଚିବ, ସରକାର ସବୁ ମତକୁ ସମ୍ମାନ ଦେବେ, ଦେଶରେ ବୈଷୟିକ ଉନ୍ନତି ଘଟିବ, କେହି ଭୋକ ଉପାସରେ ରହିବେ ନାହିଁ, ନେତାମାନେ ଜନସାଧାରଣଙ୍କର ସର୍ବନିମ୍ନ ଆବଶ୍ୟକତା ପୂରଣ ପ୍ରତି ଗୁରୁତ୍ୱ ଦେବେ ଇତ୍ୟାଦି କେତେକଥା । ପରାଧୀନତାର ଅମା ଅନ୍ଧାର ଦେଶରୁ ସିନା ଦୂରାଇଗଲା ହେଲେ ଆମେ ଯେଉଁ ତିମିରରେ ରହିଥିଲୁ ସେଇ ତିମିରରେ ରହିଲୁ । ତେଣୁ ଏଥିପ୍ରତି ଚିତ୍ତରଂଜନ ଅନେକ କ୍ଷୋଭ ପ୍ରକାଶ କରନ୍ତି । ଭାରତବର୍ଷର ନେତୃତ୍ୱ ବାଇଆ ହୋଇଗଲାଣି ବୋଲି ତାଙ୍କର ଅନୁଭବ ହୋଇଛି-। ଏ ଦେଶରେ ନେତାମାନଙ୍କର ଅଭାବ ନାହିଁ । ବାଘଭଳି ସେମାନେ ମାଳମାଳ ହେଉଛନ୍ତି କିନ୍ତୁ ରାଜନୀତି ବୋଲି କିଛି ନାହିଁ । ଦଳମାନେ ଗୋଟିଏ ଗୋଟିଏ ଦରବାର ପରି ଥାନ ବିସ୍ତାର କରି ରହିଛନ୍ତି ହେଲେ ରାଜନୀତି ନାହିଁ । ଚିତ୍ତରଂଜନଙ୍କ ଭାଷାରେ- “ଏହି ଦଳମାନେ ଗୋଟିଏ ଗୋଟିଏ ଦରବାର ପରି ଥାନ ବିସ୍ତାର କରି ରହିଛନ୍ତି- ସକଳ ବିଧିରେ ସେଥି ଭିତରେ ରଜା, ମନ୍ତ୍ରୀ, ଓ ଜଗୁଆଳମାନେ ରହିଛନ୍ତି ସିନା, କିନ୍ତୁ ମୋଟେ କୌଣସି ରାଜନୀତି ନାହିଁ । ମୋଟେ କୌଣସି ଭବିଷ୍ୟ ନକ୍‌ସା ନାହିଁ କେବଳ ମଉକାଗୁଡ଼ାକହିଁ ଦେଖାଯାଉଛି । ଏପରିକି ମୁଁ ଯେଉଁ ଦଳରେ ଖାତାରେ ନାଆଁ ଲେଖାଇଛି, ତାହାର ସନ୍ତକରେ ଭୋଟ ଲଢ଼ୁଛି, ସେଇଟି ପଛରେ ଆଦୌ କୌଣସି ରାଜନୀତିକ ଆଭିମୁଖ୍ୟ ରହିଛି କି ନାହିଁ, ସେକଥା ମୋତେ ମାଲୁମ ନାହିଁ । ଜୀବିକାଟିଏ ଖୋଜି ଖୋଜି ସତେ ଅବା ଏଠାରେ ଆସି ପହଞ୍ଚିଯାଇଛି । କାଳଟା ଇତି ମଧ୍ୟରେ ଯେଉଁପରି ହୋଇଗଲାଣି, ସେଥିରେ ଭାଗ୍ୟରେ ଥିଲେ ଯାଇ ସେତିକି ମଧ୍ୟ ମିଳେ ବୋଲି ମୋ’ ଭିତରର ଡରୁଆ ହଇରାଣିଆଟା କୋଉ ଗରଜରେ ସେହି କଥାଟିକୁ ମାନି ନେଲା କେଜାଣି? କିଏ ମନ୍ତ୍ରୀ ହୋଇ ବସିଛି, କିଏ ନିଜ ଦଳର ମହନ୍ତ ଅଥବା ଉପମହନ୍ତଟିଏ ବନିଛି, ତୁଚ୍ଛା ନିଜ ପାଇଁ ଗୋଟିଏ କ୍ୟାରିଅର ଖୋଜି ଖୋଜି ଆଉ କିଛି ନ ହେଲେ ବି ଆସି ଏଠାରେ ପହଞ୍ଚିପାରିଛି । ନିଜ ନକ୍ଷତ୍ରମାନଙ୍କୁ ସଞ୍ଜେ ସକାଳେ ସଲାମ କରିବାରେ ଲାଗିଛି । ଏବଂ, ମୋ ପରେ ମୋ କୁଟୁମ୍ବଟା’ର ବି କ’ଣ ହେବ ତାହାର ଆଦୌ କୌଣସି ଠାବ ଠିକଣା ନାହିଁ । .....ଦେଶରେ ନିର୍ବାଚନଟିଏ ହେବାକୁ ଯାଉଥିବା ସମୟରେ ଆମେ କରୁଥିବା ତାମସାଗୁଡ଼ିକରୁ ହିଁ ଆମେ କ୍ୟାରିଅରିଷ୍ଟ ପିତ୍ତଗୁଡ଼ିକ ଖୁବ୍ ଧରାପଡ଼ି ଯାଆନ୍ତି । ଆମେ ନିଜକୁ ବୁଝୁ ନ ବୁଝୁ ପଛକେ, ଲୋକମାନେ ଖୁବ୍ ବୁଝନ୍ତି । ସେମାନେ ମୋଟେ କ୍ଷମା ଦେଉନଥିବେ । ରାଜନୀତି ପାଚିବାରେ ଲାଗିଥାଏ । ନିଶାଖୋରମାନେ ଯେଉଁ ବାଉଳା ହେଲେ ମଧ୍ୟ ରାଜନୀତି କେବେ ପୃଥିବୀରୁ ଛାଡ଼ିଚାଲିଯାଏ ନାହିଁ-। (ରଜ୍ଜୁ ରଜ୍ଜୁ ଭୁଜଙ୍ଗ ଭୁଜଙ୍ଗ)

 

ଆମେ ଦେଶର ନେତା ଓ ଶାସକମାନେ ହୃଦୟହୀନ ଯେଉଁଥି ପାଇଁ ଭାରତବର୍ଷର ଭାଗ୍ୟାକାଶଟା ବଦଳି ପାରୁନାହିଁ । ସେମାନେ ତ୍ୟାଗଠାରୁ ଭୋଗକୁ ଅଧିକ ଗୁରୁତ୍ୱ ଦିଅନ୍ତି । ସେବକ ନ ହୋଇ ଶୋଷକ ପାଲଟି ଯାଆନ୍ତି । ରାଜାନେତାମାନେ ସମ୍ଭବତଃ ଅଜ୍ଞ ହୋଇ ପଡ଼ିଛନ୍ତି ଯେ, ଗଣତନ୍ତ୍ରରେ ଲୋକେ ଆଗ, ତା’ ପଛରେ ଯାଇ ରାଷ୍ଟ୍ର ଶାସନ । ଗଣତନ୍ତ୍ରକୁ ମାର୍ଗକରି ଏଠି ଯାବତୀୟ ନିର୍ମାଣ କାର୍ଯ୍ୟଚାଲେ । କିନ୍ତୁ ନିର୍ବାଚନ ପରେ ଏ ଦେଶର ନେତାମାନେ ସାଧାରଣ ଜନତା, ଜ୍ଞାନୀ ଗୁଣୀ ଲୋକମାନଙ୍କର ପରାମର୍ଶ ଲୋଡ଼ନ୍ତି ନାହିଁ ଯେଉଁଥିପାଇଁ ଏ ଦେଶରେ ସବୁ ଥାଇ ବି ଗରିବ । ଏ ଦେଶ ସାଧୁସନ୍ଥର ଦେଶ । ଦେଶରେ ଜ୍ଞାନୀଗୁଣୀ, ଡାକ୍ତର, ବୈଜ୍ଞାନିକ, ଇଞ୍ଜିନୟର, ଶିକ୍ଷାବିତ୍‌, ଦେଶ ସେବକ, ସମାଜ ସଂସ୍କାରକ ଆଦି ପ୍ରତିଭାମାନେ କମ ନାହାନ୍ତି । କିନ୍ତୁ ଦେଶ ଶାସନରେ ମନ୍ତ୍ରୀ ଓ ନେତାମାନେ ସେମାନଙ୍କ ପରାମର୍ଶ ନେବାତ ଦୂରର କଥା ବରଂ ଅବହେଳା ପ୍ରଦର୍ଶନରେ ଢିଲା କରନ୍ତି ନାହିଁ । ସେହିପରି ଓଡ଼ିଶା କଥା ମଧ୍ୟ କିଛି କମରେ ନାହିଁ । ମଧୁବାବୁ, ଗୋପବନ୍ଧୁ, ପାରଳାର ଗଜପତି ଏବଂ ଆହୁରି କେତେ ବଳିଷ୍ଠ ବ୍ୟକ୍ତିତ୍ୱ ଓଡ଼ିଶାକୁ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ କରିବା ପାଇଁ କମ ପରିଶ୍ରମ କରିନାହାନ୍ତି । ଉତ୍କଳ ସମ୍ମିଳନୀ ଗଠନ କରି ତା’ ମାଧ୍ୟମରେ ଜାତିକୁ ଉଠାଇବାର ଚେଷ୍ଟା କରିଛନ୍ତି । ଖଣ୍ଡ ବିଖଣ୍ଡିତ ହୋଇ ରହିଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲା ଉତ୍କଳ ସମ୍ମିଳନୀ ମାଧ୍ୟମରେ ଏକାଠି ହୋଇଛି । ଓଡ଼ିଶା ୧୯୩୬ ମସିହା ଏପ୍ରିଲ୍ ପହିଲା ତାରିଖରେ ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଲା । ଲୋକମାନେ ବହୁତ ଖୁସି ହେଲେ । ଭାରତ ବର୍ଷର ସ୍ୱାଧୀନତା ଆସିଲା । ଗଣତନ୍ତ୍ର ପ୍ରତିଷ୍ଠା ଲାଭ କଲା । କିନ୍ତୁ ଆମର ଦୁର୍ଭାଗ୍ୟ ଷଢ଼େଇ କଳା ଓ ଖରସୁଆଁ ଓଡ଼ିଶାରେ ମିଶି ପାରିଲା ନାହିଁ । ରାଜନେତାମାନେ ଯିଏ ଗାଦିକୁ ଗଲେ ସେମାନଙ୍କର ଇଚ୍ଛାଶକ୍ତି କିଛି ରହିଲାନାହିଁ । ଉପର ଠାଉଠିଆ ଭାବରେ କେବଳ ଭାଷଣ ଦେଇ ଚାଲିଲେ କିନ୍ତୁ ଓଡ଼ିଆ ଭାଷାର ଦୁଇଟି ଜିଲ୍ଲା ଅସରଣିଆ ହୋଇ ଓଡ଼ିଶାଠାରୁ ଦୂରରେ ରହିଲେ । ଓଡ଼ିଶାରେ ଖଣିଜ ସମ୍ପଦର ଅଭାବ ନାହିଁ । ବଣ ଜଙ୍ଗଲ ପରିବ୍ୟାପ୍ତ କିନ୍ତୁ ଦେଶର କିମ୍ଭୁ ତ କିମାକାର ରାଜନେତାମାନଙ୍କର ଓଡ଼ିଶା ଶାସନର ଚିତ୍ର ସର୍ବଦା ଦୁର୍ବଳ । ସବୁ ଥାଇ କିଛି ନ ଥିବା ପରି । ରାଜନୀତି ଖୁବ୍ ଜୋର କିନ୍ତୁ ପ୍ରଗତିଘର ଶୂନ୍ୟ ।

 

ଚିତ୍ତରଂଜନ ଦାସ ଓଡ଼ିଶାର ଜଣେ ବରପୁତ୍ର । ତାଙ୍କ ପରି ସୁଯୋଗ୍ୟ ସନ୍ତାନ ଉତ୍କଳ ଜନନୀଙ୍କ କୋଳରେ ଖୁବ୍ କମ ଜନ୍ମ ହୋଇଛନ୍ତି । ଦେଶ ପାଇଁ ତ୍ୟାଗ ତାଙ୍କ ଆତ୍ମଜୀବନୀରୁ ସ୍ପଷ୍ଟ ବାରି ହୋଇପଡ଼େ । ସେ ଦେଶର ସାମ୍ପ୍ରତିକ ରାଜନୀତି ଓ ରାଜନେତାମାନଙ୍କୁ ସହଜରେ ହଜମ କରିପାରିନାହାନ୍ତି । ସମଗ୍ର ପୃଥିବୀର ଅନେକ ଦେଶ ଭ୍ରମଣ କରି ବହୁ ଅଭିଜ୍ଞତା ଅର୍ଜ୍ଜନ କରିଥିଲେ ମଧ୍ୟ ଏ ଦେଶର ରାଜନୀତି ତାଙ୍କୁ ଖୁବ୍ ଅଡ଼ୁଆ ଲାଗିଛି । ତେଣୁ ସେ ବିଭିନ୍ନ ପ୍ରବନ୍ଧ ରଚନା କରି ଶାସନ, ରାଜନୀତି ଓ ରାଜନେତାମାନେ କିପରି ହେବା ଉଚିତ ତାହାର ସମୁଚିତ ପରାମର୍ଶ ଦେଇଛନ୍ତି । ସାଧାରଣ ଜନତା ଦେଶର ଭବିଷ୍ୟତ ନିର୍ଦ୍ଧାରଣକାରୀ । ତେଣୁ ସେମାନେ ସବୁବେଳେ ସଜାଗ ରହିଲେ ଦେଶର ଶାସନକୁ ରାଜନେତାମାନେ କେବେ ଅଡ଼ୁଆ କରିପାରିବେନାହିଁ । ସତ୍ୟ, ନୀତି, ଆଦର୍ଶର ସବୁକାଳରେ ଜୟ ହୋଇଛି ଏବଂ ହେବ ନିଶ୍ଚୟ ।

 

ଚିତ୍ତରଂଜନ ଗଦ୍ୟସାହିତ୍ୟର ଜଣେ ସୁଯୋଗ୍ୟ ଦାୟାଦ । ସେ ରଚନା କରିଥିବା ପ୍ରବନ୍ଧଗୁଡ଼ିକୁ ଆକଳନ କରିବା ଖୁବ୍ କଷ୍ଟସାଧ୍ୟ । ପ୍ରବନ୍ଧର ଯେତିକି ବିଭାଗ ଆଲୋଚନା ହେଲା ତାହା ସମୁଦ୍ରକୁ ଶଙ୍ଖେମାତ୍ର । ସେ ଦର୍ଶନ, ସମାଜବିଜ୍ଞାନ ଓ ମନୋବିଜ୍ଞାନରେ ଜଣେ ଅବଗ୍ରାହୀ ଉଚ୍ଚଶିକ୍ଷିତ ବ୍ୟକ୍ତି । ଚିତ୍ତଭାଇ ଭିଏନା ବିଶ୍ୱବିଦ୍ୟାଳୟରେ ମନୋବିଜ୍ଞାନ ଚିକିତ୍ସା ପଢ଼ିଥିଲେ ରୋଗ ଭଲ କରିବା ପାଇଁ । କିନ୍ତୁ ଶପଥ ନେଇଥିଲେ କେବେ ଏହି ଜ୍ଞାନକୁ ଜୀବିକା ଭାବରେ ବ୍ୟବହାର ନ କରିବା ପାଇଁ । ତେଣୁ ଶିକ୍ଷକ ଭାବରେ ପିଲାଙ୍କ ଭିତରେ ଏହି ଜ୍ଞାନକୁ ସେ ପ୍ରୟୋଗ କରିବାପାଇଁ ଚେଷ୍ଟା କଲେ । ମନୋବିଜ୍ଞାନ ସମ୍ପର୍କରେ ଅନେକ ପ୍ରବନ୍ଧ ଲେଖିଲେ । ଦର୍ଶନ, ବିଜ୍ଞାନ, ନୃତତ୍ତ୍ୱ, ଅନେକ ଜୀବନୀ ସମ୍ପର୍କରେ ମଧ୍ୟ ତାଙ୍କଦ୍ୱାରା ବହୁ ପ୍ରବନ୍ଧ ରଚିତ ହୋଇଛି । ଦେଶ ବିଦେଶର ସଭ୍ୟତା, ସଂସ୍କୃତି, ଜୀବନ ଶୈଳୀ ଶିକ୍ଷା, ସଭ୍ୟତା, ଇତିହାସ, ଭୂଗୋଳ, ଧର୍ମ, ଆଦି ଅନେକ ବିଷୟକୁ ନେଇ ତାଙ୍କ ପ୍ରବନ୍ଧଗୁଡ଼ିକର କଳେବର ରଦ୍ଧିମନ୍ତ । ବିଭିନ୍ନ ପ୍ରବନ୍ଧ ସଂକଳନର କେତୋଟି ପ୍ରଧାନ ବିଷୟ ହେଲା- “ଜାତିରେ ମୁଁ ଯବନ, ଏ ବାବୁମାନେ, ବୃତ୍ତି ଏ ମୋ ପୋଷେ କୁଟୁମ୍ବ, ବୋମା ବିଜ୍ଞାନର ମରଦ, ବିଚ୍ଛିନ୍ନ ଉତ୍କଳର ତଲାସରେ, ଜାଲିୱାନାବାଗ୍ ଓ ସାହିତ୍ୟ, ସଂଗ୍ରାମରୁ ସମାଜସେବୀ, ସ୍ୱାଧୀନ ଭାରତ ସୁଖଦେବ, ଡହଳ ବିକଳ ହୋଇ, ପୁରୁଣା ଆଉ ନୂଆର ଦ୍ୱନ୍ଦ୍ୱ, ଦଣ୍ଡ ଭଗବାନ ଦିଅନ୍ତି, ହୃଦୟର ହିଁ ଡେଣା ଅଛି, ଗୁରୁ ଚାରି କିସମର, ଭକ୍ତିର ଉଚ୍ଛନ୍ନ ସ୍ରୋତ, ଜାପାନର ନୂଆବୋଝ, ପରୀକ୍ଷା ପ୍ରଣାଳୀର ପରିବର୍ତ୍ତନ, ଆନ୍ତର୍ଜାତିକ ଶୃଙ୍ଖଳା, ଗଣ ବିଶ୍ୱବିଦ୍ୟାଳୟ, ନିଶାନିବାରଣ, ଐତିହାସିକ ଟଏନବୀ, ଶ୍ୱେତଦ୍ୱୀପ ଫିନ୍‍ଲାଣ୍ଡ, ଲେବାନନର ଭାଗ୍ୟ, ତୃତୀୟ ପୃଥିବୀ ସହଯୋଗ, ଦାର୍ଶନିକ ରାଷ୍ଟ୍ରପତି, ପାକିସ୍ଥାନ ପ୍ରତିବିପଦ, ଭାରତ ଓ ଆମେରିକା, ମଳୁ, ବଇଦ ଓ ବିଜ୍ଞାନ, ଯୋଗ ଜୀବନ ଲାଗି, ଜଗବନ୍ଧୁ ପରି ଜଣେ ସାମନ୍ତ, ନୂଆ ରାଷ୍ଟ୍ରପତି ଆମେରିକାକୁ ଧମକ, ଚୀନ ଜନ ସମସ୍ୟା, ସଂଖ୍ୟା ଗରିଷ୍ଠର ଭୟ, ମାନବ ଜାତିର ଅଧିକାର, ଏ ଶିକ୍ଷା ବୁଢ଼ା ହୋଇଗଲାଣି, ରାଜନୀତିକୁ ନିଶା କୁହନ୍ତି, ସବୁଜ ବିପ୍ଲବ ଓ ଦାରିଦ୍ର‌୍ୟ, ସମ୍ବାଦ ପତ୍ର ଜରିଆରେ, ରାମାୟଣ ବିନା, ପୁଅ କହୁଛି, ସାହିତ୍ୟ ଓ ଏକାଡେମୀ, କିଏ ଦାୟୀ, ସ୍ୱାଧୀନତା ଓ ଭାରତର ବିଚାର, ଅର୍ଥନୀତି ଓ ରାଜନୀତି, କଳି ଯଦି କରି ବସିବ, ପ୍ରୟୋଗରୁ ପ୍ରମାଦ, ବୁଝିବା ଓ ବିଚାର କରିବା, ସେମାନଙ୍କୁ କହିବ କିଏ? ଜୀବନ ନା ରଙ୍ଗ, ବିଜ୍ଞାନର ଭୂମି ଜନତା ଓ ଜନଶକ୍ତି, ନବକଳେବର; କଳ୍‍କି ଅବତାର, ନେତୃତ୍ୱ ଓ କର୍ତ୍ତୃତ୍ୱ, ପୁତ୍ ନାମକ ନରକରୁ, କିମାଶ୍ଚର୍ଯ୍ୟ, ପୁରୀରୁ ଯୋରନ୍ଦା, ଅନୁଶାସନ; ଆତ୍ମଶାସନ, ଆନ୍ତର୍ଜାତିକ ନାରୀ ବର୍ଷ, ଏକୋଇଶ ବର୍ଷରୁ ଅଧିକ, ଜୀବନ ନା ଗଙ୍ଗା ଆହୁରି ବଡ଼; ଠାକୁର ଭିତରେ ଠାକୁର ବଡ଼, ହୃଦୟ ଓ ବୁଦ୍ଧି, ସଫଳତା ଓ ନିଷ୍ଠା, ଶୃଙ୍ଖଳାର ଛନ୍ଦ, ଜ୍ଞାନୀ ମରୁଛନ୍ତି ଭାଳି, ତିନିଶହ ବର୍ଷର ଦୌରାତ୍ମ୍ୟ, କିମ୍ଭୁତ ଆଫ୍ରିକା, ମହାତ୍ମାଙ୍କ ଅଶ୍ଲୀଳ ବଚନ, ପ୍ରାଚ୍ୟ-ପାଶ୍ଚାତ୍ୟ ପ୍ରସଙ୍ଗ, ଆମେରିକାରେ ଆଉଥରେ, ଯୁବ ଉଦ୍‌ବେଳନ ପ୍ରକାଶ ଶବ୍ଦ ଶତକ ପ୍ରଭୃତି । ଶ୍ରୀ ଅରବିନ୍ଦଙ୍କର ଗ୍ରନ୍ଥଗୁଡ଼ିକୁ ବୁଝିବା ପାଇଁ ଏକ ମୂଲ୍ୟବାନ ପ୍ରୟାସ । ଶ୍ରୀ ଅରବିନ୍ଦଙ୍କ ଦର୍ଶନ ତାଙ୍କୁ ବିଶେଷ ଭାବରେ ଆକୃଷ୍ଟ କରିଥିଲା । ସେ ଦର୍ଶନ ଭିତରେ ପଶି ଅନ୍ୟାନ୍ୟ ଦର୍ଶନର ମାର୍ଗକୁ ଏକ ନୂତନ ଆଲୋକରେ ଦେଖିବାକୁ ପାଇଛନ୍ତି ।

 

ଚିତ୍ତରଂଜନଙ୍କ ଜାଣିବାର ଇଚ୍ଛା ପ୍ରବଳ ଥିଲା । ଯେତେ ଜାଣିଲେ ଏବଂ ଯେତେ ଅଧ୍ୟୟନ କଲେ ବି ଏ ପୃଥିବୀଟା ତାଙ୍କୁ ସେତେ ନୂଆ ପରି ଲାଗୁଥିଲା । ବହୁ ଦେଶ ବୁଲି ବହୁ ଭାଷା ପଢ଼ିଲେ ବି ତାଙ୍କ ଗାଆଁମାଟିର ଭାଷା ଓ ତାଙ୍କ ମାଆ ମୁହଁର ଭାଷାକୁ ସେ ଭୁଲିପାରିନଥିଲେ-। ତେଣୁ ତାଙ୍କ ପ୍ରବନ୍ଧ ଏବଂ ଅନ୍ୟାନ୍ୟ ରଚନାମାନଙ୍କୁ ପ୍ରସ୍ତୁତ କଲାବେଳେ ଦେଶଜ, ତଦ୍‌ଭବ ତତ୍‌ସମ ଇତ୍ୟାଦି ଭାଷା ଓ ଶବ୍ଦ ଭିତରେ କିଛି ଫରକ ଦେଖିପାରିନଥିଲେ । ତାଙ୍କ ଭାଷା ଟାଣୁଆ ଗାଉଁଲି ଭାଷାର ଏକ ନିଆରା ପ୍ରତିଫଳନ କହିଲେ ଭ୍ରମ ହେବ ନାହିଁ । ତାଙ୍କ ପ୍ରବନ୍ଧର ପୃଥିବୀ ଭିତରକୁ ପଶିଗଲେ ବାହାରିବାକୁ ଇଚ୍ଛା ହୁଏ ନାହିଁ । ଯେତେ ଅଣନିଃଶ୍ୱାସୀ ଲାଗିଲେ ବି ଏଥିରେ ଖୁନ୍ଦି ହୋଇ ରହିଥିବା ଜ୍ଞାନର ପରିସର ଆହୁରି ଆପଣାର ମନେହୁଏ ।

Image

 

Unknown

ସମାଲୋଚନା ସାହିତ୍ୟ

 

ଚିତ୍ତରଂଜନ ଦାସ ଓଡ଼ିଆ ସାହିତ୍ୟର ଜଣେ ଖ୍ୟାତନାମା ଗବେଷକ ଓ ସମାଲୋଚକ । ପ୍ରତ୍ୟେକ ସୃଷ୍ଟିର ସମୀକ୍ଷାକୁ ସମାଲୋଚନା କୁହାଯାଏ । ସମାଲୋଚକ କେଉଁମାନଙ୍କ ଉପରେ ସମାଲୋଚନା କରିବ ଏବଂ କେଉଁ ବିଷୟବସ୍ତୁ ଉପରେ ଅଧିକ ଗୁରୁତ୍ୱଦେବ, ଏହା ତା’ର ପ୍ରଜ୍ଞାଶୀଳ ବିଚାରଧାରା ଉପରେ ନିର୍ଭର କରେ । ଲେଖକ ଚିତ୍ତରଂଜନ କିନ୍ତୁ ଗତାନୁଗତିକ ଚିନ୍ତାଧାରା ସହିତ ସହମତ ହୋଇପାରି ନାହାନ୍ତି । ତାଙ୍କ ସମାଲୋଚନା ସମ୍ପୂର୍ଣ୍ଣ ନୂତନ ଧରଣର । ସେ ସବୁବେଳେ ପୁରୁଣାଠାରୁ ନୂଆକୁ ଅଧିକ ଗୁରୁତ୍ୱ ଦିଅନ୍ତି । ପରମ୍ପରାକୁ ଜାବୁଡ଼ି ନ ଧରି ପରିବର୍ତ୍ତନରେ ଅଧିକ ବିଶ୍ୱାସ ରଖନ୍ତି । ମଣିଷମାନଙ୍କ ପାଇଁ ଏ ସମାଜ, ଦେଶ, ରାଷ୍ଟ୍ର ଓ ପୃଥିବୀ ଗଢ଼ା ହୋଇଛି । ତେଣୁ ସମାଲୋଚନାଗୁଡ଼ିକ ତାଙ୍କର ମାନବଧର୍ମୀ । ଚିତ୍ତରଂଜନଙ୍କ ଚିନ୍ତାରେ ରହିଛି ନୂତନତା, ଦୃଷ୍ଟିଭଙ୍ଗୀରେ ନିର୍ଭୀକତା, ଉପସ୍ଥାପନାରେ ଚମତ୍କାରିତା ଓ ଜୀବନବାଦୀ ବୈପ୍ଲବିକ ଚେତନା । ସମାଜକୁ ଉଚିତ ଓ ନୀତିପୂର୍ଣ୍ଣ ମାର୍ଗରେ ପରିଚାଳନା କରିବା ପାଇଁ ସେ ଗଠନମୂଳକ ସମାଧାନର ବାଟ ଦେଖାଇଛନ୍ତି । ଭଲ ବାଟରେ ଚାଲୁଥିବା ତଥା ସତ୍ୟନ୍ୟାୟ ଉପରେ ଅଖଣ୍ଡ ବିଶ୍ୱାସ ରଖିଥିବା ଲୋକର ଦୃଷ୍ଟିଭଙ୍ଗୀରେ ସମାଜ କିପରି ଚାଲିପାରିବ ଏହା ଭଲଭାବରେ ଜଣାଥାଏ ।

ଚିତ୍ତରଂଜନ ସମାଲୋଚନା କରିବାରେ ଏବଂ ଲେଖିବାରେ ସମ୍ପୂର୍ଣ୍ଣ ସିଦ୍ଧହସ୍ତ । ସେ ରଚନା କରିଥିବା ସମାଲୋଚନା ପୁସ୍ତକମାନଙ୍କ ମଧ୍ୟରେ ‘ଅଚ୍ୟୁତାନନ୍ଦ ଓ ପଞ୍ଚସଖା ଧର୍ମ’, ‘ଓଡ଼ିଶାରେ ମହିମାଧର୍ମ’, ‘ସନ୍ଥ (ଭକ୍ତି) ସାହିତ୍ୟ’, ‘ଓଡ଼ିଆ ସାହିତ୍ୟର ସାଂସ୍କୃତିକ ବିକାଶ ଧାରା’ ଆଦି ପ୍ରଧାନ । ‘ଭକ୍ତଚରଣ ଦାସ’ ଓ ‘ବଳରାମ ଦାସ’ ନାମରେ ଦୁଇଟି ମୂଲ୍ୟବାନ ପୁସ୍ତକ ମଧ୍ୟ ତାଙ୍କଦ୍ୱାରା ରଚିତ ହୋଇଛି । କେନ୍ଦ୍ର ସାହିତ୍ୟଏକାଡେମୀଦ୍ୱାରା ଏହା ଇଂରେଜୀରେ ପ୍ରକାଶ ଲାଭ କରିଛି । ଏହି ସମାଲୋଚନା ପୁସ୍ତକର ଆତ୍ମିକରେ ରହିଛି ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିଭଙ୍ଗୀ, ଧର୍ମତାତ୍ତ୍ୱିକ ମୂଲ୍ୟବୋଧ ଐତିହାସିକ ଚିନ୍ତା ଓ ଚେତନା ଏବଂ ଗଠନମୂଳକ ଭାବବୋଧ । ‘ଅଚ୍ୟୁତାନନ୍ଦ ଓ ପଞ୍ଚସଖା ଧର୍ମ’ ନିବନ୍ଧଟିକୁ ସେ ୧୯୪୯ ମସିହାରେ ଶାନ୍ତି ନିକେତନରେ ଲେଖିଥିଲେ ଏବଂ ଏହା ବିଶ୍ୱଭାରତୀର ଓଡ଼ିଆ ଗବେଷଣା ବିଭାଗଦ୍ୱାରା ୧୯୫୧ ମସିହାରେ ପ୍ରକାଶିତ ହୋଇଥିଲା । ସେହିପରି ‘ଓଡ଼ିଶାର ମହିମା ଧର୍ମ’ ୧୯୫୨ ମସିହାରେ ବିଶ୍ୱ ଭାରତୀରୁ ପ୍ରକାଶ ପାଇଲା । ‘ଓଡ଼ିଶାର ସାଂସ୍କୃତିକ ଇତିହାସ’ ଓଡ଼ିଆ ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥାଦ୍ୱାରା ପ୍ରକାଶିତ ହୋଇଛି ପ୍ରଥମେ ୧୯୮୧ ମସିହାରେ । ‘ସନ୍ଥ (ଭକ୍ତି) ସାହିତ୍ୟ’କୁ ୧୯୮୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶ କରିଥିଲେ । ‘ଅଚ୍ୟୁତାନନ୍ଦ ଓ ପଞ୍ଚସଖା ଧର୍ମ’, ଓ ‘ସନ୍ଥା (ଭକ୍ତି) ସାହିତ୍ୟ’ ପ୍ରାୟତଃ ଏକଧରଣର ରଚନା । ତଫାତ୍ ଏତିକି ଯେ ପ୍ରଥମ ପୁସ୍ତକଟିରେ ଅଚ୍ୟୁତାନନ୍ଦଙ୍କ ଜୀବନୀ ପ୍ରକାଶ ସହିତ ବିଭିନ୍ନ ଦୃଷ୍ଟିରୁ ପଞ୍ଚସଖା ଧର୍ମର ବୈଶିଷ୍ଟ୍ୟ ଉପରେ ଆଲୋଚନା କରାଯାଇଥିବାବେଳେ ସନ୍ଥଭକ୍ତି ସାହିତ୍ୟରେ ଭକ୍ତି ଓ ସନ୍ଥମାନଙ୍କ ସଂଜ୍ଞା, ଓଡ଼ିଶାର ସନ୍ଥ ପଞ୍ଚସଖା ଓ ସେମାନଙ୍କର ପରିଚୟ, ଏବଂ ବିଭିନ୍ନ ଦୃଷ୍ଟିକୋଣରୁ ପଞ୍ଚସଖା ସାହିତ୍ୟର ସମୀକ୍ଷା ହୋଇଛି । ‘ଅଚ୍ୟୁତା ନନ୍ଦ ଓ ପଞ୍ଚସଖା ଧର୍ମ’ରେ ଲେଖକ ପଞ୍ଚସଖାଙ୍କ ସମ୍ପର୍କରେ ଲେଖିଛନ୍ତି- “ଓଡ଼ିଶାର ପଞ୍ଚସଖା ନିରାକାର, ବୌଦ୍ଧ, ତାନ୍ତ୍ରିକ, ବୈଷ୍ଣବ ବା କାୟାସାଧକ ମଧ୍ୟ ନୁହନ୍ତି । ଏମାନେ ସବୁଥିରେ ଅଛନ୍ତି, ଅଥଚ କୋଉଥିରେ ନାହାନ୍ତି । ସବୁମାର୍ଗକୁ ଭଲ ବୋଲି କହିଛନ୍ତି, ଅଥଚ ଏମାନଙ୍କ ଦୃଷ୍ଟି କୌଣସି ନିର୍ଦ୍ଦିଷ୍ଟ ମାର୍ଗ ଭିତରେ ସୀମିତ ହୋଇ ରହିନାହିଁ ।” ପଞ୍ଚସଖା ସବୁମାର୍ଗର ସାଧନାକୁ ଗ୍ରହଣ କରିଥିଲେ । ଅଚ୍ୟୁତାନନ୍ଦ ପଞ୍ଚସଖାଙ୍କ ମଧ୍ୟରେ ସର୍ବକନିଷ୍ଠ ସଖା ଥିଲେ ବୋଲି ଚିତ୍ତରଂଜନଙ୍କ ବଳିଷ୍ଠମତ । ସେ ତାଙ୍କ ରଚନା ଏବଂ ଅନ୍ୟ କେତେଜଣଙ୍କ ରଚନାବଳୀ ଆଧାରରେ ଅଚ୍ୟୁତାନନ୍ଦଙ୍କ ଜନ୍ମ, ଜନ୍ମସ୍ଥାନ ତଥା ଜୀବନୀ ସମ୍ପର୍କରେ ନିର୍ଭୁଲ ତଥ୍ୟ ଦେବାକୁ ପ୍ରୟାସ କରିଛନ୍ତି ଯାହା ଗବେଷକମାନଙ୍କ ପାଇଁ ଏକ ନିର୍ଭର ଯୋଗ୍ୟ ଗ୍ରନ୍ଥ ।

ପଞ୍ଚସଖା ଧର୍ମର ଧାରା ସମ୍ପର୍କରେ ତାଙ୍କର ଅଭିମତ ହେଲା- “ପଞ୍ଚସଖା ଧର୍ମର ବିଶିଷ୍ଟ ଧାରାଟିକୁ ଖୋଜି ପାଇବାକୁ ହେଲେ ମଣିଷ ସଂସ୍କୃତିର ଇତିହାସରେ ଧର୍ମର ଆପଣା ଧାରାଟିକୁ ହିଁ ଆମକୁ ପ୍ରଥମେ ବାହାର କରିବାକୁ ହେବ । ଏପରି ଅନେକ ଶବ୍ଦ ଅଛି, ଯାହାକୁ କି ବହୁ ସୁଧୀ ବ୍ୟବହାର କରିଛନ୍ତି, କିନ୍ତୁ ଜ୍ଞାତରେ ଆପଣା ଆପଣାର ମନଃପ୍ରସୂତ ଅର୍ଥର ବ୍ୟଞ୍ଜନାରେ ସମସ୍ତେ ଶବ୍ଦଟିର ପ୍ରସୂତିକୁ ଗୋଳମାଳିଆ କରିପକାଇଛନ୍ତି । ଆମ ହିନ୍ଦୁ ଦର୍ଶନରେ ଛଅଟି ଯାକ ଶାଖାରେ ଈଶ୍ୱର, ମାୟା ପ୍ରଭୃତି ଶବ୍ଦ ବ୍ୟବହାର କରାଯାଇଛି । କିନ୍ତୁ କେବଳ ଶବ୍ଦଗତ ସମତା ଅଛି ବୋଲି ସବୁ ଶାଖାରେ ସେହି ଶବ୍ଦମାନଙ୍କର ଅର୍ଥଗତ ସମତା ଗ୍ରହଣ କରିବା ସଙ୍ଗତ ହେବନାହିଁ । ଧର୍ମ ଶବ୍ଦଟିକୁ ସେହିପରି ଅନେକ ଅନେକ ଅର୍ଥରେ ବ୍ୟବହାର କରିଛନ୍ତି; ଯାହାର ମନର ଦଉଡ଼ି ଯେତିକି ଦୂର ଲମ୍ବିଛି, ସେ ସେତିକି ପ୍ରସାର ଦେଇ ତା’ ଧର୍ମର କଳ୍ପନା କରିଛି ।” (ଅଚ୍ୟୁତାନନ୍ଦ ଓ ପଞ୍ଚସଖାଧର୍ମ)

ଭକ୍ତିକୁ ସଂଜ୍ଞାୟିତ କରିବା ପାଇଁ ଆମ ଦେଶରେ ଅନେକ ଭକ୍ତିଗ୍ରନ୍ଥ, ଧର୍ମବିଷୟକ ଶାସ୍ତ୍ର ଓ ପୁରାଣ ଆଦି ରଚନା କରାଯାଇଛି । ବେଦ, ବେଦାନ୍ତ, ଉପନିଷଦ, ଗୀତା, ଭାଗବତ ପ୍ରଭୃତି ଗ୍ରନ୍ଥରେ ଭକ୍ତିର ବିଭିନ୍ନ ଦିଗ ଉପରେ ଆଲୋକପାତ ହୋଇଛି । ଭକ୍ତିକୁ ଅନେକ ଈଶ୍ୱର ଭାବାତ୍ମକ ଭାବରେ ଆଖ୍ୟାୟିତ କରିଛନ୍ତି । କିନ୍ତୁ ଚିତ୍ତରଂଜନ ଏ ତତ୍ତ୍ୱରୁ ବିଚ୍ୟୁତ ହୋଇନଥିଲେ ମଧ୍ୟ ତାଙ୍କ ପ୍ରଶସ୍ତ ଦୃଷ୍ଟିକୋଣରେ ଭକ୍ତିକୁ ଏକ ଚେତନା ଏବଂ ଜୀବନର ନାନା ଶକ୍ତି ମଧ୍ୟରୁ ଗୋଟିଏ ବୋଲି ଅଭିହିତ କରିଛନ୍ତି । ଏହାକୁ ଲାଭ କରିବାକୁ ହେଲେ ଶ୍ରଦ୍ଧାବାନ ହେବାକୁ ପଡ଼ିଥାଏ । ଗୀତାରେ ସେଥିପାଇଁ ଶ୍ରଦ୍ଧାକୁ ଭକ୍ତିଲାଭର ପ୍ରଧାନ ଅବଲମ୍ବନ ଭାବରେ ବିଭିନ୍ନ ଶ୍ଲୋକରେ ପ୍ରକାଶ କରାଯାଇଛି । ଚିତ୍ତରଂଜନଙ୍କ ଭାଷାରେ– “ଭକ୍ତି ହେଉଛି ଏକ ଜୀବନ ଦୃଷ୍ଟି ସେହି ଦୃଷ୍ଟି ଜୀବନର ସକଳ ଭାଗ ଏବଂ ଅନୁଭାବଗୁଡ଼ିକୁ ଅନୁସିକ୍ତ କରି ରଖିଥାଏ । ଶ୍ରଦ୍ଧା ଏବଂ ଜୀବନର ଶ୍ରଦ୍ଧାସ୍ଥାନ ହୃଦୟକୁ ହିଁ ଆପଣାର ସର୍ବମୂଳ ସାଧନା ତଥା ଅବଲମ୍ବନରୂପେ ଗ୍ରହଣ କରି ଯେଉଁ ଜୀବନ ଆପଣା ଜଗତ ମଧ୍ୟରେ ରହିଥିବ ତା’ର ଯାବତୀୟ ସମ୍ପର୍କ ମଧ୍ୟରେ ପ୍ରେରିତ କରି ରଖିଥାଏ ତାହାହିଁ ହେଉଛି ଭକ୍ତିଦ୍ୱାରା ଅନୁପ୍ରେରିତ ଏବଂ ଅନୁସିକ୍ତ ଏକ ଜୀବନ ।” (ସନ୍ଥ ଭକ୍ତି ସାହିତ୍ୟ)

ପଞ୍ଚସଖା ସାହିତ୍ୟ ଷୋଡ଼ଶ ଶତାବ୍ଦୀର ଓଡ଼ିଶାର ଧର୍ମ- ଇତିହାସରେ ଏକ ବୈପ୍ଲବିକ ଚେତନା ଆଣିଥିଲା । ବଳରାମ ଦାସ, ଜଗନ୍ନାଥ ଦାସ, ଯଶୋବନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ, ଓ ଅନନ୍ତ ଦାସ ଏମାନେ ଗୋଟିଏ ଗାଆଁର ବା ଗୋଟିଏ ଜିଲ୍ଲାର ଲୋକ ନ ଥିଲେ । ସେମାନେ ବିଭିନ୍ନ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ ପୁରୀ ଥିଲା ସେମାନଙ୍କର ମିଳନ ସ୍ଥାନ । ଓଡ଼ିଶାର ପ୍ରଧାନ ଦେବତା ଶ୍ରୀଜଗନ୍ନାଥଙ୍କୁ ପଞ୍ଚସଖା ସେମାନଙ୍କର ଆରାଧ୍ୟ ବୋଲି ମନେକରୁଥିଲେ । ମତ ଭିନ୍ନ ଥିଲେହେଁ ପଥ ଥିଲା ଗୋଟିଏ । ଶ୍ରୀଜଗନ୍ନାଥ ଷୋଳକଳାରେ ପୂର୍ଣ୍ଣ । ତାଙ୍କୁ କେନ୍ଦ୍ରକରି ପଞ୍ଚସଖାଙ୍କ ଧର୍ମ ଓ ଦର୍ଶନ ଏକ ସ୍ୱତନ୍ତ୍ର ଗତିପଥ ସୃଷ୍ଟି କରିଥିଲା । ସେମାନେ ଜାତିପ୍ରଥାର ଘୋର ବିରୋଧୀ ଥିଲେ । ମଣିଷମାନଙ୍କ ଭିତରେ ଈଶ୍ୱରଙ୍କୁ ଦେଖୁଥିଲେ । ପିଣ୍ଡ ଭିତରେ ବ୍ରାହ୍ମଣ୍ଡକୁ ପରିକଳ୍ପନା କରୁଥିଲେ । ସେମାନଙ୍କ ସାହିତ୍ୟରେ ଜ୍ଞାନ ଓ ଭକ୍ତିର ଏକ ସୁସମନ୍ୱୟ ହୋଇଥିଲା । ତେଣୁ ତାଙ୍କର ଭକ୍ତିବାଦକୁ ଜ୍ଞାନମିଶ୍ରା ଭକ୍ତିରୂପେ ଆଖ୍ୟାୟିତ କରାଯାଏ । ଜ୍ଞାନଭକ୍ତି ସମ୍ପର୍କରେ ଲେଖକ କହିଛନ୍ତି- “ଜ୍ଞାନ ଓ ଭକ୍ତି ଦୁହେଁ ଦୁହିଁଙ୍କର ସାପେକ୍ଷ । ବିଶ୍ୱାସ ଛଡ଼ା ଜ୍ଞାନ ନାହିଁ, ବା ଜ୍ଞାନ ଛଡ଼ା ବିଶ୍ୱାସ ନାହିଁ । ବିଶ୍ୱାସ ବା ଶ୍ରଦ୍ଧାଭକ୍ତି ନ ଥିଲେ ଧର୍ମ ସଂଶୟରେ ଆରମ୍ଭ ହୋଇ ସେହି ସଂଶୟରେ ହିଁ ଶେଷ ହେବ, ପୁଣି ଜ୍ଞାନ ନ ଥିଲେ ସାଧନା ମୂର୍ଖ ଓ କାତର ଆତ୍ମସମର୍ପଣର ସମାନ ହୋଇଯିବ । ଜ୍ଞାନ ଓ ଭକ୍ତି ସାଧକ ପକ୍ଷୀର ଦୁଇଟି ଡେଣାପରି ।” (ଅଚ୍ୟୁତାନନ୍ଦ ଓ ପଞ୍ଚସଖା ଧର୍ମ) ସେଥିପାଇଁ ସେ ଅଚ୍ୟୁତାନନ୍ଦଙ୍କ ଗୁରୁଭକ୍ତି ଗୀତାର ତୃତୀୟ ଖଣ୍ଡରୁ ଉଦ୍ଧାର କରି ଲେଖିଛନ୍ତି–

“ଜ୍ଞାନ ଭେଦିଲେ ଭକ୍ତିପାଇ,

ଭକ୍ତି ଭେଦିଲେ ଜ୍ଞାନପାଇ ।

ପକ୍ଷୀ ଯେସନେ ଦୁଇମତ ।

ଦୁଇ ଡ଼େଣାରେ ଉଡ଼େ ସେତ ।

ଜ୍ଞାନ ଭକତି ଏକ ଡେଣା ।

ସଗୁଣ ଭକ୍ତି ଏକଜଣା ।

ନିର୍ଗୁଣ ସଗୁଣାଦି ମତ,

ଭକତମାନଙ୍କର ଏବିତ୍ତ ।

ମାଧୁର୍ଯ୍ୟେ ଐଶ୍ୱର୍ଯ୍ୟ ଯେ ଅଛି ।

ଐଶ୍ୱର୍ଯ୍ୟେ ମାଧୁର୍ଯ୍ୟ ମିଶିଛି ।”

ଅଚ୍ୟୁତାନନ୍ଦଙ୍କ ଉଭୟ ଗ୍ରନ୍ଥରେ ପଞ୍ଚସଖା ସାହିତ୍ୟର ସମୀକ୍ଷା ହୋଇଛି । ଏଥିରେ ସେ ସେମାନଙ୍କ ସାହିତ୍ୟର ଯେଉଁ ମୁଖ୍ୟ ବିଷୟ ଉପରେ ଆଲୋଚନା କରିଛନ୍ତି, ତାହା ହେଲା ସୃଷ୍ଟିତତ୍ତ୍ୱ, ପିଣ୍ଡ ଓ ବ୍ରାହ୍ମଣ୍ଡ, ସଗୁଣ ଓ ନିର୍ଗୁଣ । ମନ୍ତ୍ର, ଯନ୍ତ୍ର ଓ ଯୋଗ, ସର୍ବସ୍ୱୀକାରୀ ଅନ୍ତଃନିଷ୍ଟ, ଭାଷା, ସାହିତ୍ୟ ଓ ସମାଜ । ତାଙ୍କର ପ୍ରତ୍ୟେକ ବିଭାଗର ଆଲୋଚନା ତତ୍ତ୍ୱପୂର୍ଣ୍ଣ ଓ ଶିକ୍ଷଣୀୟ । ପଞ୍ଚସଖାଙ୍କ ରଚନାବଳୀକୁ ଏବଂ ସେମାନଙ୍କ ବିଭିନ୍ନ ପୋଥିକୁ ସେ ତନ୍ନ ତନ୍ନ ଅଧ୍ୟୟନ କରିଥିଲେ-। ପଞ୍ଚସଖା ସାହିତ୍ୟ ତାଙ୍କ ହୃଦୟକୁ ଏତେ ଗଭୀର ଭାବରେ ଆଲୋଡ଼ିତ କରିଥିଲା ଯେ ସେ ଏ ସମ୍ପର୍କରେ ଦୁଇ ଦୁଇଟା ଗ୍ରନ୍ଥ ରଚନା କଲେ । ପଞ୍ଚସଖା ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କଲାବେଳେ ତାଙ୍କୁ ବିଭିନ୍ନ ପୁରାଣ, ଉପନିଷଦ ଏବଂ ବହୁ ଗ୍ରନ୍ଥକୁ ପଢ଼ିବାକୁ ପଡ଼ିଥିଲା-। ସେ ସାକାରଠାରୁ ନିରାକାରଙ୍କୁ ପ୍ରାଧାନ୍ୟ ଦେଉଥିଲେ । ସଗୁଣଠାରୁ ନିର୍ଗୁଣର ମହତ୍ତ୍ୱ ବୁଝିଥିଲେ-। ପଞ୍ଚସଖା ଥିଲେ ହଠଯୋଗୀ ଓ କାୟାସାଧକ । ତେଣୁ ଯୋଗକୁ ପ୍ରାଧାନ୍ୟଦେଇ ସେ ଅନ୍ୟ ଯାହା କରୁଥିଲେ । ସେମାନଙ୍କୁ ଉତ୍କଳୀୟ ବୈଷ୍ଣବ ବୋଲି କୁହାଯାଉଥିଲା । ସମସ୍ତେ ଉତ୍କଳର ଅଧିବାସୀ ଥିଲେ; ବୈଷ୍ଣବଧର୍ମ ଗ୍ରହଣ କରିଥିଲେ । ଜଗନ୍ନାଥଙ୍କୁ ଦେବତାବୋଲି ମାନୁଥିଲେ । ସେମାନଙ୍କ ଭାବନାରେ ଜଗନ୍ନାଥଙ୍କଠାରୁ ଆଉ କେହି ବଡ଼ ଦେବତା ନାହାନ୍ତି । ସେହି ସମୟରେ ଶ୍ରୀ ଚୈତନ୍ୟଙ୍କର ଓଡ଼ିଶା ଆଗମନ ହୋଇଥିଲା । ସେ ଅଠର ବର୍ଷ ଓଡ଼ିଶାରେ ରହିଥିଲେ । ପ୍ରେମଧର୍ମର ପ୍ରଚାର କରିଥିଲେ । ଗୌଡ଼ୀୟ ବୈଷ୍ଣବଧର୍ମର ଧାରାରେ ଜୀବନକୁ ଗଢ଼ିଥିବା ଶ୍ରୀ ଚୈତନ୍ୟଙ୍କ ସହିତ ପଞ୍ଚସଖାଙ୍କର ଭଲ ସମ୍ପର୍କ ଥିଲା । ଶ୍ରୀଚୈତନ୍ୟ ତତ୍‌କାଳୀନ ରାଜା ପ୍ରଜାପରୁଦ୍ରଙ୍କୁ ପ୍ରଭାବିତ କରି ବୈଷ୍ଣବଧର୍ମରେ ଦୀକ୍ଷିତ କରିଛନ୍ତି ତଥାପି ପଞ୍ଚସଖା ରାଜାଙ୍କ ଅନୁଶାସନ ଭିତରେ ରହିବାକୁ ଉଚିତ ମନେକରି ନାହାନ୍ତି । ଲେଖକଙ୍କ ଭାଷାରେ - “ଏବଂ ସମ୍ପୃକ୍ତ ଯୁଗରେ ପଞ୍ଚସଖା ହିଁ ଧର୍ମଚକ୍ରକୁ ତଥାପି ବଞ୍ଚାଇ ରଖିଛନ୍ତି, ଶାସନତନ୍ତ୍ରର ଯାବତୀୟ ପ୍ରମତ୍ତତା ସତ୍ତ୍ୱେ ସେମାନେ ଯଥାସମ୍ଭବ ଅପ୍ରମତ୍ତ ରହି ଅସଲ ଦୀପଟିକୁ ଜଳାଇ ରଖିଛନ୍ତି । ପ୍ରହାର ଖାଇଛନ୍ତି, ପରୀକ୍ଷା ଦେଇଛନ୍ତି, ଏବଂ ପରିହସିତ ବି ହୋଇଛନ୍ତି,- ତଥାପି ଅସଲ ମାର୍ଗଟିକୁ ଛାଡ଼ିନାହାନ୍ତି, କେନ୍ଦ୍ରଚ୍ୟୁତ ହୋଇନାହାନ୍ତି । ରାଜସ୍ୱୀକୃତ ମାର୍ଗର ସକଳ ଅସୂୟାସତ୍ତ୍ୱେ ସେମାନେ ଓଡ଼ିଶାର ଅସଲ ଅଧ୍ୟାୟ ଓ ଧର୍ମର ବାସନାଧାରାଗୁଡ଼ିକୁ ବଞ୍ଚାଇ ରଖିଛନ୍ତି । କହିବା ବାହୁଲ୍ୟ, ଓଡ଼ିଶାର ରାଜାମାନେ ଚିରଦିନ ପ୍ରମତ୍ତ ମାର୍ଗଟିର ହିଁ ପୃଷ୍ଠପୋଷକତା କରିବାର ପ୍ରବୃତ୍ତି ଦେଖାଇଛନ୍ତି । ମାତ୍ର ଅନ୍ୟ ଐତିହ୍ୟଟି ଲୋକାୟତନ ଭିତରେ ତଥାପି ଜୀଇଁ ରହିପାରିଛି । ଗାଦୀଗୁଡ଼ିକର ଥାପନା ହୋଇଛି । ସନ୍ଥମାନେ କୌଣସି ପାହାଡ଼ ଓ କନ୍ଦରାକୁ ପୀଠକରି ସେହିଠରେ ହିଁ ଅନ୍ୟ ଐତିହ୍ୟଟିକୁ ବଞ୍ଚାଇ ରଖିଛନ୍ତି । ସେମାନଙ୍କର ସେହି ଆବେଦନର ଚେରଗୁଡ଼ାକ ଲୋକ ଚେତନା ଓ ଲୋକବେଦନାର କେତେ ଗଭୀରକୁ ଭେଦ କରିଛି କେଜାଣି, ଓଡ଼ିଶାର ଅଧିକାଂଶ ମଣିଷ ଆଜି ସେହି ସାହିତ୍ୟକୁ ହିଁ ପଢ଼ୁଛନ୍ତି, ସେହିଗୁଡ଼ିକରୁ ହିଁ ଆପଣା ସଂଶୟଗୁଡ଼ିକର ସମାଧାନ ମିଳିବ ବୋଲି ବିଶ୍ୱାସ କରୁଛନ୍ତି ।” (ସନ୍ଥ (ଭକ୍ତି) ସାହିତ୍ୟ)

ଚିତ୍ତରଂଜନ ଶୂନ୍ୟବ୍ରହ୍ମଙ୍କୁ ପ୍ରାଧାନ୍ୟ ଦେଇ ଲେଖିଛନ୍ତି ‘ଓଡ଼ିଶାର ମହିମା ଧର୍ମ’ ପୁସ୍ତକ । ଓଡ଼ିଶାରେ ମହିମାଧର୍ମର ଜନ୍ମ ହୋଇଥିଲା ଊନବିଂଶ ଶତାବ୍ଦୀରେ । ଅନେକ ଆଲୋଚକ ମହିମାଧର୍ମକୁ ବୌଦ୍ଧ ମତ ବା ଦର୍ଶନ ବୋଲି କହିଛନ୍ତି, କେହି ସହଜିଆ ମତ ଓ ନାଥ ମତର ଏକ ଅସଂଯତ ସମ୍ମିଶ୍ରଣ ବୋଲି କଳ୍ପନା କରିଛନ୍ତି; ମହିମା କହିଲେ ମୁଖ୍ୟତଃ କେତେକ ନିତିନିୟମର ପ୍ରତିପାଳନକୁ ବୁଝିଥାନ୍ତି । କିନ୍ତୁ ମହିମାଧର୍ମର ସର୍ବମୂଳ ହେଲେ ମହିମା । ସେହି ମହିମାରୁ ହିଁ ବିଶ୍ୱ ବ୍ରାହ୍ମାଣ୍ଡର ଆତଯାତ ହେଉଛି, ସେହି ମହିମାରେ ହିଁ ବିଶ୍ୱଜଗତ ତିଷ୍ଠି ରହିଛି । ମହିମା ଶବ୍ଦଟି ବେଦର ପୁରୁଷ ସୂକ୍ତରେ ରହିଛି । ଶ୍ୱେତାଶ୍ୱତର ଉନନିଷଦରେ ରହିଛି । ମହିମାଧର୍ମରେ ବ୍ରହ୍ମହିଁ ମହିମାରୂପେ ପରିକଳ୍ପିତ । ପଞ୍ଚସଖା ସାହିତ୍ୟରେ ଏହି ଶବ୍ଦଟି ବ୍ୟବହୃତ ହୋଇଛି । ପଞ୍ଚସଖାଙ୍କ ପରେ ଅରକ୍ଷିତ ଦାସ ଏହି ଶବ୍ଦଟିକୁ ବାରମ୍ବାର ବ୍ୟବହାର କରିଛନ୍ତି । ବିଶ୍ଲେଷଣ କଲେ ଜଣାଯାଏ, ପଞ୍ଚସଖାଙ୍କ ପରେ ଓଡ଼ିଶାର ଧର୍ମ ଚେତନାରେ ସନ୍ଥମୂଳ ଆବେଦନଟି କ୍ରମଶଃ ପ୍ରତ୍ୟାହୃତ ହୋଇ ଅନ୍ତରାଳକୁ ଚାଲିଯାଇଥିଲା । ମହିମାଧର୍ମର ମହିମା, କଳ୍ପନାରେ ସେହି ଆବେଦନଟିର ଘଟିଛି ଏକ ପ୍ରତ୍ୟାବର୍ତ୍ତନ, ଭାବାତ୍ମକ ଭାଷାରେ ଯିଏ ମହିମା, ଅଭାବାତ୍ମକ ଭାବରେ ବର୍ଣ୍ଣନା କଲେ ତାକୁ କୁହାଯିବ ଅଲେଖ । ତାଙ୍କୁ କେହି ଲେଖିକରି ବା ବର୍ଣ୍ଣନା କରିଦେଇପାରିବ ନାହିଁ । ସେଥିପାଇଁ ମହିମା ଧର୍ମର ଆଉ ଗୋଟିଏ ନାମ ହେଲା ଅଲେଖ ଧର୍ମ, ଏବଂ ମହିମା ଦୀକ୍ଷା ହେଉଛି ଅଲେଖ ଦୀକ୍ଷା । ଯିଏ ସବୁମାୟା, ମମତା, ବନ୍ଧନକୁ କାଟି ଦେଇପାରିବ, ବିଗ୍ରହମାନଙ୍କୁ ବିଶ୍ୱାସ ନ କରିବ ସେଇହିଁ କେବଳ ଅଲେଖ ଓ ମହିମାଙ୍କ ପାଖରେ ଆସି ପହଞ୍ଚିବ । ଊନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଯିଏ ଧର୍ମ ଆନ୍ଦୋଳନର ଆଗରେ ରହି ଏହି କଥାଟି କହିଥିଲେ, ସିଏ ହେଉଛନ୍ତି ମହିମା ଗୋସେଇଁ । ମହିମା ଗୋସେଇଁ ଅଯୋନିସମ୍ଭୂତ ବୋଲି ମହିମାପନ୍ଥୀମାନେ ବିଶ୍ୱାସ କରନ୍ତି । ଭାରତବର୍ଷର ଧର୍ମ ଇତିହାସରେ ଏହା କିଛି ନୂଆ କଥା ନୁହେଁ ବୋଲି ଚିତ୍ତରଂଜନ ବଳିଷ୍ଠ ଯୁକ୍ତି ବାଢ଼ିଛନ୍ତି ।

ମହିମା ଗୋସେଇଁଙ୍କୁ ପରମଗୁରୁ ବା ଅଲେଖ ଗୁରୁ ବୋଲି କୁହାଯାଏ । ଏହି ଧର୍ମରେ ଅଧେ ଗୃହୀ, ଅଧେ ସନ୍ନ୍ୟାସୀ । ଏହି ଧର୍ମ ପ୍ରଚାରିତ ହେବା ସମୟରେ ତାହା ସମାଜର ନିମ୍ନବର୍ଗଗୁଡ଼ିକୁହିଁ ସବୁଠାରୁ ଅଧିକ ପରିମାଣରେ ଆକୃଷ୍ଟ କରିଥିଲା । ମହିମାଧର୍ମ ଜାତି ଜାତି ମଧ୍ୟରେ କୌଣସି ବାଧା ବା ପ୍ରାଚୀରକୁ ସ୍ୱୀକାର କରିନାହିଁ । ଚିତ୍ତରଂଜନଙ୍କ ଦୃଷ୍ଟିଭଙ୍ଗୀ ସର୍ବଜନାଦୃତ । ସେ କୁହନ୍ତି–“ମହିମାଧର୍ମ ସମାଜର ଯାବତୀୟ କ୍ଷୁଦ୍ରାୟତନକୁ ଭାଙ୍ଗି ତାହା ଏକ ବୃହତ୍ତର ଧର୍ମ ଭୂମିରେ ସମସ୍ତଙ୍କୁ ଆଣି ସମ୍ମିଳିତ କରାଇ ଦେବାର ଆହ୍ୱାନ ଦେଇଛି । ମହିମାଧର୍ମ ଆପଣାକୁ ସବୁ ଜାତି ଲାଗି ସମାନ ଭାବରେ ଉନ୍ମୁକ୍ତ କରି ରଖିଛି ।” ସେଥିପାଇଁ ସେ ଏହି ପୁସ୍ତକରେ ଭୀମଭୋଇଙ୍କର ‘ସ୍ତୁତି ଚିନ୍ତାମଣି’ର ୭୦ତମ ବୋଲିର ଉଦାହରଣ ଦେଇଛନ୍ତି ।

“ଛତିଶ କୁଳ ଯେ ବାଉନ ପାଟକ ଜାତି ବୋଲି ନାହିଁ ଯାଏ,

ପାଣି ଅନ୍ତର ପାଟକ ସିନା ଏହୁ ସୁପଣ୍ଡିତ କର ନ୍ୟାଏ ।

ତିନି ବ୍ରହ୍ମାଣ୍ଡରେ ଲୋଡ଼ି ଆସତୁଣ୍ଡେ ଏକଜଣ ଏକଜାତି,

ସେହି ସବୁକୁ ଶତଜାତି କରିଛି ତାହାର ରଞ୍ଚିଲା ପୃଥ୍ୱୀ ।”

ଭୀମଭୋଇ ଥିଲେ ମହିମାଧର୍ମର ଅନ୍ୟତମ ଶ୍ରେଷ୍ଠ ପ୍ରଚାରକ । ସେ ଜାତି ମାନୁ ନ ଥିଲେ, ସମାଜକୁ ମାନୁ ନ ଥିଲେ, ସମ୍ପ୍ରଦାୟଗୁଡ଼ିକରେ ସର୍ବଶ୍ରେଷ୍ଠ ଖୁଣ୍ଟରୂପେ ପ୍ରତିଷ୍ଠିତ ହୋଇ ରହିଥିବା ଦେବଦେବୀଙ୍କୁ ମଧ୍ୟ ମାନି ନ ଥିଲେ । ସଂସାରର ସବୁ ପ୍ରାଣୀଙ୍କ ପାଇଁ ତାଙ୍କ ଅନ୍ତରାତ୍ମା କାନ୍ଦୁଥିଲା । ସେଥିପାଇଁ ସେ ଜୀବନକୁ ନରକକୁ ପେଲି ଦେବାକୁ ପଛାଇ ନ ଥିଲେ । ଜଗତ ଉଦ୍ଧାର ହେବା ଲାଗି ତାଙ୍କ ଭିତରେ ବ୍ୟସ୍ତତା ପୂରି ରହିଥିଲା । ଏହି ଧର୍ମରେ ପିଣ୍ଡ ବ୍ରହ୍ମାଣ୍ଡକୁ ଏକ ବୋଲି ମନେକରାଯାଏ । ଯାହା ପିଣ୍ଡରେ ରହିଛି ତାହାହିଁ ବ୍ରହ୍ମାଣ୍ଡରେ ଅଛି । ଚିତ୍ତରଂଜନ ମହିମାଧର୍ମକୁ ଭାରତୀୟ ଧର୍ମର ସନାତନ ଧାରାଠାରୁ ଅଭିନ୍ନ ବୋଲି ମନେକରିଛନ୍ତି । ହିନ୍ଦୁଧର୍ମର ବିଭିନ୍ନ ଶାସ୍ତ୍ରରୁ ଉଦାହରଣ ଦେଇ ଏହାକୁ ପ୍ରମାଣ କରି ଦେଖାଇ ଦେଇଛନ୍ତି । ଏହି ଗ୍ରନ୍ଥର ଭୂମିକାରେ ଶତ୍ରୁଘ୍ନ ନାଥ ମହୋଦୟ ଲେଖିଛନ୍ତି- “ଓଡ଼ିଶାରେ ମହିମା ଧର୍ମରୁ ଓଡ଼ିଶା ଯେ ମହିମାଧର୍ମର ପ୍ରସାର କ୍ଷେତ୍ର, ଏହାର ପରିଚାୟକ ‘ସତ’, ଓଡ଼ିଶାରେ ମହିମା ଧର୍ମଭକ୍ତ ଅଛନ୍ତି; ଅବଧୂତ ସନ୍ନ୍ୟାସ ପରମ୍ପରା ସମୃଦ୍ଧ; ଟୁଙ୍ଗୀ, ଆଶ୍ରମ ଅଛି; ବିଶ୍ୱବନ୍ଦନୀୟ ଗୁରୁପୀଠ ଯୋରନ୍ଦା ରହିଛି– ଓଡ଼ିଆ ସାହିତ୍ୟରେ ଏହି କ୍ଷୀଣ ଧାରାଟି ଏବେ ମହାନ୍‍ଦୀ ହୋଇଛି; ଲୋକପ୍ରିୟ ଖଞ୍ଜଣୀ ଭଜନ ସନ୍ଧ୍ୟା ସକାଳେ ଭାସି ଆସୁଛି; ନିର୍ଗୁଣ, ନିଷ୍କାମ, ଭକ୍ତିର ନିଦର୍ଶନ ଜନସାଧାରଣଙ୍କ ଜୀବନରେ ବିଶେଷ କରି କଥାରେ ତ ଅଛି, ଚିନ୍ତା ଓ କର୍ମରେ ତତୋଽଧିକ ରହିଛି ଇତ୍ୟାଦି । କିନ୍ତୁ ମହିମା ଧର୍ମ ଓଡ଼ିଶାରେ ସୀମିତ ନୁହେଁ । ଏହା ଉଦାରବାଦୀ ମାନବ ଧର୍ମ । ତେଣୁ ଏହା ବିଶ୍ୱବ୍ୟାପକ ହେବାରେ ଲାଗିଛି । ବିଶେଷତଃ ବିଶିଷ୍ଟାଚାର୍ଯ୍ୟ ଅବଧୂତ ବିଶ୍ୱନାଥ ବାବାଙ୍କ ପ୍ରାୟ ଶତାଧିକ ବର୍ଷର ବ୍ରହ୍ମନିଷ୍ଠ ନୀରବ ସାଧନା ଓ ଜନଗହଳି ମଧ୍ୟରେ ସନ୍ନ୍ୟାସୀ ପ୍ରଚାରକ ତଥା ପରିବ୍ରାଜକ ବିଶ୍ୱନାଥ ବାବାଙ୍କ ଚିଦ୍‌ବତ୍ତାର- ପରିଚାୟକ ପ୍ରବଚନ ଏବଂ କାଳଜୟୀ ରଚନା ଏ ଦିଗରେ ସହାୟକ ହୋଇଛି । ଅଥଚ ‘ଓଡ଼ିଶାର ମହିମାଧର୍ମ’ ଗବେଷକ ଶ୍ରୀଚିତ୍ତରଂଜନ ଦାସଙ୍କ ସ୍ୱାଭିମାନର ପରିଚୟ ଦେବା ସଙ୍ଗେ ସଙ୍ଗେ ଧର୍ମରାଜ୍ୟରେ ଉତ୍କଳ ଗୌରବର ସଙ୍କେତ ବହନ କରେ । ଯଥାର୍ଥତଃ ବିଶ୍ୱ ତଥା ଭାରତର ଧର୍ମ ଧାରାରେ ଉତ୍କଳର ବୈଶିଷ୍ଟ୍ୟ ହେଉଛି ମହିମା ଧର୍ମ”-। ଚିତ୍ତରଂଜନଙ୍କ ସମାଲୋଚନାର ଧାରା ପରବର୍ତ୍ତୀ ପିଢ଼ିର ଲେଖକ ଓ ସମାଲୋଚକମାନଙ୍କର ମାର୍ଗ ଦର୍ଶନରେ ସହାୟତା କରିବ, ଏହା ସୁନିଶ୍ଚିତ ।

Image

 

ଅନୁଭୂତିସିଦ୍ଧ ଭ୍ରମଣ କାହାଣୀ

 

ଚିତ୍ତରଂଜନ ଦାସ ଜୀବନରେ ବହୁସ୍ଥାନ ବୁଲିଛନ୍ତି । କେବଳ ଭାରତବର୍ଷ ନୁହେଁ ପୃଥିବୀର ବହୁଦେଶ ଭ୍ରମଣ କରିଛନ୍ତି । ତେଣୁ ସେ ଭ୍ରମଣ କାହାଣୀକୁ ତାଙ୍କର ଆଦ୍ୟ ରଚନା ଭାବରେ ସ୍ୱୀକାର କରି ଲେଖିଛନ୍ତି- “ମୋର ସର୍ବପ୍ରଥମ ଗଦ୍ୟ ଲେଖା ହେଉଛି ଏକ ଭ୍ରମଣ କାହାଣୀ । ହିମାଳୟର ବକ୍ଷରେ ବଢ଼ୁଥିବା ନେପାଳକୁ ଦେଖି ମୋତେ ଏପରି ଭଲ ଲାଗିଲା ଯେ ମୁଁ ସେହି ଭଲ ଲାଗିବାର ଅନ୍ତରଙ୍ଗ କାହାଣୀଟିକୁ ବହିଟିଏ କରି ଲେଖିଦେଲି । ଉଚିତ ଦେଖିପାରୁଥିଲେ ଖାଲି ଦୂର ହିମାଳୟରୁ ନେପାଳ ନୁହେଁ ଘରପାଖ ଗଞ୍ଜାମମାଳ ବି କେଡ଼େ ଜୀବନ୍ତ ଓ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇ ଦେଖାଯାଇପାରେ, ମାତ୍ର ସାତଦିନରେ ମୁଁ ସେଠି ପ୍ରକୃତରେ କେତେ ଅଳପ ଦେଖିଥିଲି, ତଥାପି ସମ୍ପୂର୍ଣ୍ଣ ବହିଟାଏ ଲେଖି ହୋଇଗଲା । ଏହାପରେ ଅସଲ ଭ୍ରମଣ କାହାଣୀ ‘ଶିଳାତୀର୍ଥ’ ଲେଖାହେଲା । ନିଜ ଭିତରକୁ ଯାତ୍ରା, ନିଜ ବାହାରେ ବିସ୍ତାର ରହିଥିବା ଏ ଭୁବନ ମଧ୍ୟକୁ ବି ଯାତ୍ରା,- ଦୁଇଟିଯାକ ଏକାଠି ହେଲେ ତୁମକୁ ଯେଉଁ ବିଶେଷ ଭାଗ୍ୟଟିଏ ମିଳେ, ‘ଶିଳାତୀର୍ଥ’, ବହି ସେହିପରି ଏକ ମଗ୍ନ ସଚଳ ଅବସ୍ଥାରେ ଭାଗ୍ୟବାନ ସନ୍ତାନ । ଏବେବି ଖୁବ୍ ମନେଅଛି, ବହିଟିକୁ ଲେଖୁଥିବା ସମୟରେ ତାହା ମୋ’ ଭିତରର କେତେ କ୍ଷତଲାଗି ସତେ ଅବା ଜନନୀର ହାତ ପରି କାର୍ଯ୍ୟ କରିଥିଲା । ଜୀବନରେ ଆଉ କୌଣସି ବହିରୁ ମୁଁ ନିଜେ ଏତେ ଉପକାର ପାଇଛି ବୋଲି ମୋ’ର ଆଦୌ ମନେପଡ଼ୁନାହିଁ । ଏହାପରେ ମଧ୍ୟ ଭ୍ରମଣ କାହାଣୀର ଧାଡ଼ିରେ ଚୀନ ଆସିଲା, ଇସ୍ରାଏଲ ଆସିଲା । ଏହି ବିଶ୍ୱଟିକୁ ତୁମେ ଯେତିକି ଅନ୍ତରସ୍ଥ କରି ଗ୍ରହଣ କରିପାରିବ, ତୁମର ଜୀବନ ସେତିକି ଧନ୍ୟ ହେବ, ତୁମେ ନିଜ ଘରଟି ମଧ୍ୟରେ ବିଶ୍ୱ ଆସି ସମୁପସ୍ଥିତ ହୋଇଛି ବୋଲି ଅନୁଭବ ହେବ ।” (ମିତ୍ରସ୍ୟ ଚକ୍ଷୁସା)

 

ଲେଖକ ଥିଲେ ଜଣେ ଅନୁଭୂତିସିଦ୍ଧ ମଣିଷ । ଲେଖନୀ ତାଙ୍କ ହାତରେ ଥିଲା ସର୍ବଦା ଗତିଶୀଳ । ସେ ଯେଉଁ ଦେଶ ଯାଇଛନ୍ତି ସେ ଦେଶର ମାଟି, ପାଣି, ପବନ ଓ ମଣିଷମାନଙ୍କୁ ଆପଣାର ମନେକରିଛନ୍ତି । ଅନ୍ତରଙ୍ଗ ଆତ୍ମୀୟତା ଭିତରେ ବାନ୍ଧି ହୋଇପଡ଼ିଛନ୍ତି । ତାଙ୍କର ଭ୍ରମଣ କାହାଣୀମାନଙ୍କ ମଧ୍ୟରେ ସେ ‘ଶୀଳାତୀର୍ଥ’କୁ ସର୍ବାପେକ୍ଷା ଉଚ୍ଚ ଆସନ ଦେଇଛନ୍ତି । ତାଙ୍କ ପାଇଁ ଏହା ଏକ ସ୍ମରଣୀୟ ଭ୍ରମଣ କାହାଣୀ । ଲେଖକଙ୍କର ହୃଦୟର ସମସ୍ତ ଧର୍ମ, ଦର୍ଶନ, ଚିନ୍ତାର ଅପୂର୍ବ ସମାବେଶ ଏହି ଭ୍ରମଣ ପୁସ୍ତକରେ ବର୍ଣ୍ଣିତ ହୋଇଛି । ହିମାଳୟ ପାର୍ବତ୍ୟାଞ୍ଚଳରେ ବୁଲି ବୁଲି ସେ ଯେଉଁ ମନକୁ ଛୁଇଁଲା ପରି ଅନୁଭୂତି ଅର୍ଜନ କରିଛନ୍ତି ତାହା ଏହି ପୁସ୍ତକର ମୁଖ୍ୟ ପ୍ରସଙ୍ଗ ହୋଇଛି । ବହିଟିକୁ ସେ ସର୍ବମୋଟ ନଅଟି ପରିଛେଦରେ ବିଭକ୍ତ କରିଛନ୍ତି । ପ୍ରଥମେ ସେ ଲେଖିଛନ୍ତି ହାଟକଲ୍ୟାଣୀ ଗାଁରୁ ହିମାଳୟ ଯିବାକଥା । ମେ ମାସ ବାଇଶି ତାରିଖ ଶୁକ୍ରବାର; ବୈଶାଖ ପୂର୍ଣ୍ଣିମାରେ ସେ ହିମାଳୟ ଯାତ୍ରା ଆରମ୍ଭ କରିଛନ୍ତି । ସେଦିନ ଥିଲା ଗୌତମ ବୁଦ୍ଧଙ୍କର ପବିତ୍ର ଜନ୍ମତିଥି । ହିମାଳୟର ଭିନ୍ନ ଭିନ୍ନ ସ୍ଥାନରେ ଥିବା ବହୁତୀର୍ଥ ଦର୍ଶନ କରି ସେ ଆତ୍ମହରା ହୋଇପଡ଼ିଛନ୍ତି । କେଦାରନାଥ, ବଦ୍ରିନାଥ, କାଳୀମଠ, ଗୌରୀଶଙ୍କର ମନ୍ଦିର ମାନସରୋବର ରୁଦ୍ରପ୍ରୟାଗ, ଗୁପ୍ତକାଶୀ, ଅଳକାନନ୍ଦ ଆଦି ବହୁସ୍ଥାନ ଦର୍ଶନ କରିଛନ୍ତି । ଏଥିରେ ବିଚ୍‌ପୁରୀରେ ପଢ଼଼ୁଥିବା ତାଙ୍କରି ପ୍ରିୟଛାତ୍ର ସଦନ ତାଙ୍କୁ ବହୁ ସାହାଯ୍ୟ କରିଛି । ସଦନର ଗ୍ରାମ ଥିଲା ହାଟକଲ୍ୟାଣୀ । ତେଣୁ ସେ ହିମାଳୟର ସବୁସ୍ଥାନ ବିଷୟରେ ଜାଣିଥିଲା । ସେ ଓ ତା’ର ବାପା ତାଙ୍କୁ ବିଭିନ୍ନ ସ୍ଥାନ ବୁଲାଇବାରେ ସହଯୋଗ କରିଥିଲେ । ହିମାଳୟର ହାଟକଲ୍ୟାଣୀ ଗାଁ ପାହାଡ଼ର ପାଦଦେଶରେ ଅବସ୍ଥିତ । ସେଠାରେ ସେ ପାହାଡ଼ି ଭାଷାର ଅନେକ ଶବ୍ଦ ଶୁଣିଲେ ନିଜ ଟିପା ଖାତାରେ ଟିପିଲେ । ଓଡ଼ିଶାର ପାହାଡ଼ିଆ ଅଞ୍ଚଳର ଅଧିବାସୀଙ୍କ ଭାଷାରେ ଅନେକ ସାମ୍ୟ ଏହି ଶବ୍ଦଗୁଡ଼ିକ ସହ ରହିଥିବା ତାଙ୍କର ଅନୁଭବ ଆସିଲା । ହିମାଳୟ ପାଖରେ ବସି ସେ ଅନେକ ସନ୍ତୋଷ ଅନୁଭବ କରିଛନ୍ତି । ଯେତିକି ନୀରବ ନିଶ୍ଚଳ ହୋଇଛନ୍ତି ତାଙ୍କୁ ମନେ ହୋଇଛି ସତେ ଯେପରି ସେ କାହା ସହିତ ସଂଯୁକ୍ତ ହୋଇଯାଇଛନ୍ତି; ତେଣୁ ଶିଳାତୀର୍ଥର ଶେଷ ଅଧ୍ୟାୟରେ ଚିତ୍ତରଂଜନ ଲେଖିଛନ୍ତି- “ହିମାଳୟକୁ ଆସି ମୁଁ ସୌନ୍ଦର୍ଯ୍ୟର ଯେଉଁ ଲୀଳା ଦେଖିଗଲି, ଜୀବନର ସାଧାରଣ ମୁହୂର୍ତ୍ତରେ ସେହି ଲୀଳା ମୁଁ ପାସୋରି ପକାଇବି ନାହିଁ । ହିମାଳୟରେ ପଥ ଚାଲି ମୁଁ ଯେଉଁ ପୁଣ୍ୟ ଅର୍ଜନ କଲି, ଜୀବନ ପଥରେ ଚାଲିବା ସମୟରେ ସେହି ପୁଣ୍ୟ ମୋର ଗତିକୁ ଅଧିକ ସହଜ କରାଇବ, ମୋର ପଥିକ–ମନକୁ ଅଧିକ ସରସ ଓ ପ୍ରସନ୍ନ କରି ରଖିବ । ହିମାଳୟର ଶିଳାତୀର୍ଥରେ ମୁଁ ଯେଉଁ ଦେବତାର ଦର୍ଶନ କରିଗଲି, ଜୀବନ ତୀର୍ଥରେ ସେହି ଦେବତା ମୋର ମନରେ ଅଧିକ ଶ୍ରଦ୍ଧା ଆଣିଦେବ । ଏହି ହିମାଳୟକୁ ମୁଁ ବାରବାର ଆସିବି, ବାରବାର ଏହାର ଚରଣ ତଳେ ବସି ଏହାର କଥା ଶୁଣିବି । ଏହାର ନଦୀ, ଏହାର ତୁଷାରଚୂଡ଼ା ଓ ଏହାର ପ୍ରସନ୍ନ ମୁଖଦେଖି ଜୀବନରେ ଖୁସୀ ହୋଇ ଖେଳିବା ପାଇଁ ମୁଁ ବାରବାର ପ୍ରେରଣା ନେଇ ଯାଉଥିବି ।” ହିମାଳୟର ସଙ୍ଗ ଛାଡ଼ିବାକୁ ତାଙ୍କ ଇଚ୍ଛା ହୋଇନାହିଁ । ସଂସାରର ଦଉଡ଼ି ଛିଡ଼ାଇ ଅନେକ ହିମାଳୟ ଚାଲିଯାଆନ୍ତି । ତାଙ୍କ ଜୀବନର ମାନଚିତ୍ର ଭିତରେ ସଂସାର ଓ ହିମାଳୟ ଉଭୟ ସ୍ଥାନ ସମାନ । ତେଣୁ ସେ କହିଛନ୍ତି- “.....ତେଣୁ ସଂସାରକୁ ଅସହ୍ୟ କରି ହିମାଳୟକୁ ଯିବା ବା ହିମାଳୟକୁ ପାସୋରି ପକାଇ ସଂସାରରେ ବୁଡ଼ି ରହିବା- ଏ ଦୁଇଟିଯାକ ରୀତିକୁ ମୁଁ ବ୍ୟାଧି ବୋଲି ମନେକରେ-। ସଂସାରରେ ଥିବାବେଳେ ମୁଁ ହିମାଳୟଠାରୁ ପ୍ରେରଣା ନେବାକୁ ଚେଷ୍ଟା କରିଥାଏ, ଏବଂ ହିମାଳୟରେ ଥିବାବେଳେ ସଂସାରକୁ ଅଧିକ ସୁନ୍ଦର କରି ଦେଖିବାର ଚେଷ୍ଟା କରିଥାଏ । ସଂସାରରେ ଦଣ୍ଡେ ଶାନ୍ତ ହୋଇ ବସି ପଡ଼ିଲେ ମୋର ଅନ୍ତରର ଆଖି ଉପରେ ହିମାଳୟର ଶାନ୍ତି ଝଟକି ଉଠେ, ହିମାଳୟକୁ ସ୍ତବ୍ଧ ହୋଇ ଅନାଇ ରହିଥିବା ବେଳେ ସଂସାରଜନିତ ନାନା ଜ୍ୱାଳା ଗୋଟିକ ପରେ ଗୋଟିଏ ହୋଇ ନିଭିଯିବା ପରି ମନେହୁଏ । ଏହି ଲାଭଟା ମୋର ଜୀବନର ସବୁଠାରୁ ବଡ଼ଲାଭ ।” (ଶିଳାତୀର୍ଥ)

 

‘ଗଞ୍ଜାମ ମାଳରେ ସାତଦିନ’ ଚିତ୍ତରଂଜନଙ୍କର ଅନ୍ୟ ଏକ ଅନୁଭୂତିସିଦ୍ଧ ଭ୍ରମଣ କାହାଣୀ ପୁସ୍ତକ । “ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତ ଅଞ୍ଚଳର ଜୀବନ ଓ ଜୀବିକାର ମନୋଜ୍ଞ ଚିତ୍ରକୁ ନେଇ ଏହାର କଳେବର ପରିପୁଷ୍ଟ । ମାତ୍ର ସାତଦିନ ସେଠାରେ ରହି ସେ ଯେଉଁ ଦୃଶ୍ୟପଟ ଦେଖିଥିଲେ ତାହାଥିଲା ତାଙ୍କ ପାଇଁ ଅତ୍ୟନ୍ତ ଜୀବନ୍ତ ଓ ତାତ୍ପର୍ଯ୍ୟ ପୂର୍ଣ୍ଣ ଭାରତର ଉତ୍ତରାଞ୍ଚଳ ଓ ପୂର୍ବଦକ୍ଷିଣାଞ୍ଚଳ ଭ୍ରମଣ ଅନୁଭୂତି ଆଧାରିତ ଏହି ଦୁଇଟି ମନୋରମ କୃତିକୁ ବାଦ୍‌ ଦେଲେ ବିଦେଶାନୁଭୂତିକୁ ପୁଞ୍ଜି କରି ସେ ଯେଉଁ ଭ୍ରମଣ କାହାଣୀ ଲେଖିଛନ୍ତି ତନ୍ମଧ୍ୟରେ ‘ନେପାଳ ପଥେ’ ଅନ୍ୟତମ । ଲୋକମାନଙ୍କ ଆଖିରେ ନେପାଳ ଅସ୍ପଷ୍ଟ ଓ ରହସ୍ୟମୟ ହୋଇ ରହିଥିଲା । ଏହି ପାର୍ବତ୍ୟ ଅଞ୍ଚଳଟି ବିଷୟରେ ନାନା ମନଗଢ଼ା କଥା ଶୁଣିବାକୁ ମିଳିଥାଏ । ପଶୁପତିନାଥ ମନ୍ଦିରର ଶିବବିଗ୍ରହରେ ପର୍ଶୁ ପଥର ଥିବାର କଳ୍ପିତ କାହାଣୀ ଅନେକ ଜାଣନ୍ତି । କିନ୍ତୁ ଚିତ୍ତରଂଜନ ନେପାଳକୁ ଦେଖିବା ପରେ ତାଙ୍କ ଉପରେ ଯେଉଁ ଛାପପଡ଼ିଛି ତାକୁ ସେ ଭାଷାର ଭୂଷଣ ଦେଇ ପାଠକମାନଙ୍କ ନିକଟରେ ପରିବେଷଣ କରିବାରେ ଚେଷ୍ଟିତ ହୋଇଛନ୍ତି । ‘ନେପାଳ ପଥେ’ ପୁସ୍ତକର ‘ମୂଳରୁ ପଦେ’ରେ ସେ ଲେଖିଛନ୍ତି- “ନେପାଳରେ ନବଜାଗରଣର ପର୍ବ ଆରମ୍ଭ ହୋଇଛି-। ନେପାଳର ଗୁର୍ଖା ଆଜି ପର୍ଯ୍ୟନ୍ତ ଖାଲି ରାଜଭକ୍ତ ସିପାହୀ ସାଜି ହୁକୁମ ତାଲିମ କରି ଆସୁଥିଲା-। କିନ୍ତୁ ସବୁ ଉପଜାତି ମିଳି ନିଜକୁ ‘ନେପାଳୀ’ କହିବାର ଜାତୀୟଚେତନା ସେଠି ନୂତନରୂପେ ଜନ୍ମଲାଭ କଲାଣି । ନେପାଳରେ ମଧ୍ୟ ଭୋକୀ ଉପାସୀ ଅଛନ୍ତି, ନେପାଳର ଟାଙ୍ଗରା କନ୍ଦରାର ୬୭୦୦୦ ଅଧିବାସୀ ମଧ୍ୟ ଭବିଷ୍ୟତର ସମୃଦ୍ଧ ଯୁଗପାଇଁ ଅଣ୍ଟାଭିଡ଼ି, ବାହାରିଲେଣି । ଏଇ ଆସନ୍ନ ବିପ୍ଲବର ସୈନିକରୂପେ ନେପାଳୀ ମଧ୍ୟ ଭାରତୀୟ ସାଙ୍ଗକୁ ଗୋଟିଏ ଶିବିରର ସେନାପରି ନିଜକୁ ସଜ୍ଜିତ କଲାଣି । ଆଗାମୀ ସଂହାର ଯୁଗରେ ନେପାଳ ଓ ଭାରତର ପରିଚୟ ଅତି ନିକଟତର ହୋଇଯିବ । ସଂହାର ପରେ ଯେଉଁ ସୃଷ୍ଟିପର୍ବ ଆସିବ, ସେଥିରେ ମଧ୍ୟ ନେପାଳର ସ୍ଥାନ ଭାରତ ପାଖେ ପାଖେ ରହିବ । ଅତୀତରେ ଭାରତର ଧର୍ମ, ଆଚାର ଓ ସମାଜନୀତି ନେପାଳର ସାଂସ୍କୃତିକ ଜୀବନକୁ ନାନାଭାବେ ଗଢ଼ି ମାଜି ଆସଛି । ଆଗାମୀ କାଳରେ ଏଇ ଆଦାନ ପ୍ରଦାନର ସମ୍ପର୍କ ଆହୁରି ନିବିଡ଼ ହେବ ।”

 

‘ଡେନ୍‍ମାର୍କ ଚିଠି’ ଲେଖକଙ୍କର ଡେନ୍‍ମାର୍କ ଅବସ୍ଥାନ କାଳରେ ଆତ୍ମୀୟମାନଙ୍କ ପାଖକୁ ବିଭିନ୍ନ ସମୟରେ ଲେଖାଯାଇଥିବା ଚିଠିଗୁଡ଼ିକର ଏକ ସମଷ୍ଟିଗତ ରୂପ । ଅତ୍ୟନ୍ତ ବ୍ୟକ୍ତିଗତ ହୋଇଥିଲେ ମଧ୍ୟ ଏହାର ଛତ୍ରେ ଛତ୍ରେ ପୁରି ରହିଛି ଅନନ୍ୟ ଦେଶପ୍ରୀତି । ଡେନ୍‍ମାର୍କର ଉନ୍ନତି ଦେଖି ସେ ନିଜ ଦେଶର ଉନ୍ନତି କଥା ଚିନ୍ତା କରିଛନ୍ତି, ଡେନ୍‍ମାର୍କର ରୀତିନୀତି ସମାଜ ଚଳଣି ଲେଖକଙ୍କୁ ଖୁବ୍ ପସନ୍ଦ ହୋଇଛି । ସେ ଦେଶରେ ମଣିଷକୁ ଆଗ ସମ୍ମାନ ଦିଆଯାଏ । ତେଣୁ ସେ କୁହନ୍ତି- “ମଣିଷର ସୁଖ ସୁବିଧା ଲାଗିତ ସରକାର, ଅଫିସର । ସେଥିପାଇଁ ଡେନ୍‍ମାର୍କ ଆଗ ସମାଜ ଓ ସମାଜର ମଣିଷକୁ ପ୍ରଧାନ ମନେକରେ । ସେଠି ମଣିଷଲାଗି କଳ, କାରଖାନା, ଅଫିସ ଓ ଅଫିସର ସୃଷ୍ଟି ହୋଇଛି ।” (ଡେନ୍‍ମାର୍କ ଚିଠି) । ଡେନ୍‍ମାର୍କର ପ୍ରତିଟି ପରିବାର ଓ ପିଲାମାନଙ୍କ ସହ ଚିତ୍ତରଂଜନ ଅତି ଆପଣାର ପରି ମିଶି ଯାଇଥିଲେ । ସେଠାକାର ମଣିଷ ସହିତ ସେମାନଙ୍କର ଆନନ୍ଦ ଉତ୍ସବ ସହିତ ସେ ନିଜକୁ ହଜାଇ ଦେଉଥିଲେ । ତେଣୁ ସେ ଡେନ୍‍ମାର୍କ ଚିଠିରେ ଲେଖିଛନ୍ତି- “ଏଠିକାର ମଣିଷ ସହିତ ଏଠିକାର ଆନନ୍ଦ ଉତ୍ସବକୁ ଜୀବନ ସହିତ ମୁଁ ନିଜକୁ ଯେତିକି ମିଶାଇ ପାରୁଛି; ବିଭିନ୍ନ ଦେଶ ମଣିଷ ଯେ ଏକ, ଏ ବିଷୟରେ ମୋର ବିଶ୍ୱାସ ଦିନକୁ ଦିନ ଦୃଢ଼ ହୋଇଯାଉଛି । ସଂସାରରେ ଗୋଟିଏ ଘରେ ଜନ୍ମ ହୋଇ ମଧ୍ୟ ସାରା ସଂସାରରେ ଯିଏ ଘର ବାନ୍ଧି ପାରୁଛି, ତାକୁଇ ମୁଁ ସବୁଠାରୁ ଭାଗ୍ୟବାନ ବୋଲି କହିବି ।” କେବଳ ଏହି ବହିଟିରେ ନୁହେଁ ଅନେକ ଭ୍ରମଣର ଅନୁଭୂତିକୁ ସେ ‘ରୋହିତର ଡାଏରୀରେ’ ବର୍ଣ୍ଣନା କରିଛନ୍ତି । ଏହାର ତୃତୀୟ ଖଣ୍ଡରେ ସେ ‘ଡେନ୍‍ମାର୍କ’ର ଅନୁଭୂତିକୁ ଲେଖିଛନ୍ତି । ଡେନ୍‍ମାର୍କର ଲୋକଜୀବନ ଓ ଲୋକସଂସ୍କୃତି ସହିତ ସାହିତ୍ୟ, ସମାଜ ଓ ରାଜନୀତି ବିଷୟରେ ବର୍ଣ୍ଣନା କଲାବେଳେ ସେ ଅଖଣ୍ଡ ଭାବପ୍ରବଣ ହୋଇପଡ଼ିଛି । ସେଠାକାର ପ୍ରାକୃତିକ ଦୃଶ୍ୟ ତାଙ୍କୁ ବେଶ୍ ମନୋରମ ମନେହୋଇଛି । ବିଭିନ୍ନ ସ୍ଥାନର ଅନୁଭୂତିଠାରୁ ଡେନ୍‍ମାର୍କର ଅନୁଭୂତିକୁ ସେ ଅଧିକ ପ୍ରାଧାନ୍ୟ ଦେଇଛନ୍ତି । ସାଗର ପଥ ଭ୍ରମଣ କାହାଣୀରୁ ଲେଖକଙ୍କର ଅଫୁରନ୍ତ ଦେଶପ୍ରେମର କଥା ଆପେ ଆପେ ଧରାପଡ଼ିଯାଏ । ଗାଅଁର ଦଶହରା, ଦୋଳ ଓ ପର୍ବପର୍ବାଣି ତାଙ୍କର ବାରମ୍ବାର ମନେ ପଡ଼ିଛି । ସେ ଏହି ପୁସ୍ତକରେ କହିଛନ୍ତି- “ଓଡ଼ିଆ ଭାଷା କିମ୍ବା ଓଡ଼ିଆ ଜାତିପ୍ରତି ତୋ’ର ଅନୁରକ୍ତି ତୋଠାରୁ କେହି ଛଡ଼ାଇ ନେବେ ନାହିଁ ।” ଏହା ଏକ ସମୁଦ୍ର ଯାତ୍ରାର ବିବରଣୀ ମାତ୍ର !

 

‘ଆମେରିକାରୁ ଆସିଲି’, ଚିତ୍ତରଂଜନଙ୍କ ଅନ୍ୟଏକ ଭ୍ରମଣ କାହାଣୀ । ଆମେରିକାରେ ସାଢ଼େ ଚାରିମାସର ରହଣିରେ ଚିତ୍ତଭାଇ ଯେଉଁ ବିପୁଳ ଅଭିଜ୍ଞତା ହାସଲ କରିଥିଲେ ତାହା ତାଙ୍କର ଏହି ଭ୍ରମଣ କାହାଣୀ ପୁସ୍ତକରେ ବର୍ଣ୍ଣିତ । ଆମେରିକା ପୃଥିବୀର ସବୁଠାରୁ ଧନୀଦେଶ । ଏଠାରେ ଲୋକମାନେ ବିଳାସପ୍ରିୟ ଜୀବନ ଯାପନ କରନ୍ତି । କିନ୍ତୁ ଲେଖକ ଆମେରିକାର ଭୋଗବିଳାସ ଓ ଚାକଚାକ୍ୟ ଭିତରେ ନିଜକୁ ହଜାଇ ଦେଇନାହାନ୍ତି । ପ୍ରତ୍ୟେକ ଆମେରିକାବାସୀ ଭାରତୀୟମାନେ ବଞ୍ଚୁଥିବା ଦ୍ୱୈତଜୀବନକୁ ଲେଖକ ନାପସନ୍ଦ କରିଛନ୍ତି । ପୃଥିବୀର ସବୁ ଚାକଚକ୍ୟ ଓ ଆଡ଼ମ୍ବର ଭିତରେ ନିଜ ଭୂଇଁଟିର ଚେରଟିକୁ ସେ କାଟି ଦେଇନାହାନ୍ତି । ତାଙ୍କ ମତହେଲା, ଦେଶଗୁଡ଼ାକ ସିନା ଅଲଗା, ଭୂଇଁଟି ସେଇ ଗୋଟାଏ । ଏ ସବୁ ମଧ୍ୟରେ ସେ ସମଭାବରେ ସେଠିକାର ମଣିଷକୁ ଦେଖିଛନ୍ତି । ସେମାନଙ୍କୁ ସୁହୃଦ୍‌ବତ୍ ଆପଣେଇ ନେଇଛନ୍ତି । ସେମାନଙ୍କ କଥା କହିଲାବେଳେ ଆପଣାର କଥା ମଧ୍ୟ ବିଚାରିଛନ୍ତି । ଏହି କୃତିରାଜିରେ ଇତିହାସ ଅଛି, ଭୂଗୋଳ ଅଛି, ସାହିତ୍ୟ ଅଛି, ସଂସ୍କୃତିର ବିପୁଳ ଚିତ୍ରାୟନ ମଧ୍ୟ ଅଛି । ସ୍ୱାଧୀନୋତ୍ତର କାଳର ଭ୍ରମଣ କାହାଣୀ ରଚୟିତାମାନଙ୍କ ମଧ୍ୟରେ ସେ ଅନନ୍ୟ ଓ ତାଙ୍କ ପ୍ରତିଭା ଅସାଧାରଣ ।

Image

 

Unknown

ଚରିତ ସାହିତ୍ୟର ସ୍ରଷ୍ଟା ଚିତ୍ତରଂଜନ

 

ଚରିତ ସାହିତ୍ୟ ମୁଖ୍ୟତଃ ଜୀବନୀ ଓ ଆତ୍ମଜୀବନୀ ଉଭୟକୁ ବୁଝାଇଥାଏ । ଚିତ୍ତରଂଜନ ଏହି ଦୁଇ ପ୍ରକାର ଜୀବନୀ ସାହିତ୍ୟର ରଚୟିତା । ଚିତ୍ତରଂଜନ ଦାସ ଓଡ଼ିଶାର ଜଣେ ବରପୁତ୍ର ଶ୍ରୀନବକୃଷ୍ଣ ଚୌଧୁରୀଙ୍କୁ ନିଜର ଜଣେ ଅଭିଭାବକ ଓ ମାର୍ଗଦର୍ଶକ ଭାବରେ ଗ୍ରହଣ କରିଥିଲେ । ଶ୍ରୀ ଚୌଧୁରୀଙ୍କର ପତ୍ନୀ ମାଳତୀ ଚୌଧୁରୀ ତାଙ୍କୁ ଏତେବଡ଼ କରିବାରେ ସାହାଯ୍ୟ ଓ ସହଯୋଗ ସାଧ୍ୟମତେ କରିଛନ୍ତି । ତାଙ୍କର ପାରିବାରିକ ଜୀବନ ଓ ଶିକ୍ଷା ଲାଭ ପାଇଁ ଶ୍ରୀମତୀ ଚୌଧୁରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତେଣୁ ସେ ତାଙ୍କୁ ମାଆ ବୋଲି ଜାଣିଥିଲେ । ଶ୍ରୀ ନବକୃଷ୍ଣ ଚୌଧୁରୀ ଥିଲେ ଜାତୀୟ ଚେତନାର ଅନ୍ୟତମ ବାର୍ତ୍ତାବହ । ଜମିଦାରର ପୁଅ ହୋଇବି ଜମିଦାରୀକୁ ଗୋଡ଼ରେ ଆଡ଼େଇ ଦେଇଥିଲେ । ରାଜସିଂହାସନକୁ ପାଦରେ ଠେଲିଦେଇ ମାଟିର ଚିତା ଲଗାଇ ମାଟିର ମଣିଷ ସହ ଏକାକାର ହୋଇଯାଇଥିଲେ । ସେ କେବଳ ସ୍ୱାଧୀନତା ସଂଗ୍ରାମୀ ନ ଥିଲେ । ଭାରତକୁ ସ୍ୱାଧୀନ କରିବାରେ ସେ ସମ୍ମୁଖ ସଂଗ୍ରାମରେ ପ୍ରମୁଖ ଅଂଶ ଗ୍ରହଣ କରି ଏକାଧିକ ବାର କାରବରଣ କରିଥିଲେ । ଦେଶ ସ୍ୱାଧୀନ ହେଲା । ତଥାପି ସେ ସନ୍ତୁଷ୍ଟ ହୋଇପାରିନଥିଲେ । ଯେଉଁ ନୀତି ଓ ଆଦର୍ଶକୁ ନେଇ ଦେଶ ସ୍ୱାଧୀନ ହେଲା ପରବର୍ତ୍ତୀ ସମୟରେ ତାହାର ଅବକ୍ଷୟ ହେଲା । ଡକ୍ଟର ଚିତ୍ତରଂଜନ ଦାସ ଲେଖିଥିବା ଚରିତ ସାହିତ୍ୟ ମଧ୍ୟରେ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୀବନୀ ଅନ୍ୟତମ । ତାଙ୍କୁ ଏହି ଜୀବନୀ ପୁସ୍ତକ ରଚନା କରିବାରେ କେହି କେହି ତଥ୍ୟ ଯୋଗାଇ ଦେଇଛନ୍ତି, କେହି କେହି ସହାୟକ ଅନ୍ୟ ପୁସ୍ତକମାନେ ମଧ୍ୟ ଯୋଗାଇଛନ୍ତି-। ସେମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ମଦନମୋହନ ସାହୁ, ଶ୍ରୀ ବିଶ୍ୱନାଥ ପଟ୍ଟନାୟକ, ଶ୍ରୀ ଲୋକନାଥ ରାୟ, ଶ୍ରୀ କିଶୋରୀ ଚରଣ ଚୌଧୁରୀ, ଶ୍ରୀ ଭି. ସୀତାରାମିୟା, ଶ୍ରୀ ପ୍ରଫୁଲ୍ଲ ଦାସ, ଶ୍ରୀ ଗୟାଧର ବାରିକ ଓ ଶ୍ରୀ ଜିତେନ୍ଦ୍ର ମହାନ୍ତି ପ୍ରଭୃତି ପ୍ରଧାନ ।

 

ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଡାକନାମ ଥିଲା ବାପି ଓ ପତ୍ନୀ ଶ୍ରୀମତୀ ମାଳତୀ ଚୌଧୁରୀ ‘ନୁମା’ ନାମରେ ପରିଚିତ ଥିଲେ । ତାଙ୍କର ଜନ୍ମହୁଏ ୧୯୦୧ ମସିହା ନଭେମ୍ବର ମାସ ୨୩ ତାରିଖରେ ଜଗତସିଂହପୁର ଜିଲ୍ଲାର ଖେରସ ଗ୍ରାମର ବିଭବଶାଳୀ ଏକ ଜମିଦାର ପରିବାରରେ ଏବଂ ମୃତ୍ୟୁ ହୁଏ ୧୯୮୪ ମସିହା ଜୁନ୍ ୨୪ ତାରିଖରେ କର୍ମସ୍ଥଳୀ ଅନୁଗୁଳର ବାଜି ରାଉତ ଛାତ୍ରବାସର ଏକ ଚାଳଛପର ଘରେ । ଏହି ଜନ୍ମ ମୃତ୍ୟୁ ମଧ୍ୟରେ ଯେଉଁ ସମୟତକକୁ ଜୀବନ ବୋଲି କୁହାଯାଏ ତାହାର ବାସ୍ତବତା ଜୀବନ ଭଳି ଏକ ଜୀବନରେ ହିଁ ରୂପାୟିତ ହୋଇଯାଇଛି- ଉତ୍ସର୍ଗୀକୃତ ଦିବ୍ୟଚେତନା, ଆତ୍ମାର ଅଭିବ୍ୟକ୍ତି ଓ ହୃଦୟର କର୍ମବୋଧ ମଧ୍ୟରେ । ତାହାରି ମଧ୍ୟରେ ପ୍ରତି ଛତ୍ରେ ଛତ୍ରେ ଫୁଟିଉଠିଛି ଜାତୀୟ ପ୍ରୀତି, ଜାତୀୟ ଆବେଦନ, ମାନବିକ ସଙ୍ଗୀତ, ମାତୃଭୂମିର ମମତା । ସେଠି ଜାତୀୟ ଦୃଷ୍ଟିଭଙ୍ଗୀ ସହ ମାନବୀୟ ଦୃଷ୍ଟିଭଙ୍ଗୀର ହୋଇଛି ମଧୁର ସମନ୍ୱୟ ।

 

ଚିତ୍ତରଂଜନଙ୍କ ଦୃଷ୍ଟିରେ ଶ୍ରୀ ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଯୁଗମାନବ । ସେ ତାଙ୍କ ଜୀବନକୁ ବିଭିନ୍ନ ଦୃଷ୍ଟି କୋଣରୁ ଉପସ୍ଥାପନ କରିଛନ୍ତି ତାହା ଆଲୋଚନା କଲେ ଖୁବ୍ ଦୀର୍ଘ ହେବ-। ଇଂରେଜ ସରକାର ଶାସନ ନାମରେ ଶୋଷଣ ଓ ଅତ୍ୟାଚାରର ଯେଉଁ ଅଟ୍ଟାଳିକାଟିଏ ଏ ଦେଶରେ ଠିଆ କରାଇଥିଲେ ତାକୁ ପିଟିଭାଙ୍ଗି ଚୂରମାର କରି ଦେବାକୁ ଏବଂ ତା’ରି ଉପରେ ସ୍ୱାଧୀନ ଭାରତର ନୂଆ ସୌଧଟି ଠିଆ କରାଇବା ପାଇଁ ଗାନ୍ଧିଜୀଙ୍କ ନେତୃତ୍ୱରେ ଯେଉଁ ସଂଗ୍ରାମ ଚାଲିଥିଲା ସେଥିରେ ଚୌଧୁରୀ ପରିବାରର ପ୍ରତ୍ୟେକ ନିଜ ନିଜକୁ ଉତ୍ସର୍ଗ କରିଦେଇଥିଲେ-। ସାନଭାଇ ଶ୍ରୀନବକୃଷ୍ଣ ଚୌଧୁରୀ ଓ ତାଙ୍କର ସହଧର୍ମିଣୀ ଶ୍ରୀମତୀ ମାଳତୀ ଚୌଧୁରୀ ଉଦ୍ଦାମ ଯୁବଶକ୍ତିକୁ ଉଦ୍‌ବୁଦ୍ଧ ଓ ସଙ୍ଗଠିତ କରି ଅଟାଳିକାଟିକୁ ଧୂଳିସାତ୍ କରିବା ପାଇଁ ଜୀବନକୁ ବାଜି ଲଗାଇ ଦେଇଥିବାବେଳେ ବଡ଼ଭାଇ ଗୋପବନ୍ଧୁ ଚୌଧୁରୀ ତାଙ୍କର ଧର୍ମପତ୍ନୀ ରମା ଦେବୀଙ୍କ ସହ ବରୀଠାରେ ଆଶ୍ରମ ସ୍ଥାପନ କରି ନବଭାରତର ନିର୍ମାଣମାନଙ୍କୁ ଗଢ଼ିବାରେ ଆତ୍ମନିୟୋଗ କରିଥିଲେ । ଢେଙ୍କାନାଳ ଓ ତାଳଚେରରେ ପ୍ରଜା ଆନ୍ଦୋଳନଠାରୁ ଆରମ୍ଭ କରି ଦେଶସ୍ୱାଧୀନ ହେବା ପର୍ଯ୍ୟନ୍ତ ପ୍ରାୟ ସମସ୍ତ ବିପ୍ଲବରେ ସେ ଆଗରେ ଥିଲେ । ସେଥିଲେ ଜଣେ ନିଷ୍ଠାପର ନୀତିବାଦୀ ମଣିଷ । ମହତାବଙ୍କ ମନ୍ତ୍ରିମଣ୍ଡଳରେ ପ୍ରଥମ ରାଜସ୍ୱ ମନ୍ତ୍ରୀ ଥିଲେ । ଅନ୍ୟମାନଙ୍କୁ ଡରାଇ ଶାସନ କରିବା ତାଙ୍କର ନୀତିବିରୁଦ୍ଧ ଥିଲା । ଶ୍ରୀ ଚୌଧୁରୀଙ୍କର ସମଗ୍ର ଓଡ଼ିଶାର ବିଭିନ୍ନ ଜମିଜମା ବ୍ୟବସ୍ଥା ସମ୍ପର୍କରେ ଆଇନଗତ ଗଭୀର ଜ୍ଞାନ ଥିବାରୁ ୧୯୪୭ ମସିହାରେ ଚାଷୀ ଓ ସରକାର ମଧ୍ୟରେ ରହିଥିବା ମଧ୍ୟସ୍ୱତକୁ ଉଚ୍ଛେଦ କରି ଏକ ପ୍ରଗତିଶୀଳ ଜମିଜମା ବ୍ୟବସ୍ଥାର ରୂପ ଦେବାପାଇଁ ଏକ କମିଟି ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଅଧ୍ୟକ୍ଷତାରେ ଗଠନ କରାଯାଇଥିଲା । ୧୯୪୮ ମସିହାରେ ମହାତ୍ମାଗାନ୍ଧୀଙ୍କ ହତ୍ୟା ଚୌଧୁରୀଙ୍କୁ ଗଭୀର ମର୍ମାହତ କରିଥିଲା । ସେ ଅସ୍ଥିର ହୋଇପଡ଼ିଲେ । କ୍ଷମତା ଓ ରାଜନୀତି ଉପରୁ ଆସ୍ଥା ତୁଟିଗଲା । ୧୯୪୮ ମସିହା ମାର୍ଚ୍ଚ ମାସରେ ତାଙ୍କର ଏକମାତ୍ର ପୁଅ କାଲୁର ଅକାଳ ବିୟୋଗ ହେଲା । ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ଅନୁଗୁଳ ଚାଲିଯାଇଥିଲେ । ତଥାପି ନେହେରୁଙ୍କ ଅନୁରୋଧ କ୍ରମେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ବହନ କରି ଓଡ଼ିଶା ଶାସନକ୍ଷେତ୍ରରେ ଏକ ଅଭିନବ ଅଧ୍ୟାୟ ସୃଷ୍ଟି କରିଥିଲେ । ରାଜସ୍ୱମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭାବରେ ଶ୍ରୀ ଚୌଧୁରୀ ବହୁ ପ୍ରଗତିଶୀଳ ଆଇନ ପ୍ରଣୟନ କରିଥିଲେ ଏବଂ ଶାସନର ମୋଡ଼ ବଦଳାଇ ଦେଇଥିଲେ । କୋରାପୁଟ ଓ ଗଞ୍ଜାମମାଳ ଅଞ୍ଚଳରେ ପ୍ରଚଳିତ ମୁସ୍ତାଦାରୀ ପ୍ରଥା ଉଚ୍ଛେଦ କରି ମୁସ୍ତାଦାରମାନଙ୍କ ଶୋଷଣ ଓ ଅତ୍ୟାଚାରରୁ ନିରୀହ ଆଦିବାସୀମାନଙ୍କୁ ରକ୍ଷା କରାଯାଇଥିଲା । ଭାଗଚାଷୀ କିପରି ତା’ର ଚାଷ କରୁଥିବା ଜମିରୁ ଉଚ୍ଛେଦ ନହେବ ଏବଂ ଉତ୍ପାଦନର ନ୍ୟାୟୋଚିତ ଅଂଶ ପାଇବ ସେ ଦିଗରେ ବ୍ୟବସ୍ଥା ଭାଗଚାଷୀ ଆଇନ ଓ ଚାଷୀ ସାହାଯ୍ୟ ଆଇନ ପ୍ରଣୟନ କରାଯାଇଥିଲା । ତାଙ୍କଦ୍ୱାରା ଜମିଦାରୀ ଉଚ୍ଛେଦ ଆଇନ ଲାଗୁହୋଇ ପ୍ରାୟ ୩ ଲକ୍ଷ ଜମିଦାରକୁ ଉଚ୍ଛେଦ କରାଯାଇଥିଲା । ଏହା ଫଳରେ ଏକ ଅତ୍ୟାଚାରୀ ସାମନ୍ତ ଯୁଗର ଅବସାନ ଘଟିଲା । ସେ ୧୯୫୦-୫୧ରେ ଗ୍ରାମ ପଞ୍ଚାୟତ ଆଇନ ପ୍ରଣୟନ କରି ପ୍ରଥମେ ଗ୍ରାମପଞ୍ଚାୟତ ନିର୍ବାଚନ କରାଇଥିଲେ । ଏହିପରି ଅନେକ ତଥ୍ୟକୁ ନେଇ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଜୀବନୀ ଋଦ୍ଧିମନ୍ତ ଥିଲା । ଏହାବାଦ ଚିତ୍ତରଂଜନ ଆହୁରି ଅନେକ ଅଜଣା କଥାକୁ ମଧ୍ୟ ତାଙ୍କ ରଚିତ ‘ଶ୍ରୀ ନବକୃଷ୍ଣ ଚୌଧୁରୀ ଏକ ଜୀବନୀ’ ପୁସ୍ତକରେ ସ୍ଥାନିତ କରିଛନ୍ତି ।

 

ଚିତ୍ତରଂଜନଙ୍କର ‘ଭିନ୍ନ ଜଣେ ବିବେକାନନ୍ଦ’ ଅନ୍ୟ ଏକ ଜୀବନ ଚରିତ । ବିବେକାନନ୍ଦ ଭାରତବର୍ଷରେ, ସ୍ୱାମୀ ବିବେକାନନ୍ଦ ନାମରେ ପରିଚିତ । ତାଙ୍କ ଜୀବନୀ ଭାରତବର୍ଷର ପ୍ରତିଟି ମଣିଷ ପାଇଁ ପ୍ରେରଣାର ଉତ୍ସ । କିନ୍ତୁ ଯୁବଶକ୍ତିକୁ ମଜଭୁତ୍ କରିବା ପାଇଁ ତାଙ୍କର ବାର୍ତ୍ତା କାଳଜୟୀ-। ଲେଖକ ଏହାର ଉତ୍ସର୍ଗରେ ଲେଖିଛନ୍ତି, “ସଂସ୍କାରକ, ବିପ୍ଲବୀ ଓ ସ୍ୱାଧୀନତା ସଂଗ୍ରାମୀ ନୂତନ ଭାବଧାରାର ବାହକ ‘ଭିନ୍ନ ଜଣେ ବିବେକାନନ୍ଦ’ଙ୍କୁ ଆମେ ନୂତନ ପୀଢ଼ି ହାତରେ ଅର୍ପଣ କରି ଦେଉଛି ତାଙ୍କର ନୂତନ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ।”

 

ଜୀବନଚରିତକୁ ବାଦଦେଲେ ଚିତ୍ତରଂଜନ ଦାସ ଆତ୍ମଜୀବନୀ ମଧ୍ୟ ରଚନା କରିଛନ୍ତି । ‘ମିତ୍ରସ୍ୟ ଚକ୍ଷୁସା’ ତାଙ୍କ ଆତ୍ମଜୀବନୀମୂଳକ ଗ୍ରନ୍ଥର ନାମ ଏହା ତିନି ଭାଗରେ ବିଭକ୍ତ । ‘ମିତ୍ରସ୍ୟ ଚକ୍ଷୁସା’ର ପ୍ରଥମ ଭାଗଟିକୁ ସେ ‘ପ୍ରଥମ ସକାଳ, ଦ୍ୱିତୀୟ ଭାଗଟି ଦ୍ୱିତୀୟ ସକାଳ ଓ ତୃତୀୟ ଖଣ୍ଡଟିକୁ ସକାଳ ପରେ ସକାଳ ନାମରେ ନାମିତ କରିଛନ୍ତି । ଗ୍ରନ୍ଥଟି ଆରମ୍ଭ ହୁଏ ଯଜୁର୍ବେଦର ଏକ ମନ୍ତ୍ରକୁ ଆଧାର କରି । ତାହାହେଲା- ‘ମିତ୍ରସ୍ୟ ଚକ୍ଷୁସା ସମୀକ୍ଷା ମହେ ।’ ମିତ୍ର ସର୍ବଦା ନିର୍ଭୟ ଓ ଶ୍ରଦ୍ଧାଭାଜନର ପାତ୍ର । ଅବିଶ୍ୱାସୀ ମଣିଷର କେହି ମିତ୍ର ନ ଥାନ୍ତି । କେହି ସଖା ନ ଥାନ୍ତି । ବିଶ୍ୱାସୀ ମଣିଷ ହିଁ ପ୍ରକୃତ ମିତ୍ର । ବିଶ୍ୱାସ ଯେତେଦୃଢ଼ ହୁଏ, ସବୁ ଭୟ ସେତିକି ଅପସରି ଯାଏ; ଆପଣାର ବିଶ୍ୱାସକୁ ସେତିକି ଦୃଢ଼ କରିବାକୁ ପଡ଼େ । ଚାରିଆଡ଼କୁ ଅନ୍ଧାର ମାଡ଼ି ଆସୁଥିଲେ ମଧ୍ୟ ତଥାପି ବିଶ୍ୱାସ ସ୍ଥାପନ କରି ବଞ୍ଚିବାକୁ ପଡ଼େ । ମିତ୍ରର ଚକ୍ଷୁକୁ ସମୀକ୍ଷା କରି ସେ ଅଭୟକୁ ଗ୍ରହଣ କରିଛନ୍ତି-। ସେ କୁହନ୍ତି- “ତେଣୁ ଅଭୟ ହେଉଛି ଅସଲ ଚକ୍ଷୁ- ମିତ୍ରଟିଏ ହେବାର ଓ ମିତ୍ର ପାଇବାର ଅସଲ ନୟନ (ମିତ୍ରସ୍ୟ ଚକ୍ଷୁସା- ପ୍ରଥମ ସକାଳ) । ବେଦର ଋଷି ସକଳ ଦିଗ ମିତ୍ର ହୋଇ ରହିବାକୁ ପ୍ରାର୍ଥନା କରିଛନ୍ତି । ଚିତ୍ତରଂଜନ ସମଗ୍ର ବିଶ୍ୱର ମଣିଷକୁ ବିଶ୍ୱାସ କରନ୍ତି ଏବଂ ମିତ୍ର ଚକ୍ଷୁରେ ଦେଖନ୍ତି । ସେଥିପାଇଁ ସେ ଯଥାର୍ଥରେ ତାଙ୍କ ଆତ୍ମଜୀବନୀକୁ ‘ମିତ୍ରସ୍ୟ ଚକ୍ଷୁସା’ ଏବଂ ତାଙ୍କ ବାସସ୍ଥାନକୁ ‘ବିଶ୍ୱନୀଡ଼ମ୍‌’ ନାମରେ ଆଖ୍ୟାୟିତ କରିବା ସ୍ୱାତ୍ତାବିକ ହୋଇଛି । ସେ ସମଗ୍ର ବିଶ୍ୱର ଅର୍ଦ୍ଧାଧିକ ଦେଶ ଭ୍ରମଣ କରିଛନ୍ତି । ସମସ୍ତଙ୍କଠାରୁ ସ୍ନେହ ଶ୍ରଦ୍ଧା ପାଇଛନ୍ତି; ସମସ୍ତଙ୍କୁ ଆତ୍ମୀୟ ବୋଲି ମନେକରିଛନ୍ତି । ନିଜ ପରର ଭାବନାଠାରୁ ଦୂରେଇ ରହିବାକୁ ସେ ସତତ ଚେଷ୍ଟିତ ହୋଇଛନ୍ତି । ଚିତ୍ତରଂଜନଙ୍କ ଆତ୍ମଜୀବନୀକୁ ବିଶ୍ଲେଷଣ କଲେ ଏହା ବହୁଦୀର୍ଘ ହେବ । ପୁସ୍ତକ ତିନୋଟି ଭାଗରୁ ତାଙ୍କ ଜୀବନର ଅନେକଘଟଣା ପୂର୍ବ ଅଧ୍ୟାୟଗୁଡ଼ିକରେ ଉଲ୍ଲେଖ ହୋଇଛି-। ତେଣୁ ଅଧିକ ଆଲୋଚନା କରିବାକୁ ଉଚିତ ମନେକରୁନାହିଁ ।

 

ଚିତ୍ତରଂଜନଙ୍କ ଅନ୍ୟ ଏକ ନୂତନ ପ୍ରଚେଷ୍ଟା ହେଲା ଡାଏରୀ ଲେଖିବା, ଏହିଦିନ ଲିପିକୁ ସେ ‘ରୋହିତର ଡାଏରୀ’ ନାମ ରଖିଛନ୍ତି । ଏହା ମଧ୍ୟ ଅନ୍ୟ ଧରଣର ଏକ ଆତ୍ମଜୀବନୀ । ଚିତ୍ତରଂଜନ ‘ମିତ୍ରସ୍ୟ ଚକ୍ଷୁସା’ (ସକାଳ ପରେ ସକାଳ)ରେ ଲେଖିଛନ୍ତି, “ସେଇ କୋଉ ପିଲାଦିନେ ନିଜର ଡାଏରୀ ଲେଖିବା ଆରମ୍ଭ କରିଥିଲି ଯେ, ତାହା ଏବେ ମଧ୍ୟ ଚାଲିଛି । ପୃଥିବୀରେ ଅନେକ ମଣିଷ ନିଜ ନିଜର ଭିନ୍ନ ଭିନ୍ନ ଦୃଷ୍ଟିକୋଣଦ୍ୱାରା ନିର୍ଦ୍ଦେଶିତ ହୋଇ ସେମାନଙ୍କର ଡାଏରୀ ଲେଖିଛନ୍ତି । ମୋ’ ଡାଏରୀ ମୋ’ର ଅନ୍ତରଙ୍ଗତମ କଥାଗୁଡ଼ିକୁ କହିପାରିବାର ଏକ ଉଦ୍ୟମ । ଡାଏରୀ ସର୍ବଥା ଏକ ଗୋପନୀୟ ବ୍ୟାପାର ହୋଇରହିଥାଏ । ଡାଏରୀ ଲେଖିବା ଆରମ୍ଭ କଲା ସମୟରେ ତାହାକୁ ମୁଁ ଗୋପନୀୟ କରି ରଖୁଥିଲି । କେବେବି କାହାକୁ ଦେଖାଇ ନ ଥିଲି । ଥରେ ଗୋଟିଏ ଡାଏରୀ ଖାତା ଚୋର ନେଇଗଲା । ଚୋର ନେଇଥିବା ଅନ୍ୟାନ୍ୟ ଦ୍ରବ୍ୟଗୁଡ଼ିକ ତୁଳନାରେ ମୁଁ ଦିନଲିପିର ସେହି ଖାତାଟିକୁ ହିଁ ଅଧିକ ଝୁରି ହେଉଥିଲି । ସତେ ଯେପରି ମୋ ଦେହରୁ କେଉଁଠି ଖଣ୍ଡେ ଛିଣ୍ଡି ରହିଯାଇଥିଲା ଓ ମୋତେ ଦାରୁଣ ଜ୍ୱଳାଦେବାରେ ଲାଗିଥିଲା । ମୁଁ ଡାଏରୀ ଲେଖୁଛି ବୋଲି ସେହଦିନଠାରୁ ସମସ୍ତେ ଜାଣିଲେ । ପଢ଼ିବାକୁ ଆଗ୍ରହ ପ୍ରକାଶ କଲେ । ସବୁ ମଣିଷ ଜୀବନର ଗୋଟିଏ ବିନ୍ଦୁରେ ଏକାଠି ଖିଅକୁ ଖିଅ ଯୋଡ଼ାହୋଇ ରହିଥାନ୍ତି ବୋଲି ପରସ୍ପରଠାରୁ ଯେତେ ଭିନ୍ନ ହେଲେ ମଧ୍ୟ ତଥାପି ଏଡ଼େ ସହଚରୀ, ସହାନ୍ୱେଷୀ ଓ ସତୀର୍ଥ ପରି ଲାଗନ୍ତି । ପୃଥିବୀକୁ ଦେଖି ମୋର ଅନୁଭବଗୁଡ଼ିକୁ ମୋ ‘ଦିନଲିପି’ ମଧ୍ୟରେ ଫୁଟାଇ ମୁଁ ଅଧିକରୁ ଅଧିକ ପରିମାଣରେ ସେହି ଝିଅଟିକୁ ହିଁ ଚିହ୍ନିଛି ଓ ତାହାକୁ ଚିହ୍ନିବାର ମାର୍ଗ ଦେଇ ହିଁ ଆପଣାକୁ ଅଧିକ ଅନ୍ତରଙ୍ଗ ଭାବରେ ଅନୁଭବ କରି ଶିଖିଛି । ରୋହିତ ପାଖରେ ମୁଁ ନିତି ନିତି ପ୍ରଣାମ ଜଣାଉଥିବି ଯେ ସିଏ ମୋ’ ଭିତରେ ରହି ଯାହା ମୋ’ଦ୍ୱାରା ଲେଖାଇ ନେଇଛି ଓ ନେଉଛି ତାହାହିଁ ମୋ ପାଇଁ ଅଧିକରୁ ଅଧିକ ଅନ୍ତରଙ୍ଗଭାବେ ଆବିଷ୍କାର କରିପାରିବାର ସମର୍ଥ କରି ଆଣିଛି । ରୋହିତ ମୋତେ ଆପଣା ପାଖରେ ପ୍ରବାସୀ ହୋଇ ରହିବାର ପ୍ରମାଦରୁ ନିରନ୍ତର ବଞ୍ଚାଇ ରଖିଛି-। ରୋହିତ ସହିତ ଅବିଚ୍ଛିନ୍ନ ଭାବରେ ହୋଇ ଚାଲିଥିବା ମୋର କଥୋପକଥନ ମୋତେ ଯାବତୀୟ ନିଃସଙ୍ଗତାରୁ ମୁକ୍ତକରି ରଖିଛି । ମୋ’ର ସଂକଳ୍ପକୁ ଦୃଢ଼ କରିଛି, ମୋତେ ସଂସାର ପଥରେ ନିର୍ଭୟ, ନିଃସଙ୍କୋଚ ଏବଂ ନିରଳସ ଭାବରେ ବାଟ ଚଲାଇ ଶିଖାଇଛି ।” ‘ରୋହିତର ଡାଏରୀ’ ୨୩ ଖଣ୍ଡରେ ବିଭକ୍ତ । ଏହାର ପ୍ରଥମ ଖଣ୍ଡର ପ୍ରଥମାର୍ଦ୍ଧ ପ୍ରକାଶ ପାଏ ୧୯୬୮ ମସିହାରେ ଏବଂ ଦ୍ୱିତୀୟାର୍ଦ୍ଧର ପ୍ରକାଶ କାଳ ହେଲା ୧୯୮୮ ମସିହା । ସେ ବାଗଲପୁର ଗାଆଁରେ ଜନ୍ମ ହୋଇଥିଲେ । ଏହା ତାଙ୍କ ପାଇଁ ଥିଲା ଖୁବ୍ ନିଜର ଅତି ଆପଣାର । ଅତିଚିହ୍ନା ଗାଁ । ତାଙ୍କ ଦୃଷ୍ଟିରେ ଅନନ୍ୟ । ତେଣୁ ସେ ‘ରୋହିତର ଡାଏରୀର’ ପ୍ରଥମ ପର୍ବର ଦ୍ୱିତୀୟାର୍ଦ୍ଧକୁ ‘ବାଗଲପୁର’ ନାମରେ ଉତ୍ସର୍ଗ କରିଥିଲେ । ଏହାକୁ ତାଙ୍କର ଅନ୍ୟ ଏକ ଆତ୍ମଜୀବନୀ କହିଲେ କିଛି ଭ୍ରମ ହେବନାହିଁ ।

Image

 

କାଳଜୟୀ ଅନୁବାଦ ସାହିତ୍ୟ

 

ଚିତ୍ତରଂଜନଙ୍କର ଭାରତୀୟ ଭାଷା ସମେତ ପୃଥିବୀର ଅନେକ ଦେଶର ଭାଷା ବିଷୟରେ ଯଥେଷ୍ଟ ଜ୍ଞାନ ଥିଲା । ବହୁ ଦେଶର ସାହିତ୍ୟ, ଧର୍ମ, ଦର୍ଶନ, ନୃତତ୍ତ୍ୱ, ସଂସ୍କୃତି, ମନସ୍ତତ୍ତ୍ୱ, ଶିକ୍ଷା ଏବଂ ସଭ୍ୟତା ଜାଣିବା ବିଷୟରେ ତାଙ୍କ ମନରେ ଅପୁରନ୍ତ ଉତ୍ସାହ ଭରି ରହିଥିଲା । ତେଣୁ ତାଙ୍କୁ ବିଭିନ୍ନ ଦେଶର ଭାଷା ଶିଖି ହଜମ କରିବାକୁ ପଡ଼ିଲା । ଲେଖକଙ୍କର ଅନ୍ୟ ପୁସ୍ତକଗୁଡ଼ିକ ତୁଳନାରେ ଅନୁବାଦ ପୁସ୍ତକର ସଂଖ୍ୟା କମ ନ ଥିଲା । ସେ ଦେଶବିଦେଶର ବହୁ ଆଦର୍ଶ ଲେଖକ, ଦାର୍ଶନିକ ଏବଂ ମହାମାନବମାନଙ୍କର ପୁସ୍ତକ ଅନୁବାଦ କରିଛନ୍ତି । ତାଙ୍କ ଅନୁବାଦ କାର୍ଯ୍ୟ ଶାନ୍ତିନିକେତନରେ ଅଗ୍ରଗତି କରିଥିଲା । ସେ ରବୀନ୍ଦ୍ର ସଙ୍ଗୀତକୁ ଖୁବ୍ ପାଉଥିଲେ । ସେତେବେଳେ କେବଳ ଶାନ୍ତିନିକେତନ ନୁହେଁ; ସମଗ୍ର ପଶ୍ଚିମ ବଙ୍ଗରେ ରବୀନ୍ଦ୍ର ସଙ୍ଗୀତର ଆଦର ଥିଲା । ଚିତ୍ତରଂଜନ କେବେ ଉପନ୍ୟାସ, ଗଳ୍ପ ଆଦି ରଚନା କରିନଥିଲେ । କିନ୍ତୁ ତାଙ୍କ ମନକୁ ଛୁଇଁଲା ଭଳି ଗଳ୍ପ, ଉପନ୍ୟାସ, ଜୀବନୀ ଆଦିକୁ ଓଡ଼ିଆରେ ଅନୁବାଦ କରିବାକୁ ସେ ଅନୁରାଗ ରଖିଥିଲେ । ପାଠ ପଢ଼ୁଥିବା ସମୟରେ ସେହି ଶାନ୍ତିନିକେତନରେ ହିଁ ଚିତ୍ତରଂଜନ ବିଶ୍ୱକବିଙ୍କର ତିନୋଟି ବହିର ଓଡ଼ିଆ ଅନୁବାଦ କରିଥିଲେ ବୋଲି ତାଙ୍କ ଆତ୍ମଜୀବନୀରେ ସେ ଲେଖିଛନ୍ତି । ସେଗୁଡ଼ିକ ବି ପ୍ରକାଶିତ ହୋଇଛି । ସେହିପରି ରବୀନ୍ଦ୍ର ଜନ୍ମ ଶତବାର୍ଷିକ ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ତାଙ୍କଦ୍ୱାରା ରବୀନ୍ଦ୍ରନାଥଙ୍କର ଗୋଟିଏ ବଡ଼ ଉପନ୍ୟାସର ଓଡ଼ିଆ ଅନୁବାଦ କରି ଛପାଇଥିଲେ । ଚିତ୍ତରଂଜନ ରବୀନ୍ଦ୍ରନାଥ ଠାକୁରଙ୍କର ଯେଉଁ ପୁସ୍ତକମାନ ଓଡ଼ିଆରେ ଅନୁବାଦ କରିଛନ୍ତି ସେଗୁଡ଼ିକ ହେଲା- ଦି’ଭଉଣୀ, ରବୀନ୍ଦ୍ରଗଳ୍ପ ଚୟନ, ରବୀନ୍ଦ୍ରକତିପୟ, ରୁଷିଆ ଚିଠି, ବିନୋଦିନୀ ଓ ଶିକ୍ଷା ମନୁଷ୍ୟର ଧର୍ମ । ‘ରବୀନ୍ଦ୍ର କତିପୟ’ ଏକ ଆବେଦନଯୁକ୍ତ ଭାବାନୁଭୂତିକୁ କେନ୍ଦ୍ରକରି ରଚିତ କେତେକ ଗୀତର ସମାହାର । ଏହାର ଭୂମିକାରେ ଲେଖକ କହିଛନ୍ତି- “ଏହି ସଙ୍ଗୀତ ଭାଷାଟିରେ ଗୁନ୍ଥା ହୋଇଥିବା ନମୁନାଗୁଡ଼ିକୁ ମୋତେ କୌଣସି ଖାସ୍ ପଦ୍ଧତି ଅନୁସାରେ ବାଛି ଅଣାଯାଇନାହିଁ । କ’ଣ ପାଇଁ ଏଗୁଡ଼ିକ ରହୁ ବୋଲି ମୁଁ ଇଚ୍ଛା କରିଛି ଏବଂ ସାଉଁଟି ଆଣିଛି । ଏହା ସମସ୍ତଙ୍କର ଯେ ପସନ୍ଦ ହେବ ତାହାର କୌଣସି କାରଣ ନାହିଁ । ତଥାପି ଅପସନ୍ଦ ହେବ ନାହିଁ ବୋଲି ଆଶା କରୁଛି-।” ରବୀନ୍ଦ୍ରନାଥ ବଙ୍ଗଳା ଭାଷାରେ ଅନେକ ଗଳ୍ପ ଲେଖିଛନ୍ତି । କିନ୍ତୁ ଗଳ୍ପମାନଙ୍କ ମଧ୍ୟରୁ ଚିତ୍ତରଂଜନ ମୂଲ୍ୟବାନ ଓ ଶିକ୍ଷଣୀୟ ମନେହେଉଥିବା ସତରଟି ଗଳ୍ପକୁ ଚୟନ କରି ତାହାର ଅନୁବାଦ ଓଡ଼ିଆରେ କରିଛନ୍ତି ଏବଂ ନାମ ଦେଇଛନ୍ତି ରବୀନ୍ଦ୍ର ଗଳ୍ପଚୟନ । ଏଥିରେ ଥିବା ଗଳ୍ପମାନଙ୍କ ମଧ୍ୟରେ କାବୁଲିବାଲା, ପୁତ୍ରଯଜ୍ଞ, ଜୀବିତ ଓ ମୃତ, ଦାନ ପ୍ରତିଦାନ, ପ୍ରତ୍ୟାବର୍ତ୍ତନ, ଛୁଟି, ଫେଲ, ପୋଷ୍ଟମାଷ୍ଟର, ଶେଷ-ରାତ୍ରି ଆଦି ପ୍ରଧାନ । ତାଙ୍କର ଅନୁବାଦର ଶୈଳୀ ସ୍ପଷ୍ଟ ଏବଂ ମନଛୁଆଁ । ଜୀବିତ ଓ ମୃତ ଗଳ୍ପର ଛୋଟ ପାରାଟିଏ ଉଲ୍ଲେଖ କଲେ ଏହା ଆହୁରି ସ୍ପଷ୍ଟ ହେବ । “କୁଆଡ଼େ କିଛି ଶବ୍ଦ ନାହିଁ ଖାଲି ପୋଖରୀ କୂଳରେ ଝିଙ୍କାରିଟିଏ ଝି, ଝି, କରୁଛି । ବେଙ୍ଗଗୁଡ଼ାକ ବି ରାଉ ରାଉ ହେଉଛନ୍ତି । ଏତିକିବେଳେ ହଠାତ୍ ମନେହେଲା ଯେପରି କୋକେଇଟା ଟିକିଏ ହଲିଗଲା, ମୁର୍ଦ୍ଦାର ଯେପରି କଡ଼ ଲେଉଟାଇଲା” । ଲେଖକଙ୍କର ଅନୁବାଦ କେତେ ଜୀବନ୍ତ ଓ ବାସ୍ତବଧର୍ମୀ ଏଥିରୁ ସ୍ପଷ୍ଟ ବାରି ହୋଇପଡ଼େ ।

 

ଶ୍ରୀ ଅରବିନ୍ଦଙ୍କ The Life Divine ଏକ ଅତି ବଡ଼ ପୁସ୍ତକ । ଚିତ୍ତରଂଜନଙ୍କୁ ଏହାକୁ ଓଡ଼ିଆରେ ଅନୁବାଦ କରିବାର ଦାୟିତ୍ୱ ଦିଆଯାଇଥିଲା । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ସେ ଏହାକୁ ଓଡ଼ିଆରେ ଅନୁବାଦ କରି ଦେଇଥିବା କଥା ପୂର୍ବରୁ ସୂଚନା ଦିଆଯାଇଛି । ‘ଦିବ୍ୟ ଜୀବନ’ ନାମରେ ଅନୂଦିତ ଏହି ପୁସ୍ତକଟି ପ୍ରଥମ ଖଣ୍ଡ, ପୂର୍ବାର୍ଦ୍ଧ ଓ ଉତ୍ତରାର୍ଦ୍ଧ ଏହିପରି ତିନିଭାଗରେ ବିଭକ୍ତ । ଦିବ୍ୟ ଜୀବନର ପ୍ରଥମ ଭାଗ ୧୯୭୨ ମସିହାରେ ପ୍ରକାଶ ପାଇଥିଲା । ପରେ ପରେ ସେ ତାଙ୍କର The Synthesis of Yoga (ଯୋଗ ସମନ୍ୱୟ) ପୂର୍ବାର୍ଦ୍ଧ ଓ ଉତ୍ତରାର୍ଦ୍ଧ, The Human Cycle (ମାନବ-ଯୁଗଚକ୍ର) The Ideal of Human Unity (ମାନବ ଏକତାର ଆଦର୍ଶ) ଗ୍ରନ୍ଥ ଅନୁବାଦ କଲେ । ସେହିପରି ‘ପିଲାମାନଙ୍କ ଅରବିନ୍ଦ’, ‘ଯାହାସବୁ ସୁନିଶ୍ଚିତ’ ଆଦି ଅରବିନ୍ଦଙ୍କର ପୁସ୍ତକ ତାଙ୍କଦ୍ୱାରା ଅନୂଦିତ ହୋଇଛି । ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓଡ଼ିଶା ଶାଖାର ମୁଖ୍ୟ ଦାୟିତ୍ୱରେ ଥିବାବେଳେ ତାଙ୍କ ଦୃଷ୍ଟି ସାଧନା, ଯୋଗ ଓ ଦର୍ଶନ ଉପରେ ବେଶ୍ ପ୍ରଶସ୍ତ ହୋଇ ଉଠିଥିଲା । ଶ୍ରୀ ଅରବିନ୍ଦ ତାଙ୍କ ପୁସ୍ତକରେ ଯେଉଁ ନୂଆ ଚେତନା କଥା କହିଛନ୍ତି; ତାହା ତାଙ୍କୁ ଅଧିକ ପ୍ରଭାବିତ କଲା ଏବଂ ସେ ଅନୁଭବ କଲେ, “ବର୍ତ୍ତମାନ ଯେଉଁ ଚେତନାଟି ପୃଥିବୀକୁ ଚଳାଉଛି, ସେଇଟି ବିବର୍ତ୍ତିତ ହୋଇ ଏକ ନୂତନ ଚେତନାର ସତ୍ୟ ଉପରକୁ ଆରୋହଣ କରିଯିବ ଏବଂ ତା’ ପରେ ଅବତରଣ କରି ବର୍ତ୍ତମାନଟାକୁ ଯନ୍ତ୍ରରୂପେ ବ୍ୟବହାର କରି ଏକ ନୂତନ ବିଶ୍ୱନିର୍ମାଣ ନିମନ୍ତେ ଆମ ସମସ୍ତଙ୍କୁ ପ୍ରସ୍ତୁତ କରିନେବ ।” (ମିତ୍ରସ୍ୟ ଚକ୍ଷୁଷା)

 

ମହାତ୍ମାଗାନ୍ଧୀ ଥିଲେ ଏ ଜାତିର ଜନକ । ସତ୍ୟ ଓ ଅହିଂସା ଥିଲା ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଅବଲମ୍ବନ । ଭାରତକୁ ବ୍ରିଟିଶମାନଙ୍କ କବଳରୁ ମୁକ୍ତ କରିବା ପାଇଁ ସେ ବିଭିନ୍ନ ଆନ୍ଦୋଳନ ଆରମ୍ଭ କରିଥିଲେ ଏବଂ ଦେଶବାସୀଙ୍କୁ ଅହିଂସା ମାର୍ଗରେ ସଂଗ୍ରାମ ଚଳାଇବାକୁ ପରାମର୍ଶ ଦେଇଥିଲେ । ଫଳସ୍ୱରୂପ ଦେଶ ବିଦେଶୀମାନଙ୍କ କବଳରୁ ମୁକ୍ତିଲାଭ କଲା । ଛାତ୍ର ଅବସ୍ଥାରୁ ଚିତ୍ତରଂଜନ ମହାତ୍ମାଗାନ୍ଧୀଙ୍କ ଆଦର୍ଶକୁ ଅନୁକରଣ କରୁଥିଲେ । ଗାନ୍ଧୀଙ୍କର ଜୀବନ ଯାପନ ଶୈଳୀ, କାର୍ଯ୍ୟଧାରା ଓ ଦେଶସେବା ଚିତ୍ତରଂଜନଙ୍କ ଚିତ୍ତକୁ ଉଦ୍‌ବୁଦ୍ଧ କଲା । ତେଣୁ ସେ ଗାନ୍ଧିଜୀଙ୍କ ପ୍ରଣୀତ କେତେଖଣ୍ଡ ପୁସ୍ତକକୁ ଓଡ଼ିଆରେ ଅନୁବାଦ କଲେ । ମହାତ୍ମାଗାନ୍ଧୀଙ୍କ ଯେଉଁ ପୁସ୍ତକକୁ ସେ ଓଡ଼ିଆରେ ଅନୁବାଦ କରିଥିଲେ ସେଗୁଡ଼ିକ ହେଲା- ‘ସ୍ୱାଧୀନତା ଓ ତା’ପରେ’, ‘ଶିକ୍ଷା’, ‘ସତ୍ୟାଗ୍ରହ ଛାତ୍ରଙ୍କ ପ୍ରତି ଗାନ୍ଧିଜୀ’, ‘ନାରୀ ସମାଜ ପ୍ରତି’, ‘ରାମନାମ ଓ ସ୍ୱାସ୍ଥ୍ୟର ଚାବି’ । ‘ନାରୀସମାଜ ପ୍ରତି’ ତାଙ୍କର ଏକ ମୂଲ୍ୟବାନ ପୁସ୍ତକ ଏବଂ ଏହି ପୁସ୍ତକଟିକୁ ଚିତ୍ତରଂଜନ ୧୯୪୬ ମସିହାରେ ଅନୁବାଦ କରିଥିଲେ ଏବଂ ଏହାକୁ ପ୍ରଥମେ କଟକ ବୁକ୍ ଏମ୍ପୋରିୟମ୍ ପ୍ରକାଶ କରିଥିଲା । ଏଥିରେ ଗାନ୍ଧିଜୀ ନାରୀମାନଙ୍କ ପ୍ରତି କହିଥିବା କଥା ୬୪ଟି ଛୋଟ ଛୋଟ ବିଷୟ ବସ୍ତୁ ମାଧ୍ୟମରେ ବ୍ୟକ୍ତ କରାଯାଇଛି । ‘ନାରୀର କର୍ମକ୍ଷେତ୍ର’ ଶୀର୍ଷକରେ ଗୋଟିଏ କଥା ଗାନ୍ଧିଜୀ ଲେଖିଛନ୍ତି । “ମୁଁ ଅନେକ ଥର ଲେଖିଛି ଯେ, ନାରୀ ହେଉଛି ସମାଜର ମୂର୍ତ୍ତିମତୀ ଦେବୀ । ଅହିଂସାର ଆଉ ଗୋଟିଏ ଅର୍ଥ ହେଉଛି, ଅଶେଷ ପ୍ରେମ- ଏବଂ ସବୁ ପ୍ରକାର ଯାତନା ସହ୍ୟ କରିନେବାର ଅବାରିତ ଶକ୍ତି ହେଉଛି ଏ ହିଁ ଅଶେଷ ପ୍ରେମର ଅର୍ଥ । ପୁରୁଷର ଜନ୍ମଦାତ୍ରୀ ଜନନୀ, ସେଇ ନାରୀଛଡ଼ା ଏଇ ଗୁଣ ଆଉ କାହାଠାରେ ପୂର୍ଣ୍ଣହୋଇ ରହିଛି ? ସେ ନଅମାସ କାଳ ଶିଶୁକୁ ଗର୍ଭରେ ଧରିରଖେ, ତାକୁ ସାର ଦେଇ ବଢ଼ାଏ ଏବଂ ଏହି କଷ୍ଟ ସହିବାରେ ସେ ଅପାର ଆନନ୍ଦ ପାଏ । ଗର୍ଭ ଯନ୍ତ୍ରଣାଠାରୁ ଆଉ ଦାରୁଣ ଯନ୍ତ୍ରଣା କ’ଣ ଅଛି ? କିନ୍ତୁ ନୂତନ ଜନ୍ମର ଆନନ୍ଦ ଓ ଆଶାରେ ସେ ସବୁକଷ୍ଟ ପାସୋରି ପକାଏ । ପିଲାଟିକୁ ଚନ୍ଦ୍ରକଳା ପରି ବଢ଼ାଇ କିଏ ଜନନୀ ପରି ଦିନ ଦିନ ଯାବତ କଷ୍ଟ ବରଣ କରେ ? ସେଇ ଅନନ୍ତ ପ୍ରେମର ଧାରାକୁ ଆଜି ସବୁ ମଣିଷ ସମାଜଆଡ଼କୁ ଉଦ୍ଦିଷ୍ଟ କରିବାକୁ ହେବ; ସେ ଯେ କେବଳ ମଣିଷର ନିକୃଷ୍ଟ ଲାଳସାର ପୁଞ୍ଜି, ଏକଥା ତାକୁ ଭୁଲି ଯିବାକୁ ହେବ । କେବଳ ଏହାରି ଦ୍ୱାରା ସେ ଜନନୀ, ଲାଳୟିତ୍ରୀ ଓ ଜୀବନର ନୀରବ ବିଧାୟିତ୍ରୀ ହିସାବରେ ତା’ର ଗୌରବମୟ ଆସନ ଲାଭ କରିପାରିବ । ଶାନ୍ତି ପାଇବାର ବ୍ୟଗ୍ରତାରେ ମଣିଷ ଆଜି ଯୁଦ୍ଧରେ ପାଗଳ ହୋଇଯାଇଛି । କେବଳ ନାରୀ ତା’ର କାନରେ ଶାନ୍ତିର ବାଣୀ ଶୁଣାଇ ପାରିବ । କାରଣ ସେଥିପାଇଁ ପୋଥି ପାରାୟଣ ଦରକାର ନାହିଁ, ଯେ ଅଟଳ ସାହସର ସହିତ କଷ୍ଟ ସହିପାରିବ ଓ ବିଶ୍ୱାସ ରଖିପାରିବ, ସେଇ କେବଳ ସତ୍ୟାଗ୍ରହ ଯୁଦ୍ଧରେ ସମସ୍ତଙ୍କୁ ବାଟ ଦେଖାଇ ନେଇ ଯାଇ ପାରିବ ।” ଚିତ୍ତରଂଜନଙ୍କର ଅନୁବାଦ ଶୈଳୀ କେତେ ଠିକ୍ ଏଥିରୁ ସହଜରେ ବାରି ହୋଇପଡ଼େ । ସେ ରବୀନ୍ଦ୍ରନାଥ, ଗାନ୍ଧିଜୀ ଓ ଶ୍ରୀ ଅରବିନ୍ଦ ଏହି ତିନିଜଣଙ୍କର କେତେକ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରି ଜୀବନକୁ ଧନ୍ୟ ମଣିଛନ୍ତି । ‘ମିତ୍ରସ୍ୟ ଚକ୍ଷୁଷା’ରେ ତାଙ୍କର ଅଭିବ୍ୟକ୍ତି ହେଲା- “ବିଶ୍ୱର ସେହି ନବବିଧାନ ଏବଂ ନବନିର୍ମାଣରେ ଯେତେବେଳେ ଭାରତବର୍ଷର ଭୂମିକାଟି ଏ ବିଷୟରେ ଯାହା କିଛି ରହିଥିବ, ସେଥିରେ ରବୀନ୍ଦ୍ରନାଥ, ମହାତ୍ମାଗାନ୍ଧୀ ଏବଂ ଶ୍ରୀ ଅରବିନ୍ଦ ଅବଶ୍ୟ ରହିବେ । ମୋ’ର ପ୍ରକୃତରେ ପରମ ସୌଭାଗ୍ୟ ଯେ ମୁଁ ସେହି ତିନିଜଣଙ୍କର କେତେକ ଗ୍ରନ୍ଥକୁ ଓଡ଼ିଆରେ ଅନୁବାଦ କରିଛି ଏବଂ ତାହାରି ମାଧ୍ୟମରେ ନିଜକୁ ସେମାନଙ୍କ ସ୍ପର୍ଶର ପରିଧି ଭିତରକୁ ଆଣି ପାରିଛି । × × × ରବୀନ୍ଦ୍ରନାଥ, ମହାତ୍ମାଗାନ୍ଧୀ ଓ ଶ୍ରୀଅରବିନ୍ଦଙ୍କୁ ହିଁ ଏହି ଶତାବ୍ଦୀର ପୃଥିବୀକୁ ଭାରତବର୍ଷର ସର୍ବୋତ୍ତମ ଅବଦାନ ବୋଲି ଅବଶ୍ୟ ସ୍ୱୀକାର କରିବାକୁ ହେବ । ତିନିଜଣଯାକ ନିଜ ଜୀବନରେ ନିର୍ମାଣାତ୍ମକ ପର୍ଯ୍ୟାୟରେ ପଶ୍ଚିମ ଜଗତ ସହିତ ପରିଚିତ ହୋଇଥିଲେ । ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ଏହି ଶତାବ୍ଦୀରେ ଘଟିଥିବା ମୂଲ୍ୟ ସମନ୍ୱୟର ପରିମାଣସ୍ୱରୂପ ଭାରତ ବର୍ଷ ଏହି ତିନି ମନୀଷୀଙ୍କୁ ପାଇବାର ସୌଭାଗ୍ୟ ଯେ, ଲାଭ କରିଛି, ସେ କଥାଟି ମଧ୍ୟ ସ୍ୱୀକାର କରିବାରେ କେହି ଅନିଚ୍ଛୁକ ହେବେନାହିଁ । ଏହି ତିନିଜଣଙ୍କର ଜନ୍ମ ଭାରତ ବର୍ଷରେ ହୋଇଛି, ମାତ୍ର ସେମାନଙ୍କ ଉପଲବ୍ଧ ସତ୍ୟଗୁଡ଼ିକର ଏବଂ ସେମାନେ ସୂଚାଇ ଦେଇଯାଇଥିବା ପଥଗୁଡ଼ିକର ଯେଉଁ ଆବେଦନ ରହିଛି, କେବଳ ସମଗ୍ର ବିଶ୍ୱର ପରିପ୍ରେକ୍ଷୀରେ ହିଁ ତାହାର ଯଥାର୍ଥ ଆକଳନ କରାଯାଇପାରିବ ।”

 

ଚିତ୍ତରଂଜନ ଦାସ ଶ୍ରୀମା’ଙ୍କର ପ୍ରାୟ ସମସ୍ତ ରଚନା ଓଡ଼ିଆରେ ଅନୁବାଦ କରିଛନ୍ତି । ତାହା ‘ମାତୃ ରଚନା ବଳୀ ନାମରେ ନାମିତ । ୧୭ଖଣ୍ଡ ବିଶିଷ୍ଟ ଏହି ‘ମାତୃ ରଚନାବଳୀ’ ବିଭିନ୍ନ ପ୍ରସଙ୍ଗ, ପ୍ରଶ୍ନ ଓ ଉତ୍ତର ଆଦିକୁ ନେଇ ପରିପୁଷ୍ଟ । ମାତୃ ରଚନାବଳୀର ପ୍ରଥମ ଖଣ୍ଡରେ ରହିଛି ପ୍ରାର୍ଥନା ଓ ଧ୍ୟାନମାଳା । ୧୯୧୨ରୁ ୧୯୧୯ ମଧ୍ୟରେ ଲେଖା ହୋଇଥିବା ତାଙ୍କର ଡାଏରୀଗୁଡ଼ିକରୁ ମାଆ ଯେଉଁ ପ୍ରାର୍ଥନା ଓ ଧ୍ୟାନଗୁଡ଼ିକୁ ବାଛି ଦେଇଥିଲେ, ସେଗୁଡ଼ିକ ସହିତ ପରବର୍ତ୍ତୀ କାଳରେ ପାଞ୍ଚଗୋଟି ପ୍ରାର୍ଥନାକୁ ଏହି ଖଣ୍ଡଟିରେ ଅନ୍ତର୍ଭୁକ୍ତ କରାଯାଇଛି । ସେଗୁଡ଼ିକୁ ୧୯୩୨ ମସିହାରେ Priereset Meditations delamere ନାମରେ ପ୍ରଥମେ ପ୍ରକାଶ କରାଯାଇଥିଲା । ଚିତ୍ତରଂଜନ ଏହାକୁ ନୂତନ ଭାବରେ ଅନୁବାଦ କରିଛନ୍ତି । ଶ୍ରୀ ଅରବିନ୍ଦଙ୍କଦ୍ୱାରା ଲିଖିତ ଚାରୋଟି ପତ୍ର ମଧ୍ୟରୁ ୨୩ ଡିସେମ୍ବର, ୧୯୩୩ ମସିହାର ପତ୍ରର କିୟଦଂଶ- “ଅନେକ ବ୍ୟକ୍ତିଙ୍କ ମତ ଯେ, ମାଆ ମାନୁଷୀ ଥିଲେ, ମାତ୍ର ଏବେ ସେ ଦିବ୍ୟଜନନୀଙ୍କର ମୂର୍ତ୍ତି ରୂପ ହୋଇ ରହିଛନ୍ତି ଏବଂ ସେମାନଙ୍କ କହିବା ଅନୁସାରେ, ‘ପ୍ରାର୍ଥନା....’ ପୁସ୍ତକଟି ଏହି ମତଟିକୁ ପ୍ରତିପାଦିତ କରିଦେଉଛି । ମାତ୍ର, ମୋ’ ମନର ଅବବୋଧ ଏବଂ ଚୈତ୍ୟସତ୍ତାର ଅନୁଭବଟି ଅନୁସାରେ ସିଏ ହେଉଛନ୍ତି ବିଶ୍ୱଜନନୀ, ଯିଏକି ଅସ୍ପଷ୍ଟତା, ଦୁଃଖ ଓ ଅଜ୍ଞାନର ପରିଚ୍ଛଦଟିକୁ ନିଜ ଉପରେ ଧାରଣ କରିବାକୁ ସମ୍ମତ ହୋଇଛନ୍ତି । ଯେପରିକି ସେ ଫଳପ୍ରଦ ଭାବରେ ଆମ ମନୁଷ୍ୟମାନଙ୍କୁ ପରମ ଜ୍ଞାନ, ପରମ ସୁଖ ଓ ପରମ ଆନନ୍ଦ ତଥା ସର୍ବୋଚ୍ଚ ପରମକର୍ତ୍ତାଙ୍କ ପାଖକୁ ପରିଚାଳିତ କରିନେଇପାରିବେ ।” ମାତୃ ରଚନାବଳୀର ଦ୍ୱିତୀୟ ଖଣ୍ଡ ‘ବହୁପୂର୍ବର’ କଥାର ଅବତାରଣା ମାତ୍ର । ୧୯୭୦ ମସିହା ପୂର୍ବରୁ ମାଆଙ୍କର ସମସ୍ତ ରଚନାକୁ ଏଥିରେ ସଂଗୃହୀତ କରାଯାଇଛି । ଏହି ଖଣ୍ଡଟିକୁ ସାତ ଭାଗରେ ବିଭକ୍ତ କରାଯାଇଛି, ବିଷୟବସ୍ତୁର ପ୍ରକୃତି ଓ ତାରିଖ ଅନୁସାରେ ଏହା ବିଭାଜିତ ହୋଇଛି । ‘ମାତୃ ରଚନାବଳୀ’ର ୩ୟ ଖଣ୍ଡଠାରୁ ୯ମ ଖଣ୍ଡ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର’ ପର୍ଯ୍ୟାୟ । ୧୯୨୯ ମସିହାରେ ରବିବାରମାନଙ୍କରେ ମାଆ ଅଳ୍ପ କେତେଜଣ ଶିଷ୍ୟଙ୍କ ସହିତ ଏକତ୍ର ହେଉଥିଲେ । ଜଣେ ଶିଷ୍ୟଙ୍କ ଘରେ ଏହିସବୁ ବୈଠକ ବସୁଥିଲା । ପ୍ରଥମେ କିଛି ସମୟ ପାଇଁ ଧ୍ୟାନ ହେଉଥିଲା; ତା’ପରେ ମାଆ ଶିଷ୍ୟବର୍ଗ ପଚାରୁଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେଉଥିଲେ-। ଏହି ସାପ୍ତାହିକ କଥୋପକଥନଗୁଡ଼ିକର ପନ୍ଦରଟି ବୈଠକରେ ମାଆ ଇଂରେଜୀରେ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥିଲେ ଏବଂ ଉପସ୍ଥିତ ଜନୈକ ବ୍ୟକ୍ତି ତାହାକୁ ଆଣୁଲିପିରେ ଟିପି ନେଉଥିଲେ । ସେହି ଟିପାକୁ ସେଠାରେ ଉପସ୍ଥିତ ରହୁଥିବା ଆଉଜଣେ ପରେ ବିସ୍ତୃତ କରି ଲେଖି ଦେଉଥିଲେ । ସବାଶେଷରେ ଶ୍ରୀଅରବିନ୍ଦଙ୍କର ସଂଶୋଧନ ପରେ ସେଗୁଡ଼ିକ ଛାପା ହେବାକୁ ଯାଉଥିଲା, ଯାହା ତୃତୀୟ ଖଣ୍ଡରେ ସନ୍ନିବେଶିତ । ମାଆଙ୍କର ପ୍ରବଚନ ଓ ଶିଷ୍ୟଶିଷ୍ୟାମାନଙ୍କର ପ୍ରଶ୍ନର ଉତ୍ତର ଅତ୍ୟନ୍ତ ସାରଗର୍ଭକ । ମାତୃରଚନାବଳୀର ପ୍ରଶ୍ନ ଓ ଉତ୍ତର, ୯ମ ଖଣ୍ଡ ପର୍ଯ୍ୟନ୍ତ ଅର୍ଥାତ ୧୯୨୯ ମସିହାରୁ ୧୯୫୭-୫୮ ପର୍ଯ୍ୟନ୍ତ ଲିପିବଦ୍ଧ ହୋଇଅଛି । କେତେକ ପ୍ରଶ୍ନୋତ୍ତର ଫରାସୀ ଭାଷାରେ ମଧ୍ୟ ପ୍ରକାଶିତ । ଶ୍ରୀମା’ଙ୍କଦ୍ୱାରା ପ୍ରଦର୍ଶିତ ମାର୍ଗ ଓ ପ୍ରବଚନକୁ ଅନେକ ଟିପି ନେଉଥିଲେ । ମାତୃରଚନାବଳୀର ଦଶମ ଖଣ୍ଡ ବିଚାର ଓ ସୂତ୍ରାବଳୀ ସମ୍ବନ୍ଧରେ ଆଲୋଚିତ ହୋଇଛି । ଏହାର ଏକାଦଶ ଖଣ୍ଡ ମାର୍ଗର ଟିପ୍‌ପଣୀ, ଦ୍ୱାଦଶ ଖଣ୍ଡ ଶିକ୍ଷା ପ୍ରସଙ୍ଗ, ତ୍ରୟୋଦଶ, ଚତୁର୍ଦ୍ଦଶ, ପଞ୍ଚଦଶ ଖଣ୍ଡ ମାତୃବାଣୀ । ଷୋଡ଼ଶ ଖଣ୍ଡଟି ମା’ଙ୍କ ସହ ପ୍ରଶ୍ନୋତ୍ତର ଏବଂ ସପ୍ତଦଶ ଖଣ୍ଡଟିରେ ମାଆଙ୍କର ଛଅଜଣ ଶିଷ୍ୟଙ୍କ ପ୍ରଶ୍ନର ଉତ୍ତରକୁ ସନ୍ନିବେଶିତ କରାଯାଇଛି । ପ୍ରତ୍ୟେକ ଗୁଚ୍ଛର ପତ୍ରଗୁଡ଼ିକୁ ସମୟ ଅନୁକ୍ରମରେ ସଜ୍ଜିତ କରାଯାଇଛି । ମାତୃ ରଚନାବଳୀର ସମସ୍ତ ରଚନା ଫରାସୀ ଭାଷାରେ ଲେଖାହୋଇଛି । ସେ ପାଶ୍ଚାତ୍ୟ ରାଷ୍ଟ୍ରର ଜଣେ ମହୀୟସୀ ମହିଳା ଥିଲେ । ତେଣୁ ତାଙ୍କ ସହିତ କଥୋପକଥନଗୁଡ଼ିକ ମୁଖ୍ୟତଃ ଫରାସୀ ଭାଷାରେ ହେଉଥିଲା । ଫରାସୀ ଭାଷାରୁ ଏଗୁଡ଼ିକର ଇଂରେଜୀ ଅନୁବାଦମାନ ବାହାରୁ ଥିଲା । ଚିତ୍ତରଂଜନ ଦାସ ଉଭୟ ଫରାସୀ ଓ ଇଂରେଜୀ ଭାଷାର ଜଣେ ବିଦ୍ୱାନ ଥିବାରୁ ତାଙ୍କ ରଚନାବଳୀକୁ ଓଡ଼ିଆରେ ଅନୁବାଦ କରିବାକୁ ତାଙ୍କୁ ଅଧିକ କଷ୍ଟ ହୋଇନଥିଲା । ଶ୍ରୀମା ଅରବିନ୍ଦଙ୍କର ଯୋଗସାଧନା, ଶିକ୍ଷା ପ୍ରଣାଳୀ ଏବଂ ଦିବ୍ୟଜୀବନ ଧାରାକୁ ଅଧିକ ପସନ୍ଦ କରୁଥିଲେ । ତେଣୁ ତାଙ୍କ ରଚନାବଳୀରେ ଶ୍ରୀଅରବିନ୍ଦଙ୍କ ଗ୍ରନ୍ଥମାନଙ୍କର ବହୁଳ ପ୍ରଭାବ ପଡ଼ିଥିବା ଲକ୍ଷ୍ୟ କରାଯାଏ ।

 

ଚିତ୍ତରଂଜନ ଦାସ ଥିଲେ ଜଣେ ଦକ୍ଷ ଅନୁବାଦକ । ଅନ୍ୟ ଲେଖକମାନଙ୍କ ଅନୁବାଦ ତୁଳନାରେ ତାଙ୍କ ଅନୁବାଦର ଏକ ଭିନ୍ନତା ପରିଲକ୍ଷିତ ହୁଏ । ତାହା ହୋଇପାରେ ଭାଷାର, ଭାବର ଓ ମନନଶୀଳତାର । ମନକୁ ତାଙ୍କର ଯେଉଁ ବହି ଛୁଇଁଛି ଏବଂ ସେ ପସନ୍ଦ କରିଛନ୍ତି, ତାହା ଯେଉଁ ଭାଷାର ହେଲେବି ଚିତ୍ତରଂଜନ ଅନୁବାଦ କରିବାକୁ ପଛାଇ ନାହାନ୍ତି । ୧୯୧୭ ମସିହାରେ କାର୍ଲ ଗ୍ୟେଲେରପ୍‌ଙ୍କ ‘ଯାତ୍ରା କାମନୀତ’ ଶୀର୍ଷକ ଉପନ୍ୟାସଟି ନୋବେଲ ପୁରସ୍କାର ଲାଭ କରିଥିଲା । ଏହା ଡେନିସ୍‍ ଭାଷାରେ ରଚିତ ଏବଂ ଡେନିସ୍ ଦେଶର ସାହିତ୍ୟରେ ଏକ ଲୋକପ୍ରିୟ ଉପନ୍ୟାସ । ସୁଇଡ଼ିଶ ଏକାଡେମୀ ଏହି ଉପନ୍ୟାସ ସମ୍ପର୍କରେ ଲେଖଛନ୍ତି- “....ବୃହତ ଉପନ୍ୟାସ ‘ଯାତ୍ରା କାମନୀତି’ (୧୯୦୬)ରେ ବୁଦ୍ଧଙ୍କ ନିଜ ସମୟର ଏକ ଜୀବନ ଚିତ୍ର ରହିଛି ଏବଂ ସେଥିରେ ଗ୍ୟେଲେରପ୍ ଅତ୍ୟନ୍ତ କବିତ୍ୱପୂର୍ଣ୍ଣ ଭାବରେ ବୌଦ୍ଧ ମେଦିନୀ- ଦୃଷ୍ଟିର ଅନ୍ତର୍ଗତ ଜୀବନ, ବୈରାଗ୍ୟ, ବାସନା, ପରିପୂର୍ଣ୍ଣତା ମାର୍ଗର ବୌଦ୍ଧଧର୍ମର ପ୍ରୟାସ, ସ୍ୱର୍ଗରାଜ୍ୟର ସ୍ୱପ୍ନ, ନିର୍ବାଣ ତଥା ପୃଥିବୀର ବିନାଶରେ ବହୁ ପ୍ରାଞ୍ଜଳ ବର୍ଣ୍ଣନା ପ୍ରଦାନ କରିଛନ୍ତି । କାମନୀତି ଜଣେ ବ୍ୟକ୍ତି, ଯିଏକି ପାର୍ଥିବ ଆନନ୍ଦ ଅନ୍ୱେଷଣରେ ଯାତ୍ରା ଆରମ୍ଭ କରିଛି, ମାତ୍ର ପାର୍ଥିବ ସବୁକିଛିର କ୍ଷଣିକତାକୁ ଉପଲବ୍ଧି କରି ଶାଶ୍ୱତ ଐଶ୍ୱର୍ଯ୍ୟଗୁଡ଼ିକ ଆଡ଼କୁ ମନବଳାଇଛି । ତା’ପରେ ଆମେ ଯେ ତାକୁ କେବଳ ଏହି ପୃଥିବୀର ଯାତ୍ରାରେ ତା’ ସହିତ ସାଙ୍ଗ ହୋଇଚାଲିଛୁ ତା’ ନୁହେଁ (ଏଇଟିରେ ଭାରତୀୟ ଖ୍ରୀଷ୍ଟମଣ୍ଡଳୀୟ ବର୍ଣ୍ଣାଢ଼୍ୟ ଅତ୍ୟନ୍ତ ଚମତ୍କାର ଭାବରେ ଫୁଟି ଉଠିଛି) ଆମେ ତା’ ସହିତ ତା’ର କେତେକ ପୁନର୍ଜନ୍ମ ମଧ୍ୟ ଦେଇ ଗତି କରିଛୁ, ଶେଷରେ ସହସ୍ର ଦଳଯୁକ୍ତ ବ୍ରହ୍ମମଣ୍ଡଳରେ ମଧ୍ୟ ଆସି ପ୍ରବେଶ କରିଛୁ । ଏହି ବର୍ଣ୍ଣନାଗୁଡ଼ିକରେ ଲେଖକଙ୍କର ଏକ ସ୍ୱକୀୟ ବିଶେଷତ୍ୱ ସ୍ପଷ୍ଟ ହୋଇଉଠିଛି-। ଏହାର ଓଡ଼ିଆ ସଂସ୍କରଣ ପାଇଁ ମୁଖବନ୍ଧ ଲେଖିଛନ୍ତି ଡେନ୍‍ମାର୍କର ଜଣେ ବିଶିଷ୍ଟ ଲେଖକ କାର୍ଲ ବ୍ୟାନିହଫ୍ । ତାଙ୍କ ଭାଷାରେ - “It is a novel which will probably in many ways be more intelligible to Indian readers than to the authors compatriots, for it is not an ordinary love-story in the European sense of this word.” ଏହାର କଥାବସ୍ତୁ ଚିତ୍ତରଂଜନଙ୍କ ମନକୁ ଏତେ ସ୍ପର୍ଶ କଲା ଯେ, ସେ ତାକୁ ଓଡ଼ିଆରେ ଅନୁବାଦ କଲେ ।

 

ସେହିପରି ପୋଲାଣ୍ଡ ଦେଶର ଉପନ୍ୟାସ ‘ଚାଷୀ’ ୧୯୨୪ ମସିହାରେ ନୋବେଲ ପୁରସ୍କାର ପାଇଥିବା ପୁସ୍ତକକୁ ଚିତ୍ତରଂଜନ ଓଡ଼ିଆରେ ଅନୁବାଦ କଲେ । ଏହାର ଲେଖକ ହେଉଛନ୍ତି ଲାଡ଼ିସ୍‌ଲାସ ସେଣ୍ଟରେମେଣ୍ଟ । ଏହାର ମୂଳ ପୁଲିସ୍‍ Chlopiର ଇଂରେଜୀ ଅନୁବାଦ ହେଲା The Peasants । ଏହି ଓଡ଼ିଆ ଅନୁବାଦ ସମ୍ପର୍କରେ ଚିତ୍ତରଂଜନ ଲେଖିଛନ୍ତି, ଆନ୍ତର୍ଜାତିକ P.E.N.ର ୧୯୬୩ ମସିହାରେ ସର୍ବସମ୍ମତିକ୍ରମେ ଉପସଭାପତିରୂପେ ନିର୍ବାଚିତ ବିଶ୍ୱପୂଜ୍ୟ ପୋଲିସ ଭାଷାରେ ଲେଖକ ଅଧ୍ୟାପକ ଡକ୍ଟର ଯାନ ପାରାଣ୍ଡୋଭସ୍କି ଏହି ଓଡ଼ିଆ ସଂସ୍କାରଣର ମୁଖବନ୍ଧ ଲେଖି ଆମକୁ ଗୌରବାନ୍ୱିତ କରିଛନ୍ତି । ଯାନପାରାଣ୍ଡୋଭିସ୍କି ତାଙ୍କ ମୁଖବନ୍ଧରେ କହିଛନ୍ତି- Pesants ଉପନ୍ୟାସରେ ଚିତ୍ରିତ କରାଯାଇଥିବା ସକଳ ଚିତ୍ର ହେଉଛି ପୋଲାଣ୍ଡ ଦେଶର ଅତି ସ୍ୱକୀୟ ଚିତ୍ର; ଏହାର ପ୍ରକୃତି, ଏହାର ପାତ୍ରପାତ୍ରୀ, ଏହାର ରୀତି ପରମ୍ପରା ଓ ଏହାର କୃଷିକାର୍ଯ୍ୟ- ଏସବୁ ପୋଲାଣ୍ଡର ନିଜସ୍ୱ । ଏଠିଆମ ଦେଶରେ ଦିଗନ୍ତ ପ୍ରସାରିତ ଯେଉଁ ଶସ୍ୟ କ୍ଷେତ୍ରରେ ବରଷକୁ ବରଷ ଶସ୍ୟପାଚୁଚି, ସେଇଥିରୁ ହିଁ ପୋଲାଣ୍ଡ ଦେଶର ନାମକରଣ ହୋଇଛି । ଏ ଦେଶର ପୋଲିସ୍‍ ଭାଷାର ପ୍ରଚଳନ ହେବା ଦିନଠାରୁ ସେହି ଭାଷାଭାଷୀ ଜନସମୂହ ଏହି ଜମିକୁ ଆଦରି ରହିଛନ୍ତି, ଏହି ଜମିକୁ ଚାଷ କରୁଛନ୍ତି, ଏହି ଜମିକୁ ଭଲ ପାଉଛନ୍ତି । ଏହି ଦେଶର ମାଟିପ୍ରତି ଏ ଦେଶର ମଣିଷର କେଡ଼େ ମାୟା ରହିଚି, ରେମେଣ୍ଟ ତାଙ୍କ ଚରବଗ୍ଦବଦ୍ଭଗ୍ଧଗ୍ଦ ଉପନ୍ୟାସରେ ତାହାହିଁ ଦେଖାଇଛନ୍ତି ଏବଂ ଆପଣା କଥାବସ୍ତୁ ଜରିଆରେ ପୋଲିସ୍‍ ଜାତି, ଏହାର କର୍ମ ଓ ସମଗ୍ର ଜୀବନ- ଏଗୁଡ଼ିକୁ ମିଶାଇ ଏକ ମହାଗ୍ରନ୍ଥ ଲେଖିଯାଇଛନ୍ତି ।”

 

ଚିତ୍ତରଂଜନ ଶାନ୍ତି ନିକେତନରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କର ଜଣେ ସହାଧ୍ୟାୟୀ ବନ୍ଧୁ ଇଭାନ୍ ତୁର୍ଗେନିଭ୍‌ଙ୍କର ‘ରୁଡ଼ିନ’ ଉପନ୍ୟାସଟି ପଢ଼ିବାକୁ ଦେଇଥିଲେ । ଉପନ୍ୟାସଟି ଛୋଟ ହେଲେ ବି ଶିକ୍ଷଣୀୟ ହୋଇଥିବାରୁ ଲେଖକ ମୂଳ ଉପନ୍ୟାସର ଇଂରାଜୀ ଅନୁବାଦଟିରୁ ଓଡ଼ିଆ ଅନୁବାଦଟି ପ୍ରସ୍ତୁତ କରିଥିଲେ । ସେହିପରି ସେ ବିଦେଶୀ ପୁସ୍ତକଗୁଡ଼ିକର ଅନୁବାଦ କରିଥିବା ନାମହେଲା- ‘ୟସ୍ ନାୟା ପୋଲାନ୍ତା ଖଲିଲ ଜିବ୍ରାନଙ୍କର ବିଦ୍ରୋହୀ ଆତ୍ମା, ଆଁ-ତୋ-ଆନ୍ ଦ’ ସାଁତ- ଏକସୁପେରୀଙ୍କ ରାଜକୁମାର ଓ ସୌଧସନ୍ଦେଶ ଆଦି’ । ଗାଲିଗାଇ, ଫ୍ରାନସ୍‌ର ଏକ ଲୋକପ୍ରିୟ ଉପନ୍ୟାସ । ଏହାର ଲେଖକ ହେଉଛନ୍ତି ‘ଫ୍ରାଁସୋୟା ମୋରିୟାକ ଯିଏ ଫ୍ରାନସ୍‌ର ସର୍ବଶ୍ରେଷ୍ଠ ଆଧୁନିକ ସାହିତ୍ୟମାନଙ୍କ ମଧ୍ୟରେ ଅନ୍ୟତମ । ତାଙ୍କର ଏହି ମୂଲ୍ୟବାନ ଉପନ୍ୟାସ ‘ଗାଲିଗାଇ’କୁ ଚିତ୍ତରଂଜନ ‘ସମ୍ମୋହିନୀ’ ନାମରେ ଆଖ୍ୟାୟିତ କରିଛନ୍ତି । ଏହାର ମୁଖବନ୍ଧରେ ଆନ୍ତର୍ଜାତିକ ପି.ଇ.ଏନ୍‌.ର ସଭାପତି ତଥା ଫରାସୀ ଏକାଡେମୀର ସଭ୍ୟ ଆଁଦ୍ରେ ଚାମସଁ ଲେଖିଛନ୍ତି- “ପ୍ରାଚ୍ୟରୁ ପାଶ୍ଚାତ୍ୟ ଉଦ୍ଦେଶ୍ୟରେ ଏବଂ ପାଶ୍ଚାତ୍ୟରୁ ପ୍ରାଚ୍ୟ ଉଦ୍ଦେଶ୍ୟରେ ବାହାରିଥିବା ଏହି ସମାନ୍ତରାଳ ଅନୁବାଦ ସମାରୋହକୁ ମାନବିକ ଭ୍ରାତୃତ୍ୱର ଏକ ସମାନ୍ତରାଳ ସ୍ପନ୍ଦନ ବୋଲି କହିବାକୁ ହିଁ ହେବ । ନାନା ଖଣ୍ଡରେ ବିଚ୍ଛିନ୍ନ ଓ ବିଦୀର୍ଣ୍ଣ ହୋଇଯାଇଥିବା ଆମର ପୃଥିବୀରେ ଏହି ସ୍ପନ୍ଦନ ମଣିଷକୁ ମଣିଷ ସହିତ ଅନ୍ତରଙ୍ଗ ଭାବରେ ପରିଚିତ ଓ ସମ୍ମିଳିତ କରାଇବାର ଇଚ୍ଛାହିଁ ପ୍ରକଟ କରୁଅଛି । ଆମକୁ ପରସ୍ପରଠାରୁ ବ୍ୟବହିତ କରି ରଖିଥିବା ଘଟଣାବଳୀ ଉପରେ ଆଜି ଏହି ଇଚ୍ଛାକ୍ରମେ ଯଥେଷ୍ଟ ପ୍ରଭାବ ପକାଇବାକୁ ଆରମ୍ଭ କଲାଣି । ମୁଁ ବିଶ୍ୱାସ କରୁଛି । ଶ୍ରୀଯୁକ୍ତ ଦାସ ତାଙ୍କର ଦେଶବାସୀଙ୍କ ମଧ୍ୟରେ ଏହି ଆଧ୍ୟାତ୍ମିକ ଭାତୃତ୍ୱ ସ୍ଥାପନ କରିବାକୁ ବ୍ରତୀ ହୋଇ ବାହାରିଛନ୍ତି । କାରଣ ଅନୁବାଦ କରିବାର ଅର୍ଥ ହେଉଛି ଅନ୍ୟମାନଙ୍କ ସହିତ ବିଚାର ସୂତ୍ର ସ୍ଥାପନ କରିବା ଏବଂ ଆପଣାର ସ୍ୱତନ୍ତ୍ର ଓ ସ୍ୱକୀୟ ପରିଚୟକୁ ବଜାୟ ରଖିବା ସଙ୍ଗେ ସଙ୍ଗେ ତଥାପି ଅନ୍ୟମାନଙ୍କ ସହିତ ସମ୍ମିଳିତ ହେବା । ଫରାସୀ ଭାଷାରେ ଲେଖାଯାଇଥିବା ଏହି ମୁଖବନ୍ଧକୁ ଚିତ୍ତରଂଜନ ଓଡ଼ିଆରେ ଅନୁବାଦ କରିଛନ୍ତି । ଚିତ୍ତରଂଜନଙ୍କର ଅନୁବାଦର ପରିସର ଅତ୍ୟନ୍ତ ବ୍ୟାପକ । ଅନେକ ଅନୁବାଦ ପୁସ୍ତକ ଦୁର୍ଲଭ ଥିବାରୁ ତାହାର ନାମୋଲ୍ଲେଖ କରିବା ଅପ୍ରସାଙ୍ଗିକ ମନେହୁଏ । କେତେକ ପୁସ୍ତକର ସେ ଆକ୍ଷରିକ ଅନୁବାଦ କରିଥିବାବେଳେ ଅନ୍ୟ କେତେକର ଭାବ ଓ ପ୍ରସଙ୍ଗକୁ ଦୃଷ୍ଟି ଦେଇ ଅନୁବାଦ କରିଛନ୍ତି । ମର୍ମକଥାକୁ ସେ କୌଣସିଠାରେ ଛାଡ଼ି ନାହାନ୍ତି, ଅଥବା ତାଙ୍କ ଅଜ୍ଞାତରେ କେବେ ସେଭଳି ଭୁଲ ହୋଇନାହିଁ । ସେଥିପାଇଁ ଅନ୍ୟ ଅନୁବାଦକମାନଙ୍କଠାରୁ ତାଙ୍କ ଭାବ, ଭାଷା ଓ ଉପସ୍ଥାପନ ଶୈଳୀକୁ ଅଧିକ ଶକ୍ତିଶାଳୀ ମନେକରାଯାଏ ।

Image

 

ଚିତ୍ତରଂଜନ ଦାସଙ୍କର ଅନ୍ୟାନ୍ୟ ରଚନାବଳୀ ସମ୍ପର୍କରେ

 

ଡକ୍ଟର ଚିତ୍ତରଂଜନ ଦାସ ଦୁଇଶହରୁ ଊର୍ଦ୍ଧ୍ୱ ପୁସ୍ତକ ଲେଖିଛନ୍ତି । ତାହାକୁ ବିଭାଗୀକରଣ କରି ଆଲୋଚନା କଲେ ବହୁଦୀର୍ଘ ହେବ । ତେଣୁ ଉପରୋକ୍ତ ଆଲୋଚ୍ୟ ପୁସ୍ତକମାନଙ୍କୁ ବାଦ୍ ଦେଲେ ସେ ଶିଶୁ ସାହିତ୍ୟ ମଧ୍ୟ ରଚନା କରିଛନ୍ତି । ଶିଶୁମାନେ ହେଉଛନ୍ତି ଧରାର ସମ୍ପଦ । ଶିଶୁ ହସିଲେ ଦୁନିଆ ହସିବ । ସେମାନେ ଏ ଦେଶର ଭବିଷ୍ୟତ ଭାଗ୍ୟର ନିୟନ୍ତ୍ରକ । ସେମାନଙ୍କ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି ‘ସୁନ୍ଦର ଦେଶ ଫିନ୍‌ଲାଣ୍ଡ’, ‘କେତେ ଦେଶର କଥା’, ‘ମଣିଷଙ୍କ ମଧ୍ୟରେ ମଣି’ ଏବଂ ଭାସିଲି ମୁଖୋମ୍‌ଲିନସ୍କିଙ୍କ ରଚିତ ‘ମୋ’ ହୃଦୟ ପିଲାଙ୍କ ପାଇଁ’ର ଅନୁବାଦ । ସୁନ୍ଦର ଦେଶ ଫିନ୍‌ଲାଣ୍ଡର ଚାରୋଟି ବିଭାଗ ରହିଛି । ତାହା ଯଥାକ୍ରମେ ହେଲା- (୧) ଗୋଟିଏ ସୁନ୍ଦର ଦେଶ, (୨) ବରଷକର ଖାଇବା ଚାରି ମାସରେ (୩) ଫିନ୍‌ଲାଣ୍ଡର ସ୍ନାନଘର- ସାଉନା ଓ ସୁନ୍ଦର ଦେଶ, ସୁନ୍ଦର ସମାଜ । ଫିନ୍‌ଲାଣ୍ଡ ଇଉରୋପ ମହାଦେଶର ଉତ୍ତର ପ୍ରାନ୍ତକୁ ଅବସ୍ଥିତ ଅତିସାନ ଦେଶଟିଏ ହେଲେ ମଧ୍ୟ ଗୋଟିଏ ସୁନ୍ଦର ଦେଶ । ଏହା ଚିତ୍ତରଂଜନଙ୍କର ଓଡ଼ିଶା ପରି ଅତି ଆପଣାର । ତେଣୁ ପିଲାମାନଙ୍କୁ ବିଦେଶ ବିଷୟରେ ପରିଚୟ ଦେଇ ସେମାନଙ୍କ ଶିଶୁ ମସ୍ତିସ୍କକୁ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ସେ ଏହି ପୁସ୍ତକଟିକୁ ଅତି ସହଜ, ସରଳ ଭାଷାରେ ରଚନା କରିଛନ୍ତି । ସେହିପରି କଥା କହିବା ଛଳରେ ଚାରୋଟି ଛୋଟ ଛୋଟ ଗଳ୍ପକୁ ଉପସ୍ଥାପନ କରି ଚିତ୍ତଭାଇ ଲେଖିଛନ୍ତି, କେତେ ଦେଶର କଥା । ଏଥିରେ ଥିବା ଚାରୋଟି ଗଳ୍ପ ହେଉଛି । କୁହୁକ ଆଇନା, ଭୀରୁରାଜ-କୁମାର, ସମୁଦ୍ର ପାଣି ଲୁଣିଆ ହେଲା କିପରି, ଓ ଚତୁରମୋଚି । ‘ମଣିଷମାନଙ୍କ ମଧ୍ୟରେ ମଣି’ ପୁସ୍ତକରେ ନଅଟି ବିଷୟ ରହିଛି । ଚିତ୍ତରଂଜନ ଯୋଗୀର ଜାତି ନାହିଁ ବିଷୟରେ କବୀରଙ୍କ କଥା କହିଛନ୍ତି; ଦ୍ୱିତୀୟ ବିଷୟଟିର ନାମ ହେଲା ପଞ୍ଚସଖା, ଏଥିରେ ଲେଖକ ଓଡ଼ିଶାର ଷୋଡ଼ଶ ଶତାବ୍ଦୀର ଧାର୍ମିକ ଆନ୍ଦୋଳନର ପ୍ରମୁଖ ବ୍ୟକ୍ତିତ୍ୱ ଜଗନ୍ନାଥ, ବଳରାମ, ଅନନ୍ତ, ଅଚ୍ୟୁତ ଓ ଯଶୋବନ୍ତଙ୍କ ଜୀବନୀ ସମ୍ପର୍କରେ ଯଦିଓ ବିଶେଷ କିଛି କହିନାହାନ୍ତି ସେମାନେ କିପରି ଜାତିପ୍ରଥାର ଘୋର ବିରୋଧୀ ଥିଲେ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି । ପଞ୍ଚସଖା ପ୍ରଥମେ ମଣିଷକୁ ଗୁରୁତ୍ୱ ଦେଉଥିଲେ । ସେମାନେ ସେବାକୁ ପରମ ଧର୍ମରୂପେ ଆପଣେଇ ଥିଲେ । ସେମାନଙ୍କର ରଚନାରେ ଜାତିଭେଦର ଆଦୌ ଗୁରୁତ୍ୱ ନ ଥିଲା । ତେଣୁ ସେମାନେ ନିଜକୁ ଶୂଦ୍ର ବୋଲି ଘୋଷଣା କରୁଥିଲେ । ଚିତ୍ତରଂଜନ ପିଲାମାନଙ୍କ ସରଳ ବିଶ୍ୱାସ ମଧ୍ୟରେ ଛୁଆଁ ଅଛୁଆଁ ଭେଦାଭେଦ ନ ରଖିବାର କଥାକୁ ପ୍ରବେଶ କରାଇବାର ପ୍ରଚେଷ୍ଟା କରିଛନ୍ତି । ସେ ଲେଖିଛନ୍ତି- “ଆଗେ ଶୂଦ୍ରମାନଙ୍କୁ ସମସ୍ତେ ହୀନ ଓ ଅସ୍ପୃଶ୍ୟବୋଲି କହୁଥିଲେ । ପଞ୍ଚସଖା କହିଲେ, ଶୂଦ୍ର ହେଉଛି ଭଗବାନଙ୍କ ଆଖିରେ ସବୁଠାରୁ ବଡ଼ ଜାତି । କାରଣ ଶୂଦ୍ର ସମାଜ ସେବାକରେ, ତେଣୁ ସଂସାରରେ ସେ ସବୁଠାରୁ ବଡ଼ଭକ୍ତ । ଚିତା ପଇତା କଲେ ବା ତୀର୍ଥକରି ବୁଲିଲେ ମନୁଷ୍ୟ ବଡ଼ହୁଏ ନାହିଁ । ଯିଏ ସେବାକରେ, ସେହି ବଡ଼ ହୁଏ । ସେହିଭକ୍ତ ହୁଏ । ପଞ୍ଚସଖା ନିର୍ଭୀକ ଭାବରେ ଆପଣାକୁ ଶୂଦ୍ରବୋଲି ଘୋଷଣା କଲେ । ସେମାନେ କହିଲେ ସଂସାରରେ ଆମେ ଯେଉଁ କୁଳରେ ଜନ୍ମ ହୋଇଥାଉ ପଛକେ, ଆମେ ସମସ୍ତେ ଶୂଦ୍ର, ଆମେ ସମସ୍ତେ ମହାପ୍ରଭୁଙ୍କର ଦାସ । ତେଣୁ ସମସ୍ତେ ଆପଣା କୁଳର ପଦବୀମାନ ପରିତ୍ୟାଗ କରି ଦାସ-ପଦବୀ ଗ୍ରହଣ କଲେ ।” ‘ଗାନ୍ଧିଜୀଙ୍କ ପିଲାଦିନ’ ବିଷୟଟିରେ ସେ ଗୋଟିଏ କଥା ଉପରେ ଗୁରୁତ୍ୱ ଦେଇ କହିଛନ୍ତି- “ପିଲାଦିନରୁ ଗୋଟିଏ କଥାକୁ ମୂଳ କରି ଧରିଥିଲେ । ସେ କୌଣସି କଥାକୁ ଗୋପନରେ କରୁନଥିଲେ କି କଦାପି ମିଛ କହୁନଥିଲେ । ଏହି ଗୋଟିଏ ଗୁଣ ପୃଥିବୀରେ ତାଙ୍କୁ ଏତେବଡ଼ ମଣିଷ କରାଇପାରିଲା । ଯିଏ ଲୁଚାଇ କରି କିଛି କରିବ ବା ଯିଏ ମିଛ କିହବ, ତାକୁ ନାନା ଦିଗରୁ ନାନା ପ୍ରକାରର ଭୟ କାମୁଡ଼ି ଧରିଥିବ । ଅସତ୍ୟ ଓ ଭୟ ହେଉଛି ମଣିଷର ପ୍ରଧାନ ଶତ୍ରୁ । ଏହି ଶତ୍ରୁକୁ ଜୟ କରିପାରିଲେ ମଣିଷ ବଡ଼ ହୋଇପାରିବ । ସାରା ପୃଥିବୀରେ ତା’ର ଗୁଣର ଗୌରବ ପ୍ରକଟ ହୋଇପାରିବ । ଶେଷ ଜୀବନ ପର୍ଯ୍ୟନ୍ତ ଗାନ୍ଧିଜୀ ଏହି ସତ୍ୟ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । ତାଙ୍କର ଆତ୍ମାକଥା ବର୍ଣ୍ଣନା କରି ସେ ଯେଉଁ ଗ୍ରନ୍ଥ ଲେଖିଛନ୍ତି, ତାହାର ନାମ ହେଉଛି, ‘ସତ୍ୟର ପ୍ରୟୋଗ’ । ଏହି ପୁସ୍ତକରେ ସେ ଆକବରଙ୍କ ଦରବାରରେ ସଙ୍ଗୀତଜ୍ଞ ଥିବା ତାନସେନ୍ ଏବଂ ତାଙ୍କ ସଙ୍ଗୀତ ଶିକ୍ଷକ ସନ୍ନ୍ୟାସୀ ହରିଦାସ ସ୍ୱାମୀଙ୍କ କଥା କହିଛନ୍ତି (କେଉଁ ସମ୍ରାଟଙ୍କ ଦରବାରରେ) । ସେହିପରି ତ୍ରିପୁରାର ଅନ୍ୟ ଜଣେ ସଙ୍ଗୀତଜ୍ଞ ଉସ୍ତାଦ୍ ଆଲାଉଦ୍ଦିନ ଖାଁ, ଜୀବନୀ ଲେଖିଛନ୍ତି । ‘ଜଣେ ଅଭିନବ ବିପ୍ଲବୀ’ରେ ବିନୋବାଙ୍କ ଜୀବନାଦର୍ଶନ ଓ ଭୂଦାନ ଆନ୍ଦୋଳନ ପ୍ରସଙ୍ଗ ଅଭିନବ ଢଙ୍ଗରେ ଉପସ୍ଥାପନ କରିଛନ୍ତି । ଏଥିରେ ସ୍ଥାନିତ ହୋଇଥିବା ଅନ୍ୟ ତିନୋଟି ବିଷୟର ନାମ ହେଲା ହେନେରି ଫୋର୍ଡ଼ ଓ ମୋଟର ଗାଡ଼ି, ଋଷିଆର ନୂଆଚାଷ ଓ ଦାନିଲୋ ଦୋଲଚି । ପିଲାମାନଙ୍କୁ ସେ କେତେ ଭଲ ପାଉଥିଲେ ଓ ଆପଣାର ମନେକରୁଥିଲେ ଏହି ରଚିତ ପୁସ୍ତକଗୁଡ଼ିକରୁ ଉପଲବ୍ଧ ହୁଏ । ସେମାନଙ୍କୁ ଦେଶବିଦେଶର କେତେକ କାହାଣୀ ଓ ମହାମନୀଷୀମାନଙ୍କ ତ୍ୟାଗନିଷ୍ଠ ଜୀବନୀ ବିଷୟରେ ଅନେକ କଥା କହିବାର ଗୋଟିଏ ଲକ୍ଷ୍ୟ ହେଲେ ସେମାନେ ଭବିଷ୍ୟତରେ ବଡ଼ ମଣିଷ ହେଲେ କେଉଁ ଗୁଣର ଆଦର କରିବେ ? ସତ୍ୟ ନ୍ୟାୟରେ ବାଟ ଚାଲିବେ । କାହାକୁ ଛୋଟ ମନେକରିବେ ନାହିଁ । ଜାତିପ୍ରଥାକୁ ଘୃଣା କରିବେ, ସବୁବେଳେ ନୂଆ ଚିନ୍ତା ମୁଣ୍ଡରେ ସ୍ଥାନ ଦେବେ ଏବଂ ପୃଥିବୀରେ ମଣିଷକୁ ଶ୍ରେଷ୍ଠ ମନେକରିବେ ଇତ୍ୟାଦି । ଏତଦ୍‌ବ୍ୟତୀତ ‘ପିଲାଙ୍କ ଶ୍ରୀ ଅରବିନ୍ଦ’, ‘ଆନ୍‌ରସନଙ୍କ ଗପ’, ‘ଆହୁରି କାହାଣୀ’, ‘ଏଶପ୍ କାହାଣୀ’, ‘ପୃଥିବୀର ପିଲାଦିନ’, ଏବଂ ଆନ୍ତର୍ଜାତିକ ଶିଶୁବର୍ଷ ପାଳନ ଉପଲକ୍ଷେ ସମ୍ପାଦିତ ‘ପୁସ୍ତକ ପିଲାଙ୍କ ଗପ’ ଆଦି ଶିଶୁମାନଙ୍କ ପାଇଁ ଚିତ୍ତରଂଜନ ଲେଖିଯାଇଛନ୍ତି ।

 

ଲେଖକଙ୍କର ଅନେକ କ୍ଷୁଦ୍ର ବୃହତ ପ୍ରବନ୍ଧ ଓଡ଼ିଶାର ଦୈନିକ ସମ୍ବାଦ ପତ୍ରମାନଙ୍କରେ ପ୍ରକାଶିତ । ଯେପରି ‘ଅରମ୍ୟରଚନା’ ସଂଗ୍ରହଟିର ଲେଖାଗୁଡ଼ିକ ଦୈନିକ ପ୍ରଗତିବାଦୀ, ‘ଆଉ ଏକ ଦୃଷ୍ଟିରେ’ ସାପ୍ତାହିକ ପ୍ରଗତିବାଦୀରେ ବିଭିନ୍ନ ସମୟରେ ବାହାରିଥିଲା । ‘ଆଉ ଏକ ଦୃଷ୍ଟିରେ’ ଲେଖକଙ୍କର ଏକ ନିଜସ୍ୱ ଦୃଷ୍ଟିପାତ । ଏହା ବ୍ୟକ୍ତିଗତ ନୁହେଁ, ରାଜନୀତିଜ୍ଞ ନୁହେଁ, ଏକ ନିଜସ୍ୱ ଦୃଷ୍ଟିପାତ, ଅତୀତ ମଧ୍ୟରେ ଚେର ଥାଇ, ବର୍ତ୍ତମାନ ଉପରେ ଅବସ୍ଥିତ ରହି ଭବିଷ୍ୟତର ସ୍ମରଣ କଲେ ଯେଉଁ ଦୃଷ୍ଟିପାତ କରିବାକୁ ସାହସ ହୁଏ ଏହା ସେହିପରି ଏକ ଦୃଷ୍ଟିପାତ ବୋଲି ଲେଖକଙ୍କର ନିଜସ୍ୱମତ । କେତେ ଦିଗନ୍ତ, ପୁସ୍ତକର ଗୋଟିଏ ପ୍ରବନ୍ଧକୁ ଛାଡ଼ି ଅନ୍ୟସବୁ ପ୍ରବନ୍ଧ ରାଉରକେଲା କଲଚରାଲ ଏକାଡେମୀ ଆନୁକୁଲ୍ୟରେ ପ୍ରକାଶିତ ତ୍ରୈମାସିକ ‘ନବପତ୍ର’ରେ ୧୯୬୬ ଜାନୁଆରୀ ଓ ୧୯୬୯ ଜାନୁଆରୀ ଭିତରେ ବାହାରି ଥିଲା । ‘କପି ତୁ କାହୁଁ ଅଇଲୁ’ ପୁସ୍ତକର ଲେଖାଗୁଡ଼ିକ ୨୦୦୦-୨୦୦୧ରେ ସପ୍ତାହକୁ ସପ୍ତାହ ଦୈନିକ ‘ପ୍ରଗତିବାଦୀ’ରେ ପ୍ରକାଶିତ ହୋଇଥିଲା । ସେହିପରି ‘କାଳକୁ କଜ୍ଜ୍ୱଳ’, ଦୈନିକ ସମ୍ବାଦରେ ପ୍ରକାଶିତ ଲେଖାର ସଂକଳନ । ‘ଚର୍ମ ଘାରିଛି ସିନା’ ପୁସ୍ତକର ଲେଖାଗୁଡ଼ିକ ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ରେ ବାହାରିଥିଲା । ଏ ବିଷୟରେ ସମ୍ୟକ୍ ଆଲୋକପାତ ପୂର୍ବରୁ ହୋଇଛି । ତାଙ୍କଦ୍ୱାରା ରଚିତ ଏବଂ ବିଭିନ୍ନ ସମୟରେ ଓଡ଼ିଶାରେ କେତେକ ପତ୍ରପତ୍ରିକାରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକର ସମାହାର ହେଉଛି ‘ଶିଳା ଓ ଶାଳଗ୍ରାମ’ । ମାସିକ ‘ଝଙ୍କାର’ ପତ୍ରିକା ବାହାରିଥିବା କେତେକ ପ୍ରବନ୍ଧକୁ ନେଇ ‘ପ୍ରବନ୍ଧର ପୃଥିବୀ’ ପୁସ୍ତକର ସୃଷ୍ଟି । ପୂର୍ବରୁ ଚିତ୍ତରଂଜନଙ୍କ ପ୍ରବନ୍ଧ ସମ୍ପର୍କରେ ଆଲୋଚନା କରାଯାଇଛି । ସେ ଏପରି ଜଣେ ପ୍ରାବନ୍ଧିକ ଏବଂ ତାଙ୍କର ପ୍ରବନ୍ଧର ରାଜ୍ୟ ଏତେ ବିସ୍ତୃତ ଯେ ତାକୁ କଳନା କରିବା ସମ୍ଭବପର ନୁହେଁ । ‘ଦିବ୍ୟ ମୁହୂର୍ତ୍ତ’ ଏକ ସୁନ୍ଦର ରଚନା ଯେଉଁଥିରେ ୧୨୪ଟି ଭିନ୍ନ ଭିନ୍ନ କିସମର ପ୍ରବନ୍ଧ ରହିଛି । ଏହା ସେ ଅନ୍ତରଙ୍ଗତା ସହିତ ଅନ୍ତରଙ୍ଗମାନଙ୍କ ପାଇଁ ଲେଖିଛନ୍ତି । ଏଥିରେ ପ୍ରକାଶିତ ଲେଖା ମଧ୍ୟରେ ଠାକୁର ଭିତରେ ଠାକୁର ବଡ଼, ସତର ଭାଗରେ ବିଭାଜିତ ଦେବ ମୁହୂର୍ତ୍ତ, ସିଦ୍ଧି ଦିବସ, କରୁଣାବତରଣ, ମୁଁ ସତ କହିବି-, ସଫଳତା ଓ ନିଷ୍ଠା ମନୁଷ୍ୟର ପ୍ରେମ, ଅଲୌକିତ୍ୱରୁ ଦେବତ୍ୱ, ଯେଉଁମାନେ ପୂଜା କରନ୍ତି ଆଦି ପ୍ରଧାନ । ଦେବ ମୁହୂର୍ତ୍ତର ପ୍ରଥମ ଭାଗରେ ଲେଖକ କହିଛନ୍ତି- ପ୍ରତ୍ୟେକ ମୁହୂର୍ତ୍ତ ହେଉଛି ବସ୍ତୁତଃ ଗୋଟିଏ ଗୋଟିଏ ଦେବ-ମୁହୂର୍ତ୍ତ । ଏପରି କୌଣସି ଗୋଟିଏ ହେଲେ ମୁହୂର୍ତ୍ତ ନାହିଁ, ଯେତେବେଳେକି ସେ ସେଇଟିକୁ ଛାଡ଼ି ପ୍ରକୃତରେ ଆଉ କେଉଁଠିକୁ ଚାଲିଯାଆନ୍ତି; ଯେତେବେଳେ କି ସିଏ ଏଇଠି ଆମର ସମ୍ମୁଖରେ ପ୍ରକୃତରେ ଆଉ କେଉଁଠିକୁ ଚାଲିଯାଆନ୍ତି; ଯେତେବେଳେ କି ସିଏ ଏଇଠି ଆମର ସମ୍ମୁଖରେ ଆମରି ଉଦ୍‌ଗାଟନ ଲାଗି ଅପେକ୍ଷା କରି ରହିନଥାନ୍ତି । ହଁ ସେ ପ୍ରକୃତରେ ଆମରି ଲାଗି ଅପେକ୍ଷା କରି ରହିଥାନ୍ତି; ଆମେ ପ୍ରସ୍ତୁତ ହେଲେ ଦ୍ୱାରଟି ଉଦ୍‌ଘାଟିତ ହୋଇଯାଏ; ତାଙ୍କରି କୃପା ଅଶେଷ ପ୍ରେରଣା ହୋଇ ପ୍ରବାହିତ ହୋଇଆସେ । ଅପହଞ୍ଚ ପହଞ୍ଚ ହୁଏ । ଦେବତାର ମୁହୂର୍ତ୍ତ ଆମର ମୁହୂର୍ତ୍ତଟିରୂପେ ଉଦ୍‌ଭାସିତ ହୋଇଉଠେ ।” ଚିତ୍ତରଂଜନ ପ୍ରବନ୍ଧ ସପକ୍ଷରେ ମତ ଦେଇ କୁହନ୍ତି- “ଜୀବନ ହେଉଛି ଯାବତୀୟ ସଖ୍ୟ ଭାବନାର ଏକ ଅନ୍ୟନାମ । ସାହିତ୍ୟ ଭିତରେ ସେହି ଶାଶ୍ୱତ କଥାଟିକୁ ଉଚ୍ଚାରଣ କରି ଅଭ୍ୟସ୍ତ ପବନ ଗୁଡ଼ାକର ଗଉଁ ଭାଙ୍ଗି ଦେବାକୁ ପ୍ରବନ୍ଧର ଆଗମନ ହୁଏ ଏବଂ ଯେଉଁ ସମାଜ ପ୍ରବନ୍ଧକୁ ପୁରସ୍କୃତ କରେ, ସେହି ସମାଜ ପ୍ରତି ତା’ର ଅନେକ କର୍ତ୍ତବ୍ୟ ରହିଛି ବୋଲି ହୃଦବୋଧ ହୋଇଯାଏ ।” (ବ୍ରହ୍ମ ତାତିଲାଣି ପରା) ଚିତ୍ତରଂଜନଙ୍କର ରମ୍ୟ ରଚନାର ସ୍ୱର ଖୁବ୍ ଶାଣିତ । ସେ ଦେଖେଇ କହିବାରେ ଓ ବିଦ୍ରୁପ କରିବାରେ ପାରଙ୍ଗମ । ତାଙ୍କ ବିଦ୍ରୁପାତ୍ମକ ଗଦ୍ୟର ଉଦାହରଣ ତାଙ୍କ ପ୍ରବନ୍ଧର ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ । ଶିଳା ଓ ଶାଳଗ୍ରାମରେ ସେ ଲେଖିଛନ୍ତି- “ଭଗବାନ ଦଶଥର ଯାକ ଏଇ ଭାରତରେ ଅବତାର ଗ୍ରହଣ କରିଛନ୍ତି । ଆର୍ଯ୍ୟମାନେ ସିଧା ସ୍ୱର୍ଗରୁ ଗଙ୍ଗାକୁ ଆଣି ଏଠାରେ ବୁଲାଇ ଦେଇଛନ୍ତି; ବ୍ରହ୍ମା କୁଆଡ଼େ ଆପଣା-ତୁଣ୍ଡରେ ନିର୍ଭୁଲ ସଂସ୍କୃତ ଭାଷାରେ ଭାରତବାସୀଙ୍କ କଲ୍ୟାଣ ଲାଗି ବେଦୋଚ୍ଚାରଣ କରିଛନ୍ତି । ତେଣୁ ଇହୁଦୀମାନଙ୍କର ହିବ୍ରୁପରି ଆମର ସଂସ୍କୃତି ଭାଷା ମଧ୍ୟ ଦେବଭାଷା” ।

 

ଚିତ୍ତରଂଜନ ଦାସ ‘କ୍ଷ ରୁ ଅ’ ପୁସ୍ତକଟି ଏକ ବ୍ୟକ୍ତିଗତ ଅଭିଧାନ । ଏକଦା ସେ ତାଙ୍କର ଜଣେ ବନ୍ଧୁଙ୍କଠାରୁ ‘Philosophical Dictionary’ ନାମରେ ଗୋଟିଏ ପୁସ୍ତକ ପଢ଼ିବା ନିମନ୍ତେ ଆଣିଥିଲେ । ସମସାମୟିକ କେତେଗୁଡ଼ିଏ ଶବ୍ଦକୁ ନେଇ ସେ ଅଭିଧାନଟି ରଚନା କରାଯାଇଥିଲା । ଲେଖକଙ୍କୁ ଏହା ଖୁବ୍ ଭଲ ଲାଗିଥିଲା । ସାମୂହିକ ସମୟଟିକୁ ସମ୍ମୁଖରେ ରଖି ସେ ଗୋଟିଏ ଅନୁରୂପ ଅଭିଧାନ ରଚନା କରିବା ପାଇଁ ସ୍ଥିର କଲେ । କାର୍ଯ୍ୟ କରିଚାଲିଲେ । ଅ ରୁ କ୍ଷ-ଏହା ହେଉଛି ପୁରାତନ ସାହିତ୍ୟରେ ଏକ ଅଧିକ ପରିଚିତ ରଚନା ଶୈଳୀ । ତଥାପି ଓଲଟ ଚଉତିଶା ନାମରେ ରୀତିଟିଏ ବି ଓଡ଼ିଆ ସାହିତ୍ୟରେ ରହିଛି । ଲେଖକ କେଜାଣି କାହିଁକି ସେହି ଓଲଟାଟାକୁ ଅଧିକ ଆଗ୍ରହ ରଖିଲେ ? ସେହି ରୀତିରେ ‘କ୍ଷ ରୁ ଅ’ ଅଭିଧାନଟି ଲେଖିଲେ । ଲେଖକ ଚିତ୍ତରଂଜନ ସମ୍ଭବତଃ ଜୀବନରେ ଇଂରେଜୀ ମାସମାନଙ୍କର ଷୋଳ ତାରିଖକୁ ଶୁଭ ତାରିଖ ମନେକରୁଥିଲେ; ଏହା ତାଙ୍କର “ପଥୀ........ବନ୍ଧୁ” ପୁସ୍ତକଟି ପଢ଼ିଲେ ଆପେ ଆପେ ବାରି ହୋଇପଡ଼େ । ଏହି ଷୋଳ ତାରିଖର ଅନୁଭୂତିକୁ ଲେଖିବାକୁ ତାଙ୍କ ମନରେ ଅସୀମ ଆଗ୍ରହ ଥିଲା-। ଏହି ପଥୀ-ବନ୍ଧୁତା । ପୁସ୍ତକଟିରେ ୧୬.୩.୧୯୪୩ରୁ ୧୬.୦୭.୨୦୦୭ ପର୍ଯ୍ୟନ୍ତ ଅନେକ ମାସର ଷୋଳ ତାରିଖର ଘଟଣାବଳୀକୁ ସେ ଲିପିବଦ୍ଧ କରିଛନ୍ତି । ୧୯୫୦ ମସିହାର ମାର୍ଚ୍ଚ ଷୋଳ ତାରିଖରେ ସେ ଲେଖିଛନ୍ତି- “ଆଜି ଷୋଳ ତାରିଖରେ କିଏ କାନ ପାଖରେ ବାରବାର କହିଯାଉଛି, ତୋର ସମସ୍ତ ଆଶା ଓ ଅଭିଳାଷ, ତୋ’ର ସମସ୍ତ ବ୍ୟଥା ଓ ବେଦନାକୁ ତୁ ଆପଣାର ଆରାଧ୍ୟ ଦେବତା ପାଖରେ ସମର୍ପଣ କରିଦେ । ତାକୁ ହିଁ ଦେଇ ନିଶ୍ଚିନ୍ତ ହୋଇପାରିଲେ ଯାଇ ତୋ’ ମନରେ ଜମା ହୋଇ ରହିଥିବା କୃଷ୍ଣମେଘପୁଞ୍ଜରୁ ବିଜୁଳିର ସୁବର୍ଣ୍ଣରାଗ ପ୍ରକାଶିତ ହୋଇ ହୋଇପାରିବ । ସେହିପରି ୧୯୫୦ ଏପ୍ରିଲ ଷୋଳ ତାରିଖରେ ଲେଖିଛନ୍ତି- “ଆଜି ଷୋଳ ତାରିଖରେ କେବଳ ବନ୍ଧୁ କଥାହିଁ ମୋ ହୃଦୟକୁ ଅଧିକାର କରି ରହିଛି । ଦିବାରମ୍ଭର ପ୍ରାର୍ଥନାରେ ଯାହାର ପ୍ରଥମ ଆବିର୍ଭାବ ହୋଇଥିଲା, ଦିନେ ଶେଷରେ ପ୍ରାର୍ଥନା ତାକୁହିଁ ଅନ୍ତର-ନୀଡ଼ର ସାରସଞ୍ଚୟ କରି ମୁଁ ଶୋଇବାକୁ ଯିବି ।” ଏହି ଷୋଳ ତାରିଖରେ ସେ ବିଭିନ୍ନ ସ୍ଥାନକୁ ଯିବାର ଶୁଭାରମ୍ଭ କରୁଥିଲେ । ସେ ବିଭିନ୍ନ ବିଷୟବସ୍ତୁକୁ ନେଇ ଏହି ଷୋଳ ତାରିଖରେ ଦେଶ ବିଦେଶର କଥା ଲିପିବଦ୍ଧ କରିଯାଇଛନ୍ତି । ୧୯୮୧ ମସିହା ଡିସେମ୍ବର ମାସ ୧୬ ତାରିଖରେ ଲେଖିଥିବା ଘଟଣା କିୟଦଂଶ ଉଦ୍ଧାର କରୁଛି- “ଓଡ଼ିଶାରେ ସମାଜ ଓ ରାଜନୀତିର କ୍ଷେତ୍ରରେ ଯେଉଁମାନେ ଗତ ଗୋଟିଏ ପୁରୁଷ ଧରି ପ୍ରାୟ ରାକ୍ଷସ ପରି ଆଚରଣ କରିଆସିଲେ, ଯୋଉମାନେ ନିଜେ ବୁଢ଼ା ହେବା ସଙ୍ଗେ ସଙ୍ଗେ ଏ ଦେଶଟାକୁ ମଧ୍ୟ ବୁଢ଼ା କରି ପକାଇଲେ ଓ ଏ ଦେଶର ଯାବତୀୟ କର୍ଷଣକୁ ଅଚଳନ୍ତି କରି ରଖିଲେ, ଏବେ ସେମାନେ ଚାରିଆଡ଼କୁ ଅନାଇ କେବଳ ଅନ୍ଧାର ଦେଖୁଛନ୍ତି, ଅନ୍ଧାର ଦେଖି ଉତ୍ତେଜିତ ହୋଇପଡ଼ୁଛନ୍ତି ଏବଂ ଦେଶଟା ଯେ ମୋଟେ ଉଚିତ ବାଟରେ ଯାଉନାହିଁ, ସେଥିପାଇଁ ହାହାକାର କରିବାରେ ଲାଗିଛନ୍ତି ।” ସେହି ଷୋଳ ତାରିଖ ହିଁ ତାଙ୍କ ପାଇଁ ଅଶୁଭ ଦିନ ପାଲଟିଗଲା । ୧୬.୧.୨୦୧୧ ମସିହାରେ ସେ ଇହଧାମ ତ୍ୟାଗକଲେ ।

 

ଚିତ୍ତରଂଜନଙ୍କ ଗଦ୍ୟ ରଚନାରେ ପଦ୍ୟଢଙ୍ଗର ରୀତି ପରିଲକ୍ଷିତ ହୋଇଥାଏ । ସେ ପ୍ରମାଣ କରିଦେବାକୁ ଚାହିଁଛନ୍ତି ଓଡ଼ିଆ ସାହିତ୍ୟରେ ପଦ୍ୟରେ ଯେପରି ଅ ଠାରୁ କ୍ଷ ପର୍ଯ୍ୟନ୍ତ ପଦ୍ୟ ରଚନା କରାଯାଇପାରେ ଗଦ୍ୟରେ ମଧ୍ୟ ସେହିପରି ଲେଖିବା କିଛି ଅସମ୍ଭବ ନୁହେଁ । ଏହା ତାଙ୍କର ‘ଶବ୍ଦଶତକ’ ପୁସ୍ତକରୁ ପ୍ରମାଣିତ ହୁଏ । ‘ଶବ୍ଦଶତକ’ ସମ୍ପର୍କରେ ପୂର୍ବରୁ ସମ୍ୟକ୍ ସୂଚନା ଦିଆଯାଇଥିଲେ ମଧ୍ୟ ଏହାକୁ ଅଧିକ ଭାବରେ ଆଲୋଚନା କଲେ କିଛି ତ୍ରୁଟି ହେବନାହିଁ । ପ୍ରାଚୀନ ତଥା ମଧ୍ୟଯୁଗୀୟ କବି ଅଭିମନ୍ୟୁ ସାମନ୍ତସିଂହାର ତଦୀୟ ବିଦଗ୍ଧ ଚିନ୍ତାମଣି କାବ୍ୟର ପ୍ରଥମ ଛାନ୍ଦଟି ଅ ଠାରୁ କ୍ଷ’ ପର୍ଯ୍ୟନ୍ତ ପଦ୍ୟରେ ଲେଖିଛନ୍ତି । ଏହି ବର୍ଣ୍ଣାବଳୀକୁ କ୍ରମରେ ଗଦ୍ୟରେ ଲେଖିବାକୁ ପ୍ରୟାସ କରିଛନ୍ତି ଚିତ୍ତରଂଜନ । ଅବଶ୍ୟ କେତେକ ଅକ୍ଷରକୁ ସେ ଏଥିରେ ବାଦ୍ ଦେଇଛନ୍ତି । ଯେପରି ଘ,ଙ,ଝ,ଞ,ଟ,ଠ,ଡ଼,ଣ,ଫ,ଷା,କ୍ଷ ପ୍ରଭୃତି । ଏହି ଗ୍ରନ୍ଥଟିର ମୁଖବନ୍ଧରେ ରବୀନ୍ଦ୍ରନାଥ ପାଢ଼ୀ ଲେଖିଛନ୍ତି- “ଶବ୍ଦ ଶତକର ଲେଖକ ସ୍ୱନିର୍ବାଚିତ ଶହେଟି ଶବ୍ଦର ସୂଚନାଧର୍ମୀ ବ୍ୟାଖ୍ୟା ଦେବାକୁ ଚେଷ୍ଟା କରିଛନ୍ତି । ଶ୍ରୀଅରବିନ୍ଦଙ୍କ ଦାର୍ଶନିକ ତତ୍ତ୍ୱଗୁଡ଼ିକୁ ସିଏ ସରଳ ଓଡ଼ିଆ ଭାଷାରେ ବାଢ଼ି ଦେଇଛନ୍ତି । ଏହାକୁ ଏକ ଅଭିନବ ପ୍ରୟାସ ବୋଲି କୁହାଯାଇପାରିବ । ଆଶ୍ରମର ବିଶିଷ୍ଟ ସାଧକ ଶ୍ରୀମାଧବ ପଣ୍ଡିତଙ୍କଦ୍ୱାରା ସଂକଳିତ Dictionary of Sri Aurobindo’s Yoga ଏବଂ SABDA ଆନୁକୂଲ୍ୟରେ ପ୍ରକାଶିତ Glossary of Iessens in Sri Aurobirdo’s writings ଇଂରାଜୀ ପୁସ୍ତକ ଦୁଇଟିଠାରୁ ‘ଶବ୍ଦଶତକ’ ଏକ ଭିନ୍ନ ଧରଣର ସଂକଳନ । ଉଲ୍ଲିଖିତ ଇଂରେଜୀ ଗ୍ରନ୍ଥଦ୍ୱୟରେ ସନ୍ନିବେଶିତ ଶବ୍ଦଚୟର ବ୍ୟାଖ୍ୟା କେବଳ ଶ୍ରୀ ଅରବିନ୍ଦଙ୍କର ରଚନାର ଉଦ୍ଧୃତାଂଶ । କିନ୍ତୁ ‘ଶବ୍ଦଶତକର’ ଲେଖକ ସାଧାରଣ ପାଠକର ବୋଧଗମ୍ୟ ହେଲାଭଳି ସହଜ ଭାଷାରେ ଶବ୍ଦ ଗୁଡ଼ିକର ବ୍ୟାଖ୍ୟା ଉପସ୍ଥାପନ କରିଛନ୍ତି । ଆବଶ୍ୟକ ସ୍ଥଳେ ଶ୍ରୀ ଅରବିନ୍ଦ ଓ ମାଆଙ୍କର ପ୍ରାସଙ୍ଗିକ ମହତ୍ତୂପୂର୍ଣ୍ଣ ଉକ୍ତିଗୁଡ଼ିକୁ ଉଦ୍ଧାର କରିଛନ୍ତି ଓ ଉତ୍ସଗ୍ରନ୍ଥଗୁଡ଼ିକର ମଧ୍ୟ ସୂଚନା ଦେଇଛନ୍ତି । × × × ମୂଳ ରଚନାବଳୀର ବିପୁଳ ଶବ୍ଦଭଣ୍ଡାରରୁ ଏଥିରେ ମାତ୍ର ଶହେଟି ଶବ୍ଦକୁ ଚୟନ କରି ଓଡ଼ିଆ ଭାଷାରେ ପରିବେଷଣ କରାଯାଉଛି ।”

 

ଚିତ୍ତରଂଜନଙ୍କର ଅନ୍ୟତମ ଆଦର୍ଶ ଥିଲେ ବେନେଡିକଟ୍ ସ୍ପିନୋଜା, ଯାହାଙ୍କ ବିଷୟରେ ସେ ଶାନ୍ତିନିକେତନରେ ପ୍ରଥମେ ଗବେଷଣା କରିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ ଏବଂ ନିବନ୍ଧଟିଏ ମଧ୍ୟ ପ୍ରସ୍ତୁତ କଲେ । ଏହା ତାଙ୍କର ମାର୍ଗଦର୍ଶକ ଏବଂ ପରୀକ୍ଷକମାନଙ୍କୁ ବିସ୍ମୟବିମୁଗ୍ଧ କରିଦେଇଥିଲା । ସ୍ପିନୋଜୀଙ୍କ ବିଷୟରେ ୧୯୪୭-୪୮ ମସିହାରେ ବିଶ୍ୱକବି ରାବୀନ୍ଦ୍ରନାଥ ତତ୍କାଳୀନ ଗୋଟିଏ ବଙ୍ଗଳା ପତ୍ରିକାରେ ମନ୍ତବ୍ୟ ଦେଇ ଲେଖିଥିଲେ ଯେ, “ବେନେଡିକ୍‌ଟ ସ୍ପିନୋଜା ହେଉଛନ୍ତି ଏପରି ଏକ ଦାର୍ଶନିକ, ଯାହାଙ୍କର ଜୀବନ ଓ ଦର୍ଶନ ମଧ୍ୟରେ କିଛି ଫରକ୍ ନ ଥିଲା । ଏକ ଦର୍ଶନ ହିସାବରେ ସେ ଯାହାକୁ ସତ୍ୟବୋଲି ଉପଲବ୍ଧି କରୁଥିଲେ, ସେଇଟିକୁହିଁ ଜୀବନରେ ବଞ୍ଚୁଥିଲେ ।” ତାହା ପଢ଼ିବାପରେ ଚିତ୍ତରଂଜନଙ୍କ ମନରେ ପ୍ରଥମେ ଆକର୍ଷଣ ବଢ଼ିଯାଇଥିଲା ସ୍ପିନୋଜାଙ୍କ ପ୍ରତି । ତାଙ୍କଦ୍ୱାରା ପ୍ରଣୀତ ବହୁ ଦୁର୍ଲଭ ପୁସ୍ତକ ସେ ଅଧ୍ୟୟନ କଲେ । ସ୍ପିନୋଜାଙ୍କ ଜୀବନ ଏକ ସଂଗ୍ରାମୀର ଜୀବନ । ଅପ୍ରିୟ ସତ୍ୟ ଘଟଣାକୁ ପ୍ରକାଶ କରିବା ତାଙ୍କ ଜୀବନର ପ୍ରଧାନ ଧର୍ମ ଥିଲା । ସେଥିପାଇଁ ତାଙ୍କୁ ବହୁକଷ୍ଟ ସ୍ୱୀକାର କରିବାକୁ ପଡ଼ିଛି । ତଥାପି ସ୍ପିନୋଜା ମାନସିକ ସ୍ତରରେ ଭାଙ୍ଗିପଡ଼ି ନାହାନ୍ତି । ଚିତ୍ତରଂଜନ ସ୍ପିନୋଜାଙ୍କ ଉପରେ ନିବନ୍ଧ ପ୍ରସ୍ତୁତ କଲାପରେ ତାଙ୍କ ଜୀବନୀ ସମ୍ପର୍କରେ ଏକ ମୌଳିକ ପୁସ୍ତକ ରଚନା କରିବାର ଲକ୍ଷ୍ୟ ରଖିଥିଲେ ଏବଂ ସେ ନିବନ୍ଧଟିକୁ ଆଧାର କରି ‘ବେନେଡିକ୍‌ଟ ସ୍ପିନୋଜା, ଜୀବନୀ ଓ ମୂଲ୍ୟାୟନ’ ପୁସ୍ତକଟି ରଚନା କଲେ । ଏଥିରେ ସେ ସ୍ପିନୋଜାଙ୍କ ଜୀବନକୁ ସଂକ୍ଷେପରେ ବର୍ଣ୍ଣନା କରିବା ସହିତ ତାଙ୍କର ଦର୍ଶନଶାସ୍ତ୍ର ଉପରେ ଅଧିକ ଆଲୋକପାତ କରିଛନ୍ତି । ସ୍ପିନୋଜାଙ୍କ ଜନ୍ମ ହୋଇଥିଲା ୧୬୩୨ ମସିହା ନଭେମ୍ବର ୨୪ ତାରିଖରେ ଗୋଟିଏ ଇହୁଦୀ ପରିବାରରେ । ତାଙ୍କ ପୂର୍ବପୁରୁଷମାନେ ଏକଦା ସ୍ପେନରୁ ହଲାଣ୍ଡ ଚାଲି ଆସିଥିଲେ । ସେତେବେଳେ ଇଉରୋପରେ ଧର୍ମନାମରେ ହଣାକଟା ଚାଳିଥିଲା । ନିଜ ଭୂମିରୁ ବିତାଡ଼ିତ ହେବା ପରେ ଇହୁଦୀମାନେ ଛିନ୍ନଛତ୍ର ହୋଇ ଅନ୍ୟ ରାଜ୍ୟମାନଙ୍କୁ ପଳାଇ ଯାଇଥିଲେ । ସାମାଜିକ ଜୀବନର ପ୍ରାୟ ସର୍ବବିଧ କ୍ଷେତ୍ରରୁ ସେମାନଙ୍କୁ ବଞ୍ଚିତ କରାଯାଉଥିଲା ଏବଂ ଖ୍ରୀଷ୍ଟଧର୍ମ ଗ୍ରହଣ କରିବା ନିମନ୍ତେ ଯାବତୀୟ ଅପଚେଷ୍ଟା ମଧ୍ୟ ହେଉଥିଲା । କିନ୍ତୁ ଇହୁଦୀମାନେ ନିଜ ଧର୍ମ ଓ ସମ୍ପ୍ରଦାୟରୁ କୌଣସି ଅନ୍ୟ ଆକର୍ଷଣରେ ପଡ଼ି ବିଚ୍ୟୁତ ହୋଇନଥିଲେ । ଶୈଶବରେ ସ୍ପିନୋଜା ଇହୁଦୀ ଧର୍ମଗ୍ରନ୍ଥଗୁଡ଼ିକ ଅଧ୍ୟୟନ କରିଥିଲେ । ଜଣେ ଦକ୍ଷ ଶିକ୍ଷକଙ୍କର ସହାୟତାରେ ସେ ହିବ୍ରୁ ଭାଷାରେ ପ୍ରବୀଣତା ଲାଭକଲେ । ବାଇବେଲ୍‌ର ପ୍ରଥମ ପୁସ୍ତକ ଏବଂ ଇହୁଦୀ ଧର୍ମସୂତ୍ରୀୟ ତାଲମୁଦ୍ ସହିତ ସୁପରିଚିତ ହେଲେ । ଜ୍ଞାନକ୍ଷେତ୍ରରେ ସ୍ପିନୋଜା ବହୁଦୂର ଆଗେଇ ଚାଲିଲେ । ସନ୍ଦେହ ଦୂରପାଇଁ ସେ ହିବ୍ରୁ ଧର୍ମଗ୍ରନ୍ଥଗୁଡ଼ିକର ଗଭୀର ଅଧ୍ୟୟନ କଲେ । ସିନାଗଗ୍ ଭିତରେ ଲାଟିନ୍ ଭାଷା ଅଧ୍ୟୟନକୁ ଘୃଣ୍ୟ ମନେକରାଯାଉଥିଲା । ତଥାପି ସେ ଜ୍ଞାନର ପରିସର ଅଭିବୃଦ୍ଧି ପାଇଁ ଲାଟିନ୍ ଭାଷାର ଗ୍ରନ୍ଥଗୁଡ଼ିକ ଅଧ୍ୟୟନ କଲେ । ନିଜକୁ କଳଙ୍କ ମୁକ୍ତ କରିବା ପାଇଁ ସେ ଦେଶର ଆଇନ ଅନୁସାରେ ତାଙ୍କୁ ଚାଲିଶ ଦିନ ଉପବାସ ରହିବାକୁ ପଡ଼ିଥିଲା । ତଥାପି ସ୍ପିନୋଜା ଅଟକି ଯାଇନଥିଲେ । ଧର୍ମଗ୍ରନ୍ଥଗୁଡ଼ିକରେ ହୋଇଥିବା ବ୍ୟାଖ୍ୟାକୁ ସେ ତନ୍ନ ତନ୍ନ କରି ପରୀକ୍ଷା କରୁଥାଆନ୍ତି । ସ୍ପିନୋଜା ଲାଟିନ୍‌, ଭାଷାରେ ଥିବା ବହୁ ସଂଖ୍ୟକ ପୁସ୍ତକ ପଢ଼ି ପ୍ରଥମେ ଈଶ୍ୱରତତ୍ତ୍ୱ, ତା’ପରେ ପ୍ରାକୃତିକ ବିଜ୍ଞାନଚୟ ଏବଂ ଆଉ କେତେ କ’ଣ ଅଭିଜ୍ଞତା ଅର୍ଜନ କଲେ । ସେ ପାଶ୍ଚାତ୍ୟ ଦେଶର ହିବ୍ରୁ, ଜର୍ମାନ, ଇତାଲୀୟ, ସ୍ପେନିଶ୍‌, ପର୍ତ୍ତୁଗୀଜ ଏବଂ ହଲାଣ୍ଡୀୟ ଡଚ୍‌-ଭାଷା ପୂର୍ବରୁ ଜାଣିଥିଲେ ଏବଂ ସେହି ତାଲିକାରେ ଲାଟିନ ଭାଷା ଯୋଡ଼ି ହୋଇଗଲା ।

 

ସ୍ପିନୋଜାଙ୍କର ଜ୍ଞାନର ପରିସର ଯେତିକି ଯେତିକି ଅଗ୍ରଗତି କଲା ତାଙ୍କ ପ୍ରତି ସିନାଗଗ୍‌ର କ୍ରୋଧ ମଧ୍ୟ ସେତିକି ଅଧିକ ହେବାରେ ଲାଗିଲା । ପ୍ରତିଷ୍ଠିତ ଧର୍ମବିଶ୍ୱାସ ପ୍ରତି ସେ ସନ୍ଦେହ ପ୍ରକଟ କରିବାରୁ ତାଙ୍କୁ ନାସ୍ତିକ ମନେକରି ଛୁରୀ ଭୂଷି ଜୀବନରୁ ମାରି ଦେବାର ପ୍ରଚେଷ୍ଟା କରାଯାଇଥିଲା । ଭାଗ୍ୟକ୍ରମେ ସେ ସେଥିରୁ ବର୍ତ୍ତିଗଲେ । ତାଙ୍କୁ ନୀରବ କରି ଦେବାଲାଗି ବହୁ ଉଦ୍ୟମ କରାଗଲା, ମାତ୍ର ସ୍ପିନୋଜା ଅବିଚଳ ରହିଥିଲେ । ସର୍ବଶେଷ ନିଷ୍ପତ୍ତି କ୍ରମେ ୧୬୫୬ ମସିହା ଜୁଲାଇ ମାସ ୨୭ ତାରିଖରେ ତାଙ୍କୁ ଧର୍ମଦ୍ରୋହୀ ଭାବେ ସିନାଗ୍‌ଗରୁ ବାଛନ୍ଦ କରାଗଲା, ନିର୍ବାସିତ ହେବାବେଳକୁ ତାଙ୍କୁ ମାତ୍ର ଚବିଶବର୍ଷ । ଏଣିକି ଜୀବନ ପଥରେ ସ୍ପିନୋଜାଙ୍କୁ ଏକା ଏକାହିଁ ଯିବାକୁ ପଡ଼ିବ । ତଥାପି ସେ ଭୀତତ୍ରସ୍ତ ନ ଥିଲେ । ସେ ଘର ବଦଳାଇ ଆମଷ୍ଟରଡାମ ସହରର ଉପକଣ୍ଠରେ ନିଜର ଜଣେ ପରିଚିତଙ୍କ ସହିତ ଆସି ବାସକଲେ । ଜୀବନ ବଞ୍ଚିବା ପାଇଁ ଗୋଟିଏ ଧନ୍ଦା ଆରମ୍ଭ କଲେ । ଅଣୁବୀକ୍ଷଣ ଓ ଦୂରବୀକ୍ଷଣ ଯନ୍ତ୍ରରେ ବ୍ୟବହୃତ ହୋଇପାରିବା ଭଳି ସାଧାରଣ କାଚକୁ ପଥରରେ ଘଷି ପ୍ରସ୍ତୁତ କରିବାକୁ ଲାଗିଲେ । କାଚଗୁଡ଼ିକ ପାଲିସ୍‍ କରି ସେ ସହରକୁ ପଠାଉଥିଲେ ଏବଂ ତାଙ୍କର ବନ୍ଧୁମାନେ ସେଗୁଡ଼ିକୁ ସେଠାରେ ବିକ୍ରିକରି ଦେଉଥିଲେ-। ଏହିପରି ଭାବରେ ସ୍ପିନୋଜା ନିଜକୁ ଜ୍ଞାନ ଓ ପ୍ରଜ୍ଞାରେ ସମୃଦ୍ଧ କରି ଆଣୁଥିବାବେଳେ ତେଣେ ଆମ୍‌ଷ୍ଟରଡାମର ଧନୀ ବ୍ୟକ୍ତିମାନେ ତାଙ୍କୁ ଅସହ୍ୟ ପ୍ରାୟ ଅନୁଭବ କରି ରାସ୍ତାରୁ ହଟାଇ ଦେବାଲାଗି ଗମ୍ଭୀର ଭାବରେ ଚିନ୍ତା କରୁଥିଲେ । ଏପରିକି, ଦେକାର୍ତ୍ତଙ୍କର ଦର୍ଶନ ବିଷୟରେ ସ୍ପିନୋଜା କରୁଥିବା ବ୍ୟାଖ୍ୟା ଓ ବିଶ୍ଲେଷଣଗୁଡ଼ିକୁ ସେମାନେ ଅତ୍ୟନ୍ତ ପ୍ରମାଦପୂର୍ଣ୍ଣ ବୋଲି ମନେକରିଥିଲେ । ସେମାନେ ସୁଯୋଗ ପାଇଲା ମାତ୍ରକେ ସ୍ପିନୋଜାଙ୍କୁ ନାନା ପ୍ରକାର ଭର୍ତ୍ସନା କରୁଥିଲେ । ସ୍ପିନୋଜା ସେମାନଙ୍କଠାରୁ ଯଥାସମ୍ଭବ ଦୂରରେ ରହିବା ପାଇଁ ଚେଷ୍ଟା କଲେ ଏବଂ ସ୍ଥାନ ବଦଳାଇ ଲାଇଡେନ ସହରର ନିକଟବର୍ତ୍ତୀ ରାଇନ୍‌ସବୁର୍ଗ ଗାଆଁରେ ଯାଇ ରହିଲେ । ସେଇ ଗାଆଁଟା ତାଙ୍କୁ ଖୁବ୍ ଭଲ ଲାଗିଲା ଏବଂ ଗଭୀର ଅଧ୍ୟୟନ ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିଥିଲା । ପରବର୍ତ୍ତୀ କାଳରେ ସେ ହଲାଣ୍ଡର ଆଉ କେତେକ ସ୍ଥାନରେ ଯାଇ ବସବାସ କରିଥିଲେ । ସେ ଜନ୍ମ ହୋଇଥିଲେ ଆମଷ୍ଟର-ଡାମରେ ଏବଂ ସେ ମାତ୍ର ୪୫ ବର୍ଷ ବୟସରେ ଅର୍ଥାତ୍ ଫେବୃୟାରୀ ମାସ ୨୧ ତାରିଖ ୧୬୭୭ ମସିହାରେ ଦିଲେଗ୍ ସହରର ଗୋଟିଏ ଭଡ଼ାଘରେ ତାଙ୍କର ମୃତ୍ୟୁ ହେଲା । ସ୍ପିନୋଜା ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ । କାଚ ପାଲିସ୍‍ କରି କରି ବହୁତ କାଚଗୁଣ୍ଡ ତାଙ୍କ ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରିଥିଲା ଏବଂ ତାଙ୍କ ଭିତରକୁ କ୍ଷୟକାଶ ପ୍ରବେଶ କଲା । ସ୍ପିନୋଜା ବହୁ ଦର୍ଶନଶାସ୍ତ୍ରର ପ୍ରଣେତା । ତାଙ୍କର ଦର୍ଶନ ଯେମିତି ଜୀବନ ମଧ୍ୟ ସେମିତି । ତାଙ୍କର ଚତୁର୍ଦ୍ଦିଗରେ ଏକ ଘୋର ଶତ୍ରୁଭାବାପନ୍ନ ଜନସମୁଦାୟ, ଅଥଚ ସ୍ପିନୋଜା ସର୍ବଦା ଶାନ୍ତ । ପୃଥିବୀଟା ଏତେ ନିର୍ଦ୍ଦୟ ହୋଇଗଲା ବୋଲି ତାଙ୍କର କୌଣସି ଅସୂୟା ନ ଥିଲା କିମ୍ବା ଅଭିଯୋଗ ବି ନ ଥିଲା । ତାଙ୍କ ବ୍ୟକ୍ତିଗତ ଗ୍ରନ୍ଥସମ୍ପତ୍ତି କହିଲେ ମୋଟେ ଷାଠିଏ ସରିକି ପୁସ୍ତକ । ମୃତ୍ୟୁବେଳକୁ ତାଙ୍କ ପାଖରେ କେତେଗୁଡ଼ିଏ ଅପ୍ରକାଶିତ ପାଣ୍ଡୁଲିପି, ଅଳ୍ପ କେତେକ ପୁସ୍ତକ, ପ୍ରସ୍ତୁତ କରାଯାଇଥିବା କେତେକ ଲେନ୍‌ସ କାଚ ଥିଲା । ତାଙ୍କ ପରି ଦର୍ଶନଶାସ୍ତ୍ରରେ ପ୍ରବୀଣ ବ୍ୟକ୍ତି ଇଉରୋପ ମହାଦେଶରେ ଖୁବ୍ କମ୍ ଅଛନ୍ତି । ତାଙ୍କ ବିଷୟରେ ଆଲବର୍ଟ ଆଇନ୍‌ଷ୍ଟାଇନ୍ କହିଥିଲେ- “ମୁଁ ସ୍ପିନୋଜାଙ୍କ ଈଶ୍ୱରଙ୍କୁ ବିଶ୍ୱାସ କରେ ଯିଏକି ଏହି ବିଶ୍ୱ-ଅସ୍ତିତ୍ୱର ଶୃଙ୍ଖଳାବଦ୍ଧ ସୌଷମ୍ୟ ମଧ୍ୟରେ ଆପଣାକୁ ଉଦ୍‌ଘାଟିତ କରି ରଖିଥାଆନ୍ତି; ଏପରି ଜଣେ ଈଶ୍ୱରଙ୍କ ଉପରେ ମୋର ଆଦୌ ବିଶ୍ୱାସ ନାହିଁ ଯିଏକି ମନୁଷ୍ୟମାନଙ୍କର ନିୟତି ଏବଂ କରଣିଗୁଡ଼ିକ ମଧ୍ୟରେ ନିଜକୁ ଜଡ଼ିତ କରି ରଖିଥାଆନ୍ତି ।”

Image

 

ଉପସଂହାର

 

ପଞ୍ଚଦଶ ଶତାବ୍ଦୀର କବି ସାରଳା ଦାସ ମହାଭାରତକୁ ଅଗାଧସାଗର ବୋଲି କହି ଲେଖିଥିଲେ–

“ଅଗାଧସାଗର ଏହୁ ଶ୍ରୀମହାଭାରତ

ସବୁ ସଞ୍ଚପି କହିଲେ ହେବ ଅପ୍ରମିତ”

–ଆଦିପର୍ବ

ଡକ୍ଟର ଚିତ୍ତରଂଜନ ଦାସଙ୍କ ସାରସ୍ୱତ ସମ୍ଭାର ଆକଳନରେ ଏହି ଉକ୍ତିଟି ସମ୍ପୂର୍ଣ୍ଣ ପ୍ରଯୋଜ୍ୟ ମନେହୁଏ । ଅବଶ୍ୟ ସେ ତାଙ୍କ ସୃଷ୍ଟିର ସମ୍ପଦକୁ କେବେ ସଂଖ୍ୟାୟିତ କରିନାହାନ୍ତି; କରିବାକୁ ପସିନ୍ଦ ବି କରନ୍ତିନି । କେବଳ ଲେଖିବା, ପଢ଼ିବା, ପଢ଼ାଇବା, ବୁଲିବା ଭିତରେ ସେ ହଜିଯାଆନ୍ତି । ସେ ଜଣେ ଖାଣ୍ଟି ମଣିଷ, ନିର୍ଭୀକ ଓ ସତ୍ୟବାଦୀ । ସେହିପରି ତାଙ୍କ ସାହିତ୍ୟରେ ସବୁ ସତକଥା କହିବାକୁ ସେ ପଛେଇ ନାହାନ୍ତି । ସେ ସମଗ୍ର ବିଶ୍ୱର ମଣିଷକୁ ଭଲ ପାଇଛନ୍ତି ଏବଂ ସେମାନଙ୍କର ଧର୍ମ, ସଂସ୍କୃତି ଶିକ୍ଷା ରାଜନୀତି, କୃଷି, ବିଜ୍ଞାନ, ସମାଜ, ସଭ୍ୟତା ବିଷୟ ହୋଇଛି ତାଙ୍କ ସାହିତ୍ୟର ମୁଖ୍ୟ ଉପାଦାନ । ତା’ ସହିତ ଓଡ଼ିଶା ଓ ଭାରତବର୍ଷ ରହିଛି ସବା ଆଗରେ । ମାଆ, ଗାଆଁ ଓ ମାତୃଭାଷା–ଏହି ତିନୋଟିକୁ ସେ କେବେ ଜୀବନରେ ବିସ୍ମାରିତ ହୋଇନାହାନ୍ତି । ତାଙ୍କ ଲେଖାର ଅରଣ୍ୟ ଭିତରେ ପଶିଗଲେ ବାହାରିବା ସହଜ ନୁହେଁ । ତାଙ୍କର ଜୀବନଚର୍ଯ୍ୟା ଯେପରି ସାଦାସିଧା, ରଚିତ ସାହିତ୍ୟର ଭାଷା ଅନୁରୂପ ଅନଳଙ୍କରଣ । ଖଦଡ଼ ଲୁଗା ଓ କାମିଜୀ ପିନ୍ଧିବା ମଣିଷ । ଅନୁଭୂତି, ଅଭିଜ୍ଞତା, ଶାନ୍ତିନିକେତନ ଓ ବିଦେଶଭ୍ରମଣ ତାଙ୍କ ଜ୍ଞାନକୁ ଅଧିକ ଶକ୍ତିଶାଳୀ କରିଦେଇଥିଲା । ତାଙ୍କର ବିପୁଳ ସାହିତ୍ୟ କୃତି ଏ ଜାତିପାଇଁ ସର୍ବଶ୍ରେଷ୍ଠ ଦାନ । ସାହିତ୍ୟକୁ ପ୍ରକୃତ ବିଶ୍ଲେଷଣ କରନ୍ତି ପାଠକମାନେ, ବିଜ୍ଞବ୍ୟକ୍ତିଗଣ । କିନ୍ତୁ ଏ ଦେଶର ଦୁର୍ଭାଗ୍ୟ ତାଙ୍କ ସାହିତ୍ୟରେ ପ୍ରକୃତ ମୂଲ୍ୟାୟନ ହୋଇପାରିନାହିଁ । ଯେଉଁ ଗବେଷକ ଓ ଛାତ୍ରଛାତ୍ରୀ ଯାହା କାମ କରୁଛନ୍ତି ତାହା କେବଳ ଉପରଠାଉରିଆ ଭାବରେ ।

ଚିତ୍ତରଂଜନ ଦାସ ଥିଲେ ସକଳ ସମ୍ମାନ ଓ ଯଶର ଊର୍ଦ୍ଧ୍ୱରେ । ତାଙ୍କ ପାଖରେ ପୁରସ୍କାର, କ୍ଷମତା, ପଦବୀ, ଟଙ୍କା ପଇସା ଗୋଟିଏ ମାମୁଲି କଥା । ତଥାପି ସେ ଚିତ୍ତରଂଜନ ଏବଂ ତାଙ୍କର ପ୍ରତିଟି ସୃଷ୍ଟି ପାଠକ ପାଇଁ ଚିତ୍ତରଂଜନରେ ସହାୟକ । ସେ ତାଙ୍କ ଅଜସ୍ର ସାରସ୍ୱତ କୃତି ପାଇଁ ଚିରସ୍ମରଣୀୟ ହୋଇ ରହିଛନ୍ତି ଓ ରହିବେ ମଧ୍ୟ । ତାଙ୍କର ସାହିତ୍ୟ କୃତିପାଇଁ ସେ ୧୯୬୧ ମସିହାରେ ଓଡ଼ିଶା ସାହିତ୍ୟ ଏକଡ଼େମୀ ପୁରସ୍କାର, ୧୯୮୯ରେ ଶାରଳା ପୁରସ୍କାର ୧୯୯୮ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ବିଷୁବ ପୁରସ୍କାର, ୨୦୦୦ରେ ସାହିତ୍ୟ ଭାରତୀ ସମ୍ମାନ ଓ ୨୦୦୨ରେ ଉତ୍କଳରତ୍ନ ପୁରସ୍କାର ପାଇଥିଲେ । ଏତଦ୍‌ଭିନ୍ନ ଛୋଟବଡ଼ ବହୁ ଅନୁଷ୍ଠାନଦ୍ୱାରା ମଧ୍ୟ ସେ ପୁରସ୍କୃତ ହୋଇଛନ୍ତି । ତାଙ୍କର ବ୍ୟକ୍ତିତ୍ୱକୁ ତତ୍‌କାଳୀନ ଡେନ୍‍ମାର୍କର ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ଚିହ୍ନାଇଥିଲେ ଏବଂ ନେହେରୁ ତାଙ୍କୁ ଚିହ୍ନିବାପାଇଁ ବ୍ୟଗ୍ର ହୋଇ ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ବିବ୍ରତ କରି ପକାଇଥିଲେ । ତାଙ୍କୁ ଓଡ଼ିଶାର ଲୋକେ ଭଲ ଭାବରେ ଚିହ୍ନି ପାରିଲେନାହିଁ । ସିନା, ହେଲେ ତାଙ୍କର ରଚନାବଳୀ ତାଙ୍କୁ ଏ ଦେଶମାଟିରେ ସବୁଦିନ ପାଇଁ ବଞ୍ଚାଇ ରଖିଥିବ ।

Image